ଜାଣେ ମୁଁ ଅନାଥ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି


ଧିକ୍‌ !
ଶତଧିକ୍‌ ମୋର ଜାତ ଲଗ୍ନକୁ ,
କେଉଁ ଅଶୁଭ ବେଳାରେ ଜନ୍ମ କେଜାଣି
ଜୀବନଟା ସାରା ଦହଗଞ୍ଜ
ଜାତରୁ ଏଯାବତ ଯନ୍ତ୍ରଣା ।
ମୁହୂର୍ତ୍ତକ ପାଇଁ ମିଳିଲାନି ମତେ
ଚେନାଏ ହସ କି ଟୋପାଏ ଖୁସି ,
ଲୁଚିଛପି କାନ୍ଦିବା ଏଯାଏଁ ସରିଲାନି
ଗୋଟାଏ ପରେ ଗୋଟାଏ ବିଧା
ଭାଙ୍ଗି ପକାଏ ଶଲ୍ଯ ସମୂହ ।
ଶୂନ୍ଯରୁ ଅଜଣା କରମୁଷ୍ଟି ମାଡ଼
ଢୁଙ୍ଗା ଢୁଙ୍ଗା କରକା ବର୍ଷାରେ ଅସ୍ତବ୍ୟସ୍ତ 
ଜୀବନର ଚଲାପଥ ଟାଙ୍ଗରା ଭୂଇଁ 
ନା ଗଛ ନା ଛାଇ ନା ବାସ
କେବଳ ହା' ହତାଶ ।
ହସିବାର ଅଭିନୟ ଆଉ
ମିଛ ଖୁସିର ପ୍ରହେଳିକା 
ଏ ବି ଏକପ୍ରକାର କଳା ଭାବି
ଏ ପର୍ଯ୍ଯନ୍ତ ଗଡ଼ିଗଲା ଜୀବନ ରଥ
ଆଗକୁ ବନ୍ଧୁର ଶିଳାର ଆସ୍ତରଣ ।
ତଥାପି ଯିବାକୁ ହେବ ,
ଚାଲିବାକୁ ଚେଷ୍ଟା କଲି କିନ୍ତୁ 
ସମୟ ସୂଚେଇ ଦେଲା ମତେ 
ମହାବିପତ୍ତି ତୋ' ସାମ୍ନାରେ.....
ହେଇଟି ଆସିଲା କହୁ କହୁ 
ବିପତ୍ତି ଆସି ମୋ' ପାଖରେ ହାଜର ,
କିଛି ନାହିଁ , 
କେବଳ ମୋହରଟେ ମାରିଦେଇ ଗଲା
ଅନାଥ ବୋଲି ଜଣେଇ ଦେଲା ସମାଜରେ । 
ସବୁ ଆପଣା ପାଲଟି ଗଲେ ସାତପର
ସ୍ନେହ କାଙ୍ଗାଳକୁ
 ମିଳିଲାନି ଟୋପେ ସ୍ନେହ ।
ବୋଧହୁଏ ,
ପୂର୍ବଜନ୍ମର କୃତକର୍ମର ଫଳ 
କିମ୍ବା କାହା ଅଭିଶାପ
ଜାଣିନି ଆଗକୁ କ'ଣ ହେବ 
ଏତିକି ଜାଣେ ମୁଁ ଅନାଥ ।

ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
         ଫୋ- ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା