ଭୁବନ ଈଶ୍ବରୀ - ଭୁବନେଶ୍ବରୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


      ଯିଏ ସାରା ଭୁବନର ଈଶ୍ବରୀ ସେ ଭୁବନେଶ୍ବରୀ ; ମହାବିଦ୍ୟା ମାନଙ୍କ ମଧ୍ଯେ ଚତୁର୍ଥ ସ୍ଥାନରେ ଅବସ୍ଥିତ । ସେ ଚତୁର୍ବର୍ଗ ଫଳଦାୟିନୀ ; ଧର୍ମ , ଅର୍ଥ , କାମ , ମୋକ୍ଷ ପ୍ରଦାତ୍ରୀ । ସେ ଚତୁର୍ଯୁଗରେ ମହାଧିଶ୍ବରୀ ରୂପେ ବିରାଜିତା ହୋଇ ସ୍ବୟଂ ଚାରି ଯୁଗର ସ୍ବରୂପିଣୀ ଅଟନ୍ତି ଏବଂ ସେ ବ୍ରାହ୍ମଣ  , କ୍ଷତ୍ରୀୟ , ବୈଶ୍ୟ , ଶୁଦ୍ର ନାମ୍ନୀ ଚାରିବର୍ଣ୍ଣର ସମାହିତ ଶକ୍ତି ଅଟନ୍ତି । ଶାସ୍ତ୍ର କହେ ବ୍ରହ୍ମାଙ୍କ ଦ୍ବାରା ଦେବୀ ଭୁବନେଶ୍ବରୀ ସୃଷ୍ଟି ଏବଂ ସେ ଚତୁର୍ଭୁଜ ବିଷ୍ଣୁଙ୍କ ଦ୍ବାରା ସର୍ବାଦ୍ଯେ ପୂଜିତା ; ସେ ଚତୁର୍ବ୍ରହ୍ମ ଯଥା ବ୍ରହ୍ମା , ବିଷ୍ଣୁ , ଶିବ , କାର୍ତ୍ତିକଙ୍କ ଦ୍ବାରା ନିତ୍ଯ ବନ୍ଦିତା । ଦେବୀଙ୍କ ଆଜ୍ଞାରେ ଚାରିବେଦର ନିର୍ମାଣ ହୋଇଛି । ଏକଥା ଶାସ୍ତ୍ର କହେ ; ଭୁବନେଶ୍ବରୀ କଳ୍ପରେ ଦ୍ରଷ୍ଟବ୍ୟ :-
         "ଚତୁର୍ବର୍ଗ ଫଳପ୍ରଦା ଚତୁରାଯୁଗ ରୂପିଣୀ
       ଚତୁରାବର୍ଣ୍ଣ ସଂପ୍ରଯ୍ଯେ ଚତୁର୍ବେଦ ବିଧାୟିନୀ ।
        ଚତୁର୍ମୁଖେ ପ୍ରକାଶିର୍ତେ ଚତୁର୍ବ୍ରହ୍ମ ସୁବନ୍ଦିତେ
   ଚତୁର୍ଭୁଜେ ଶ୍ଚାରଧ୍ଯେସୁ ଦେବୀ ଚତୁର୍ଥ ବିଦ୍ଯାୟାମ୍‌ ।"

     ଚଉଦ ଭୁବନ ଯଥା :- ଅତଳ , ବିତଳ , ସୁତଳ , ତଳାତଳ , ମହାତଳ , ପାତାଳ , ରସାତଳ , ଭୂର୍ଲୋକ , ଭୁବର୍ଲୋକ , ସ୍ବର୍ଲୋକ , ମହାର୍ଲୋକ , ଜନଲୋକ , ତପୋଲୋକ , ସତ୍ଯଲୋକ"ର ଯିଏ ଧାତ୍ରୀ ଓ ଏହାର ସୃଜନ କାରିଣୀ ଓ ପାଳନକାରିଣୀ ସହ ସଂହାରକାରିଣୀ ସେ ହିଁ ଭୁବନେଶ୍ବରୀ ଅଟନ୍ତି ବୋଲି ଈଶ୍ବର ଶଙ୍କର ସ୍ବୟଂ ଗୌରୀଙ୍କ ସମ୍ମୁଖରେ ଉପସ୍ଥାପନା କରୁଛନ୍ତି ଯାହା ବେଦରୁ ପ୍ରମାଣ ମିଳେ । ଭୁବନେଶ୍ବରୀ ରହସ୍ୟମ୍‌ରେ ଗୌରୀ ଶଙ୍କର ସମ୍ବାଦରେ ଅଛି :- 
"ଧାତ୍ରୈ ଶ୍ଚତୁର୍ଦ୍ଦଶଭୁବନାନି ସୃଷ୍ଟି ସ୍ଥିତି ଲୟେଶ୍ବରୀମ୍‌
ତସ୍ଯା ସା ଭୁବନେଶ୍ବରୀ ନାମ୍ନା ବିଖ୍ଯାତ୍ତ୍ରିଲୋକେଷୁମ୍‌ ।"

     ଭୁବନେଶ୍ବରୀ ହେଲେ ସକଳ ସମ୍ପଦ (ପଞ୍ଚଭୁତ) ତଥା ଜଗତର ମୂଳକାରିଣୀ ରୂପୀ ମହାମ୍ବିକା , ଆରମ୍ଭ ଓ ଶେଷର ପରମାନନ୍ଦମୟୀ ଜନନୀ , ପରମକାରଣାନନ୍ଦମୟୀ , ସାକ୍ଷାତ ଶବ୍ଦବ୍ରହ୍ମ - "ଓଁ" ସ୍ବରୂପିଣୀ , ଇଡ଼ା , ପିଙ୍ଗଳା ଓ ସୁସୁମ୍ନା ତ୍ରିନାଡ଼ିର ସଞ୍ଚାଳିନୀ , ବିଷ୍ଣୁ ଆଉ ଶିବଙ୍କ ପରମ ଜନ୍ମଦାତ୍ରୀ ମାତା । ସେ ସ୍ବେଚ୍ଛାରେ ପୂରା ଜଗତର ସୃଜନ , ପାଳନ ଓ ବିଲୟ କରନ୍ତି । ସେ ସାକ୍ଷାତ ବ୍ରହ୍ମରୂପା , ତ୍ରିଲୋକସ୍ବାମିନୀ ତଥା ସେ ପରମମାହେଶ୍ବରୀ ; ଯେବେ ପରଂବ୍ରହ୍ମ ପରମଶିବ ଶ୍ରୀ ଲଳିତକାମେଶ୍ବର ସାକାର ରୂପ ଧରି ସୃଷ୍ଟି ସୃଜନାର୍ଥେ ଭୁବନେଶ୍ବର ରୂପ ଧରନ୍ତି ସେତେବେଳେ ଏହି ଦେବୀ ଲଳିତା ମହାତ୍ରିପୁରାସୁନ୍ଦରୀ ରୂପେ ଅବତୀର୍ଣ୍ଣ ହୋଇ ଭୁବନ ସମୂହ ରଚନା କରନ୍ତି ; ପରମଶିବଙ୍କ ସମସ୍ତ ଲୀଳାବିଳାସର ପରମକାରଣ ଦେବୀ ଭୁବନେଶ୍ବରୀ । ଦେବୀ ଅଭୟ ପ୍ରଦାନର ମୁଦ୍ରା ସହ ବରଦ ଧାରଣ କରିଛନ୍ତି ଓ ଅନ୍ୟ ଦୁଇ ହାତରେ ଅଙ୍କୁଶ ଓ ପାଶ ଧାରଣ କରିଛନ୍ତି । ଚତୁର୍ଦ୍ଦଶଦଳ ପଦ୍ମ ଉପରେ ବିରାଜିତା ଭୁବନେଶ୍ବରୀ । ଶାସ୍ତ୍ର କହେ ସେହି ଚତୁର୍ଦ୍ଦଶ ଦଳ ଚଉଦ ଭୁବନ ଏବଂ ସେଥିରେ ଥିବା ସପ୍ତ ଉପପାଖୁଡ଼ା ହେଲା ମାନବୀୟ ଶରୀରର ସପ୍ତଚକ୍ର ; ଭୁବନେଶ୍ବରୀ କୁଣ୍ଡଳିନୀ ଶକ୍ତିରୂପିଣୀ । ସେ ବେଦମାତା ଗାୟତ୍ରୀଙ୍କ ଇଷ୍ଟଦେବୀ ଏବଂ ଏହାଙ୍କ ଭୈରବ ହେଲେ ତ୍ର୍ଯମ୍ବକ ଶିବ ; ଦେବୀଙ୍କ ଗଣପତି ହେଉଛନ୍ତି ଭୁବନଗଣପତି । ଭାଦ୍ରବ ମାସ ଶୁକ୍ଳ ଦ୍ବାଦଶୀ ଭୁବନେଶ୍ବରୀ ଜୟନ୍ତୀ । ଯାହା ତନ୍ତ୍ରଶାସ୍ତ୍ରରେ ସିଦ୍ଧିରାତ୍ରୀ ନାମେ ବିଦିତ । 

       କଟକର ଅଧିଷ୍ଠାତ୍ରୀ ମାଆ କଟକଚଣ୍ଡୀ , ଭୁବନେଶ୍ବରୀଙ୍କ ପ୍ରତିରୂପ ଅଟନ୍ତି । ଦୁଇ ହସ୍ତ ଅଭୟ ଓ ବରଦ ମୁଦ୍ରା ଆଉ ଦୁଇ ହସ୍ତରେ ପାଶ-ଅଙ୍କୁଶ ଧରି ଉଭା ହୋଇଛନ୍ତି ମା' କଟକଚଣ୍ଡୀ ; ତେଣୁ ତାଙ୍କ ମୂର୍ତ୍ତି ତତ୍ତ୍ବ କହେ ସେ ସାକ୍ଷାତ ଭୁବନେଶ୍ବରୀ । ସେ ବି ନିତ୍ଯ ଭୁବନେଶ୍ବରୀଙ୍କ ଏକାକ୍ଷରୀ ବୀଜ ମନ୍ତ୍ରରେ ପ୍ରପୂଜ୍ଯା । ତେଣୁ ସେ ଆଶ୍ୱିନ ମାସ ଷୋଳ ପୂଜାରେ ପ୍ରଥମେ ସ୍ବୟଂ ଭୁବନେଶ୍ବରୀ ରୂପରେ ଦର୍ଶନ ଦିଅନ୍ତି । ଭୁବନେଶ୍ବରୀଙ୍କ ସଙ୍ଗରୁ ହିଁ ଭୁବନେଶ୍ବର ସର୍ବେଶ ହେବାର ଯୋଗ୍ୟତା ପ୍ରାପ୍ତ କରିଛନ୍ତି । ମହାନିର୍ବାଣତନ୍ତ୍ର ଅନୁସାରେ ଦକ୍ଷିଣକାଳୀ , ତାରା , ଲଳିତାମହାତ୍ରିପୁରାସୁନ୍ଦରୀ , ଧୂମାବତୀ ଏଇ ଚାରିଦେବୀ ବାକି ସମସ୍ତ ମହାବିଦ୍ୟା ଏଇ ଭୁବନେଶ୍ବରୀଙ୍କ ସେବାରେ ଥା'ନ୍ତି । ବୃହନ୍ନିଳ ତନ୍ତ୍ର ପୁରାଣନୁସାରେ ପ୍ରକାରାନ୍ତେ କାଳୀ ଓ ଭୁବନେଶ୍ବରୀଙ୍କ ମଧ୍ଯ କୌଣସି ପ୍ରଭେଦ ନାହିଁ  । ତନ୍ତ୍ର ଜଗତରେ ଯେମିତି ଜଗନ୍ନାଥ ସାକ୍ଷାତ ଦକ୍ଷିଣକାଳୀ , ବଳଭଦ୍ର ସାକ୍ଷାତ ତାରା ଓ ସୁଦର୍ଶନ ସାକ୍ଷାତ ଷୋଡ଼ଶୀ ସେପରି ଦେବୀ ସୁଭଦ୍ରା ସାକ୍ଷାତ ଭୁବନେଶ୍ବରୀ ରୃପେ ସ୍ବୀକାର୍ଯ୍ଯ ।

       ସମଗ୍ର ଭାତରେ ଭୁବନେଶ୍ବରୀଙ୍କୁ ଉତ୍ସର୍ଗୀକୃତ ଅନେକ ମନ୍ଦିର ଅଛି । ଦକ୍ଷିଣ ଭାରତରେ ଶ୍ରୀବିଦ୍ଯା ପରମ୍ପରାର ଅଧିକାଂଶ ଉପାସକ ତାଙ୍କୁ ପୂଜା କରନ୍ତି ; କେରଳରେ ସେ ଶାକ୍ତ ମାନଙ୍କ ମଧ୍ଯେ ମଧ୍ଯ ଲୋକପ୍ରିୟ । ପବିତ୍ର ବେଦ ତାଙ୍କୁ ଆଦିତ୍ଯ , ଅସୀମ ତଥା ସର୍ବବ୍ଯାପୀ ମାତା ରୂପେ ପ୍ରଶଂସା କରେ । ଭୁବନେଶ୍ବରୀ ହିଁ ଐଶ୍ବରୀୟ ଶକ୍ତିରେ ପ୍ରାଥମିକ ରୂପ । ସେ ଶକ୍ତିଶାଳୀ , କିନ୍ତୁ ସେ ବି ପ୍ରେମ , ଦୟାର ପ୍ରତୀକ । ସେ ପ୍ରାର୍ଥିବ ପ୍ରାଣୀ ମାନଙ୍କୁ ନିଜର ସନ୍ତାନ ଭାବେ ଗ୍ରହଣ କରନ୍ତି । ଭୁବନେଶ୍ବରୀଙ୍କ ଉପାସନା ସ୍ବାସ୍ଥ୍ୟ , ଭାଗ୍ଯ , ଧନ ଲାଭ ସହ ବିଘ୍ନ ବିନାଶନ ହୁଏ ଏବଂ ସେ ଭକ୍ତ ମାନଙ୍କୁ ଚନ୍ଦ୍ର ଗ୍ରହର ନକରାତ୍ମକ ପ୍ରଭାବରୁ ରକ୍ଷା କରନ୍ତି  । 

        କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ସିଦ୍ଧପୁର ତାଲୁକର ଭୁବନଗିରିରେ ଦେବୀ ଭୁବନେଶ୍ବରୀଙ୍କର ଏକମାତ୍ର ଜଣାଶୁଣା ମନ୍ଦିର ଅଛି ଯାହା ପ୍ରସିଦ୍ଧ ଅଟେ ; ଏହା ଶତାଦ୍ଦୀ ପୁରୁଣା ମନ୍ଦିର ଏକ ପାହାଡ଼ ଉପରେ ସବୁଜ ବନାନୀ ଘେରା ଅଞ୍ଚଳରେ । ଆଉ ଏକ ତଥ୍ଯ ଅନୁଆରେ ବିଜୟାନଗର ସାମ୍ରାଜ୍ଯ ଶାସକଗଣ ଭୁବନେଶ୍ବରୀଙ୍କୁ ଅର୍ଚ୍ଚନା ନକରି କୌଣସି ବି କାର୍ଯ୍ଯର ଉଦ୍ଯମ କରିବେ ନାହିଁ । ବିଜୟାନଗରର ଜଣେ ରାଜା ବିଷ୍ଣୁ ମନ୍ଦିରରେ ଭୁବନେଶ୍ବରୀଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । କର୍ଣ୍ଣାଟକର ଭୁବନେଶ୍ବରୀ ମନ୍ଦିରଟି ସିଦ୍ଧପୁର ତାଲୁକାର ବେଡ଼କାନି ଗ୍ରାମପଞ୍ଚାଯତ ସୀମାରେ ଥିବା ମୁଟିଜି ଗ୍ରାମସ୍ଥ ଭୁବନଗିରିରେ ୩୦୦ ଫୁଟ ଉଚ୍ଚରେ ଅଛି ଯାହାକୁ ୧୭୯୨ ମସିହାରେ ବିଲାଗି ଶାସକ ବାସବେନ୍ଦ୍ର ଦେବଦୂତ ନିର୍ମାଣ କରିଥିଲେ । ଭୁବନେଶ୍ବରୀ ଉପାସନା ସାମ୍ଭବି ମୁଦ୍ରାରେ ହିଁ କରା ଯାଇଥାଏ । ତୃତୀୟା ତିଥି ଏବଂ ପୂର୍ଣ୍ଣମୀରେ ଭୁବନେଶ୍ବରୀଙ୍କ ପୂଜା କରିବା ଅତ୍ଯନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ । ନବରାତ୍ରି ଅବଧିରେ ବି ପୂଜା ହୋଇପାରିବ । 

      ଭୁବନେଶ୍ବରୀଙ୍କୁ "ଆଦିତ୍ଯ" କହିବାର ଅର୍ଥ ସେ ଅବିଚ୍ଛେଦ୍ଯ ଏବଂ ଅସୀମ ଅଟନ୍ତି । ବିଶ୍ବାସ କରାଯାଏ ଯେ ଭଗବାନ ବିଷ୍ଣୁଙ୍କର ଦଶ ଅବତାର ଭୁବନେଶ୍ବରୀଙ୍କ ଦଶ ଅଙ୍ଗୁଷ୍ଠିରୁ ଉତ୍ପନ୍ନ । ପୁତ୍ର ପ୍ରାପ୍ତ୍ଯାର୍ଥେ ବି ମାଆ ଭୁବନେଶ୍ବରୀଙ୍କ ଆରାଧନା କରାଯାଏ । 

 ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା  , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା