ରହସ୍ୟମୟ ଗ୍ରନ୍ଥ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଧର୍ମ ହେଉଛି ଈଶ୍ବର ବିଶ୍ୱାସ ; ସମାଜକୁ ଶୃଙ୍ଖଳିତ ମାର୍ଗରେ ଚ଼ଳେଇ ନେବାର ମାଧ୍ଯମଟିଏ ମାତ୍ର । କହିବାକୁ ଗଲେ , ଯାହା ଧରି ରଖେ ତାହା ଧର୍ମ । ପ୍ରଶ୍ନ ଉଠିବ , କ'ଣ ଧରି ରଖେ ? ଉତ୍ତର ହେଲା ଜୀବଜଗତକୁ ଧରି ରଖେ । ବିଶ୍ବାସ , ଭଲପାଇବା , ସ୍ନେହ - ଶ୍ରଦ୍ଧା - ଭକ୍ତିକୁ ଏକ ସୂତ୍ରରେ ଗୁନ୍ଥି ଗଳାରେ ଧରି ରଖିବା ହେଲା ଧର୍ମ । ଏକ ଶୃଙ୍ଖଳିତ ସମାଜକୁ ସୃଷ୍ଟି ଚ଼ାଲୁଥିବା ଯାଏଁ ଧରି ରଖିବା ଧର୍ମ ଅଟେ । ଧର୍ମ କହିଲେ ଈଶ୍ୱର , ଧର୍ମଗ୍ରନ୍ଥ , ଆରାଧନାର ମାର୍ଗ କର୍ମକାଣ୍ଡ ବିଧାନ , କେତେକ ରୀତିନୀତି ଓ ପ୍ରଥାକୁ ବୁଝାଏନି । ଈଶ୍ୱର ପ୍ରାପ୍ତି ପାଇଁ ନିଜ ରୁଚ଼ି ଅନୁଯାୟୀ ମାର୍ଗ ଅନ୍ବେଷଣ କରିବାର ପଦ୍ଧତି ଧର୍ମ ଅଟେ । ମାନବ ସଂପ୍ରୀତିର ମାର୍ଗ ହେଉଛି ଧର୍ମ । ଧର୍ମ ସର୍ବଦା ମାନବିକ ମୂଲ୍ୟବୋଧ ଦ୍ବାରା ଚ଼ାଳିତ ହେବା ଉଚିତ , ତେବେ ତାକୁ ଧର୍ମ ବୋଲି କୁହାଯିବ । ଭିନ୍ନତାରେ ଏକତା ହେଉଛି ଭାରତୀୟ ସଂସ୍କୃତି । ଭାରତର ଧର୍ମ , ଦର୍ଶନ , ସାହିତ୍ଯ , କଳା , ଜ୍ଞାନ , ବିଜ୍ଞାନ , ସ୍ଥାପତ୍ୟ ସମଗ୍ର ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରସିଦ୍ଧିଲାଭ କରିଛି ; ମାନବ ଜାତିର ସାଂସ୍କୃତିକ ଇତିହାସକୁ ଋଦ୍ଧିମନ୍ତ କରିଛି । ବିଭିନ୍ନ ସମୟରେ ଶକ , କୁଶାଣ , ହୂନ ଆଦି ଜାତିମାନେ ଭାରତକୁ ଆକ୍ରମଣ କରିଛନ୍ତି ଓ ଭାରତର କିଛି ଅଂଶକୁ ଶାସନ ମଧ୍ୟ କରିଛନ୍ତି ; ଭାରତୀୟ ସଂସ୍କୃତି ଓ ସଭ୍ଯତା ପ୍ରଭାବରେ ସମୟକ୍ରମେ ସେମାନେ ଭାରତୀୟ ହୋଇଯାଇଛନ୍ତି । ଆରବ , ତୁର୍କ , ଆଫଗାନ , ମୋଗଲମାନେ ମଧ୍ୟ ଆକ୍ରମଣକାରୀ ଭାବେ ଆସି ଶହ ଶହ ବର୍ଷ ଧରି ଦେଶକୁ ଶାସନ କରିବା ପରେ ସେମାନେ ବି ପାଲଟି ଯାଇଛନ୍ତି ଭାରତୀୟ ।
ଭାରତରେ କେତେ ଗ୍ରନ୍ଥ , ଦର୍ଶନଶାସ୍ତ୍ର ଆଉ କେତେ କେତେ ଧର୍ମ ଅଛି ; ତା' ସହିତ କିଛି ରହସ୍ୟ ହୋଇ ବି ରହିଯାଇଛି । କିଛି ଧର୍ମ ଓ ଗ୍ରନ୍ଥ ଲୋକଲୋଚନକୁ ଆସିଥିବା ବେଳେ କିଛି ବି ରହିଛି ଯାହାର ରହସ୍ୟ ଭେଦ କରିବାକୁ କେହି ବି ସକ୍ଷମ ହୋଇନାହାନ୍ତି । ଅନେକ ରହସ୍ୟ ଅତି ପ୍ରାଚ଼ୀନ ସାହିତ୍ଯ , ଶାସ୍ତ୍ର , ପୁରାଣ ତଥା ଐତିହାସିକ ଗ୍ରନ୍ଥ ମାନଙ୍କରେ ଲିପିବଦ୍ଧ ହୋଇ ରହିଛି । ଅତ୍ଯନ୍ତ ରହସ୍ୟମୟ ଗ୍ରନ୍ଥ ମଧ୍ୟରେ ଲାଲ ପୁସ୍ତକ , ରାବଣ ସଂହିତା , ଅଷ୍ଟାଧ୍ୟାୟୀ ଓ ଯୋଗସୂତ୍ର , ଉପନିଷଦ , ବେତାଳ ପଚିଶି , ବିଧାନ ଶାସ୍ତ୍ର , ପାରଦ ତନ୍ତ୍ର ବିଜ୍ଞାନ , ବିଜ୍ଞାନ ଭୈରବ ତନ୍ତ୍ର , ସାମୁଦ୍ରିକ ଶାସ୍ତ୍ର , ରସ ରତ୍ନାକର ଓ ରସେନ୍ଦ୍ର ମଙ୍ଗଳ, ଅଥର୍ବ ବେଦ ଆଦି ପ୍ରଧାନ । ଏସବୁର ରହସ୍ଯ ଭେଦ କରିବାକୁ ଏଯାଏଁ କେହି ବି ସମର୍ଥ ହୋଇନାହାନ୍ତି ।
ହିନ୍ଦୁ ଧର୍ମର ଦାର୍ଶନିକ ଗ୍ରନ୍ଥ ସମୂହ ହେଉଛି ଉପନିଷଦ । ଏଥିରେ ରହିଛି ସନାତନ ହିନ୍ଦୁ ଧର୍ମର ମୂଳ ସିଦ୍ଧାନ୍ତ ସମୂହ । ଏହାକୁ ଶ୍ରୁତି ବା ବେଦର ଏକ ଅଂଶ ଭାବେ ଗ୍ରହଣ କରାଯାଇଛି । ଉପନିଷଦ ସମୂହ ପରମତତ୍ତ୍ବ ବ୍ରହ୍ମ , ଆତ୍ମା ଓ ମୋକ୍ଷର ବର୍ଣ୍ଣନା କରନ୍ତି । ବୈଦିକ ସାହିତ୍ଯର ଶେଷାଂଶ ହୋଇଥିବାରୁ ଏହାକୁ ବେଦାନ୍ତ ବି କୁହାଯାଏ । ପରବର୍ତ୍ତୀ ସମୟରେ ବିକଶିତ ବେଦାନ୍ତ ଦର୍ଶନ ଉପନିଷଦ ସମୂହ ଉପରେ ପର୍ଯ୍ଯବେଶିତ । ବ୍ରହ୍ମ , ଜୀବାତ୍ମା ଉଭୟଙ୍କ ମଧ୍ୟେ ସମ୍ପର୍କ ଉପନିଷଦ ସମୂହର ପ୍ରଧାନ ବକ୍ତବ୍ୟ ଓ ନିଜ ସ୍ବରୂପକୁ ଜାଣିବା ହେଉଛି ଏହାର ପରମ ଲକ୍ଷ୍ଯ । ହିନ୍ଦୁ ଧର୍ମର ବିଭିନ୍ନତା ପୂର୍ଣ୍ଣ ଅନେକ ମତବାଦ ଏହି ଉପନିଷଦ ସମୂହରୁ ବିକଶିତ । ଆଦି ଶଙ୍କର ବେଦାନ୍ତ ଦର୍ଶନର ସୁପ୍ରସିଦ୍ଧ ପ୍ରବକ୍ତା ବେଦାନ୍ତ ଅର୍ଥାତ୍ ଉତ୍ତର ମୀମାଂସା ପାରମ୍ପରିକ ବୈଦିକ ଷଡ଼ଦର୍ଶନ ମଧ୍ୟରୁ ଗୋଟିଏ । ଏହି ବେଦାନ୍ତ ଶବ୍ଦ ହିନ୍ଦୁ ଦର୍ଶନର ତିନି ମୂଳ ଗ୍ରନ୍ଥ "ପ୍ରଧାନ ଉପନିଷଦ ସମୂହ , ବ୍ରହ୍ମସୂତ୍ର ଓ ଭଗବତ ଗୀତା" ଉପରେ ଆଧାରିତ ନାନା ଦାର୍ଶନିକ ପରମ୍ପରାକୁ ବୁଝାଏ । ପ୍ରାୟ ୧୦୦୮ରୁ ଅଧିକ ଉପନିଷଦ ଥିଲେ ବି ତା' ଭିତରୁ ୧୦୮ଟି ଉପନିଷଦ ମୁଖ୍ଯ ଅଟେ । ବେଦ ମାନଙ୍କରେ ସାରକଥା ସହ ଏଥିରେ କିଛି ଅତ୍ଯନ୍ତ ରୋଚ଼କ ରହସ୍ୟମୟ ତଥ୍ୟ ମଧ୍ୟ ଅଛି , ଯାହାକୁ ପଠନ କରି ହୁଏତ ସଂସାର ପ୍ରତି ଚ଼ିନ୍ତାଧାରା ବଦଳି ଯାଇପାରେ ।
ଏମିତି ଏକ ବେଦ "ଅଥର୍ବ ବେଦ" , ଯେଉଁଥିରେ ଏମିତି ବିଦ୍ୟା ଗୁଡ଼ିକ ସମ୍ପର୍କରେ ସୂଚ଼ନା ରହିଛି ଯାହାକୁ ସହଜରେ ବିଶ୍ବାସ କରାଯାଇ ପାରିବ ନାହିଁ । କୁହାଯାଏ ଯେ ଯଦି କୌଣସି ବ୍ଯକ୍ତି ଆପଣଙ୍କ ବିରୁଦ୍ଧାଚ଼ରଣ ପୂର୍ବକ କିଛି ଷଡ଼ଯନ୍ତ୍ର ରଚ଼ନା କରୁଛନ୍ତି ବା କରିଛନ୍ତି ତେବେ ବିଦ୍ଯା ଦ୍ବାରା ହିଁ ତା'ର ସନ୍ଧାନ ପାଇ ପାରିବେ । ଏଥିରେ ବି ସମ୍ମୋହନ ବା ମୋହିନୀ ବିଦ୍ଯାର ବର୍ଣ୍ଣନା କରାଯାଇଛି । ତନ୍ତ୍ର ଶାସ୍ତ୍ର ଗୁଡ଼ିକ ମଧ୍ୟରେ ସବୁଠୁ ସିଦ୍ଧ ଶାସ୍ତ୍ରଟି ହେଲା "ବିଜ୍ଞାନ ଭୈରବ ତନ୍ତ୍ର", ଯାହାର ରଚ଼ୟିତା ଏ ପର୍ଯ୍ଯନ୍ତ ଜଣା ପଡ଼ିନି । କୁହାଯାଏ ଯେ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ କଥୋପକଥନରୁ ହିଁ ଏହି ରଚ଼ନା କରାଯାଇଛି । ଏଥିରେ ବହୁ ଗୁପ୍ତ ବିଦ୍ଯା ଗୁଡ଼ିକ ବିଷୟରେ ତଥ୍ୟ ଦିଆଯାଇଛି । ହିମାଚ଼ଳ ପ୍ରଦେଶର ନିର୍ମାନ ଜିଲ୍ଲାରେ ୨୫୦ ବର୍ଷ ପୁରୁଣା ଏକ ପୁସ୍ତକ ମିଳିଥିଲା । ୧୦୫୨ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ରସାୟନ ବିଜ୍ଞାନ ସମ୍ବନ୍ଧୀୟ କେତେଗୁଡେ ରହସ୍ଯ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏତତ୍ ବ୍ୟତୀତ ବହୁ ଆୟୁର୍ବେଦ ତଥ୍ୟ ବି ଏଥିରେ ଉଲ୍ଲିଖିତ ଅଛି । ଏହି ବହିଟିର ନାମ ଥିଲା "ପାରଦ ତନ୍ତ୍ର ବିଜ୍ଞାନ" ।
"ରସ ରତ୍ନାକର ଓ ରସେନ୍ଦ୍ର ମଙ୍ଗଳ" ପୁସ୍ତକରେ ରସାୟନ ସମ୍ବନ୍ଧୀୟ ବହୁ ତଥ୍ୟ ଅଛି । ଏଥିରେ ସ୍ବର୍ଣ୍ଣ , ରୌପ୍ୟ , ତାମ୍ର , ଟିଣ ଆଦି ଧାତୁ ସବୁକୁ ଶୁଦ୍ଧ କରିବାର ପ୍ରଣାଳୀ ବିଷୟରେ କୁହାଯାଇଛି । "ବେତାଳ ପଚିଶି"କୁ ଭାରତର ସର୍ବପ୍ରାଚ଼ୀନତମ ଭୁତ କାହାଣୀ ରୂପେ ଧରାଯାଏ ; ଏଥିରେ ରାଜା ବିକ୍ରମ ଓ ବେତାଳ କାହାଣୀକୁ ବର୍ଣ୍ଣନା କରାଯାଇଛି । ଏ କାହାଣୀ ଅନୁସାରେ ପ୍ରତ୍ଯହ ବେତାଳ ଗୋଟିଏ ଲେଖାଏଁ କାହାଣୀ ଶୁଣାଇଥାଏ ରାଜା ବିକ୍ରମଙ୍କୁ ଏବଂ ଶୁଣେଇ ସାରିବା ପରେ କାହାଣୀ ବିଷୟରେ ହିଁ ଏକ ପ୍ରଶ୍ନ ପଚ଼ାରେ । କୁହାଯାଏ ଯେ ରାଜା ସତବାହନଙ୍କ ମନ୍ତ୍ରୀ ଗୁଣ୍ଡାୟାଙ୍କ ଦ୍ବାରା ରଚି଼ତ "ବଡ଼କାୟ" ନାମକ ଗ୍ରନ୍ଥରୁ ହିଁ ଏହାର ଉତ୍ପତ୍ତି । ଖ୍ରୀ.ପୂ. ୪୯୫ରେ ଏହା ରଚ଼ିତ ହୋଇଥିବା ବେଳେ ଆଜି ଏହାର କୌଣସି ଅଂଶ ମିଳୁନି । ପ୍ରାଚ଼ୀନ ସାହିତ୍ଯ ବାର୍ତ୍ତା ପଚ଼ିଶି ଶହ ବର୍ଷ ପୂର୍ବେ ଏହି ପୁସ୍ତକ ମହାକବି ସୋମଦେବ ଭଟ୍ଟଙ୍କ ଦ୍ବାରା ରଚି଼ତ । "ସାମୁଦ୍ରିକ ଶାସ୍ତ୍ର"ର ଆରମ୍ଭ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ ହୋଇଥିଲା । ଏଥିରେ ଲିଖିତ ବିଦ୍ଯା ମାନବ ଶରୀରର ଶାରୀରିକ ଓ ମାନସିକ ସ୍ଥିତିକୁ ସତରେ ପରଖି ପାରିଥାଏ । ପରାଶର , ଭରଦ୍ୱାଜ , ଭୃଗୁ , କାଶ୍ଯପ , ବୃହସ୍ପତିଙ୍କ ପରି ବହୁ ବଡ଼ ବଡ଼ ଋଷି ମୁନୀ ଏ ସମ୍ବନ୍ଧୀୟ ଜ୍ଞାନର ସନ୍ଧାନ ପାଇଥିଲେ । ଋଷି ଭରଦ୍ୱାଜଙ୍କ ଦ୍ବାରା ରଚି଼ତ "ବିମାନ ଶାସ୍ତ୍ର"ରେ ବିମାନ ତିଆରି କରିବାର ଯେଉଁ କୌଶଳ ଉଲ୍ଲେଖ ଅଛି ତାହାକୁ ଅଧୁନା ଯୁଗରେ ବି ପାଳନ ହେଉଛି ଏବଂ ବିଭିନ୍ନ ଧାତୁ ଗୁଡ଼ିକର ନିର୍ମାଣ ସମ୍ବନ୍ଧରେ ବି ଲେଖିଛନ୍ତି ଋଷି ଭରଦ୍ୱାଜ ।
"ଅଷ୍ଟାଧ୍ୟାୟୀ ଓ ଯୋଗସୂତ୍ର" ପୁସ୍ତକର ରଚ଼ୟିତା ମହର୍ଷି ପାଣିନି ; ଏହା ୫୦୦ ବର୍ଷ ପୂର୍ବର ପୁରୁଣା ଯୋଗ ଗ୍ରନ୍ଥ । ଏଥିରେ ସମୁଦାୟ ଆଠଗୋଟି ଅଧ୍ଯାୟ ଥିବାରୁ ଏହାର ନାମକରଣ "ଅଷ୍ଟାଧ୍ୟାୟୀ" ହୋଇଛି ; ଏଥିରେ ବର୍ଣ୍ଣିତ ଥିବା ବ୍ଯାକରଣ ସମ୍ବନ୍ଧୀୟ ଜ୍ଞାନ ଅତ୍ଯନ୍ତ ଶୁଦ୍ଧ , ଏସବୁ ଯୋଗସୂତ୍ରର ପଠନାନ୍ତେ ଯେଉଁ ବ୍ଯାକରଣ ସମ୍ବନ୍ଧୀୟ ଜ୍ଞାନ ମିଳିବ ତାହା ପୃଥିବୀର କୌଣସି ପୁସ୍ତକରୁ ମିଳିବନି । ଏ ଗ୍ରନ୍ଥରୁ ହିଁ ଜନ୍ମ ନେଇଛି ବିସ୍ତୃତ ବିବରଣୀ "ମହାଭାସ୍ଯ" ପୁସ୍ତକ , ଯାହାର ଲେଖକ ଥିଲେ ଯୋଗଗୁରୁ ପତଞ୍ଜଳୀ । ଯୋଗସୂତ୍ରରେ ହିଁ ଅଷ୍ଟାଙ୍ଗ ଯୋଗର ଚ଼ର୍ଚ୍ଚା ହୋଇଛି ; ଏହାକୁ ସବୁ ଧର୍ମର ଲୋକମାନେ ମାନନ୍ତି ଓ ଏହା ସମସ୍ତ ଦର୍ଶନ ଶାସ୍ତ୍ର ମଧ୍ୟେ ଶ୍ରେଷ୍ଠ ସ୍ଥାନରେ ଅଛି । ବ୍ରିଟିଶ ରାଜୁତି ସମୟରେ ୧୯୩୯ ମସିହାରେ ପଣ୍ଡିତ ରୂପଚ଼ାନ୍ଦଙ୍କ ଲେଖନୀରୁ ଜନ୍ମ ନେଇଥିଲା "ଲାଲ ପୁସ୍ତକ" ; କୁହାଯାଏ ଭୃଗୁ ସଂହିତାରୁ ବି ଅଧିକ ତଥ୍ୟ ଏହି ପୁସ୍ତକରେ ଅଛି । ଏହି ସମୟେ ପଣ୍ଡିତ ରୂପଚ଼ାନ୍ଦଙ୍କୁ ସୁଦୂର ହିମାଳୟରୁ ଏକ ପାଣ୍ଡୁଲିପି ମିଳିଥିଲା । ଜ୍ଯୋତିଷ ଶାସ୍ତ୍ରବିଦ୍ ମାନେ ଏ ପୁସ୍ତକ ବିଷୟରେ ବିଶେଷ ଭାବରେ ଜାଣନ୍ତି , କାରଣ ଏହା ଏକ ଜ୍ଯୋତିଷ ଶାସ୍ତ୍ର ସମ୍ପର୍କୀୟ ପ୍ରାଚ଼ୀନ ପୁସ୍ତକ ; ସେତେବଳେ ପଞ୍ଜାବ ପ୍ରଦେଶରୁ ଉଦୂର ଆଫଗାନିସ୍ତାନ ଯାଏଁ ଏ ପୁସ୍ତକର ପ୍ରଚ଼ଳନ ଥିଲା । ୩୮୯ଟି ପୃଷ୍ଠା ସମ୍ବଳିତ ଏ ପୁସ୍ତକ ଏକ ମହାନ ପୁସ୍ତକ । ଲଙ୍କାପତି ରାବଣ ସ୍ବୟଂ ରଚ଼ନା କରିଥିିଲେ "ରାବଣ ସଂହିତା" ପୁସ୍ତକ । ଏଥିରେ ଜ୍ଯୋତିଷ , ଆୟୁର୍ବେଦ ଓ ତନ୍ତ୍ର ଶାସ୍ତ୍ର ସମ୍ବନ୍ଧୀୟ ବହୁଳ ତଥ୍ୟ ରହିଛି । ବର୍ତ୍ତମାନ ସମୟରେ ଏହା ବିଷୟରେ ବେଶି ଲୋକଙ୍କୁ ଜଣା ନଥିବ , କାରଣ ଏହା ବହୁ ପୁରାତନ । କିନ୍ତୁ ଏହା ବି ଶୁଣିବାକୁ ମିଳେ ଯେ "ରାବଣ ସଂହିତା"ର ପ୍ରତିଲିପି ଦେବନଗରୀ ବା ହିନ୍ଦୀ ଭାଷାରେ ରଚ଼ନା କରାଯାଇ ଭାରତର କୌଣସି ଏକ ଗାଁରେ ରହିଯାଇଛି । ଏମିତି ଅନେକ କିଛି ରହିଛି ଯାହା ଜନ ସମାଜରେ ରହସ୍ୟର ପରଦା ହୋଇ କିଛି ଜ୍ଞାନକୁ ତା'ର ଆଢ଼ୁଆଳରେ ରଖିଛି ।
ବାସ୍ତବରେ ବିଶ୍ବବ୍ରହ୍ମାଣ୍ଡ ରହସ୍ୟମୟ ; ସାଧାରଣ ମଣିଷ ପାଖେ ଏସବୁ ରହସ୍ୟ ଭେଦ କରିବା ଏତେଟା ସରଳସାଧ୍ଯ ନୁହେଁ । କିଛି ରହସ୍ୟକୁ ଉନ୍ମୋଚନ କରିବାରେ ସଫଳତା ପ୍ରାପ୍ତ କରିଥିବା ବେଳେ ଆଉ ଅନେକ କିଛି ରହସ୍ୟ ଭେଦ କରିପାରିନି ମାନବ ; ତା' ପକ୍ଷେ ଅସମ୍ଭବ ବୋଲି ସ୍ବୀକାର କରିନେବାକୁ ବାଧ୍ୟ ହୋଇଛି । ଉପରୋକ୍ତ ପୁସ୍ତକକୁ ବାଦ ଦେଲେ ଆଉ ଏକ ପୁସ୍ତକ ଅଛି , ଯାହାକୁ ଏଯାଏଁ କେହି ବି ପଢ଼ି ପାରିନାହାନ୍ତି ଏଯାବତ ; ଏହା ଦୁଣିଆର ସବୁଠୁ ରହସ୍ୟମୟ ପୁସ୍ତକ ଭାବରେ ପରିଗଣିତ ହୋଇଛି । ଏହି ପୁସ୍ତକ ୬୦୦ ବର୍ଷର ପୁରୁଣା ବୋଲି ଐତିହାସିକ ମାନଙ୍କର ମତ । କାର୍ବନ ଡ଼େଟିଙ୍ଗ୍ରୁ ଜ୍ଞାତ ହୁଏ ଏହାକୁ ୧୫ଶ ଶତାବ୍ଦୀରେ ହାତରେ ଲେଖା ଯାଇଥିଲା । କେଉଁ ଭାଷାରେ କ'ଣ ଲେଖା ଅଛି ଏଥିରେ କେହି କିଛି ବି ବୁଝି ପାରନ୍ତିନି । ୨୪୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତକର ନାମ ରଖାଯାଇଛି "ବାୟୋନିକ୍ ମାନୁସ୍କ୍ରିପ୍ଟ" ;ଇଟାଲିର ଜନୈକ ବହି ବେପାରୀ ୱିଲ୍ଫ୍ରିଡ୍ ବାୟୋନିକ୍ଙ୍କ ନାମରେ ଏହାକୁ ନାମିତ କରାଯାଇଛି । କୁହାଯାଏ କି, ସେ ହିଁ ଏହି ପୁସ୍ତକକୁ ୧୯୧୨ ମସିହାରେ କେଉଁଠୁ କିଣିଥିଲେ ; ଏଥିରେ ମଣିଷ୍ଠୁ ଆରମ୍ଭ କରି ବୃକ୍ଷଲତା , ପଶୁପକ୍ଷୀ ଯାଏଁ ଚ଼ିତ୍ର ଅଙ୍କିତ ଅଛି । କିନ୍ତୁ ଏଥିରେ ଏମିତି ବହୁ ଗଛଲତାର ଚ଼ିତ୍ର ମିଳେ , ଯାହାକି ପୃଥିବୀରେ କୌଣସି ଗଛଲତା ସହ ମେଳ ଖାଉନି । ଏହି ପୁସ୍ତକରେ ଆହୁରି ଅନେକ ପୃଷ୍ଠା ଥିଲା ଯାହା ଖରାପ ହୋଇଯାଇ ଏବେ ୨୪୦ ପୃଷ୍ଠା ମାତ୍ର ଅଛି । ଖାସ୍ କଥା କିଛି ଜଣାପଡ଼ି ନଥିଲେ ବି ଏହା ନିଶ୍ଚିତ ଯେ ଏଥିରେ ଲିଖିତ କିଛି ଲାଟିନ୍ ଓ ଜର୍ମାନ୍ ଭାଷା ରହିଛି । କିଛି ଲୋକମତାନୁସାରେ ଏହା ଏମିତି ଢ଼ଙ୍ଗରେ ଲିଖିତ , ସତେ ଯେପରି କିଛି ତଥ୍ୟ ଲୁଚ଼ାଯାଇଛି ; ହୁଏତ ଆଗାମୀ ସମୟରେ ଏହା ପଢ଼ା ଯାଇପାରେ ।
ଆଉ ଏକ ପୁସ୍ତକ ହେଉଛି "ସୈତାନର ବାଇବେଲ" ଯାହା ଚ଼ମଡ଼ା ପତ୍ରରେ ଲିଖିତ ; ନାମାନୁସାରେ ପୁସ୍ତକଟି ବି ସେହିପରି । ୧୬୦ ପୃଷ୍ଠା ସମ୍ବଳିତ ଏ ପୁସ୍ତକ ଓଜନରେ ୮୫ କି.ଗ୍ରା. ପାଖାପାଖି , ଯାହାକୁ ଉଠାଇବାକୁ ଅତି କମ୍ରେ ଦି' ଜଣ ଲୋକ ଦରକାର ହୋଇଥା'ନ୍ତି । ସୈତାନର ନିର୍ଦ୍ଦେଶରେ ଏହା ରଚ଼ିତ ବୋଲି କୁହା ଯାଉଥିବା ବେଳେ ଏ ପୁସ୍ତକ ପ୍ରତି ଲୋକମାନଙ୍କ ମନରେ ଭୟ ରହି ଆସିଛି । ଏହା ଏବେ ସ୍ବିଡ଼େନର ଗ୍ରନ୍ଥାଗାରରେ ସଂରକ୍ଷିତ ଅଛି ; ଏ ପୁସ୍ତକର ମଲାଟରେ ସୈତାନର ଛବି ରହିଛି ଏବଂ ଏହା ୮୯ ସେ.ମି. ଉଚ୍ଚ ଆଉ ୪୯ ସେ.ମି. ଚ଼ଉଡ଼ା । ଶୁଣାଯାଏ ଯେ ଯିଏ ବି ଏହାକୁ ଲେଖିଛନ୍ତି ସେ ଗୋଟିଏ ଦିନରେ ବହିର ସମସ୍ତ ୧୬୦ ପୃଷ୍ଠା ଲେଖିଛନ୍ତି । ବୈଜ୍ଞାନିକମାନେ ଏକଥାକୁ ବିଶ୍ବାସକୁ ନିଅନ୍ତିନି । ଏହି ପୁସ୍ତକର ପ୍ରାଚ଼ୀନତା ଓ ସେ କାଳର ଲିଖନ ଶୈଳୀ ଅନୁଧ୍ୟାନ କଲେ ଏହାକୁ ଗୋଟିଏ ଦିନରେ ଲେଖିବା ଅସମ୍ଭବ । କିଛି ଗବେଷକ ମତ ଦିଅନ୍ତି , ଯେଉଁ ପ୍ରଣାଳୀରେ ଏହା ରଚ଼ିତ ତାହା ଲେଖିବାକୁ ଲେଖକକୁ ଅନ୍ଯୁନ ୨୫ରୁ ୩୦ ବର୍ଷ ଲାଗିଥିବ । ଆଉ କିଛି ବୈଜ୍ଞାନିକ ଯେଉଁ ରହସ୍ୟ ସାମ୍ନାକୁ ଆଣିଛନ୍ତି , ବାସ୍ତବିକ ସେ ଆଶ୍ଚର୍ଯ୍ୟଜନକ । ବୈଜ୍ଞାନିକମାନେ କହିଛନ୍ତି ଏ ପୁସ୍ତକ ବିଷୟରେ ଯାହା ଶୁଣା ଯାଉଛି ଓ ଲୋକେ ଯାହା ବି କହୁଛନ୍ତି ତାହା ବାସ୍ତବିକ ସତ୍ୟ । କୌଣସି ବ୍ଯକ୍ତିକୁ ସୈତାନ ବଶ କରି ଗୋଟିଏ ଦିନରେ ପୂରା ବହି ଲେଖାଯାଇଛି ; କିନ୍ତୁ ସ୍ପଷ୍ଟ କରିପାରୁ ନାହାଁନ୍ତି ଏ କଥାକୁ କେହି । କେବେ କାହା ଦ୍ବାରା ଓ କାହିଁକି ସୈତାନ ଏହାକୁ ଲେଖିଥିଲା ପ୍ରମାଣ ମିଳିନି ।
ପୁରାତନ ଯୁଗରେ ସବୁକିଛି ରହସ୍ୟ ଥିବା ବେଳେ ରଚ଼ିତ ପୁସ୍ତକ ବି ରହସ୍ୟମୟ , ଏହା ବିସ୍ମୟଜନକ । ଏଠି ଧର୍ମ ରହସ୍ୟମୟ , ଯୁଗ ରହସ୍ଯମୟ , ବିଶ୍ବ ରହସ୍ୟମୟ ଏବଂ ରଚ଼ିତ ପୁସ୍ତକ ବି ରହସ୍ୟମୟ । ଏହି ରହସ୍ୟ ଭେଦ କରିବା ବେଳେ ବେଳେ ସମ୍ଭବ ହେଲେ ବି ବେଳେ ବେଳେ ଅତି ଜଟିଳକର ତଥା ଅସମ୍ଭବ ହୋଇପଡ଼ିଛି ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ -୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment