ଅସନ୍ତୁଷ୍ଟ

       କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                    
                     ମୁଁ
       ଇନ୍ତୁଡି ଶାଳରୁ ଏଯାବତ୍‌
         ଲହୁ ହିଁ ଢ଼ାଳି ଆସିଛି 
ଯୁଗଳ ନେତ୍ର ଧାରୁ ଲୁହ ରୂପରେ ।
       ଭୂମିଷ୍ଠ ହେବା ପରଠୁ 
      ଏଯାଏଁ ସେ କଣ୍ଠଫଟା
   କୁଆଁ କୁଆଁ ରଡିଟା ହିଁ ମୋର
        ବଳବତ୍ତର ରହିଛି । 
ଦେଖୁଛି ମୋ' ଜନ୍ମଦାତ୍ରୀ ମୁଁ କାନ୍ଦୁଛି
   କିନ୍ତୁ ସେ ନିରବ ଆଉ ନିଶ୍ଚଳ ;
     ଆହୁରି କନ୍ଦେଇବା ଲାଗି
    ଜାରି କରିଚାଲିଛି ପ୍ରୟାସ ।
   ଦେଖୁଛି ମୋ' କାନ୍ଦ ଜନ୍ମଦାତା 
   ସେ ବି ଦେଖି ନଦେଖିଲା ପରି
    ଆଡେଇ ହୋଇ ଚାଲି ଯାଉଛି
ସତେ ସେ ମୋର କେହି ନୁହେଁ ଯେମିତି ।
      ଜନ୍ମଦାତା ଜଳି ସାରିଛନ୍ତି 
  କାହିଁ କେବେଠୁ ଜୁଇ ନିଆଁରେ 
   ବୈଧବ୍ୟ ବେଶରେ ଜନ୍ମଦାତ୍ରୀ
      କୁଟୀରେ କାଳାତିପାତ ।  
  ଶୈଶବ ମୋ' ଚାଲିଗଲା ପରେ
     କଥା କହି ଶିଖିଲା ବେଳକୁ
         ଅକଥନୀୟ ଯନ୍ତ୍ରଣା 
        ନିଜ ପରିଜନ ଦ୍ବାରା ।
   ମୋ' ପରେ ଜନ୍ମିତ ସଦ୍ଯଜାତ
      ଶିଶୁର ବିୟୋଗାନ୍ତେ ମୁଁ
  ପରିଚୟ ପାଇଲି ଅମଙ୍ଗୁଳିଆ 
ତା' ମୃତ୍ଯୁ ପାଇଁ ଏକମାତ୍ର ଦାୟୀ ମୁଁ ।
  ସେତେବେଳକୁ ମୋର ବୟସ
ଏକ ବର୍ଷ ବି ହୋଇ ନଥାଏ 
ଜନ୍ମ ହେବାର କେଇ ମିନିଟ୍‌ ପରେ
ଶୋଇଗଲା ସେ ନିଘୋଡ ନିଦ୍ରାରେ ।
     ସତରେ କ'ଣ ମୁଁ ଦାୟୀ !
   ବୋଧେ ହୋଇଥାଇ ପାରେ 
   ମୋ' ଜନ୍ମର ତିଥି ବାର ଆଉ
    ନକ୍ଷତ୍ର ବେଳା ଠିକ୍‌ ନଥିବ ।
 ସେଲାଗି ସବୁରି ସାମ୍ନାରେ ଘୃଣିତ
       ଅବହେଳିତ ସର୍ବଦା
   ବିନା ଅପରାଧେ ଅପରାଧୀ
        ସବୁକିଛିରୁ ବଞ୍ଚିତ ।
 ସ୍ନେହ ଶ୍ରଦ୍ଧା ତ ମୋ' ପାଇଁ ସ୍ବପ୍ନ ;
   ଲୁଚି ଲୁଚି କାନ୍ଦିବା ଅଭ୍ଯାସ
   ଏଯାଏଁ ବି ମୁଁ ଛାଡି ପାରିନି 
    ଦଇବ ବି ସାଜିଛି ଦାରୁଣ ।
ଯିଏ ବି ଟିକେ ସ୍ନେହ ଶ୍ରଦ୍ଧା ଦେଉଛି
 ହଠାତ୍ ଦଣ୍ଡିତ ଦୈବ ଦଣ୍ଡାରେ ।
       ବସି ଯାଉଛି ପ୍ରହାର 
    ଭିଡି ନେଉଛି ନିଜ କତିକୁ
         ସତରେ କ'ଣ ମୁଁ 
        ଅଭିଶପ୍ତ ମଣିଷଟେ !
କାହିଁକି ହେଉନି ମୋ ମହାପ୍ରୟାଣ ?
      କ'ଣ ପାଇଁ ମୁଁ ଜିଇଁଛି ?
      କଷ୍ଟ ପାଇବା ଅପେକ୍ଷା 
ନଷ୍ଟ ହୋଇଯିବା ଶତ ଗୁଣେ ଭଲ  ;
       ଏମିତି ଅନେକ ପ୍ରଶ୍ନ 
    ନିଜେ ହିଁ ନିଜକୁ ପଚାରିଛି ।
         ନିଜ ପ୍ରଶ୍ନର ଉତ୍ତର 
       ନିଜେ ନିଜକୁ ଦେଇଛି 
    ନିଜ ଉତ୍ତରରେ ବି ମୁଁ  ନିଜେ
        ସନ୍ତୁଷ୍ଟ ହୋଇପାରିନି ।

ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡା,ନିରାକାରପୁର କଣାସ (ପୁରୀ)
      ଫୋ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା