ସ୍ମୃତି ସୁଗନ୍ଧ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ମନ କଲମରେ କୋହର କାଳିରେ
ଲେଖିଲି ଶେଷ କବିତା
ଇଚ୍ଛା ହେଲେ କେବେ ନିଶ୍ଚିତ ପଢ଼ିବେ
ଶବ୍ଦରେ ସଜ୍ଜିତ ବ୍ଯଥା ।
ଜନମ - ମରଣ ନିୟତି ନିଦାନ
କରିବ କେ' ତାକୁ ଆନ
ଦୁଃଖ ନ କରିବ ଯେବେ ବି ଶୁଣିବ
ଶରୀରେ ନାହିଁ ମୋ' ପ୍ରାଣ ।
ସୁଖ ମୋ' ଜୀବନେ ଆସିନାହିଁ ଦିନେ
ଜନମୁ ଯନ୍ତ୍ରଣାସିକ୍ତ
ଅଭିନୟ କରି ଏଯାଏଁ ବଞ୍ଚିଲି
କାହାକୁ କରିନି ବ୍ଯକ୍ତ ।
ମୋର ରକ୍ତ ଯିଏ ଶତ୍ରୁ ସମ ସିଏ
ଦୁଃଖ ଦେଲେ ଆଜୀବନ
ମୋତେ ଯେବେ ପର କଲା ଆପଣାର
ଭିଡ଼ି ନେଲେ ଜନ୍ତୁରାଣ ।
ମିତ୍ରଟିଏ ହୋଇ ଥିଲା ଯିଏ ରହି
ପିତୃ ପରି ସ୍ନେହ ଯା'ର
ସହି ପାରିଲେନି ନେଲେ ତାକୁ ଟାଣି
କପଟିଆ ଦଣ୍ଡଧର ।
ମାଆଟିଏ ହୋଇ ଥିଲେ ଯିଏ ରହି
ମନ ଯା' ମମତା ନଈ
ଦଇବ ଦାରୁଣ ଦେଲାଟି କଷଣ
ମୋ' ଠାରୁ ଛଡ଼ାଇ ନେଇ ।
ଭଉଣୀର ସ୍ଥାନ କଲା ଯେ' ପୂରଣ
ତାକୁ ବି ଦଣ୍ଡିଲେ ଦେବ
ପ୍ରାଣ ଠାରୁ ବେଶି ଦେଲା ଯିଏ ଖୁସି
ସିଏ ବି ସାଜିଲା ଶବ ।
ଦୁଇ ମନ ଦୁଇ ପ୍ରାଣ ମିଶିଯାଇ
ପ୍ରେମ ଯେବେ ଜନ୍ମ ନେଲା
ବିଭୁ ତ ବଇରୀ ବନିଲେ ମୋହରି
ଅକାଳେ ସେ ଝଡ଼ିଗଲା ।
ନୈରାଶ୍ଯ ବାଦଲେ ମୋ' ମୁଖମଣ୍ଡଳେ
ମଳିନତା ପ୍ରକାଶିଲା
ଅଭିଶପ୍ତ ବୋଲି ଆପେ ଜାଣିଗଲି
ବିତୃଷ୍ଣା ଭାବ ଜାଗିଲା ।
ସସ୍ର ଚେଷ୍ଟା କରି ନପାରିଲି ମରି
ନଭକ୍ଷିଲା ଲୌହାସୁର
ହଳାହଳ ବିଷ କଲା ନାହିଁ ନାଶ
ପିଣ୍ଡରୁ ପରାଣ ମୋର ।
ଯାହା ଦେଇଥିଲେ ସବୁ ଛଡ଼ାଇଲେ
ଆଉ ବା ରହିଲା କିସ
ରଖିଅଛ କାହିଁ ଆହେ ଭାବଗ୍ରାହୀ
ପ୍ରାଣ ମୋ' କର ବିନାଶ ।
ଟେକି ଦେଲି ହାତ ରଖ ଜଗନ୍ନାଥ
ନିଅ ମୋତେ ପାଶେ ବରି
ଜୀବନ ଦୀପର ସଳିତାଟି ମୋର
ଧିରେ ଧିରେ ଆସେ ସରି ।
ଯଦି ଦଲକାଏ ବାଆ ବହିଯାଏ
ଦୀପଟି ମୋ' ଲିଭିଯିବ
ସନ୍ତକଟି ଏଇ ଥିବ ମୋର ରହି
ମୋତେ ମନେ ପକାଇବ ।
କେହି ଜଣେ ଥିଲା ଲେଖି ଚାଲିଥିଲା
ଭଲ ହେଉ ଅବା ମନ୍ଦ
ଭାବିବ ମନରେ ନାହିଁ ସେ ମହୀରେ
ଅଛି ତା' ସ୍ମୃତି ସୁଗନ୍ଧ ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା,ନିରାକାରପୁର , କଣାସ , ପୁରୀ
ଫୋ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment