ସପ୍ତମାତୃକା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
"ମାତୃ" କହିଲେ ସାଧାରଣତଃ "ମାଆ" ଶବ୍ଦକୁ ବୁଝାଏ ; କିନ୍ତୁ ଏଠାରେ ଆମେ କିଛି ଦେବୀଙ୍କ କଥାବସ୍ତୁ ଉପରେ ଦୃଷ୍ଟି ନିବେଶ କରିବା । "ସପ୍ତମାତୃକା" ଉପରେ କିଛି କହିବା । ସପ୍ତମାତୃକା ହେଲେ - "ବ୍ରାହ୍ମୀ , ମାହେଶ୍ୱରୀ , ଐନ୍ଦ୍ରୀ , ବାରାହୀ , ବୈଷ୍ଣବୀ , କୌମାରୀ , ଚାମୁଣ୍ଡା" । କେହି କେହି ଅଷ୍ଟମାତୃକା ବୋଲି ମତ ଦିଅନ୍ତି ; "ନାରସିଂହୀ" ନାମଟି ଯୋଡ଼ା ଯାଇଥାଏ ଏମାନଙ୍କ ସହ । ଆଉ କିଛି ନାରସିଂହୀ ବଦଳରେ ଚର୍ଚ୍ଚିକା ନାମ ଯୋଡ଼ି ଥା'ନ୍ତି । ଶୁମ୍ଭ-ନିଶୁମ୍ଭ ନିଧନ ବେଳେ ଦେବୀ ଦୁର୍ଗାଙ୍କ ଠାରୁ ସପ୍ତମାତୃକାଙ୍କର ସୃଷ୍ଟି ବୋଲି ପୌରାଣିକ ମତ ରହିଛି । ନିର୍ଦ୍ଧିଷ୍ଟ ଦେବତାଙ୍କର ମାତୃରୂପ "ସପ୍ତମାତୃକା" । ବ୍ରାହ୍ମୀଙ୍କ ବାହନ ହଂସ ହୋଇଥିବା ବେଳେ ମାହେଶ୍ୱରୀଙ୍କର ବୃଷଭ , ଇନ୍ଦ୍ରାଣୀଙ୍କର ଗଜ (ଏ ଦେବୀ ବଜ୍ର ଧାରଣ ପୂର୍ବକ ସମର କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ) , ବାରାହୀଙ୍କର ମଇଁଷି (ରକ୍ତବୀର୍ଯ୍ୟ ବଧ ସମୟରେ ସେ ଦୁର୍ଗାଙ୍କ ଶରୀରରୁ ଆବିର୍ଭୁତା) , ବୈଷ୍ଣବୀଙ୍କର ଗରୁଡ଼ , କୌମାରୀଙ୍କର ମୟୂର (ଏ ଦେବୀ କାର୍ତ୍ତିକଙ୍କ ଶକ୍ତି ଧାରଣ ପୂର୍ବକ ମୟୂର ବାହନରେ ଯୁଦ୍ଧ କରିଥିଲେ) ଓ ଚାମୁଣ୍ଡା ହେଲେ ପ୍ରେତାସନା ; ତାଙ୍କ ପୟର ତଳେ ଏକ ପ୍ରେତ ବିଦ୍ଯମାନ ଅଛି । ଚଣ୍ଡ - ମୁଣ୍ଡର ସଂହାରିଣୀ ହେତୁ ସେ ଚାମୁଣ୍ଡା ଏବଂ ମାହେଶ୍ୱରୀ ଯିଏ ସେ ସର୍ବ ଉତ୍ତମ ତ୍ରିଶୂଳ ଧାରିଣୀ ତଥା ବାସୁକୀଙ୍କୁ ବଳୟ କରି କର କଙ୍କଣ ରୂପରେ ସପ୍ତମାତୃକା ମାନଙ୍କ ମଧ୍ୟେ ବିରାଜମାନ । ମତାନ୍ତରେ ନୃସିଂହଙ୍କ ପରି ଭୟଙ୍କର ମୂର୍ତ୍ତି ନାରସିଂହୀ ଅଟନ୍ତି । ଦକ୍ଷିଣ ଭାରତରେ "ସପ୍ତମାତୃକା" ପୂଜା କରାଯାଉଥିବା ବେଳେ ନେପାଳରେ "ଅଷ୍ଟମାତୃକା" ପୂଜା କରାଯାଏ ।
ହିନ୍ଦୁ ଧର୍ମର ଦେବୀ ପୂଜା ଓ ତନ୍ତ୍ରବିଦ୍ୟାରେ "ମାତୃକା" ମାନଙ୍କ ସ୍ଥିତି ଥାଏ ଅତି ଅଧିକ । ଶକ୍ତି ଧର୍ମରେ ସେମାନେ ଅସୁର ମାନଙ୍କ ସହ ରଣ କରିବା ବେଳେ ସାହାଯ୍ୟ କରୁଥିବାର ବର୍ଣ୍ଣିତ ଅଛି । କେତେକ ମତରେ ତାଙ୍କୁ ଶୈବ ଦେବୀ କହନ୍ତି । ଯୋଦ୍ଧା ମୁରୁଗାନ/ସ୍କନ୍ଦଙ୍କ ପୂଜାରେ ତାଙ୍କର ସମ୍ପର୍କ ଥାଏ । ଅନେକ ପୁରାଣରେ ମାତୃକା ମାନଙ୍କୁ ଅଶୁଭ ମନେ କରିବା ଥାଏ ଓ ତାଙ୍କୁ ବିପଦଜନକ ଭାବରେ ବର୍ଣ୍ଣନା କରାଯାଏ । ପରବର୍ତ୍ତୀ ପୁରାଣ ମାନଙ୍କରେ ସେମାନେ ରକ୍ଷାଦାତ୍ରୀ ହୋଇଥିବା ଉଲ୍ଲେଖ ଥିଲେ ବି ଅଶୁଭ ଓ ବନ୍ଯ ଚରିତ୍ର ଦେଖିବାକୁ ମିଳେ । ମାତୃକାମାନେ ଭୟଙ୍କର , ଅପହର୍ତ୍ତା , ଶିଶୁ ଖାଦକ , ଜ୍ବର , କ୍ଷୁଧା ଆଉ ରୋଗ ମାନଙ୍କର ଠାକୁରାଣୀ ; ଏ ସବୁରୁ ସୁରକ୍ଷାର୍ଥେ ପିଲାମାନେ ଯୁବାବସ୍ଥାରେ ଉପନୀତ ହେବା ପୂର୍ବରୁ ଏମାନଙ୍କୁ ପୂଜା କରନ୍ତି । ଏ ଦେବୀଙ୍କର ଉଭୟ ପ୍ରକୃତିର ଉର୍ବରତା ଓ ବିନିଷ୍ଟକାରୀ ବଳ ଥାଏ । "ବୃହତସଂହିତା"ରେ ବରାହମିହିରଙ୍କ ଦ୍ବାରା ଲିଖିତ - "ବିଭିନ୍ନ ଦେବୀଙ୍କ ନାମାନୁସାରେ ଦେବୀ ମାନଙ୍କ ଧ୍ୟାନ କରାଯାଏ ; ସେମାନେ ଦେବତାଙ୍କର ପତ୍ନୀ ବା ଶକ୍ତି ଭାବରେ ସଂଯୁକ୍ତ ହୋଇଥା'ନ୍ତି । ମୂଳତଃ ସେମାନେ ସାତ ତାରାଙ୍କର ଅବତାର ଭାବରେ ପରିଚିତ ଥିଲେ , କିନ୍ତୁ ସପ୍ତମ ଶତାବ୍ଦୀ ବେଳକୁ ଦେବୀ ଭାବରେ ଲୋକପ୍ରିୟ ହୋଇଗଲେ ।"
ଜଗଦୀଶ ନାରାୟଣ ତିୱାରୀ ଓ ଦ୍ବିଲ୍ଲୀପ ଚକ୍ରବର୍ତ୍ତୀଙ୍କ ମତାନୁସାରେ ବୈଦିକ ସଭ୍ଯତା ଓ ସିନ୍ଧୁ ଉପତ୍ଯକା ସଭ୍ଯତା ଦିନରୁ ମାତୃକା ପୂଜା ଥିଲା । ଋକ୍ବେଦ କହେ ସପ୍ତମାତୃକାମାନେ ସୋମ ପ୍ରସ୍ତୁତ କରନ୍ତି ; ମହାଭାରତର କେତେକ ଅଧ୍ଯାୟରେ ତାଙ୍କ ସମ୍ବନ୍ଧରେ ରହିଛି । ବିଶ୍ବାସ କରାଯାଏ ସେବେ ସ୍ଥାନୀୟ ଲୋକଗଣ ତାଙ୍କର ଅର୍ଚ୍ଚନା କରୁଥିଲେ । ଏହାର ଉଦାହରଣ ସ୍ବରୂପ ଜିମ୍ମର ହେନେରିଚଙ୍କ "ଦି ଆର୍ଟ ଅଫ ଇଣ୍ଡିଆନ ଏସିଆ" ବହିରେ ସାତ ମନ୍ଦିରରେ ସାତ ଦେବୀ ପୂଜା ପାଉଥିବା କଥା ଲିଲିଖ୍ଯ ରହିଅଛି । ପଞ୍ଚମ ଶତାବ୍ଦୀ ବେଳକୁ ଏସବୁ ଦେବୀ ମାନଙ୍କୁ ତାନ୍ତ୍ରିକ ଦେବୀ ଭାବେ ଗ୍ରହଣ କରା ଯାଇଥିଲା । "ଡେଭିଡ଼ କେନସ୍ଲେ"ଙ୍କ ମତନୁସାରେ ମାତୃକାମାନେ ଅଣଆର୍ଯ୍ଯ - ଅଣବ୍ରାହ୍ମଣ ଓ ସ୍ଥାନୀୟ ଗ୍ରାମୀଣ ଦେବୀ ହୋଇ ପାରନ୍ତି ଆଉ ପରେ ଏମାନଙ୍କୁ ମୂଳ ସ୍ରୋତରେ ସାମିଲ୍ କରାଯାଇଛି । ସେମାନଙ୍କର ରଙ୍ଗ କଳା , ଭାଷା ପୃଥକ ଓ ଅଣବ୍ରାହ୍ମଣ ସ୍କନ୍ଦଙ୍କ ସହ ମିଳାମିଶା ଥିବା କାରଣରୁ ଏପରି ମତର ପରିପ୍ରକାଶ । ବରାହ , ମତ୍ସ୍ଯ , ମାର୍କଣ୍ଡେୟ ଆଦି ପୁରାଣରେ ସପ୍ତମାତୃକା କଥା ଉଲିଖ୍ଯ ଅଛି ।
କେବଳ ଚାମୁଣ୍ଡାଙ୍କୁ ବାଦ ଦେଇ ଅନ୍ଯ ନାମ ଗୁଡ଼ିକ ଭଗବାନଙ୍କ କିଛି ନାମରୁ ଉଦ୍ଧୃତ ବୋଲି କହନ୍ତି ; ଯେମିତିକି , ବ୍ରହ୍ମା-ବ୍ରହ୍ମାଣୀ , କୁମାର-କୌମାରୀ , ବରାହ-ବରାହୀ , ନରସିଂହ-ନରସିଂହୀ । ସେମାନେ ରଣଦେବୀ ହେଲେ ବି ମୂର୍ତ୍ତି ସବୁ ଦେଖିଲେ ଜଣାଯାଏ ଶାନ୍ତ ଓ ଯତ୍ନବତୀ ସ୍ବଭାବର । ବ୍ରାହ୍ମଣୀ ଦେବୀକୁ ବ୍ରହ୍ମାଶକ୍ତି ସାବିତ୍ରୀ ରୂପେ ବି ଧାରଣା କରାଯାଏ । ବ୍ରହ୍ମାଙ୍କ ପରି ଏକପ୍ରକାର ରୂପ ; ଚତୁରାନନୀ ଓ ଚତୁଃଭୁଜ ଏବଂ କମଣ୍ଡଳୁ , ବେଦ , ଅକ୍ଷମାଳା ଧାରଣ ତଥା ବରଦ ମୁଦ୍ରା ପ୍ରଦର୍ଶନ କରିଛନ୍ତି । ତତ୍ସହିତ କ୍ରୋଡ଼େ ଶିଶୁ ସନ୍ତାନ ଧାରଣ କରି ମମତାମୟୀର ପରିଚୟ ସୃଷ୍ଟି କରିଛନ୍ତି । ଏହାଙ୍କର ସେମିତି ନିଜସ୍ୱ ସ୍ବତନ୍ତ୍ର ମନ୍ଦିର ନାହିଁ ; କିନ୍ତୁ ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ବର ନିକଟବର୍ତ୍ତୀ ପାରିଓରଡ଼ ନିକଟସ୍ଥ ଏକ ସ୍ଥାନରେ ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର ନିର୍ମାଣ ହୋଇଛି । ଏ ଦେବୀ ସପ୍ତମାତୃକା ଓ ଅଷ୍ଟମାତୃକା ସହ ପୂଜିତ । ଏ ଉପାସନା ଉତ୍କଳରେ କିଛି ନୂଆ କଥା ନୁହେଁ । ଯାଜପୁରର ଦଶାଶ୍ବମେଧ ଘାଟ ଠାରେ ଦେବୀ ବୃଦ୍ଧା ରୂପରେ ପୂଜିତା ଏବଂ ପୁରୀରେ ମାର୍କଣ୍ଡେଶ୍ୱରଙ୍କ ପାଖେ , ଏକାମ୍ରରେ ପରଶୁରାମେଶ୍ବର ଦେଉଳରେ ଓ କପାଳୀ ଦେବୀ ସାହିରେ ସେ ସପ୍ତମାତୃକା ମଧ୍ଯେ ପୂଜିତା । ହୀରାପୁର ଓ ରାଣୀପୁର ଝରିଆଲରେ ଚତୁଃଷଷ୍ଠୀ ଯୋଗ୍ନୀଗଣଙ୍କ ମଧ୍ଯେ ବ୍ରାହ୍ମଣୀ ଦେବୀଙ୍କର ସ୍ବତନ୍ତ୍ର ସ୍ଥାନ ରହିଛି ।
ମାହେଶ୍ୱରୀ ଚତୁର୍ଭୁଜା , ତ୍ରିନୟନା ଓ ଜଟାଜୁଟ ମଣ୍ଡିତା ତଥା ହସ୍ତରେ ଶୂଳ , ରୁଦ୍ରାକ୍ଷମାଳା ଧାରଣ ସହିତ ଅଭୟ ବରଦ ପ୍ରଦର୍ଶନ କରନ୍ତି । ସେ ଶିବ ପ୍ରିୟା ପାର୍ବତୀ ସ୍ବରୂପା ଅଟନ୍ତି । ଆଠମଲ୍ଲିକ ଠାରେ ତାଙ୍କର ଏକ ପ୍ରସିଦ୍ଧ ମନ୍ଦିର ସ୍ଥିତ ଏବଂ ସେ ଏକାଦଶ ଭୁଜା ରୂପରେ ଅର୍ଚ୍ଚିତା ; ମାହେଶ୍ୱରୀ ଅତ୍ର ବୀରତ୍ୱ , ଶକ୍ତି ଓ ବିଜୟର ପ୍ରତୀକ । ଯୋଗ୍ନୀଙ୍କ ମଧ୍ଯରେ ଏହାଙ୍କର ସ୍ବତନ୍ତ୍ର ସ୍ଥାନ । ଯାଜପୁରର ଦଶାଶ୍ବମେଧ ଘାଟରେ କମନୀୟ ରୂପେ ବିରାଜିତା । ଇନ୍ଦ୍ରାଣୀ ଚତୁର୍ଭୁଜା ; ଉପର କରଦ୍ବୟେ ବଜ୍ର ଓ ଅଙ୍କୁଶ ଏବଂ ଅଧଃକରେ ବରାଭୟ ମୁଦ୍ରା ପ୍ରଦର୍ଶନ । ଏହାଙ୍କୁ ଇନ୍ଦ୍ରନାରୀ ଶଚି ବୋଲି ଅଭିହିତ କରାଯାଏ । ତାଙ୍କୁ ଐନ୍ଦ୍ରୀଲା ଓ ମହେନ୍ଦ୍ରୀ କୁହାଯାଏ ; ପୁଲୋମାସୁରର କନ୍ଯା ହେତୁ ସେ ପୌଲୋମୀ ନାମରେ ବି ପୂଜିତା । ସେ ସୌନ୍ଦର୍ଯ୍ୟର ପ୍ରତୀକ ଓ ସୌନ୍ଦର୍ଯ୍ୟର ଦେବୀ । ଶ୍ରୀମନ୍ଦିରସ୍ଥ କଳ୍ପବଟ ବେଢ଼ାରେ ଏହାଙ୍କ ମନ୍ଦିର ପ୍ରାପ୍ତ ହେବ ଯେଉଁଠି ସେ ଦ୍ବିଭୁଜା ଓ ଐରାବତ ବାହନୀ ଅଟନ୍ତି । ଯୋଗିନୀଙ୍କ ମଧ୍ଯେ ବି ପ୍ରପୂଜ୍ଯା । ଓଡ଼ିଶା ରାଜ୍ଯ ସଂଗ୍ରହାଳୟରେ ଏହାଙ୍କର ଏକ କମନୀୟ ମୂର୍ତ୍ତି ସଂଗୃହୀତ ରହିଛି ।
ବରାହ ଭଗବାନଙ୍କ ପରି ବରାହୀଙ୍କର ସାତ୍ତ୍ୱିକ ରୂପ ଖୁବ୍ ବିରଳ । କରେ ଶଙ୍ଖ ଚକ୍ରାୟୁଧ ଥାଇ ମୂର୍ତ୍ତି କଦବା କ୍ବଚିତ୍ ଦୃଶ୍ଯମାନ । ଏହାଙ୍କୁ ତନ୍ତ୍ରମତେ ବହୁଳାର୍ଚ୍ଚନା କରାଯାଏ । ହସ୍ତରେ ମତ୍ସ୍ଯ ଆଉ ସୁରାପାତ୍ର ସହ କିଛି ସ୍ଥାନରେ ଜପାମାଳା ଓ ଅଭୟ ମୁଦ୍ରା ଧାରିଣୀ । ସ୍ଥାନ ବିଶେଷରେ ଦେବୀ ଦ୍ବିଭୁଜା ଓ ଚତୁର୍ଭୁଜା । ଜଟାକୃତି କେଶପାଶକୁ ରତ୍ନ କିରିଟ ଆହା କେଡ଼େ ମନୋଲୋଭା ସତେ ! ଦେବୀ ଲଳିତାସନରେ ସିଂହସନରେ ଆରୋହିତା । ବରାହୀ ତନ୍ତ୍ରରେ ଦେବୀଙ୍କର ସ୍ବପ୍ନ ବରାହୀ , ଚଣ୍ଡ ବରାହୀ , ମହି ବରାହୀ , ମତ୍ସ୍ଯ ବରାହୀ ନାମରେ ପାଞ୍ଚଟି ରୂପରେ ବର୍ଣ୍ଣିତ । ସନାତନ ଓ ବୌଦ୍ଧ ଉଭୟ ଧର୍ମରେ ସେ ପୂଜିତା । ବୌଦ୍ଧ ଧର୍ମରେ ସେ ମାରିଚୀଙ୍କ ସହଚରୀ ଭାବେ ପ୍ରସିଦ୍ଧ । କୋଣାର୍କର ଚୌରାଶୀ ଠାରେ ଏ ଦେବୀଙ୍କର ପ୍ରସିଦ୍ଧ ମନ୍ଦିର ଅଛି ଯାହା ନବମ ଶତାବ୍ଦୀର । ଏଠି ତ୍ରିନୟନା ; ଦେବୀ ଦକ୍ଷ କରେ ମତ୍ସ୍ଯ ଓ ବାମ କରେ ଖର୍ପର ଧାରିଣୀ । ଶ୍ରୀକ୍ଷେତ୍ରର ବାଲିସାହି ଠାରେ ଥିବା ବରାହୀ ମନ୍ଦିରରେ ଦେବୀ ଚତୁର୍ଭୁଜା ଏବଂ ଅତ୍ର ଆମିଷ ଭୋଗ ପ୍ରତ୍ଯହ ହୁଏ । ଦେବୀ ସୁଭଦ୍ରାଙ୍କ ରଥର ପାର୍ଶ୍ବଦେବୀ ଭାବେ ବିଦ୍ଯ ଏବଂ ଗୋପର ବୈଳାଶିବାଟି ଠାରେ ଗଙ୍ଗେଶ୍ବର ମନ୍ଦିରର ପାର୍ଶ୍ବଦେବୀ ରୂପେ ବିଦ୍ଯ । ଏକାମ୍ରର ତ୍ରିଭୁବନଦେବଙ୍କ ବେଢ଼ା ମଧ୍ଯେ ଥିବା ବରାହୀ ଦ୍ବିଭୁଜା ଏବଂ କୋଳରେ ଏକ ପୁତ୍ର ସନ୍ତାନ । ଚୌଷ୍ଠୀ ଯୋଗ୍ନୀ ମଧ୍ଯେ ସେ ପୂଜିତା । ସେ ଯାଜପୁରର ଦଶାଶ୍ବମେଧ ଘାଟରେ ସ୍ବତନ୍ତ୍ର ସ୍ଥାନାସୀନା । କଟକର ସାତଭାୟା , କେଉଁଝରର ବଞ୍ଚୁଅ , ବାଲେଶ୍ବରର ନରେନ୍ଦ୍ରପୁର ଠାରେ ଏହି ଦେବୀଙ୍କ ମନ୍ଦିର ଅଛି ଏବଂ ଧର୍ମଶାଳା , ଅଯୋଧ୍ୟା , ଦାନଗଣ୍ଡର , କିଷନପୁର , ପଡ଼ାଗଡ଼ି , କଣ୍ଟିଲୋ , ଗରୁଡ଼ପାଞ୍ଚ , ଚାଟେଶ୍ୱର , ଜଗତସିଂହପୁର ଜିଲ୍ଲାର ତରପୁର ଆଦି ସ୍ଥାନରୁ ଦେବୀଙ୍କର ବିଗ୍ରହ ମଧ୍ଯ ମିଳିଛି ।
ବିଷ୍ଣୁଙ୍କ ଓଜ , ତେଜ ଓ ଶକ୍ତି ଧାରିଣୀ ବୈଷ୍ଣବୀ ଚତୁର୍ଭୁଜା ; ଶଙ୍ଖ , ଚକ୍ର , ଗଦା , ପଦ୍ମ ଧାରିଣୀ ସେ । ସେ ମହାଲକ୍ଷ୍ମୀ ସ୍ବରୂପା ; ବିଷ୍ଣୁଙ୍କ ପରି ନୀଳ ଜୀମୂତ ବର୍ଣ୍ଣାଙ୍ଗ । ସପ୍ତମାତୃକା ଯେଉଁଠି ଅଛନ୍ତି ବୈଷ୍ଣବୀ ହିଁ ସେଇଠି ଥାଆନ୍ତି ଏବଂ ଚୌଷଠୀ ଯୋଗିନୀଙ୍କ ମଧ୍ଯେ ସେ ସ୍ଥାନିତା ଅଟନ୍ତି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟର ନାରାୟଣୀ ଗ୍ରାମରେ ସେ ଦଶଭୁଜା ରୂପେ ପୂଜା ପାଇ ଆସୁଛନ୍ତି । କୌମାରୀ ଦେବୀଙ୍କୁ କାର୍ତ୍ତିକଙ୍କ ପତ୍ନୀ ଷଷ୍ଠୀ ବା ଦେବସେନା ଭାବରେ ସ୍ତବଗାନ କରାଯାଏ । ଦେବୀଙ୍କ ଚାରୋଟି ପାଣିରେ ଭାଲ , ବର୍ଚ୍ଛା , ଅଭୟ ଓ ବରମୁଦ୍ରା ଦୃଶ୍ଯମାନ । ତ୍ରିଜଟା କିରିଟି ଶୋଭିତା ସିଏ । ସେ ଷଷ୍ଠୀ ନାମରେ ପ୍ରଚଳିତ । ଶିଶୁ ଜନ୍ମ ପରେ ଷଷ୍ଠୀ ରୂପେ ତାଙ୍କୁ ପୂଜା କରାଯାଏ ।
ଚାମୁଣ୍ଡାଙ୍କର ବହୁ ପ୍ରକାର ରୂପ ବର୍ଣ୍ଣନାର ପ୍ରମାଣ ଅଛି । କଙ୍କାଳସାର ଶରୀର ; ଗଳାରେ ମୁଣ୍ଡମାଳ ତଥା ହସ୍ତରେ ଖଡ୍ଗ , ପାନପତ୍ର , ଛେଦିତ ସୁରାନନ ଓ ଏକ କର ଶବାସନ ଉପରେ ଥାଏ । ଅନ୍ଯ ଏକ ରୂପନୁସାରେ ଖଡ୍ଗ , ଶୂଳ , କପାଳର ପାନପତ୍ର , ଛେଦିତାସ୍ଯ , ଖଟ୍ବାଙ୍ଗ , ବଜ୍ର , କଟାରୀ , ଡମରୁକ , ଅକ୍ଷମାଳା ସହ ଏକ କରର କାଣି ଅଙ୍ଗୁଳି ଦନ୍ତ ସହ ସଂଲଗ୍ନ । ଏହାକୁ ଦନ୍ତଲଗ୍ନ କନିଷ୍ଠିକା ବା ଚର୍ଚ୍ଚିକା ବିଗ୍ରହ କହନ୍ତି ; ଏହା ସର୍ବଦା ପ୍ରଶାନ୍ତ ମୂର୍ତ୍ତି । ସେ କେଉଁଠି ଦ୍ବିଭୁଜା , କେଉଁଠି ଚତୁର୍ଭୁଜା , ଷଡ଼ଭୁଜା ଓ ଦଶଭୁଜା ; ସେ ତ୍ରିଶକ୍ତି ସ୍ବରୂପା । ଗୋଟିଏ ରୂପରେ ମହାଲକ୍ଷ୍ମୀ , ମହାକାଳୀ ଓ ମହାସରସ୍ୱତୀ ରୂପେ ସନ୍ନିହିତ । ଦୁର୍ଗାଙ୍କ ସେନାପତି ହେଉଛନ୍ତି ଚାମୁଣ୍ଡା ; ତେଣୁ ଦୁର୍ଗାଙ୍କ ଶରଣାଗତ ସକଳ ଭକ୍ତଙ୍କ ସୁରକ୍ଷା ଏହି ଦେବୀଙ୍କ ହାତରେ ନ୍ଯସ୍ତ । ଲିଙ୍ଗରାଜଙ୍କ ଅଷ୍ଟଚଣ୍ଡୀ ମଧ୍ଯେ ତିନି ମୁଣ୍ଡିଆ ଦେଉଳର କପାଳୀ ଆଉ ବିନ୍ଦୁସାଗର ତଟସ୍ଥ ମୋହିନୀ ଦେବୀ ସାକ୍ଷାତ ଚାମୁଣ୍ଡା ମୂର୍ତ୍ତି ଏବଂ ଲିଙ୍ଗରାଜ ବେଢ଼ାର ଉତ୍ତର ପାର୍ଶ୍ବରେ ସ୍ଥିତ ଚିତ୍ରକାରିଣୀ ବି ଚାମୁଣ୍ଡା ।
ଗଜପତି ମହାରାଜାଙ୍କ ଇଷ୍ଟଦେବୀ ପୁରୀର ଚର୍ଚ୍ଚିକା ବି ଚାମୁଣ୍ଡା ମୂର୍ତ୍ତି ଯା'ର ରୋଷଘର ଅଗ୍ନି ରକ୍ଷା କରିବାର ଦାୟିତ୍ବ । ଅନେକ ସ୍ଥାନେ ପାର୍ଶ୍ବଦେବୀ ଭାବେ ଚାମୁଣ୍ଡା ବିଦ୍ଯମାନ । ବାଙ୍କୀଗଡ଼ର ରେଣୁକା ନଦୀ ତୀରରେ ରୁଚିକ ପର୍ବତ ଉପରେ ବାଙ୍କୀର ଇଷ୍ଟଦେବୀ ଚର୍ଚ୍ଚିକା ବି ସାକ୍ଷାତ ଚାମୁଣ୍ଡା ବିଗ୍ରହ ଅଟନ୍ତି । ମୟୂରଭଞ୍ଜର ଇଷ୍ଟ ତଥା ମହାଭାରତ ସମୟର କୀଚକ ରାଜାଙ୍କ ଇଷ୍ଟଦେବୀ କୀଚକେଶ୍ବରୀ ବି ଦଶଭୁଜା ସ୍ବରୂପେ ଚାମୁଣ୍ଡା ଅଟନ୍ତି ।
ତେଣୁ ସପ୍ତମାତୃକା ପୂଜା ଉତ୍କଳରେ ବହୁଳ ପ୍ରସାରୀ ଅଟେ । ତାଙ୍କର ପୂଜାଧ୍ବଜାର ସ୍ବତନ୍ତ୍ର ସ୍ଥାନ ରହିଛି । ପ୍ରାୟ ଶକ୍ତି ପୂଜାରେ ସପ୍ତମାତୃକା ପୂଜା ବିଶେଷ ଫଳପ୍ରଦ ଓ ସିଦ୍ଧିଦାୟକ ଅଟେ ।
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment