ଆମ ଦେଶର ଶାସନ ପ୍ରଣାଳୀ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 


     ଦିନେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବା ବେଳେ ଦୂରଦର୍ଶନ ପରଦାରେ ହାସ୍ଯଭିନେତା ଜୟୀରାମ ସାମଲଙ୍କର ତୁଣ୍ଡରୁ ଅଭିନୟ ମାଧ୍ୟମରେ କହିଥିବା କଥାଟିଏ ଶୁଣିଥିଲି , ଯାହା ଏଯାବତ ମୋର ସ୍ମରଣ ଅଛି । କଥାଟି ହେଲା - "ପାନ-ଗୁଆ-ଖଇର-ଗୁଜୁରାତି , ଭଲ ବ୍ଯବସାୟ ରାଜନୀତି ।" ସେଇ କଥାକୁ ନେଇ ସେହି ଚଳଚ୍ଚିତ୍ରରେ ଗୀତଟିଏ ମଧ୍ଯ ହୋଇଥିଲା । ସେ ଗୀତରେ ବର୍ଣ୍ଣିତ ପ୍ରତ୍ଯେକଟି ଧାଡ଼ି ବାସ୍ତବ ବୋଲି ମୁଁ ଭାବୁଛି ; ନିଜ ଆଖିଲେ ବି ଦେଖୁଛି । ସେ ଗୀତର ଗୀତିକାରଙ୍କୁ ମୋର ମୋର ସାଦର ପ୍ରଣାମ । ସେ ଯାହା ବି ଲେଖିଥିଲେ ଅକ୍ଷରେ ଅକ୍ଷରେ ସତ୍ଯ ହିଁ ଲେଖିଥିଲେ ବୋଲି ପରିଣତ ବୟସରେ ମୋତେ ଜ୍ଞାତ ହୋଇଛି । ପୁନରାୟ ଆଉ ଏକ ଚଳଚ୍ଚିତ୍ରରେ ଅଶ୍ରୁମୋଚନ ମହାନ୍ତିଙ୍କର ଅଭିନୀତ ଗୀତଟିଏ ଶୁଣିଥିଲି ଓ ଦେଖିଥିଲି । ଗୀତଟି ଥିଲା - ରାଜା ଖାଏ ମନ୍ତ୍ରୀ ଖାଏ ଦେଶ ଭାସିଯାଏ , ରାତାରାତି କଳା ଏଠି ଧଳା ହୋଇଯାଏ ।" ଆଜିର ଯୁଗରେ ଏ ଗୀତଟି ବାସ୍ତବତାର ଚିତ୍ର ପ୍ରଦର୍ଶନ କରୁଛି । ଆଉ ଗୋଟିଏ ବି ଅଡ଼ିଓ ସଙ୍ଗୀତ ଶୁଣିଥିଲି । ଗୀତଟି ହେଲା - "ତ୍ରିରଙ୍ଗାରେ ତ୍ରିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ।" ଏ ଗୀତଟି ବି ଆଜିର ରାଜନୈତିକ ସମାଜକୁ ଇଙ୍ଗିତ କରି ଲିଖିତ । ରାଜନୀତିର ପଶାପାଲିରେ ଜନସାଧାରଣ ବଳି ପଡ଼ିବାରେ ଲାଗିଛନ୍ତି ଏବଂ କିଛି ରାଜନୈତିକ ଦଳ ଲୋଭ ମୋହର ବଶବର୍ତ୍ତୀ ହୋଇ ପରୋକ୍ଷ ବା ପ୍ରତ୍ଯକ୍ଷ ଭାବରେ ଶୋଷଣ କରିବାକୁ ବି ପଛାଉ ନାହାନ୍ତି । 

    ଆଗକାଳରେ ରାଜତନ୍ତ୍ର ଥିଲା ; ରାଜା ମାନଙ୍କର ଶାସନ ଚାଲୁଥିଲା । ରାଜା ଶବ୍ଦର ପ୍ରକୃତି ପ୍ରତ୍ଯୟ ଗତ ଅର୍ଥ - ଯେ ପ୍ରଜା ମାନଙ୍କୁ ଶାସନ ପ୍ରଣାଳୀ ଦ୍ବାରା ପ୍ରୀତ କରନ୍ତି କିମ୍ବା ଯେ ଲୋକ ମାନଙ୍କ ମଧ୍ୟେ ସ୍ବୀୟ ଗୁଣ ଓ ବିଭବ ଦ୍ବାରା ଶୋଭା ପାଆନ୍ତି । ପ୍ରଥମେ "ପୃଥୂ" ନାମକ ଜଣେ ବ୍ୟକ୍ତି ଏହି ରାଜା ଉପାଧି ପାଇଥିଲେ । ସାଧାରଣତଃ ରାଜ୍ଯର ବା ଦେଶାଂଶର ଅଧିକାରୀଙ୍କୁ ରାଜା ବୋଲି କହନ୍ତି । ଅନେକ ରାଜା ଉପରେ ପ୍ରଧାନ ରାଜାଙ୍କୁ ରାଜଚକ୍ରବର୍ତ୍ତୀ ବା ସମ୍ରାଟ କହନ୍ତି । ସମ୍ରାଟଙ୍କ ସହିତ ମିତ୍ରତା ରୂପେ ଆବଦ୍ଧ ରାଜାଙ୍କୁ "ମିତ୍ରରାଜା" କହନ୍ତି ଏବଂ ଯେଉଁ ରାଜା ଅନ୍ଯ ରାଜ୍ଯର ଅଧୀନ ନୁହନ୍ତି ସେ ହେଲେ "ସ୍ବାଧୀନ ରାଜା" । 

     ଆଜିର ଗଣତନ୍ତ୍ର ଶାସନ ସେତେବେଳର ରାଜତନ୍ତ୍ର , ପ୍ରଜାତନ୍ତ୍ର ବା ଜମିଦାରୀ ପ୍ରଥା  ଠାରୁ ବଳି ପଡ଼ିଛି କହିଲେ ଚଳେ । ସେକାଳେ ରାଜା - ମହାରାଜାଙ୍କ ହୁକୁମ୍‌ କି ଜମିଦାରର ହୁକୁମ୍‌ରେ ପ୍ରଜାମାନେ ପରିଚାଳିତ ହେଉଥିଲେ । ଶାସନ , ଶୋଷଣ , ତାଡ଼ନା , ଲାଞ୍ଛନା ଆଦି ପୂର୍ଣ୍ଣମାତ୍ରାରେ ଭରପୁର ଥିଲା । ଆଜି ବି ଗଣତନ୍ତ୍ର ଶାସନରେ ଏସବୁ ପରିଲକ୍ଷିତ । ଇଚ୍ଛା ମୁତାବକ କର ଲାଗୁ କରି ପ୍ରଜା ମାନଙ୍କୁ ଶୋଷଣ କରିବାରେ ମାହିର୍‌ ଥିଲେ ରାଜାମାନେ ; ଏବେ ନେତା-ମନ୍ତ୍ରୀ ମାନେ ବି ଅନୁରୂପ ପ୍ରାୟ କହିଲେ ଚଳେ । ରାଜଗାଦି ଆରୋହଣ ପରେ ଅହଂଭାବ ଜାଗ୍ରତ ହୋଇ ସତ୍ଯ - ଅସତ୍ଯ , ପାପ - ପୁଣ୍ଯର ବିଚାରଧାରା ବଦଳି ଯାଏ । ନିଜୁ ସର୍ବେସର୍ବା ବା ଡ଼ ବୋଲି ଭାବିଇ ନେଇ ଅତ୍ଯାଚାର , ଶୋଷଣ କର୍ମରେ ନିୟୋଜିତ ହୋଇଯାଆନ୍ତି ରାଜନେତାମାନେ । ଅଅନ୍ଯାୟକୁ ଆଖି ବୁଜି ସମର୍ଥନ କରିବାକୁ ପଡ଼େ ; ନଚେତ ଗାଦିଚ୍ଯୁତ ହେବାର ସମ୍ଭାବନା ଥାଏ । ଏଠାରେ ନିଜକୁ ମହାନ କହିବାକୁ ନେତାଙ୍କର ଅଭାବ ନାହିଁ । ଉଦାହରଣରେ ପୌରାଣିକ ଯୁଗକୁ ଟିକେ ଯିବା , ଦେଖିବା କିପରି ଅନ୍ଯାୟ - ଅନୀତି ଥିଲା ।

     ସତ୍ଯ ଯୁଗରେ ହିରଣ୍ୟକଶିପୁ କଥା ବିଚାର କରାଯାଉ । ନିଜକୁ ସେ ଭଗବାନ ବୋଲି ଭାବି ଆତ୍ମଗର୍ବରେ ଫାଟି ପଡୁଥିଲା । ଭଗବାନଙ୍କ ସତ୍ତାକୁ ସେ ଅବିଶ୍ବାସ କରି ରଚି ଚାଲିଥିଲା ଅନ୍ଯାୟ । ଅହଙ୍କାରୀ ହିରଣ୍ୟକଶିପୁ ନିଜର ତପଶକ୍ତିର ମଦରେ ନିଜକୁ ଭଗବାନ ବୋଲି ପ୍ରଜାମଣ୍ଡଳରେ ପ୍ରଚାର କରୁଥିଲା । ଭଗବାନ ବିଷ୍ଣୁଙ୍କର ଭକ୍ତ ମାନଙ୍କୁ ନିର୍ଯ୍ଯାତନା ଦେବାରେ ଲାଗୁଥିଲା । ନିଜର ଜନ୍ମିତ ସନ୍ତାନ ପ୍ରହଲ୍ଲାଦ ବି ବାଦ୍‌ ପଡ଼ିନି ତହିଁରୁ । ପ୍ରହଲ୍ଲାଦକୁ ହରିଭକ୍ତିରୁ ବିରତ କରିବା ପାଇଁ କଷଣ ପରେ କଷଣ ଦେଇ ଚାଲିଥିଲା । ଶେଷରେ ତାକୁ ମୃତ୍ଯୁଦଣ୍ଡ ଦେବାରେ ବିଫଳତା ପ୍ରାପ୍ତ କରିବାରୁ ତା'ର ପ୍ରଭୁଙ୍କୁ ନିଜ ଆଖିରେ ଦେଖିବାର ଜିଜ୍ଞାସା ରଖି ତାକୁ ବିଷ୍ଣୁଙ୍କୁ ଦର୍ଶନ କରାଇ ଦେବାକୁ କହିଲା । ଏକ ଖମ୍ବକୁ ପଦାଘାତ କରି ବିଷ୍ଣୁଙ୍କୁ ହିରଣ୍ୟକଶିପୁ ସାମ୍ନାରେ ଉଭା କରାଇଥିଲେ ପ୍ରହଲ୍ଲାଦ । ହିରଣ୍ୟକଶିପୁ ବର ପ୍ରାପ୍ତ କରିଥିଲା - "ଦିନରେ ମରିବନି କି ରାତିରେ ବି ମରିବନି , ମଣିଷ କି ଦେବତା ଦ୍ବାରା ମୃତ୍ଯୁ ଆସିବ ନାହିଁ ଏବଂ କୌଣସି ଅସ୍ତ୍ରଶସ୍ତ୍ରାଦି ଦ୍ବାରା ମୃତ୍ଯୁ ହେବନି , ଘରେ ମରିବନି କି ବାହାରେ ବି ମରିବନି ।" ବିଷ୍ଣୁଙ୍କ ପ୍ରକଟ ସମୟ ସାୟଂକାଳ ଥିଲା , ସେ ନା ଥିଲେ ନର , ନା ଥିଲେ ଦେବତା , ଅର୍ଦ୍ଧେକ ନର ଓ ଅର୍ଦ୍ଧେକ ସିଂହ ସ୍ବରୂପ ଥିଲା । ଘରେ ନୁହେଁ କି ବାହାରେ ନୁହେଁ , ଏରୁଣ୍ଡି ବନ୍ଧ ଉପରେ ନିଜ ଜଙ୍ଘରେ ପକାଇ ବିନାସ୍ତ୍ରରେ ନଖାଗ୍ରରେ ବିଦାରଣ କରିଥିଲେ ହିରଣ୍ୟକଶିପୁର ବକ୍ଷକୁ । କଥାରେ ଅଛି - "ଗର୍ବ , ଦିନେ ଖର୍ବ ହେବ ।" ତାହା ହିଁ ହେଲା , ତପସିଦ୍ଧ ଓ ରାଜଗାଦି ପ୍ରାପ୍ତ ପରେ ଅସତ୍ଯ ଓ ଅନ୍ୟାୟର ବଶତା ସ୍ବୀକାର କରିଥିଲା ସେ । ପ୍ରଜାଗଣ ଶୋଷଣର ଶିକାର ଓ ନିର୍ଯ୍ଯାତନାରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକ ଛାଡ଼ିବାରୁ ବଞ୍ଚିତ ହେଲେ । ଏଠି ବି ପ୍ରଜାଙ୍କ ଶୋଷଣ ଓ ନିର୍ଯ୍ଯାତନା ପରିଲକ୍ଷିତ । ଏପରି ଅନେକ ରୋଚକ ତଥ୍ଯ ପୁରାଣ ଶାସ୍ତ୍ର ପୃଷ୍ଠେଆରୁ ରାଜରାଜୁଡ଼ାଙ୍କ ଶୋଷଣ ଓ ନିର୍ଯ୍ଯାତନା ବିଷୟରେ ମିଳେ । ରାବଣ , କଂସ ଆଦି ରାଜା ମାନଙ୍କର ଅତିଶୟ କ୍ଳେଶ ପ୍ରଦାନ , ପ୍ରଜା ଯାତନା ଆଦି ନିନ୍ଦନୀୟ ନିଶ୍ଚିତ । 

    ମହାକବି କହ୍ଲାଣଙ୍କ ଦ୍ବାରା ୧୧୪୮-୪୯ରେ ରଚିତ ନିଜର ପ୍ରସିଦ୍ଧ ପୁସ୍ତକ "ରାଜତରଙ୍ଗିଣୀ"ରେ ଉଲ୍ଲେଖ ଅଛି ସର୍ବପ୍ରଥମେ କାଶ୍ମୀରରେ ରାଜ୍ଯ ସ୍ଥାପନା କରିଥିଲେ ପାଣ୍ଡବଙ୍କ କନିଷ୍ଠ ଭ୍ରାତା ସହଦେବ । ପରେ ୨୭୩ ଇଶାରେ ବୌଦ୍ଧ ଧର୍ମର ଆଗମନ ହୋଇଥିଲା । ତଥାପି ପିଢ଼ି  ପରେ ପିଢ଼ି ସହଦେବଙ୍କ ବଂଶଜ ୨୩ ପିଢ଼ି ଯାଏଁ କାଶ୍ମୀରରେ ରାଜତ୍ବ କରିଥିଲେ । ତେବେ ଏହା ପରେ ପଞ୍ଚମ ଶତାବ୍ଦୀରେ ହୁଣ ରାଜା ମିହିରକୂଳ କାଶ୍ମୀରରେ କବଜା କରିଥିଲେ । କିନ୍ତୁ ପରେ ସେ ଶୈବ ଧର୍ମ ଆପଣେଇ ଥିଲେ । ପରେ ପରେ ମୁସଲିମ ଶାସନ ପ୍ରବେଶ କରି ଲୋକମାନେ ଯାତନା ପ୍ରାପ୍ତ କଲେ ଓ ଶୋଷଣର ଶିକାର ହେଲେ । ଉତ୍କଳର ପ୍ରଥମ ହିନ୍ଦୁ ରାଜା ଜନ୍ମେଞ୍ଜୟ ଓ ତା'ପରେ ଯଯାତିକେଶରୀ ଆଦି ରାଜାମାନେ ଶାସନ ଭାର ଗ୍ରହଣ କଲେ । ରାଜା ମାନଙ୍କର ମନୋମୁଖୀ ଶାସନ ପ୍ରଜା ମାନଙ୍କ ନିମନ୍ତେ ଅତିଷ୍ଠ ଥିଲା । ଜମିଦାରଙ୍କ ଶୋଷଣ ଓ କୂଟନୀତିରେ ଲୋକମାନେ ସମସ୍ତେ ତଳିତଳାନ୍ତ ହୋଇଯାଉଥିଲେ । ଆଜିର ଗଣତନ୍ତ୍ର ଶାସନ ବି ଠିକ୍ ପୂର୍ବ ପରି ଦୃଶ୍ଯମାନ । ନେତା-କୁଜିନେତାଙ୍କର ମଧୁର ବଚନ ପୂର୍ବକ ଶୋଷଣରେ ଜନତା ଅତିଷ୍ଠ । ତାଙ୍କ କୂଟନୀତିର ପଶାପାଲିରେ ବଳି ଚଢ଼ୁଛନ୍ତି କେତେ କେତେ ନିରୀହ ଜନତା । ସେତେବେଳେ ତେଜି ଉଠିଥିଲା ପ୍ରଜାମଣ୍ଡଳ ଆନ୍ଦୋଳନ ; ଏବେ ପ୍ରତିଦିନ ଜନ ଆନ୍ଦୋଳନ ଦୃଶ୍ଯମାନ । 

      ସେସବୁ ଶାସନର ଯୁଗ ସରି ଯାଇଛି ; ଏବେ ଗଣତନ୍ତ୍ର ଶାସନ ବ୍ଯବସ୍ଥା ଅଛି । 'ଗଣ'ର ଅର୍ଥ ଲୋକ ; ଲୋକ ମାନଙ୍କର ଶାସନ ହିଁ ଗଣଶାସନ । ଗଣତନ୍ତ୍ରକୁ ଇଂରରାଜୀରେ ଡିମୋକ୍ରାସି କହନ୍ତି ; ଏହାର ଓଡ଼ିଆ ରୂପାନ୍ତର ହୋଇ ଗଣତନ୍ତ୍ର ହୋଇଛି । ଏହି ଡିମୋକ୍ରାସି ଶବ୍ଦଟି ଦୁଇଟି ଗ୍ରୀକ୍‌ ଶବ୍ଦ , ଯଥା - "ଡିମୋସ୍‌" ଓ "କ୍ରାଟୋସ୍‌"ର ସଂଯୋଗରେ ସୃଷ୍ଟି । 
"ଡମୋସ୍‌" ଅର୍ଥ ହେଲା - ଲୋକ ବା ଜନସାଧାରଣ ଏବଂ "କ୍ରାଟୋସ୍‌" ଅର୍ଥ ହେଉଛି - ଶାସନ ବ୍ଯବସ୍ଥା । ତେଣୁ "ଡିମୋକ୍ରାସି" ହେଉଛି ଲୋକ ମାନଙ୍କ ଶାସନ ବା ସରକାର । ଗଣତନ୍ତ୍ର ଏକ ଲୋକପ୍ରିୟ ଶାସନ ବ୍ଯବସ୍ଥା , ଯାହା ସର୍ବଦା ଜନକଲ୍ଯାଣ ବା ଜନମଙ୍ଗଳ ବା ସମୂହ କଲ୍ଯାଣାର୍ଥେ ଚେଷ୍ଟିତ । ଗଣତନ୍ତ୍ର ସମ୍ପର୍କରେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ ଯଥାର୍ଥରେ ଯାହା କହିଥିଲେ ତା'ର ଓଡ଼ିଆ ଭାଷାନ୍ତର କରାଯାଇଛି । ତାଙ୍କ ଉକ୍ତି ଥିଲା - "ଗଣତନ୍ତ୍ର ହେଉଛି ଲୋକ ମାନଙ୍କର , ଲୋକ ମାନଙ୍କ ଦ୍ବାରା ଏବଂ  ଲୋକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର ।" ଲର୍ଡ ବ୍ରାଇସଙ୍କ ମତରେ - ଗଣତନ୍ତ୍ରର ଶାସନୟ କ୍ଷମତା ନ୍ଯସ୍ତ ହୋଇଥାଏ "ଗୋଷ୍ଠୀ ସମୁଦାୟ"ର ପରିପ୍ରକାଶ ହୋଇଥାଏ ଗଣତାନ୍ତ୍ରିକ ନିର୍ବାଚନ ବ୍ଯବସ୍ଥା ମାଧ୍ଯମରେ । 

     ଉଭୟ ଗଣତନ୍ତ୍ର ଓ ଜନମତ ଏକ ଓ ଅଭିନ୍ନ । ଗେଟେଲଙ୍କ ମତରେ - "ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା ରହିଛି । ମାତ୍ର ସମୟ ବଦଳିବା ସହିତ ଗଣତାନ୍ତ୍ରିକ ଚିନ୍ତାଧାରାରେ ପରିବର୍ତ୍ତିତ ଆସିଛି । ଗଣତନ୍ତ୍ରରେ ଜନସାଧାରଣଙ୍କର ଚେହେରା ଏବେ ବଦଳି ଗଲାଣି । ଏବେକାର ଗଣତନ୍ତ୍ରରେ ଶାସନର କଞ୍ଚିକାଠି ଅଛି କେତେକ ବ୍ଯକ୍ତି ବିଶେଷ ଓ ମୁଷ୍ଟିମେୟ ତଥା ପ୍ରଭାବଶାଳୀ ବ୍ଯକ୍ତିଙ୍କ ହାତମୁଠାରେ । ସେମାନଙ୍କ ରାୟ , ନିଷ୍ପତ୍ତି ହେଉଛି ଆଜିର ଗଣତାନ୍ତ୍ରିକ ଶାସନ ବ୍ଯବସ୍ଥାର ପରିଚୟ ।" ଗଣତନ୍ତ୍ରର ପରିବର୍ତ୍ତିତ ଚେହେରାକୁ ଦୃଷ୍ଟିରେ ରଖି କାର୍ଲ ଫ୍ରେଡ୍‌ରିକ୍‌ଙ୍କ ଉକ୍ତିର ଓଡ଼ିଆନୁବାଦଟି ହେଲା - "ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ ।" ତେଣୁ ପ୍ରତ୍ଯେକ ବ୍ୟକ୍ତି ନିଜ ନିଜର ଦୃଷ୍ଟିକୋଣରୁ ଗଣତନ୍ତ୍ରକୁ ବୁଝିଥା'ନ୍ତି । ନିରଙ୍କୁଶ ରାଜତନ୍ତ୍ର ବିରୋଧରେ ସଙ୍ଗଠ୍‌ଇତ ଜନମତରୁ ଗଣତନ୍ତ୍ରର ସୃଷ୍ଟି । ଜନଚେତନା ଏବଂ ବୌଦ୍ଧିକ ଚେତନାର ମିଶ୍ରଣରୁ ଜନ୍ମ ନିଏ ଆଜିର ଗଣତାନ୍ତ୍ରିକ ଚିନ୍ତାଧାରା । ସମ୍ରାଟଙ୍କ ଅଖଣ୍ଡ ଆଧିପତ୍ୟକୁ ଜନସାଧାରଣ ଗ୍ରହଣ କରିବାକୁ ଅନିଚ୍ଛୁକ ହୋଇ ତିନୋଟି "ଜନବିପ୍ଳବ" ସୃଷ୍ଟି କଲେ ; ଦାବି କଲେ ସମାନତା , ସ୍ବତନ୍ତ୍ରତା ଓ ନ୍ଯାୟ । 

      ଇଂଲଣ୍ଡର ୧୬୮୮ ମସିହାର "ଗ୍ଲୋରିୟସ୍‌ ରିଭଲ୍ଯୁସନ", ୧୯୭୬ ମସିହାର ଆମେରିକାର "ସ୍ବାଧୀନତା ସଂଗ୍ରାମ", ୧୭୮୯ ମସିହାର "ଫରାସୀ ବିପ୍ଳବ" ବିଶ୍ବର ଇତିହାସକୁ ଏପଟ-ସେପଟ କରିଦେଲା ; ଆମ ରାଜତନ୍ତ୍ର ସମାଧିରୁ ଜନ୍ମ ନେଇ ଗଣତନ୍ତ୍ର । ଜନସାଧାରଣଙ୍କର ଦାବି ପୂରଣ ହୋଇ "ସାର୍ବଭୌମ ଶାସନ କ୍ଷମତା" ପ୍ରାପ୍ତ ହେଲା । ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଜନସାଧାରଣଙ୍କୁ ଜଣା ପଡ଼ିଯାଇଥିଲା ଯେ କ୍ଷମତାର ଦୁଇଟି ଉତ୍ସ, ଯଥା - ଜନମତ ଓ ଜନସମ୍ମତି ହେଉଛି ଗଣତନ୍ତ୍ରର ଭିତ୍ତିଭୂମି । ଗଣତନ୍ତ୍ର ସବୁରି ପସନ୍ଦଯୋଗ୍ଯ ହୋଇପାରିଛି ; କାରଣ ଗଣତନ୍ତ୍ର ଜନମତ ସମର୍ଥିତ ଏକ ସରକାର ଓ ଏହା ଏକ ଉତ୍ତରଦାୟୀ ଶାସନ ବ୍ଯବସ୍ଥା । ଗଣତନ୍ତ୍ର ଲୋକ ପ୍ରତିନିଧି ମାନଙ୍କ ଦ୍ବାରା ପରିଚାଳିତ ଏକ ସରକାର ବା ଶାସନ ବ୍ଯବସ୍ଥା , ଏହା ଜନସ୍ବାର୍ଥ ଜଡ଼ିତ ଏକ ସରକାର , ଏହା ଏକ ଶିକ୍ଷଣୀୟ ଶାସନ ବ୍ଯବସ୍ଥା ଯାହାକି ଜନସାଧାରଣଙ୍କୁ ରାଜନୈତିକ ନେତୃତ୍ବ ଓ ଦାୟିତ୍ବ ସମ୍ପର୍କରେ ଶିକ୍ଷିତ କରାଏ ,ଏଥିରେ କେହି ଲାଭ ବା କ୍ଷତି ସହନ୍ତି ନାହିଁ , ଗଣତନ୍ତ୍ରରେ ବ୍ଯକ୍ତି-ଅଧିକାର , ସମାନତା ଏବଂ ବ୍ଯକ୍ତି ମର୍ଯ୍ଯାଦା ସୁରକ୍ଷିତ ରହେ ଏବଂ ଗଣତନ୍ତ୍ରରେ ସୃଷ୍ଟି ହେଉଥିବା ଭେଦଭାବ ଓ କନ୍ଦଳର ସମାଧାନ କେବଳ ଏକ ଶାନ୍ତ ପରିବେଶରେ ଆଲୋଚନା ମାଧ୍ୟମେ ସମ୍ଭବ ହେବା ହେତୁ ଏହା ସବୁରି ପସନ୍ଦଯୋଗ୍ଯ ।

    ଗଣତାନ୍ତ୍ରିକ ବ୍ଯବସ୍ଥାରେ ନିର୍ବାଚନ ମାଧ୍ଯମରେ ଜନସାଧାରଣ ସେମାନଙ୍କର ଲୋକ-ପ୍ରତିନିଧି ମାନଙ୍କୁ ଚୟନ କରନ୍ତି । ଏକ ଅବାଧ , ମୁକ୍ତ , ସ୍ବଚ୍ଛ  ଓ ନିରପେକ୍ଷ ସାବାଳକ ମତଦାନ ଭିତ୍ତିକ ନିର୍ବାଚନ ବ୍ଯବସ୍ଥା - ଗଣତନ୍ତ୍ରର ମୂଳଦୁଆ । ନିର୍ବାଚିତ ଲୋକ - ପ୍ରତିନିଧି ମାନେ ମତଦାତାଙ୍କ ପାଖେ ଉତ୍ତରଦାୟୀ ରୁହନ୍ତି । ସଚ୍ଚୋଟ ଓ ଚରିତ୍ରବାନ୍ ଲୋକ-ପ୍ରତିନିଧି ଚୟନ ବ୍ଯବସ୍ଥା , ମୁକ୍ତ ଓ ସ୍ବାଧୀନ ତଥା ନିରପେକ୍ଷ ନିର୍ବାଚନ ବ୍ଯବସ୍ଥା , ନିରପେକ୍ଷ ଓ ସ୍ବାଧୀନ ନ୍ଯାୟପାଳିକା ବ୍ଯବସ୍ଥା  , ନିରପେକ୍ଷ ଓ ସ୍ବାଧୀନ ଗଣମାଧ୍ୟମ ବ୍ଯବସ୍ଥା  , ସାମାଜିକ ଓ ଅର୍ଥନୈତିକ ବିକାଶ , ଆଇନ୍‌ର ଶାସନ , ଜନସାଧାରଣଙ୍କର ରାଜନୈତିକ ପ୍ରକ୍ରିୟାରେ ଅବାଧ ସହଯୋଗ , ସବୁରି ଜନତାଙ୍କର ନିର୍ଭୀକ ଅଭିମତ ବ୍ଯକ୍ତ କରିବାର ସ୍ବାଧୀନତା , ମତଦାତାଙ୍କୁ ନିର୍ବାଚନରେ ବିବେକାନୁମୋଦିତ ତଥା ନିର୍ଭୀକ ମତଦାନର ସୁଯୋଗ ପ୍ରଦାନ , ସମ୍ବିଧାନ ସମ୍ମତି ଅଧିକାର ଗୁଡ଼ିକ ସମସ୍ତ ବ୍ଯକ୍ତି ଉପଭୋଗ କରିପାରିବାର ବ୍ଯବସ୍ଥା , ରାଜନୈତିକ ବିରୋଧ ଭାବ ପ୍ରତି ସହନଶୀଳତା , ସ୍ବେଚ୍ଛାକୃତ ଭାବେ ଆଇନ୍‌ ପାଳନ କରିବାର ମନୋଭାବ , ଦେଶ ପାଇଁ ସ୍ବାର୍ଥ ତ୍ଯାଗ ଓ ଦେଶପ୍ରେମ ପ୍ରଦର୍ଶନ , ବ୍ଯକ୍ତି-ମର୍ଯ୍ଯାଦାର ସୁରକ୍ଷା ଲାଗି ପ୍ରଚେଷ୍ଟା , ଭେଦଭାବଶୂନ୍ଯ ସମାଜ ପ୍ରତିଷ୍ଠା , ନ୍ଯାୟିକ , ପ୍ରଶାସନିକ ବ୍ଯବସ୍ଥାପିକା  ଉତ୍ତର ଦାୟିତ୍ବ ; ଗୋଟିଏ ମୂଲ୍ଯବୋଧ ଭିତ୍ତିକ ଗଣତନ୍ତ୍ରର ଆବଶ୍ଯକ ଉପାଦାନ ସମୂହ । ଜଣେ ବ୍ଯକ୍ତି ଗଣତାନ୍ତ୍ରିକ ଶାସନ ବ୍ଯବସ୍ଥାର ଏକ ଅଂଶ ହୋଇ ରହିବା ବଡ଼ କଥା ନୁହେଁ , ମାତ୍ର ଗଣତାନ୍ତ୍ରିକ ମୂଲ୍ଯବୋଧରେ ବିଶ୍ବାସ ରଖି ସେହି ଅନୁସାରେ ନିଜର ଚାଲିଚଳଣି , ଆଚାର-ବ୍ଯବହାର ତଥା ଆତ୍ମବିଶ୍ୱାସକୁ ଗଣତାନ୍ତ୍ରିକ ଢ଼ାଞ୍ଚାରେ ପରିବର୍ତ୍ତିତ କରିପାରିଲେ  ,,  ଗଣତନ୍ତ୍ରକୁ ସଫଳତା ମିଳି ପାରିବ । 

    ଗଣତନ୍ତ୍ରରେ ରାଜନୈତିକ ବିରୋଧାଭାବ ରହିବା ସ୍ବାଭାବିକ । ସଂଖ୍ଯାଗରିଷ୍ଠ ଗୋଷ୍ଠୀ ସର୍ବଦା ସଂଖ୍ଯାଲଘୁ ଗୋଷ୍ଠୀଙ୍କ ମତଦାନକୁ ସମ୍ମାନ ଜଣାଇବା ଗଣତାନ୍ତ୍ରିକ ମୂଲ୍ଯବୋଧର ଏକ ଅସ୍ତିସୂଚକ ମନୋଭାବ ; ଏତଦ୍ଦ୍ୱାରା ଗଣତନ୍ତ୍ର ସ୍ଥାୟୀ ହୁଏ । ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ପ୍ରତି ସରକାରଙ୍କର ସର୍ବଦା ଏକ ସହନଶୀଳ ମନୋଭାବ ରହିବା ଗଣତନ୍ତ୍ର ପ୍ରତି ମଙ୍ଗଳକର ; ମାତ୍ର ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ସର୍ବଦା "ଅସ୍ତିସୂଚକ" ବା ଗଠନ ମୂଳକ ହେବା ଉଚିତ । ବନ୍ଧୁତ୍ୱ ତଥା ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ବାରା ସମସ୍ତ ସମସ୍ଯାରର ସମାଧାନ କରିବା ସର୍ବଦା ଏକ ଗ୍ରହଣୀୟ ଗଣତାନ୍ତ୍ରିକ ମୂଲ୍ଯବୋଧ । ଗଣତାନ୍ତ୍ରିକ ମୂଲ୍ଯବୋଧ ଦ୍ବାରା ଦେଶପ୍ରେମ ମନୋଭାବ ଜାଗ୍ରତ ହୋଇଥାଏ । ନାଗରିକ ମାନଙ୍କ "ନୈତିକ ମୂଲ୍ଯବୋଧ" ସେମାନଙ୍କର ବୌଦ୍ଧିକ ଜ୍ଞାନର ପରିସର ବୃଦ୍ଧି କରେ  । ଗଣତାନ୍ତ୍ରିକ ମୂଲ୍ଯବୋଧ କହିଲେ - ବିଜ୍ଞତା , ବିଚାର ଶକ୍ତି , ସାମୂହିକ ସ୍ବାର୍ଥ , ସାର୍ବଜନୀନ ସୁଖ , ନାଗରିକ ମାନଙ୍କ ସଚେତନତା ବୃଦ୍ଧି ଏବଂ ଗୁଣ - ଉଦ୍ଦୀପନାକୁ ବୁଝାଏ । ଗଣତନ୍ତ୍ରରେ ଭେଦଭାବର ବିଲୋପ ହେବା ଦରକାର । ନାଗରିକ - ବ୍ଯକ୍ତି ଚରିତ୍ର ଯଥା - ସତ୍ଯବାଦିତା , ସଚ୍ଚୋଟପଣିଆ , ସ୍ପଷ୍ଟବାଦିତା , ସଚେତନତା , ଚରିତ୍ରବତ୍ତା , ନିରପେକ୍ଷତା , ସାଧୁତା ଓ ଦୁର୍ନୀତି ବିରୋଧି ମନୋଭାବ ଦ୍ବାରା ଗଣତାନ୍ତ୍ରିକ ମୂଲ୍ଯବୋଧ ସୁନିଶ୍ଚିତ ହୁଏ ଏବଂ ଔନାଗରିକର ସଜାଗପଣିଆ ଓ ରାଜନୈତିକ ସକ୍ରିୟତା ଗଣତାନ୍ତ୍ରିକ ମୂଲ୍ଯବୋଧକୁ ବହୁଗୁଣିତ କରେ । "ଭୀରୁତା" ଆତ୍ମମର୍ଯ୍ଯାଦା ବିରୋଧୀ ହେତୁ ଗଣତନ୍ତ୍ରରେ ଏହାର ସ୍ଥାନ ନାହିଁ । ଗଣତନ୍ତ୍ରର ମୂଳମନ୍ତ୍ର ହେଲା ସାହସିକତା ; ଏହାକୁ ବାଦ୍‌ ଦେଲେ ଗଣତନ୍ତ୍ରକୁ ବଞ୍ଚାଇ ହେବନି । ଆଉ ଏକ ଗଣତାନ୍ତ୍ରିକ ମୂଲ୍ଯବୋଧ - "ଜନ ସହଯୋଗ" । ସ୍ବାର୍ଥ ବିରୋଧୀ ଗଣତାନ୍ତ୍ରିକ ସର୍ବଦା ସରକାରକୁ ଜଜାଗ୍ରତ , ସଚେତନ ତଥା ଦାୟିତ୍ବବାନ ନାଗରିକର ସଦାସର୍ବଦା ପ୍ରତିବାଦ ଓ ପ୍ରତିରୋଧ ମାଧ୍ଯମରେ ଠିକ୍‌ ରାସ୍ତାରେ ଚାଲିବା  ପାଇଁ ବାଧ୍ୟ କରେ । ମାତ୍ର ପ୍ରାୟବାଦ ଓ ପ୍ରତିରୋଧ ସର୍ବଦା ଶାନ୍ତିପୂର୍ଣ୍ଣ ଏବଂ ସମୂହ-ସ୍ବାର୍ଥ ଜଡ଼ିତ ହେବା ବାଞ୍ଛାନୀୟ । ପ୍ରତ୍ଯେକ ନାଗରିଙ୍କ ଜାଣିବାର ଅଧିକାର ଆଐ ଏକ ଗଣତାନ୍ତ୍ରିକ ମୂଲ୍ଯବୋଧ । ପ୍ରଶାସନିକ ଗୋପନୀୟତା ଦୁର୍ନୀତିର ପ୍ରୋତ୍ସାହକ , ତେଣୁ ମୁକ୍ତ-ଶାସନ ବା ମୁକ୍ତ ସରକାର ବା ସ୍ବଚ୍ଛ ଶାସନ ଗଣତାନ୍ତ୍ରିକ ମୂଲ୍ଯବୋଧକୁ ପ୍ରୋତ୍ସାହିତ କରେ ।

     ଆଉ ଏକ ବିଶିଷ୍ଟ ମୂଲ୍ଯବୋଧ ଗଣତନ୍ତ୍ରର ହେଉଛି ସମାଜରୁ ଦୁରନୀତିର ମୂଳୋତ୍ପାଟନ ; ଏ ଲାଗି ଦୃଢ଼ ମନୋବଳ , ନାଗରିକ ସମାଜର ନେତୃତ୍ବ , ରାଜନୈତିକ ଇଚ୍ଛାଶକ୍ତି ଆବଶ୍ଯକ । ଗଣତନ୍ତ୍ରର ଅନ୍ଯ ବିକଳ୍ପ ଅଛି କି ନା , ଏହାର ଉତ୍ତର ମିଳିବା ଜଟିଳକର । ଲର୍ଡ ବ୍ରାଇସଙ୍କ ଯୁକ୍ତି ଅନୁସାରେ "ଯଦି ଗଣତନ୍ତ୍ର ଦୋଷଯୁକ୍ତ , ତେବେ କେଉଁ ସରକାରଟି ଉତ୍ତମ ?" ବର୍ଣ୍ଣସଙ୍କ ଯୁକ୍ତି ଅନୁସାରେ "ଯଦି ମୋଟରଗାଡ଼ି ଅଚଳ ହୁଏ , ତେବେ ବଳଦଗାଡ଼ି ଯେତେ ସୁଦୃଶ୍ୟ ହେଲେ ବି ତାକୁ ପୁନରାୟ ବ୍ଯବହାର କରିବା ବୋକାମୀର ପରିଚୟ ପ୍ରଦାନ କରେ ।" ଗଣତନ୍ତ୍ରର ନିଷ୍ପତ୍ତି ନେବାର ପ୍ରକ୍ରିୟା ଧୀର ଓ ମନ୍ଥର ହେଲେ ବି ଏହା ଏକ ଦାୟିତ୍ବସମ୍ପର୍ଣ୍ଣ ତଥା ଉତ୍ତରଦାୟୀ ସରକାର ଯାହାର କୌଣସି ବି ବିକଳ୍ପ ନାହିଁ ; ଏକଛତ୍ରବାଦ ଗଣତନ୍ତ୍ରର ବିକଳ୍ପ ନୁହେଁ । ଗଣତାନ୍ତ୍ରିକ ମୂଲ୍ଯବୋଧକୁ ଉଜ୍ଜୀବିତ କରିବା ସହ ଗଣତନ୍ତ୍ରର ଦୋଷ ଓ ଦୁର୍ବଳତାକୁ ସୁଧାରି ପାରିଲେ ଗଣତନ୍ତ୍ରର ବିକଳ୍ପ ଖୋଜିବାର ଆବଶ୍ଯକତା ପଡ଼ି ନଥାଏ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ନୂତନ ସମ୍ବିଧାନ ପ୍ରଚଳନ କରାଯାଇ ଏକ "ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର" ରାଷ୍ଟ୍ର ରୂପେ ଭାରତକୁ ପରିଚୟ ପ୍ରଦାନ କରାଗଲା । ଏହାର ନିଦର୍ଶନ ରୂପେ ୧୯୫୨ ମସିହାରେ ଦେଶରେ ପ୍ରଥମ ଥର ପାଇଁ ଏକ ମୁକ୍ତ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ସାବାଳକ ମତଦାନ ବ୍ଯବସ୍ଥା ଦ୍ବାରା ଦେଶରେ ପ୍ରଥମ ଲୋକସଭା ଓ ପ୍ରତି ରାଜ୍ଯରେ ବିଧାନସଭା ଗଠିତ ହୋଇଥିଲା । ୨୦୦୯ ମସିହାରେ ପାଞ୍ଚଦାସ ଲୋକସଭାର ଗଠନ କରାଯାଇଥିଲା । ବିଭିନ୍ନ ସମୟେ ରାଜ୍ଯ ମାନଙ୍କରେ ନିର୍ବାଚନ ମାଧ୍ଯମରେ ବିଧାନସଭା ମାନ ପୁନର୍ଗଠନ ହୋଇଛି । ଅବାଧ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟାର ସୁରକ୍ଷା ଦାୟିତ୍ବ "ନିର୍ବାଚନ ଆୟୋଗ"ଙ୍କ ହାତରେ ନ୍ଯସ୍ତ କରାଯାଇଛି । 

    ୧୯୯୩ରେ ସମ୍ବିଧାନର ୭୩ତମ ଓ ୭୫ତମ ସମ୍ବିଧାନ ସଂଶୋଧନ ଆଇନ୍‌ ସଂସଦରେ ଗୃହୀତ ହେବା ପରେ ପଞ୍ଚାୟତରାଜ ଓ ନଗରପାଳିକା ବ୍ଯବସ୍ଥା ଦ୍ବୟ ଏକ ନୂତନ ଧାରାରେ କାର୍ଯ୍ଯକାରୀ ହୋଇଛି ଓ ନିର୍ବାଚନ ମାଧ୍ଯମେ ଲୋକ-ପ୍ରତିନିଧି ମାନଙ୍କୁ ନିର୍ବାଚିତ କରାଯାଇ ପଞ୍ଚାୟତରାଜ ଓ ନଗରପାଳିକା ଅନୁଷ୍ଠାନ ସବୁ ପୁନର୍ଗଠନ ହୋଇଛି । ସମ୍ପ୍ରତି ଭାରତରେ ଗଣତାନ୍ତ୍ରିକ ମୂଲ୍ଯବୋଧର ଅବକ୍ଷୟ ଦୃତଗତିରେ ଘଟୁଛି । କେନ୍ଦ୍ର ଓ ରାଜ୍ଯ ସରକାରରେ ଅସ୍ଥିରତା ଦିନୁଦିନ ବୃଦ୍ଧି ଘଟୁଛି । ଦୁର୍ନୀତି , ସରକାରଙ୍କ ଅପାରଗତା , ନିର୍ବାଚନରେ ଭଗ୍ନ - ଜନାଦେଶ , ରାଜନୈତିକ ହିଂସା , ଦେଶ ସେବା ଓ ଦେଶ ପ୍ରେମର ଅଭାବ , ବେକାରୀ , ନିରକ୍ଷରତା , ଦାରିଦ୍ର୍ଯ , ସଂସ୍କୃତିର ଅବକ୍ଷୟ ଆଉ ଅପସଂସ୍କୃତିର ଅନୁପ୍ରବେଶ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଆଦି ଭାରତୀୟ ଗଣତାନ୍ତ୍ରିକ ମୂଲ୍ଯବୋଧର ଅବକ୍ଷୟ ନିମନ୍ତେ ପୂର୍ଣ୍ଣମାତ୍ରାରେ ଦାୟୀ । ଏବେ ଆତ୍ମ ନିରୀକ୍ଷଣର ସମୟ ; ଆମର ଗଣତାନ୍ତ୍ରିକ ମୂଲ୍ଯବୋଧକୁ ଉନ୍ନତତର ଓ ସୁଦୃଢ଼ତର କରିବା ପାଇଁ ହେବ । ଏଥିପାଇଁ ନାଗରିକର ସାଧୁତା , ରାଜନେତା ଓ କର୍ମଚାରୀଙ୍କ ସଚ୍ଚୋଟପଣିଆ , ନିଃସ୍ବାର୍ଥ ଦେଶ ସେବା ଓ ଦେଶ ଲାଗି ତ୍ଯାଗ ବା ଆତ୍ମୋତ୍ସର୍ଗ , ରାଜନୈତିକ ଇଚ୍ଛାଶକ୍ତିର ବୃଦ୍ଧି , ଗଣତାନ୍ତ୍ରିକ ମୂଲ୍ଯବୋଧରେ ବିଶ୍ବାସ ଓ ଗଣତାନ୍ତ୍ରିକ ଶାସନ ବ୍ଯବସ୍ଥା ଉପରେ ଦୃଢ଼ ବିଶ୍ବାସ ସ୍ଥାପନ ଏବଂ ଆତ୍ମବିଶ୍ୱାସର ଦୃଢ଼ତା ନିହାତି ଆବଶ୍ଯକ ।

      ଏବେକାର ଗଣତନ୍ତ୍ର ଶାସନ ବାସ୍ତବରେ ଦୁର୍ବଳ । କେହି ଆଉ ନାଗରିକ ହେବାକୁ ଉତ୍ସୁକ ନୁହଁ ; ସମସ୍ତେ ରାଜନେତା ପାଲଟିବାର ମୋହରେ । ଭୋଟ ଦେବାକୁ ଯେତିକି ବ୍ଯଗ୍ର ନୁହନ୍ତି ; ଭୋଟ ପାଇବାକୁ ସମସ୍ତେ ବ୍ଯଗ୍ର । ଏଠି ନେତା ଜଣେ , କିନ୍ତୁ ପଣପଣ କୁଜିନେତାଙ୍କର ଆବିର୍ଭାବ । କେବେ କାହା ସୁଖ-ଦୁଃଖରେ ଛିଡ଼ା ହୋଇନଥିବା ମଣିଷ ନିର୍ବାଚନ ସମୟ ଆସିଲେ ରାଜନୀତିର ଦଳୀୟ ଟିକେଟ ପାଇ ସାରିବା ପରେ କିମ୍ବା ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ ବାହାରିଲେ , ଘରେ ଘରେ ହାଜିରା ପକାଏ । ହାତ ଯୋଡ଼ି , କାକୁତି ମିନତି ହୋଇ ଭୋଟ୍‌ ଭିକ୍ଷା କରେ । ରାଜସିକ ଭୋଜନ କରୁଥିବା ଲୋକ ଶାଗ-ପଖାଳ ଦୁଇଗୁଣ୍ଡା ଘରେ ଘରେ ପଶି ଦୁଇଗୁଣ୍ଡା ଖାଇ ପକାଏ ; କେବଳ ଲୋକ ଦେଖାଣିଆ ଢ଼ଙ୍ଗ । କାଲି ଯିଏ ଅଚ୍ଛବ କହି ଶୁଦ୍ରାଦିଙ୍କୁ ଘୃଣା ଚକ୍ଷୁରେ ଦୃଷ୍ଟି ପ୍ରହାର କରୁଥିଲା , ଆଜି ସିଏ ତା' ସାଙ୍ଗରେ ଏକାଠି ବସି ଦୁଇଗୁଣ୍ଡା ବାସି ପଖାଳକୁ ବାରି ଶାଗ ଖରଡ଼ା କେମିତି ଖାଇ ପାରୁଛି ସ୍ଥିର ଚିତ୍ତରେ ଚିନ୍ତା କରନ୍ତୁ ତ ଥରେ ; କି ସ୍ବାର୍ଥ ଉହ୍ଯ ଅଛି ବୁଝି ପାରିବେ । ଭିକାରୀ କହି ପାଦରେ ଆଡ଼େଇ କାଲି ଯିଏ ଆତ୍ମଗର୍ବରେ ଫାଟି ପଡୁଥିଲା , ସେ କେମିତି ଆଜି ତା' ଦଦରା କୁଟୀରେ ପହଞ୍ଚି ହାତ ଯୋଡ଼ି ଭୋଟ୍‌ ଭିକ୍ଷା କରିପାରୁଛି ଆଉ ତା' ଉଚ୍ଚିଷ୍ଟକୁ ପ୍ରସାଦ ପରି ସେବନ କରୁଛି ଦେଖିଲେ ବିସ୍ମୟ ଲାଗେ । ନିର୍ବାଚନ ପୂର୍ବରୁ କେତେ ଲାଳସା ଦେଖେଇ ଦୀନ-ଦୁଃଖୀ ମନରେ ଅଗାଧ ବିଶ୍ବାସ ଜନ୍ମାଇ ବିଶ୍ବାସଘାତକ ସାଜିବାର କଳା ଏଇ ମାନଙ୍କ ଠାରୁ ହିଁ ଶିକ୍ଷା ଲାଭ କରାଯାଇପାରେ ।

     ନିର୍ବାଚନ ପୂର୍ବରୁ ଶାଗ-ମାଛ ଦରରେ ମୁଣ୍ଡ କିଣା ବେପାର ଲୁଚାଛପାରେ ବେଶ୍‌ ଭଲ ରକମ ଚାଲେ । ଆମ୍ବ ଦେଖାଇ ଆମ୍ବଡ଼ା ତ ଦୂରର କଥା କଷି ଚାଉଳିଆଟିଏ ବି ସ୍ବପ୍ନ ପାଲଟି ଯାଏ । କେଇଟା ଟଙ୍କାରେ ବହୁମୂଲ୍ୟ ମତ କ୍ରୟ ପରିତାପ ଓ ନିନ୍ଦାର ବିଷୟ ନୁହେଁ କି ? ମତ କ୍ରୟ କରନ୍ତିନି ଯେ ମୁଣ୍ଡ କ୍ରୟ କରନ୍ତି କହିଲେ ଚଳେ । ଟଙ୍କା ବାଣ୍ଟିବା ପାଇଁ ଦଳୀୟ କୁଜି ନେତାଙ୍କର ଅଭାବ ବି ନାହିଁ । ନେତାଙ୍କ ଠାରୁ ମୁଣ୍ଡ ପିଛା ଯାହା ବି ଆଣିଥା"ନ୍ତି ସମର୍ଥକ ବା କୁଜି ନେତାମାନେ ; ସେଥିରୁ ତିନି ଭାଗ ଅର୍ଥରାଶି ଉଦରସ୍ଥ କରି ଏକ ଭାଗ ଅର୍ଥରାଶିକୁ ନାଗରିକ ମାନଙ୍କୁ ବଣ୍ଟନ କରିଥା'ନ୍ତି । ତେବେ ଏଠି ପ୍ରଶ୍ନ ଉଠେ ଯେ , ସେଇ ଏକ ଭାଗ ଟଙ୍କା କ'ଣ ଗୋଟିଏ ମୁଣ୍ଡର ମୂଲ୍ଯ ? ଦାରିଦ୍ର୍ଯତାର କଷାଘାତରେ ପୀଡ଼ିତ ଜନତା ସବୁ ଜାଣି ବି ପାଞ୍ଚ ବର୍ଷ ଯାଏଁ ମୁଣ୍ଡ ବିକ୍ରୀ କରିଦିଅନ୍ତି ବିଜେତା ନେତା ମାନଙ୍କ ପାଖରେ । ଆଗାମୀ ନିର୍ବାଚନ ଯାଏଁ କଷଣ , ଶୋଷଣର ଶିକାର ହୋଇଚାଲନ୍ତି ।

    ଓଡ଼ିଆରେ ଏକ ପ୍ରବାଦ ଅଛି - "ଅକାଳେ ନାହିଁ କି ସକାଳେ ନାହିଁ , ଗହ୍ମା ପୂର୍ଣ୍ଣମୀରେ ମାଇଁ - ମାଇଁ" । ରାଜଗାଦି ଆରୋହଣ ପରେ ଜନତାଙ୍କ ଯନ୍ତ୍ରଣାର କାରଣ ଜାଣିବାକୁ କି ଦୀନ-ଦୁଃଖୀ ଆଖିର ଲୁହଧାରର କାରଣ ପଚାରି ବୁଝିବାକୁ ଦିନେ ହେଲେ ବି ଆସନ୍ତିନି । ରାଜଧାନୀ ରାଜରାସ୍ତା ଛଡ଼ା ଗାଁ ଗହଳିର କଚା ସଡ଼କରେ ଦିନେ ବି ପଡ଼େନି ପାଦ । ରାଜ ଉଆସ ଭିତରେ ରାଜା ଭୋଜନ କରୁତିବା ନେତାଙ୍କର ପାଦ ଘଷିବାକ ସିଂହାସନ ଲୋଭୀ କୁଜି ନେତାମାନେ ସୁଅ ଛୁଟାନ୍ତି । ଟିକେଟ ଖଣ୍ଡେ ପାଇବାକୁ ଆଶାୟୀ କିଛି କୁଜି ନେତା ଓ ନେତାଙ୍କର ଖାସ୍‌ ଲୋକ ତାଙ୍କର ଭୃତ୍ଯଗିରି କରିବାକୁ ତାଙ୍କ କତିରେ ଉପସ୍ଥିତ ହୋଇଯା'ନ୍ତି । ବନ୍ଯା , ବାତ୍ଯା , ମରୁଡ଼ି ଆଦି ସମୟେ କାହାର ବି ଦେଖା ନଥାଏ । କଥାରେ ଅଛି - "ଚୋର ଗଲା ପରେ ପୁଲିସି ଆସେ", ଠିକ୍‌ ସେହିପରି ସବୁକିଛି ଛାରଖାର ହୋଇସାରିବା ପରେ କିଛି ନେତା ମାନେ ଆସନ୍ତି ମିଛ ପ୍ରତିଶ୍ରୁତି ନେଇ । ପଛରେ ଜଗୁଆଳୀ ପରି କେତେ କେତେ କୁଜି ନେତାଙ୍କର ସମାଗମ ; ପ୍ରତିଶ୍ରୁତି ଦେଇ ଚାଲିଗଲା ପରେ ସବୁକିଛି ବିସ୍ମରଣ । କୁକୁରକୁ ରୋଟି ପଟେ ଫିଙ୍ଗିଲା ପରି ଜନତାଙ୍କ ମୁହଁକୁ ସ୍ବାର୍ତ ଯୁକ୍କ ସ୍ବଳ୍ପ ଦୟା ଫିଙ୍ଗି ଫେରିଯାଆନ୍ତି ରାଜନବରକୁ ପୁନରାୟ । 

     ଯୋଉ କିଛି ଯୋଜନା କାର୍ଯ୍ଯକାରୀ ହୁଏ , ସେ ସମସ୍ତ ପ୍ରକୃତ ହିତାଧିକାରୀର ଅପହଞ୍ଚ ଇଲାକା କହିଲେ ଚଳେ । ଧରାରେ ଧନୀକ ହେବାର ପ୍ରତିଯୋଗିତା ବଦଳରେ ଦାରିଦ୍ର୍ୟତା ଆପଣେଇବାର ପ୍ରତିଯୋଗିତା ଦୃତଗତିରେ ଆଗେଇ ଚାଲେ । ଇନ୍ଦିରା ଆବାସ , ମୋ' କୁଡ଼ିଆ ଯୋଜନା , ଅନ୍ତର୍ଦୋୟ ଅନ୍ନ ଯୋଜନା ପରି ଯୋଜନା ସବୁ ଠିକ୍‌ ଭାବେ ଚାଲି ପାରେନି କି ଠିକ୍‌ ଲୋକ ପାଖରେ ପହଞ୍ଚି ପାରେନି । ଟଙ୍କିକିଆ ଚାଉଳର ବେକାର ପ୍ରହସନ ଜନତାଙ୍କୁ କର୍ମକୁଢ଼ିଆ କରିପକାଏ ; ଚାଷକାର୍ଯ୍ଯ ତଥା କୌଳିକ ବୃତ୍ତିରୁ ଅବସର ନିଅନ୍ତି ଜନତା । ଚାଷକାର୍ଯ୍ଯରେ ବ୍ଯାଘାତ ଦେଖାଦିଏ । ବେକାରୀ ସମସ୍ଯାର ହ୍ରାସ ହେବା ବଦଳେ ବୃଦ୍ଧି ପାଏ । ଟଙ୍କା ଆସି ଫେରିଯାଏ ସିନା , କାର୍ଯ୍ଯରେ ଲାଗି ପାରେନି ; ଅଯଥା ବ୍ଯୟ କରି ଉଚିତ ବ୍ଯୟର ହିସାବ ଦିଆଯାଏ । ଅନାବଶ୍ୟକ କାର୍ଯ୍ଯ କରାଯାଏ , କିନ୍ତୁ ଅତ୍ଯାବଶ୍ଯକୀୟ କାର୍ଯ୍ଯ ବର୍ଷ ବର୍ଷ ଧରି ଶିଳାନ୍ୟାସ ହୋଇ ଚାହିଁ ରହିଥାଏ ସମ୍ପୂର୍ଣ୍ଣତାକୁ । ପାଣିରେ ପହଁରି ପାଠଶାଳାକୁ ଯାଉଥିବା ପିଲାମାନେ , କାନ୍ଧରେ ବୁହା ହୋଇ ଚିକିତ୍ସାଳୟକୁ ଯାଉ ଯାଉ ଅଧା ବାଟରେ ପ୍ରାଣ ଛାଡ଼ି ଯାଉଥିବା ରୋଗୀ , ଆମ୍ବୁଲାନ୍ସ୍‌କୁ ଯୋଗାଯୋଗ କରି ନୟାନ୍ତ ହୋଇ ପଡୁଥିବା ରୋଗୀଙ୍କର ସମ୍ପର୍କୀୟ ମାନଙ୍କର ଆପଣା ଜନଙ୍କୁ ହରାଉଥିବା , ଶୂନ୍ଯ ଛାତ ତଳେ ସଢୁଥିବା ଜନତା ପୂର୍ବବତ୍‌ ପରିଚାଳିତ ; କିନ୍ତୁ ଛାତ ଉପରେ ଛାତ ପିଟିବା ପାଇଁଁ ପୁଳାପୁଳା ଅର୍ଥରାଶି ମାହାଳିଆରେ ମିଳିଯାଏ । 

    ରାଜନୀତିର ରସାବଳୀ ଭଣଣ ଅଗଣାରେ ଅଭିନେତା - ଅଭିନେତ୍ରୀଗଣ ବି ରାଜନୀତି ବଜାରରେ ପାଦ ଥାପିବାକୁ ଗଲେଣି । ଅଜ୍ଞ ବି ବିଜ୍ଞତାର ମୁଖା ମଡ଼େଇ ମଥା ଟେକି ରାଜ ଉଆସ ଲୋଭରେ ରାଜଧାନୀର ରାଜରାସ୍ତାରେ ପହଞ୍ଚି ଯାଏ । ଏ ହେଉଛି ଆମ ଗଣତନ୍ତ୍ର ; ସ୍ବଚ୍ଛ ରାଜନୀତିର ନିଚ୍ଛକ ଚିତ୍ରଣ । ତିନି ଭାଗ ଉଦରସ୍ଥ , ଆଉ ଗୋଟିଏ ଭାଗ ଆଖିଦୃଶିଆ କାର୍ଯ୍ଯରେ ନିୟୋଜିତ । ରାଜନୀତି ଏବେ ଆଉ ଦେଶପ୍ରୀତି କି ଦେଶସେବା କିମ୍ବା ଜନସେବା ହୋଇ ନାହିଁ ; ଭଲ ବ୍ଯବସାୟର ପେଣ୍ଠସ୍ଥଳୀ ପାଲଟି ଯାଇଛି ରାଜନୀତି କ୍ଷେତ୍ର । ଭ୍ରଷ୍ଟ ରାଜନୀତିକୁ ସ୍ବଚ୍ଛ ରାଜନୀତି କହି ସାଧୁତା ପ୍ରଦର୍ଶନ ; ଯଥାର୍ଥ ରାଜନୀତି ହୋଇ ନପାରେ । କଥାରେ ଅଛି "କହିଲେ କୁଳ କୁଟୁମ୍ବକୁ ଲାଜ , ନ କହିଲେ କୁଳ ଭାସି ଯାଉଛି ।" ଆଖି ଥାଇ ବି ଆମେ ସମସ୍ତେ ଅନ୍ଧ ।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ :-ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା