ଦୁଇଟି ଆତ୍ମାର କଥୋପକଥନ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଘନ ଅନ୍ଧକାର ରାତି , ଚାରିଆଡ଼େ ଶୂନ୍ଶାନ୍ । ନିଦ୍ରାବତୀଙ୍କ କୋଳରେ ମୁଣ୍ଡ ରଖି ସମସ୍ତେ ଅଚେତନ ପ୍ରାୟ । କାଉ କୋଇଲିର ରାବ ବି ଶୁଭୁନି । କେବଳ ଝିଙ୍କାରିର ଝିଂ ଝିଂ ଶବ୍ଦ ସାଙ୍ଗକୁ ରାତ୍ରିଚର ପକ୍ଷୀଙ୍କର ମୃଦୁମନ୍ଦ ସ୍ବର ଅନ୍ଧକାରମୟ ସବୁଜ ବନାନୀର ପରିବେଶକୁ ଚଳଚଞ୍ଚଳ କରି ରଖିଛି ଏବଂ ବନ୍ଯ ପଶୁ ମାନଙ୍କର ଗର୍ଜନ ମଝିରେ ମଝିରେ ସୃଷ୍ଟି କରୁଛି କୋକୁଆ ଭୟ । ମୃଦୁ ମଳୟ ସ୍ପର୍ଶରେ ଲହକିଆ ଡେଙ୍ଗା ଗଛ ଗୁଡ଼ାକ ପରସ୍ପର ମଧ୍ଯରେ ଲଢ଼ାଲଢ଼ି ହେଉଥିବାରୁ ଗୁରୁଗମ୍ଭିର ଶବ୍ଦ ଜଙ୍ଗଲକୁ ଜୀବନ୍ତ କରି ରଖିଛି । ସେଇ ଜଙ୍ଗଲ ଭିତରେ ଥିବା ଏକ ନିବାଡ଼ିଆ ବରଗଛ ମୂଳରେ ଶାନ୍ତ ମୁଦ୍ରାରେ ବସିଛି ଛୋଟ ଝିଅଟିଏ , ଆଖି ଦୁଇ ଛଳଛଳ । ଦେଖିଲେ ଲାଗୁଛି ନିର୍ବାସନ ଦଣ୍ଡ ଭୋଗୁଥିବା ଜଣେ ବନ୍ଦୀ ଯେମିତି । କେହି କୁଆଡ଼େ ନାହିଁ , କିନ୍ତୁ ଇଏ... କ'ଣ କରୁଛି ଏଠି ? ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟ ମନରୁ ଏଡ଼େଇ ଦେଇ ଏ ଜଙ୍ଗଲ ଭିତରେ ବରଗଛ ମୂଳରେ କ'ଣ ପାଇଁ ବସିଛି ? କେହି ଆଉ ପ୍ରତାରଣା କରି ଏ ଜଙ୍ଗଲ ଭିତରେ ଛାଡ଼ି ଦେଇ ଯାଇନାହାନ୍ତି ତ ତାକୁ !! ଦେଖିଲେ ଅନୁମାନ କରିହେଉଛି ପନ୍ଦର କି ଷୋହଳ ବର୍ଷ ହେବ ଝିଅଟିକୁ , ଡର ଭୟ କିଛି ନାହିଁ ତାକୁ ! ନିରବ ନିଶ୍ଚଳରେ ମୁଣ୍ଡ ତଳକୁ ପୋତି ସକେଇ ହୋଇ କାନ୍ଦୁଛି କାହିଁକି ? ସତେ ଯେମିତି କୋମଳ ଫୁଲ ପାଖୁଡ଼ା ଝାଉଁଳି ପଡ଼ିଛି , ଲାଗୁଛି କିଛି ଉପାୟ ଖୋଜି ନପାଇ ଏଇଠାରେ ବସି ପଡ଼ିଛି ସେ । ଦୂରରୁ ତାକୁ ଲକ୍ଷ୍ଯ କରୁଥିବା ଆର ଝିଅଟି କିଛି ବୁଝି ପାରୁନଥିଲା । ଘଟଣା କ'ଣ ଜାଣିବାର ଅଭିପ୍ରାୟ ପୋଷଣ କରି ଧିରେ ଧିରେ ତା'ର ପାଦ ସେଇ ଛୋଟ ଝିଅଟି ଆଡ଼କୁ ବଢ଼ିବାରେ ଲାଗିଲା । ଅତି ନିକଟରେ ଛିଡ଼ା ହୋଇ ବୁହେ କାଳ ତାକୁ ଅନାଇ ରହିଲା , କ'ଣ କେଜାଣି ଲକ୍ଷ୍ୟ କରୁଥିଲା ତା' ପାଖରେ.....। କିଛି ସମୟର ନିରବତା ପରେ ପ୍ରଶ୍ନ କଲା ତାକୁ - "କିଏ ତୁମେ ? କ'ଣ ତୁମର ପରିଚୟ ? ଏତେ ରାତିରେ ଏ ଜଙ୍ଗଲ ଭିତରେ କ'ଣ କରୁଛ ?"
ହଠାତ ଚିହିଁକି ଉଠିଲା ଛୋଟ ଝିଅଟି , ବସିଲା ସ୍ଥାନରୁ ଉଠି ଛିଡ଼ା ହେଲା ଏବଂ ଭଲଭାବରେ ଲକ୍ଷ୍ୟ କଲା ପ୍ରଶ୍ନକର୍ତ୍ତ୍ରୀର ମୁଖମଣ୍ଡଳକୁ । ଗଛ ଡ଼ାଳର ଫାଙ୍କରେ ସାମାନ୍ୟ ଝଲକ ସୃଷ୍ଟି କରୁଥିବା ଜହ୍ନ ଆଲୁଅ ଚିହ୍ନାଇ ଦେଲା କେହି ଜଣେ ସ୍ତ୍ରୀ ଲୋକ ତ' ଆଗରେ ଛିଡ଼ା ହୋଇ ତାକୁ ପ୍ରଶ୍ନ କରୁଛି । ହେଲେ ଏ ନିଘଞ୍ଚ ଅରଣ୍ୟ ଭିତରେ ଏତେ ରାତିରେ ଏ ମାନବୀ କିଏ ? ଇଏ ଆଉ ମୋ' ପରି....... ଅନେକ କିଛି ଭାବନା ମଧ୍ଯରେ ଭାସି ବୁଲୁଥିଲା ଛୋଟ ଝିଅଟି । ଭାବନାକୁ ପ୍ରତିହତ କରି ଉତ୍ତର ଦେଲା - "ମୁଁ ସସ୍ମିତା ।" ଆର ଝିଅଟି ପୁଣି ପ୍ରଶ୍ନ କଲା - "ଏତେ ରାତିରେ ଏଠି ଏକୁଟିଆ କାହିଁକି ବସିଛ , କ'ଣ ହୋଇଛି ? ଏ ଜଙ୍ଗଲ ଭିତରେ ତୁମକୁ ଭୟଭ୍ରାନ୍ତି କିଛି ନାହିଁ ?" ଏ ପ୍ରଶ୍ନ ଶୁଣି ହସିବାକୁ ଲାଗିଲା ସେ , ତା' ହସର ଘନ ଶବ୍ଦ ସାରା ଜଙ୍ଗଲକୁ ପ୍ରକମ୍ପିତ କରି ପକାଉଥିଲା ; ସେ ହସିବାର ଦେଖି ଆଚମ୍ବିତ ହୋଇଯାଇଥିଲା ଆର ଝିଅଟି । ପଚାରିଲା - "ମୋ' କଥା ଶୁଣି ହସିଲ ଯେ.....!!'' "ତମେ ହସାଇବା ପରି ପରି ପ୍ରଶ୍ନ କଲ , ହସିବିନି ତ ଆଉ କ'ଣ କାନ୍ଦିବି ?" - ଏମିତି ଉତ୍ତର ଥିଲା ତା'ର । ଉତ୍ତର ଶୁଣି ଆହୁରି ଆଶ୍ଚର୍ଯ୍ୟ ହୋଇଗଲା ସେ । ସସ୍ମିତା କହିଲା - "ଏମିତି ବୋକୀଙ୍କ ପରି ଜଳଜଳ ଅନେଇଛ କ'ଣ ମୋତେ ? କିଛି ବୁଝି ପାରୁନ ?" ସତରେ କିଛି ବୁଝି ପାରୁ ନଥିଲା ଆର ଝିଅଟି । ସସ୍ମିତା କହିଲା - ମରି ଯାଇଥିବା ଲୋକଟି ପୁଣି ଭୟ କାହାକୁ କରିବ ?" ଆର ଝିଅଟିର ବିସ୍ମୟର ସୀମା ରହିଲାନି । ଭାବିଲା ସତରେ ଇଏ ବି ମଣିଷ ନୁହଁ ! ଇଏ କ'ଣ ମୋ' ପରି ଗୋଟିଏ ଆତ୍ମା ! ଏଇ ଭାବନାକୁ ପ୍ରଶ୍ନ ଆକାରରେ ବ୍ଯକ୍ତ କଲାରୁ ସସ୍ମିତା "ହଁ" ବୋଲି ଉତ୍ତର ଦେଲା ପରେ ସେ ତାକୁ ତା'ର "ବନ୍ଧୁତ୍ୱ ସ୍ବୀକାର କରିବ କି" ବୋଲି ପଚାରି ବସିଲା । ସସ୍ମିତାର ଉତ୍ତର ଥିଲା - " ହଁ , କାହିଁକି ନୁହେଁ ?" ଉଭୟ ବନ୍ଧୁ ଭାବରେ ଏକ ରଜ୍ଜୁରେ ବନ୍ଧା ହେବା ପରେ ମନ ଆକାଶରେ ଆନନ୍ଦର ତାରକା ମାନେ ଆଲୋ ବର୍ଷିବାରେ ଲାଗିଲେ । ଉଭୟେ ଛନ୍ଦି ହୋଇଗଲେ ପରସ୍ପରର ବାହୁ ବନ୍ଧନରେ ; ଏକ ହୋଇଗଲା ବେନି ଶରୀର । ଭାବ ବିନିମୟର ପର୍ବ ବେଶ୍ ରୋମାଞ୍ଚକର ହୋଇ ଉଠିଲା । ପରସ୍ପର ସୁଖ-ଦୁଃଖ ଆବଣ୍ଟନର ପ୍ରଶସ୍ତ ପ୍ରାଙ୍ଗଣ ପାଇଗଲେ । ଉଭୟଙ୍କୁ ମିଳିଗଲା ନୂଆ ଏକ ପରିଚୟ ।
ସସ୍ମିତାର ପ୍ରଶ୍ନର ଉତ୍ତର ଦେଇ ଝିଅଟି ତା'ର ପରିଚୟ ଦେଲା - "ମୋ' ନାଁ ଅଞ୍ଜଳୀ , ଆଜିଠୁ ଆମେ ଦୁଇ ବନ୍ଧୁ ।" ପରିଚୟ ଆଦାନପ୍ରଦାନରେ ଦୁହେଁ ବହୁତ ଖୁସି ଥିଲା ପରି ମନେ ହେଉଥିଲେ , ସତେ ଯେମିତି ଆକାଶ ପିଠିରୁ ରୂପା ଜହ୍ନଟି ଖସି ପଡ଼ିଛି ଏମାନଙ୍କ ହାତରେ । କେତେ କଥା ଆଉ ବ୍ଯଥାର ଆଳାପରେ ମଜ୍ଜି ଯାଇଥିଲେ ଉଭୟ । ଆଲୋଚନା - ପ୍ରତ୍ଯାଲୋଚନା ଭିତରେ ପ୍ରସଙ୍ଗ ଉଠିଲା ବ୍ଯକ୍ତିଗତର ; ଅଞ୍ଜଳୀର ପ୍ରଶ୍ନ ଥିଲା ସସ୍ମିତା ଉଦ୍ଦେଶ୍ଯରେ - "ତୁମର ମୃତ୍ୟୁ କେମିତି ହେଲା ?"
ସସ୍ମିତା - ଆତ୍ମହତ୍ୟା ।
ଅଞ୍ଜଳୀ - (ଆଶ୍ଚର୍ଯ୍ୟ ହୋଇ) କ'ଣ ପାଇଁ ?
ସସ୍ମିତା - କ'ଣ କହିବି ଆଉ କୋଉଠୁ ଆରମ୍ଭ କରିବି ? ତେବେ ଶୁଣ.... ସସ୍ମିତା ବଖାଣି ବସିଲା ତା' ମୃତ୍ଯୁର ରହସ୍ୟ ; ଶୁଣିବା ଜିଜ୍ଞାସାକୁ ତେଜୀୟାନ୍ କରି ଅପଲକ ନେତ୍ରେ ଚାହିଁ ରହିଥିଲା ଅଞ୍ଜଳୀ ବଲବଲ କରି ସସ୍ମିତାର ମୁହଁକୁ । ସସ୍ମିତା କହିବା ଆରମ୍ଭ କଲା......
"ମୁଁ ଥିଲି ନବମ ଶ୍ରେଣୀର ଛାତ୍ରୀ ; ମୋ' ପରିବାରରେ ମୁଁ ଭାରି ଗେହ୍ଲୀ ଥିଲି । ସବୁଦିନ ପରି ସେଦିନ ବି ମୁଁ ଏଇ ଜଙ୍ଗଲ ରାସ୍ତା ଦେଇ ଫେରୁଥାଏ । ନିର୍ଜନ ରାସ୍ତା ; କେହି କୁଆଡ଼େ ନାହିଁ । ନିତିଦିନିଆ ଚଲାପଥ ଇଏ ମୋର , ଅଭ୍ଯାସ ହୋଇଗଲାଣି ତେଣୁ ମୋତେ ଆଉ ଭୟଭ୍ରାନ୍ତି ନାହିଁ । କିଛି ପଥ ଅତିକ୍ରାନ୍ତ କରିସାରିଥାଏ ; ଜଙ୍ଗଲର ଟିକ୍ ମଝାମଝି ରାସ୍ତା ହେଲା ବେଳକୁ ଦଳେ ଲୋକ ହଠାତ ମୋର ରାସ୍ତା ଅବରୋଧ କଲେ । ସମସ୍ତେ ଥିଲେ ପୋଲିସ୍ ପୋଷାକଧାରୀ ; ଲାଗୁଥାଏ ଯେମିତି ମୁଁ ଗୋଟେ ଜେଲ୍ ଫାଟକ ଡ଼େଇଁ ଚମ୍ପଟ ମାରିଥିବା କଏଦୀଟେ । ମତେ ଯେମିତି କାବୁ କରି ନେଇ ଯିବାକୁ ବସିଛନ୍ତି ଏମାନେ । ଜଙ୍ଗଲୀ ଜୀବଜନ୍ତୁଙ୍କ ଠାରୁ ବି ଏମାନଙ୍କ ଚେହେରା ଆହୁରି ଭୟଙ୍କର ଲାଗୁଥାଏ । ଏଯାଏଁ ବି ମୁଁ ବୁଝି ପାରିଲିନି ଯେ , ସତରେ ସେମାନେ ପୋଲିସ୍ ଥିଲେ କି ପୋଲିସ୍ ପୋଷାକର ଭ୍ରମ ସୃଷ୍ଟି କରୁଥିବା ମଣିଷ ରୂପୀ ହିଂସ୍ର ପଶୁ ତୁଲ୍ଯ ରାକ୍ଷସ । ମନରେ ଜନ୍ମି ସାରିଥିଲା ଭୟର ଜହର ; ଜହରର ପ୍ରଭାବ ଏତେ ମାତ୍ରାରେ କଟୁ ଥିଲା ଯେ ମୋର କଣ୍ଠ ଶୁଷ୍କ ହୋଇ ଯାଉଥିଲା । ଖସି ଚାଲି ଯିବାର ବାଟ ବି ନଥାଏ ; ଯାତାୟତ ପାଇଁ କେବଳ ସେଇ ଗୋଟିଏ ରାସ୍ତା ହିଁ ଥିଲା । କ'ଣ କରିବି କିଛି ଉପାୟ ଚିନ୍ତା କରିବା ପୂର୍ବରୁ ସେମାନେ ମୋର ଅତି ନିକଟରେ ପହଞ୍ଚି ସାରିଥିଲେ । ଭୟାତୁର ମନ ନେଇ ତାଙ୍କୁ ମୁଁ ପଚାରିଲି - "କିଏ ତୁମେମାନେ ?" କିଛି ବି ପ୍ରତ୍ଯୁତ୍ତର ପାଇ ପାରିଲିନି । ପୁଣି ପଚାରିଲି - "କାହିଁକି ମୋ' ବାଟ ଓଗାଳିଛ ?" ସେମାନେ ହସିବାକୁ ଲାଗିଲେ । ମହିଷାସୁରର ହସରେ ତିନି ଭୁବନ ପ୍ରକମ୍ପିତ ହେବା ପରି ସେମାନଙ୍କ ସାମୂହିକ ହସରେ ବନଭୂମି ସାରା ଖେଳି ଯାଉଥିଲା ଶବ୍ଦର ତରଙ୍ଗ ; ଶୁଣି ନଶୁଣିଲାର ବାହାନା କରି ହସି ଚାଲିଥିଲେ ସେମାନେ । ସେମାନଙ୍କ ଆଚରଣ ଦେଖି ମୋର ହୃତ୍ସ୍ପନ୍ଦନ ଦ୍ବିଗୁଣିତ ହୋଇଯାଇଥିଲା । ମୋର ଆକୁଳ ନିବେଦନ ତାଙ୍କ ଉପରେ ପ୍ରଭାବ ବିସ୍ତାର କରିପାରୁ ନଥିଲା କି ବନପ୍ରାନ୍ତ ଅତିକ୍ରମ କରି କାହାର କାନ ପର୍ଯ୍ଯନ୍ତ ପହଞ୍ଚି ପାରୁ ନଥିଲା । ମୋ' ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ମୁଁ କିଛି ବୁଝିବା ଆଗରୁ ମୋତେ ଟାଣି ଘୋଷାଡ଼ି ବଳ ପୂର୍ବକ ନେଇ ଯାଇଥିଲେ ଜଙ୍ଗଲ ଭିତରକୁ । ଏତେ ବଡ଼ ଜଙ୍ଗଲ ଭିତରେ ମୋ' ଶବ୍ଦ ତରଙ୍ଗ ସବୁଜ ବନାନୀ ବକ୍ଷ ବିଦାରି ବାହାରକୁ ଯାଇ ନପାରି ଅଧାରୁ ଫେରି ଆସି ପୁଣି ମୋ' କାନକୁ ପ୍ରହାର କରୁଥିଲା । ଜଙ୍ଗଲର ହିଂସ୍ର ପଶୁ ପରି ଜଣକ ପରେ ଜଣେ ମୋର କଞ୍ଚା ମାଂସକୁ ଝୁଣି ଚାଲିଥିଲେ । ସତେ ଯେମିତି ବଣଭୋଜିର ମାହାଲରେ ମସଗୁଲ ସେମାନେ ।" ଏତିକି କହୁ କହୁ ଭୋ ଭୋ ହୋଇ କାନ୍ଦି ପକାଇଲା ସସ୍ମିତା ।
ସସ୍ମିତାର ବୁକୁ ଫଟା କୋହ ଆଉ ଆଖିର ଲୁହ ତରଳାଇ ଦେଲା ଅଞ୍ଜଳୀର ପଥର ହୃଦୟକୁ । କୋମଳ କୁସୁମଟି ନା ଠାକୁର ପାଦୋପଯୋଗୀ ହେଲା ନା ବାସ ବିତରି ପାରିଲା ଭାବି ମନସ୍ତାପରେ ମଉଳି ଯାଇଥିଲା ଅଞ୍ଜଳୀର ମୁଖମଣ୍ଡଳଟି । ପିଠି ଥାପୁଡ଼େଇ ଶାନ୍ତ୍ବନା ଦେଲା ଅଞ୍ଜଳୀ - "ପ୍ଲିଜ୍ , କାନ୍ଦନା ।" କଇଁ କଇଁ ହୋଇ କାନ୍ଦି କାନ୍ଦି କହୁଥିଲା ସସ୍ମିତା - " ମୋର ଏ କୋମଳ ଶରୀରରେ ଦାଗ ଲଗେଇ ଦେଲେ ସେମାନେ ବନ୍ଧୁ ।" ଅଞ୍ଜଳୀ କହିଲା - "ତା'ପରେ ଏଇ କାରଣ ପାଇଁ ତୁମେ ନିଜକୁ ଶାସ୍ତି ଦେଇଦେଲ !! ଏଇଆ ନା ବନ୍ଧୁ ?" ସସ୍ମିତାର ଉତ୍ତର ଥିଲା - "ନାଇଁ ବନ୍ଧୁ, ଏତିକିରେ କଥା ସରିନି । ମୁଁ ବହୁତ କଷ୍ଟରେ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଲି । କିଛି ସହୃଦୟ ବ୍ଯକ୍ତି ମୋର ଏମିତି ଅବସ୍ଥା ଦେଖି ମତେ ଡାକ୍ତରଖାନା ନେଇଗଲେ । ମୋ' ଚିକିତ୍ସା କରିବା ସହ ମୋ' ଠିକଣା ନେଇ ମୋ' ପରିବାରକୁ ଖବର ଦେଲେ ; ଖବର ପାଇବା ମାତ୍ରେ ମୋ' ଆତ୍ମୀୟ ମାନେ ଡ଼ାକ୍ତରଖାନାରେ ପହଞ୍ଚି ଗଲେ । ମୋ' ଠାରୁ ସବୁ ଘଟଣା ଶୁଣି ବାପା ଥାନାରେ ପହଞ୍ଚି ଏତଲା ଦେଲେ । ନିର୍ଦ୍ଦୟ ପୋଲିସ୍ ଏତଲା ଗ୍ରହଣ କଲାନି । ସ୍ଥାନୀୟ କିଛି ଲୋକଙ୍କ ଚାପରେ ବହୁ କଷ୍ଟରେ ଏତଲା ରଖି ଅନୁସନ୍ଧାନରେ ବାହାରି ପଡ଼ିଲା । ମୋର ଡାକ୍ତରୀ ମାଇନା କରାଗଲା , କିନ୍ତୁ ନୈରାଶ୍ଯଜନକ ଉତ୍ତରରେ ମର୍ମାହତ ହୋଇପଡ଼ିଲି ମୁଁ । ମେଡ଼ିକାଲ ରିପୋର୍ଟ ଅନୁସାରେ ମୋ' ସହ କିଛି ବି ସେମିତି ହୋଇନି । ତେବେ ଏମିତି ଅବସ୍ଥାରେ ମୁଁ ମେଡ଼ିକାଲ ଆସିଲି କେମିତି ? ବଡ଼ବଡ଼ିଆଙ୍କ ଚାପରେ ଚାପି ହୋଇଗଲେ ଡାକ୍ତର ଓ ପୋଲିସ୍ । ବହୁତ କାନ୍ଦିଲି ଆଉ ଭଲ ହୋଇ ଘରକୁ ଫେରିଲି । ମୋ' ଝାଉଁଳା ମନ ଦେଖି ମତେ ମୋର ପରିବାର ବହୁତ ବୁଝାସୁଝା କଲେ ; ବୁଝିଯାଇ ଭୁଲିଯିବାର ଚେଷ୍ଟା କଲି । ବେଶ୍ ତନାଘନା ସହ କେସ୍ ଚାଲିଥାଏ , ପରିବେଶ ଏହି ଘଟଣାକୁ ନେଇ ସରଗରମ ଥାଏ । ବିତିଗଲା ଦୁଇ ମାସ , ହଠାତ ଦିନେ ବାପା କହିଲେ କି ଯାହା ହେବାର ଥିଲା ହୋଇଗଲା । ତୁ ଭୁଲି ଯାଆ ଏସବୁ , ଉପରୁ ଚାପ ପଡୁଚି ଏ କେସ୍ ବନ୍ଦ କରିବାକୁ । ତେଣୁ ପୋଲିସ୍ ଏ କେସ୍କୁ ବନ୍ଦ କରିବ କହିଛି ।"
ଅଞ୍ଜଳୀ କହିଲା - "ତା'ପରେ କ'ଣ ଏଇ କଥାରୁ ତୁମେ ଆତ୍ମହତ୍ୟା କରିଦେଲ ?" ସସ୍ମିତା କହିଲା - "ହଁ , ଏ କଥା ଶୁଣି ମୋର କୋହ ରହିଲନି । ଗାଁରୁ ସହର ସବୁଆଡ଼େ ମୋ' କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲାଣି । ଚା'-ପାନ ଦୋକାନରୁ ଆରମ୍ଭ କରି ଚପଲ ଦୋକାନ ଯାଏଁ ଆଉ ପ୍ରତି ଗଳିକନ୍ଦିରେ ମୋ' ଚର୍ଚ୍ଚା ; ସମସ୍ତେ ଜାଣି ଗଲେଣି ମୋ' କଥା । ମୁଁ ଅନ୍ଧାର ଗଳିରେ ହଜି ଯିବାକୁ ଆଉ କେଇଟା ମୁହୂର୍ତ୍ତ ମାତ୍ର । କଥାରେ ଅଛି -ଜାନ୍ ଯାଉ ମାନ୍ ଥାଉ । ମୋ' ମାନ ମହତ ଗଲା ବୋଲି ଯେତିକି ଚିନ୍ତିତ ନୁହେଁ ସେତିକି ଚିନ୍ତିତ ମୋ' ପରିବାର ପାଇଁ । ରାତି ପାହିଲେ ମୋ' ପରିବାର ରାସ୍ତାରେ ମୁଣ୍ଡ ଟେକି ବାଟ ଚାଲି ପାରିବେନି ; ମୋ' ଆଖି ଆଗରେ ମୋ' ପରିବାରର ବରବାଦି ଦେଖି ମୁଁ ଝିଅ ହୋଇ ସହିଥା'ନ୍ତି କେମିତି ? ସେଲାଗି ଫାଶିରେ ଝୁଲି ପଡ଼ିଲି । ଅନ୍ଧ ସରକାର ସ୍ଥାଣୁ ପ୍ରଶାସନ , କାହାର ବି ଦୃଷ୍ଟିଗୋଚର ହେଲାନି ମୋ' ଅବସ୍ଥା । ଏଇ ହେଉଛି ମୋ' କାହାଣୀ ।" କହି କହି କାନ୍ଦି ପକାଉଥିଲା ସସ୍ମିତା ।
ତରଳ ମନରେ ଶାନ୍ତ୍ବନା ଦେବା ଛଡ଼ା ଆଉ କିଛି ଉପାୟ ନଥିଲା ଅଞ୍ଜଳୀ ପାଖରେ । ମନଭେଦୀ ଶାନ୍ତ୍ବନାର ଶୀତଳ ଜଳରାଶି ସସ୍ମିତାର କୋହକୁ ପୂରା ନହେଲେ ବି କିଛି ମାତ୍ରାରେ ନିର୍ବାପିତ କଲା । ଟିକେ ପୂର୍ବ ବର୍ଣ୍ଣନାର ବିଷମୟ ପରିବେଶରୁ ବାହାରି ଆସି ଅଞ୍ଜଳୀକୁ କହିଲା ସସ୍ମିତା - "ମୋ' କଥା ତ କହିଲି , ତମେ କାହିଁକି ଆତ୍ମା ପାଲଟି ଗଲ ବନ୍ଧୁ ? ତୁମର ପୁଣି କ'ଣ ହେଲା ?" ଚାପା ଗଳାରେ ଉତ୍ତର ଦେଲା ଅଞ୍ଜଳୀ - "ମୁଁ ସ୍ବେଚ୍ଛାଚାରୀ ଆତ୍ମା ନୁହେଁ , ମତେ ଜୋରଜବରଦସ୍ତ ଭାବରେ ଆତ୍ମାର ରୂପ ଦିଆଯାଇଛି । ମୋ' ଅନିଚ୍ଛା ସତ୍ତ୍ୱେ ବି ମୁଁ ଆଜି ଏକ ଅତୃପ୍ତ ଆତ୍ମା ।" କିଛି ବି ବୁଝା ପଡ଼ିଲାନି ସସ୍ମିତାକୁ ଏହାର ଅର୍ଥ । ଆବାକ ହୋଇ କିଛି କ୍ଷଣ ଅଞ୍ଜଳୀ ମୁହଁକୁ ଚାହିଁକି ରହିବା ପରେ କହିଲା - "ବୁଝି ପାରିଲିନି ବନ୍ଧୁ , ଘଟଣାଟି ଟିକେ ବ୍ଯାଖ୍ଯା କଲେ ଠିକ୍ ବୁଝି ହୁଅନ୍ତା ।"
ଅଞ୍ଜଳୀ - କ'ଣ ଆଉ ବୁଝେଇବି ? ମତେ ମାରି ଦିଆଯାଇଛି ।
ସସ୍ମିତା - ମାରି ଦିଆଯାଇଛି ! କିଏ ମାରିଲା ଆଉ କାହିଁକି ମାରିଲା ବନ୍ଧୁ ?
ଅଞ୍ଜଳୀ - ମୁଁ ଜଣେ ଶିକ୍ଷୟିତ୍ରୀ ; ମୁଁ ନିଜ ଆଖିରେ ଦେଖିଥିବା ଏକ ବାସ୍ତବ ଘଟଣା ହିଁ ମୋ' ମୃତ୍ଯୁର କାରଣ ପାଲଟି ଗଲା । ଜଣେ ବିବାହିତ ଲୋକ ତା'ର ସ୍ତ୍ରୀ - ପିଲାଙ୍କ ସହ ରହୁଥାଏ ; ତା' ଶ୍ବଶୁର ଘର ଗାଁ ବିଦ୍ଯାଳୟରେ ମୁଁ ଶିକ୍ଷକତା କରୁଥାଏ । ସେ ପ୍ରାୟ ସମୟ ତା'ର ଶ୍ବଶୁର ଘରକୁ ଯା' ଆସ କରୁଥାଏ । ଘରେ ସ୍ତ୍ରୀ ଥାଇ ବି ଶାଳୀ ସହ ଅବୈଧ ସମ୍ପର୍କ ଥିଲା ଯାହା ଦିନେ ମୋ' ନଜର ପରିସରକୁ ଆସିଗଲା ; ସେ ଜାଣିଗଲା ମୁଁ ଏହାର ମୂକସାକ୍ଷୀ । ବହୁତ କାକୁତିମିନତି ହେଲା ଏସବୁ ବାହାରେ ପ୍ରଘଟ ନକରିବାକୁ । ମୁଁ ତା'ର ସ୍ତ୍ରୀ ଆଗରେ କହିଦେବି ବୋଲି କହିଲି , ଏସବୁ କାମ କରିବାକୁ ଖରାପ ଲାଗୁନି କି ବୋଲି ପ୍ରଶ୍ନ କଲି ତାକୁ । ଘରେ ସ୍ତ୍ରୀ ଥାଇ ଏସବୁ କରିବା କେତେଦୂର ଯୌକ୍ତିକ ବୋଲି ପଚାରିଲି । ମୋ' କଥା ତା' ମନରେ ଭୟ ସଞ୍ଚାର କଲା , କାଳେ କେଉଁଠି ପ୍ରକାଶ କରିଦେବି ଭାବି ସେ ମୋ' ଉପରେ ରାଗ ରଖିଲା । କିଛି ଦିନ ପରେ ଦିନେ ସ୍କୁଲରୁ ଫେରିଲା ବେଳେ ନିଛାଟିଆ ରାସ୍ତାରେ ଛକି ମୋ' ମୁଣ୍ଡକୁ ଠେଙ୍ଗାରେ ପ୍ରହାର କଲା । ମତେ ଲାଗିଲା ଯେମିତି ଆକାଶଟା ଛିଣ୍ଡି ପଡ଼ିଲା ମୋ' ମୁଣ୍ଡ ଉପରେ ; କଦଳୀ ଗଛ ପଡ଼ିଲା ପରି ସେଇଠି ହିଁ ମୁଁ ଟଳି ପଡ଼ିଲି । ତା'ପରେ କିଛି ଜାଣିନି ; ଦୀପରେ ତେଲ ଥାଇ ଆଉ ଯଥେଷ୍ଟ ସଳିତା ଥାଇ ବି ଦୀପକୁ ବଳପୂର୍ବକ ଲିଭାଇ ଦିଆଗଲା ।"
ଆଶ୍ଚର୍ଯାନ୍ୱିତ ହୋଇ ଅଞ୍ଜଳୀ ମୁହଁକୁ ଚାହିଁକି ରହିଥିଲା ସସ୍ମିତା ଆଉ ଭାବୁଥିଲା ଏ ସଂସାରଟା ସାରା କେତେ ନୃସଂଶ । ଏଠି ରାମ ଆଉ କୃଷ୍ଣଙ୍କର ପରାଜୟ ଏବଂ ରାବଣ ଓ କଂସାସୁରର ଅଟ୍ଟହାସ୍ଯ । ଶତ ଜାନକୀ ଅଶୋକ ବନରେ ବନ୍ଦୀ ଆଉ ଶହ ଶହ ପାଞ୍ଚାଳ କନ୍ଯା ବିବସ୍ତ୍ର । ସହସ୍ର ମହିଷା ଆତଯାତ , ଶ୍ରୀ ଦୁର୍ଗା ବି ଏଠି ତାଙ୍କର କରାୟତା ।
ରାତି ପାହିବାକୁ ଆଉ ଅଳପ ବାକି ; ଜହ୍ନମାମୁଁ ବି ମାଆ କୋଳ ଧରିବାକୁ ପ୍ରସ୍ତୁତ ହେଲେଣି । ଅଞ୍ଜଳୀ କହିଲା - "ରାତି ପାହିବ ପାହିବ ହେଲାଣି , ଆସ ଫେରିଯିବା । ପୁଣି ଏଇ ନିର୍ଦ୍ଧାରିତ ସମୟରେ କାଲି ଭେଟାଭେଟି ।" ଆତ୍ମା ଦ୍ବୟର କଥୋପକଥନରେ ଏଇଠି ପଡ଼ିଗଲା ପୂର୍ଣ୍ଣଚ୍ଛେଦ ଏଇ ରାତିକ ପାଇଁ । ପୁଣି ଆଗାମୀ ରାତିରେ ନୂତନ ବାର୍ତ୍ତାଳାପର ପ୍ରତୀକ୍ଷାରେ ରହିଲେ ଦୁଇ ଜଣ । ସ୍ଥାନ ଛାଡ଼ି ଚାଲିଗଲା ଅଞ୍ଜଳୀ ଏବଂ ସେଇ ବରଗଛର ପତ୍ର ଗହଳରେ କେଉଁଆଡେ ଉଭାନ ହୋଇଗଲା ସସ୍ମିତା ।
ଭାଟପଡ଼ା , ନିରାକାରପୁର ,କଣାସ ,ପୁରୀ
- Get link
- X
- Other Apps
Comments
Post a Comment