ମାଆ ବିରଜା

  (ରାଗ - ଶିଖୀ ବଙ୍ଗଳା)

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

   ଜୟ ଜୟ ବିରଜା ଗୋ ବିଷାଦ ନାଶିନୀ
     ଯାଜପୁର ନିବାସିନୀ ଅଭୟ ଦାୟିନୀ
          ଦୂରୁ ଦୁଃଖୀ କରୁଛି ଦୟିନୀ
ଚରଣେ ଶରଣ ତୋର ଦିଅଲୋ ଜନନୀ ।୧।
   ଶୁଣିଛି ତୋର ମହିମା ଅନନ୍ତ ଅପାର
   ଭକ୍ତାର୍ତ୍ତ ନାଶନେ ତୁହି ସଦା ତତପର
         ଭକ୍ତିଭାବେ ଡାକୁଛି କୁମର
ବିନାଶ ବିଷାଦ ଘୋଡ଼ାଇ ପଣତ ତୋର ।୨।
 ବାପ ଗୋସିବାପ ମୋର କିମ୍ବଦନ୍ତୀ ତୋର
   କହିଛନ୍ତି ଶୁଣିଅଛି ବେନି କର୍ଣ୍ଣେ ମୋର
         କଳାପାହାଡ଼ର ଅତ୍ଯାଚାର
ବାର୍ତ୍ତା ବାରି ଭକ୍ତଗଣ ହେଲେ ଭୟାତୁର ।୩।
  ଦୁରାତ୍ମାର ଆଗମନ ସେବକ ତୋ' ଜାଣି
  ନିକ୍ଷେପିଲା କୂପ ଗର୍ଭେ ସିଂହାସନୁ ଆଣି
          ଆନ ଏକ ମୂର୍ତ୍ତିଟିଏ କିଣି
ବସାଇଲା ଆସ୍ଥାନରେ ସେବକ ତୋ' ଜ୍ଞାନୀ ।୪।
    ଆସିଲା କଳାପାହାଡ଼ ତୋହରି ମନ୍ଦିରେ
    ପ୍ରତିମା ନପାଇ ଫେରିଗଲା ନିରାଶରେ
            ତହିଁ ଆରଦିନ ପ୍ରଭାତରେ
ସେ ବିପ୍ର ସେବକ ତୋତେ ଖୋଜିଲା କୂପରେ ।୫।
    କୂପରୁ କାଢ଼ି ଦେଖିଲା କଟୀଦେଶୁ ତୋର
    ଭାଙ୍ଗି ଦୁଇଗଡ଼ ହୋଇଅଛି ତୋ' ଶରୀର
         ସ୍ଥାପିଲା ଆଣି ଆସ୍ଥାନେ ତୋର
 ନବ ମୂର୍ତ୍ତି ନ୍ଯାସ ହେଲା ତୋର ପୁନର୍ବାର ।୬।
    ନବ ମୂର୍ତ୍ତି ପଶ୍ଚାତରେ ଭଗ୍ନ ମୂର୍ତ୍ତି ରହି
    ଅଦ୍ଯାବଧି ପୂଜା ପାଇ ଆସୁଅଛୁ ତୁହି
        ତୋର ମଥାମଣି ମହାମାୟୀ
ଯେତେ ଦୂରୁ ଦେଖିଲେ ବି ଦୃଶ୍ଯ ହେଉଥାଇ ।୭।
    ପୁରାଣ କହୁଛି ପୁଣି ତୋହରି ପୀଠରେ
     ବେଦପତି ବ୍ରହ୍ମା ଅତ୍ର ଯଜ୍ଞ କରୁଥିଲେ
          ସେ ବ୍ରହ୍ମ ଯଜ୍ଞ କୁଣ୍ଡ ନାମରେ
ଏବେ ସୁଦ୍ଧା ବିଦ୍ଯମାନ ବିରଜା କ୍ଷେତ୍ରରେ ।୮।
   ନାଭିଗୟା ନାମେ ଅଛି ପୁତ୍ତୋତମ ସ୍ଥାନ
    ପିତୃପୁରୁଷ ଉଦ୍ଦେଶ୍ଯେ ହୁଏ ପିଣ୍ଡଦାନ 
         ନାଭିଗୟା ଗଙ୍ଗାରେ ସଂଲଗ୍ନ 
 ପାତାଳକୁ ରାସ୍ତା ପୀଠେ ତୋର ବିଦ୍ଯମାନ ।୯।
      ପୂତ ମନୋରମ ଦୃଶ୍ଯରାଜି ନିବାସିନୀ 
     ଚାରିଦିଗେ ଚାରିଦ୍ୱାର ଖୋଲିଛୁ ଜନନୀ
            ବିରଜା ତୁ ମହିଷାମର୍ଦ୍ଦିନୀ 
ଉତ୍ତର ଦ୍ବାରେ ରଖିଛୁ ଭୈରବୀ ଜନନୀ ।୧୦।
  ପ୍ରତୀକ୍ଷାରତ ଭୈରବୀ ଆଦେଶକୁ ତୋର
    କଳିକାଳ ଅନ୍ତକାଳେ ହେବ ମହାକ୍ରୁର
        ମାଳିକକାର ଏଇ ସତ୍ଯ ଗୀର
  ନୋହିବ ଅନ୍ଯଥା ଆଉ ନୁହେଁ ବେଶି ଦୂର ।୧୧
        କରୁଣାର ମହାସିନ୍ଧୁ ତୁ କରୁଣାମୟୀ
      କରୁଣାରେ ତୋର ମାଆ ପଟାନ୍ତର ନାହିଁ 
             ପ୍ରଣମେ ପୟର ମହାମାୟୀ
   ଭବବାରି ହେବି ପାରି ଚରଣ ତୋ' ଧ୍ଯାୟି ।୧୨।

                ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର   କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା