ବୈଦିକ ଯୁଗରୁ ଅଛି ବିଜ୍ଞାନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

     ବିଜ୍ଞାନ ଅର୍ଥ ବିଶେଷ ଜ୍ଞାନ , ଅର୍ଥାତ୍‌ କିଛି ଶିଖିବା ଶୈଳୀକୁ ବୁଝାଇଥାଏ । ବିଜ୍ଞାନ ଏକ ସୁବ୍ଯବସ୍ଥିତ ପ୍ରଣାଳୀ ଯାହାଦ୍ୱାରା ବିଶ୍ବର ସମସ୍ତ ପଦାର୍ଥ ଓ ବସ୍ତୁ ମାନଙ୍କ ବିଷୟରେ ଆଲୋଚ଼ନା , ପରୀକ୍ଷା , ଗବେଷଣା , ପଠନ , ଅନୁମାନ କରାଯାଇଥାଏ । ଆଧୁନିକ ଯୁଗରେ ନୁହେଁ , ପୁରାତନ ଯୁଗରୁ ଏହା ରହିଛି । ଏହାର ଇଂରାଜୀ ନାମ science ଯାହା ଲାଟିନ୍‌ ଶବ୍ଦ scientiaରୁ ଆନୀତ ; scientiaର ଅର୍ଥ ଜ୍ଞାନ । ବିଶ୍ବର ଏକ ଜ୍ଞାନକୁ ଉପଯୁକ୍ତ ପରଖା ଯାଇ ପାରୁଥିବା ଏକ ବୈଜ୍ଞାନିକ ସିଦ୍ଧାନ୍ତ ଓ ଅନୁମାନ ସହ ପ୍ରମାଣ କରାଯାଇ ପାରୁଥିବା ବ୍ଯବସ୍ଥା ବିଜ୍ଞାନ । ଶିକ୍ଷା ଦୃଷ୍ଟିକୋଣରୁ ଏହା ଭୌତିକ ବିଜ୍ଞାନ , ରସାୟନ ବିଜ୍ଞାନ , ଉଦ୍ଭିଦ ବିଜ୍ଞାନ , ପ୍ରାଣୀ ବିଜ୍ଞାନ , ଗାଣିତିକ ବିଜ୍ଞାନ , ମନୋବିଜ୍ଞାନ , ସାମାଜିକ ବିଜ୍ଞାନ ଆଦି ନାମରେ ବିଭିନ୍ନ ପ୍ରକାରର ଥାଏ । ବିଜ୍ଞାନର ଏକ ଶାଖା "ବୈଷୟିକ ଜ୍ଞାନ" । ଏହା ପ୍ରୟୋଗାତ୍ମକ ଦିଗକୁ ସୂଚ଼ାଇ ଥାଏ । ବିଭିନ୍ନ ଯନ୍ତ୍ର , ଉପକରଣ , ଆକୃତି , ସିଷ୍ଟମ , ପଦାର୍ଥର ଗଠନ , ମରାମତି ଆଦି ପାଇଁ ବୈଜ୍ଞାନିକ , ଅର୍ଥନୈତିକ , ସାମାଜିକ , ପ୍ରୟୋଗାତ୍ମକ ଜ୍ଞାନକୌଶଳର ବ୍ଯବହାରକୁ ବୈଷୟିକ ଜ୍ଞାନ ବା ଇଞ୍ଜିନିୟରିଂ କୁହାଯାଏ । ବିଜ୍ଞାନକୁ ନେଇ ଉପେନ୍ଦ୍ର "ବୈଦେହୀଶ ବିଳାସ"ରେ ଲେଖିଥିଲେ ଯେ - "ବାମ ବଚ଼ନ ଶୁଣି , ବିଜ୍ଞାନ ସେ ଜ୍ଞାନ କହେ ବାଣୀ ।" 

     ଆମେ ଆଖି ଖୋଲିଲେ ଆମ ଆଖିରେ ଅନେକ ଜିନିଷ ପଡ଼େ । ସବୁ ପଦାର୍ଥ ଏକା ପରି ନୁହଁନ୍ତି ; ବିଭିନ୍ନ ଆକାରର , ବିଭିନ୍ନ ରଙ୍ଗ ଆଦି ସହ ଆକାର ପ୍ରକାରରେ ଭିନ୍ନତା । ଏସବୁରେ ଥିବା କାରଣ ବିଷୟରେ ଯଦି ଅନୁଧ୍ୟାନ କରିବା ତେବେ ସର୍ବତ୍ର ମିଳିବ ବିଜ୍ଞାନର ସ୍ବାକ୍ଷର । ପଦାର୍ଥ ବା ବସ୍ତୁରେ ଥିବା ସବୁ କାହିଁକିର ଉତ୍ତର ବିଜ୍ଞାନରୁ ଅନୁଧ୍ୟାନ କରିହୁଏ । ଏସବୁ କାହିଁକି ପଦାର୍ଥ ବିଜ୍ଞାନ । ଏହିପରି ବିଭିନ୍ନ ପ୍ରକାରର ବିଜ୍ଞାନ ଅଛି ଯାହା ମଣିଷକୁ ସମସ୍ତ ବାସ୍ତବତାର ସୂଚ଼ନା ଦିଏ । ୧୯୯୯ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ମାର୍ଟିନ୍‌ସ୍‌ ଜେ.ଜି. ଭେଲମ୍ଯାନ୍‌ଙ୍କ ମତରେ - "ବିଜ୍ଞାନ ଓ ଆଧ୍ଯାତ୍ମିକତା ମଧ୍ୟେ ସେତୁବନ୍ଧଟେ ତିଆରି କରିବା ସଙ୍ଗତି ଓ ଅସଙ୍ଗତି ମଧ୍ଯେ ତାହା କଲା ପରି ମନେ ହୋଇପାରେ , କିନ୍ତୁ ବିଜ୍ଞାନକୁ ସମାଜର ଗରିଷ୍ଠ ସାଧାରଣଙ୍କ ପାଖରେ ପହଞ୍ଚାଇବା ଏବଂ ତା'ଠାରେ ଅତ୍ଯାବଶ୍ଯକୀୟ ବୈଜ୍ଞାନିକ ମନୋଭାବର ସଞ୍ଚାର କରିବାର ଏହା ଏକ ନିର୍ଭରଯୋଗ୍ୟ ତଥା ସବୁଠୁ ସହଜସାଧ୍ୟ ମାର୍ଗ ।"

    ବିଜ୍ଞାନ ମତରେ କୌଣସି ଧର୍ମ , ବିଜ୍ଞାନ ରହିତ ନୁହେଁ । ପୁରାଣନୁସାରେ ବ୍ରହ୍ମାଣ୍ଡରେ ତିନି ପୁର ସ୍ବର୍ଗ , ମର୍ତ୍ତ୍ୟ , ପାତାଳ ଅଛି ଏବଂ ସ୍ବର୍ଗରେ ଦେବତା , ମର୍ତ୍ତ୍ୟରେ ମାନବ ଓ ପାତାଳରେ ଦାନବ ବାସ କରନ୍ତି । ଦେବତା ଓ ଦାନବ ପରେ ମାନବ ସହିତ ଅନ୍ଯ ସମସ୍ତ ଜୀବଜଗତର ଉଦ୍ଭବ ଏବଂ ଏବୁ ସୃଷ୍ଟିର କାରଣ ପଛରେ ଆଦ୍ଯାଶକ୍ତି ବା ଆଦିମାତା ଅଛନ୍ତି ବୋଲି ଆଧ୍ଯାତ୍ମିକ ଅନ୍ବେଷଣରୁ ଜଣାପଡେ । କିଛି ପୁରାଣ କହେ ଆଦିମାତା ମାନବ ଓ ଅନ୍ଯାନ୍ଯ ପ୍ରାଣୀ ଶିବଙ୍କ ସହଯୋଗରେ ମୈଥୁନରୁ ସୃଷ୍ଟି କଲେ । ଦେବତାମାନେ ନପୁଂଷକ ହେତୁ ମୈଥୁନର ବଂଶ ବିସ୍ତାର କରିପାରି ନଥା'ନ୍ତି ; ଦାନବମାନେ ନିଜସ୍ବ କାରଣରୁ ବଂଶ ବିସ୍ତାର କରିଥା'ନ୍ତି । ଏସବୁର ମୂଳରେ ଆଦ୍ଯାଶକ୍ତି ଅଛନ୍ତି ବୋଲି ଶାସ୍ତ୍ର ବଖାଣେ । ବିଜ୍ଞାନ ଏସବୁକୁ ବିଶ୍ୱାସ ନକଲେ ବି କୌଣସି ଏକ ଅଦୃଶ୍ୟ ଶକ୍ତିର ପ୍ରଭାବରେ ଜୀବନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭାବେ । ହିନ୍ଦୁ ଶାସ୍ତ୍ରରେ ନାଗ ପୂଜା ଏକ ପୁରୁଣା ରୀତି । ଜନବିଶ୍ବାସନୁସାରେ ଯେଉଁ ବ୍ଯକ୍ତି ନାଗମଣି ପାଇଯିବ ସେ ଦୁନିଆର ସବୁଠୁ ଶକ୍ତିଶାଳୀ ହୋଇଯିବ ଆଉ ଅମାପ ସମ୍ପଦ ପ୍ରାପ୍ତ କରିବ ; ଅଚ଼ାନକ ଭାଗ୍ଯରେ ପରିବର୍ତ୍ତନ ଘଟିବ । କାହାର ଏକଥା ବିଶ୍ବାସ ତ କାହାର ବିଶ୍ବାସ ନାହିଁ । ବିଜ୍ଞାନ କହୁଛି ନାଗମଣି ବୋଲି କିଛି ନଥାଏ , ତେଣୁ ଲୋକେ ଏହାକୁ ବିଶ୍ବାସ କରିବା କଥା ନୁହେଁ । ବୈଜ୍ଞାନିକମାନେ କହନ୍ତି - "ଯେମିତି ଧ୍ୟାନ ବଳରେ ନିଜର କୁଣ୍ଡଳିନୀ ଜାଗ୍ରତ କରିପାରେ ଆଉ ନିଜ ଇନ୍ଦ୍ରିୟ ମାନଙ୍କ ଉପରେ କାବୁ ରଖିପାରେ , କିନ୍ତୁ ବିଶ୍ବର ଶକ୍ତିଶାଳୀ ବ୍ଯକ୍ତି କେବେ ମଧ୍ଯ ହୋଇପାରିବେନି । ଠିକ୍‌ ସେମିତି ନାଗମଣି ବୋଲି କିଛି ଜିନିଷ ନାହିଁ ।" ପୁରାଣ ଯୁଗର ଲୋକ କହନ୍ତି ନାଗମଣି ଅଛି । ଏବେ ବି ମାଲେସିଆ ଓ ଇଣ୍ଡୋନେସିଆର ସାପ ମାନଙ୍କ ପାଖରୁ ମିଳୁଛି । ନାଗମଣି ସର୍ପ ମୁଖରେ ଥାଏ ଏବଂ ଯେବେ ମୁହଁରୁ ବାହାରେ ସେବେ ପ୍ରବଳ ଆଲୋକ ଦେଖାଦେଇ ସବୁକିଛି ଚ଼ମକି ଥାଏ । ତେବେ ଏ ଏକ ରହସ୍ୟ ହୋଇ ରହିଛି । 

ବୈଦିକ ମତରେ ଶଙ୍ଖ ବାଦନ ଅତ୍ଯନ୍ତ ଶୁଭ ; ହିନ୍ଦୁ ପୂଜା ପଦ୍ଧତିରେ ଶଙ୍ଖର ବ୍ଯବହାର ରହିଛି । ହିନ୍ଦୁ ଶାସ୍ତ୍ରାନୁସାରେ ଶଙ୍ଖରେ ଜଳ ରଖିବା ଏବଂ ଶଙ୍ଖ ବାଦନ କରିବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ । ଠିକ୍‌ କଥା , ଏହି ବାତାବରଣ ଶୁଦ୍ଧ ହେବା କଥା ବିଜ୍ଞାନ ବି ବିଶ୍ବାସ କରେ । ଶଙ୍ଖ ବାଦନ କଲେ ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ରାନୁସାରେ ଶଙ୍ଖ ବାଦନ ସ୍ବାସ୍ଥ୍ୟ ପାଇଁ ଭଲ ; ହୃଦୟ ସମ୍ବନ୍ଧିତ ରୋଗ ହୋଇନଥାଏ । ବିଜ୍ଞାନ ମତ ଦିଏ ଯେ , ଶଙ୍ଖ ବଜାଇଲେ ଆଖପାଖରେ ଥିବା ସମସ୍ତ ଜୀବାଣୁ ଏବଂ ଭୂତାଣୁ ବିନିଷ୍ଟ ହୁଅନ୍ତି । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚ଼ାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ପ୍ରଦାନ ପୂର୍ବକ କହିଛନ୍ତି - "ବୈଜ୍ଞାନିକମାନେ ବେଦ ଓ ପୁରାଣ ଅନୁଧ୍ୟାନ କରିବା ଉଚ଼ିତ । କାରଣ ଚ଼ନ୍ଦ୍ର ଓ ମହାକାଶ ବିଜ୍ଞାନ ଉପରେ ବେଦ ଓ ପୁରାଣରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି । ଚ଼ନ୍ଦ୍ରକୁ ନେଇ ବିଷ୍ଣୁ ପୁରାଣ , ବାୟୁ ପୁରାଣ ଏବଂ ବେଦ ଆଦିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ଉଲ୍ଲେଖ ରହିଛି । ବୈଦିକ ଶାସ୍ତ୍ରରେ ପୃଥିବୀଠୁ ଚ଼ନ୍ଦ୍ରର ଦୂରତା , ଚ଼ନ୍ଦ୍ରର ପରିଧିକୁ ଆକଳନ କରାଯାଇଛି । ପ୍ରାଚ଼ୀନ ଯୁଗରେ ମହାକାଶ ବିଜ୍ଞାନ ବହୁ ଅଗ୍ରଗାମୀ ହୋଇଥିଲା ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣିତ ଅଛି ।" କୁହାଯାଉଛି ଚ଼ନ୍ଦ୍ରଯାନ - ୨ ମିଶନରେ ଶଙ୍କରାଚାର୍ଯ୍ୟଙ୍କର ଅବଦାନ ରହିଛି । ତାଙ୍କ ଠାରୁ ବୈଦିକ ଗାଣିତିକ ସୂତ୍ର ନେଇ "ଇସ୍ରୋ" କାର୍ଯ୍ୟରେ ଲଗାଇଥିଲା । ମିଶନ ପୂର୍ବରୁ ଇସ୍ରୋ ବୈଜ୍ଞାନିକ ମାନଙ୍କୁ ଶଙ୍କରାଚାର୍ଯ୍ୟ ଅନେକ ଦିଗ୍‌ଦର୍ଶନ ଦେଇଥିବାର କୁହାଯାଏ । ଏଥି ସହ ଚ଼ନ୍ଦ୍ରଯାନ ମହାକାଶକୁ ଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ବୟଂ ଶ୍ରୀହରିକୋଟା ସ୍ଥିତ ପ୍ରୟୋଗଶାଳା ପରିଦର୍ଶନରେ ଯାଇଥିବା କୁହାଯାଉଛି । ଏଥିରୁ ଜଣାପଡୁଛି କିଛି ମାତ୍ରାରେ ଆଧ୍ଯାତ୍ମିକତା ସହ କେଉଁଠି ନା କେଉଁଠି ବିଜ୍ଞାନର ସମ୍ବନ୍ଧ ରହିଛି । ରାମାୟଣ ଓ ମହାଭାରତ ସମୟରେ ବ୍ଯବହୃତ ଅଗ୍ନିବାଣ ଯାହା ଉପରକୁ ଛାଡୁଥିଲେ ସେ ଜଳିପୋଡ଼ି ପାଉଁଶ ହୋଇଯାଉଥିଲା । ଆଜିର କ୍ଷେପଣାସ୍ତ୍ର ଯେଉଁଠାକୁ ଲକ୍ଷ୍ଯ କରି ଛଡ଼ା ଯାଉଛି ସେଠି ସବୁକିଛି ଧ୍ବଂସ । ସେ ସମୟରେ ବ୍ରହ୍ମାସ୍ତ୍ର ଆଜିକାଲିର ରାସାୟନିକ ଅସ୍ତ୍ର ଅଟେ । 

       ସେ ସମୟର ବ୍ରହ୍ମାସ୍ତ୍ର ଛାଡ଼ିବା ଯେମିତି ବର୍ଜିତ ଥିଲା , ସେପରି ଆଜି ବି ରାସାୟନିକ କ୍ଷେପଣାସ୍ତ୍ର ଛାଡ଼ିବା ବର୍ଜିତ ଅଛି । ସେ କାଳର ବିଜ୍ଞାନ ଆଜିର ବିଜ୍ଞାନ ଠାରୁ କୌଣସି ଗୁଣରେ କମ୍‌ ନୁହେଁ । ପୌରାଣିକ ମତରେ ରାତିରେ କିଛି କାର୍ଯ୍ଯ କରିବାକୁ ବାରଣ କରାଯାଇଛି ଯାହା ବିଜ୍ଞାନ ବି ସମ୍ମତି ପ୍ରଦାନ କରିଛି । ଘର ଝଡ଼ା ପୋଛା , ଲୁଗା ସଫା ଆଦି କାର୍ଯ୍ୟ ରାତିରେ କରିବା ପାଇଁ ବାରଣ ଅଛି । ରାତିରେ ଏସବୁ କଲେ ଶର୍ଦ୍ଦି ହେବାର ଆଶଙ୍କା ରହିଛି ଏବଂ ଘର ଝଡ଼ାଝଡ଼ି କଲେ ଯେଉଁ ଧୂଳି ଗୁଡ଼ିକ ଆମ ଅଜ୍ଞାତରେ ନାକ କାନରେ ପଶେ ସେଗୁଡ଼ିକ ରାତ୍ରି ବିଶ୍ରାମ ସମୟେ ଜମାଟ ବାନ୍ଧି ଯା'ନ୍ତି ; ତେଣୁ ତାହା ଶରୀର ପ୍ରତି କ୍ଷତିକାରକ । ଲକ୍ଷ୍ମୀ ପୁରାଣରେ ଅଛି ରାତିରେ ତେଲ ଲଗାଇଲେ ଘର ଲକ୍ଷ୍ମୀ ଛାଡ଼ିଯାଆନ୍ତି ; କିନ୍ତୁ ବିଜ୍ଞାନନୁସାରେ ରାତିରେ ତେଲ ଲଗାଇଲେ କେଶ ଝଡ଼େ । କାରଣ ତକିଆରେ ଥିବା ଅଦୃଶ୍ୟ ଧୂଳିକଣା କେଶରେ ଲାଗିଥିବା ତୈଳକୁ ଟାଣି ଧରିବା ଦ୍ବାରା କେଶ ମୂଳରେ ଧୂଳି ଜମି ଶିଘ୍ର କେଶ ଝଡ଼େ । ରାତିରେ ଶାଗ , କାକୁଡ଼ି , ଭାତ , କୌଣସି ପ୍ରକାର ଗରିଷ୍ଠ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି । କାରଣ ଏହା ଠିକ୍‌ ଭାବେ ହଜମ ନହୋଇ ରୋଗ ସୃଷ୍ଟି କରେ । ଜଣାପଡ଼େ ଆଧ୍ଯାତ୍ମିକ ବିଚ଼ାର ସହିତ ବିଜ୍ଞାନର ବିଚ଼ାର କିଛି କ୍ଷେତ୍ରରେ ମେଳ ଖାଇଯାଏ । 
       ହିନ୍ଦୁ ଧର୍ମ ଏକ ବିଶ୍ବାସର ଧର୍ମ , ଅନ୍ଧବିଶ୍ୱାସ ନୁହେଁ ; ଏହାର ସମସ୍ତ ପଦ୍ଧତି ବୈଜ୍ଞାନିକ ବିଚ଼ାର ହୋଇଥାଏ । ମଣିଷ ଯାହା ଠାରୁ ଉପକାର ପାଏ ତାକୁ ଦେବତା କହି ପୂଜା କରେ । ସୂର୍ଯ୍ଯାଦି ନକ୍ଷତ୍ରଗଣ , ପ୍ରକୃତି , ବୃକ୍ଷଲତା , ପଶୁପକ୍ଷୀ ଇତ୍ୟାଦିଙ୍କୁ ଦେବତା ମନେକରି ପୂଜା କରେ । ସୂର୍ଯ୍ଯ ସକଳ ଶକ୍ତିର ଆଧାର । ମଣିଷ ଏହି ସୂର୍ଯ୍ଯ ଠାରୁ ତାପ ପ୍ରାପ୍ତ କଲା ଯାହା ଖାଦ୍ୟ ପ୍ରସ୍ତୁତିର ମୂଳ ଏବଂ ସୂର୍ଯ୍ୟାଲୋକ ପାଇଲା ଯାହା ପୃଥିବୀ ପୃଷ୍ଠରେ ସବୁଜ ବଳୟ ବା ଗଛଲତା ସୃଷ୍ଟିର ମୂଳ ; ଏହା ସ ଋତୁ ପରିବର୍ତ୍ତନରେ ସହାୟକ ହୋଇ ଧରାଧାମର ସନ୍ତୁଳନ ରକ୍ଷକ ଏହି ସୂର୍ଯ୍ଯ । ଏହିପରି ବହୁ କାର୍ଯ୍ୟ ସୂର୍ଯ୍ଯ ଦ୍ବାରା ସମ୍ପାଦିତ ହେଉଛି । ଏସବୁକୁ ଲକ୍ଷ୍ଯ କରି ଲୋକେ ସେ ସମୟରେ ସୂର୍ଯ୍ୟପୂଜା କରୁଥିଲେ । ବିଶେଷ କରି ଶାମ୍ବ ଦଶମୀରେ ଏହି ସୂର୍ଯ୍ଯପୂଜା ନିଆରା ଢ଼ଙ୍ଗରେ ପାଳନ କରାଯାଏ । ସେହିପରି ବୃକ୍ଷଲତା ମଣିଷକୁ ଖାଦ୍ଯ , ବସ୍ତ୍ର ଓ ବାସଗୃହ ଅଭାବତ୍ବରୁ ଦୂରେଇବା ସହ ଛାୟା ପ୍ରଦାନ କରେ ଏବଂ ଜୀବଜଗତର ପ୍ରାଣ ରକ୍ଷାର୍ଥେ ଅମ୍ଳଜାନ ଯୋଗାଏ । ପରିବେଶର ସନ୍ତୁଳନ ରକ୍ଷା କରେ । ପାଣିପାଗ ଠିକ୍‌ ରଖେ । ସେ ଦୃଷ୍ଟିରୁ ବୃକ୍ଷଲତାଙ୍କୁ ପୂଜା କରେ । 

     ଗାଈକୁ ମାଆର ସମ୍ବୋଧନ କରି ମଣିଷ ପୂଜା କରେ । ଗୋ'ମାତା ପୂଜା କାହିଁ କେଉଁ କାଳରୁ ପ୍ରଚ଼ଳିତ । ଏହି ଗୋ' ଶବ୍ଦର ଅନେକ ଯଥାର୍ଥ ଅଛି । ଗୋ'ର ଅର୍ଥ ଯଥା - ଗୋରୁବଂଶ , ପୃଥିବୀ , ଦିଗ , ବାଣୀ , ଇନ୍ଦ୍ରିୟ  , ଦୃଷ୍ଟି , କିରଣ , ଜଳ , ଚ଼ନ୍ଦ୍ର ଏହିପରି ଅନେକ । ଗୋ' ମହିମାର ଅନ୍ତ ନାହିଁ । ଭାରତୀୟ ଧର୍ମଶାସ୍ତ୍ର ଅନୁସାରେ ବୈଦିକ କାଳରୁ ମୁନିଋଷିଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏଁ ସର୍ବେ ନିଜ ଭରଣ ପୋଷଣାର୍ଥେ ମୁଖ୍ଯତଃ କୃଷି ଓ ଗୋ' ପାଳନ ଉପରେ ନିର୍ଭର କରୁଥିଲେ । ଗାଈ ଠାରୁ ଦୁଗ୍ଧ ମିଳେ ଯାହା ଶରୀରର ପୋଷକ ତତ୍ତ୍ବ ; ଅନେକ ଔଷଧିୟ ଗୁଣରେ ପୂର୍ଣ୍ଣ ଏ ଦୁଗ୍ଧ ଶରୀର ପାଇଁ ବହୁତ ଉପକାରୀ ଅଟେ । ଦୁଗ୍ଧରୁ ଦଧି , ଘୃତ , ଲବଣୀ ଆଦି ଉପାଦେୟ ଖାଦ୍ଯ ପଦାର୍ଥ ପ୍ରାପ୍ତ ହୁଏ । ବଳଦ ଚ଼ାଷ ଓ ପରିବହନ କାର୍ଯ୍ୟ କରେ । ଦୁଗ୍ଧ , ଦଧି , ଘୃତ , ମଧୁ ଓ ଶର୍କରାରେ ପ୍ରସ୍ତୁତ ପଞ୍ଚାମୃତ ଏବଂ ଦୁଗ୍ଧ , ଦଧି , ଘୃତ , ଗୋମୂତ୍ର ଆଉ ଗୋମୟରେ ପ୍ରସ୍ତୁତ ପଞ୍ଚଗବ୍ୟ ଉପାସନାଦି କାର୍ଯ୍ୟରେ ଲାଗେ । ଏହି ପଞ୍ଚାମୃତ ଓ ପଞ୍ଚଗବ୍ୟ ଶରୀର ପାଇଁ ବି ବେଶ୍‌ ଉପାଦେୟ ଅଟେ । ଗାଈ ଗୋବରରୁ ଘସି ପାରି ଇନ୍ଧନ ଭାବରେ ବ୍ଯବହାର କରି ପାକ ପ୍ରସ୍ତୁତ କରାଯାଏ ଏବଂ ଘୃତରେ ଯଜ୍ଞାଦି କର୍ମ କରାଯାଏ , ଯାହା ପରିବେଶ ପ୍ରଦୂଷଣ କରେନାହିଁ । ଗୋବର ଓ ଗୋମୂତ୍ର ବି କ୍ଷେତ ବା ଉଦ୍ଭିଦ ପାଇଁ ବେଶ୍‌ ଉପକାରୀ । ଅଧୁନା ଯୁଗରେ ଏହି ଗୋବରକୁ ନେଇ"ଗୋବର ଗ୍ଯାସ୍‌ ପ୍ଲାଣ୍ଟ୍‌" ଜରିଆରେ ବିଦ୍ଯୁତ୍‌ ଉତ୍ପନ୍ନ ବି କରାଯାଉଛି । ଏତେ ସବୁ ଉପକାର ପାଇଁ ତାକୁ ମାତୃଶ୍ରେଣୀୟ ବିବେଚ଼ନା କରି ହିନ୍ଦୁ ଧର୍ମରେ ପୂଜା କରାଯାଉଛି । 

    ଋକ୍‌ବେଦ କହେ -
              "ମାତା ରୁଦ୍ରାଣାଂ ଦୁହିତା ବସୁନାଂ ।
                ସ୍ବସାଦିତ୍ଯାନାମମୃତସ୍ଯ ନାଭି ।"
ଅର୍ଥାତ୍‌ ଗୋ'ମାତା ଏକାଦଶ ରୁଦ୍ରଙ୍କ ମାତା , ଅଷ୍ଟବସୁଙ୍କର କନ୍ୟା , ଦ୍ବାଦଶ ଆଦିତ୍ୟଙ୍କ ଭଗ୍ନୀ ଯିଏ ଅମୃତ ରୂପୀ ଦୁଗ୍ଧ ପ୍ରଦାନ କରନ୍ତି । ଏମିତି ବହୁ କିଛି ଅଛି । କିଛି ଜାଗାରେ ବିଜ୍ଞାନର ବିରୋଧୀ ଥିବା ବେଳେ କିଛି ଜାଗାରେ ସ୍ବୀକାର ବି ରହିଛି ଏବଂ ଏମିତି କିଛି ଅଛି ଯାହା ଏବେ ବି ରହସ୍ୟ ଘେରରେ , ଯାହା ବିଜ୍ଞାନ ଏଯାବତ୍‌ ରହସ୍ୟର କାରଣ ଜାଣିପାରିନି । ଉଦାହରଣରେ ରାମସେତୁ । ଶ୍ରୀରାମଚ଼ନ୍ଦ୍ରଙ୍କ ଦ୍ବାରା ରାମେଶ୍ୱର ଠାରେ ଶ୍ରୀଲଙ୍କା ଯାଏଁ ନିର୍ମିତ ପୋଲ ବା ରାମସେତୁ , ଯା'ର ନାମ ଏଡ଼ିମ୍‌ ବ୍ରିଜ୍‌ । ଏଠାରେ କିଛି ପଥର ପାଣିରେ ନବୁଡ଼ି ଭାସିଥାଏ । ଏହି ଭାସମାନ ପଥର ପଛର ରହସ୍ୟ ବହୁକାଳରୁ ଅଧ୍ୟୟନ କରୁଛନ୍ତି ବୈଜ୍ଞାନିକଗଣ , କିନ୍ତୁ ଉତ୍ତର ମିଳିପାରୁନି । ରହସ୍ୟ ରହସ୍ୟ ହୋଇ ରହିଯାଇଛି । 

    ଆଉ ଏକ ରହସ୍ୟ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାସ୍ଥ ଏକ ଛୋଟ ଗ୍ରାମ ଲେପାକ୍ଷୀରେ ଥିବା "ଝୁଲନ୍ତା ସ୍ତମ୍ଭର ମନ୍ଦିର" । ଏହି ମନ୍ଦିର ୭୦ଟି ସ୍ତମ୍ଭ ଉପରେ ଛିଡ଼ା ହୋଇଛି , ସେଥିରୁ ଗୋଟିଏ ସ୍ତମ୍ଭ ମାଟିକୁ ସ୍ପର୍ଶ କରି ନାହିଁ । ଝୁଲନ୍ତାବସ୍ଥାରେ ଅଛି । ଶ୍ରଦ୍ଧାଳୁମାନେ କହନ୍ତି ଏ ସ୍ତମ୍ଭ ତଳେ କପଡ଼ା ବିଛାଇ ପୁଣି କାଢ଼ି ଆଣିବା ଦ୍ବାରା ସୁଖ ସମୃଦ୍ଧି ବଢ଼େ । ଏହି ଝୁଲନ୍ତା ସ୍ତମ୍ଭର ରହସ୍ୟ ବିଜ୍ଞାନ ଏଯାଏଁ ପାଇନି । ଆଉ ଏକ କଥା ତାମିଲ୍‌ନାଡୁର ମହାବଳୀପୁରମ୍‌ରେ ଥିବା ଏକ ବିଶାଳ ପଥର ଯାହା ସମତଳ ଭୂମି ଉପରେ ଅଛି ; ଏଭଳି ଭାବରେ ଅଛି ଯେ , ଠେଲି ଦେଲେ ଗଡ଼ିଯିବ ଦୂରକୁ । କିନ୍ତୁ ତାହା ହେଉନି । ଗଡିବା ଭଳି ଥାଏ କିନ୍ତୁ ଗଡ଼େନି ; ବିଜ୍ଞାନ ଏହାର କାରଣକୁ ଖୋଜି ପାଇପାରିନି । ଲୋକଙ୍କ କହିବାନୁଯାୟୀ ଏ ପଥର କୃଷ୍ଣଙ୍କର ମାଠିଆ ଯାହା ପରେ ପଥରରେ ପରିବର୍ତ୍ତନ ହୋଇଯାଇଥିଲା । କେରଳର କୋଡ଼ନି ଗ୍ରାମରେ ସବୁ ପରିବାରରେ ଜାଆଁଳା ସନ୍ତାନ ଜନ୍ମ ନିଅନ୍ତି । ଏହି ଗ୍ରାମରେ ଜାଆଁଳା ସନ୍ତାନ ୨୦୦ ଯୋଡ଼ିରୁ ଉର୍ଦ୍ଧ୍ବ । ଡ଼ାକ୍ତରୀ ବିଜ୍ଞାନ କହେ , ଏ ଅଞ୍ଚଳର ଜଳରେ ଏପରି କିଛି ରହିଛି ଯାହାଦ୍ୱାରା ଏପରି ଘଟେ । ଏହାର ପଶ୍ଚାତପଟର ବାସ୍ତବ ରହସ୍ୟ ଜଣାନାହିଁ । ଏପରି ବହୁତ କିଛି ଅଛି । 

            ପୁରାଣ ଯୁଗରେ ଉଡୁଥିଲା ରାବଣର ପୁଷ୍ପକ ବିମାନ , ଏବେ ଉଡ଼ାଜାହାଜ ; ତେବେ ବିଜ୍ଞାନ ଆଜିର ନା ପୂର୍ବର ? ବହୁ ପୂର୍ବରୁ ବିଜ୍ଞାନ ଥିଲା , ଏବେ କିନ୍ତୁ ଆଉ ଟିକେ ବିସ୍ତୃତ ହୋଇଛି । ହିନ୍ଦୁ ଧର୍ମର କିଛି ଘଟଣା ବା ପୂଜାର୍ଚ୍ଚନାକୁ ବିଜ୍ଞାନ ଅନ୍ଧବିଶ୍ୱାସ କହୁଛି । ଏମିତି କିଛି ଘଟଣା ଅଛି ଯାହା ଅନ୍ଧବିଶ୍ୱାସ ମନେ ହେଉଥିଲେ ହେଁ , ସମାଜର ହିତକାରୀ । ଯେଉଁ ବିଦ୍ଯା ବା ଜ୍ଞାନର ବ୍ଯବହାର ପାଇଁ ବା ଯେଉଁ ଘଟଣା ସମାଜର କଲ୍ଯାଣ ସାଧନ କରୁଛି , ଲୋକେ ଉପକୃତ ହେଉଛନ୍ତି ସେହି ଜ୍ଞାନ , ବିଦ୍ଯା ବା ଘଟଣାକୁ ବିଜ୍ଞାନ ଅନ୍ଧବିଶ୍ୱାସ କହି ଏଡ଼ାଇ ଦେବା ତା'ର ଧର୍ମ ନୁହେଁ । ଏହା ପଛର ଘଟଣା ବା କାରଣ ତର୍ଜମା କରି ଟିପ୍ପଣୀ ଦେବା ବିଜ୍ଞାନର ଧର୍ମ ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
          ଫୋ - ୮୯୧୭୪୮୦୫୩୬       

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା