ହିତବାଣୀ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 


ଅପକରମେ       ରହିଲେ ଲିପ୍ତ
       ବଢ଼ଇ ବହୁତ ପାପ
ଶାସ୍ତି ମିଳଇ       ଏ ପାପ ପାଇଁଁ 
     ଅଶାନ୍ତି ଜୀବନ ଯାକ ।୧
ସତ୍‌ କର୍ମରେ       ଲିପ୍ତ ରହିଲେ
       ମିଳଇ ଆତ୍ମସନ୍ତୋଷ 
ସଂସାରେ ଲୋକେ     କରିବେ କେତେ
        ଭୁରି ଭୁରି ପ୍ରଶଂସିତ ।୨
ଆନ ଜନକୁ       ହେଲେ ସହାୟ
        ବଢ଼ିଯିବ ଆତ୍ମୀୟତା 
ବିପଦ କାଳେ       ଛିଡ଼ା ହୋଇଲେ
      ରହିବ ବନ୍ଧୁ ମର୍ଯାଦା ।୩
ନିଜ ପ୍ରଶଂସା       ଶ୍ରବଣ କଲେ
        ବୃଦ୍ଧି ପାଏ ଅହମିକା 
ଈଶ୍ବର ନିନ୍ଦା       କରିଲେ ଥରେ
    ବଢ଼ିବ ନିଶ୍ଚେ ମୂର୍ଖତା ।୪
ଅନ୍ଯ ଅନିଷ୍ଟ       ଯଦି କରିବ
      ବିପଦ ଆସିବ ମାଡ଼ି
ବଢ଼ିଲେ କ୍ରୋଧ       ବେଶି ବିପଦ
     ଶାନ୍ତି ପଳାଇବ ଛାଡ଼ି ।୫
ବିନା କାରଣେ       ଜୀବ ମାରଣେ
         ପାପ ହୁଏ ଆହରଣ
ଧର୍ମ କାର୍ଯ୍ଯରେ       ଲିପ୍ତ ରହିଲେ 
     ଅରଜିବ ମହାପୁଣ୍ୟ ।୬
ଭକ୍ତ ମାନଙ୍କୁ       କଦାପି ହେଲେ
        କରିବନି ଅତ୍ଯାଚାର
ଭକ୍ତ ଦୁର୍ଦ୍ଦଶା       ଦେଖିଲେ ପ୍ରଭୁ
   କ୍ରୋଧେ କରିବେ ପ୍ରହାର ।୭
ଅନ୍ଯାୟ ଯଦି       ପାଇବ ବୃଦ୍ଧି
        ବିନାଶ ତ ସୁନିଶ୍ଚିତ 
ପାପ ବଢ଼ିଲେ        ନର୍କପତିର
   ବଢ଼ିବ ନିଶ୍ଚୟେ କ୍ରୋଧ ।୮
'ମୁଁ' ବୋଲି ଏଇ       ଶବଦଟିକୁ
       କରନାହିଁ ଉଚ୍ଚାରଣ 
"ମୁଁ କରିଅଛି"        ଏହି ଶବ୍ଦଟି 
     ଗର୍ବକୁ କରେ ବରଣ ।୯
ପର ଜନଙ୍କୁ        କଲେ ଆପଣା
      ଈଶ୍ୱର ହେବେ ନିଜର
ଆନ ମୁଖରେ       ଆହାର ଦେଲେ
     ଦରିଦ୍ରରୁ ହେବୁ ପାର ।୧୦
ଜନତା ଯଦି        ଦେବେ ଆଶିଷ 
       ପରଜନ୍ମ ହେବ ସାର
ଅଭିସମ୍ପାତ        ଯଦି ମିଳିବ
  ଦେଖିବ ନରକ ଦ୍ବାର ।୧୧
ହିତବାଣୀ ଏ       ରଖିବ ମନେ
     ପାଳିଲେ ନଥିବ ଦୁଃଖ
ଚେତନା ଧର୍ମୀ        କବିତା ଏକ
    ଲେଖିଲା ଶିବ ପ୍ରସାଦ ।୧୨

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ସୁଦେଷ୍ଣା (ସାହିତ୍ଯ ,କଳା , ସଂସ୍କୃତି ଧର୍ମୀ) ପତ୍ରିକା
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
     ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା