ଶିବର ବଚନ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ଯାହା ମୁଁ ନଥିଲି ଦେଖି ମୋର ବାଲ୍ଯ କାଳେ
ଅବିକା ଦେଖୁଛି ତାହା ସ୍ବନେତ୍ର ଯୁଗଳେ।
ରକ୍ଷକ ଭକ୍ଷକ ସାଜି ଶୋଷୁଛି ଶୋଣିତ
ନିର୍ଦ୍ଦୋଷୀ ପାଉଛି ସଜା ଦୋଷୀ ଦଣ୍ଡ ମୁକ୍ତ।
ନ୍ଯାୟାସନେ ନ୍ଯାୟଧୀଶ ରୂପରେ ଅନ୍ଯାୟୀ
ଉପବେଶି ଅଛି ଦେଖ ନ୍ଯାୟ ଦେବା ପାଇଁ ।
ପାପୀ କରେ ପୁଣ୍ୟ କାର୍ଯ୍ୟ ଘୃଣ୍ଯ କି ନୁହଁଇ
କହିବାର ଜୁ ବା ଏଠି ଅଛି କାହା ଠେଇଁ ?
ଏ ଘର ମାଉସୀ କେତେ ସେ ଘର ପିଉସୀ
ସ୍ବାର୍ଥ ପାଇଁ ଗଳାରେ କେ' ଲଗାଉଛି ରଶି ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଭାରତୀୟ
ବଖାଣି ଭ୍ରମେ ଅଳୀକେ କାର୍ଯ୍ୟେ ନାହିଁ ଲୟ ।
ସଭା ସମିତି ଡକାଇ ତୁଚ୍ଛାରେ ଭାଷଣ
ବଚନ ମଧୁର ହେଲେ କାର୍ଯ୍ୟ ଘର ଶୂନ।
ପ୍ରଜା ହିତେ ସିନା ରାଜା ସଦା ଦିଏ ମନ
ଏବେ ଦୃଶ୍ଯମାନ ନୃପ ସ୍ବାର୍ଥରେ ନିପୁଣ ।
କଚେରି କାଠଗଡାରେ ଗୀତା ଓ କୋରାନ
କରଛୁଆଁ ଡାହାମିଛ ବଖାଣନ୍ତି ଜନ ।
ମନ ହେଲେ ଧନ ମୁହାଁ ସୁଜନ ଦୁର୍ଜନ
କ୍ଷଣିକ ସୁଖରେ ହୃତ ହିତାହିତ ଜ୍ଞାନ ।
ଠକ ତସ୍କରଙ୍କ ଭିଡ ଜମା କମୁନାହିଁ
ମନ୍ତ୍ରୀ ଯନ୍ତ୍ରୀ ଠିକାଦାର ଦୁର୍ନୀତିରେ ବାଇ ।
ଯେତେ ଧନ ସେତେ ମନ ସର୍ବଦା କାଙ୍ଗାଳ
ଜାଣି ବି ଅଜ୍ଞାନ ପୁଣି ଶତ୍ରୁ ସଦାକାଳ ।
ଆବାସ ନାହିଁ କା'ର ଯାଯାବର ଜୀବନ
କିଏ ପୁଣି ଅୟସରେ ବିତାଉଛି ଦିନ ।
ଦୀନ ପ୍ରତି ଦୟା ଭାବ ପରିବର୍ତ୍ତେ ଜନ
ଅହଂର ମଦିରା ପାନେ ଦିଅନ୍ତି କଷଣ ।
ନିଶା ଏଠି ପେଶା ହୋଇ ବିନାଶେ ପରାଣ
ସୁନାର ସଂସାର ଭାଙ୍ଗି କ୍ଷଣେ ଚୂର୍ଣ୍ଣ ଚୂର୍ଣ୍ଣ ।
ଅଭାବେ ସ୍ବଭାବ ନଷ୍ଟ ସତ୍ଯ ଏ ବଚନ
ଜନ୍ମ ହେବା ଆଗୁଁ ଆଖି ବୁଜଇ ସନ୍ତାନ ।
ଖବରକାଗଜ ଫର୍ଦ୍ଦ କରିଛି ମଣ୍ଡନ
ନିତି ନିତି ସମାଜରେ ହତ୍ଯା କନ୍ଯା ଭ୍ରୂଣ ।
ନାରୀ ନୁହେଁ ସୁରକ୍ଷିତ ଘରେ ଓ ବାହାରେ
ସର୍ବତ୍ର ଲୋଲୁପ ଦୃଷ୍ଟି ତାହାରି ଉପରେ ।
କାମ ଜ୍ଜ୍ବାଳା ଜର୍ଜରିତ ଗୁରୁ ହରେ ଶିଷ୍ଯା
ବିଦ୍ବାନ ବ୍ରାହ୍ମଣ ଫେରେ ସଙ୍ଗ କରି ବେଶ୍ଯା ।
ହିନ୍ଦୁ ଶାସ୍ତ୍ର ମତେ ଧେନୁ ଜନନୀ ଆମର
କଂସେଇକୁ ବିକି ପାପ ଅରଜେ ପାମର ।
ପତି ଭାର୍ଯ୍ୟା ମଧ୍ଯେ ଗୋଳ ନାହିଁ ବୁଝାବଣା
ଅର୍ଥ ହିଁ ଅନର୍ଥ ମୂଳ ସର୍ବତ୍ର ବାଜଣା ।
ଲଜ୍ଜା ତ ଅଟଇ ନାରୀ ଅଙ୍ଗ ଆଭୂଷଣ
ବକ୍ଷ ମୁକୁଳାଇ ନାରୀ କରେ ବିଚରଣ ।
ମାନ୍ଯ ନାହିଁ ଆଉ ଭାଇବୋହୂ ଦେଢ଼ଶୁର
ନମାନେ ଭାଣିଜୀବୋହୂ ତା'ର ମଳାଶୁର ।
ଓଡ଼ିଆ ବୋହୂର ଶୋଭା ମଥାରେ ଓଢ଼ଣା
କାହିଁ ହଜିଗଲା ତାହା ପଡୁନାହିଁ ଜଣା ।
ଓଡ଼ିଆଣୀ ବୋହୂ ଯେତେ ଓଳଗି ଭୁଲିଲେ
ବିଦେଶିନୀ ପରି ସର୍ବେ କୋଳାକୋଳି ହେଲେ ।
ଓଡ଼ିଆର ପରମ୍ପରା ଚୁଲିକୁ ଗଲାଣି
ନିଶାସକ୍ତେ ଓଡିଆଣୀ କାହାକୁ ମାନେନି ।
କଳି କାଳେ ଗ୍ରାସିଅଛି ଲୋଭର ଅସୁର
ଭାତୃ ବିବାଦେ ନିଳୟେ ଉଠଇ ପ୍ରାଚୀର ।
ମାର୍ପିଟ୍ ହଣାକଟା ସଦା ରକ୍ତପାତ
ଅଜ୍ଞାନୀ ବୋଲେ ମୋ' ଠାରୁ ନାହିଁ କେ' ପଣ୍ଡିତ ।
ଅଳ୍ପ ଜାଣି ବହୁ ବଖାଣି ମୁହଁଟି ଟାଣ
ପୁଚ୍ଛିଲେ ପ୍ରଶ୍ନ ବ୍ରତ ମୌନ ଅବଲମ୍ବନ ।
ସାହିତ୍ୟକୁ ସାହିତ୍ୟିକ ପଣ୍ଯ ଦ୍ରବ୍ଯ କରି
ବିକ୍ରିବଟା ବ୍ଯାପାରରେ ଧୁରନ୍ଧର ଭାରି ।
କ୍ରୟ ହୁଏ ମାନପତ୍ର କେଇଟା ଟଙ୍କାରେ
ମିଛ ପରଶଂସା ପାଇଁ ପାଗଳ ହଜାରେ ।
କଳି ଯୁଗେ କାହାରିକୁ ହେବ ନାହିଁ କଳି
ଏକକୁ ଆରେକ ପରାୟ ତା'ତହୁଁ ବଳି ।
ସତ କଦାପି ଲୁଚେନା ପଡିଯାଏ ଜଣା
ସତ ଭାଷୁଥିବା ଜନ ଶତ୍ରୁ ରୂପେ ଗଣା ।
ସତ୍ଯ ସର୍ବଦା ଅସହ୍ଯ ଶୁଣି ରକ୍ତ ତାତେ
ଆନ୍ଦୋଳନ ଆରମ୍ଭନ୍ତି କୁଜି ନେତା ଯେତେ ।
ନେତାଙ୍କ ଚରଣୋଦକ ପାନକାରୀ ଦଳ
ଆଜ୍ଞା ପ୍ରାପ୍ତ ମାତ୍ରେ ସର୍ବେ ହୋନ୍ତି ଏକମେଳ ।
ଦୁର୍ବଳ ଉପରେ ସବଳର ଅତ୍ଯାଚାର
ପଢ଼ିଛି ପୁରାଣୁ ଏହା ପୁରୁଣା ଖବର ।
ରାତିକ ଭିତରେ କଳା ପରିଣତେ ଧଳା
ସତ ଛପି ମିଛ ଆସି କରେ ଠିଆପାଲା ।
କାହାର ବା ନାହିଁ ନିଜ ଜୀବନକୁ ଭୟ
ଧମକରେ ସାମ୍ବାଦିକ ଛାପେ ମିଛ ପ୍ରାୟ ।
ସାଧୁ ବେଶେ ଅସାଧୁଙ୍କ କଳା କାରନାମା
ଜାଣି ନପାରି ଜନ କରେ ଉପାସନା ।
ଗିଳିବେ ଆଲକତରା ମାଗଣା ମିଳିଲେ
ଗରିବ ହେବାକୁ ଚେଷ୍ଟା କରନ୍ତି ସକଳେ ।
ଜୀବନ ମହଙ୍ଗା ଅତ୍ର ମରଣଟି ଶସ୍ତା
ଅଯଥା ପାପ ଅର୍ଜନ ସିନା ବସ୍ତା ବସ୍ତା।
କାହାକୁ କହିବ ଏଠି ଶୁଣିବ ବା କିଏ
ଲୋଭ ମୋହ ମାୟାର ବଶବର୍ତ୍ତୀ ସଭିଏଁ ।
ନୁହଁଇ ବିଳମ୍ବ କାଳ ଉପନୀତ ପ୍ରାୟ
ଅବିଳମ୍ବେ ଆସିଯିବେ ପାଶେ ନର୍କରାୟ ।
ଜାଣି ଜାଣି ବର ନାହିଁ ନିଜର ମରଣ
ବେଳ ଥାଉଁ ବନ୍ଧ ବାନ୍ଧ ଶିବର ବଚନ ।।
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡା,ନିରାକାରପୁର,କଣାସ (ପୁରୀ)
ଫୋ--୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment