ଶରତ ଆସିଲେ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ଶରତ ଆସିଲେ ଧରାକୁ ଓହ୍ଲେଇ
କାଶତଣ୍ଡୀ ପୁଷ୍ପେ ହସୁଥାଏ ମହୀ ।
ହସେ ପାରିଜାତ ହେନା ଜୂଈ ଜାଇ
ଶେଫାଳୀ କୁସୁମ ବାସ ଚହଟଇ ।୧

ମୃଦୁମନ୍ଦ ବାଆ ପଡୁଥାଏ ଝରି
ଶୀତଳ ସମୀର ମନ ନିଏ ହରି ।
ନଥାଏ ବରଷା ନଥାଏ ତ ଝଡ଼ି
ପୀତ ଜହ୍ନିଫୁଲ ହସେ ଖିଲିଖିଲି ।୨

ଖଣ୍ଡି ଧଳାମେଘ ଅମ୍ବର ପ୍ରଦେଶେ
ଭାସିବୁଲେ ବହୁତ ସୁନ୍ଦର ଦିଶେ ।
ଶସ୍ଯ ଶ୍ଯାମଳା ମହୀ ଆନନ୍ଦେ ହସେ
ନଦୀ ପୋଖରୀ ଜଳ ନିର୍ମଳ ଦିଶେ ।୩

ଦୂର ଦିଗ୍‌ବଳୟେ ପଶ୍ଚିମାକାଶେ
ଅସ୍ତଗାମୀ ଭାସ୍କର ଶୋଭା ପରଷେ ।
ସ୍ବଚ୍ଛ ପରିମଳ ଶରତ ଆକାଶେ
ଶଶଲାଞ୍ଛିତ ଶୁଭ୍ର ଜୋଚ୍ଛନା ବର୍ଷେ ।୪

ଜଳେ ହସଇ କୌମାରୀ ନୀଳ କଈଁ
ଏକଲୟେ ତା'ର ପ୍ରେମିକକୁ ଚାହିଁ  ।
ମଥା ହଲେଇ ଜଳେ ଡାକଇ ସେହି
ମୋ' ପାଶେ ପ୍ରିୟ ତୁମେ ଆସ ଓହ୍ଲେଇ ।୫

ଭାଦ୍ରବ ଆଶ୍ବିନ ଦୁଇଗୋଟି ମାସ
ଶରତ ଆସୁଥାଏ ପ୍ରତି ବରଷ ।
ଧରାରେ ଓହ୍ଲାନ୍ତି ଶ୍ରୀମାନ ଗଣେଶ 
ଷଷ୍ଠୀ ଓଷାରେ ଖେଳିଯାଏ ଉଲ୍ଲାସ ।୬

ଭାଦ୍ରବ ମାସେ ପଡ଼େ ଅନନ୍ତ ବ୍ରତ
ଶରତେ ଏଇ ପର୍ବ ଅଟେ ବିଖ୍ଯାତ ।
ବଡ଼ ଧାର୍ମିକ ଏଇ ଋତୁ ଶରତ
ସ୍ବଚ୍ଛ ସୁନିର୍ମଳ ଦିଶଇ ଜଗତ ।୭

ଶରତ ଆଣିଛି ସାଥିରେ ତାହାର
ଶାରଦୀୟ ଦୁର୍ଗାପୂଜାର ସମ୍ଭାର ।
କୁମାର ପୂର୍ଣ୍ଣିମା ପୂଜା ଉପହାର
ଋତୁକୁ କରଇ ସବୁଠୁ ସୁନ୍ଦର  ।୮

ଶରତ ଋତୁ ଯେବେ ବିଦାୟ ନେବ
ଯେତେ ପୂଜା ପାର୍ବଣ ଫିକା ପଡ଼ିବ ।
ହେମନ୍ତ ଋତୁ ଯେବେ ହେବ ପ୍ରବେଶ 
ଧିରେ ପାଦ ପକେଇ ବଢ଼ିବ ଶୀତ ।୯

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା