ଏକ ଗୁଢ଼ ତତ୍ତ୍ବ : "ତନ୍ତ୍ର"

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


     "ତନ୍ତ୍ର"ର ନାମ ଶୁଣିଲେ ମନରେ ଆସିଯାଏ ଅନେକ ଭୟ । ତେବେ ଏଇ ତନ୍ତ୍ରଟି କ'ଣ ? "ତନ୍ତ୍ର"ର ଅର୍ଥ ବିସ୍ତାର କରିବା ; ଯେଉଁ ସକ୍ତି ଦ୍ବାରା ଶିବ ଓ ଶକ୍ତିଙ୍କର ଉପାସନା ବିସ୍ତାରିତ । ଶିବ ଓ ଶକ୍ତିଙ୍କର ପୂଜାର୍ଚ୍ଚନା ବିଷୟକ ଶାସ୍ତ୍ର "ତନ୍ତ୍ର" । "ତନ୍ତ୍ର" ହେଲା ଦେବତାଙ୍କର ଶରୀର , "ମନ୍ତ୍ର" ହେଲା ଦେବତାଙ୍କ ଆତ୍ମା ଓ "ଯନ୍ତ୍ର" ଦେବତାଙ୍କର ଆବାସସ୍ଥଳୀ । ଦେବନୀତି ପାଇଁ ଏ ତିନୋଟିଯାକ ନିତାନ୍ତ ଆବଶ୍ଯକ । "ତନ୍ତ୍ର"ର ବିଶ୍ଳେଷଣ କଲେ ଏଇଆ ହେବ ଯେ , "ତନୋତି ତ୍ରାୟତି ତନ୍ତ୍ରଃ"। ଅର୍ଥାତ୍ ତନ ଭାବ (ଶରୀର ଭାବ)ରୁ ତ୍ରାଣ (ମୁକ୍ତ) କରିବା ହେଉଛି ତନ୍ତ୍ର । ଏହା ସଂସ୍କୃତ ଶବ୍ଦ "ତନ" ନାମକ ଧାତୁରୁ ଆନୀତ ଯାହାର ଅର୍ଥ ବିସ୍ତାର କରିବା । ଏକ ଉଚ୍ଚତମ , ଶ୍ରେଷ୍ଠତମାବସ୍ଥାର ଚେତନା ପ୍ରାପ୍ତ୍ୟର୍ଥେ ଏ ବିଦ୍ଯାର ସାଦନା ବିଧାନ ମାନ ରହିଛି । ଅନ୍ଯର୍ତରେ କହିବାକୁ ଗଲେ "ତନ୍ତ୍ର"ର ଅର୍ଥ ନିୟନ୍ତ୍ରିତ କରିବା । "ତନ୍ତ୍ର"ର ମୂଳ ମାର୍ମିକ ବିଷୟବସ୍ତୁ - "ତ୍ବଂ ଅତ୍ର ତତ୍ର ସର୍ବତ୍ର ଇତି ତନ୍ତ୍ରମ୍‌ ।"

     ଆଉ ଗୋଟିଏ ଅର୍ତରେ ବୁଝା ଯାଇପାରେ ଯେ , "ତ୍ରାଣ କରୋତି ଇତି ତନ୍ତ୍ରଂ"; ଅର୍ଥାତ୍ ତିନି ଶରୀରର {ସ୍ଥୂଳ (ଶରୀର) , ସୂକ୍ଷ୍ମ (ମନ) , କାରଣ (ଅଜ୍ଞାନ) , ଆସକ୍ତି ବା ଆକର୍ଷଣ}ରୁ ମୁକ୍ତ ହେବାର ସ୍ଥିତି "ତନ୍ତ୍ର" ଅଟେ । ସୂକ୍ଷ୍ମାତିସୂକ୍ଷ୍ମରେ କହିବାକୁ ଗଲେ , "ମୋକ୍ଷ ପ୍ରାପ୍ତିର ମାର୍ଗ" ହେଉଛି "ତନ୍ତ୍ର"। ତନ୍ତ୍ର ଯଦି ଏକ ଭୂଖଣ୍ଡ ହୁଏ ତେବେ ମନ୍ତ୍ର ହେଉଛି ପାଦପ ଓ ଯନ୍ତ୍ର ହେଉଛି ଫଳ-ପୁଷ୍ପ । ତନ୍ତ୍ର ଯଦି ଶରୀର ହୁଏ ତେବେ ମନ୍ତ୍ର ହେଉଛି ଛାଇ ଓ ଯନ୍ତ୍ର ହେଉଛି ପ୍ରତିବିମ୍ବ । ବିନା ତନ୍ତ୍ରରେ ମନ୍ତ୍ର ଓ ଯନ୍ତ୍ରର କିଛି ହିଁ ଅର୍ଥ ନାହିଁ , ତେଣୁ "ତନ୍ତ୍ର" ମୂଳ ଉତ୍ସ ; ତନ୍ତ୍ର , ମନ୍ତ୍ର ଓ ଯନ୍ତ୍ର ପରସ୍ପର ପରିପୂରକ । 

    ତନ୍ତ୍ର ନାମେ ହିନ୍ଦୁ ଧର୍ମରେ ଅନେକ ଅଲୌକିକ କ୍ରିୟା ପ୍ରଚଳିତ ; ଚିକିତ୍ସା , ଯୋଗ ସାଧନା , ବାୟୁ ସାଧନା , ଶରୀର ଚକ୍ର ନିରୂପଣ , ମାରଣ , ବଶୀକରଣ , ମୋହନ , ସ୍ତମ୍ଭନ , ଉଚ୍ଚାଟନ ଆଦି ତନ୍ତ୍ରରେ ପ୍ରଚଳିତ । ଏତତ୍ ବ୍ଯତୀତ ଶିବ ଏବଂ ଦୁର୍ଗାଙ୍କୁ ପୂଜା କରିବାର ନାନାବିଧ କ୍ରିୟା ଓ ପଞ୍ଚ ମକାର , ବାମାଚାର , କାମଶାସ୍ତ୍ର , ଭୌତିକ ବିଦ୍ଯା , ଅଲୌକିକ କ୍ଷମତା ସାଧନାଦି ତନ୍ତ୍ରରେ ବର୍ଣ୍ଣିତ । ତନ୍ତ୍ର ନାମେ ବିବିଧ ଇନ୍ଦ୍ରିୟ ପରାୟଣ କର୍ମ ଏବଂ ଅମେଧ୍ଯ ଗ୍ରାସ ବି କରାଯାଏ । "ତନ୍ତ୍ର" ଏକ ମାବ୍ରହ୍ମାସ୍ତ୍ର , ଏହା ଯେଉଁପରି ଲୋକର ହାତରେ ଯିବ ସେଭଳି କାମ କରିବ ; ପ୍ରୟୋଗକାରୀ ଦୋଷୀ , କିନ୍ତୁ "ତନ୍ତ୍ର" ନିର୍ଦ୍ଦୋଷ । ଛୁଞ୍ଚି ସିଲେଇ ପାଇଁ , ବ୍ଲେଡ୍‌ ଓ ଛୁରୀ କଟାକଟି ପାଇଁ ; ତାକୁ ଅପବ୍ୟବହାର କରି ମଣିଷ ମାରିବା ପାଇଁ ନୁହେଁ । ତନ୍ତ୍ର ଟିକ୍‌ ଏଇ ଛୁଞ୍ଚି ଆଉ ବ୍ଲେଡ୍‌ ଭଳି । 

      "ତନ୍ତ୍ର"ର ରଚୟିତା ସ୍ବୟଂ ଶିବ ; ସନାତାନ ଧର୍ମର ସର୍ବପୁରାତନ ସମ୍ପ୍ରଦାୟ ଶାକ୍ତ ଧର୍ମରେ ସର୍ବାଦ୍ଯେ "ତନ୍ତ୍ର"ର ଉଲ୍ଲେଖ ଆସିଛି , ଏହାପରେ ଏହା କ୍ରମଃ ଶୈବ , ବୈଷ୍ଣବ , ଗାଣପତ୍ୟ , ସୌର ସମ୍ପ୍ରଦାୟରେ ସ୍ବୀକୃତ । ତନ୍ତ୍ରର ତିନି ଗୁଣ ହେଉଛି - ତାମସିକ  , ସାତ୍ତ୍ୱିକ ଓ ରାଜସିକ ; ପରେ ପରେ ମିଶ୍ରିତ ହୋଇ ଏହା ରଜୋତାମସିକ , ରଜୋସାତ୍ତ୍ବିକ ,ମହାରାଜସିକ , ତମୋରାଜସିକ , ତମୋସାତ୍ତ୍ବିକ , ମହାତାମସିକ , ସତ୍ତ୍ୱରାଜସିକ , ସତ୍ତ୍ୱତାମସିକ ଆଦି ମିଶ୍ର ଗୁଣରେ ବିଭକ୍ତ । ଏ ପ୍ରକାର ଗୁଣ ଭିତ୍ତିକ ସର୍ବଦେବଙ୍କର ଏକ ଏକ ଭିନ୍ନ ସ୍ବରୂପ ଅଛି । ମହାରାଜସିକ ଓ ମହାତାମସିକ ପରି ମହାସାତ୍ତ୍ବିକ ରୂପୀ ଗୁଣ କିନ୍ତୁ "ତନ୍ତ୍ର"ରେ ନାହିଁ ; କାରଣ ମହାସାତ୍ତ୍ବିକ ହେଲେ ଶକ୍ତି ଧୀର - ମନ୍ଥର ହେବା ସହ ନିଷ୍କ୍ରିୟ ମଧ୍ଯ ହୋଇଯାଏ । ସଦାଶିବ "ତନ୍ତ୍ର"କୁ ନିଜର ଗୁପ୍ତାଙ୍ଗ ସହ ତୁଳନା କରିଛନ୍ତି । ନର ଯେପରି ସ୍ବ ଗୁପ୍ତାଙ୍ଗକୁ ସର୍ବସାଧାରଣରେ ପ୍ରକାଶ କରେ ନାହିଁ ଟିକ୍‌ ସେଭଳି ତନ୍ତ୍ର ବି ସର୍ବସାଧାରଣରେ ଅପ୍ରକାଶ୍ୟ । କେବଳ ଯୋଗ୍ଯ ବ୍ଯକ୍ତି ହିଁ ଲାଭ କରିପାରିବ । "ତନ୍ତ୍ର" ତିନି ପ୍ରକାରର। ଯଥା :- ଆଗମ , ଯାମଳ , ମୁକ୍ଯ ତନ୍ତ୍ର । 

     "ଆଗମ"ରେ ସୃଷ୍ଟି , ପ୍ରଳୟ , ଦେବପୂଜା , ସମସ୍ତ କାର୍ଯ୍ଯ ସାଧନ , ପୁରଶ୍ଚରଣ , ଷଟ୍‌କର୍ମ ସାଧନ , ଚାରି ପ୍ରକାରର ଧ୍ଯାନ ଯୋଗ ବର୍ଣ୍ଣିତ । "ଯାମଳ"ରେ ସୃଷ୍ଟି ତତ୍ତ୍ବ , ଜ୍ଯୋତିଷ , ନିତ୍ଯକୃତ୍ଯ , କ୍ରମ , ସୂତ୍ର , ବର୍ଣ୍ଣଭେଦ , ଯୁଗଧର୍ମ ବର୍ଣ୍ଣିତ । "ମୁଖ୍ଯ ତନ୍ତ୍ର"ରେ ସୃଷ୍ଟି , ଲୟ , ମନ୍ତ୍ର ନିର୍ଣ୍ଣୟ , ଦେବତା ସଂସ୍ଥାନ , ଯନ୍ତ୍ର ନିର୍ଣ୍ଣୟ , ତୀର୍ଥ , ଆଶ୍ରମ , ଧର୍ମ , କଳ୍ପ , ଜ୍ଯୋତିଷ ସଂସ୍ଥାନ , ବ୍ରତ କଥା , ଶୌଚ , ଅଶୌଚ , ସତ୍ରୀ-ପୁରୁଷ ଲକ୍ଷଣ , ରାଜଧର୍ମ , ଦାନଧର୍ମ , ଯୁଗଧର୍ମ , ବ୍ଯବହାର , ଆଧ୍ଯାତ୍ମିକ ବିଷୟବସ୍ତୁ ମାନ ବର୍ଣ୍ଣିତ । କଳିଯୁଗରେ ବୈଦିକ ମନ୍ତ୍ର ଜପ , ତପ ଓ ଯଜ୍ଞାଦିର କିଛି ଫଳ ନାହିଁ , କିନ୍ତୁ କାର୍ଯ୍ଯସିଦ୍ଧି ପାଇଁ ତନ୍ତ୍ର ଶାସ୍ତ୍ର ବର୍ଣ୍ଣିତ ମନ୍ତ୍ର ଓ ଉପାୟ ଅବଲମ୍ବନ କରିବା କର୍ତ୍ତବ୍ୟ ବୋଲି "ତନ୍ତ୍ର"ର ସିଦ୍ଧାନ୍ତ ଅଟେ । "ତନ୍ତ୍ର"ର ସିଦ୍ଧାନ୍ତ ଗୁପ୍ତ ରଖାଯାଏ ଏବଂ ଏହାକୁ ଶିକ୍ଷା କରିବାକୁ ଦୀକ୍ଷା ଗ୍ରହଣ କରିବାକୁ ପଡ଼େ । ତନ୍ତ୍ର ବିଧିରେ ପ୍ରଧାନତଃ ଶାକ୍ତମାନେ ଉପାସନା କରନ୍ତି ଓ ତନ୍ତ୍ରୋକ୍ତ ଅଧିକାଂଶ ମନ୍ତ୍ର ଅର୍ଥ ହୀନ ଏବଂ ଏକାକ୍ଷରୀ । ଯେପରିକି କ୍ଳୀଂ , ହ୍ଳୀଂ, ଶ୍ରୀଂ , ଐଂ , ହ୍ରୀଂ , ଘ୍ରୀଂ , ଇଂ , ଦୁଂ" ଆଦି । ତାନ୍ତ୍ରିକ ମାନଙ୍କର ପୂଜାବିଧି ବୈଦିକ ପୂଜାଠୁ ଭିନ୍ନ । ବିଶେଷତଃ ତାନ୍ତ୍ରିକ ମାନଙ୍କର ଚକ୍ରପୂଜାରେ ମତ୍ସ୍ଯ , ମାଂସ , ମୈଥୁନ , ମଦ୍ଯ ଓ ମୁଦ୍ରା ନାମ୍ନୀ ପଞ୍ଚ ମକାରର ବ୍ଯବହାର ହୁଏ । କୁହାଯାଏ କି ତାନ୍ତ୍ରିକମାନେ ଡମୁଣା , ଧୋବଣୀ ଆଦି ସ୍ତ୍ରୀ ମାନଙ୍କୁ ଉଲଗ୍ନ କରି ପୂଜା କରନ୍ତି । ହିନ୍ଦୁ ମାନଙ୍କୁ ଅନୁକରଣ କରି ବୌଦ୍ଧ ମାନଙ୍କ ମଧ୍ୟରେ ବି ତନ୍ତ୍ରର ପ୍ରଚାର ହୋଇଥିଲା । ତାଙ୍କର ବି ବହୁ ତନ୍ତ୍ର ଗ୍ରନ୍ଥ ଅଛି ; ଏ ଗ୍ରନ୍ଥ ମାନଙ୍କରେ ପ୍ରଚାର ଚୀନ୍‌ , ତିବ୍ବତ ଓ ନେପାଳରେ ଅଛି । ଜୈମିନି  , କପିଳ , ନାରଦ ,ଗର୍ଗ , ଭୃଗୁ , ଶୁତ୍ର , ବୃହସ୍ପତ୍ଯାଦି ଋଷିଗଣ କେତେକ ଉପତନ୍ତ୍ର ରଚନା କରିଥିଲେ ବୋଲି ବାରାହୀ ତନ୍ତ୍ର ପ୍ରମାଣ ଦିଏ । ତନ୍ତ୍ରର ପ୍ରଧାନ ଦେବତା ହେଲେ ମହାକାଳୀ , ମହାଲକ୍ଷ୍ମୀ , ମହାସରସ୍ବତୀ ଏବଂ ତନ୍ତ୍ର ଗୁରୁ ହେଲେ ସଦାଶିବ ; ଏହାର ପ୍ରବର୍ତ୍ତକ ଦେବତାଗଣ ଅଟନ୍ତି ଏବଂ ସଂରକ୍ଷଣରେ ଅଛନ୍ତି ନାରାୟଣ । ତନ୍ତ୍ରର ରକ୍ଷକ ଦେବତା ହେଲେ ଗଣପତି , ଭୈରବ ଓ କାର୍ତ୍ତିକ ଏବଂ ଏହାର ବିସ୍ତାରକ ଦେବତା ହେଲେ ସ୍ବୟଂ ବ୍ରହ୍ମଦେବ । 

       ଆଉ କିଛି ଅନୁସନ୍ଧାନନୁସାରେ ତନ୍ତ୍ରଶାସ୍ତ୍ର ଆଗମ ଓ ନିଗମ ନାମରେ ଦୁଇ ପ୍ରକାରର । ଯେଉଁଠି ସିବ ବକ୍ତା ଓ ଗୌରୀ ସମେତ ଅନ୍ଯ ଦେବଗଣ ଶ୍ରୋତା ତାହା ଆଗମ ଏବଂ ଯେଉଁଟି ଦେବୀ ବକ୍ତା ଓ ଶିବ ସମେତ ଅନ୍ଯ ଦେବଗଣ ଶ୍ରୋତା ତାହା ନିଗମ ତନ୍ତ୍ର ଅଟେ । ଶୈବାଗମ ତନ୍ତ୍ର , ଶାକ୍ତାଗମ ତନ୍ତ୍ର , ଭୈରବାଗମ ତନ୍ତ୍ର , ବୈଷ୍ଣବାଗମ ତନ୍ତ୍ର ହେଉଛି "ଆଗମ ତନ୍ତ୍ର" । ଭୈରବଯାମଳ , ରୁଦ୍ରଯାମଳ , ଦେବୀଯାମଳ , ବୈଷ୍ଣବଯାମଳ , ଶାକ୍ତଯାମଳ ଆଦି "ଯାମଳ ତନ୍ତ୍ର" ଅଛି । କୂଳଚୂଡ଼ାମଣି , ଭାବଚୂଡ଼ାମଣି , ମୁଣ୍ଡମାଳା , ତନ୍ତ୍ରଚୂଡ଼ାମଣି , ଶକ୍ତିସଙ୍ଗମ ଆଦି "ମୁଖ୍ଯ ତନ୍ତ୍ର" ଅନ୍ତର୍ଗତ । ତନ୍ତ୍ରର ମୁଖ୍ଯ ଦେବତା ମହାକାଳୀ , ମହାଲକ୍ଷ୍ମୀ , ମହାସରସ୍ବତୀଙ୍କ ଅନୁସାରେ ବିଷ୍ଣୁକ୍ରାନ୍ତ , ଅଶ୍ବକ୍ରାନ୍ତ ଓ ରଥକ୍ରାନ୍ତ ନାମରେ ଭାରତ ଭୂଖଣ୍ଡକୁ ତ୍ରି କାନ୍ତରେ ବିଭାଜନ କରାଯାଇଛି । ଭାରତର ପୂର୍ବ ଦିଗର ସମସ୍ତ ରାଜ୍ୟ ଏବଂ ନେପାଳ ଆଦି ଦେଶ "ବିଷ୍ଣୁକ୍ରାନ୍ତ" ଅନ୍ତର୍ଗତ ଯାହାର ଅଧିଶ୍ବରୀ ମହାକାଳୀ । ଭାରତର ଦକ୍ଷିଣ ଦିଗର ସମସ୍ତ ରାଜ୍ଯ ଏବଂ ଶ୍ରୀଲଙ୍କା , ମାଳଦ୍ବୀପାଦି ଦେଶ "ଅଶ୍ବକ୍ରାନ୍ତ" ଅନ୍ତର୍ଗତ ଯାହାର ଅଧିଶ୍ବରୀ ମହାଲକ୍ଷ୍ମୀ । ବାରତର ଉତ୍ତର ଦିଗ ସବୁ ରାଜ୍ଯ ଓ ଆଫଗାନିସ୍ତାନ , ପାକିସ୍ତାନ , ତିବ୍ବତ , ଚୀନ୍‌ ଆଦି ଦେଶ "ରଥକ୍ରାନ୍ତ" ଅନ୍ତର୍ଗତ ଯାହାର ଅଧିଶ୍ବରୀ ମହାସରସ୍ୱତୀ । କେବଳ ହିନ୍ଦୁ ଓ ବୌଦ୍ଧ ନୁହେଁ , ଜୈନ ଧର୍ମରେ ବି ତନ୍ତ୍ର ପରମ୍ପରା ରହିଛି ଏବଂ ଏହା ବୋନପୋ ଦର୍ମରେ ବି ପ୍ରତିଷଟିତ ପରମ୍ପରା । ତନ୍ତ୍ର ନାନାଭାବେ ତିବ୍ବତ , କୋରିଆ , କାମ୍ପୁଚିଆ , ବର୍ମା , ଇଣ୍ଡୋନେସିଆ , ମଙ୍ଗୋଲିଆ ଆଦି ଦେଶରେ ପରିଦୃଷ୍ଟ । 

   ସାଂକ୍ଯ ତଥା ବେଦାନ୍ତର ଅଦ୍ବୈତ ବିଚାରର ପ୍ରଭାବ ତନ୍ତ୍ର ଗ୍ରନ୍ଥାଦିରେ ପରିଦୃଷ୍ଟ । ଶୈବ ଆଗମ ବା ଶୈବ ତନ୍ତ୍ର , ବୈଷ୍ଣବ ସଂହିତା , ଶାକ୍ତ ତନ୍ତ୍ର ନାମରେ ତିନୋଟି ପରମ୍ପରା ତନ୍ତ୍ରରେ ଅଛି । "ଶୈବ ଆଗମ"ର ଶୈବ ସିଦ୍ଧାନ୍ତ , ତାମିଲ୍‌ ଶୈବ , କାଶ୍ମିରୀ ଶୈବ ଦର୍ଶନ , ବୀରଶୈବ ବା ଲିଙ୍ଗାୟତ ଶୈବ ଦର୍ଶନ ନାମେ ଚାରୋଟି ଧାରା ଅଛି । କୁହାଯାଏ ଶୈବ ସିଦ୍ଧାନ୍ତନ୍ତର୍ଗତ ୨୮ ଆଗମ ଓ ୧୫୦ ଉପାଗମ ରହିଛି । ଶୈବ ସିଦ୍ଧାନ୍ତ ଅନୁସାରେ ସୈଦ୍ଧାନ୍ତିକ ରୂପେ କେବଳ ଶିବ ହିଁ ଚେତନ ତତ୍ତ୍ବ ଅଟନ୍ତି ଏବଂ ପ୍ରକୃତି ଜଡ଼ ତତ୍ତ୍ବ ; ଶିବଙ୍କ ମୂଳାଧାର ଶକ୍ତି ଏବଂ ଶକ୍ତି ଦ୍ବାରା ବନ୍ଧନ ଓ ମୋକ୍ଷ ପ୍ରାପ୍ତ ହୁଏ । ପ୍ରମୁଖ ଗ୍ରନ୍ଥ ଶିବସୂତ୍ର ହେଉଛି କାଶ୍ମିରୀ ଶୈବ ଦର୍ଶନ ଯାହା ଶିବଙ୍କ ପ୍ରତ୍ଯଭିଜ୍ଞା ଦ୍ବାରା ହିଂ ଜ୍ଞାନପ୍ରାପ୍ତ ହୁଏ ବୋଲି କୁହାଯାଇଛି । ଜଗତ ଶିବଙ୍କ ଅବିବ୍ଯକ୍ତି ତଥା ଶିବ ଶକ୍ତିରୁ ସମ୍ଭବ ଅଟେ । ଏହାକୁ "ତ୍ରିକ" ଦର୍ଶନ ବୋଲି ବି କହନ୍ତି । ଏହା ଶିବ-ଶକ୍ତି-ଜୀବ(ପଶୁ) ତ୍ରିଙ୍କର ଅସ୍ତିତ୍ୱର ସ୍ବୀକାର୍ଯ୍ଯ । ବୀର ଶୈବ ଦର୍ଶନର ମହତ୍ୱପୂର୍ଣ୍ଣ ଗ୍ରନ୍ଥ "ବାଚନମ" ଅଟେ । ଏଥିରେ ରହିଛି ଶିବଙ୍କର ଉକ୍ତି । ଏହା ଶିବଙ୍କୁ ହିଁ ପୂର୍ଣ୍ଣତଃ କାରକ , ସଂହାରକ ଓ ସର୍ଜକ ମାନିଥାଏ ; ଏତିରେ ଜାତିଗତ ଭେଦଭାବ ନାହିଁ । ଏଥିରେ ଗୁରୁ ପରମ୍ପରାର ବିଶେଷ ମହତ୍ତ୍ୱ ରହିଛି । ବୈଷ୍ଣବ ସଂହିତାର ଦୁଇଟି ଧାରା ବୈଖାନସ ସଂହିତା ଓ ପଞ୍ଚରାତ୍ର ସଂହିତା ନାମରେ ଅଛି । ବୈଷ୍ଣବ ପରମ୍ପରାର ତପ ଓ ସାଧନ ଉପରେ କେନ୍ଦ୍ରିତ ପରମ୍ପରା ହେଲା ବୈଖାନସ ସଂହିତା । ପଞ୍ଚରାତ୍ରର ଅର୍ଥ "ପଞ୍ଚ ନିଶାର ତନ୍ତ୍ର" ; ଏଥିରେ ରହିଛି ବିଶ୍ବ ସୃଷ୍ଟି ଓ ସୃଷ୍ଟି ରଚନା ଆଦିର ବିବେଚନ । ଏଥିରେ ସାଂକ୍ଯ ଯୋଗ ଦର୍ଶନାଦିର ମାନ୍ଯତାର ସମାବେଶ ଦୃଶ୍ଯମାନ । ପୂର୍ବ ପରମ୍ପରା ଅପେକ୍ଷା ଏହା ଅଧିକ ଲୋକପ୍ରିୟ । ଶାସ୍ତ୍ରରେ ଆଗମ ଶାସ୍ତ୍ରର ପ୍ରମାଣ ରହିଛି ଯେ -
   "ଆଗତଂ ଶିବ ବକ୍ତ୍ରାବତ୍‌ ଗତଂ ତୁ ଗିରିଜା ମୁଖେ 
   ମତଂ ତ ବାସୁଦେବସ୍ଯ ତସ୍ମାଦାଗମ ଉଚ୍ଯତେ ।"

     ଚୌହାନ ବଂଶର ପ୍ରତିଷଟାତା ରମାଇ ଦେବଙ୍କ ଦ୍ବାରା ପ୍ରତିଷ୍ଠିତ ବଲାଙ୍ଗୀରର ପାଟଣା ରାଜ୍ଯର ରାଜଧାନୀ ଥିଲା ପାଟଣାଗଡ଼ ; ଶକ୍ତି ଉପାସନା ଓ ତନ୍ତ୍ରବିଦ୍ୟା ପାଇଁ ପାଟଣା ଗଡ଼ଜାତ ରାଜ୍ୟ ତତ୍କାଳୀନ ସମୟରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା । ତନ୍ତ୍ରଶାସ୍ତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବାରୁ ପାଟଣା ରାଜ୍ୟ "କାଉଁରୀ ପାଟଣା" ନାମରେ ପ୍ରଖ୍ଯାତ ଥିଲା । ପଶ୍ଚିମ ଓଡ଼ିଶାର ବିଖ୍ଯାତ ଭକ୍ତକବି ଚୈତନ୍ୟ ଦାସ ନିଜ ଜନ୍ମ ବୃତ୍ତାନ୍ତ "ନିର୍ଗୁଣ ମାହାତ୍ମ୍ୟ"ରେ ବର୍ଣ୍ଣନା କରିବାକୁ ଯାଇ "କାଉଁରୀ ପାଟଣା"ର ନାମ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି -
                  "କହିବି ରାଜ୍ଯର ଭାବନା
                ନାମ ତୋ' କାଉଁରୀ ପାଟଣା ।
                  ପ୍ରତାପ ରୁଦ୍ର ରାଜା ଦେଶ
                 ନଗ୍ର ଖଡ଼ିଆଳ ବିଶେଷ ।"
ବୌଦ୍ଧ ସହଜ ଯାନର ପ୍ରବର୍ତ୍ତିକା ଲକ୍ଷ୍ମୀଙ୍କରାଙ୍କ ପଦାଙ୍କ ଅନୁସରଣ କରି ପାଟଣା ରାଜ୍ଯର ସପ୍ତକୁମାରୀ ତନ୍ତ୍ରବିଦ୍ୟାରେ ସିଦ୍ଧିଲାଭ କରିଥିଲେ । କାଉଁରୀ ବିଦ୍ଯାରେ ଦକ୍ଷତା ଲାଭ କରିଥିବା ସପ୍ତା ସାଧୁକା ମାନଙ୍କ ପାଇଁ ପାଟଣା ରାଜ୍ୟ "କାଉଁରୀ ପାଟ" ନାମେ ସୁପରିଚିତ ଥିଲା ବୋଲି ଜନମତ । ଜ୍ଞାନଦେଇ ମାଲୁଣୀ , ନିତାଇ ଧୋବଣୀ , ଲୁହାକୁଟୀ ଲହୁରୁଣୀ , ଶୁକୁଟି ଚମାରୁଣୀ , ପତ୍ର ପିନ୍ଧି ସଉରୁଣୀ , ଗାଙ୍ଗୀ ଗଉଡୁଣୀ ଓ ଶୁଆ ତେଲୁଣୀ ପାଟଣା ରାଜ୍ଯର ନାରୀଶକ୍ତିର ପ୍ରାଦାନ୍ଯ ବୃଦ୍ଧି କରିଥିଲେ । ରାଣୀପୁର ଝରିଆଲ ଏକ ପ୍ରଖ୍ଯାତ ଶକ୍ତି ଓ ତନ୍ତ୍ରପୀଠ ରୂପେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ଯାତିଲାଭ କରିଛି । ଜଗତସିଂହପୁର ଜିଲ୍ଲାର ଶାରଳା ପୀଠରେ କେଉଁ ପୌରାଣିକ ଯୁଗରୁ ତନ୍ତ୍ର ସାଧନା ହେବାର ଲୋକବାଣୀ ରହିଛି । ଆଜି ବି ପ୍ରଚଳିତ । ଓଡ଼ିଆ ମହାଭାରତରେ ବର୍ଣ୍ଣିତ ଅଛି ଦେବୀ ଶାରଳା ସାରୋଳ ଚଣ୍ଡୀ ରୂପରେ ୧୫୦୦ ଶତାବ୍ଦୀ ଯାଏଁ ପ୍ରସିଦ୍ଧ ଥିଲେ । ଚଣ୍ଡୀ ବା ସପ୍ତସତୀ ମାର୍କଣ୍ଡେୟ ପୁରାଣରେ ବ୍ରାହ୍ମଣ ସମ୍ପ୍ରଦାୟଙ୍କ ଶାକ୍ତ ତନ୍ତ୍ରବିଦ୍ୟା ବୋଲି ବର୍ଣ୍ଣିତ । 

     ତାନ୍ତ୍ରିକ ମାନଙ୍କୁ ପଶୁ ସାଧକ , ବୀର ସାଧକ ଓ ଦିବ୍ଯ ସାଦକ ନାମରେ ତିନି ଭାଗରେ ବିଭକ୍ତ କରାଯାଇଥାଏ ଏବଂ ତନ୍ତ୍ରବିଦ୍ୟାରେ ବ୍ଯବହୃତ ମଦ୍ଯକୁ ମଧୁ , ସୁରା ଓ ଆସବ ସହ ତୁଳନା କରାଯାଇଥାଏ । ସ୍ବାମୀ ନିଗମାନନ୍ଦଙ୍କ "ତାନ୍ତ୍ରିକ ଗୁରୁ" ପୁସ୍ତକରେ ମଦ୍ୟ ସମ୍ପର୍କରେ କୁହାଯାଇଛି ଯେ - "ନିର୍ବିକାର ନିରଞ୍ଜନ ପରଂବ୍ରହ୍ମଙ୍କ ପରେ ଯୋଗ ଦ୍ବାରା ଯେଉଁ ପ୍ରମୋଦନ ଜ୍ଞାନ ଉଦୟ ହୁଏ ତାହା ମଦ୍ୟ ଅଟେ । ଅର୍ଥାତ ଯେକୌଣସି ସାଦନ କରିବା ବେଳେ ମଣିଷ ମଣିଷ ମଧ୍ଯରେ ଯେଉଁ ଧ୍ଯାନସ୍ଥ ଅବସ୍ଥା ଉଦ୍ରେକ ହୋଇଥାଏ , ତାହା ହିଁ ମଦ୍ୟ ଅଟେ ।" ଶ୍ଳୋକ ଆକାରରେ ବିଶଦ ବୁଝାଇ ଦିଆଯାଇଛି - 
       "ଯଦୁକ୍ତାଂ ପରମଂ ବ୍ରହ୍ମଂ ନିର୍ବିକାରଂ ନିରଞ୍ଜନମ୍‌
ତସ୍ନୀନ ପ୍ରମୋଦନ ଜ୍ଞାନଂ ତନୁଦ୍ଯମ ପରିକୀର୍ତ୍ତିତମ୍‌ ।"
ତାନ୍ତ୍ରିକ ପୀଠରେ ମୈଥୁନକୁ ସର୍ବଶ୍ରେଷ୍ଠ ମାନ୍ଯତା ପ୍ରଦାନ ହୋଇଛି । ମୈଥୁନ ହେଉଛି ସିଦ୍ଧିପ୍ରାପ୍ତିର ମୂଳାଧାର । ମୈଥୁନ ହିଁ ଜୀବସତ୍ତାର ଦ୍ଯୋତକ ହେତୁ ତାନ୍ତ୍ରିକ ମାନେ ମୈଥୁନକୁ ସର୍ବଶ୍ରେଷ୍ଠ ମାନ୍ଯତା ପ୍ରଦାନ କରିଛନ୍ତି । ଆଜକୁ ପ୍ରାୟ ୭୦୦୦ ବର୍ଷ ତଳେ ତନ୍ତ୍ରବିଦ୍ୟାର ପ୍ରାରମ୍ଭ ହୋଇଥିବାର ବିଶେଷ ସୂତ୍ରରୁ ପ୍ରମାଣ ମିଳେ । କାଳିକା ପୁରାଣ କହେ ମା' କାମାକ୍ଷା ଦେବୀ ତନ୍ତ୍ରପୂଜାର ସବୁଟୁ ମହତ୍ତ୍ୱପୂର୍ଣ୍ଣ ଦେବୀ । କାଳିକା ପୁରାଣ , ଯୋଗିନୀ ତନ୍ତ୍ର ଓ କାମାକ୍ଷା ତନ୍ତ୍ରରେ ତାଙ୍କୁ କାଳୀ ମନେକରାଯାଏ । କୁହାଯାଇଛି -
    "ଯା ଦେବୀ କାଳିକା ମାତା ସର୍ବବିଦ୍ଯା ସ୍ବରୂପିଣୀ
କାମାକ୍ଷା ଶୈବ ବିଖ୍ଯାତ ସତ୍ଯମ୍‌ ଦେବୀ ନଚାନ୍ଯଥା ।"

    ତନ୍ତ୍ର ଆଜି-କାଲିର ନୁହେଁ , ପ୍ରାଚୀନ ଯୁଗର । ତନ୍ତ୍ର ମାଧ୍ଯମରେ ପ୍ରାଚୀନ କାଳରେ ଘାତକ ହତିଆର ପଶୁପତାସ୍ତ୍ର , ନାଗଫାଶ , ବ୍ରହ୍ମାସ୍ତ୍ର ଆଦି ପ୍ରସ୍ତୁତ ହେଉଥିଲା । ଭଗବାନ ଶିବଙ୍କ ପରେ ଦତ୍ତାତ୍ରେୟ ତନ୍ତ୍ରର ଦ୍ବିତୀୟ ଗୁରୁ ଭାବେ ଜଣାଶୁଣା । ୮୪ ସିଦ୍ଧି , ଯୋଗୀ , ଶାକ୍ତ ଓ ନାଥ ପରମ୍ପରାର ପ୍ରଚଳନ ଥିଲା । ନାଥ ପରମ୍ପରାନୁଯାୟୀ ଗୋରେଖନାଥ ଓ ନବନାଥର ବିଶେଷ ଜାଗା ରହିଛି । ତନ୍ତ୍ର ବାମ ମାର୍ଗ , ଦକ୍ଷିଣ ମାର୍ଗ ଓ ମଧ୍ଯମ ମାର୍ଗ ନାମରେ ତିନିଟି ମାର୍ଗ ସାଧାରଣତଃ ଥାଏ । ମନ୍ତ୍ର  , ତନ୍ତ୍ର , ଯନ୍ତ୍ର ଓ ଯୋଗର ଚମତ୍କାରିତା ବିଷୟରେ ଶାସ୍ତ୍ରରେ ଅନେକ ପ୍ରକାରର ଉଦାହରଣ ଅଛି । କୁହାଯାଇଛି ସ୍ବତନ୍ତ୍ର ପ୍ରକାରର ମନ୍ତ୍ର ବିଶେଷ ପ୍ରକାରର ଶକ୍ତି ସୃଷ୍ଟି କରିଥାଏ ବୋଲି ପରୀକ୍ଷିତ । ସେ ଯାହା ବି ହେଉ , ତନ୍ତ୍ର ଥିଲା , ଅଛି ଆଉ ରହିବ ବି । ହିନ୍ଦୁର ଧାର୍ମିକ ବିଶ୍ବାସକୁ ବିଜ୍ଞାନ ଯେତେବେଳେ କିଛିକାଂଶରେ ଗ୍ରହଣ କରିଛି , ଏସବୁକୁ ବି ସମୟ ଆସିବ ଗ୍ରହଣ କରିବ । ଏହା ନିଃସନ୍ଦେହ ।

ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ (ସମ୍ପାଦକ - ସୁଦେଷ୍ଣା ପତ୍ରିକା)
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଦୂରଭାଷ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା