କନ୍ଯାଦାନ

                 ଶିବ ପ୍ରସାଦ ବାହିନୀପତି 


ଶୀତ ଋତୁ ଅନ୍ତେ     ବସନ୍ତ ଆସନ୍ତେ
          ଫଗୁଣର ରଙ୍ଗ ନେଇ 
  ପଞ୍ଚମ ସ୍ବରରେ     କୋକିଳ ରାବଇ
         ରସାଳ ପଲ୍ଲବେ ଥାଇ । ୧
  ତମସା ହଟିଲା     ଆଲୋକ ଆସିଲା 
          ଭାସ୍କର ହେଲେ ଉଦୟ
   ନାଲି ଟୁକୁଟୁକୁ     ସାଧବ ବୋହୂଏ
      ସ୍ବକାର୍ଯ୍ଯେ ଦେଲେଣି ଲୟ । ୨
ପକ୍ଷୀଏ ଛାଡ଼ିଲେ     ନୀଡ଼ ସଙ୍ଗାତ ଲୋ
          ପିମ୍ପୂଡ଼ି ଗଲେ ବାହାରି
ଖାଦ୍ଯ ଅନ୍ବେଷଣେ     ସର୍ବ ଜୀବ ଗଲେ
        ପେଟ ଚ଼ାଖଣ୍ଡକୁ ଧରି । ୩
ଶୁଭେ ଶଙ୍ଖନାଦ     ଠାକୁର ଆଳୟେ
         ବ୍ରାହ୍ମଣଙ୍କ ମନ୍ତ୍ର ପାଠ 
କୃଷକ ବାପୁଡ଼ା     ହଳ ନେଇ ଗଲା
    ଚ଼ଷିବା ଲାଗି ତା' କ୍ଷେତ । ୪
ଆଜି ସେହିଦିନ      ଯେଉଁ ଦିନ ପାଇଁ 
          ବହୁଦିନୁ ଥିଲି ଚ଼ାହିଁ
  ଅଜଣା ବିହଙ୍ଗ     ଅଜଣା ସଙ୍ଗୀତ 
     କର୍ଣ୍ଣେ ବାଜେ ରହି ରହି । ୫
ଉଠ ପୁତ୍ରୀ ମୋର     ମୋ' ଗଳାର ହାର
          ଶୁଭ କାକ ରାବିଲାଣି
ଦେବୀଙ୍କ ଆଳୟେ     ବ୍ରାହ୍ମଣ ଗୋସାଇଁ 
       ପୂଜା କାର୍ଯ୍ଯ ସାରିଲେଣି । ୬
କୁଆଁରୀ ଜଳରେ     ସ୍ନାହାନ କରଲୋ
        ବେଳ ଯେ ହେଲା ଉଛୁର 
ବ୍ରାହ୍ମଣ ଆସିଣ     ବସିଲେ କୁଟୀରେ
      ବେଦୀକୁ ଯିବୁ ଏଥର । ୭
  ହରିଦ୍ରା ଚନ୍ଦନ     ଲଗାଅ ତୁରିତ
         ନବ ବାସ ପରିଧାନ
ନଇଁ ନଇଁ ଝିଅ     ବେଦୀକୁ ଯିବୁଲୋ
      ଆଜି ତୋ' ପାଣିଗ୍ରହଣ । ୮
  ପିନ୍ଧି ପାଟବସ୍ତ୍ର      ହୋଇ ବିମଣ୍ଡିତ 
          ସାତ ଘେରା ବୁଲିଯିବୁ
ଅଗ୍ନି ଥିବେ ସାକ୍ଷୀ     ସର୍ବ ଦେବ ଛନ୍ତି
        ପର ଘର ଚ଼ଳିଯିବୁ । ୯
   ଅଞ୍ଜୁଳେ ତଣ୍ଡୁଳ      ଗୁବାକ୍ଷ ଏକଟି
        ପଣତେ ମୋ' ଦେବୁ ଢ଼ାଳି
ଛାଡ଼ି ଚ଼ାଲିଯିବାର     ଦୁଃଖ ତ ତୋହର
       ଅଶ୍ରୁ ହୋଇ ଯିବ ଝରି । ୧୦
   କଇଁ କଇଁ ହୋଇ      କାନ୍ଦୁଥିବୁ ତୁହି
         ଆଲୋ ମୋର ସୁନାନାକି 
ବାହାରେ ଦେଖ ଲୋ     ଉଭା ହୋଇଲାଣି
        ପୁଷ୍ପରେ ସଜା ପାଲିଙ୍କି । ୧୧
  ବନ୍ଧୁବାନ୍ଧବ ଯେ       ଉଭା ହୋଇଲେଣି 
               ପଡ଼ିଲାଣି ହୁଳହୁଳି 
    ବର ବରଯାତ୍ରୀ        ଆସିଯିବେ ସବୁ
          ଆଜିଠୁ ପରଗୋତିରୀ । ୧୨
ମାଆ ଡ଼ାକ ଶୁଣି       ଝିଅ ଯେ ଉଠିଲା
         ତେଜି ତା'ର ସୁଖ ନିଦ୍ରା
ଆଖିରୁ ଝରଇ           ଧାର ଧାର ଅଶ୍ରୁ 
   କାନ୍ଦେ କୋଳେ ରଖି ମଥା । ୧୩
ହଳଦୀ ଚନ୍ଦନେ      ଗାଧୋଇ ଦେଲେଣି
            ଝିଅକୁ ବାଡୁଅ ଜଳେ
  ନବ ବସ୍ତ୍ର ତାକୁ       ପିନ୍ଧାଇଣ ଦେଲେ
       ଅତି ସ୍ନେହ ଆଦରରେ । ୧୪
  ହାତେ ଧରି ଝିଅ     ଅଞ୍ଜୁଳେ ତଣ୍ଡୁଳ 
        ଗ୍ରାମଦେବୀ ପାଶେ ଯାଇ
ଗ୍ରାମଦେବତାଙ୍କୁ        ଚ଼ାଉଳ ଅଞ୍ଜୁଳି
   ନେଇ ଗଲା ଦେବା ପାଇଁ । ୧୫
ଭାଉଜ ଭଉଣୀ     ମାଇଁ ଖୁଡ଼ୀ ଯେତେ
        ଯେତେକ ବନ୍ଧୁ ବାନ୍ଧବ
ଅଞ୍ଜୁଳେ ତଣ୍ଡୁଳ      ଢ଼ାଳି ଦେଲା ଝିଅ
      ବଢ଼ାଇ ଦେଲେ ପଣତ । ୧୬
ନାନା ବିଧିମତେ      ଶେଷ ସ୍ବୟମ୍ବର
          ଝିଅ ଯିବ ଶାଶୁଘର 
ମା' ମାଉସୀ ଯେତେ     ସଭିଙ୍କ ପାରୁଶେ
       ଝିଅ ଢ଼ାଳେ ଅଶ୍ରୁ ଧାର ।୧୭
ସବୁରି ଆଖିରୁ       ଝରି ପଡ଼େ ନୀର
         ଗଙ୍ଗା ଯମୁନାର ଧାର
ଝରଣା ହୋଇ ସେ      ଝରି ଯାଏ ଆଜି
     ବିଦାୟ ବେଳାରେ ତା'ର । ୧୮
   ଝିଅ କାନ୍ଦୁଥାଏ        ଗୁମୁରି ଗୁମୁରି
         ଝରେ ଖାଲି ଅଶ୍ରୁ ଧାର 
ସାଙ୍ଗସାଥୀ ମାନେ     କରନ୍ତି ରୋଦନ
     ଦୁଃଖରେ ହୋଇ କାତର । ୧୯
ବାପା ମାଆଙ୍କର      କୋହ ରହୁନାହିଁ 
            ଝିଅ ଯିବ ଶାଶୁଘର 
ହେଲେ ଛାଡ଼ିବାକୁ        ବଳୁନାହିଁ ମନ
       ଏଇ ଝିଅଙ୍କ କପାଳ । ୨୦
   ବିଧିର ବିଧାନ     କେ' କରିବ ଆନ
            ଦୁହିତା କୁଳେ ଜନମ
  ଦୁଇ କୁଳ ପାଇଁ      ହିତ ସେ କରିବ
       ସେଲାଗି ଦୁହିତା ନାମ । ୨୧
ସ୍ବୟମ୍ବର ତୋର     ସରିଛି ମାଆ ଲୋ
            ଚ଼ାଲିଯିବୁ ଶାଶୁଘର 
   ତୁ ଥିଲୁ ଆମର      ଗଳା ପୁଷ୍ପହାର
         ଆମକୁ କରିବୁ ପର । ୨୨
   ଥିଲୁ ଅଲିଅଳୀ      ତୁ ଗେଲବସରୀ
            ସଜ ଫୁଟା ମଲ୍ଲୀଫୁଲ
   କନ୍ଦେଇ ଯାଉ ତୁ       କିପରି ବଞ୍ଚିବୁ
       ଛାଡ଼ି ତୋତେ ବହୁଦୂର ? ୨୩
   ଖାଇ ଜାଣି ନାହୁଁ      ନିଜ ହାତେ ତୁହି
         କିଏ ଖୋଇଦେବ ତୋତେ 
     ସଭିଙ୍କୁ ଆପଣା      କରି ତୁ ଚ଼ଳିବୁ
        ଆସୁ ବା ବିପଦ ଯେତେ । ୨୪
    ବାପଘରେ ଥିଲୁ     ମହା ଉଋଦଣ୍ଡୀ
             ସ୍ବଭାବ ଛାଡ଼ିବୁ ତୋର
    ଭାବି ମୁଁ ପାରୁନି      କିପରି ଚଳିବୁ
         ପର କରି ଆପଣାର । ୨୫
ଶ୍ବଶୁର ଶାଶୁଙ୍କୁ       କରିବୁ ଆପଣା
      ଭାବି ତୋର ବାପା ମାଆ      
ଆଜି ଠାରୁ ଧନ     ବାପ ଘରେ ତୁହି
       ଦୁଇ ଦିନର କୁଣିଆ । ୨୬     
ସ୍ବାମୀ ସେବା ନିତି      କରୁଥିବୁ ଝିଅ
       ସେହି ତ ତୋର ଦେବତା
ସତୀ ସାବିତ୍ରୀର      କଥାଟି କଦାପି 
    କରିବୁ ନାହିଁ ଅନ୍ଯଥା । ୨୭
ସବୁରି ମନ ନେଇ    ଚଳିବୁ ଲୋ ତୁହି
       କା' ମନେ ନଦେବୁ କଷଣ
ପର ଘରକୁ ତୁ      ଆପଣା କରିବୁ
    ଭାବି ନିଜ ବାସସ୍ଥାନ । ୨୮
କଟୁ କଥା କେବେ     ନବୋଲିବୁ କା'କୁ
        କେବେ ନଦେବୁ ବେଦନା
ତାଙ୍କ ଖୁସିରେ ତୁ     ଖୁସି ହୋଇବୁ ଲୋ
       ଦୁଃଖକୁ କରିବୁ ସାମ୍ନା । ୨୯
ଶାଶୁ ଶ୍ବଶୁର ତ       ଗୁରୁ ଗୁରୁଜନ 
     ସେବାରେ ନକରିବୁ ଉଣା
ଦେଢ଼ଶୁର ଆଗେ     କେବେ ନ ପଡ଼ିବୁ
       ଟାଣିବୁ ହାତେ ଓଢ଼ଣା । ୩୦
ଦିଅର ତ ତୋର      ପୁତ୍ର ସମ ଝିଅ
        ସ୍ନେହରେ ରଖିବୁ ବାନ୍ଧି
ସାନ ନଣନ୍ଦ ତୋ'    ଝିଅ ପରି ଝିଅ ଲୋ
        ଆଦରେ ରଖିବୁ ଛନ୍ଦି । ୩୧
ବଡ଼ ନଣନ୍ଦ ତୋ'      ବଡ଼ ଭଉଣୀ ଲୋ
         ରଖିଥିବୁ ସଦା ମାନ୍ଯ
ବଡ଼ ଯାଆକୁ ତୁ       ସନମାନ ଦେଲେ
  ତୋତେ ଲୋ ବୋଲିବେ ଧନ୍ୟ । ୩୨
ସାନ ଯାଆ ଯଦି      ଆସିବ ତୋହର
      କେବେ ନ କରିବୁ ଗୋଳ
ପୁତୁରା ଝିଆରୀଙ୍କୁ     ସ୍ନେହ କରିଥିଲେ
      ପାଇବୁ ନିଶ୍ଚେ ଆଦର । ୩୩
ସୁନା ପାଲିଙ୍କିରେ     ଚଢ଼ି ତୁ ଯାଆ ଲୋ
         କର ସେଠି ତାଙ୍କ ସେବା
ସେଇ ତୋର ସ୍ବର୍ଗ    ସେ ତୋ' ମହାନତା
       କର ତାଙ୍କ ପଦ ପୂଜା । ୩୪
ଏ ବିଦାୟ କାଳେ     ଭାରି ମନେପଡ଼େ 
       ବୋଉ ବୋଉ ଡ଼ାକ ତୋର
ଆଉ କେ' ଡ଼ାକିବ    ବୋଉ ବୋଲି ମୋତେ
         ଭାବି ଝରେ ଅଶ୍ରୁଧାର । ୩୫
    ଝିଅ ଜନମ ତୁ      ପାଇଛୁ ଧନ ଲୋ
             ଏ ତ ସଂସାର ନିୟମ
      ଏ ନିୟମ ଧନ     କରିବାକୁ ଆନ
           କିଏ ବା ଅଛି ସକ୍ଷମ ? ୩୬
ଚିର ଶ୍ରୀମନ୍ତିନୀ     ହୋଇ ତୁ ଯାଆ ଲୋ
          ସାର୍ଥକ ତୋ' ନାରୀ ଜନ୍ମ 
ଏବେଠୁ ଯାଇ ତୁ      ସଂସାର ବାନ୍ଧ ଲୋ
        ପାଳ ବିଧାତା ନିୟମ । ୩୭
କାହିଁ କେତେକାଳୁ      ଚ଼ାହିଁ ରହିଥିଲୁ
         ମାଆ ବାପ ଦୁଇ ଜଣ 
କୋଟି ପୁଣ୍ଯ ଆଜି     ଅରଜିଲୁ ଆମେ
    କରି ତୋତେ କନ୍ଯାଦାନ । ୩୮
କନ୍ଯାଦାନ ପରା     ମହାନ ପୁଣ୍ଯ ଲୋ
         ଭାଗ୍ଯରେ ଥିଲେ ମିଳଇ
ଏଇ ପୁଣ୍ଯ ଆଜି        ଆମେ ଅରଜିଲୁ 
   ତୋତେ ଲୋ ବିବାହ ଦେଇ । ୩୯
କନ୍ଯା ପରା ରତ୍ନ      ହୀରାଠୁ ମହାନ
         କନ୍ଯା ପରା ସବୁକିଛି 
ଜୋଇଁଙ୍କ ହାତରେ     ତତେ ମୁଁ ସମର୍ପି 
      ଦୂର ମୁଁ ହୋଇଲି ଆଜି । ୪୦
କନ୍ୟା ଯେ ଦୁହିତା      ଦୁଇ କୁଳ ହିତା 
           ଏହା ତୁ ନ ଯାଅ ଭୁଲି
କନ୍ୟାଦାନ କରି     ପିତା ମାତା ଆମେ
       ଚଢ଼ିଲୁ ପୁଣ୍ଯ ସବାରୀ । ୪୧
ବାହାଘର ନୁହେଁ      ବାଲିଘର ତୋର
          ଶାଶୁ ଶ୍ବଶୁର କଣ୍ଢେଇ
ସ୍ବାମୀ ଦେଢ଼ଶୁର      ଖେଳଣା ନୁହଁନ୍ତି
    କେବେ ତୁ ଖେଳିବୁ ନାହିଁ । ୪୨
ଏତେ କଥା ତୋତେ     କହିଲି ବୁଝାଇ
          ରଖିବୁ ମନେ ସାଇତି
ହେୟଜ୍ଞାନ କେବେ     କରିବୁ ନାହିଁ ଲୋ
      ଦୁଃଖେ ନ ପଡ଼ିବୁ ଭାଙ୍ଗି । ୪୩
ଦୁଃଖ ପରା ଥିଲେ      ସୁଖ ଆସିଥାଏ 
            ପୂର୍ବୁ ଅଛି ପ୍ରଚଳିତ 
ସବୁ ବିପଦକୁ        ସମ୍ମୁଖୀନ ହେବୁ
     ମଥା ନ କରିବୁ ନତ । ୪୪
ସଂସାରଟା ଏକ    ରଥ ସଦୃଶ ଲୋ
        ସମୟ ତାହାର ଚକ
ନନ୍ଦିଘୋଷ ପରି         ଗଡ଼ିଗଡ଼ି ଯାଏ
     ମାନେ ନାହିଁ ଖାଲ ଢ଼ିପ । ୪୫
ସମୟ ସାଙ୍ଗରେ     ତାଳ ଦେଇ ଧନ
        କାର୍ଯ୍ୟ କରିଯିବୁ ତୋର
ହାତେ ମାପି ଯଦି     ଚ଼ାଖଣ୍ଡେ ଚ଼ାଲିବୁ
     ତେବେ ତୁ କରିବୁ ଘର । ୪୬
ପ୍ରେମ ପଥ ସିନା     ଖସଡ଼ା ଲୋ ଝିଅ 
         ସଂସାର ପଥ ଖାବୁଡ଼ା
ତଳକୁ ନିରେଖି       ପଥ ତୁ ଚ଼ାଲିବୁ
     ଧରାକୁ ନ ମଣି ସରା । ୪୭
ସମୟଟା ବଡ଼     ବଳବାନ ଝିଅ
       ଦେଖି ଚ଼ାହିଁ ଲଢ଼ୁ ଥିବୁ
ଦେଖି ଦେଖି ପଥ     ଚ଼ାଲୁଥିଲେ ଧନ
     କେବେ ଝୁଣ୍ଟି ନ ପଡ଼ିବୁ । ୪୮
ତୋ' ସଂସାର ଯଦି     ନନ୍ଦିଘୋଷ ହୁଏ
       ସାରଥୀ ହେବୁ ଲୋ ତୁହି 
ହସ୍ତେ ଧରି ଝିଅ      ପ୍ରେମର ଲଗାମ
     ରଥକୁ ନେବୁ ତୁ ବାହି । ୪୯
ଶାଶୁଘର ତୋର      ଯମୁନା ବାରିଧି
         ସ୍ନେହ ତରଣୀ ପକାଇ
ହସ୍ତେ ଧରି ତୋର      ପ୍ରେମ ଭକ୍ତି କାତ
        ପାରି କରାଇବୁ ତୁହି । ୫୦
ଯଦି ହୁଏ ସେହି      ଦଦରା ନଉକା
        ଧିରେ ସୁସ୍ଥେ ବାହୁଥିବୁ
ପଟା କେଇଖଣ୍ଡି     ଯୋଡ଼େଇ କରି ଲୋ
        ନୂଆ କରି ଗଢ଼ି ଦେବୁ । ୫୧
କେବେ କାହା ପରେ     ଶାସନ ନ କରିବୁ 
         କାହାକୁ ନଦେବୁ ଗଞ୍ଜଣା
ସଭିଏଁ ତୋହର     ହେବେ ଲୋ ନିଜର
       ସ୍ନେହ ନ କରିବୁ ଉଣା । ୫୨
ଏ ଦୁନିଆଟା ପରା       ରଙ୍ଗମଞ୍ଚଟିଏ
          ଆମେ କରୁ ଅଭିନୟ 
ନାଟକ ସରିଲେ       ଚ଼ାଲିଯିବେ ସର୍ବେ
    କେହି ଯେ ନୋହିବେ ଥୟ । ୫୩
ଜଣ ପରେ ଜଣେ     ବିଦାୟ ନେବେଟି
          ଅଭିନୟ ଗଲେ ସରି
ମୋର ମୋର କହି     ଗରବ ସିନା ଲୋ
        କିଛି ତ ନୁହେଁ କାହାରି । ୫୪
ଆମେ ସବୁ ଅଶ୍ବ     ଆରୋହୀ ତ ଜଣେ
             ବସିଛି ଲଗାମ ଧରି
ତା'ର ଇସାରାରେ      ଚ଼ାଲୁଅଛୁ ଆମେ
       ବାହୁଛି ସେହି ପ୍ରହାରି । ୫୫
ଆମେ ସବୁ ଗଧ      ସଂସାରର ବୋଝ
         ଲଦା ଅଛି ଆମ ପୃଷ୍ଠେ
ସେ ବୋଝକୁ ତୁହି      ଠିକଣା ଜାଗାରେ
       ରଖିବୁ ନେଇ ତୁରିତେ । ୫୬
   ଦଇବ ଯଦି ଲୋ       ରଜ୍ଜୁଟିଏ ହୁଏ
            ମାନବ ଅଟଇ ଗାଈ
ଯେଣିକି ଭିଡୁଛି      ତେଣିକି ଯାଉ ଲୋ
       ଏକଥା ବୁଝିଥା' ତୁହି । ୫୭
ସଂସାରଟା ପୁଣି      ସୁନାର ପଞ୍ଜୁରୀ 
        ଆମେ ସବୁ ଶୁଆ ଶାରୀ 
ପଞ୍ଜୁରୀ ଭିତରେ     ବାନ୍ଧି ହୋଇଛୁ ଲୋ
          ନିଜର କପାଳ ଧରି । ୫୮
ଲେଖା ଯାହା ଅଛି      କପାଳେ ଆମର
             ଜନମରୁ ତିନି ଗାର
ସେ ଗାର କେବେ ବି      ଲିଭି ନ ପାରଇ
        ଏକଥାକୁ ହେତୁ କର । ୫୯
ଏତେ କଥା ତୋତେ      ବୁଝାଇ କହିଲି
          ପାଶୋରିବୁ ନାହିଁ ଧନ
କେତେ ପୁଣ୍ଯ ଆଜି      ମିଳିଛି ଆମକୁ 
    କରି ତୋତେ କନ୍ଯାଦାନ । ୬୦

ଭାଟପଡ଼ା - ନିରାକାରପୁର - କଣାସ - ପୁରୀ    

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା