ପ୍ରଭୁ ପାଦେ ମିନତି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି

କଞ୍ଜ ଫୁଲଟିଏ       କର ମତେ ପ୍ରଭୁ
       ତବ କରେ ଶୋଭା ଦେବି
ତବ ଶ୍ରୀକରରେ       ଶୋଭା ପରଷିଲେ
           ନିଜକୁ ଧନ୍ୟ ମଣିବି ।୧
ଖଡ୍ଗଟିଏ ମୋତେ       କରନ୍ତୁ ଠାକୁରେ
            କଳିକଙ୍କି ଅବତାରେ
ମ୍ଳେଚ୍ଛଙ୍କ ସଂହାର       କରନ୍ତ ଠାକୁର
     ଧରି ମୋତେ ନିଜ କରେ ।୨
ଗଦାଟିଏ ମୋତେ       କର ରଙ୍ଗନାଥ
           ତବ ହସ୍ତେ ରହିଥିବି
ଦୁଷ୍ଟ ନିବାରଣ       କରିବେ ଆପଣ
      ହସ୍ତେ ଧରି କୌମାଦକୀ ।୩
ଘନସାର କରି      ମୋତେ ମାୟାଧର
          ଲଲାଟେ କର ଧାରଣ
ଝରାଇବି ବାସ       ଲଲାଟ ପାବକେ
       ଏଇ ମୋର ନିବେଦନ ।୪
ଚକ୍ରରାଜ ମୋତେ       କରି ଚକ୍ରଧର
        କରାଙ୍ଗୁଲ୍ଯେ ଦିଅ ସ୍ଥାନ
ଦୁଷ୍ଟ ସଂହାରନ୍ତେ       ନିମିଷେ ଦଣ୍ଡକେ
         ନାଶିବି ଖଳ ପରାଣ ।୫
ଛତ୍ରଟିଏ ମୋତେ       କରନ୍ତୁ ସାଆନ୍ତେ
            ଢାଙ୍କି ଦେବି ତବ ଶିର
ବାଧିବନି ଆଉ        ଆହେ ମହାବାହୁ
         ସହସ୍ରରଶ୍ମିର କର ।୬
ଜଗଦଳ ମୋତେ       କର ପ୍ରାଣ ଈଶ
        ବଗଲେ ଭରିବି ଶୋଭା
ତବ ବାହୁ ମୂଳେ       ରଖନ୍ତୁ ଠାକୁରେ
       ଝଲସିବ ତବ ଆଭା ।୭
ଝୁଲଣାଟେ ମୋତେ        କରନ୍ତୁ ଶ୍ରୀନାଥ
            ଅଙ୍କେ ମୁଁ ରଖିବି ଆଙ୍କି
ସୁଖନିଦ୍ରା ଯିବେ       ମୋ' ଅଙ୍କେ ଆପଣ
         କ୍ଳାନ୍ତରୁ ପାଇବେ ମୁକ୍ତି ।୮
ଟିଆପକ୍ଷୀ ମୋତେ       କର ରାମାବର
             ଜପୁଥିବି ହରେକୃଷ୍ଣ
ହରେରାମ ପଦ         ତୁଣ୍ଡୁ ସ୍ଫୁରୁଥିବ
      ଧନ୍ଯ ହେବ ଏ ଜୀବନ ।୯
ଠେକାଟିଏ ହୋଇ       ତବ ଶିରେ ଥିଲେ
           ଦଣ୍ଡିବନି ମୋତେ ଯମ
କାଳଯମ କାଳ       ଫାଶେ ନ ପଡ଼ିବି
      ବୈକୁଣ୍ଠେ ମିଳିବ ସ୍ଥାନ ।୧୦
ଡୁଇଁରେ ଡାକୁଛି       ଅଧମ ଡିଙ୍ଗର
        କରନାହିଁ ପ୍ରତ୍ଯାଖ୍ଯାନ
ତୁମ ବିନା ହରି       କେହି ନାହିଁ ମୋର
       ତୁମେ ମୋର ଭଗବାନ ।୧୧
ଢମ ବିନାଶକ       ପରମ ବାନ୍ଧବ
         ଭବ ହ୍ରଦୁ କର ପାରି
ତଟେ ଦିଅ ନାବ       ମୁକୁନ୍ଦ ମାଧବ
     ପାଶେ ନିଅ ମତେ ବରି ।୧୨
ତୁଳସୀର ବୃକ୍ଷ        କରନ୍ତୁ କେଶବ
         ସାଜିବି ଦୟଣା ହାର
ତୁମ ପାଦ ତଳେ       ପଡ଼ି ରହିଥିବି
    ତହିଁରେ ଆନନ୍ଦ ମୋର ।୧୩
ଥକା ଲାଗିଲାଣି       ଥକା ମନେ ମୋର
           ବିଶ୍ରାମ ଲୋଡୁଛି ମୁହିଁ
ତବାଙ୍କେ ଦିଅନ୍ତୁ       ସ୍ଥାନ ଟିକେ ପ୍ରଭୁ
     ଆଉ କିଛି ଲୋଡ଼ା ନାହିଁ ।୧୪
ଦୟାର ଠାକୁର       ହେ' ବିଶ୍ବବିହାରୀ
       ବାରେ କର ଦୟା ମୋତେ
ଦୀନ ଜନ ପ୍ରାଣ         ଦୀନ ଦୁଃଖ ଶୁଣ
        ହକାରୁଛି ଯୋଡ଼ହସ୍ତେ ।୧୫
ଧନ୍ବୀ ଧର୍ମରାଜ         ନୁହେଁ ମୁଁ ମାଧବ
          ଜାଣି ନାହିଁ ପାପ ପୁଣ୍ଯ
ପାପ ମନ ମୋର       ପାପେ ଭରପୂର
      ଦିଅ ମୋତେ ଦିବ୍ଯଜ୍ଞାନ ।୧୬
ନନ୍ଦର ନନ୍ଦନ          ହେ' ନକ୍ଷତ୍ରନେମି
           ବାସୁଦେବ ନାରାୟଣ
ନନ୍ଦକ ଶୋଭକ       ଆହେ ନନ୍ଦାତ୍ମଜ
       ଚରଣେ କରେ ନମନ ।୧୭
ପଞ୍ଚମୁଖ ବ୍ରହ୍ମା        ପଦେ ପ୍ରଣମନ୍ତି
           ଗାୟନ କରନ୍ତି ସ୍ତୁତି
ମୁଁ ଛାର ଅଜ୍ଞାନ       ନାହିଁ ମୋର ଜ୍ଞାନ
       କେଉଁ ସ୍ତୁତି ବଖାଣିବି ।୧୮
ଫକୀରଟେ ବୋଲି       ଫଜିତ ହୋଇଲି
           ମିଛ ମାୟା ସଂସାରରେ
ଫଡ଼କା ଗୋଟିଏ        କରିଦିଅ ପ୍ରଭୁ
       ଉଡ଼ିବି ତବ ମନ୍ଦିରେ ।୧୯
ବଂଶୀଟିଏ ମୋତେ       କର ବଂଶୀଧର
            ପାଇବି ଅଧର ସ୍ପର୍ଶ
ନିତି ଚୁମୁଥିବି     ରଙ୍ଗା ଅଧର ମୁଁ
     ଲଭିବି ସରଗ ସୁଖ ।୨୦
ଭକ୍ତିରେ ଅଜ୍ଞାନ       ମନ୍ତ୍ର କ୍ରିୟା ହୀନ
         ଲେଶ ମାତ୍ର ନାହିଁ ଜ୍ଞାନ
ଭଦ୍ରାସନ ତଳେ       ଦଣ୍ଡାୟମାନ ମୁଁ
     ଅପରାଧ ମୋର କ୍ଷମ ।୨୧
ମଣିମା ଶୁଣିମା       ହୁଅନ୍ତୁ ଆପଣ
        ବିନୟେ କରେ ବିନତି
କିଛି ମାଗୁନାହିଁ        ଧନ ଜନ ମୁହିଁ
      ପଦେ ଶରଣ ମାଗୁଛି ।୨୨
ଯଜ୍ଞୋପବୀତଟେ       କର ନରନାଥେ
           ସ୍କନ୍ଧେ ତୁମ ଝୁଲୁଥିବି
କେଡ଼େ ଭାଗ୍ଯ ହେବ       ପୁତ୍ରଟିଏ ହୋଇ
         ପିତା କାନ୍ଧେ ବସିଥିବି ।୨୩
ରଖ ଜନାର୍ଦ୍ଦନ        ତବ ଭୁଜ ତଳେ
         ବାହୁ ବଗଲରେ ଛନ୍ଦି
ତବ ବାହୁ ଛାୟା       ଢାଙ୍କୁ ମୋର କାୟା
         ଏତିକି କରେ ମିନତି ।୨୪
ଲୋହଟିଏ ମୋତେ        କରିଦିଅ ପ୍ରଭୁ
             ପାଇବି ବହୁତ ଖୁସି
କପାଳେ ତୁମର        ଶୋଭା ପାଉଥିବି
        ଦୟା କର ଦୀନପତି ।୨୫
ଶଙ୍ଖଟିଏ ମୋତେ       କରନ୍ତୁ ଶ୍ରୀନାଥ
            କରମୁଷ୍ଟିକରେ ଥିବି
ବିଜୟ କାଳରେ        ତୁମ ଓଠ ଚୁମି
       ଅପୂତରୁ ପୂତ ହେବି ।୨୬
ଷଣ୍ମୁଖ ହେରମ୍ବ         ପାର୍ବତୀଙ୍କ ଈଶ
          ଷଷ୍ଠୀଦେବୀ ପଦ୍ମଧର
ପଦ୍ମପାଦ ଲାଭେ        ରଚିଲେ ପ୍ରୟାସ
      ନୋହିଲେ କେହି ସଫଳ ।୨୭
ସଞ୍ଜୁଟିଏ ମୋତେ       କରନ୍ତୁ ଶ୍ରୀଧର
           ତବ ବକ୍ଷେ ଝୁଲୁଥିବି
ମାୟାର ସଂସାର       ଲାଗଇ ଜହର
       ସଂସାରରୁ ତରିଯିବି ।୨୮
ହୟଟିଏ ମୋତେ     କରନ୍ତୁ ପ୍ରାଣେଶ
        ତୁମେ ସାଜ ହୟଙ୍କଷ
ହୟଘଡ଼ି ମୁହିଁ       ମୋ' ପୃଷ୍ଠେ ବସାଇ
        ଭ୍ରମିବି ତ୍ରିପୁର ଦେଶ ।୨୯
କ୍ଷମା କର ମୋର       ଯେତେ ଅପରାଧ
         ଆଉ କିଛି ଲୋଡ଼ା ନାହିଁ
ତବ ଶ୍ରୀଚରଣେ       ସ୍ଥାନ ଦିଅ ମୋତେ
      ରହିବି ଦାସଟେ ହୋଇ ।୩୦
ଏକତ୍ରିଂଶ ପଦେ -       'କ' ଠାରୁ 'କ୍ଷେ'
           କବିତା କଲି ଲିଖନ
ତୁମ୍ଭ ଆଶୀର୍ବାଦ       ଶିବର ମସ୍ତକେ
       ରହିଥାଉ ଚିରଦିନ ।୩୧

    ସମ୍ପାଦକ - ଉଦୟ ଭାନୁ

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ

         ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା