ଦଇବ ଦଉଡ଼ି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି

ସଲିଳକଣା ଏ     ମାନବ ଜୀବନ
       କ୍ଷଣକରେ ଯିବ ନାଶ
ମୋର ମୋର କହି     ବାଢୁଛୁ ଗରବ
      ଯିବୁ ଆରେ ଶୂନ୍ଯ ହସ୍ତ ।୧
ଲୋଭ ମୋହ ମାୟା     ବିସ୍ତାରିଛି କାୟା
       ଲୋଭ କରୁ କାହା ପାଇଁ ?
ଯାହାକୁ ବୋଲୁଛୁ    ଆପଣାର ବୋଲି
        ନିଜର ନୁହଁନ୍ତି କେହି ।୨
ବିଶ୍ବ ଦରବାର     ରଙ୍ଗମଞ୍ଚ ତୋର
         ପ୍ରକୃତି ଅଟେ ଦର୍ଶକ
ନିର୍ଦ୍ଦେଶନା ଦିଏ     ନିର୍ଦ୍ଦେଶକ ସାଜି
        ଦଇବ ଧରି ଚାବୁକ ।୩
ଲେଖନୀ ମୁନରେ     ଲେଖେ ଚିତ୍ରଗୁପ୍ତ
            ଅଭିନୟ ଫଳାଫଳ
ଅକ୍ଷଦର୍ଶକ ତ     ସାଜିଅଛି ଯମ
    କରିବ ତୋର ବିଚାର ।୪
ଭଲ ଅଭିନୟ     କଲେ ପ୍ରଦର୍ଶନ
        ପାଇବୁ ତୁ ପୁରସ୍କାର
ଅଭିନୟ ଯଦି     କରି ନ ପାରିବୁ
     ତିରସ୍କାର ହେବ ସାର ।୫
ଜାତ ବେଳେ ନର     ଉଲଗ୍ନ ଶରୀର
          ଅନ୍ତ ପରେ ବି ଉଲଗ୍ନ
ପିନ୍ଧାବାସ ଖଣ୍ଡି     ଆଗ ହେବ ଦାହ
      ପରେ ଶରୀର ଦହନ ।୬
କିଛି ତ ଆଣିନୁ     ଆଗତ କାଳରେ
     ଯିବା ବେଳେ କିସ ନେବୁ ?
ମୋର ମୋର କହି     ମିଛଟାରେ କାହିଁ
       ଲୋକହସା ହେଉଥିବୁ ?୭
ଏ ସବୁ ସମ୍ପତ୍ତି     ବିଭୁ ତ ରଚିଛି
         ଅସଲ ମାଲିକ ସିଏ
ଆମେ ଦାସଦାସୀ     ଜଗିଛେ ସମ୍ପତ୍ତି
        ଏସବୁ ଆମର ନୁହେଁ ।୮
ବିଧାତା ଦେଇଛି     ପୂର୍ଣ୍ଣ ସ୍ବାଧୀନତା
      କହିଛି ସେ କାନେ କାନେ
ସୁରକ୍ଷାରେ ତୋର    ରଖିବୁରେ ଧନ
       ନଷ୍ଟ ନ କରିବୁ କ୍ଷଣେ ।୯
କ୍ଷୁଧା କଷ୍ଟ କେବେ     ଲାଗିବନି ତୋତେ
           ଖାଦ୍ଯ ମୁଁ ରଖିଛି ସଞ୍ଚି
ଶ୍ରମ ତୁ କରିଲେ     ସୁସ୍ବାଦୁ ବ୍ଯଞ୍ଜନ
     ପାରିବୁ ନିଶ୍ଚେରେ ଭୁଞ୍ଜି ।୧୦
ତୃଷାରେ ଆତୁର      ହେବୁ ନାହିଁ ବୋଲି
         ତୋ' ପାଇଁ ରଖିଛି ନୀର
ଯେତେ ତୁ ଭୁଞ୍ଜିଲେ   ଯେତେ ପାନ କଲେ
           ସରିବନି ଖାଦ୍ଯ ଜଳ ।୧୧
   ବସି ତ ଖାଇଲେ     ନଈବାଲି ସରେ
             ଜାଣିଥାଅ ଏହି କଥା
      ପରିଶ୍ରମ କରି     ସୁଖରେ ରହିବୁ
          ଲାଗିବନି କ୍ଷୁଧା-ତୃଷା ।୧୨
ସବୁ ଜାଣିଶୁଣି      କାହିଁକିରେ ପୁଣି
      ୟେସନେକ ହେଉଅଛୁ ?
ଏତେ ସୁଖ ତୋତେ     ପ୍ରଦାନିଲା ଯିଏ
       ଦିନେ ନ ଭଜିଲୁ ତାଙ୍କୁ ।୧୩
କହରେ ମାନବ     ଯେବେ ହେଲୁ ଜାତ
       ତୋ' ସାଥେ ଆସିଛି କିଏ ?
  ଏକା ତୁ ଆସିଛୁ      ଏକା ଚାଲିଯିବୁ
        ପ୍ରକୃତ ସତ୍ଯ ତ ଇଏ ।୧୪
   ଧର୍ମ ଓ ଅଧର୍ମ      ପୂର୍ବ କୃତକର୍ମ
         ସଙ୍ଗେ ନେଇ ଆସିଥାଉ
ଗଲା ବେଳେ ସେହି     ସଙ୍ଗତରେ ଥିବ
       କେହି ତ ନଥିବେ ଆଉ ।୧୫
ଜାତ ବେଳେ ତୁହି     ଶିଶୁଟିଏ ହୋଇ
           ମରତେ ରଖିଲୁ ପାଦ
   ଅନ୍ତକାଳେ ମଧ୍ଯ      ଆସିବ ଶୈଶବ
       ଯେବେ ହୋଇଯିବୁ ବୃଦ୍ଧ ।୧୬
ଶୈଶବେ ଯେମିତି      ମଳମୂତ୍ର ଘାଣ୍ଟି
             ରଡୁଥିଲୁ କୁଆଁ କୁଆଁ
ଜରାଜୀର୍ଣ୍ଣ ହେଲେ     ତେସନେକ ହେବୁ
      ଯେସନେ ଥିଲୁରେ ଛୁଆ ।୧୭
ଥିଲା ବୋଲି ମାତା     କରୁଥିଲା ସେବା
          ସହୁଥିଲା କେତେ ଅଳି
ମାତା ତ ନଥିବ     ସେବା କେ' କରିବ
         ବଧୂ କରୁଥିବ କଳି ।୧୮
   ମରଣ ଗ୍ରାସୁନି      ପରାଣ ଛାଡୁନି
            ନେଉନି କାହିଁ ଅନ୍ତକ
    ପୁତ୍ରବଧୂ କଥା     ସହି ନ ପାରିବୁ
       ଢାଳିବୁ ଖାଲି ଲୋତକ ।୧୯
ଏବେ କହ ନର     କିଏ ତୋ' ନିଜର
          କାହାକୁ ମଣୁ ଆପଣା
କହରେ ମାନବ      କିଏ ଆଉ ହେବ
     ଆପଣା ଭାବରେ ଗଣା ?୨୦
ଯାହା ତୁ ଦେଖୁଛୁ      ଚତୁର୍ପାର୍ଶ୍ବେ ତୋର
          ସବୁ ମାୟା ବିଧାତାର
  ମିଛ ମାୟା ଏଇ     ସଂସାରଟା ଭାଇ
      ଜନ୍ମ-ମୃତ୍ୟୁ ସତ୍ଯ ତୋର ।୨୧
ଜନ୍ମ କାଳେ ତୋର     ଆନନ୍ଦ କରିବେ
        ମୃତ୍ଯୁରେ ହେବେ ଦୁଃଖିତ
ସେକାଳେ ଯେମିତି     ଉତ୍ସବ କରିବେ
     ଅନ୍ତେ ବି କରିବେ ଉତ୍ସବ ।୨୨
ଛିଣ୍ଡା ମସିଣାରେ     ଶୋଇ ଦେବେ ତୋତେ
             ଜରାଜୀର୍ଣ୍ଣ ଅବସ୍ଥାରେ
  ରୋଗଗ୍ରସ୍ତ ହୋଇ        ପଡ଼ିଥିବୁ ତୁହି
      କିଏ ବା ତୋତେ ପଚାରେ ।୨୩
ପିଣ୍ଡରୁ ତୋହର     ପରାଣ ପକ୍ଷୀଟି
       ଉଡ଼ି ଯେବେ ପଳେଇବ
ମରିଗଲା ବୋଲି     ବୋଲିବେ ସରବେ
       କେହି ନଛୁଇଁବେ ଶବ ।୨୪
ବନ୍ଧୁ ପରିଜନ      ସାଙ୍ଗସାଥୀ ମାନେ
         ନଗରବାସୀଏ ସର୍ବେ
ଚଉପାଶେ ତୋର     ବେଢ଼ି ରହିଥିବେ
      ଶେଷ ଦରଶନ ଆଶେ ।୨୫
ଷଡ଼ ବାଏଁଶରେ      ପାଳ ଦଉଡ଼ିରେ
       କୋକେଇଟେ ବାନ୍ଧି ଦେଇ
ଶୁଆଇ ଦେବେରେ     କାଠର ଶଯ୍ଯାରେ
        ଟେକି ନେଇ ଶବ କହି ।୨୬
ରାମ ନାମ ସତ୍ୟ      ହରି ନାମ ସତ୍ୟ
          ପଥେ କରି ଉଚ୍ଚାରଣ
ଶ୍ମଶାନ ଘାଟରେ     କାଷ୍ଠ ବିଛଣାରେ
       ଶରୀର ହେବ ଦହନ ।୨୭
ଗୋବର ପାଣିରେ     ଛେରା ପକାଇବେ
           ଘରଠୁ ଦୁଆର ଯାଏଁ
କେଇଘଡ଼ି ମାତ୍ର     ଶୋକେ ଅଭିଭୂତ
       ନିରବ ଆପଣାଛାଏଁ ।୨୮
କ୍ରିୟା କର୍ମ କରି      ଶୁଦ୍ଧି ହୋଇଗଲେ
         ଧିରେ ଧିରେ ପାଶୋରିବେ
   ଚିହ୍ନବର୍ଣ୍ଣ ସବୁ        ଲିଭିଯିବ ତୋର
       କେହି ଆଉ ନ ଖୋଜିବେ ।୨୯
ମାଟିର ଶରୀର        ମାଟିରେ ବିଲୀନ
       ଆତ୍ମା କେବେ ମରେ ନାହିଁ
  କରି ବିବର୍ଜନ       ଘଟ ପୁରାତନ
    ଅନ୍ଯ ଘଟେ ବସେ ଯାଇ ।୩୦
ବସ୍ତ୍ର ଚିରିଗଲେ        ଫିଙ୍ଗି ଦେଇ ଦୂରେ
            ନବ ବସ୍ତ୍ର ପୁଣି ପିନ୍ଧ
   ସେହିପରି ଆତ୍ମା      ଛାଡ଼ଇ ଶରୀର
       ଶରୀର ହୋଇଲେ ନଷ୍ଟ ।୩୧
ଦଇବର ଏହି        ମାୟା ଖେଳ ଭାଇ
          ବୁଝିବାକୁ ଚେଷ୍ଟା କର
ମର୍ତ୍ତ୍ୟ ମଣ୍ଡଳରେ        ଦେହ ବହି କେହି
         ପାଇନି ଅମର ବର ।୩୨
ସତ୍ଯ ଓ ଦ୍ବାପର       ତ୍ରେତୟା ଓ କଳି
          ଚାରିଯୁଗେ ଭଗବାନ
ଅବତରିଛନ୍ତି          ଏ ମରତ ଧାମେ
      ସର୍ବେ ତ୍ଯାଗିଛନ୍ତି ପ୍ରାଣ ।୩୩
ପ୍ରତ୍ଯକ୍ଷ ଭାବରେ       ଦେଖରେ କଳିରେ
          ଶିରୀକ୍ଷେତ୍ରେ ଜଗନ୍ନାଥ
ନବ କଳେବର        ହୋଇଲେ ଠାକୁର
         ଛାଡ଼ନ୍ତି ପୁରୁଣା ଘଟ ।୩୪
ନବ ଘଟେ ଯାଇ       ବସନ୍ତି ଗୋସାଇଁ
           ଖଣ୍ଡନ୍ତି ପ୍ରାଣୀ ଆରତ
କବି ରାଧାନାଥ      ରାୟ ଯେ ଲେଖିଲେ
       କାବ୍ଯରେ ଗୋଟିଏ ପଦ ।୩୫
"କେହି ରହିନାହିଁ       ରହିବେ ନାହିଁରେ
          ଭବରଙ୍ଗ ଭୂମି ତଳେ
  ସର୍ବେ ନିଜ ନିଜ       ଅଭିନୟ ସାରି
      ବାହୁଡ଼ିବେ କାଳବଳେ ।"୩୬
ତେଣୁ ତୁ ସୁକର୍ମ      ସ୍ବକର୍ମ ଆଚର
         ସତ୍‌ସଙ୍ଗ ନିତି କର
କର୍ମମୟ ହେଉ     ଜୀବନ ତୋହର
     ପାଇବୁ ନିଶ୍ଚେ ସୁଫଳ ।୩୭
ଦଇବ ଦଉଡ଼ି        ଏ ମଣିଷ ଗାଈ
       ଶୁଣ ଥରେ ଧ୍ଯାନ ଦେଇ
ଯେଣିକି ଟାଣଇ      ସେଣିକି ଯାଉରେ
        ଓଡ଼ିଆ ପ୍ରବାଦ ଏଇ ।୩୮

            ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
   ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
       ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା