ଝଡ଼ିଗଲା କଞ୍ଚା ପତ୍ର

                       କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି


          ଜନ୍ମ - ମୃତ୍ଯୁ ଧ୍ରୁବ ସତ୍ଯ  ; ଅବିଶ୍ବାସନୀୟ ନୁହେଁ ଏକଥାଟି । ଜନ୍ମ ହେଲେ ମୃତ୍ଯୁ ନିଶ୍ଚିତ, ଏହା ମାନି ନେବା ଉଚିତ । ଭଗବାନ ବି ବର୍ତ୍ତି ନାହାନ୍ତି ଏ କଥାରୁ । ମର୍ତ୍ତ୍ୟରେ ଅବତାର ଗ୍ରହଣ କରିବା ପରେ ସମାଧି ନେଇଛନ୍ତି ସ୍ବୟଂ ଦେବଂଶୀ ଗଣ । ଏକଥା ପ୍ରମାଣ ଦିଏ ଆମ ହିନ୍ଦୁ ଧର୍ମର ଶାସ୍ତ୍ର - ପୁରାଣ । ଭାଗବତର ବାଣୀଟେ ମନକୁ ଆସେ  - 

              "ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
             ଦେବତା ହେଲେ ବି ମରଇ ।"

ତେଣୁ  ମର୍ତ୍ତ୍ୟପୁରରେ ଜନ୍ମ ନେଲେ ନର , ସୁର , ଦେବ , ଯକ୍ଷ , ଗନ୍ଧର୍ବ କି ସେ ଯିଏ ବି ହେଇଥାଉନା କାହିଁକି ତା'ର ମୃତ୍ଯୁ ସୁନିଶ୍ଚିତ  । କଳିରେ ପ୍ରତ୍ଯକ୍ଷ ଭାବରେ ସ୍ବୟଂ ଜଗନ୍ନାଥ ବି ଜନ୍ମ - ମୃତ୍ଯୁର ମାୟା ଖେଳରେ ଖେଳାଳୀ ହୋଇ ନବକଳେବର ହୁଅନ୍ତି । ପୁରୁଣା ଘଟ ବିସର୍ଜି ନୂଆ ଘଟ ଆପଣାଇ ନିଅନ୍ତି  । ଆମେ ତ ସହଜେ ଛାର ନର । ଦିନ - ରାତି ପରି ଏ ଜନ୍ମ - ମୃତ୍ଯୁ କ୍ରମାନ୍ୱୟ ରକ୍ଷା କରନ୍ତି  । 

           ଜୀର୍ଣ୍ଣ ଘଟରୁ ଆତ୍ମା ଉଡ଼ିଗଲେ ଯାହା ଯନ୍ତ୍ରଣା ଓ ବିଷାଦ ନ ହୁଏ , ତା'ଠାରୁ ଶହେ ଗୁଣା ଯନ୍ତ୍ରଣା ଓ ଖେଦ ଗ୍ରାସି ପକାଏ ସୁସ୍ଥ  - ସବଳ ଘଟରୁ ଆତ୍ମା ଛାଡ଼ି ଯିବା ପରେ । ନିରାଶ୍ରୟଙ୍କ ଆଶ୍ରା ସାଜିଥିବା ଲୋକଟିକୁ ହରେଇ ବିକଳେ ବୋବାଳି ଛାଡ଼ନ୍ତି ଆତ୍ମୀୟ ସ୍ବଜନ । ଆଶ୍ରୟଦାତାର ମହାପ୍ରୟାଣାନ୍ତେ ଆଶ୍ରିତ ଜନ ନିରାଶ୍ରୟ ହୋଇପଡନ୍ତି  ; ଦୁର୍ବିସହ ହୋଇପଡ଼େ ଜୀବନ ଜୀଇଁବା ତାଙ୍କର । "କେବଳ ଇଶ୍ବର ଭରସା" ବାକ୍ଯଟିକୁ ବାରମ୍ବାର ଦୋହରାଇବାକୁ ପଡ଼େ । ପର ଓ ପରିଜନଙ୍କ ଠାରୁ ପଣ ପଣ ଶାନ୍ତ୍ବନା ଭାସି ଆସେ  ; ମନକୁ ଶୀତଳ କରିବାକୁ କେତେ କିଏ ବୁଝାଇବାକୁ ଆସିଯା'ନ୍ତି । ହେଲେ ମନ କ'ଣ ବୁଝେ ? ସେଇ ମୁହୂର୍ତ୍ତକ ପାଇଁ ସେମାନଙ୍କ ପାଖରେ ମନଟା ବୁଝିଯିବାର ଅଭିନୟ ପୂର୍ବକ ନିରବତା ରକ୍ଷା କରିବାକୁ ପଡ଼େ  ; ଖେଦୋକ୍ତ ଓ ଯନ୍ତ୍ରଣାସିକ୍ତ ବ୍ଯକ୍ତିର ନିରବତାକୁ ଲକ୍ଷ୍ଯ କରି ଶାନ୍ତ୍ବନା ଦାତା ବୁଝିଯାଏ ଯେ ସେ ରୋକଟି ବୁଝି ସାରିଲାଣି । କିନ୍ତୁ ବାସ୍ତବରେ ସେ ବୁଝି ନ ଥାଏ ବୋଲି ତାକୁ ବା କାହିଁକି ଜଣା ପଡ଼ିବ ? କାହା ମନ - ହୃଦୟକୁ ପଠନ କରିବାର ଶକ୍ତି କାହା ପାଶେ ବି ନ ଥାଏ । ସେ ବୁଝେଇ ସାରି ତା' ବାଟରେ ଚାଲିଗଲା , ହେଲେ ଯନ୍ତ୍ରଣା ପ୍ରାପ୍ତ ଜୀବନ୍ତ ଯନ୍ତ୍ରଟି ସବୁ ଯନ୍ତ୍ରଣା ଓ ଦୁଃଖକୁ ଚାପି ରଖି ଜୀବନ ସାରା କୁହୁଳି କୁହୁଳି ଶେଷରେ ଭସ୍ମ ପାଲଟି ଗଲା । 

        ଆଖପାଖ ଓ ଚିହ୍ନା ଜଣା ଲୋକଙ୍କ ଭିତରେ ଆରମ୍ଭ ହୋଇଗଲା ଟୁପୁରୁଟାପୁରୁ ; ଆଲୋଚନା - ପର୍ଯ୍ୟାଲୋଚନା  । "ଆହା ! କେତେ ଦୁଃଖ - କଷ୍ଟ ପାଇଛି ବିଚରା / ବିଚାରୀ ; ଆଜି ଲିଭି ଗଲା ଜୀବନ ଜ୍ଯୋତି ।" - ପୁନରାୟ ତାଙ୍କ ଆତ୍ମୀୟଙ୍କୁ ସମବେଦନା ଜଣାଇବାକୁ ସୁଅ ଛୁଟିଲା । ଏହା ଏକ ଚକ୍ରାକାର ଘଟଣା ; ଏହା ତ ବିଧିର ବିଧାନ । ସତରେ ଜୀବନକୁ ବୁଝିବା ଜଟିଳସାଧ୍ଯ । ଜୀବନଟା ଜଳକଣା  ; କ୍ଷଣିକେ ମିଳେଇ ଯାଏ । ସ୍ଥାପନା କରି ଯାଏ ଆତ୍ମୀୟଙ୍କ ମନ - ହୃଦରେ ଅହେତୁକ ବିଷାଦ ଓ ଜାତି ଜାତି ଯନ୍ତ୍ରଣାର ବହ୍ନି ଝୁଲ । ଯେମିତି ଜନ୍ମରୁ ମୁଁ ଯନ୍ତ୍ରଣା ଜର୍ଜରିତ....।

         ଶତ ଚେଷ୍ଟା ସତ୍ତ୍ୱେ ବି ମୁଁ ପରାଜିତ ଜୀବନ ଯୁଦ୍ଧରେ , ସଂସାର ସମରକ୍ଷେତ୍ରରେ କ୍ଷତବିକ୍ଷତ ମୋର ଅଙ୍ଗପ୍ରତ୍ୟଙ୍ଗ  । ଉଠିବାର ବଳ ନାହିଁ ଆଉ ; ଉଠାଇବାକୁ ବି ଆଉ କିଏ ଅଛି ଯେ ମୋର ? ସବୁ ଆତ୍ମୀୟ ତ ସାତପର ସାଜି ଏକା କରିଦେଇ ମତେ ଯିଏ ଯାହା ପଥରେ ପଥିକ ସାଜିଲେ ; ଆଉ କିଏ ଅଛି ଝୁଣ୍ଟି ପଡ଼ିଲେ ଆହା ବୋଲି କହିବ ? ସମସ୍ତେ ଫେରିଗଲେ ତାଙ୍କ ବାଟରେ ସିଏ  ; ସଙ୍ଗାତ ଓ ତାଙ୍କ ପରିବାର, ବାପା, ଆତ୍ମୀୟ ସ୍ବଜନ... ଅନ୍ତରଙ୍ଗ ବି ଅନ୍ତର । ଶେଷରେ ବାପା - ମାଆ, ଭାଇ - ସାଙ୍ଗ ଏବଂ ମୁରବୀ ସାଜିଥିବା ମଣିଷଟା ବି ସାତପର କରିଦେବ ବୋଲି ଜମାରୁ ନଥିଲା ବିଶ୍ବାସ । ଭଗବାନଙ୍କ ଦରବାରରେ ଆତସବାଜିର କଠିନ କରାଘାତରେ ଧରାଶାୟୀ ହୋଇଗଲା କ୍ଷଣିକ ମଧ୍ୟରେ । କପିଳେଶ୍ବର ମହାଦେବଙ୍କ ଅଶୋକାଷ୍ଟମୀ ପର୍ବ ମହଙ୍ଗା ପଡ଼ିଲା ତାକୁ । ପିତାଙ୍କ ପରଲୋକ ଗମନ ପରେ ଘରର ମୁରବି ସାଜି ସୁଖ - ଦୁଃଖ ବାଣ୍ଟି ଅଣ୍ଟାରେ ଗାମୁଛା ଭିଡ଼ି କାନ୍ଧରେ କାନ୍ଧ ମିଳାଇ ଆମକୁ ସାଥ୍‌ ଦେବା ସହ ସର୍ବୋପକାର କାର୍ଯ୍ୟ କରି ନେଉଥିବା ଘରର ପୁଅଟି ନିଦ୍ରିତ । ଆଉ ଭାଙ୍ଗିବନି ନିଦ , ଲିଭିଗଲା ଭାଇ ଡ଼ାକ ; ଗୁଣ୍ଡୁ ଡ଼ାକରେ ପଡ଼ିଗଲା ପୂର୍ଣ୍ଣଛେଦ । ଗୋଟିଏ ନୁହେଁ ଦୁଇ ଦୁଇଟି ପରିବାର ଅନାଥ । ବାପ ମରିବାର ପାଞ୍ଚ ମାସ ନ ପୂରୁଣୁ ଆଠ ବର୍ଷର ପୁଅ , ପାଞ୍ଚ ମାସର ଝିଅ , ସ୍ତ୍ରୀ ଓ ରୋଗୀଣା ବିଧବା ମାଆ ; ଏପଟେ ଆମ ଘରର ଚାରି ପ୍ରାଣୀଙ୍କ ଦେବତା ଆସନରୁ ଚିର ବିଦାୟ ନେଇ ଚାଲିଗଲା ଶୋକ ସାଗରରେ ଭସେଇ । କିଏ ଆଉ ଆମକୁ ସାହାରା ହେବ ? ସୁଖ - ଦୁଃଖରେ କିଏ ଆଉ ଠିଆ ହେବ  ? ସବୁ ଅଭାବ ଅସୁବିଧା କିଏ ଆଉ ଭରଣା କରିବ ? ସତରେ ମୁଁ କ'ଣ ଅନାଥ ? ହଁ, ମୁଁ ଅନାଥ....... କଣ୍ଠ ଫଟେଇ ଚିତ୍କାର କରି କହିବି ମୁଁ ଅନାଥ , ମୁଁ ଅନାଥ , ମୁଁ ଅନାଥ..... ଅନାଥ.. ଅନାଥ.. ଅନାଥ.....

      ଯାହା ଟିକେ ସାହାରା ଥିଲା , ଆଜି ତୁଟିଗଲା  । ନାଥ ସଜେଇଲେ ଅନାଥ  । ବଞ୍ଚି ଥାଇ ମୃତ  । ଜନ୍ମରୁ ଯନ୍ତ୍ରଣାସିକ୍ତ ଜୀବନ , ଯନ୍ତ୍ରଣା ମୋର ଆଭୂଷଣ । ସତରେ ମୁଁ ଅନାଥ ପାଲଟି ଗଲି  । ଅନାଥ..... । ବିଧାତା ବିଧାନ ବିଚିତ୍ର ବାସ୍ତବରେ  । ଶୁଣିଛି ଭଲ ଲୋକମାନେ ଖରାପ ଲୋକଙ୍କ ପାଖରେ ବେଶିଦିନ ରହି ପାରନ୍ତିନି । ପୁଣ୍ଯବନ୍ତ ଲୋକ ଆଗ ବିଦାୟ ନେଇ ଚାଲିଯାଏ । ବୋଧହୁଏ ସେ ଧର୍ମପରାୟଣ ବ୍ଯକ୍ତି ଥିଲା  ; ସେଲାଗି ସମସ୍ତଙ୍କଠାରୁ ବିଦାୟ ନେଇ ଚାଲିଗଲା  । ଆମେ ବୋଧହୁଏ ମହାପାପୀ ; ସେ ଲାଗି ନର୍କ ଯନ୍ତ୍ରଣା ଭୋଗିବା ପାଇଁ ନରଧାମରେ ବିଚରଣ କରୁଛୁ । ବୃକ୍ଷରେ ଅନେକ ପତ୍ର ସଜ୍ଜିତ ଥାଏ ; କିନ୍ତୁ ପାଚିଲା ପତ୍ରଟି ହିଁ ଝଡେ । କଞ୍ଚା ପତ୍ର ନ ପାଚିବା ଯାଏଁ ବୃକ୍ଷ ପଲ୍ଲବରେ ଥାଏ ; ପାଚିଲା ପରେ ବସୁ ବକ୍ଷରେ ଲୋଟିପଡ଼େ । କିନ୍ତୁ ବିଧାତାର ଅଭିଧାନ ବୋଧହୁଏ ସବୁ ନିୟମର ବିପରୀତ  ; ପାଚିଲା ପତ୍ରକୁ ବୃକ୍ଷ ଡ଼ାଳରେ ରଖି କଞ୍ଚାପତ୍ରକୁ ଧରାଶାୟୀ କରିଦିଆଯାଏ ଇଶ୍ବରଙ୍କ ଦ୍ବାରା । ଧାନ ବିଲରୁ ବାଳୁଙ୍ଗା ବାଛିବା କଥା ; କିନ୍ତୁ ନିୟତିର ଓଲଟା ନିୟମ । ଧାନ ଗଛକୁ ଫିଙ୍ଗି ବାଳୁଙ୍ଗାକୁ ସାର-ପିଡ଼ିଆ ଦେଇ ସଯତ୍ନରେ ସାଇତି ରଖାଯାଏ । ମିଛମାୟା ସଂସାରର ଏ ବିଚିତ୍ର ନିୟମରେ ବନ୍ଧା ସମସ୍ତ ଜୀବଜଗତ  । ଟୀକା ଗୋବିନ୍ଦଚନ୍ଦ୍ରର ଗୋଟିଏ ପଦ ମନେପଡ଼େ ଯାହା ଆଜି ବାସ୍ତବତାର ରୂପରେଖରେ । ପଦଟି ହେଲା  :-
 
     "ଭଜୁକି ନା ରାମ ନାମରେ କୁମର
                                  ଜପୁକି ନା ରାମ ନାମ
      ଭଜି ନ ପାରିଲେ କୁଳଚନ୍ଦ୍ରମାରେ
                              ବାନ୍ଧି ନେବ କାଳ ଯମ  ।
      ସେ କାଳ ଯମଟି ବଡ଼ ଦାରୁଣରେ
                             ମାନେ ନାହିଁ ଦୁଃଖ ଶୋକ
      ବାଛି ନେବ କଞ୍ଚା ରଖିବ ପାଚିଲା
                             ଦେବଟି ଦାରୁଣ ଦୁଃଖ  । 

      ସତରେ ଯମକୁ ଦୋଷ ଲାଗେ ନାହିଁ । ମୃତ୍ଯୁର ଉପାୟ ବେଶ୍‌ ଭଲ ଭାବରେ ଜଣା ତାକୁ । ପାଚିଲା ଫଳ ଥାଉ ଥାଉ କଞ୍ଚାଫଳର ପତନ କେତେ ଯନ୍ତ୍ରଣା ଦାୟକ, ଅଙ୍ଗେ ନିଭେଇଥିବା ଜନ ହିଁ ଜାଣେ ।

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା, ନିରାକାରପୁର , କଣାସ (ପୁରୀ)
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା