ହେମଦା -ଅନ୍ଧଗଳିର ଏକାକୀ ନାୟିକା

ଶିବ ପ୍ରସାଦ ବାହିନୀପତି 


ବଙ୍ଗ ପ୍ରଦେଶର ଏକ ବିଖ୍ଯାତ ଅଞ୍ଚଳର ଅଖ୍ୟାତ ପଲ୍ଲୀ ,ଯେଉଁଠି ଜନସଂଖ୍ୟା କହିଲେ ମାତ୍ର ଶହେ ଜଣ କିମ୍ବା ତା'ଠାରୁ କମ୍‌ । ମାତ୍ର ଆଠ ଦଶଟି ଘରକୁ ନେଇ ଗଢ଼ି ଉଠିଛି ଗାଁଟି । ପ୍ରାୟ ସମସ୍ତେ ସେ ଗାଁର ଦୀନ ମଜୁରିଆ । ଯାତାୟାତର ସୁବିଧା ନାହିଁ । ସେହି ପଲ୍ଲୀଟି ଏମିତି ଜାଗାରେ ଗଢ଼ି ଉଠିଛି ଯେ, ଗାଁର କିଛ ସୁବିଧା ଅସୁବିଧା ହେଲେ କେହି ଆହା କହିବାକୁ ନାହିଁ । ପଲ୍ଲୀର ଚତୁଃପାର୍ଶ୍ୱ ସବୁଜ ସୁନ୍ଦର ଘଞ୍ଚ ଅରଣ୍ୟରେ ପୂର୍ଣ୍ଣ । ସେ ଗାଁକୁ ଯିବାକୁ ହେଲେ ଅରଣ୍ୟ ଭିତରେ ଚାଲି ଚାଲି ଯିବାକୁ ହେବ ବହୁଦୂର । ପୂର୍ବ ପଟେ ପ୍ରାୟ ତିନି କି. ମି.ର ଜଙ୍ଗଲ ପାରି ହେବା ପରେ ମେନ୍‌ ରୋଡ଼୍‌ଟିଏ ଦୃଶ୍ଯମାନ ହୁଏ । ମେନ୍‌ ରୋଡ଼୍‌ରୁ ପ୍ରାୟ ଏକ କି. ମି. ପରେ ଜନବସତି ପଡ଼େ । ସେହିପରି ପଶ୍ଚିମ ପଟେ ପ୍ରାୟ ଦେଢ଼ କି. ମି. ପରେ ଜନବସତି ଥିବା ବେଳେ , ଉତ୍ତର ଦିଗରେ ଅଢ଼େଇ କି. ମି. ଜଙ୍ଗଲ ପାର ହୋଇ ବାଇପାସ୍‌ ରାସ୍ତା ଧରି ଖଣ୍ଡେ ବାଟ ଗଲେ ଜନବସତି ପଡ଼େ । ଦକ୍ଷିଣ ଦିଗରେ ବିସ୍ତୀର୍ଣ୍ଣ ପଡ଼ିଆଟିଏ ଯାହା ଦୈର୍ଘ୍ୟ ପ୍ରସ୍ଥ ଅସୀମ ଅଟେ । ବିସ୍ତୀର୍ଣ୍ଣ ପଡ଼ିଆର ଆରପଟେ ଛୋଟ ଜଙ୍ଗଲଟିଏ ଓ ଜଙ୍ଗଲ ପାଖକୁ ଲାଗି କିଛି କ୍ଷେତ କିଆରୀ ପରେ ମୁଖ୍ଯ ରାସ୍ତାଟିଏ । ଅଧ କିଲୋମିଟର ରାସ୍ତା ଡ଼ାହାଣକୁ ଗଲେ ମେଡ଼ିକାଲଟିଏ ଓ ବାମ ପଟେ ଶହେ ମିଟର ଦୂରରେ ଏକ ଛୋଟ ବଜାର । ଏଇଭଳି ସ୍ଥାନରେ ଏଇ ପଲ୍ଲୀଟି ଅବସ୍ଥିତ ।

     ସେ ପଲ୍ଲୀକୁ ନା ପହଞ୍ଚେ କୌଣସି ସରକାରୀ ଅନୁଦାନ , ନା ଭଲ ମନ୍ଦ ହାନି ଲାଭ ବୁଝିବାକୁ କେହି ବି ଜଣେ । ରୋଗୀ ମାନଙ୍କୁ ଭାରରେ ବୋହି ନେଇ ମେଡ଼ିକାଲ୍‌ ଯାଏଁ ଚାଲି ଚାଲି ଯିବାକୁ ହୁଏ । ସେହି ଶହେ ଜଣ ବାସିନ୍ଦାଙ୍କ ସ୍ବବ୍ୟୟ ଶ୍ରମରେ ଛୋଟ ପୋଖରୀଟିଏ ସେଠାରେ ଦଣ୍ଡାୟମାନ ଯାହା ସେମାନଙ୍କର ଜୀବନ ରଖିଛି  । ଆଉ ଏକ ଛୋଟ ଗଡ଼ିଆ ଅଛି ମଧ୍ୟ । ବାସ୍‌ , ଏଇ ହେଉଛି ସେ ଗାଁର ଦୃଶ୍ଯାବଳୀ । କଦବା କ୍ବଚିତ୍‌ କେତେଜଣଙ୍କ ଘରେ ବେତାରଯନ୍ତ୍ର ଥାଏ । ବିଦ୍ୟୁତ୍‌ର ଅସୁବିଧା ହେତୁ ଦୂରଦର୍ଶନ ନଥାଏ । ଡ଼ିବି ଆଲୁଅରେ ଚଳିବା ପାଇଁ ପଡ଼େ । ଫୋନ୍‌ର ସୁବିଧା ବି ନାହିଁ । ପଡ଼ୋଶୀ ଅଞ୍ଚଳରେ ମଜୁରୀ ଲାଗି ଚଳିବାକୁ ପଡ଼େ । ଖୁବ୍ ଅଳ୍ପ ଲୋକଙ୍କର ଚଳଣି ଟିକେ ଭଲ । କିନ୍ତୁ ପ୍ରାୟ ଘରେ ଘରେ ସାଇକଲ୍‌ର ସୁବିଧା ଅଛି  । କାଁ ଭାଁ କ୍ବଚିତ୍‌ ଗାଡି ବ୍ଯବହାର କରନ୍ତି । କେବଳ ମୋଟର ସାଇକଲ୍‌ , କାର୍‌ , ଅଟୋ ଏସବୁ ସ୍ବପ୍ନ ସେମାନଙ୍କ ପାଇଁ  । ସେମାନଙ୍କର ଦୟନୀୟ ଅବସ୍ଥା ଦେଖିଲେ ଲୁହ ସବୁ ଲହୁ ହୋଇ ଝରିଯିବ ।

      ସେହି ଗାଁର ଜଣେ ଦରଦୀ ଓ ଦୀନ ଜନଟିଏ ଥିଲେ ବିଦ୍ବାନ୍‌ ବାବୁ । ବିଦ୍ବାନ୍‌ ମୈଥିଳୀ , ବୟସ ପାଖାପାଖି ଚାଳିଶି ବର୍ଷ । ଶରୀରଟା ତାଙ୍କର କୁଆ ପରି କଳା ଓ ଦୁର୍ବଳ । ଚିଙ୍ଗୁଡିଆ ଚୁଟି ଗୁଡ଼ାକ ଏକ ଭିନ୍ନ ଗ୍ରହର ମଣିଷ ପରି ସୂଚୀତ କରାଏ । ତାଙ୍କ ପରିବାର କହିଲେ ବିଦ୍ବାନ୍‌ ବାବୁ , ତାଙ୍କ ସ୍ତ୍ରୀ ସରୋଜିନୀ , ଗୋଟିଏ ପୁଅ ରଙ୍ଗରାଜ ଏବଂ ଏକମାତ୍ର ଅଲିଅଳି କନ୍ଯାରତ୍ନ ହେମଦା । ବିଦ୍ବାନ୍‌ ବାବୁଙ୍କୁ ଦଶ ବର୍ଷ ହୋଇଥିବା ବେଳେ ତାଙ୍କ ମାଆ କର୍ମଦା ମୈଥିଳୀ ଇହ ଧାମ ତେଜିଲେ ହୃଦ୍‌ ରୋଗରେ । ମାଆ ମରିବାର ଛଅ ମାସ ପୂର୍ବରୁ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ ତାଙ୍କ ବାପା ଗ୍ରାମେଶ୍ବର ମୈଥିଳୀ । ବାପା ମାଆ ଚାଲିଯିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବିଦ୍ବାନ୍‌ ବାବୁ । ପଲ୍ଲୀ ବାସିନ୍ଦାଙ୍କର ପୁଅ ପାଲଟି ଯାଇଥିଲେ ସେ । ପଲ୍ଲୀ ବାସିନ୍ଦାଙ୍କର ହାତ ଟେକା ଭୋଜନରେ ଜୀବନ ଧରି ରହିଥିଲେ । ପନ୍ଦର ବର୍ଷ ବୟସ ହେଲା ପରେ ତାଳପତ୍ର ଆସନ ତିଆରି କରି ବିକ୍ରି କରିଲେ । ପରେ ପରେ ସେହି ଗାଁର ଜଣେ ଲୋକ ପାଖରୁ ବୋଝ , ଟୋକେଇ , କୁଲା , ବାଉଁସିଆ ତିଆରି ଶିଖିଲେ ଏବଂ ପାଖ ବଜାରରେ ବିକ୍ରି କରି ନିଜର ଉଦର ପ୍ରତିପୋଷଣ କଲେ । ବେଳେବେଳେ ପଡ଼ୋଶୀ ଗ୍ରାମରେ କୁଲି , ମଜୁରିଆ ହୋଇ ଉଦର ପୋଷଣ କରିଲେ  । ଗଛ ଚଢ଼ା ଠାରୁ ଘୋଡ଼ା ଚଢ଼ା ପର୍ଯ୍ୟନ୍ତ ସବୁକିଛି କରିବାରେ ପାରଙ୍ଗମ ବି ହୋଇଗଲେ ।

      ଏମିତି ଭାବରେ ଚଳଣି ତାଙ୍କର । ପଲ୍ଲୀ ବାସିନ୍ଦାଙ୍କର ବିଦ୍ବାନ୍‌ ବାବୁ ଥିଲେ ଗେହ୍ଲାପୁଅଟିଏ । ଛୋଟ ପିଲାଙ୍କୁ ସ୍ନେହ ଆଦର ଓ ବଡ଼ ମାନଙ୍କୁ ଯଥା ମାନ୍ୟରେ ଟିକିଏ ବି ଉଣା ନଥିଲା ତାଙ୍କର । ପାଞ୍ଚ କି. ମି. ଚାଲି ଚାଲି ଯାଇ ସପ୍ତମ ଯାଏଁ ପଢ଼ିଛନ୍ତି । ପାଠପଢା ସାଙ୍ଗକୁ ଆସନ, ବୋଝ,ଟୋକେଇ ବେପାର ବି କରିଛନ୍ତି । କାହା ଆଖିରେ ଲୁହ ଦେଖିଲେ ସେ ସହି ପାରନ୍ତିନି । ସମସ୍ତଙ୍କ ଦୁଃଖ ସୁଖକୁ ନିଜର ବୋଲି ଆପଣାଇ ନିଅନ୍ତି । ବହୁତ ଦରଦୀ ମଣିଷଟିଏ ଥିଲେ ବିଦ୍ବାନ୍‌ ବାବୁ । 

      ଦିନକର ଘଟଣା , ରାତି ପାହିବା ମାତ୍ରେ ବିଦ୍ବାନ୍‌ ବାବୁ ନିଜ ହାତ ତିଆରି ଜିନିଷ ସବୁକୁ ନେଇ ପାଖ ବଜାରକୁ ବିକ୍ରି କରିବାକୁ ଗଲେ । ସବୁଦିନ ସେ ଘଣ୍ଟାରେ ଦୁଇଟା ବାଜିବା ପୂର୍ବରୁ ଫେରି ଆସନ୍ତି । କିନ୍ତୁ ସେଦିନ ଦିନ ଗଡ଼ି ସଞ୍ଜ ନଇଁଲାଣି ,ବିଦ୍ବାନ୍‌ ବାବୁ ଫେରି ନାହାନ୍ତି । ଘର ଦରଜାରେ ଝୁଲୁଛି ତାଲା । ପଲ୍ଲୀ ସାରା ଚହଳ ,ଆଜି ବିଦ୍ବାନ୍‌ କୁଆଡ଼େ ଗଲା ? ଏଯାଏଁ କାଇଁ ଫେରିନି ତ !! କିଛି ଲୋକ ବାହାରିଲେ ଖୋଜିବାକୁ । କିନ୍ତୁ ବିଦ୍ବାନ୍‌ ବାବୁଙ୍କୁ ନପାଇ ନିରାଶରେ ଫେରି ଆସିଲେ । ସବୁଦିନ ଆଲୋଚନା ଚାଲିଲା ତାଙ୍କ ବିଷୟରେ , ବିଦ୍ବାନ୍‌ ହଠାତ୍ କୁଆଡ଼େ ଉଭାନ୍‌ ହୋଇଗଲା  ! ବିଦ୍ବାନ୍‌ ବାବୁଙ୍କ ବିନା ସମସ୍ତେ ବିଷାଦ ଗ୍ରସ୍ତ । ବିତିଗଲା କିଛିଦିନ । ପ୍ରାୟ ଏକବର୍ଷ ବିତିଗଲା । ଦିନେ ହଠାତ୍ ସେହି ପଲ୍ଲୀରେ ଆବିର୍ଭାବ ହେଲେ ବିଦ୍ବାନ୍‌ ବାବୁ । ଖାଲି ବିଦ୍ବାନ୍‌ ବାବୁ ନୁହଁନ୍ତି , ତାଙ୍କ ସହ ଥିଲେ ଜଣେ ମହିଳା ଓ ଗୋଟିଏ ଛୋଟ ଛୁଆ ।

        ବିଦ୍ବାନ୍‌ ବାବୁ ଗାଁ ଭିତରେ ପଶୁ ପଶୁ ସମସ୍ତେ ଦେଖି ଆଚମ୍ବିତ ହୋଇଗଲେ ଏବଂ ବିଦ୍ବାନ୍‌ ଫେରି ଆସିଛି ଜାଣି ବହୁତ ଖୁସି ହେଲେ । ନିଜ ଘରର ଚାବି ଖୋଲି ଘର ଭିତରେ ପଶିଲେ ବିଦ୍ବାନ୍‌ ବାବୁ । ପଲ୍ଲୀ ଗୋଟାକର ପିଲାଠୁ ବୁଢ଼ା ଯାଏଁ ରୁଣ୍ଢ ହୋଇଗଲେଣି । ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥା'ନ୍ତି ସମସ୍ତେ  - "କୁଆଡ଼େ ଯାଇଥିଲୁ ଏତେଦିନ ଯାଏଁ ? କୋଉଠି ଥିଲୁ ? ତୋତେ ଆମେ କେତେ ଖୋଜିଛୁ ଜାଣୁ ? ଏ ସ୍ତ୍ରୀଲୋକ କିଏ ?" ଏମିତି ପ୍ରଶ୍ନ ବାଣରେ କ୍ଷତାକ୍ତ ହୋଇ ପଡ଼ୁଥିଲେ ବିଦ୍ବାନ୍‌ ବାବୁ । ବିଦ୍ବାନ୍‌ ବାବୁ କହିଲେ "ସବୁ କହିବି, ମତେ ଟିକେ ସମୟ ଦିଅନ୍ତୁ ।" ଏହା କହି ଘରଦ୍ୱାର ସଫାରେ ଲାଗି ପଡ଼ିଲେ ।

        ସକାଳ ଯାଇ ସଞ୍ଜ ହେଲା । ବିଦ୍ବାନ୍‌ ବାବୁଙ୍କ ଘରକୁ ଆସିଲେ ମୁରବୀ ଶ୍ରେଣୀୟ କେତେଜଣ ଲୋକ ସେ ପଲ୍ଲୀର । ଚା' ଜଳଖିଆ ଖିଆ ସାଙ୍ଗକୁ ଗପସପ ବି ବେଶ୍‌ ଜମିଗଲା । ଗପସପ ଭିତରେ ପଚାରି ବୁଝିଲେ ଘଟଣାମାନ । ବିଦ୍ବାନ୍‌ ବାବୁ ଦେଇ ଚାଲିଲେ ଉତ୍ତର । ଉତ୍ତରଟି ଥିଲା ଚମକପ୍ରଦ ।

        "ସବୁଦିନ ପରି ସେଦିନ ବାହାରି ଗଲି ବେପାରକୁ । ସବୁଦିନ କିଛି କିଛି ଜିନିଷ ବଳକା ହୁଏ ; କିନ୍ତୁ ସେଦିନ ମୋର ଗୋଟେ ବି ଜିନିଷ ବଳକା ହୋଇ ନଥିଲା । ବେପାର ଶେଷ କରି ଖାଇବା ପାଇଁ ଷୋଟେଲକୁ ଚାଲିଗଲି । ଖାଇସାରି ଫେରିବା ବାଟରେ ଗୋଟିଏ ଝିଅକୁ ଦେଖିଲି, ଯିଏ ଗଛ ଛାଇରେ ବସି କାନ୍ଦୁଥିଲା । ଏକ ଅସହାୟ ନାରୀର କ୍ରନ୍ଦନ ମତେ ବ୍ୟଥିତ କରି ପକାଇଲା । ପାଖକୁ ଯାଇ ପଚାରିଲି  - " କ'ଣ ହୋଇଛି ? ଏଠି ଏମିତି ଏକା ଏକା ବସି କାନ୍ଦୁଛ କାହିଁକି  ?" ଝିଅଟି କହିଲା -" କାନ୍ଦିବା ହିଁ ମୋ ଭାଗ୍ଯ ଲେଖା ।" ମୁଁ କିଛି ବୁଝି ପାରିଲି ନାହିଁ । ପଚାରି ବସିଲି ଘଟଣା । ଝିଅଟି କହିଲା - " କହିଲେ କୁଳ କୁଟୁମ୍ବକୁ ଲାଜ , ନକହିଲେ କୁଳ ଭାସି ଯାଉଛି।" ମୁଁ କହିଲି _"ମତେ ଘଟଣାଟା ତ କୁହ ।" ଝିଅଟି କହିଲା - "ମୋର ବଞ୍ଚିବାର ରାସ୍ତା ଏବେ ବନ୍ଦ୍‌ । ମୁଁ ବଞ୍ଚିବି କେମିତି  ?"
- ମାନେ ?
- ମୁଁ ଏକ ବେଶ୍ଯା । ଏକ ଦୁର୍ଘଟଣାରେ ଦୁଇବର୍ଷ ପୂର୍ବରୁ ମୋର ବାପା ମାଆ ଚାଲିଗଲେ । ପେଟ ପୋଷିବାକୁ ଭିକ୍ଷା କରି ଚଳିଲି । ତଥାପି ଭିକ୍ଷା ବଦଳରେ ମୋ ଶରୀର ଉପରେ ସମସ୍ତଙ୍କର ନଜର ପଡ଼ିଲା । ନିଜକୁ ରକ୍ଷା କରିବାକୁ ଚେଷ୍ଟା କରି ବି ବିଫଳ । ଜଣେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହଯୋଗରେ ମୁଁ ଅନନ୍ୟୋପାୟ ନପାଇ ବାଧ୍ୟ ହୋଇ ଏଇ ବୃତ୍ତି ଆପଣେଇ ନେଲି । ସେ ମହିଳା ସବୁ ଟଙ୍କା ନେଇଯା'ନ୍ତି ; ମତେ କେବଳ ଖାଇବାକୁ ଗଣ୍ଡେ ଦିଅନ୍ତି । ସେ ପୁଣି ଠିକ୍‌ ସମୟରେ ନୁହେଁ । ମୁଁ ପ୍ରତିବାଦ କରିବାରୁ ମାଡ଼ ଗାଳି ବି ଦିଅନ୍ତି । ଆଜି ମତେ ଗଳା ଧକ୍କା ଦେଇ ବାହାର କରିଦେଲେ । ମୁଁ ଏବେ କୁଆଡ଼େ ଯିବି ଆଉ ମୁଁ କେମିତି ବଞ୍ଚିବି ? ଆତ୍ମହତ୍ୟା କରିବା ବ୍ଯତିତ ଆଉ ଉପାୟ କିଛି ମୋ ପାଖେ ନାହିଁ ।
-ଏହାର ନିରାକରଣ ଆତ୍ମହତ୍ୟା ନୁହେଁ । ଯଦି କିଛି ଆପତ୍ତି ନଥାଏ ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ।
-ନା ବାବୁ , ମୁଁ ଗୋଟେ ବେଶ୍ଯା । ଆପଣ ମୋତେ ବିବାହ କାହିଁକି କରିବେ ? ମୁଁ ବିବାହର ସ୍ବପ୍ନ ଦେଖିବା ନିରର୍ଥକ ମୋ ପାଇଁ  ।
-କୌଣସି ଲୋକକୁ ଘୃଣା କରିବା ଠିକ୍‌ ନୁହେଁ  ।
- ଜଣେ ବେଶ୍ଯାକୁ ବିବାହ କରି ନିଜକୁ ଅପବିତ୍ର କରିବାର ର୍ପୟାସ କରନ୍ତୁନି ।
- କାହାର ମଙ୍ଗଳ କରିବାକୁ ଯାଇ ଯଦି ନର୍କକୁ ଯିବାକୁ ହୁଏ ; ତେବେ ବି ମୁଁ ପ୍ରସ୍ତୁତ  । ଲୋକ ମାନଙ୍କ କଟାକ୍ଷକୁ ମୋର ଡ଼ରିବାର ନାହିଁ । କାହା ମୁହଁରେ ବାଡ଼ବତା ଦେଇ ହେବନି । ସେମାନେ ତ ସଜ ମାଛରେ ପୋକ ପକାଇଦେବେ । କହିବା ଲୋକ କହିବେ , ଆମେ ସବୁ ଶୁଣି ଚୁପ୍‌ ରହିଲେ ହେଲା । କାହା କଥାକୁ ଗୁରୁତ୍ବ ନଦେଇ ଆମ କର୍ମରେ ଆମେ ଲିପ୍ତ ରହିବା । ଆମେ ଜାଣିଛେ ଆମେ ଭୂଲ୍‌ କରିଛେ ନା ଠିକ୍‌ ; ଇଶ୍ୱର ଜାଣନ୍ତି ପାପ ପୁଣ୍ଯର ଫଳ । ଯିଏ ଯାହା କହିବ କହୁ । 

      ଏମିତି କଥା କଟାକଟି ଭିତରେ ବହୁ କଷ୍ଟରେ ରାଜି କରାଇ ଦେଲି ତାକୁ । ପାଖ ମନ୍ଦିରରେ ବିବାହ କରିଲି । ତା'ର ଜଣେ ଘନିଷ୍ଠ ସାଙ୍ଗ ଯିଏକି ଏବେ ବି ତାକୁ ଘୃଣା ଚକ୍ଷୁରେ ନଦେଖି ବହୁତ୍ ଭଲପାଏ , ତାଙ୍କରି ଘରେ ଉପର ମହଲାରେ ରହିଲୁ । ମୁଁ ଏଇ ବେପାର କରି ଓ ମୂଲ ମଜୁରୀ ଲାଗି ଚଳେ । ସେଇ ଝିଅ ହେଉଛି ଏଇ ; ମୋ ସ୍ତ୍ରୀ ଆସନ ଅଳଂକୃତ କରିଛି । ଏଇ ଯେଉଁ ଛୋଟ ଛୁଆଟିକୁ ଦେଖୁଛ , ଇଏ ମୋ ପୁଅ ରଙ୍ଗରାଜ । ରଙ୍ଗମହଲ ଫେରନ୍ତା ଝିଅ ଠାରୁ ଜନ୍ମ ବୋଲି ନାଁ ରଖିଛି ରଙ୍ଗରାଜ  ।" 

      ସମସ୍ତେ  ଏ କଥା ଶୁଣି ତାଜୁବ୍‌ । "ଶେଷରେ ତୁ ଏଇଆ କଲୁ ବିଦ୍ବାନ୍‌  ! ପଲ୍ଲୀ ବାସିନ୍ଦାଙ୍କର ଗେହ୍ଲା ପୁଅ ହୋଇଥିଲୁ । ତୋ ବାପା ମାଆଙ୍କ ମୃତ୍ଯୁ ପରେ ଆମ ମାନଙ୍କ ପାଇଁ ତୁ ଏ ଗାଁରେ ଥିଲୁ ଜୀବନ ନେଇ । ସ୍ନେହ ଶ୍ରଦ୍ଧାରୁ କେବେ ବଞ୍ଚିତ କରିନୁ ଆମେ ତୋତେ । ତୁ ଶେଷରେ ଆମ ମୁହଁରେ ଚୁନ କାଳି ବୋଳିଦେଲୁ ବିଦ୍ବାନ୍‌ ! ଆମକୁ ତ ଅନ୍ତତଃ କହି ପାରିଥା'ନ୍ତୁ, ଆମେ ଭଲ ଝିଅ ଦେଖି ତୋ ବିବାହ କରେଇ ପାରିଥା'ନ୍ତୁ ନା । ତୁ ଶେଷରେ ଏଇ ବେଶ୍ୟାଟାକୁ ଆଣି ଆମ ପଲ୍ଲୀରେ ଛିଡ଼ା କରେଇ ଦେଲୁ ! ଧିକ୍‌ ! ଶତଧିକ୍‌ ତତେ ବିଦ୍ବାନ୍‌  ।" ସମସ୍ତଙ୍କର ନିନ୍ଦାର ପାତ୍ର ପାଲଟି ଗଲା ବିଦ୍ବାନ୍‌ । ଯେତେ ବୁଝାଇ କହିଲେ ବି କେହି ଶୁଣିଲେନି । ଶେଷରେ ଗାଁରେ ବସିଲା ସଭା । ସଭାରେ ନିଷ୍ପତ୍ତି ନିଆଗଲା ବେଶ୍ୟାକୁ ବିବାହ କରିବାରୁ ସେ ର୍ଗାମରୁ ବାଚ୍ଛନ୍ଦ ହେବ । ଆମ ଗାଁର ନିଆଁ ପାଣି ସେ ବ୍ୟବହାର କରି ପାରିବନି । କେହି ତା' ସହ ମିଶିବେନି କି କଥା ହେବେନି । କୌଣସି ଅସୁବିଧା ହେଲେ ବି କେହି ସହାୟତାର ହାତ ବଢ଼ାଇବେ ନାହିଁ  । ଯିଏ ଅମାନ୍ୟ କରିବ ସେ ବି ଅନୁରୂପ ଏ ଅବସ୍ଥା ଭୋଗ କରିବ ; ଏମିତି ଦଣ୍ଡରୁ ତାକୁ ବି ମୁକ୍ତି ମିଳିବନି । 

        ଭାଳେଣି ପଡ଼ିଗଲା ବିଦ୍ବାନ୍‌ ଓ ସରୋଜିନୀଙ୍କୁ । ସରୋଜିନୀ କହୁଥିଲା - " ମୋ ପାଇଁ  ଆପଣ ଏମିତି ଅସୁବିଧା ଭୋଗ କଲେ ; ସବୁରି ନିନ୍ଦାର ପାତ୍ର ବନିଲେ । ମୁଁ ମନା କରିଲି କିନ୍ତୁ ଶୁଣିଲେ ନାହିଁ ; ମତେ କାହିଁକି ବିବାହ କଲେ ?" ବିଦ୍ବାନ୍‌ର ଉତ୍ତର ଥିଲା -"ଏବେ ବି ମୁଁ ଦୃଢ଼ତାର ସହ ଛିଡ଼ା ହୋଇଛି ; ଭାଙ୍ଗି ପଡ଼ିନି ଏଯାଏଁ । ତମେ କାହିଁକି ଭାଙ୍ଗି ପଡ଼ୁଛ ? ମୁଁ ଯାହା ବି କରିଛି କିଛି ଭୁଲ୍‌ କରିନି । ଆମେ ଏ ପଲ୍ଲୀରେ ନହେଲା ନାହିଁ ; ଆଉ କେଉଁଠି ତ ରହି ପାରିବା ।  ଏତେ ବଡ ପୃଥିବୀରେ ଆମ ପାଇଁ କ'ଣ ଜାଗା ନାହିଁ  !" ଘର ଛାଡ଼ି ଚାଲିଗଲେ ବିଦ୍ବାନ୍‌ ଓ ସରୋଜିନୀ । ପାଖ ସହରରେ ଜଣଙ୍କ ଘରେ ପାଞ୍ଚଶହ ଟଙ୍କାରେ ଭଡ଼ା ରହିଲେ ।

    ବିଦ୍ବାନ୍‌ ପୂର୍ବ ପରି ମୂଲ ମଜୁରୀ ଓ ହାତ ତିଆରି ଜିନିଷ ବିକ୍ରି କରି ଉଦର ପ୍ରତିପୋଷଣ କରୁଥିଲେ । ସରୋଜିନୀ ବି ମଟର ତରକାରି ଓ ଗୁଲୁଗୁଲା ,ଆଳୁଚପ୍ ଆଦି ବିକ୍ରି କରି ବେଶ୍‌ ରୋଜଗାର ବି କରି ପାରୁଥିଲେ । ଉଭୟଙ୍କର ରୋଜଗାର ମିଶି ବେଶ୍‌ ହସ ଖୁସିରେ ଚଳିବା ସହ ସଞ୍ଚୟ ବି କରି ପାରିଥିଲେ । କିଛିଦିନ ପରେ ବିଦ୍ବାନ୍‌ ଓ ସରୋଜିନୀଙ୍କ ଔରସରୁ ଜନ୍ମ ନେଲା କନ୍ଯାରତ୍ନଟିଏ । ଶ୍ରଦ୍ଧାରେ ତା' ନାଁ ରଖିଲେ ହେମଦା । ଶଶିକଳା ସମ ବଢ଼ି ଚାଲିଲା ଝିଅଟି । ଏବେ ନିଜ ସଞ୍ଚିତ ରାଶିରେ ଛୋଟ ଜାଗାଟିଏ କିଣିଲେ ବିଦ୍ବାନ୍‌ ବାବୁ । ଜାଗା ଥାଇ ଭଡ଼ା ଘରେ କାହିଁକି ରହିବା ଭାବି ଝାଟିମାଟିର କୁଡ଼ିଆଟିଏ ତିଆରି କରି ଭଡ଼ା ଘର ଛାଡ଼ି ଚାଲିଗଲେ । ଝିଅ ଲକ୍ଷ୍ମୀ ସ୍ବରୂପା ; ସେ ଆସିବାରୁ ଜାଗା କିଣା ହେଲା ବୋଲି ଭାବିନେଲେ ଦିହେଁ । ହସ ଖୁସିରେ ବିତିଗଲା ସେମାନଙ୍କ ସଂସାର । 

     ବିବାହ ବୟସ ଉପନୀତ ହେଲା ହେମଦାର । ହେଲେ ବିବାହ ପାଇଁ ଚିନ୍ତା ବଢ଼ିଗଲା ବିଦ୍ବାନ୍‌ ଓ ସରୋଜିନୀଙ୍କର । ଏତେ ଧନ ନାହିଁ ଯେ ସେ ଝିଅକୁ ବିବାହ ଦେବେ । କିଏ ଅଛି ଆମ ଝିଅର ହାତ ଧରିବାକୁ ? ଚିନ୍ତା ଗ୍ରସ୍ତ ଥିଲେ ବିଦ୍ବାନ୍‌ ଓ ସରୋଜିନୀ । ଝିଅକୁ ବହୁ କଷ୍ଟରେ ପ୍ଲସ୍ ଥ୍ରୀ ସେକେଣ୍ଡ୍‌ ଇୟର୍‌ ଯାଏଁ ପଢ଼େଇଛନ୍ତି । ଆଗକୁ ପଢିବାକୁ ଇଛ ଥିଲେ ବି ଅର୍ଥାଭାବ ହେତୁ ପେଡ଼ି ପୁଟୁଳି ବାନ୍ଧିବାକୁ ପଡିଥିଲା ହେମଦାକୁ । ସବୁଥିରେ ଟପ୍ପର୍‌ ହେଉଥିବା ହେମଦାର ପାଠପଢାରେ ପଡ଼ିଗଲା ଫୁଲ୍‌ଷ୍ଟପ୍‌ । ପିଲା ବେଳରୁ ସାହିତ୍ଯ ପ୍ରତି ରୁଚି ରଖିଥିବା ହେମଦା ଅନେକ ଗଳ୍ପ,କବିତା,ପ୍ରବନ୍ଧ,ନିବନ୍ଧ ରଚନା କରି ବହୁ ପ୍ରଶଂସିତ ହୋଇଛି । ପତ୍ରପତ୍ରିକାରେ ତା'ର ଲେଖା ଗୁଡ଼ିକ ଛପା ହୋଇଥିବା ବେଳେ ବହୁ ସାହିତ୍ଯାନୁଷ୍ଠାନରୁ ନାନା ଉପାଧୀ ସହିତ ପ୍ରମାଣପତ୍ର ବି ଗଦା ଗଦା ପ୍ରାପ୍ତ କରିଛି ହେମଦା । 

     ଆଜି କାଲିର ଏ ସମାଜ ଖାଲି ପ୍ରତିଭାକୁ ଦେଖେନି  ; ସେ ଦେଖେ ଅର୍ଥ । କଥାରେ ଅଛି  -
                 "ପାଖରେ ନାହିଁ ଧନ
                  ଝିଅ ବାହା କରିବାକୁ ମନ ।"
  ଯୌତୁକ ପ୍ରଥା ପ୍ରଚଳିତ  ପ୍ରଦେଶରେ ଝିଅ ବାହା ହେବାକୁ ହେଲେ ପ୍ରଥମେ ଅର୍ଥ ଯୋଗାଡ଼ କରିବା ଜରୁରୀ । ଓଡ଼ିଆ ବାଣୀ ଅନୁସାରେ - "ବାପ ଗୁଣେ ପୁଅ , ମାଆ ଗୁଣେ ଝିଅ ।" ପୁଅକୁ ତେଇଶି ବର୍ଷ ବୟସ , ତା' ପାଇଁ ବି ଖୋଜା ଚାଲିଛି କନ୍ୟା ପାତ୍ରୀ । ୟା'ଙ୍କୁ ବା ଝିଅ ଦେବ କିଏ ? ଚାରିଆଡ଼େ ତ ପ୍ରଚାର ହୋଇ ସାରିଛି ବିଦ୍ବାନ୍‌ ଓ ସରୋଜିନୀଙ୍କ କଥା । ସମାଜଟା ସାରା ଜାଣି ସାରିଛନ୍ତି ସବୁକିଛି । ଝିଅ ମିଳୁନି କି ଜ୍ବଇଁ ବି ମିଳୁନି, ବଡ଼ ଦୋଦୁଲ୍ୟମାନର ଅବସ୍ଥା । କିଛିଦିନ ପରେ ଗରିବ ଘରର ଝିଅଟିଏ ବୋହୂ ହୋଇ ଆସିଲା । ଉଭୟ ପରିବାରଙ୍କ ସମ୍ମତିରେ ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେଲା । କିଛିଦିନ ଭଲରେ କଟିଲା ପରେ ଦୃଶ୍ଯ ହେଲା ବୋହୂର ରଣଚଣ୍ଡୀ ରୂପ । କୌଣସି ସୂତ୍ରରୁ ଖବର ପାଇ ବୋହୂ ଝଲି ଶାଶୁ ସରୋଜିନୀଙ୍କୁ ବେଶ୍ୟା ବୋଲି କହି ଉଲୁଗୁଣା ଦେବା ଆରମ୍ଭ କରିଦେଲା  ଏବଂ ଶ୍ବଶୁରଙ୍କୁ ବି ସେ ଅପମାନିତ କରିବାକୁ ପଛେଇଲାନି । ସ୍ବାମୀ ରଙ୍ଗରାଜ ମଧ୍ୟ ତା' ଅପମାନର ଶିକାର ହେଲା । ହେମଦା ବି ବାଦ୍‌ ପଡ଼ିନି ତହିଁରୁ ।

    ପରିବାରରେ ସୃଷ୍ଟି ହେଲା ଅଶାନ୍ତି  ; ଭାଙ୍ଗିଗଲା ହସଖୁସିର ସଂସାର । ସ୍ତ୍ରୀର ଦୌରାତ୍ମ୍ୟ ସହି ନପାରି ରେଳ ଧାରଣାରେ ସ୍ବାମୀ ରଙ୍ଗରାଜର ଜୀବନଟି ପେଷି ହୋଇଗଲା । ପୁତ୍ରକୁ ହରେଇବା ଦୁଃଖରେ ଭାଙ୍ଗି ପଡ଼ିଲେ ବିଦ୍ବାନ୍‌ ବାବୁ ଓ ତାଙ୍କ ସ୍ତ୍ରୀ ସରୋଜିନୀ ଦେବୀ । ଦିନେ ରାତ୍ରିରେ ଅନ୍ୟ ଏକ ପୁରୁଷ ସହିତ ଗୁପ୍ତ ପ୍ରଣୟ ବେଳେ ହେମଦା ଆଖିରେ ଧରା ପଡ଼ିଗଲା ଝଲି । ହେମଦାର ତାଗିଦ୍‌ ଓ ବାରଣକୁ ଅମାନ୍ୟ କରିବା ପରେ ଝଲିର ବଚସା ଓ କଟୂକ୍ତି ସବୁ ହେମଦାର ଶରୀର ଓ ମନକୁ ବିଦ୍ଧ କରି ଚାଲୁଥିଲା । ହେମଦା ଏକଥା ବାପା ବୋଉଙ୍କ ଆଗରେ କହେ ତ ସେମାନେ ତାଜୁବ୍‌ ହୋଇଗଲେ । କର୍ମ ଫଳ ଭାବି ନିରବ ରହିବା ବ୍ୟତିତ ଆଉ ରାସ୍ତା ବା କ'ଣ ?

      ହେମଦା ଉପରେ ରାଗ ରଖି ଝଲି ଖୋଜୁଥିଲା ମୌକା, ହେମଦାକୁ ପାନେ ଚଖେଇବା ପାଇଁ । ଦିନେ ମିଳିଗଲା ସୁବର୍ଣ୍ଣ ସୁଣୋଗ ତାକୁ । ତା' ସହ ସମ୍ପର୍କ ରଖିଥିବା ଲୋକଟିକୁ କୁମନ୍ତ୍ରଣା ଦେଲା ଝଲି , ହେମଦାକୁ ବଦ୍‌ନାମ କରିବାକୁ । ଦିନେ ସନ୍ଧ୍ୟାରେ ବଜାରରୁ ଫେରିବା ବାଟରେ ହେମଦାକୁ ସେହି ଟୋକାଟି ଏକ ନିଛାଟିଆ ରାସ୍ତାରେ ଅଟକାଇ ଜୋର୍‌ଜବର୍‌ଦସ୍ତ କରିବାକୁ ପଛେଇ ନଥିଲା । ଯେତେ ଚେଷ୍ଟା କରି ବି ସୁଦ୍ଧା ତା' ଠାରୁ ମୁକ୍ତି ପାଇ ନଥିଲା ହେମଦା । ଶେଷରେ ହାର୍‌ ମାନିନେଲା ସମସ୍ତ ପ୍ରଚେଷ୍ଟା ହେମଦାର । ଅନିଚ୍ଛାରେ ସେ ସମର୍ପି ଦେଲା ତାକୁ ସର୍ବସ୍ବ । ବହୁ କଷ୍ଟରେ ସେ ଫେରିଲା ଘରକୁ । ମୁଖମଣ୍ଡଳଟା ମଳିନ ; ସତେ ଯେପରି ପୂର୍ଣ୍ଣମୀ ଇନ୍ଦୁରେ ଲାଗିଛି ଗ୍ରହଣ । 

    ଏପରି ଶୋଚନୀୟ ଅବସ୍ଥାରୁ ବିଦ୍ବାନ୍‌ ବାବୁ ଓ ସରୋଜିନୀ ଦେବୀ ବାରି ପାରୁଥିଲେ କିଛି ଗୋଟେ ହୋଇଛି । ପଚାରିବାରୁ କାନ୍ଦିବା ବ୍ୟତିତ ଆଉ କିଛି କହି ପାରୁନଥିଲା ହେମଦା । ବାପା ମାଆଙ୍କ ଶାନ୍ତ୍ବନା ଓ ସ୍ନେହ ଭରା କର ସ୍ପର୍ଶ ଟିକେ ସାହସ ସଞ୍ଚରଣ କରି ପାରିଥିଲା ହେମଦା ମନରେ । ପ୍ରଶ୍ନର ଉତ୍ତର ଦେଇ ହେମଦା କହିଥିଲା ବାପା ମାଆଙ୍କୁ - "ମୋର ସବୁକିଛି ସରିଯାଇଛି ।" ସେ ଗୋଟି ଗୋଟି କରି ବର୍ଣ୍ଣନା କରିବା ପରେ ଖୋଳତାଡ଼ କଲେ କିଏ ସେ ପୁଅ ।  ଆଉ ଏକ ବିଚିତ୍ର ଘଟଣା । ପୁଅଟି ସହ ଆଉ ଜଣେ ବି ଥିଲା । କିଛି ଦୂରରେ ଲୁଚି ରହି ଦୁଷ୍କର୍ମକୁ ନିରବରେ ଝାପ୍ସା ଆଲୋକରେ ମୋବାଇଲ୍‌ ରେକର୍ଡ଼ିଙ୍ଗ୍‌ କରି ସବୁ ସାଙ୍ଗସାଥୀ ମାନଙ୍କୁ ସୋସିଆଲ୍‌ ମିଡ଼ିଆରେ ପ୍ରେରଣ କରିବାରୁ ସବୁରି ଘୃଣାର ପାତ୍ରୀ ପାଲଟିଗଲା ହେମଦା । ଘୋଟିଗଲା ଘୋର ଅନ୍ଧକାର ।

      ଏହା ଭିତରେ ଝଲି ସେଇ ପୁଅ ସହ କୁଆଡ଼େ ଫେରାର୍‌ ହୋଇ ଯାଇଥିଲା ଯେ ତା'ର ପତ୍ତା ମିଳିବା ସମ୍ଭବ ହୋଇ ନଥିଲା । ଶେଷରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେବାକୁ ପଛାଇ ନଥିଲା ହେମଦା । ବାପା ମାଆ କିନ୍ତୁ ଆତ୍ମହତ୍ୟାର ଜଘନ୍ୟ କର୍ମରୁ ତାକୁ ନିବୃତ୍ତ କରାଇଥିଲେ । ବିଦ୍ବାନ୍‌ ବାବୁ କହିଥିଲେ -"ଜୀବନ ହାରି ମହାପାପ କରିବା ଅପେକ୍ଷା ଜୀବନରେ ବଞ୍ଚିରହି ବେଶ୍ୟା ବୃତ୍ତି କରିବା ଶ୍ରେୟସ୍କର । ସେତେବେଳେ ବୁଝି ପାରିନଥିଲି , ଏବେ ବୁଝି ସାରିଛି ଭଲଭାବରେ । 

      କଥାରେ ଅଛି -"ଚିନ୍ତା ଖାଏ ଗଣ୍ଡି , ଲୁଣ ଖାଏ ହାଣ୍ଡି ।" ଠିକ୍‌ ଏଇ କଥାର ଅନୁରୂପ ବିଦ୍ବାନ୍‌ ବାବୁଙ୍କଠାରେ ପ୍ରକାଶିତ ହେଲା । ରାସ୍ତାରେ ମୁଣ୍ଡ ଟେକି ବାଟ ଚାଲି ପାରିଲେନି, ସମସ୍ତେ ବିଦ୍ବାନ୍‌ ବାବୁଙ୍କୁ ଦେଖେଇ ଶିଖେଇ କହିଲେ । ଚିନ୍ତାଗ୍ରସ୍ତରେ ଶରୀର ବି ଆହୁରି କ୍ଷୀଣ ହେବାକୁ ଲାଗିଲା । ହଠାତ୍‌ ଦିନେ ରାସ୍ତାରେ ୭୦୯ ଗାଡ଼ି ଚକା ତଳେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ମାଆ ଝିଅ ଏବେ ବେସାହାରା । 

      ସରୋଜିନୀଙ୍କ ବୟସ ଏବେ ପଞ୍ଚସ୍ତରୀ ଟପି ଗଲାଣି । ଆଉ କିଛି ଉପାୟ ନପାଇ ଭୁବନେଶ୍ବରରେ ନିଜେ ଆଣି ଝିଅକୁ ଛାଡ଼ିଦେଇ ଗଲେ ନର୍କପୁରୀରେ । ସେଇଦିନ ଠାରୁ ସେ ନର୍କପୁରୀ ଏବେ ତା'ର ଆଶ୍ରୟସ୍ଥଳୀ । ଯୋଉ ନର୍କପୁରୀରେ ଗଦା ଗଦା କଳୁଷ ବିକ୍ରୟ କରାଯାଏ କେଇଟା ଗାନ୍ଧି ମୁଣ୍ଡ ଛପା କାଗଜର ବିନିମୟରେ ; ପୁଣି ବଡ଼ ବଡ଼ ବାବୁ ମାନଙ୍କ ଦ୍ବାରା । ସେଠାକୁ ଆସିବା ପରଠୁ ସରୋଜିନୀଙ୍କର ଖବର ରଖିନି ହେମଦା । ନର୍କପୁରୀର ପରିବାରର ଏକ ସଦସ୍ୟା ପାଲଟି ଯାଇଛି ହେମଦା । ଆଉ ପଛକୁ ଫେରି ଚାହିଁନି ସେ କଦାପି । ସମୟର ଚକ ତଳେ ଚାପି ହୋଇଯାଇଛି ହେମଦାର ଭବିଷ୍ଯ ।।

ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା