କଳିର ବିଶଲ୍ଯକରଣୀ : "ଗୀତା ଓ ଭାଗବତ"
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଈଶ୍ଵର ଛପନ କୋଟି ଜୀବଙ୍କର ସ୍ରଷ୍ଟା , କିନ୍ତୁ ପ୍ରତ୍ଯେକ ଜୀବର ଚଳଣି ଆଉ ଗଠନ ଶୈଳୀ ଭିନ୍ନ । ସବୁ ଜୀବଙ୍କ ମଧ୍ଯେ ମାନବ ହିଁ ଶ୍ରେଷ୍ଠ ଜୀବର ମାନ୍ଯତା ପାଇଛି । ପ୍ରତ୍ଯେକ ଜୀବ ସତ୍ତ୍ବ , ରଜ , ତମ ନାମରେ ତିନି ଗୁଣରେ ଅନୁବନ୍ଧିତ । କିଏ କେଉଁ ଗୁଣରେ ବ୍ରତୀ , ଗୁଣ ଅନୁସାରେ ଆଚରଣ ଓ ଉଚାରଣରେ ଫକ ପରିଦୃଶ୍ଯ । ସାଧୁତା ଓ ସତ୍ଯବାଦିତା ସହ ଉଦାରତା ଓ ସୁଚିନ୍ତିତ କାର୍ଯ୍ଯ ସମ୍ପାଦନ କରିବା ସତ୍ତ୍ୱ ଗୁଣର ଲକ୍ଷଣ । ଉଚ୍ଚ ଚିନ୍ତାଧାରା , ଅୟସ ଆରାମ ଜୀବନଯାପନ ହେଉଛି ରାଜସିକ ଗୁଣର ଲକ୍ଷଣ । କିନ୍ତୁ ତାମସିକ ଗୁଣ ହେଉଛି ଆସୁରିକ ପ୍ରବୃତ୍ତିର ଲକ୍ଷଣ । କ୍ରୋଧ , ହିଂସା , ପରଶ୍ରୀକାତରତା ସହିତ ଅଯଥାରେ ଯୁକ୍ତିତର୍କ ଏବଂ କଳିକଜିଆ କରିବା ତାମସିକ ଗୁଣର ଲକ୍ଷଣ । ଯୁଗେ ଯୁଗେ ଏହି ତିନି ଗୁଣର ମାନବ ରହି ଆସିଛନ୍ତି । ସତ୍ଯରୁ କଳି ସବୁ ଯୁଗରେ ତାମସିକ ଗୁଣଧାରୀ ବ୍ଯକ୍ତି ବିଶେଷଙ୍କ ଚରାଚର ରହିଛି । କଳି ସବୁ ଯୁଗରେ ଅଛି । ନହେଲେ ହିରଣ୍ଯକଶ୍ଯପର ବଧ , ରାବଣର ସଂହାର , କଂସର ବିନାଶ ହୋଇ ନଥା'ନ୍ତା । କଳିରେ ବି ଏପରି କରାଳତା ନଥା'ନ୍ତା । ସତ୍ଯ , ତ୍ରେତା ଓ ଦ୍ବାପର ଅପେକ୍ଷା କଳିରେ ଧର୍ମ ବହୁତ ସ୍ବଳ୍ପ ମାତ୍ରାରେ ବିଚରଣ କରେ ; ତିନି ଯୁଗରେ ଧର୍ମ ବଳୀୟାନ ଥିବା ବେଳେ କଳି ଯୁଗରେ କଳି ଶକ୍ତିଶାଳୀ ।
କଳିଯୁଗରେ ଧର୍ମର ମାତ୍ରା ଶହେରୁ ମାତ୍ର ଦଶ ପ୍ରତିଶତ । ସେଲାଗି ମାନବ ଅଧର୍ମାଚରଣରେ ବ୍ରତୀ , ସର୍ବତ୍ର ବିଭ୍ରାଟ ପରିଲକ୍ଷିତ । ଏହି ବିଭ୍ରାଟକୁ ଦର୍ଶାଇ ବିଭିନ୍ନ ଶାସ୍ତ୍ର ପୁରାଣରେ ଅନେକ କଥା ଉଲ୍ଲେଖ କରାଯାଇଛି ଏବଂ ବହୁ ମହାପୁରୁଷ ଆଗତ ଭବିଷ୍ଯର ବର୍ଣ୍ଣନା ବି କରିଛନ୍ତି । ସେ ସବୁ ବର୍ଣ୍ଣନା ଏବେ ବାସ୍ତବତାର ରୂପ ନେଉଛି ବୋଲି ମନେହୁଏ । ପୂର୍ବ ବର୍ଣ୍ଣିତ ଭବିଷ୍ଯ ଗାଥା ମିଥ୍ଯା ନୁହେଁ ବୋଲି ଏବେ ଜଣାପଡେ । କିଛି ବିଶ୍ବାସ କରୁଥିବା ବେଳେ କିଛି ଅବିଶ୍ବାସ ମଧ୍ଯ କରୁଛନ୍ତି , କିନ୍ତୁ ପୂର୍ବରୁ କୁହାଯାଇଥିବା କଥା ସବୁ ବାସ୍ତବରେ ଏବେ ପ୍ରତିଫଳିତ ହେବାରେ ଲାଗିଛି ।
କଳିର ପ୍ରଥମ ପାଦ ହେଉଛି - "କର୍ମାନ୍ତେ ଫଳେ ଆଶା", କର୍ମ କରିବା ପରେ ଫଳ କ'ଣ ହେବ ଜାଣିବାକୁ ଉତ୍ସୁକ ମାନବ । 'ଗୀତା'ରେ ଅଛି :-
"କର୍ମଣ୍ଯେ ବାଧିକାରସ୍ତେ ମା ଫଳେଷୁ କଦାଚନ
ମାକର୍ମଫଳହେତୁର୍ଭୁମା ତେ ସଙ୍ଗୋଽସ୍ତ୍ବକର୍ମଣି ।"
ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି - "କର୍ମ କର କିନ୍ତୁ ଫଳରେ ଆଶା ରଖନାହିଁ । କର୍ମକୁ ପରଖି ଉପଯୁକ୍ତ ଫଳ ଦେବାକୁ ମୁଁ ଅଛି । ସମ୍ପାଦିତ କର୍ମାନୁଯାୟୀ ଫଳ ପ୍ରାପ୍ତ ହେବ ।" ଶ୍ରୀମଦ୍ଭଗବତ ଗୀତା ପୁଣି କହୁଛି :-
"ଦୁଃଖେଷ୍ବନୁଦ୍ବିଗ୍ନମନାଃ ସୁଖେଷ ବିଗତ ସ୍ପୃହଃ
ବୀତରାଗଭୟକ୍ରୋଧଃ ସ୍ଥିତଧିର୍ମୁନିରୁଚ୍ଯତେ ।"
ଅର୍ଥାତ୍ - ଦୁ଼ଃଖରେ ଉଦ୍ବିଗ୍ନ ହେବ ନାହିଁ କି ସୁଖରେ ବୀତସ୍ପୃହ ହେବ ନାହିଁ ; ଭୟରାଗ , କ୍ରୋଧ ଶୂନ୍ଯ ବ୍ଯକ୍ତି ସାଧୁ ବୋଲି ପରିଗଣତି ହୁଏ । କିନ୍ତୁ କଳିଯୁଗରେ ଏସବୁ ନମାନି ଓଲଟା କାର୍ଯ୍ଯ ସମ୍ପାଦିତ ହେଉଛି । ଲୋଭ , ମୋହ , ହିଂସା ବଳବତ୍ତର ଅଧୁନା ଯୁଗରେ । ଗୀତା କିନ୍ତୁ କହେ ଯେ :-
"ଯଜ୍ଞାର୍ଥାତ୍କର୍କଣୋନ୍ଯତ୍ର ଲୋକୋଽୟଂ କର୍ମ ବନ୍ଧନଃ
ତଦର୍ଥଂ କର୍ମ କୌନ୍ତେୟ ମୁକ୍ତ ସଙ୍ଗଃ ସମାଚାର ।"
ଅର୍ଥାତ୍ - ଯଜ୍ଞାର୍ଥେ କର୍ମକୁ ଛାଡ଼ି ଦେଲେ ଅନ୍ଯ ସମସ୍ତ କର୍ମ ବନ୍ଧନ ଅଟେ । ଅନାସକ୍ତ ଭାବରେ କର୍ମାଚରଣ କରିଲେ ସୁଫଳ ଓ ଈଶ୍ୱର ପ୍ରାପ୍ତି ହୁଏ ।
କଳିଯୁଗରେ ଏସବୁ ଗୀତାବାଣୀ ସମସ୍ତେ ଆଲୋଚନା କରୁଥିଲେ ମଧ୍ଯ ପ୍ରତିପାଳନ ନାହିଁ । ତୁଣ୍ଡରେ ଉଚାରଣ କିନ୍ତୁ ଭିନ୍ନ ଆଚରଣ । ପାପର ମାତ୍ରା ବୃଦ୍ଧି ହେଲେ , ପାପର କୁମ୍ଭ ପୂରିଗଲେ ସୃଷ୍ଟି ବିଧ୍ବଂସ ଅବଶ୍ଯମ୍ଭାବୀ । ତେଣୁ ଧର୍ମାଚରଣ କରିବାକୁ ହେଲେ ମନକୁ ଧର୍ମ ସରଣୀରେ ଚାଳିତ କରିବାକୁ ହେବ । ଧର୍ମ ମାର୍ଗର ମାର୍ଗୀ ହେବାକୁ ହେଲେ ଆତ୍ମବିଶ୍ୱାସ ସହିତ ଈଶ୍ୱର ବିଶ୍ବାସକୁ ଉଜ୍ଜୀବିତ କରିବାକୁ ପଡ଼ିବ । ଈଶ୍ୱର ଅର୍ଥ ଶ୍ରେଷ୍ଠ , ଯିଏ ସବୁଠୁ ଶ୍ରେଷ୍ଠ ସେ ଈଶ୍ୱର । ସୁଚିନ୍ତିତ କର୍ମ , ଅହିଂସା , ଅକ୍ରୋଧ , ନିର୍ଲୋଭ , ଦୟାଳୁ , କ୍ଷମାକାରୀ , ମୋହଶୂନ୍ଯ ହିଁ ଜଣଙ୍କୁ ଐଶ୍ବରୀକ ଶକ୍ତି ପ୍ରଦାନ କରିଥାଏ । କଳିଯୁଗରେ ଏଭଳି ବ୍ଯକ୍ତି ବିରଳ , ଧର୍ମ ବିଶ୍ବାସ ଅନୁଯାୟୀ ଶୂନ୍ୟଚର ହିଁ ଈଶ୍ୱର । କାରଣ ସ୍ବଦେହରେ ଏଭଳି କେହି ନାହିଁ ତେଣୁ ଅଦୃଶ୍ୟ ଶକ୍ତିକୁ ଈଶ୍ୱରଙ୍କ ମାନ୍ୟତା ମିଳିଛି , ଯାହାକୁ ଦେଖି ହୁଏନି କିନ୍ତୁ ଜ୍ଞାନେନ୍ଦ୍ରିୟରେ ଅନୁଭବ କରିହୁଏ । "ଟୀକା ଗୋବିନ୍ଦଚନ୍ଦ୍ର" କୁହେ -
"ଭଜୁକିନା ରାମ ନାମରେ କୁମର
ଜପୁକିନା ରାମ ନାମ
ଭଜି ନପାରିଲେ କୁଳଚ଼ନ୍ଦ୍ରମାରେ
ବାନ୍ଧି ନେବ କାଳଯମ ।"
କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିଲେ ଗୋଟିଏ ପଦ :-
"ଯେ ଯଥାମାଂ ପ୍ରପଦ୍ଯନ୍ତେ ତାଂ ସ୍ତଥୈବ ଭାଜାମ୍ଯହମ୍
ମମ ବର୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।"
ପ୍ରଭୁ କହୁଛନ୍ତି - "ମତେ ଯେମିତି ଯିଏ ଡାକେ ମୁଁ ସେମିତି ହିଁ ଶୁଣେ । ମୋତେ ଯେଉଁଭଳି ଯିଏ ଅନୁସରଣ କରେ ମୁଁ ସେଇଭଳି ଭାବରେ ଭକ୍ତ ପାଖରେ ପହଞ୍ଚେ ।" "ଗୀତା"ରେ ପୁଣି ଲେଖା ଅଛି :-
"ଯଦା ଯଦା ହି ଧର୍ମସ୍ଯ ଗ୍ଲାନିର୍ଭବତି ଭାରତ
ଅଭ୍ଯୁଥାନମଧର୍ମସ୍ଯ ତଦାତ୍ମାନଂ ସୃଜାମ୍ଯହମ୍
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।"
ଏହାର ଅର୍ଥ - "ଯେତେବଳେ ଧର୍ମର ହାନି ଘଟେ , ଧରା ସାରା ଗ୍ଲାନିପୂର୍ଣ୍ଣ ହୋଇଯାଏ , ଅଧର୍ମର ପରିବୃଦ୍ଧି ହୁଏ ସେତେବଳେ ମୁଁ ଜନ୍ମ ନିଏ ଏବଂ ଅଧର୍ମ ବିନାଶ କରି ଧର୍ମ ସ୍ଥାପନ କରେ । ଦୁର୍ଜନଙ୍କୁ ବଧ କରି ସନ୍ଥ ଓ ସୁଜନଙ୍କ ବିଷାଦତାର ଢ଼ାଙ୍କୁଣୀକୁ ହଟେଇ ହର୍ଷତା ପ୍ରଦାନ କରେ ସେମାନଙ୍କୁ ; ଧର୍ମକୁ ରାଜଗାଦି ପ୍ରଦାନ କରେ ।" ଧର୍ମରେ ବିଶ୍ବାସ ରଖିବା ପ୍ରତ୍ଯେକ ମଣିଷର କର୍ତ୍ତବ୍ୟ । "ଧାରୟତି ଇତି ଧର୍ମ" - ସମସ୍ତ ଶୃଙ୍ଖଳା ଓ ନୀତିକୁ ଯେ' ଧାରଣ କରେ ସେ ଧର୍ମ । ଈଶ୍ବର ପ୍ରାପ୍ତି ପାଇଁ କିଏ କେଉଁ ମାର୍ଗରେ ଗତିଶୀଳ ହେଉଛି ହେଉ , ନିଜ ଧର୍ମ ମାର୍ଗ ସର୍ବଶ୍ରେଷ୍ଠ ବୋଲି ବିବେଚନା କରିବାକୁ ପଡ଼ିବ । ତେଣୁ 'ଗୀତା' କହିଛି :-
"ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍
ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।"
"ନିଜ ଧର୍ମ ସବୁଠାରୁ ସୁଖପ୍ରଦ ପର ଧର୍ମ ଠାରୁ , ନିଜ ଧର୍ମରେ ମହାପ୍ରୟାଣ ଶ୍ରେୟ କିନ୍ତୁ ପର ଧର୍ମ ସର୍ବଦା ଭୟାବହ ।" ତେଣୁ ପ୍ରଥମରୁ ମଣିଷ ଯେଉଁ ଧର୍ମରେ ପରିଚାଳିତ , ଅନ୍ତ ଯାଏଁ ସେ ଧର୍ମ ବଜାୟ ରହିବା ଉଚିତ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି - "କଳିଯୁଗର କରାଳତାରୁ ମୁକ୍ତି ପାଇବାକୁ ହେଲେ ମୋ' ନାମର ସ୍ମରଣ ନିହାତି ଆବଶ୍ୟକ । ଜ୍ଞାନ , କର୍ମ , ଧର୍ମ ଏସବୁ ମୁଁ ବୋଲି ସେ ଅର୍ଜୁନଙ୍କୁ ଭାରତ ଯୁଦ୍ଧାଙ୍ଗନରେ କହିଛନ୍ତି । ଗୀତାରେ ଶ୍ଳୋକ ଅଛି :-
"ମତ୍ତଃପରତରଂ ନାନ୍ଯତ୍ କିଞ୍ଚିଦସ୍ତି ଧନଞ୍ଜୟ
ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣି ଗଣା ଇବ ।"
ଈଶ୍ବରଙ୍କୁ କେହି ଦେଖି ନାହାନ୍ତି କଳିଯୁଗରେ । କିନ୍ତୁ ତାଙ୍କ ସତ୍ତାକୁ ମିଥ୍ୟା ମଣିବା ଅନୁଚିତ । ସେ ଅନୁଭବୀର ଠାକୁର । ସେଥିପାଇଁ ତ ସେ ଅର୍ଜୁନଙ୍କୁ କହିଛନ୍ତି ଯେ :-
"ଯେ ମାଂ ପଶ୍ଯତି ସର୍ବତ୍ର ସର୍ବ ଚ ମୟି ପଶ୍ଯତି
ତସ୍ଯାହଂ ନ ପ୍ରଣଶ୍ଯାମି ସ ଚ ମେ ନ ପ୍ରଣଶ୍ଯତି ।"
ଅର୍ଥାତ୍ - ସମସ୍ତଙ୍କ ଭିତରେ ମୋତେ ପାଇବେ । ସମସ୍ତଙ୍କ ଭିତରେ ସର୍ବତ୍ର ମୋତେ ଯେ' ଦେଖେ , ମୁଁ ତା' ପାଖରେ ଅଦୃଶ୍ୟ ହୋଇ ନଥାଏ । ସର୍ବଦା ତା' ଚକ୍ଷୁ ଡୋଳାରେ ରହୁଥାଏ ।"
କାମ , କ୍ରୋଧ , ଲୋଭ ହେଉଛି ନର୍କର ତ୍ରିଦ୍ବାର , ତେଣୁ ଏସବୁକୁ ତ୍ଯାଗ କରିବାକୁ ପରାମର୍ଶ ଦେଇ ମହାଭାରତ ଯୁଦ୍ଧ କାଳରେ ଅର୍ଜୁନଙ୍କୁ କହିଛନ୍ତି ଶ୍ରୀକୃଷ୍ଣ :-
"ତ୍ରିବିଧଂନରକସ୍ଯେଦଂ ଦ୍ବାରଂ ନାଶନମାତ୍ମନଃ
କାମଃ କ୍ରୋଧସ୍ତଥା ଲୋଭସ୍ତସ୍ମାଦେତତ୍ତ୍ରୟଂ ତ୍ଯଜେତ୍ ।"
ନିଜର ଆତ୍ମଜ୍ଞାନରେ ଏ ତିନି ଦ୍ରବ୍ଯକୁ ତ୍ଯାଗ କରିବାକୁ କହିଛନ୍ତି ଶ୍ରୀକୃଷ୍ଣ । ଏ ମହାନ ବାଣୀ ଅଧୁନା କଳିଯୁଗ ପାଇଁ ବିଶଲ୍ଯକରଣୀ ମହୌଷଧି । ପୁଣି ସେ ଦର୍ଶେଇଛନ୍ତି :-
"ଈଶ୍ବରଃ ସର୍ବଭୁତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି
ଭ୍ରାମୟାନ୍ ସର୍ବଭୁତାନି ଯନ୍ତ୍ରାରୁଢ଼ାନି ମାୟୟା ।"
ଅର୍ଥାତ୍ - "ସକଳ ପ୍ରାଣୀ ଶରୀରରେ ଈଶ୍ବର ଅବସ୍ଥାନ କରନ୍ତି । ପ୍ରତ୍ଯେକ ଶରୀର ଏକ ଏକ ଯନ୍ତ୍ର ଏବଂ ସେହି ଯନ୍ତ୍ରରେ ଈଶ୍ବରଙ୍କ ସ୍ଥାନ । ସଦାସର୍ବଦା ସେ ଯନ୍ତ୍ରାରୁଢ଼ ହୋଇ ଭ୍ରାମ୍ଯମାଣ ।" ଏହି କଥାରୁ ସେ ଅର୍ଜୁନଙ୍କୁ ତାଙ୍କର ଶରଣାପନ୍ନ ହେବାକୁ ପ୍ରବର୍ତ୍ତାଇଛନ୍ତି । ସବୁକିଛିକୁ ତ୍ଯାଗ କରି ତାଙ୍କ ଠାରେ ପ୍ରୀତି ପୂର୍ବକ ମତି ସ୍ଥାପନ କରିବାକୁ ଯାଇ କହିଛନ୍ତି :-
"ସର୍ବଧର୍ମାନ୍ ପରିତ୍ଯଜ୍ଯ ମାମେକଂ ଶରଣଂ ବ୍ରଜ
ଅହଂତ୍ବା ସର୍ବପାପେଭ୍ଯୋ ମୋକ୍ଷୟିଷ୍ଯାମି ମା ଶୁଚ଼ଃ ।"
"ସକଳ ଧର୍ମ ପରିତ୍ଯାଗ ପୂର୍ବକ ମୋ' ଶରଣରେ ଆସ , ସମସ୍ତ ପାତକ ହରଣ କରି ମୁଁ ତୁମକୁ ମୋକ୍ଷ ପ୍ରଦାନ କରିବି ।" ଏହି ଶ୍ଳୋକଟି ଅଧୁନା ଯୁଗ ପାଇଁ ବେଶ୍ ପ୍ରଯୁଜ୍ୟ ମନେହୁଏ । ଭାଗବତ ପୁରାଣ ମଧ୍ୟ ପ୍ରମାଣ ଦିଏ ଯେ :-
"କୀଟ ପତଙ୍ଗ ତରୁ ତୃଣ
ସର୍ବ ଦେହେ ନାରାୟଣ ।"
"ଗୀତା" ଓ "ଭାଗବତ" ବାଣୀ ସମ୍ପୂର୍ଣ୍ଣ ସମାନ , ଏକାର୍ଥବୋଧକ ଅଟେ । ମର୍ତ୍ତ୍ୟରେ ଜନ୍ମ ହେଲେ ମୃତ୍ୟୁ ଅନିର୍ବାର୍ଯ୍ଯ । ସେଇ ଭାଗବତ ସୂଚନା ଦିଏ ପୁନରାୟ :-
"ମର୍ତ୍ତ୍ୟମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ ।"
ତେଣୁ ଯେତିକି ଦିନ ବଞ୍ଚିବା ପରସ୍ପର ସ୍ନେହ ,ଶ୍ରଦ୍ଧା , ଭଲପାଇବା ଓ ସହାନୁଭୂତିପୂର୍ଣ୍ଣ ଭାବ ପ୍ରକଟ କରି ଇହଧାମ ତ୍ୟାଗ କରିବା । ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ବାଣୀ ଅନୁସାରେ :-
"ଯେ' ପାଞ୍ଚଇ ପର ମନ୍ଦ
ତା' ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।"
ଏସବୁ ପଦ ସମୂହ କଳିଯୁଗ ପାଇଁ ମହାମନ୍ତ୍ର ସଦୃଶ , ଏସବୁ ମୁକ୍ତିର ମାର୍ଗ । ଧର୍ମ ମାର୍ଗରେ ପରିଚାଳିତ ହୋଇ ଈଶ୍ୱର ବିଶ୍ବାସୀ ହେବା ହିଁ ଏହି କଳିଯୁଗରେ ଶ୍ରେୟସ୍କର । ସର୍ବ ଧର୍ମ , ସର୍ବ କର୍ମ , ସର୍ବ ତୀର୍ଥ ହିଁ ଏକମାତ୍ର ଈଶ୍ବର ଅଟନ୍ତି । ଜଗନ୍ନାଥ ଦାସଙ୍କ ଭାଷାରେ :-
"ସକଳ ତୀର୍ଥ ତୋ' ଚରଣେ ।
ବଦ୍ରିକା ଯିବି କି କାରଣେ ।।"
ଭାଗବତର ଏ ବାଣୀ ଈଶ୍ୱରଙ୍କ ପ୍ରତି ଦୃଢ଼ ବିଶ୍ବାସ ଜନ୍ମାଇବା ସହ ଧର୍ମ ମାର୍ଗରେ ପରିଚାଳିତ ହେବାକୁ କୁହେ ; ଜପ , ତପ , ବ୍ରତାଚରଣର ସୂଚନା ପ୍ରଦାନ କରି ପ୍ରକାଶିତ କରେ :-
"ଧ୍ଯାନରେ ବ୍ରହ୍ମଙ୍କୁ ଚିନ୍ତିବ ।
ଅଦ୍ଭୁତ ଶକ୍ତି ସଞ୍ଚରିବ ।।"
କର୍ମମୟ ଜୀବନରେ କର୍ମ ବିମୁଖତା ପ୍ରକାଶ ନ କରିବାକୁ "ଭାଗବତ" କହେ । ସେଥିପାଇଁ କୁହାଯାଇଛି :-
"କର୍ମ କରିବ କଷ୍ଟ ସହି ।
କର୍ମରେ ଭଲ ମନ୍ଦ ନାହିଁ ।।
ସତ୍ଯ କର୍ମରେ ଧର୍ମ ଅଛି
ଧର୍ମ କରିବ କର୍ମ ବାଛି ।।"
ସ୍ନେହ ସୌହାର୍ଦ୍ଦ୍ଯପୂର୍ଣ୍ଣ ଭାବରେ ଜୀବିକା ନିର୍ବାହ କରିବାକୁ ଜଗନ୍ନାଥ ଦାସ ଭାଗବତରେ ବର୍ଣ୍ଣନା କରି କହିଛନ୍ତି :-
"ଅମୃତ ବଚନ କହିବ ।
ପରକୁ ଆପଣା କରିବ ।।"
କାହା ପ୍ରତି କଟୂକ୍ତି ପ୍ରକାଶ୍ଯ ଅଧର୍ମ ବୋଲି ବିବେଚନା ହୋଇଛି । ପର-ଆପଣା ଭାବ ବହନ ଧର୍ତ୍ତବ୍ୟ ପାତକ , ସେଲାଗି ଭାଗବତ ସୂଚନା ଦିଏ ଯେ :-
"ପର-ଆପଣା ଯା'ର ନାହିଁ ।
ସାଧୁରେ ଗଣା ଅଟେ ସେହି ।।"
ପ୍ରକୃତ ସାଧୁ କେବେ ପର-ଆପଣା ଭାବ ପ୍ରକଟ କରେନି । ସମସ୍ତେ ନିଜର , ପୁଣି କେହି ନିଜର ନୁହଁନ୍ତି । ମାୟା ସଂସାରର କଥା ଉଠିଲେ "କେହି ନିଜର ନୁହେଁ" ବୋଲି ବୁଝିବାକୁ ହୁଏ । କିନ୍ତୁ ଧର୍ମର କଥା ଉଠିଲେ "କେଇ ପର ନୁହେଁ" ବୋଲି ବୁଝିବାକୁ ହିଁ ପଡ଼ିବ । ତେଣୁ ସମସ୍ତଙ୍କ ସହ ଆନ୍ତରିକତାର ଭାବ ପ୍ରକଟ ଏବଂ ମଧୁର ବଚନରେ ଆପ୍ଯାୟିତ କରି ସ୍ବକର୍ମାଚରଣ ପୂର୍ବକ ଜୀବନ ଅତିବାହିତ କରିବାକୁ ଭାଗବତରେ ପରାମର୍ଶ ଦିଆ ଯାଇଛି ; କୁହାଯାଇଛି :-
"ଅମୃତ ବିନୟ ବଚନ ।
କହି ତୋଷିବ ପ୍ରାଣୀ ମନ ।।"
ନିଜର କର୍ମ ଅନୁଯାୟୀ ଫଳ , ସୁକର୍ମରେ ଖ୍ଯାତି ଓ କୁକର୍ମରେ ନିନ୍ଦା ଯୁଗେ ଯୁଗେ ଅଛି । ଭାଗବତ କହୁଛି :-
"ସର୍ବେ ଚଳିବେ କାଳ ବଳେ ।
ଯଶ ରହିବ ମହୀ ତଳେ ।।"
ସମସ୍ତେ ସମୟର ଦାସ ; ସମୟ ଅନୁସାରେ ଯେ' ଯାହା ପଥରେ ଚାଲିଯିବେ ସିନା ଯଶ କିନ୍ତୁ ଯୁଗ ଯୁଗକୁ ରହିବ । ଧନସମ୍ପତ୍ତି , ଆତ୍ମଗର୍ବ , ହିଂସା , ସ୍ବାର୍ଥ ଏସବୁ କାହାର ରହିନି କି ରହିବନି । ତେଣୁ କୁହାଯାଇଛି :-
"ସମ୍ପଦେ ଯେ'କରେ ବଡ଼ିମା ।
କାଳ ଭାଙ୍ଗଇ ତା' ଗାରିମା ।।"
ସତ୍ଯ , ନ୍ଯାୟ , ଧର୍ମ ମାର୍ଗରେ ଥିଲେ କେହି କିଛି କ୍ଷତି କରିପାରିବେ ନାହିଁ , ଏସବୁରୁ ବିଚ୍ଯୁତ ହେଲେ ଦୈବର ମୁଷ୍ଟି ପ୍ରହାର ସହ୍ୟ କରିବାକୁ ଏଯାଏଁ କେହି ଜନ୍ମ ନେଇନି ଧରାରେ । ଭାଗବତ ପରା ସୂଚେଇ ଦେଇଛି ସମସ୍ତଙ୍କୁ :-
"ଯାହାକୁ ରଖିବେ ଅନନ୍ତ ।
କି କରିପାରେ ବଳବନ୍ତ ।।
ଯେବେ ଗୋବିନ୍ଦ ଆଶ୍ରେ ଥିବ ।
ଅନେକ ସଙ୍କଟୁ ତରିବ ।।
ଈଶ୍ବର କ୍ରୀଡ଼ା ଏ ଜଗତ ।
ପ୍ରାଣୀଏ ଈଶ୍ବର ଆୟତ୍ତ ।।
କଠୋର ସତ୍ଯ ଯେ' ପାଳିବ ।
ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ ।।
ଏ କଳି କାଳେ ନାମ ସାର ।
ନାମଟି ସାକ୍ଷାତ ଈଶ୍ବର ।।"
"ଗୀତା" ଓ "ଭାଗବତ"ର ଏ ଜନହିତକର ବାଣୀ ସମାଜ ସୁଗଠନର ମୁଖ୍ୟ ସ୍ରୋତ ଏବଂ ଜୀବର ମୋକ୍ଷ ମହୌଷଧି ; କଳିର କରାଳରୁ ବର୍ତ୍ତିବା ପାଇଁ ଏ ବାକ୍ଯୌଷଧି ସେବନ କରିବା ନିତାନ୍ତ ପ୍ରୟୋଜନୀୟ । ତେଣୁ ପୁଣି ବର୍ଣ୍ଣିତ ଅଛି :-
"ଏ ଭାଗବତ ଧର୍ମ ବାଣୀ ।
ଧର୍ମ ସମାନ ପରମାଣି ।।
ଯେ' ଏହା ଶୁଣଇ ଶ୍ରଦ୍ଧାରେ ।
ଭକତି ଜନ୍ମେ ତା' ଅନ୍ତରେ ।।"
କଳି ରୂପକ ବ୍ଯାଧିରୁ ମୁକ୍ତି ପାଇବାକୁ "ଗୀତା" ଓ "ଭାଗବତ" ପରି ମହୌଷଧି ବିଶଲ୍ଯକରଣୀର ବ୍ଯବହାର ପୂର୍ବକ ଆପେ ଚିକିତ୍ସିତ ହେବା ସର୍ବାଦୌ ଉଚିତ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ସମ୍ପର୍କ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment