- Get link
- X
- Other Apps
ଲେଖା ମୋର - ବିଚାର ଆପଣ ମାନଙ୍କର
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବେଲଜ୍ଜା ସାହିତ୍ଯ ବେପାରୀଙ୍କୁ ଯେତେ କହିଲେ ବି କ'ଣ କାଟିବ ? ଅଙ୍ଗାରକୁ ଯେତେ ଧୋଇଲେ ବି ସେଇ କଳା । ପ୍ରକୃତି ନୈବ ମୁଚ୍ଯତେ । ଏମାନେ ସମାଜର କଳଙ୍କ । ଏ କଳଙ୍କ ସଫା କରିବାକୁ ଉତ୍ତମ ବାଲିକାଗଜର ଆବଶ୍ଯକତା ରହିଛି । ତେଣୁ ଆସ କଳଙ୍କ ଛଡ଼େଇବା ଆମ ଭାଷା ଓ ଆମ ସାହିତ୍ୟର ସୁରକ୍ଷା ଓ ସମୃଦ୍ଧି ପାଇଁ l
ଆଜିକାଲି ଭାଷା ସାହିତ୍ଯ ପଣ୍ଯ ଦ୍ରବ୍ଯ ହୋଇ ବଜାରରେ କିଣା ବିକା ଚ଼ାଲିଛି । ସ୍ବର ତୋଳିବାକୁ କେହି ନାହିଁ ; ସନ୍ତ୍ରାସବାଦୀ ପରି ସାହିତ୍ଯ ବେପାରୀ ମାତିଲେଣି । ଦମନର ଆବଶ୍ଯକତା ଥିଲେ ବି ସରକାର , ସାହିତ୍ଯିକ , ବୁଦ୍ଧିଜୀବୀ ନିରବ । ସମସ୍ତେ ମାନପତ୍ର ପାଗଳ ; ଟଙ୍କା ଦେଇ ମାନପତ୍ର କିଣା , ସମ୍ବର୍ଦ୍ଧନା ଏବଂ ପଞ୍ଚସଖା ଅମଳର କବି - ଲେଖକ ନାମରେ କ ବ ଚ଼ ଲେଖି ଦେଇ ଉପାଧୀ । କିଛି ଆତ୍ମଘୋଷିତ ବି ଅଛନ୍ତି ; ନିଜେ କର୍ମକର୍ତ୍ତା ବି ନିଜ ଅନୁଷ୍ଠାନରୁ ସମ୍ମାନୀତ । ସମ୍ମାନର ଅର୍ଥ କ'ଣ ଆଗ ବୁଝିବା ସହ ସାହିତ୍ଯର ମର୍ଯାଦା ବୁଝିବା ଦରକାର ।
ଏଠି ଭଲ ହୋଇଥିବା ଲୋକ ବି ଭେଲ । ଭଦ୍ର ମୁଖା ତଳେ କେତେ ହୀନବୁଦ୍ଧିଆଙ୍କ ଚେହେରା ଲୁକ୍କାୟିତ ; ବାସ୍ତବିକ୍ କଳ୍ପନା ବହିର୍ଭୁତ । ରକ୍ଷକ ବି ଭକ୍ଷକ ; କାହାକୁ କହିବା ଶୁଣିବ କିଏ ? ଓଡ଼ିଶା କଙ୍କଡା ପରା ; ଗୋଳି ପାଣି ହିଁ ସୁହାଇବ । ସମାଜ ସଂସ୍କାରର ଡ଼ିଣ୍ଡିମ ପିଟି ପିଟି କଲମ ନୟାନ୍ତ ; କିନ୍ତୁ ନିଜର ସଂସ୍କାର ଓ କର୍ତ୍ତବ୍ୟ ଚୂଲିରେ ପଶୁଛି । ଶାଳୀନତାର ଶିକ୍ଷା ଦେଉଥିବା ଲୋକ କେତେ ଶାଳୀନ ଜଳଜଳ ଜଣା ପଡୁଛି । ଉପଦେଶ ଦେବାରେ ପାରଙ୍ଗମ ; ପାଳନ କରିବା କଷ୍ଟ । କହିବା ଆଗରୁ କରିବାକୁ ଉଚିତ୍ ମଣୁ ନାହାନ୍ତି । ତା'ପରେ "ନାନୀ ଗଲା ଦିଅଁ ଦେଖି , ମୁଁ ଯିବି ଦିଅଁ ଦେଖି" ଆଉ "ତୁ ମତେ ଦେ' ମୁଁ ତତେ ଦେବି"ର ନ୍ଯାୟ ; କହିବା ଯାହା କାଲା ଆଗରେ ମୂଳା ଚ଼ୋବାଇବା ସେଇଆ । ଲୋକେ ଲଜ୍ଜା ନିବାରଣ ପାଇଁ ବସ୍ତ୍ର ପିନ୍ଧନ୍ତି ; ବସ୍ତ୍ର ଫିଙ୍ଗି ଉଲଗ୍ନ ହେଲେ ତାଙ୍କୁ କ'ଣ କୁହାଯିବ ? ବେଲଜ୍ଜା ବୋଧେ ହେବ । ସେମିତି ଶାଳୀନତା ଆମର ବସ୍ତ୍ର ପରି ; ଯଦି ଶାଳୀନତା ଫିଙ୍ଗି ଅଶାଳୀନତା ଆପଣେଇଲ ; ତେବେ ବେଲଜ୍ଜା ହେଲ ନା । ଜଣଙ୍କ ପାଇଁ ପଣେ ଦୋଷୀ । ସମାଜରେ ୯୦% ବୋଧେ ଏ ଭଳି ଅସଂସ୍କାରୀ ଓ ବେଲଜ୍ଜା ଅଛନ୍ତି ।
କହିଲେ କୁଳ କୁଟୁମ୍ବକୁ ଲାଜ
ନ କହିଲେ କୁଳ ଭାସି ଯାଉଛି ।
ନେତା ଅପେକ୍ଷା କୁଜିନେତା ଅଧିକ । ଜଣେ ଶୋଷଣ କଲେ ଆଉ ଜଣେ ପ୍ରତ୍ସାହନ ଯୋଗାଏ ; ସ୍ବାର୍ଥ ପୁରଣ ଯାଏଁ । ସମୟ ଆସିବ , ସ୍ବାର୍ଥ ପୂରିଗଲେ ଟାଙ୍କ ଟାଣିବ । ସେଇ ଜାଗାରେ ନିଜକୁ ଅବସ୍ଥାପିତ କରିବାକୁ । ଅନ୍ଯାୟ ବିରୁଦ୍ଧରେ କେହି ଯିବେନି ; ବରଂ ନିଜ ସ୍ବାର୍ଥ ପାଇଁ ଲୁଚି ଲୁଚି ଅନ୍ଯାୟ କରିବେ । ଯିଏ ତୁଣ୍ଡ ଖୋଲିବ ସେ ଅନ୍ଯାୟୀ ହେବ । ଅନ୍ଯାୟ ଆଚରଣ କରୁଥିବା ବା ନିରବରେ ଅନ୍ୟାୟକୁ ସମର୍ଥନ କରୁଥିବା ବ୍ଯକ୍ତି ପ୍ରତିବାଦକାରୀର ମୁହଁ ବନ୍ଦ କରିବାକୁ ଗୁଡ଼ାଏ ଚେଲା ଯୋଗାଡ଼ କରିବେ । ଯେମିତି ମିଛ ପ୍ରଶଂସା ସାଉଁଟିବାରେ ବାଧା ନ ଉପୁଜେ । ଯୋଉମାନେ ଏମିତି କରନ୍ତି ସେମାନଙ୍କୁ କ'ଣ କୁହାଯିବ ? ଭଣ୍ଡ ସାରଥି ତ ଗୋଟେ ଦୃଷ୍ଟିରୁ ଭଲ ଥିଲା ; ଏମାନେ ତ ପୂରା ଭାଣ୍ଡ । ଅନ୍ଯାୟର ପ୍ରତିବାଦ ନ କରି ପରୋକ୍ଷରେ ଅନ୍ଯାୟୀକୁ ସମର୍ଥନ କରି ଓକିଲାତି କରିବା ଲୋକ କି କବି ? କବି ଶବ୍ଦର ଅର୍ଥ ଜଣାଅଛି କି ଏମାନଙ୍କୁ ?
ଧନ୍ଯ..... !!! ଓଡ଼ିଆରେ ଗୋଟେ ପ୍ରବାଦ ଅଛି - "ଗାଲୁଆଙ୍କ ବାରବାଟୀ ଚ଼ାଷ" । ଆଜିକାଲି କିଛି ସେମିତି ଗାଲୁଆ ତ ନୁହେଁ ଢ଼ି' ଗାଲୁଆ ଅଛନ୍ତି । ଏମିତି କହନ୍ତି ଯେ , ବଚ଼ନ ମଧୁର - ଅନ୍ତରେ ଜହର । କଥାରେ ଅଛି :- ଉପର ଚ଼କଚ଼କ ଭିତର ଫମ୍ପା । ଏ ଭଳି ଲୋକ ସମାଜରେ ଶତକଡ଼ା ୮୫ ଭାଗ ଦୃଶ୍ଯମାନ । ସଂସ୍କୃତ ଶବ୍ଦକୁ ଓଡ଼ିଆ କହି ସଂସ୍କୃତି ସମ୍ପନ୍ନ । ଓଡ଼ିଆରେ ଗୋଟେ ଗୀତ ଥିଲା - "ଏଠି ଗାଈ ମାଳ ମାଳ - ଷଣ୍ଢ ଦୁର୍ବଳ ।" କିନ୍ତୁ ଆଜିକାଲି ଓଲଟା - ଗାଈ-ଷଣ୍ଢ ଉଭୟ ମାଳ ମାଳ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଷଣ୍ଢ ପରିଚୟ ଦେଉଥିବା ଲୋକ ମାଈ ଛାଗ । ଶମନପୁର ଗମନର ସମୟ ଯେତେ ପାଖେଇ ଆସେ , ରସିକିଆ ପଣର ସେତେ ଅଭିବୃଦ୍ଧି ଘଟେ । ଜଣେ ନୁହେଁ ପଣେ ; ଗୋଷ୍ଠୀ କରି ଏକକୁ ଆରେକ ବଳି । ଯାହାର କାହାକୁ କେମିତି କଥା କୁହାଯାଏ ସେ ଜ୍ଞାନ ନାହିଁ ; ସେ ପୁଣି ବହପ ପଣରେ ବଡ଼ିମା ବଖାଣେ ନିଜର । ଚ଼େଲା ଚ଼ାମୁଣ୍ଡାଙ୍କର ବି ଅଭାବ ନାହିଁ । ପାଦଚ଼ଟା ଭକ୍ତ ଯେପରି ଅନେକ ; ସେପରି ଭଣ୍ଡ ସାରଥି ବି ଅନେକ । ଧର ଧର କହୁଥିବା ଲୋକ ଚ଼ୋର କି ତସ୍କର ତାକୁ ପରଖିବାକୁ କିଏ ଅଛି ? ତା' ସ୍ବର ସହ ସ୍ବର ତୋଳି ନିଜକୁ ମହାନ ବୋଲି ସମାଜ ଆଗରେ ଦେଖେଇ ହେବାକୁ ବହୁ ସଂଖ୍ୟାରେ ଅଛନ୍ତି । ଚୁଟି ପାଚିଲେ ବି ପ୍ରୀତି ଉଚ୍ଛୁଳୁଛି । ଆନ୍ଦୋଳନ ଜୋର୍ ଚଞ୍ଚକତା ବି ଜୋର୍ । ପ୍ରତିବାଦ କିଏ କରିବ ? ନିଜ ସ୍ବାର୍ଥରେ ବାଧା ପଡ଼ିବନି କି ? ମିଛରେ ଉସ୍କେଇବା ଓ ଭିତରେ ଚ଼େର କାଟିବା ଲୋକଙ୍କର ଅଭାବ କେଉଁଠି ? ଏ ଘର ମାଉସୀ - ସେ ଘର ପିଉସୀ । କହିଲେ କହିବ କହିଲା , ଆମ ଇଜ୍ଜତ ସାଇଲା । ପୂର୍ଣ୍ଣ କଳସୀ ଦେଖି କାହାକୁ ଶୋଷ ନ ଲାଗିବ ଯେ ? ସୁନ୍ଦର ମଧୁ ଭରା ସୁମନ ଦେଖିଲେ ମଧୁପ କି ସମ୍ଭାଳି ପାରେ ? କିଏ ଛାଡ଼ିବ ଏତେ ମଧୁ ! ଆଉ କିଏ ହାତେଇବା ପୂର୍ବରୁ ମୁଁ କାହିଁ ଛାଡ଼ିବି ? ଶରୀର ସିନା ବୁଢ଼ା , ମନଟା ଗଜା ଟୋକା ନା..... ଧନ୍ଯ ଏ ସମାଜ - ଆଉ ଧନ୍ଯ ଏ ଅଧୁନା ଯୁଗର ମଣିଷ ।
ଆମ ଭାଷା ଆମ ମାଆ ; ତା' ଠାରୁ ଜନ୍ମ ସାହିତ୍ଯ । ତେବେ କୁହନ୍ତୁ ସାହିତ୍ଯ ଆମର କ'ଣ ହେବ ହିସାବରେ ? ଭାଇ କି ଭଉଣୀ ହେବ । ଯେଉଁମାନେ ସାହିତ୍ଯକୁ ନେଇ ବେପାର କରୁଛନ୍ତି , ସେମାନେ ଜାଣି ରଖିବା ଉଚିତ ଯେ ନିଜ ମାଆ - ଭଉଣୀ - ଭାଇଙ୍କୁ ପଣ୍ଯ ଦ୍ରବ୍ଯ ସଜେଇ ନିଲାମ ଡ଼ାକୁଛନ୍ତି । ଟଙ୍କା ଦେଲେ କବିତା ପ୍ରକାଶ ହେବ ପତ୍ରିକାରେ , ତେଣୁ ଟଙ୍କା ଦିଅ ଓ କବିତା ଦିଅ ; ଅର୍ଥାତ ନିଜ ସୃଜନୀ ବିକ୍ରି । ଜନ୍ମିତ ସନ୍ତାନକୁ ବିକ୍ରି କରିବାକୁ ବି ଏମାନେ ପଛାନ୍ତି ନାହିଁ । ନିଜ ସନ୍ତାନକୁ ବିକ୍ରି କରି ଦେଖ ; ଜାଣି ପାରିବ । ଧନ ଦେଇ ମାନ କିଣିବା ଅର୍ଥ ନିଜ ସମ୍ମାନ କେତେ ଜଣା ପଡ଼ୁଛି । ଯେତିକି ପଇସା ସେଠି ଛପା କାଗଜ ଓ ଚାଦର ପାଇଁ ଦେଉଛ , ସେ ଅର୍ଥରେ ନିଜ ସଙ୍କଳନ କଲେ କ୍ଷତି କ'ଣ ? ଦଲାଲ ସାଜି ବେପାର ମନୋବୃତ୍ତି ଆପଣେଇ ଜାଣି ସମ୍ମାନ ହରାଉଛ କାହିଁକି ? ଯୋଉମାନେ ଅର୍ଥ ନେଇ ଏସବୁ କରୁଛନ୍ତି ସେମାନେ ସେମାନେ ମତେ ମୋ' ପ୍ରଶ୍ନର ଉତ୍ତର ଦିଅନ୍ତୁ । ଯଦି ନିଜ ମାତୃଭୂମି - ମାତୃଭାଷାକୁ ବିକ୍ରି କରି ପାରୁଛନ୍ତି , ତେବେ କେତେ ଟଙ୍କା ନେଲେ ସେ ନିଜ ପରିବାରକୁ ଗ୍ରାହକ ମାନଙ୍କୁ ଦେଇ ପାରିବେ ? ଆରେ ଅଲାଜୁକ ସାହିତ୍ଯ ବେପାରୀ ! ନିଜର ସରମ ତ ରଖ । ଜାଣି ଇଜ୍ଜତ ନାଶ କାହିଁକି କରୁଛ ? "ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ" ଉକ୍ତିଟି ସାର କରୁଛ କାହିଁକି ?
ସାହିତ୍ଯ ଓ ସମାଜସେବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଜଣେ ସାହିତ୍ଯିକ ବି ଜଣେ ସମାଜସେବୀ । ସାହିତ୍ଯିକ ହେବାକୁ ହେଲେ ପ୍ରଥମେ ଶାଳୀନତା ଓ ସମାଜ ପ୍ରତି ଭଲପାଇବା ରହିବା ଉଚିତ୍ । ଭାଷା ଜ୍ଞାନରେ ସେତିକି ଦଖଲ ରହିବା ସହ ବିଭିନ୍ନ ଜ୍ଞାନ ଥିବା ଦରକାର । ସାହିତ୍ଯ ଦ୍ବାରା ବି ସମଜର ସେବା ସମ୍ଭବ । ସେଲାଗି କୁହାଯାଇଛି - "ବଲମ ଠାରୁ କଲମର ଶକ୍ତି ଅଧିକ ।" ସମାଜର କଳୁଷକୁ ଏଡ଼ାଇବା ଓ ଦୁଃସ୍ଥ ଅସହାୟ ବ୍ଯକ୍ତିଙ୍କର ସହାୟ ହେବା ଜଣେ ସମାଜସେବୀର ପ୍ରଧାନ କର୍ତ୍ତବ୍ୟ । ଜନହିତକର କାର୍ଯ୍ଯ କରିବା ତା'ର ଧର୍ମ । କିନ୍ତୁ ସର୍ବସାଧାରଣଙ୍କ ହିତ ପାଇଁ କରାଯାଇଥିବା ନିୟମ ଉଲ୍ଲଂଘନ କରିବା ଜଣେ ସମାଜସେବୀର କର୍ତ୍ତବ୍ୟ ନୁହେଁ । ଭଲ ଭାବରେ ବୁଝି , ପ୍ରଣୀତ ନିୟମ କେତେ ଜରୁରୀ ପୁଙ୍ଖାନୁପୁଙ୍ଖ ବିଚ଼ାର କରି କାର୍ଯ୍ଯ କରିବା ଉଚିତ୍ । କିନ୍ତୁ ନିଜକୁ ସମାଜସେବୀର ପରିଚ଼ୟ ଦେଇ ନିୟମ ଉଲ୍ଲଂଘନ କରିବା ଓ ସର୍ବସାଧାରଣରେ ଅଶ୍ଳୀଳତା ପ୍ରଦର୍ଶନ କରିବା ଭଣ୍ଡତାର ଲକ୍ଷଣ ନିଶ୍ଚୟ । ପ୍ରକୃତ ସତ୍ଯକୁ ସାମ୍ନାକୁ ଆଣିବା ଓ ପ୍ରମାଣ ରଖି ଯୁକ୍ତି ବାଢ଼ିବା ସମାଜସେବୀ ତଥା ସମାଲୋଚକର କାର୍ଯ୍ୟ । ବିନା ପ୍ରମାଣରେ ଯୁଦ୍ଧକ୍ଷେତ୍ରରେ ଅବତୀଣ୍ଣ ହେବା ମୂର୍ଖାମୀର ପରିଚ଼ୟ ତଥା ଭଣ୍ଡତାର ଉଦ୍ଗୀରଣ । ଯାହା ମନରେ ଅସୂୟା ଭାବ ଥାଏ ସେ କେବେ ସମାଜସେବୀ ହୋଇପାରିବ ନାହିଁ । ସମାଜର ସେବା କରିବାକୁ ହେଲେ ସହନଶୀଳତା , ଶାଳୀନତା , ନମ୍ରତା ନିହାତି ଆବଶ୍ୟକ । ସର୍ବସାଧାରଣଙ୍କ ହିତାର୍ଥେ ଜାରୀ । ଭୁଲ୍ କହିଥିଲେ କ୍ଷମାପ୍ରାର୍ଥୀ ।
ସାହିତ୍ୟର ବଡ଼ ଶତ୍ରୁ ସାହିତ୍ୟ ବେପାରୀ । ଅର୍ଥ ଦେଇ ମାନ କିଣୁଥିବା ଓ ନିଜ ସୃଜନୀ ବିକ୍ରି କରୁଥିବା ଲୋକ କେବେ ସାହିତ୍ୟିକ ପଦବାଚ୍ୟ ନୁହେଁ । ସମୟ ଆସିବ ଏଇ ଅର୍ଥ ପାଇଁ ବିଷ୍ଟା ଚ଼ାଟିବାକୁ ପଛେଇବେ ନାହିଁ । ଏମାନେ ସମାଜର କଳଙ୍କ କହିଲେ ଅତ୍ୟୁକ୍ତି ହେବନି । ଓଡ଼ିଆ ଭାଷା ସାହିତ୍ଯକୁ କଳୁଷିତ କରୁଥିବା ଲୋକ ଠାରୁ ଯଥାସମ୍ଭବ ଦୂରେଇ ରହିବା ଯଥୋଚିତ । ଏସବୁକୁ ପ୍ରତ୍ସାହନ ଦେଉଥିବା ଲୋକ ବି ସମାଜ ତଥା ସାହିତ୍ଯ ଜଗତ ପାଇଁ କଳଙ୍କ । ସବୁ ଦେଖି ନିରବ ରହିବା ଅର୍ଥ ବି ପ୍ରୋତ୍ସାହନ ଦେବା । ତେଣୁ ଇଏ ବି ଦୋଷୀ । ଭାଷା ସାହିତ୍ଯର ମର୍ଯ୍ୟାଦା ରକ୍ଷା କରିବାକୁ ସର୍ବସାଧାରଣରେ ବିନୀତ ଅନୁରୋଧ । କଳୁଷିତକାରୀକୁ କଡ଼ା ଜବାବ ଦେବାକୁ ସମସ୍ତ ଓଡ଼ିଆ ଭାଷାଭାଷୀ ତଥା ସାହିତ୍ଯିକ ମାନଙ୍କୁ ବିନମ୍ର ପ୍ରାର୍ଥନା । ଏକଥା ଯଦି କାହା ମନରେ କଷ୍ଟ ଦେଇଥାଏ ମୁଁ ଦୁଃଖିତ । ଏହା ଠିକ୍ ନା ଭୁଲ୍ ବୁଦ୍ଧିଜୀବୀ ମାନେ ବିଚ଼ାର କରିବେ ।
ସାବଧାନ ସାଧକ ସାବଧାନ
ସମାଜ ପାଇଁ ଦିଅ ବଳିଦାନ ।
ଜାଗ'ରେ ଏ ଓଡ଼ିଆ ଜାତି ଜାଗ
ଏବେ ଆସିଛି ବେଳ ନ୍ଯାୟ ମାଗ ।
ସାହିତ୍ୟକୁ ନେଇ ବେପାର କରୁଥିବା ନିର୍ଲଜ ମାନଙ୍କୁ କହୁଛି , ଯଦି ବୋପାର ସମ୍ପତ୍ତି ନାହିଁ ତେବେ ପତ୍ରିକା ଛାପିବା ବନ୍ଦ କର । ଚ଼ଢ଼ା ଦରରେ ଅର୍ଥ ଲୁଟି କି ଭାଷା ସାହିତ୍ଯ କରିବ ? ଅନୁଷ୍ଠାନର ପଦବୀ ମଣ୍ଡନ କରିଥିବା ଲୋକଙ୍କ ଭିତରେ ଅର୍ଥ ଆଦାୟ କରି ଆସର କରନ୍ତୁ ଓ ପତ୍ରିକା ଛାପନ୍ତୁ । ପର ପଇସାରେ ଆରାମ କରିବା ସେହି ବେହିଆ ସାହିତ୍ଯ ବେପାରୀ ମାନଙ୍କୁ ବେଶ୍ ଜଣା । ଆଉ କିଛି ଅଛନ୍ତି ପାଦ ଚ଼ାଟି ନାଁ କମେଇବା ପାଇଁ । ଧନ ଦେଇ ମାନ କିଣୁଥିବା ଅଲାଜୁକ , ବେହିଆ, ଥୋବଡ଼ା ମାନେ କି ସାହିତ୍ୟ ଜାଣନ୍ତି ଏ ସମାଜର ସୃଜନଶୀଳ ବ୍ଯକ୍ତି ବିଶେଷ ମାନେ କହିବେ । ମାତୃଭୂମି ମାତୃଭାଷାକୁ ମାଆ ଉଚ୍ଚାରଣ କରୁଛେ । ମାଆକୁ ନେଇ ବେପାର କରିବା ବ୍ଯକ୍ତି କି ଉପାଧି ପାଇବ ବୁଦ୍ଧିଜୀବୀମାନେ ଉତ୍ତର ଦେବେ । ସେମାନଙ୍କୁ ମୁର୍ଖ ପାଷାଣ୍ଡ କହିଲେ ବି ଅତ୍ଯୁକ୍ତି ହେବନି । ସେମାନେ ଜାଣନ୍ତିନି ମାଆ କ'ଣ । ସେଲାଗି ଦକ୍ଷ ବେପାରୀ ପାଲଟି ଯାଇଛନ୍ତି । ଇଜ୍ଜତର ମୂଲ୍ୟ ଇଜ୍ଜତଦାରକୁ ଜଣା , ଯାହାର ନିଜର ଇଜ୍ଜତ ନାହିଁ ସେ କ'ଣ ବୁଝିବ ମାତୃଭୂମି ଓ ମାତୃଭାଷାର ଇଜ୍ଜତକୁ ? ଲଙ୍ଗଳା ହୋଇ ଡ଼େଇଁବା ଯାହା , ସାହିତ୍ୟକୁ ନେଇ ବେପାର କରିବା ସେଇଆ । ଲୋକ ଦେଖାଣିଆକୁ ପ୍ଯାଣ୍ଟ୍ ପିନ୍ଧିଛନ୍ତି , ବାସ୍ତବରେ ଦେଖିବାକୁ ଗଲେ ସର୍ବାଙ୍ଗ ଦିଶୁଛି । ଏମାନଙ୍କୁ ମାତୃଭାଷାର ହାରାମି କହିବା ଯଥୋଚିତ ହେବ । ଭାଷା ସାହିତ୍ଯର ବେଇମାନ୍ ଏମାନେ ।
ବଡ଼ ବଡ଼ ଉପାଧି ବା ପୁରସ୍କାର ପାଇ ସମ୍ବର୍ଦ୍ଧିତ ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ କରିଦେଲେ ସେ ଯେ ବହୁତ ବଡ଼ କବି କି ଲେଖକଟେ ପାଲଟିଯିବ ; ଏ କଥା ଭୁଲ୍ । ଆଚରଣ , ଉଚ୍ଚାରଣ ସହିତ ଲେଖନୀ ଚ଼ାଳନାରେ ନିର୍ଭୁଲ ଶବ୍ଦର ବ୍ଯବହାର ହେବା ଦରକାର । ଅର୍ଥ ଦେଇ ସ୍ବାର୍ଥ ହାସଲ କରିବା ବ୍ଯକ୍ତି ଲୋକଲୋଚନରେ ଆପେ ଆପେ ଧରା ପଡ଼ିଯା'ନ୍ତି ତାଙ୍କ ଲେଖା ମାଧ୍ଯମରେ । ଜଣାପଡେ ସେ କେତେବଡ଼ ସ୍ରଷ୍ଟା ; ଯିଏ ସାଧାରଣ ଶବ୍ଦଟିକୁ ବି ନିର୍ଭୁଲ ଭାବରେ ଲେଖି ପାରେନି । ହଁ , କହିବାକୁ ଗଲେ ଲେଖିଲା ବେଳେ ଭୁଲ୍ ହୁଏ ; ତ୍ରୁଟି ଦର୍ଶାଇଲେ ମାନିଯିବା ସହିତ ସୁଧାରି ନେବା ଦରକାର । ତାହା ନକରି ତ୍ରୁଟି ଦର୍ଶାଇବା ଲୋକକୁ ଆକ୍ଷେପ କରିବା କେତେ ଯଥାର୍ଥ ବିଦ୍ବାନ ବ୍ଯକ୍ତି କହିବେ । କିଛି ବି ଅଛନ୍ତି ଏମିତି ଯାହାର ତ୍ରୁଟି ଦର୍ଶାଇଲେ ମାଆ - ଭଉଣୀ ଶୋଧନ୍ତି । ଆଲୋଚନା ଓ ସମାଲୋଚନା ନ ରହିଲେ ଲେଖା ମାର୍ଜିତ ନୁହେଁ । ପାଠକ ଶ୍ରେଷ୍ଠ ବିଚ଼ାରକ ; ଏ ଭାବନା ରଖୁଥିବା ଲୋକ ବିଜ୍ଞ ବୋଲି ବିବେଚିତ ହୁଏ । ପାଠକର ମତକୁ ନିଜେ ତର୍ଜମା କରି ତ୍ରୁଟି ସୁଧାରି ନେବା ଦରକାର । ସମାଲୋଚନାକୁ ଡ଼ର କାହିଁକି ? ଯଦି ସମାଲୋଚନାକୁ ଡ଼ର , ତେବେ ସର୍ବସମ୍ମୁଖରେ ଉପସ୍ଥାପନ କରୁଛ କାହିଁକି ? ଆତ୍ମଘୋଷିତ ଉପାଧି ବା ଧନ ଦେଇ ମାନ ସାଉଁଟି ଦେଖେଇ ହେଲେ ସେ ବିଜ୍ଞ ହୋଇଯାଏନି କି କବି-ଲେଖକ ହୋଇଯାଏନି ।
ନିର୍ଲଜ ବ୍ଯକ୍ତି ଶବ୍ଦ ନଜାଣି ବିତଣ୍ଡା ଯୁକ୍ତି କରନ୍ତି । କେତେବେଳେ ଅଭିଧାନକୁ ଭୁଲ୍ କହନ୍ତି ତ କେତେବେଳେ ଅଭିଧାନ ଦେଖିବାକୁ ପରାମର୍ଶ ଦିଅନ୍ତି । ଜଣେ ଦିନେ ଶଲ୍ଲକୀ ଶବ୍ଦର ଅର୍ଥ ବୁଝି ନପାରି ମୋ' ସହ ଯୁକ୍ତି କରି ମନ୍ତବ୍ୟ ପ୍ରଦାନ କରିଥିଲେ ମୁଁ ମୁର୍ଖ । ସବୁ ଅଭିଧାନର ପ୍ରମାଣ ଦେଖାଇବା ପରେ ବି ସବୁ ଅଭିଧାନ ଭୁଲ୍ କହି ପରେ ଦୋଷ ସ୍ବୀକାର କରିଥିଲେ । କିଛି କବି ବିଭିନ୍ନ ଅଭିଧାନର ଫଟୋ ପୋଷ୍ଟ କରିଥିଲେ ବି ସେ ମହାଶୟ ସବୁ ଅଭିଧାନକୁ ଭୁଲ୍ କହିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ , ଉତ୍କଳ ଅଭିଧାନ , ତରୁଣ ଶବ୍ଦକୋଷ - ଏସବୁ ଅଭିଧାନ ଭୁଲ୍ । ସେ ବ୍ଯବହାର କରୁଥିବା ସଂସ୍କୃତ ଅଭିଧାନ ଓଡ଼ିଆ ଭାଷା ପାଇଁ ଠିକ୍ । ଏଭଳି ବ୍ଯକ୍ତିକୁ କି ଉପାଧି ଦିଆଯିବ କୁହନ୍ତୁ । ପୁଣି କହିଥିଲେ ଅକବି ଶବ୍ଦ ନାହିଁ । ସେ କିଭଳି କବି ବୁଦ୍ଧିଜୀବୀ ବିଚାର କରିବେ ।
ଆଉ ଜଣେ ସାହିତ୍ୟିକ କହିଲେ ଏକପଦୀ ନାହିଁ । ବୋଧହୁଏ ସେ ଏକପଦୀ କବିତା ଉପରେ ଧାରଣା ହିଁ ପାଇନାହାନ୍ତି । ବିଶେଷତଃ ଏକପଦୀ କହିଲେ ନୀତିବାଣୀ । ଅହିତକାରୀଙ୍କୁ କଟାକ୍ଷ ବି ଏକପଦୀ ଭାବରେ ଲେଖଯାଏ । ସେ ୪-୭-୧୦ ଆଦି ଧାଡ଼ି ବି ହୋଇପାରେ । ପୁନରାୟ ଆମୋଦ ପ୍ରମୋଦ କ୍ଷେତ୍ରରେ ବି ଏକପଦୀ ଲେଖାଯାଏ । ବହୁ ଆଗରୁ ମଧୁସୁଦନ ରାଓ , ନନ୍ଦକିଶୋର ବଳ ଆଦି ପୂର୍ବସୂରୀ ମାନେ ବି ଏକପଦୀ ରଚ଼ନା କରି ଯାଇଛନ୍ତି । ମଧୁସୁଦନ ରାଓଙ୍କ ଦୁଇପଦୀ କବିତା ବି ଲେଖିଛନ୍ତି । ଯାହାର ନାମ ଥିରା - "ତ୍ରିରତ୍ନ" । ତିନୋଟି ରତ୍ନ - ବିଦ୍ଯା , ପରିଶ୍ରମ ଓ ସୁଶୀଳତା ବିଷୟରେ ଲେଖିଥିଲେ ।
"ବିଦ୍ଯା ଅଟଇ ମହାଧନ
ବାଳକେ କର ଉପାର୍ଜନ ।"
ପଢ଼ିଥିବେ ନିଶ୍ଚୟ । ମଧୁ ବର୍ଣ୍ଣବୋଧରେ ବି ଏକପଦୀ ମିଳେ ।
"ମାଙ୍କଡ ଖାଏ କାଙ୍କଡ଼ କଷି
ବାଙ୍କ ବାବୁଙ୍କ ବାଡ଼ିରେ ପଶି
ତାଙ୍କ କୁକୁର ଆସିଲା ଧାଇଁ
ହନୁ ମାଙ୍କଡ଼ ଗଲା ପଳାଇ ।"
"ନଈ ପାଣି ନଈକି ଯାଆ
ମୋ' ସିଲଟ ଶୁଖି ଯାଆ ।"
ଏମାନେ କ'ଣ ମୁର୍ଖ ଥିଲେ ଯେ ଏକପଦୀ ଲେଖିଥିଲେ ? ତେବେ ଏକପଦୀ ନାହିଁ କହିବା ଲୋକ ସାହିତ୍ଯ କ୍ଷେତ୍ରରେ ଅଜ୍ଞ ବୋଲି ବୁଝିବାକୁ ହେବ । ଆଶା କରେ ଉତ୍ତର ପାଇ ସାରିଥିବେ ।
ଏଠି ଅନେକ ଆତ୍ମଘୋଷିତ କବି , ଆତ୍ମଘୋଷିତ ଉପାଧି ପ୍ରାପ୍ତ । ସାହିତ୍ଯର ସ ଅକ୍ଷର ଜାଣି ନଥିବା ଲୋକ ସେଇ ମୁର୍ଖ ମାନଙ୍କୁ ପୂର୍ବସୂରୀ ମାନଙ୍କ ନାମରେ ଅନେକ ଉପାଧି ଦେଉଛନ୍ତି । କମ୍ବଳ ଗୋଟାକ ବାଳ.... କେତେ ବାଛିବ ବାଛ ।
ଅଲାଜୁକ ମୁହେଁ ଖଡ଼ାଗଛ
ସାହିତ୍ଯ ନାମରେ ଅନେକ ମିଛ ।
ଖାଲି ସେତିକି ନୁହେଁ.... ଲଜ୍ଜାକର ପରିସ୍ଥିତି ବି.... ପ୍ରତିଷ୍ଠିତ ହେବା ପାଇଁ ଇଜ୍ଜତ ବି ବିକ୍ରି..... ପରକୀୟା ପ୍ରୀତି ଅପରାଧ ନୁହେଁ - ଘୋଷଣା ପରେ ଖୁଲମ୍ଖୋଲା । ପୂରା ସାହାଣ ମେଲା.... ଯିଏ ବି ହେଉ , କରି ପାରିବ ଲୀଳା ଖେଳା । ସାହିତ୍ଯ ଆସରରେ ବି ଚଳଚିତ୍ର ପ୍ରଦର୍ଶନ (ପ୍ରାୟତଃ ଦୃଷ୍ଟି ଆଢୁଆଳରେ) । ପରୋକ୍ଷରେ କହିବାକୁ ଗଲେ..... ଇଜ୍ଜତ ଦିଅ..... ପ୍ରତିଷ୍ଠା ପାଅ । ଧନ୍ଯ କହିବ ହେ....
ଅନ୍ଯାୟ ପଥଚ଼ାରୀ ଯଦି ହୃଦୟରୁ ଭଲ ପାଉଥିବ ; ତେବେ ତାକୁ ବି ସମ୍ମାନ ଦେବା ? ତେବେ ତା' ଭିତରେ ଆଉ ତୁମ ଭିତରେ ଫରକ ରହିଲା କ'ଣ ? ଯଦି ଅନ୍ଯାୟର ପ୍ରତିବାଦ ନ କରି ଭଲପାଇବାର ଦ୍ବାହି ଦେଇ ଅନ୍ଯାୟକୁ ପରୋକ୍ଷରେ ସମର୍ଥନ କରାଯାଏ , ତେବେ ସମାଜରେ ସତ୍ଯ-ଶାନ୍ତି-ନ୍ଯାୟ-ଧର୍ମ ପ୍ରତିଷ୍ଠା ଅସମ୍ଭବ । ତେବେ କାହିଁକି ଏସବୁର ପ୍ରତିଷ୍ଠା ଓ ଅଧର୍ମ ଆଉ ଅନୀତିର ବିରୁଦ୍ଧାଚରଣ ମୂଳକ ଲେଖା ଲେଖି ଉପହାସର ପାତ୍ର ହେବା ? ବରଂ ଭଲ ହେବ ଯେ , ଜନ ସମାଜରେ ଅସତ୍ୟ - ଅନ୍ଯାୟ ପ୍ରତିଷ୍ଠା ତଥା କଳଙ୍କମୟ ସମାଜ ଗଠନ ପାଇଁ ସମସ୍ତଙ୍କୁ ପରାମର୍ଶ ଦେବା ଆଉ ମିଛରେ ହେଉ ପଛେ ପ୍ରଶଂସା ଗୋଟେଇବା । କଥାରେ ଅଛି - ମନ୍ଦିର ତୋଳିଲେ ନାଁ - ବାଟରେ ହଗିଲେ ନାଁ । ମନ୍ଦିର ତ ତୋଳି ପାରିବାନି , ମନ୍ଦିରକୁ ଭାଙ୍ଗି ଧୂଳିସାତ କରିବା ଆଉ ବାଟରେ ହଗି ନାଁ କମେଇବା । ଇତିହାସର ରୌପ୍ୟ ଫର୍ଦ୍ଦରେ ଆମେ ଚ଼ିରସ୍ମରଣୀୟ ହୋଇ ରହିଯିବା ; ଉତ୍ତର ପିଢ଼ି ଆମକୁ ଅନୁକରଣ କରି ଆମ ପରି କରିବେ ଆଉ ଚିରସ୍ମରଣୀୟ ହୋଇ ରହିବେ । ଆସ ମିଳିମିଶି ବାଟରେ ହଗାହଗି ହେବା । କିଏ ମନା କରୁଛି କି ?
ସୈନିକଙ୍କୁ ସମ୍ମାନ ଦିଅ ; ସନ୍ତ୍ରାସବାଦୀକୁ ନୁହେଁ । ମଣିଷ ଗଛଟି ଭାରି ବିଷାକ୍ତ ; କିନ୍ତୁ ସେଇ ବିଷ ବୃକ୍ଷ ବି କାଁ ଭାଁ ଅମୃତମୟ ଫଳ ପ୍ରଦାନ କରେ । ସବୁ ଗଛ ଫଳ ଅମୃତ କି ସବୁ ଗଛ ଫଳ ବିଷ ନୁହେଁ । ଚିହ୍ନିବାରେ କଷ୍ଟ ହେଲେ ବି ସମୟ ଚିହ୍ନେଇ ଦିଏ । ମଣିଷ ଏମିତି ଏକ ପ୍ରାଣୀ ଯିଏ ଏକା ତୁଣ୍ଡରେ ଉଆ-ଉଷୁନା କହେ ; ଦୋ'ମୁହାଁ ନୀତି ଆଦରେ । ତେଣୁ ବିଜ୍ଞ ଜନ ବି ହଡ଼ବଡ଼େଇ ଯାଏ ଚିହ୍ନିବାରେ । ସମୟ କିନ୍ତୁ ତା'ର ଉତ୍ପାତ ବୃଦ୍ଧି ଦେଖି ସବୁକିଛି ପରିପ୍ରକାଶ କରିଦିଏ ।
କେତେଜଣ ଉପଯୁକ୍ତ ସ୍ରଷ୍ଟା ବ୍ଯାସ ବାଲମିକ ପାଇଛନ୍ତି ଅଦ୍ଯ ସାହିତ୍ଯ ସମାଜରେ ? ନିଜ ମାନପତ୍ର ନିଜେ ଗାରେଇ ନିଜେ କର୍ମକର୍ତ୍ତା ହୋଇ ଛପା କାଗଜ ଖଣ୍ଡେ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ କରି ନିଜକୁ ସାହିତ୍ଯିକ ବୋଲାଇ ହେଉଛନ୍ତି । ଲେଖାରେ ଲକ୍ଷେ ତ୍ରୁଟି । ପାଠକ ଯଦି ବାଃ ବାଃ କହି ପ୍ରଶଂସା କଲା ତ ଭଲ ; ନାଇଁ ଯଦି ତ୍ରୁଟିଟି କହିଦେଲା ତ କଥା ସରିଲା । ମାନପତ୍ର କିଣି ସ୍ରଷ୍ଟା ସାଜିଥିବା ଲୋକ ମହାଭାରତ ସୃଷ୍ଟି କରିଦିଏ । ନିମନ୍ତ୍ରଣ ପତ୍ରରେ ଆମୂଳଚୂଳ ତ୍ରୁଟି । ଯଦି ନିମନ୍ତ୍ରଣ ପତ୍ରରେ ଏତେ ତ୍ରୁଟି , ତେବେ ସାହିତ୍ୟନୁଷ୍ଠାନ କରି ସ୍ରଷ୍ଟାଙ୍କର ସୃଷ୍ଟିକୁ ସମୀକ୍ଷା ବି ତ୍ରୁଟିପୂର୍ଣ୍ଣ କରିବେନି ବୋଲି କିଏ କହିବ ? ଅନ୍ଯାୟୀର ପାଦ ଚୁଚୁମି ଓ ମାନପତ୍ର କିଣି ଏଠି ସାହିତ୍ଯିକ ବୋଲାଉ ଥିବା ବ୍ଯକ୍ତି ନିଜକୁ ପ୍ରତିଷ୍ଠିତ କରିବାକୁ ସାମାଜିକ ଗଣମାଧ୍ୟମରେ କିଣା ମାନପତ୍ର ପ୍ରଦର୍ଶନ କରି ଏକପ୍ରକାର ନାଟକ ତ କରୁଛି , ପୁଣି ଭାଷା ସାହିତ୍ଯକୁ ଅପମାନ କରୁନାହିଁ କି ? ପାଠକ ଶ୍ରେଷ୍ଠ ବିଚ଼ାରକ ; ମୁଁ ମୁର୍ଖ ; ଯଦି କିଛି ଭୁଲ୍ କହିଛି କହିବେ l
ନିଜ ସାହିତ୍ଯ ସାଧନାର ପରାକାଷ୍ଠା ପ୍ରଦର୍ଶନ କର । ସଚ୍ଚା ସାଧକର ପରିଚୟ ସୃଷ୍ଟି କର ଓ ନିଜର ମହନୀୟତା ପ୍ରକଟ କର । ତେବେ କହିବ ଗର୍ବର ସହିତ - "ମୁଁ ଓଡ଼ିଆ - ମୋ' ଭାଷା ବଢ଼ିଆ ।" ଏପରି କଦର୍ଯ୍ଯ କାର୍ଯ୍ଯ ଦେଖି ଆଖି ବୁଜି ଦେଲେ ନିଜେ ବି ଅସାଧୁ ଗୋଷ୍ଠୀ ଓ ସାହିତ୍ୟର ଦଲାଲ ଭାବରେ ଗଣତି ହେବ । କାରଣ ଚୋରୀ କର ବା ନ କର , ଚୋର ସହ ଥିବା ଲୋକ ବି ଚୋରରେ ଗଣତି । ଅନ୍ଯାୟ କର ବା ନ କର , ଅନ୍ଯାୟ ଦେଖି ନିରବ ରହିବା ଲୋକ ପରୋକ୍ଷରେ ସମର୍ଥକ ବୋଲି ବୁଝା ପଡ଼ିବ ଏବଂ ପ୍ରଥମ ଅନ୍ଯାୟୀ ବୋଲି ବିବେଚିତ ହେବ । ଲେଖା ମୋର - ବିଚାର ଆପଣଙ୍କର ।
ଆଶା କରେ ମୂର୍ଖ ଶିବ ପ୍ରସାଦର ଏ ବାର୍ତ୍ତାକୁ ବିଜ୍ଞଗଣ ପୁଙ୍ଖାନୁପୁଙ୍ଖ ବିଚ଼ାର କରି ସିଦ୍ଧାନ୍ତ ସ୍ଥିର କରିବେ । ଯଦି ଏ ମୂର୍ଖ ଭୁଲ୍ କହିଥାଏ , ତେବେ ଆପଣମାନେ ଯେଉଁ ଦଣ୍ଡ ଦେବେ ମୁଁ ମଥା ପାତି ହସି ହସି ସ୍ବୀକାର କରି ନେବି ।
ଆପଣ ମାନଙ୍କ ଶେଷ ସିଦ୍ଧାନ୍ତ ଅପେକ୍ଷାରେ ମୁଁ.....
ଗବଗାଣ୍ଡୁ - ମହାମୂର୍ଖ
ଶିବ ପ୍ରସାଦ ବାହିନୀପତି
- Get link
- X
- Other Apps
Comments
Post a Comment