ଏକପଦୀ ଓ ଦୁଇପଦୀ କବିତା
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
କବିତା କହିଲେ ଭାବ ପ୍ରକାଶର ଏକ ମାଧ୍ଯମ ଅଟେ । ମନର ଭାଷା ପରିସ୍ଫୁଟନ କରିବାର ଏକ ସରଣୀ । "କର୍ମ-ବିଷୟ-ତାରତମ୍ୟ''ର ମିଶ୍ରଣ କବିତା । କବି ତା'ର କବିତାରେ ଏ ତିନୋଟି ଜିନିଷକୁ ସ୍ଥାନିତ କଲେ ତାହା କବିତାର ଏକ ପୂର୍ଣ୍ଣାଙ୍ଗ ରୂପରେ ପରିଦୃଷ୍ଟ ହୁଏ । କର୍ମ କରିବାକୁ ପ୍ରେରଣା ଓ କୁକର୍ମରୁ ବିରତ ତଥା ବିଶେଷ ଜ୍ଞାନର ଆବଣ୍ଟନ ସହିତ ଶବ୍ଦାଳଙ୍କାରରେ ତାରତମ୍ୟତା କବିତାକୁ ଶ୍ରୀବୃଦ୍ଧି କରାଇବାରେ ବିଶେଷ ସହାୟତା ଯୋଗାଏ । କବି ଅସାଧାରଣ , କାରଣ ତାଙ୍କ ଦୃଷ୍ଟିରେ ପ୍ରତିଟି ଜିନିଷର ଏକ ସ୍ବତନ୍ତ୍ର ଭିନ୍ନତା ରହିଛି । ସାଧାରଣ ଲୋକ ଅପେକ୍ଷା ସେ ଭିନ୍ନ ଦୃଷ୍ଟିରେ ଦେଖି ସ୍ବତନ୍ତ୍ର ଢ଼ଙ୍ଗରେ ଉପସ୍ଥାପନା କରନ୍ତି । ତେଣୁ ଅଗ୍ନି ପୁରାଣ ପ୍ରମାଣ ଦିଏ -
"ନରତ୍ବଂ ଦୁର୍ଲଭ ଲୋକେ ବିଦ୍ଯାସ୍ତତ୍ର ସୁଦୁର୍ଲଭା
କବିତ୍ୱଂ ଦୁର୍ଲଭାସ୍ତତ୍ର ଶକ୍ତିସ୍ତତ୍ର ସୁଦୁର୍ଲଭା ।"
ଈଶ୍ବର କୃପା ବିନା କବିତ୍ୱ ଲାଭ ଅସମ୍ଭବ । କବି ଅର୍ଥ ବିଦ୍ବାନ ବା ପଣ୍ଡିତ । ସେତିକି ଜ୍ଞାନ ଦରକାର ଏଲାଗି , ସେ ପୁଣି କୋଉ ଜ୍ଞାନ ? ସେ ଜ୍ଞାନ ହେଉଛି ପାରିପାର୍ଶ୍ୱିକ ପରିସ୍ଥିତିକୁ ଲକ୍ଷ୍ଯ କରି ଭିନ୍ନତା ପରିପ୍ରକାଶର ଜ୍ଞାନ । ତେବେ ଛାନ୍ଦ , ଚଉପଦୀ , ଚମ୍ପୂ ପରି ଅନେକ କବିତା ରହିଛି । ତେବେ ଏକପଦୀ କବିତା କଥା ଟିକେ ଉଠେଇବା । କିଛି ଲୋକ କହନ୍ତି ଗୋଟିଏ ପଦ ଲେଖିଦେଲେ ତାହା କବିତାରେ ଗଣତି ନୁହଁ , ତାକୁ "ଉକ୍ତି" ହୋଲି କହନ୍ତି । "ଉକ୍ତି" ଆଉ "କବିତା" - ଏ ଦ୍ବୟ ଅଲଗା ବୋଲି ବୋଧହୁଏ ସେ ଅଜ୍ଞାତ । "ଉକ୍ତି"ର ଅର୍ଥ କଥା , ତେବେ କଥା ଆକାରରେ ଏକ ଭାବ ବା ଦୃଷ୍ଟିକୁ ଅବଲୋକନ କରାଇବା ହେଲା "ଉକ୍ତି" । କବିତା କିନ୍ତୁ ପଦକୁ ପଦ ଖଞ୍ଜି ଲାଳିତ୍ୟ ତଥା ଭାବ ବିନ୍ଯାସ କରି ଲେଖିବା । ଗୋଟିଏ ପଦ ଯଦି କବିତା ନୁହେଁ ତ ତେବେ ତାହାକୁ କ'ଣ କୁହାଯିବ ? ଏକପଦୀ କବିତା ପିଲାଟି ଦିନରୁ ଆମେ ସମସ୍ତେ ପଠନ କରି ଆସୁଛେ । "ଛବିଳ ମଧୁବର୍ଣ୍ଣବୋଧ" ଏହାର ଏକ ଜ୍ବଳନ୍ତ ଉଦାହରଣ ।
ସେଇ "ଛବିଳ ମଧୁବର୍ଣ୍ଣବୋଧ"ର କିଛି ଏକପଦୀ ଉପରେ ଦୃଷ୍ଟି ଦେବା । ଦେଖିବା କେତେ ସୁନ୍ଦର ଆଲେଖ । ପ୍ରଥମେ ନିମ୍ନୋକ୍ତ ଏକପଦୀଟିଏ ଦେଖନ୍ତୁ ତ, ତା'ର ଅର୍ଥ ବି ଚମତ୍କାର ।
"ମେଣ୍ଢା ମୁଣ୍ଡ ବଡ଼ ଟାଣ
ତା' ମୁଣ୍ଡିଆକୁ ସାବଧାନ ।"
ସବୁଠୁ ଟାଣ ମୁଣ୍ଡ ବାଲା ପଶୁ ହେଉଛି ମେଣ୍ଢା , ସେ ଯଦି ଜୋର୍ରେ ମୁଣ୍ଡରେ ପ୍ରହାର କରିବ ତ ଜଣେ ସାଧାରଣ ଲୋକର ବଥା ବାହାରିଯିବ । ଏହାକୁ ଅଲଗା ଅର୍ଥରେ ଟିକେ ବିଚାର କରିବା । ମେଣ୍ଢା ହେଉଛନ୍ତି ବୋକା , ଆପଣ କହିବେ କିପରି ? ଦେଖନ୍ତୁ , ସେମାନେ ଦଳବାନ୍ଧି ରହିବାକୁ ପସନ୍ଦ କରନ୍ତି । ଯଦି ଜଣେ ମେଣ୍ଢା ଟ୍ରେନ୍ ଆସିବା ବେଳେ ରେଳଧାରଣାକୁ ଚାଲିଗଲା ତ ସମସ୍ତ ମେଣ୍ଢା ତା' ପଛେ ପଛେ ରେଳଧାରଣାକୁ ଚାଲିଯା'ନ୍ତି । ମରନ୍ତୁ ନହେଲେ ବଞ୍ଚନ୍ତୁ , ମୂର୍ଖ ବୁଦ୍ଧି । ସେମିତି କିଛି ମୂର୍ଖ ବା ବୋକା ଲୋକଙ୍କୁ "ମେଣ୍ଢା ଭଳି କ'ଣ ହଉଛୁ କିରେ !" କହି ଆପ୍ତବାକ୍ଯଟିଏ ଲଗାଯାଏ । ତେଣୁ ମୂର୍ଖ ବା ବୋକା ଲୋକଟି ଯାହା ବୁଝିଥାଏ ସେଇଆ । ତାକୁ ବୁଝାଇବା କଷ୍ଟ , ତା' ସହ ଯୁକ୍ତି କରିବା ନିରର୍ଥକ । କଥାରେ ଅଛି - "ଚୋରର ମୁହଁ ଟାଣ" ; ତେଣୁ ସେ ଅଯଥା ଅମୂଳକ ଯୁକ୍ତିରେ ଟାଣ । ନବୁଝି କଳି କରିବା ତା'ର ଗୁଣ । ତେଣୁ ତାକୁ ସାବଧାନ ରହିବା ଉଚିତ । ସେହିପରି ଏହି ଭାବାର୍ଥରେ ଆଉ ଏକ ପଦ ସେହି "ଛବିଳ ମଧୁବର୍ଣ୍ଣବୋଧ"ରୁ ସାମଞ୍ଜସ୍ୟ ସୃଷ୍ଟି କରେ । ପଦଟି ହେଲା -
"ଅରଣା ମଇଁଷି ରହିଛି ଅନାଇ
ମଇଁଷିର ପାଶ ନଯାଅ ଦନାଇ ।"
ଖଳ ପ୍ରକୃତିର ଲୋକ ସର୍ବଦା କଳି କରିବାକୁ ଆଗଭର । ତେଣୁ ତା'ର ନିକଟବର୍ତ୍ତୀ ହେବା ଅର୍ଥ ସୁଅ ମୁହଁରେ ପତର ପରି । ସେଲାଗି ଅଛି -
"ଦୁର୍ଜନ ସଙ୍ଗେ କଲେ ବାସ
ଘଟିବ ଜାଣ ସର୍ବନାଶ ।"
ଏମିତି ସେଥିରେ ଆଉ କିଛି ଏକପଦୀ ବି ଦୃଶ୍ୟମାନ । ପ୍ରକୃତିର ଏକ ରୂପକୁ ନେଇ ଏକପଦୀଟିଏ ପରିଦୃଷ୍ଟ , ତା' ହେଲା -
"ବୈଶାଖ ମାସ ବଡ଼ ଖରା ,
ଅତି ତପତ ହୁଏ ଧରା ।"
ପୌରାଣିକ କଥାବସ୍ତୁକୁ ନେଇ ବି ଏକପଦୀ ବର୍ଣ୍ଣନା କରାଯାଇଛି -
"ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି ଉପରେ ମାଧବ ବସିଛି ଯାଇ,
ମାତାଙ୍କ ଆଡ଼କୁ ଅନାଇ ଅନାଇ ମାଟି ଦଉଅଛି ଖାଇ ।"
ବାଲ୍ଯକାଳର ଏ ସୁନ୍ଦର ସ୍ମୃତି "ଏକପଦୀ" ସତରେ ମନ-ପ୍ରାଣକୁ ସବୁରି ଆହ୍ଲାଦିତ କରିପକାଏ । "ଏକପଦୀ" ନାହିଁ ବୋଲି କହୁଥିବା ଲୋକ କୋଉ ବିଜ୍ଞରେ ବା ଗଣା ? ସେ ଆଉଥରେ ଶିଶୁ ଶ୍ରେଣୀରୁ ଅଧ୍ଯୟନ କରିବା ଦରକାର । ଆଉ ଏକ ଏକପଦୀ"ଛବିଳ ମଧୁବର୍ଣ୍ଣବୋଧ"ରେ ବେଶ୍ ଆକର୍ଷଣୀୟ ଓ ମନୋରଞ୍ଜନଧର୍ମୀ । ତାହା ହେଉଛି -
"ହରିଣ ନଦିଏ ଧରା
ଦଉଡ଼ନା ବଡ଼ ଖରା ।"
ପ୍ରାତଃରୁ ଶଯ୍ଯା ତ୍ଯାଗ କରିବାକୁ ପରାମର୍ଶ ଦେଇ ମଧୁସୁଦନ ରାଓ ଏକପଦୀ କବିତା ମାଧ୍ଯମରେ "ବର୍ଣ୍ଣବୋଧ"ରେ କହିଛନ୍ତି -
"ରାତି ପାହିଲାଣି ରାବଇ କାଉ
ଉଠ ଉଠ ମଠ ନକର ଆଉ ।"
ଏହିପରି ଅନେକ ଏକପଦୀ ସେଥିରେ ଦେଖିବା ପାଇଁ ମିଳେ । ପୁଣି ଆଉ ଏକ ଏକପଦୀ ଅଛି -
"ବିଲୁଆ ବଡ଼ ଚତୁର
ପଇଡ଼ ବଡ଼ ମଧୁର ।"
ତେବେ ଏକପଦୀ କବିତା ଆଗରୁ ଥିଲା , ଏବେ ବି ଅଛି ଆଉ ଆଗକୁ ବି ରହିବ । ଯିଏ ପଦିଏ କବିତାକୁ ପସନ୍ଦ ନକରି ନାକ ଟେକୁଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ସେମାନେ କବିତାର ବିନ୍ଦୁ ବିସର୍ଗରେ ବି ଅଜ୍ଞ ଅଟନ୍ତି । ତାଙ୍କର ଆହୁରି ଆହରଣ ଦରକାର ଏ ଲାଗି ।
ଏ ତ ଗଲା ଏକପଦୀ କଥା , ସଂକ୍ଷେପରେ ଦୁଇପଦୀ କବିତା ଉପରେ ଟିକେ ଦୃଷ୍ଟିଗୋଚର ହେଉ ଏବେ । ଦୁଇଟି ପଦରେ ରଚିତ ଗୋଟିଏ କବିତା ଯାହା ଅନାମଧ୍ଯେୟ ଅଟେ ; ଏହାର ନାମକରଣ ନାହିଁ । ଉଦାହରଣରେ ନିଆଯାଇପାରେ -
"ମାଙ୍କଡ଼ ଖାଏ କାଙ୍କଡ଼ କଷି
ବାଙ୍କ ବାବୁଙ୍କ ବାଡ଼ିରେ ପଶି ।
ତାଙ୍କ କୁକୁର ଆସିଲା ଧାଇଁ
ହନୁ ମାଙ୍କଡ଼ ଗଲା ପଳାଇ ।"
ତେବେ ଏଥିରୁ ବୁଝିବାକୁ ହେବ ଯେ , ଏକପଦୀ-ଦୁଇପଦୀ କବିତା ବି କବିତା ପଦବାଚ୍ୟ ଅଟେ । "ବର୍ଣ୍ଣବୋଧ''ରେ ଆଉ ଏକ ଦୁଇପଦୀ କବିତା ଉପରେ ନଜର ପକାନ୍ତୁ -
"ଜାଈ ଯୁଈ ମଲ୍ଲୀ ମାଧବୀ ମାଳତୀ
ଗୋଲାପ ନିଆଳି କେତକୀ ସେବତୀ ।
ନାନାଜାତି ଫୁଲ ଦେବି ତୋତେ ଆଣି
ଦେଖି ତୁ ହସିବୁ ଆରେ ଧନମଣୀ ।"
ଢ଼ଗଢ଼ମାଳୀ ପରି ଦୁଇପଦୀ ଆଲେଖ୍ଯ ବି କବିତା ପଦବାଚ୍ୟ । ଟିକେ ପିଲାଦିନକୁ ଫେରିଯା'ନ୍ତୁ ; ମାଆମାନେ ପିଲା ମାନଙ୍କୁ କ'ଣ କହି ବୁଝାଇ ଖେଳାଉଥିଲେ ? ଦୁଇଟି ଉଦାହରଣ ଦେଉଛି -
ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ତୁମର ଆମର ନାଲି ପାଇଁଚ
ନାଲି ପେଁ ପେଁ ବାଜଇ ହୀରା
ଗୋଟିକ ଉପରେ ଗୋଟିଏ ଚିରା ।"
"ଟୁଉକୁ ମୂଷି ଟୁକେଇ ମୂଷି
ଧାନ ଭରଣକ ଖାଉଥା ବସି
ତୁ ଥାଆ ମୁଁ ଯାଉଛି ରୁଷି
ଫୁର୍ ବାଇଆ ମୁଣ୍ଡରେ ବସି ।"
ତେବେ ଏକପଦୀ-ଦୁଇପଦୀ-ତିନିପଦୀ-ଚତୁଷ୍ପଦୀ- ପଞ୍ଚପଦୀ କବିତା ମଧ୍ୟ ଅଛି । ଉଦାହରଣ ଦେଲେ ଅନେକ ପୃଷ୍ଠା ଓଲଟାଇ ପଢ଼ିବାକୁ ହେବ । ନିବନ୍ଧଟି ବହୁତ ବଡ଼ ହେବ ଆଉ ଯେତେ ଲେଖିଲେ ବି ସରିବନି ; ଗ୍ରନ୍ଥ ବି ନିଜକୁ ଛୋଟ ବୋଲାଇ ବସିବ । ତେଣୁ ଏକପଦୀ କି ଦୁଇପଦୀ କବିତା ରଚନାକାରୀ କବି ନୁହେଁ କହିବାଟା ମୂର୍ଖାମୀର ପରିଚୟ ସୃଷ୍ଟି କରେ । ଖାଲି ଯେ ସମାଜକୁ ଶିକ୍ଷା ରହିବ , ଏଇଟା ବି ଭୁଲ୍ ; କବିତାରେ ଚେତନା ରହିବା ବି ବାଞ୍ଛନୀୟ ଏବଂ ଅନ୍ଯକୁ ପରାମର୍ଶ ବି ରହିବ । ତା' ସହିତ ବି ମନୋରଞ୍ଜନ , ତାଗିଦ , ନିଜର ଭାବପ୍ରବଣତା ବି କବିତାର ରୂପରେ ରୂପାୟିତ ହେବ । ୟା' ବୋଲି ସେ ସବୁ କବିତା ନୁହେଁ , ଏକଥା କହୁଥିବା ଲୋକକ ଭାଣ୍ଡାମି କରୁଛି ବୋଲି ବୁଝିବା ପାଇଁ ପଡ଼ିବ । ତେଣୁ କବିତାକୁ କବିତା ବାଟରେ ନେବା ଉଚିତ ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment