କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି
ଏ କାହାଣୀଟି କାଳ୍ପନିକ ହେଲେ ବି ଜନ ସମାଜକୁ ଉତ୍ତମ ଶିକ୍ଷା ପ୍ରଦାନ କରିବ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ । ଏ କାହାଣୀ କାହା ମାନସ ପଟଳେ କ୍ଷୁବ୍ଧତା ଆନୟନ ନ କରୁ ବୋଲି ମୋର ମତ । ସମାଜର ସେବା କାହାକୁ କହନ୍ତି, ଉଚିତ୍ ଶାସକ କିପରି ହେବା ଉଚିତ୍, ମଣିଷର ମାନବିକତା ଏସବୁ ଏଥିରେ ସ୍ଥାନିତ । ତେଣୁ ଏହି କାହାଣୀ ପଠନ ପରେ କେହି ଉତ୍କ୍ଷିପ୍ତ ନ ହେବାକୁ ବିଶେଷ ଅନୁରୋଧ । ଏହି କାହାଣୀଟି ଆମୂଳଚୂଳ ପାଠ କରି ଯଦି କେହି କିଛି ଶିକ୍ଷାଲାଭ କରି ପାରିଲେ ତେବେ ମୋ' କାହାଣୀଟି ଅତ୍ଯୁତ୍ତମ ହେବା ସହିତ ମୋ' ଲେଖାରେ ସାର୍ଥକତା ଆସିବ ବୋଲି ବୋଲି ମୁଁ ମନେ କରୁଛି । ଯଦି ଏ କାହାଣୀ କାହା ମନକୁ ଆଘାତ ପ୍ରଦାନ କରିଥାଏ, ତେବେ ମୋତେ କ୍ଷମା ଦେବାକୁ ଅନୁରୋଧ । କାହାକୁ ଆଘାତ ଦେବା ମୋର ଲକ୍ଷ୍ଯ ନୁହେଁ, ମୋର ଲକ୍ଷ୍ଯ ସମାଜକୁ କିଛି ଉଚିତ୍ ଶିକ୍ଷା ଓ ପରାମର୍ଶ ଦେବା । ଏବେ ଚ଼ାଲନ୍ତୁ କାହାଣୀ ଉପରକୁ ଯିବା ।
ଚ଼େମଣ୍ଟ ବୋଲି ଛୋଟିଆ ପଲ୍ଲୀଟିଏ, ଘର କହିଲେ ମାତ୍ର ଷାଠିଏ କି ସତୁରି ଘର ହେବ । ସମସ୍ତେ ପ୍ରାୟ ଚ଼ାଷୀ, ଜଣେ କି ଦୁଇଜଣ ସରକାରୀ ଚ଼ାକିରିଆ ଥିବେ । ଧାନ, ବିରି, ମୁଗ, ଗହମ ଆଦି ଚ଼ାଷ କରି ଜୀବିକା ନିର୍ବାହ କରିଥା'ନ୍ତି ଗ୍ରାମବାସୀ । ଛାତଘର କହିଲେ ଯେଉଁ ସରକାରୀ ଚ଼ାକିରିଆ ଜଣେ ଦୁଇଜଣ, କେବଳ ତାଙ୍କରି ଛାତଘର । ଆଉ ଦଶ - ବାରଟି ଟିଣ ଛପର ଘର ; ଆଉ ଯେତେସବୁ ଚ଼ାଳଘର । ଆର୍ଥିକ ପରିସ୍ଥିତି ଏତେଟା ସ୍ବଚ୍ଛଳ ନୁହେଁ । ଚ଼ାଷ କାର୍ଯ୍ଯରୁ ଯାହା ଉପାର୍ଜନ, ସେଇଥିରେ ଗୁଜୁରାଣ ମେଣ୍ଟାଇବା କଷ୍ଟ ହେଲେ ବି ଯାହା ଯେମିତି ଚ଼ଳିଯାଏ । ଏ ଗାଁକୁ ଭଲ ରାସ୍ତାଟିଏ ନାହିଁ କି ସରକାରୀ ସହାୟତା ମଧ୍ୟ ଏତେଟା ନାହିଁ । ଗୋଟିଏ ପୋଖରୀ ଅଛି ; କିନ୍ତୁ ସେ ପୋଖରୀ ବି ଏତେ ସ୍ବଚ୍ଛ ନୁହେଁ । ଗୋଟିଏ ନଳକୂପ ଉପରେ ସମସ୍ତ ପରିବାର ଗାଁ ଗୋଟାକ ନିର୍ଭରଶୀଳ । ସେ ପାଣି ବି ସମ୍ପୂର୍ଣ୍ଣ ଖାରୀ । ବିଜୁଳିବତୀର ସୁବିଧା ଖୁବ୍ ସ୍ବଳ୍ପଦିନ ପୂର୍ବରୁ ହୋଇଛି ଏବଂ ଗାଁ ଠାରୁ ବହୁ ଦୂରରେ ଡ଼ାକ୍ତରଖାନା । ଏକପ୍ରକାର ଦୟନୀୟ ଅବସ୍ଥା ଭିତରେ କାଳାତିପାତ କରୁଛନ୍ତି ଚ଼େମଣ୍ଟ ଗ୍ରାମବାସୀ । ସେହି ଗାଁର ଜନୈକ ବାସିନ୍ଦା ବୁଲା ସାହୁ ; ଜାତିରେ ଖଣ୍ଡାୟତ । ଚ଼ାଷବାସ ଉପରେ ନିର୍ଭରଶୀଳ । ଚାରି ବଖରା ଚ଼ାଳଘର ସାଙ୍ଗକୁ ଗୋଟିଏ ବଖରା ଟିଣ ଛପର ଘର । ପରିବାର କହିଲେ ସ୍ବୟଂ ବୁଲା ସାହୁ ଓ ତାଙ୍କ ସ୍ତ୍ରୀ ଚ଼ମ୍ପା, ପୁଅ ବୀରସେନ ଏବଂ ଝିଅ ସମ୍ପୂର୍ଣ୍ଣା । ବୁଲା ସାହୁ ଦେଖିବାକୁ ପତଳା ଓ ଦେହର ରଙ୍ଗ କଳା ; ସ୍ତ୍ରୀ ଚ଼ମ୍ପା କିନ୍ତୁ ବେସ୍ ହୃଷ୍ଟପୁଷ୍ଟ ଏବଂ ମଲ୍ଲୀଫୁଲ ପରି ଧଳା । ବୁଲା ସାହୁଙ୍କ ବୟସ ପାଖାପାଖି ଷାଠିଏ ହେବ ଏବଂ ତାଙ୍କ ସ୍ତ୍ରୀ ଚ଼ମ୍ପାଙ୍କ ବୟସ ପଚ଼ାଶ କି ପଞ୍ଚାବନ ହେବ । ପୁଅ ବୀରସେନ ବୟସ ଛବିଶି ବର୍ଷ, ଗ୍ରାଜୁଏସନ କମ୍ପ୍ଲିଟ୍ କରି ଘରେ ବାପାଙ୍କୁ ଚ଼ାଷବାସରେ ସହାୟତା କରୁଛି । ଝିଅ ସମ୍ପୂର୍ଣ୍ଣାର ବୟସ ଉଣିଶି ବର୍ଷ , ଅର୍ଥାଭାବରୁ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷ ପରେ ପାଠପଢାରେ ପଡ଼ି ଯାଇଛି ପୂର୍ଣ୍ଣଚ୍ଛେଦ । ଏବେ ମାଆଙ୍କୁ ଘର କାମରେ ସାହାଯ୍ୟ କରୁଛି । ପାଞ୍ଚ ମାଣ ଜମି ନିଜସ୍ବ ଏବଂ ଭାଗଚାଷ ବି ଅନ୍ଯ ଜମିରେ କରନ୍ତି ।
ଦିନକର ଘଟଣା ; ପାଞ୍ଚ ମାଣ ଜମିରେ ଧାନ ଚ଼ାଷ କରିବା ସହ ଦୁଇ-ଚାରିଟା ଜମି ବି ଧରିଛି ଅନ୍ଯର ବୁଲା ସାହୁ । ଧାନ ବୁଣା ସରିଛି, ଗଛ ବି ଥୋଡୁଅ ଦେଲାଣି । ବର୍ଷା ନ ହେବାରୁ ଲୋକେ ଉଠାଜଳ ସେଚ଼ନ ବ୍ଯବସ୍ଥାରେ ପାଣି ମଡ଼ାଉଛନ୍ତି । ସେ ବର୍ଷ ବର୍ଷା ଅଭାବରୁ ଧାନ ଫସଲ ଏତେଟା ଉନ୍ନତ ହୋଇନି । ଧାନକ୍ଷେତକୁ ଦେଖି ବୁଲା ସାହୁ ଟିକେ ମନ ମାରି ଦେଇଥାଏ । ପୁଅ ବୀରସେନ ମନ ବି ଧାନକ୍ଷେତକୁ ଦେଖି ଟିକେ ଉଣା ହୋଇ ଯାଇଥାଏ । ସ୍ତ୍ରୀ ଚ଼ମ୍ପା କିନ୍ତୁ ସାହସ ଦେଇ କହୁଥାଏ -" ମନ ଉଣା କଲେ କ'ଣ ହେବ ? ସବୁବେଳେ ସମାନ ନଥାଏ ; ଭାଗ୍ଯ ଯୁଆଡ଼େ ନେବ ସିଆଡ଼େ ଯିବାକୁ ହେବ । ଏସନ ହେଲା ନାହିଁ ; ଆରସନକୁ ତ ହେବ । ମନ ଉଣା କରନି । ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦିଅ ।" ସ୍ତ୍ରୀ କଥା ଶୁଣି ବୁଲା ସାହୁ ଟିକ ଆଶ୍ବସ୍ତି ଲଭନ୍ତି ସତ, ହେଲେ ଧାନକ୍ଷେତକୁ ଦେଖିଲେ ମନ ମରିଯାଏ । ପୁଅ ବୀରସେନ ବି ବିରସ ମନ ନେଇ ରହିଥାଏ । ଚାହୁଁ ଚାହୁଁ ଦିନ ଚାଲିଗଲା, ଧାନ କେଣ୍ଡା ମାରି ପାଚି ଅମଳେପଯୋଗୀ ହୋଇ ସାରିଲାଣି । ବାପ, ପୁଅ ଓ କିଛି ମଜୁରିଆଙ୍କୁ ନେଇ ଧାନକଟା ଆରମ୍ଭ କରିଦେଲେଣି ବୁଲା ସାହୁ ପରିବାର । ଧାନକଟା ହୋଇ ଖଳାକୁ ଆସିଲା ଏବଂ ନିଜର ତିନୋଟି ବଳଦ କାଳିଆ, ବଳିଆ ଓ କସରାକୁ ନେଇ ବେଙ୍ଗଳା ପକାଗଲା । ସ୍ତ୍ରୀ ଚ଼ମ୍ପା ଏବଂ ଝିଅ ସମ୍ପୂର୍ଣ୍ଣା ବି ସମ୍ପୂର୍ଣ୍ଣ ସହାୟତା କଲେ ଏ କାର୍ଯ୍ଯରେ । ଧାନ ଉଡ଼ା ସାରି ଅମଳ କରି ବସ୍ତାରେ ବାନ୍ଧି ରଖି ଦିଆଗଲା । ପର ଜମିର ଭାଗ ମଧ୍ୟ ଦେଇ ଆସିଲେ । ଧାନ ବିକ୍ରି କରିବାକୁ ପ୍ରସ୍ତୁତ ଏବେ । ପନିପରିବା ଦାମ୍ କହିଲେ ନ ସରେ ; କିନ୍ତୁ ଧାନର ଦାମ୍ ଖୁବ୍ କମ୍ । ଏବର୍ଷ ଧାନଚାଷ ବର୍ଷା ଅଭାବରୁ ଭଲ ହୋଇ ପାରିଲାନି ; ତଥାପି ଧାନ ଦାମ୍ରେ ବୃଦ୍ଧି ହେଲାନି । କିଛି ମାସ ଯାଏଁ ଚ଼େମଣ୍ଟ ଗାଁର ଚାଷୀମାନେ ଧାନ ବିକ୍ରି ନ କରି ସଞ୍ଚିତ ରଖିଲେ । କାଳେ ଦରବୃଦ୍ଧି ହେବ ଭାବି କିଛି ମାସ ରଖିବା ପରେ ନିରାଶ ହୋଇ ସେହି ସ୍ବଳ୍ପ ମୂଲ୍ୟରେ ଧାନ ବିକ୍ରି କଲେ । ଯତ୍ଚିଞ୍ଚିତ ଲାଭ ହେଲା । ଯଦି ଦର ଥାଆନ୍ତା ତ ତେବେ ଆଉ କିଛି ଲାଭାଂଶ ଆସି ଥାଆନ୍ତା । କିଛି ଘର ଚଳଣି ପାଇଁ ରଖି ଆଉ ବାକିତକ ଧାନ ବିକ୍ରି କଲେ ବୁଲା ସାହୁ ।
ସେ ବର୍ଷ କଷ୍ଟେମଷ୍ଟେ ଚଳିଲେ । ଦିନକର ଘଟଣା ; ଝିଅ ପାଇଁ ଏକ ବିଭାଘର ପ୍ରସ୍ତାବ ଆସି ପହଞ୍ଚିଲା । ପାଖ ଗାଁ ଶିରିପୁରର ଜଣେ ଲୋକ ଆସି ବିଭାଘର ପ୍ରସ୍ତାବଟିଏ ଦେଲା । ସାତପଡ଼ାର ପୁଅ, ବହୁତ ବଡ଼ ଘର । ପୁଅଟି ଶିକ୍ଷକତା କରୁଛି । ଦୁଇ ମହଲା ଛାତଘର । ବାପ ନାହିଁ, ବିଧବା ମାଆଟି ସହ ରହୁଛି l ଭଉଣୀଟିଏ ଥିଲା ; ନିକଟରେ ତା'ର ବିବାହ ସରିଛି । ପ୍ରସ୍ତାବଟି ଶୁଣିବା ପରେ ବୁଲା ସାହୁ ପ୍ରଶ୍ନ କଲେ - "ଜମି କେତେ ଅଛି ?" ଭଦ୍ରଲୋକଟି ଉତ୍ତର ଦେଲେ ଯେ - "ଦୁଇବାଟି ଜମି, କରିବାକୁ କେହି ନାହିଁ । ସବୁ ଭାଗ ଦେଇଛନ୍ତି, ଅନ୍ଯ ଲୋକ କରି ୟା'ଙ୍କୁ ଯାହା ଭାଗ ଦେଉଛନ୍ତି ।" ବୁଲା ସାହୁ ଟିକେ ନିରବ ରହିବା ପରେ କହିଲେ -" ଏତେବଡ଼ ଘର ! ଏତେ ଜମି ! ହେଲେ ମୁଁ ସେଠି ବନ୍ଧୁ ବାନ୍ଧିବା ଠିକ୍ ହେବନି । ବାମନ ହୋଇ ଚନ୍ଦ୍ରଙ୍କୁ ହାତ ବଢ଼ାଇବା ମୁର୍ଖାମୀର ପରିଚୟ ହିଁ ହେବ । ମୋ' ଭଳି ସାଧାରଣ ଚାଷୀଟେ ପୁଣି ସାହେବ ଘରେ ବନ୍ଧୁ ବାନ୍ଧିବ ? ନା, ମୋ ପାଇଁ ଠିକ୍ ହେବନି । ମୁଁ ତାଙ୍କ ସମାସ୍କନ୍ଧ ନୁହେଁ, ସେ କାହିଁକି ମୋ' ଘରେ ବନ୍ଧୁ ବାନ୍ଧିବାକୁ ଯିବେ ? ସେ ଘରକୁ ମୁଁ ଏତେ ଦେଇ ପାରିବିନି । "
ଭଦ୍ରଲୋକଟି ସବୁ ଶୁଣିବା ପରେ ଉତ୍ତର ଦେଲେ -" ସେ କେବଳ ଭଲ ଝିଅଟିଏ ଖୋଜୁଛନ୍ତି, କିଛି ଧନସମ୍ପତ୍ତି ଆଶା କରୁନାହାନ୍ତି । ଘରୋଇ ପିଲାଟିଏ ଚାହୁଁଛନ୍ତି ସେ । ସୁନ୍ଦର ଓ ସୁଧାର ପିଲାଟିଏ ଚାହୁଁଛନ୍ତି । ମୁଁ ସେଲାଗି ଆପଣଙ୍କ ଘରକୁ ଆସି ପ୍ରସ୍ତାବଟେ ଦେଲି ।" ବୁଲା ସାହୁ କହିଲେ -" ସପ୍ତାହ ପରେ ଆସ, ମୁଁ ଟିକେ ଚିନ୍ତା କରି ଏବଂ ଆପଣାର ଲୋକଙ୍କ ସହିତ ଆଲୋଚନା କରି ତୁମକୁ କହିବି । " ହେଉ କହି ଚାଲିଗଲେ ଭଦ୍ରଲୋକ ଜଣକ । ବେଳ ଗଡ଼ି ସଞ୍ଜ ନଇଁ ଆସିଲା । ଚଉଁରା ମୂଳେ ସଞ୍ଜବତୀ ଦେଇ ସ୍ତ୍ରୀ ଚ଼ମ୍ପା ଚୂଲି ମୁଣ୍ଡରେ ଚା' କରିବାକୁବସି ପଡ଼ିଲେ । ଝିଅ ସମ୍ପୂର୍ଣ୍ଣା ବି ଧୂଆଧୋଇ ହୋଇ ପ୍ରାର୍ଥନା କରିବାକୁ ପ୍ରସ୍ତୁତ ହୋଇ ଠାକୁର ଘରେ ଚକା ଆସନ ମାଡ଼ି ବସି ପଡ଼ିଲାଣି । ଦାଣ୍ଡ ଆଡ଼ୁ ପାଦ ପକାଇ ଘର ଭିତରକୁ ପ୍ରବେଶ କଲା ପୁଅ ବୀରସେନ । ଚମ୍ପାଦେବୀ ଚୂଡ଼ାଭଜା, ନଡ଼ିଆ ଓ ବାରମଜା ମିଶେଇ ବାପ,ପୁଅ ଓ ନିଜ ପାଇଁ ଜଳଖିଆ ପ୍ରସ୍ତୁତ କରି ଚ଼ା' ବି ପରଷି ଦେଲେ ଏବଂ ନିଜେ ଗୋଟିଏ ତାଟିଆରେ ଚ଼ା' ଧରି ବସି ପଡ଼ିଲେ ତିନିହେଁ ଏକାଠି ।
ଚୂଡ଼ାଭଜା ପୋଷେ ପାଟିରେ ପକଉ ପକଉ ବୁଲା ସାହୁ କହିଲେ -" ବୀର ବୋଉ ! ଆମ ଝିଅ ସମ୍ପୂର୍ଣ୍ଣା ପାଇଁ ଗୋଟିଏ ପ୍ରସ୍ତାବ ଆସିଛି । ବହୁତ ବଡ଼ ଘରର ପୁଅ, ଦୁଇବାଟି ଜମି ସାଙ୍ଗକୁ ଦୁଇ ମହଲା । ପୁଅଟି ବୃତ୍ତିରେ ଶିକ୍ଷକ, ବାପ ନାହିଁ । ବିଧବା ମାଆଟିଏ, ଭଉଣୀ ଗୋଟିଏ ବାହା ହୋଇ ସାରିଛି । ସାତପଡ଼ାର ପ୍ରସ୍ତାବଟିଏ । କ'ଣ କରିବା କୁହ, ଏତେବଡ଼ ଘରେ ବନ୍ଧୁ ବାନ୍ଧିବାକୁ ମୋ' ମନ ଯାଉନି ବୀର ବୋଉ ।" ସମସ୍ତେ ନିରବ ଥିବା ବେଳେ ବୀରସେନ କହିଲା - "ଏତେବଡ଼ ଘରକୁ ଆମେ ଦେଇ ପାରିଲେ ତ.......ଆମେ କ'ଣ ସମ୍ପୂର୍ଣ୍ଣାକୁ ଏତେ ଯୌତୁକ ଦେଇ ପାରିବା ...."। ଚମ୍ପାଦେବୀ କହିଲେ -" ତାଙ୍କୁ କୁହ, ଆମେ ବିଶେଷ କିଛି ଦେଇ ପାରିବୁନି । ତୁଳସୀପତ୍ର କନ୍ଯା ଯଦି ନେବେ କୁହନ୍ତୁ ।" ବୁଲା ସାହୁ କହିଲେ -" ଭଦ୍ରଲୋକଟି କହୁଥିଲା ଯେ ସେ କେବଳ ଘରୋଇ ଗୁଣର ଓ ସୁନ୍ଦର ପିଲାଟିଏ ଖୋଜୁଛନ୍ତି । ତାଙ୍କର ଆଉ କିଛି ବି ଲୋଡ଼ା ନାହିଁ । ତା'ଛଡ଼ା ଏତେବଡ଼ ଘରକୁ ଆମ ବିବେକ ଅନୁସାରେ ତ ପୁଣି ଦେବାକୁ ପଡ଼ିବ ନା...........। ଏତେବଡ଼ ଘରେ ବନ୍ଧୁ ବାନ୍ଧିବା କେତେଦୂର ଠିକ୍ ହେବ କୁହ ତ ମତେ ।" ସମସ୍ତେ ନିରବ ରହିଲେ, କାହା ପାଟିରୁ ବି ଭାଷା ବାହାରିଲାନି । ସମସ୍ତେ ବୋଧହୁଏ ବୁଲା ସାହୁଙ୍କ କଥାକୁ ସମର୍ଥନ କରୁଥିଲେ । ଚମ୍ପା ଦେବୀ ଚୂଲିମୁଣ୍ଡେ ଝିଅ ପାଇଁ ସାଇତିଥିବା ଚୂଡ଼ାଭଜା ଗିନାଟିକୁ ଧରି ଝିଅ ସମ୍ପୂର୍ଣ୍ଣା ବି ଏମାନଙ୍କ ସହ କେତେବେଳୁ ସାମିଲ୍ ହୋଇ ଗଲାଣି କାହାର ନଜର ପଡ଼ିନି ; ସମସ୍ତେ ଆଲୋଚନା ଭିତରେ ଅଛନ୍ତି । ବୁଲା ସାହୁଙ୍କ କଥାକୁ ଗଭୀର ଭାବରେ ଚିନ୍ତା କରୁଥା'ନ୍ତି ସ୍ତ୍ରୀ ଚ଼ମ୍ପାଦେବୀ ଏବଂ ପୁଅ ବୀରସେନ । ସବୁକଥା ନିରବରେ ଶୁଣୁଥାଏ ଝିଅ ସମ୍ପୂର୍ଣ୍ଣା ।
ସବୁ ନିରବତାକୁ ଭଙ୍ଗ କରି ସମ୍ପୂର୍ଣ୍ଣା କହି ଉଠିଲା -"ମୁଁ କ'ଣ ତୁମର ବୋଝ ? ମତେ ଏ ଘରୁ ତଡ଼ିବା ପାଇଁ ଷଡ଼ଯନ୍ତ୍ର କରୁଛ ନା କ'ଣ ? ମୁଁ ବାହା ହେବିନି, ହେଲା ? ମୁଁ ବାପା,ମାଆ,ଭାଇଙ୍କୁ ମୋର ଛାଡ଼ିକି କୁଆଡ଼େ ଯିବିନି । ମୁଁ ଏଇଠି ରହିବି, ମୋ' ବାହାଘର କଥା ଚିନ୍ତା କରିବା ଦରକାର ନାହିଁ ।" ସମ୍ପୂର୍ଣ୍ଣାର ପିଲାଳିଆମି ଢ଼ଙ୍ଗ ଯାଇନି । କ'ଣ କହୁଛି ସେ ନିଜେ ବି ଜାଣିନି । ଗୋଟିଏ ଝିଅ ବୋଲି ସମସ୍ତଙ୍କର ଆଦରଣୀୟା ସେ । ଗେଲବସରରେ ବଢ଼ିଛି ସମ୍ପୂର୍ଣ୍ଣା । ବୁଲା ସମ୍ପୂର୍ଣ୍ଣାର କଥା ଶୁଣି ମୁରୁକି ହସି କହିଲେ - "ଝିଅ ଜନମ ପର ଘରକୁ ପରା ; ଦୁହିତା - ଦୁଇ କୁଳକୁ ହିତା । ବିଧିର ବିଧାନ - କେ' କରିବ ଆନ ? ଯାହାଆମ ପରମ୍ପରାରେ ଅଛି,ତାକୁ ତ ମାନି ନେଇ ଚଳିବାକୁ ପଡ଼ିବ ନା ମାଆ । ତୁ କ'ଣ ଆମ ପାଖେ ସବୁଦିନ ରହି ପାରିବୁ ? ଦିନେ ନା ଦିନେ ତ ପରଘରକୁ ଯିବୁ ନା ।" ଚମ୍ପାଦେବୀ କହିଲେ - " ଝିଅ ଯେତେ ପାଠୋଇ ହେଲେ ବି ସେଇ ଚୂଲି ମୁଣ୍ଡକୁ । ଆମର ବହୁଦିନର ଆଶା ପୂର୍ଣ୍ଣ ହେବ ; କନ୍ଯାଦାନର ପୁଣ୍ଯ କାହାକୁ ମିଳେ ?" ସମ୍ପୂର୍ଣ୍ଣା କହିଲା - " ଯିଏ ବାହା ନ ହେଉଛନ୍ତି ସେ କ'ଣ ରହି ପାରୁନାହାନ୍ତି ? ମୁଁ ଏଇଠି ରହିବି, କୁଆଡ଼େ ଯିବିନି ।" ବୁଲା ସାହୁ କହିଲେ - "ଝିଅ ପରା ଘିଅ, ବେଶିଦିନ ରହିଲେ ଦୁର୍ଗନ୍ଧ ।" ସମ୍ପୂର୍ଣ୍ଣାର ଉତ୍ତର ଥିଲା - "ତେବେ ମୁଁ ତୁମକୁ ଅଡ଼ୁଆ କରୁଛି କି ବାପା ?" ବୁଲା ସାହୁ କହିଲେ - " ନାଇଁ ଲୋ ମାଆ, ଏ ପରା ସଂସାର ନିୟମ । ଆମକୁ ମାନିବାକୁ ହେବ । ନହେଲେ ଲୋକେ କ'ଣ କହିବେ କହିଲୁ । କହିବେ, ଝିଅଟାକୁ ବାହା କରି ନ ପାରି ଖୁଣ୍ଟିରେ ବାନ୍ଧି ବୁଢ଼ୀ କଲା । ଆଉ କିଛି କହିବେ ଧନ ସରିଯିବ ଭାବି ଝିଅକୁ ବାହା ଦେଲାନି । କେହି କେହି ବି କହିବେ ଝିଅକୁ ଦେଖି - ସହି ପାରୁ ନାହାନ୍ତି, ଘରେ ରଖି ପୋଇଲି କରି ଖଟଉଛନ୍ତି । ସଜ ମାଛରେ ପୋକ ପକେଇବାକୁ ଲୋକଙ୍କ ଅଭାବ ନାହିଁ ।" ଚମ୍ପାଦେବୀ କହିଲେ - "ଦେଖ୍, ତୁ ଯଦି ଏଭଳି ଅପମାନ ଆମର ସହି ପାରିବୁ କହ । ଆମେ ଅପମାନିତ ହେଲେ ତୋତେ ଭଲ ଲାଗିବ ତ ?" ସମ୍ପୂର୍ଣ୍ଣା କିଛି ନ କହି ନିରବ ରହିଲା ଯ କିଛି ସମୟ ନିରବତା ରକ୍ଷା ପରେ ସମ୍ପୂର୍ଣ୍ଣା କହିଲା - "ଠିକ୍ ଅଛି, ମୁଁ ବାହା ହେବାକୁ ରାଜି । କିନ୍ତୁ ଯିଏ ମତେ ବାହା ହେବ ସେ ଏ ଘରେ ଆସିକି ରହିବ । ତେବେ ମୁଁ ରାଜି ହେବି ।" ବୀରସେନ କହିଲା - "ଆମ ଘରେ ଜାଗା ନାହିଁ । ଏଇଟା କ'ଣ ଅନାଥ ଆଶ୍ରମ ?" ସମ୍ପୂର୍ଣ୍ଣା ଟିକେ ଅଭିମାନ କରି ନାକ ଅଗରେ ସ୍ନେହ - ଶ୍ରଦ୍ଧାର ରାଗ ରଖି କହିଲା - "ଯା'ବେ, ମୁଁ ମୋ ବାପା ବୋଉଙ୍କୁ କହୁଛି । ତୁ କିଏ ?। ଏ ଘରର ମୁରବି ?" ବୁଲା ସାହୁ ଓ ଚମ୍ପାଦେବୀ ହସି ଉଠିଲେ ।
ସମ୍ପୂର୍ଣ୍ଣା କହିଲା -" ବାପା ! ଏମିତି ପ୍ରସ୍ତାବ ବୁଝ ଯିଏ ଘରଜୋଇଁଆ ହେବାକୁ ରାଜି ହେବ ।" ବୁଲା ସାହୁ କହିଲେ - " ସେମିତି ପ୍ରସ୍ତାବ କ'ଣ ସମ୍ଭବ ? ଆମର କୋଉ ନଉବାଟି ସମ୍ପତ୍ତି ଅଛି ଯେ, ସେ ତାଙ୍କ ପୁଅକୁ ଆମ ଘରେ ଘରଜୋଇଁଆ କରିବେ ?" ସମ୍ପୂର୍ଣ୍ଣା କହିଲା -" ତେବେ ମୁଁ ଯୋଉଠି ବାହା ହେବି, ତମେ ସମସ୍ତେ ମୋ ପାଖରେ ରହିବ ।" ସମସ୍ତେ ଠୋ' ଠୋ' ହସିବାକୁ ଲାଗିଲେ । ଚମ୍ପାଦେବୀ କହିଲେ - " ପାଗେଳୀଟା, କ'ଣ ନାଇଁ କ'ଣ କହି ଯାଉଛି ।" ବୀରସେନ ଟିକେ ଦୁଗୁଣେଇ ହୋଇ ସମ୍ପୂର୍ଣ୍ଣା ସହ ଥଟ୍ଟା ମଜାରେ ଲାଗିଗଲା । ବୀରସେନ କହିଲା - " ତୋ' ବାହାଘରକୁ ମୁଁ ଧମାଧମ୍ ଡ଼୍ଯାନ୍ସ୍ । ତୋତେ ଯୌତୁକରେ ଖଣ୍ଡିଆ ଟିଣଡ଼ବା ପୁରୁଣା ସରାସରି ଜିନିଷ ଦିଆ ହେବ । ଗୋଟିଏ କାଳିଆ ଭୁଆ ବର ମିଳିବ ତୋତେ ।" ସମ୍ପୂର୍ଣ୍ଣା ଟିକେ ନାକ କାନ୍ଦୁରୀ, ସେ ଟିକେ ସକେଇ ହୋଇ କହିଲା - "ବାପା ! ଭାଇ କେମିତି ଚିଡ଼ଉଛି ଦେଖିଲ ।" ବୁଲା ସାହୁ କହିଲେ - "କାଇଁ ଚିଡ଼ଉଛୁ କିରେ ବାପା ?" ଚମ୍ପାଦେବୀ କହିଲେ - "ଏ ଭାଇ ଭଉଣୀ ଦି'ଟା ତଳ - ଉପର ବୋଲି ସଦାବେଳେ ଖୁମୁଟାଖୁମୁଟି ହେଲେ । ତୁ ତା' ସହ ନ ଲାଗିଲେ ଭାତ ହଜମ ହଉନି କିରେ ତୋର ବୀର ?" ହସି ଉଠିଲେ ବୀରସେନ, ଚମ୍ପାଦେବୀ ଓ ବୁଲା ସାହୁ ।
ଏଇ କଥୋପକଥନ ଭିତରେ ଚ଼ା' ଜଳଖିଆ ପର୍ବର ପରିସମାପ୍ତି ଘଟି ସାରିଥାଏ । ସମସ୍ତଙ୍କର ଜଳଖିଆ ତାଟିଆ ଉଠାଇଲା ବେଳେ ଚମ୍ପାକୁ ପ୍ରଶ୍ନ କଲେ ବୁଲା ସାହୁ - "ତେବେ ତାକୁ କହିବି ସେ ଆଗେଇବ ଏ ପ୍ରସ୍ତାବ ପାଇଁ ?" ଚମ୍ପା ଉତ୍ତରରେ "ହଁ କୁହ" କହି ଜଳଖିଆ ତାଟିଆ ଓ ଚ଼ା' କପ୍ ନେଇ ଭିତରକୁ ଚାଲିଗଲେ । ପୁତ୍ର ବୀରସେନକୁ ଚାହିଁ ପ୍ରଶ୍ନ କଲେ -"ବୀର ! ତୋର ଏଥିରେ ମତ କ'ଣ ?" ବୀର ଟିକେ ସମୟ ନିରବ ପରେ କହିଲା - " ଯାହା ଭଲ ଭାବୁଛ କର,ମୁଁ ବା ଆଉ କ'ଣ କହିବି ? ପ୍ରସ୍ତାବଟି ମନ୍ଦ ନୁହେଁ, କିନ୍ତୁ ଦେଇ ନେଇ ପାରିବାଟା ମୁଖ୍ଯ ସମସ୍ଯା । ଯଦି ସେ ଅଳ୍ପରେ ସନ୍ତୁଷ୍ଟ ହେବେ, ତେବେ ଆଗେଇବା । ନହେଲେ ନିରବ ରହିବା । ଆମ ଝିଅକୁ ବି ଏତେ ବୟସ ହୋଇନି । ଆଉ ଚାରି ବର୍ଷ ଗଲା ପରେ ବାହାଘର କଲେ ବି ଚଳିବ । ଯଦି ସବୁକିଛି ସୁବିଧା ହେବ, ତେବେ କରିବା ।" ବୁଲା ସାହୁ କହିଲେ - "ହଉ, ମୁଁ ଆଗ ପଚାରେ ।" ବୀରସେନ "ହଉ ଆଗ ପଚାର ; ସେ କ'ଣ କହୁଛନ୍ତି ଦେଖ" କହି ଘରୁ ବାହାରକୁ ଚାଲିଗଲା । ଭିତରୁ ଚମ୍ପାଦେବୀଙ୍କ ଡ଼ାକ ଶୁଣି ସମ୍ପୂର୍ଣ୍ଣା ବି ଭିତରକୁ ଚାଲିଗଲା । ବୁଲା ସାହୁ ଅଣ୍ଟାରୁ ଗୁଣ୍ଡିଦାନିଟା କାଢ଼ି ଗୁଣ୍ଡି ଟିକେ ପାଟିରେ ପକେଇ ଦାଣ୍ଡକୁ ବାହାରି ଗଲେ ।
ଗାଁରେ ଜଣେ ବ୍ଯକ୍ତିର ପୁଅଟିଏ ହୋଇଥାଏ ; ତେଣୁ ସେ ତ୍ରିନାଥ ମେଳାର ଆୟୋଜନ କରିଥାଏ । ବୁଲା ସାହୁ ସୁନ୍ଦର ଛାନ୍ଦ - ଚଉପଦୀ ଗାଆନ୍ତି । ମେଳାରେ ବସି ଛାନ୍ଦ - ଚଉପଦୀ ଭଜନ ପଢ଼ିଲେ । ମେଳା ସରିଲା, ପ୍ରସାଦ ଖାଇ ରାତ୍ରି ପ୍ରାୟ ଏଗାରଟାରେ ଘରକୁ ଫେରିଲେ । ଘରେ ଆଳୁପୋଡ଼ା,ବାଇଗଣ ପୋଡ଼ା ଓ ବଡ଼ିଚୁରା ମିଶେଇ ପଖାଳ ଦୁଇ ଗୁଣ୍ଡା ଖାଇ ଶୋଇ ପଡ଼ିଲେ । ପୁଅ ବୀରସେନ କେତେବେଳୁ ଖାଇ ପିଇ ଶୋଇଗଲାଣି । ଝିଅ ସମ୍ପୂର୍ଣ୍ଣା ବି ଶୋଇ ପଡ଼ିଲାଣି । କେବଳ ଚମ୍ପାଦେବୀ ଉଜାଗର ଥିଲେ ; ବୁଲା ସାହୁ ଖାଇ ସାରିବା ପରେ ଚମ୍ପାଦେବୀ ଖାଇ ସାରି ବାସନ ମାଜି ଶୋଇବାକୁ ଗଲେ । ଶଯ୍ୟା ପାଖରେ ସ୍ବାମୀ ବୁଲା ସାହୁଙ୍କୁ ଟିକେ ଘଷାମୋଡା କରି ତାଙ୍କରି ପାଖରେ ଦିନ ତମାମର ଶ୍ରମ ଲାଘବ ପାଇଁ ବିଶ୍ରାମ ନେଲେ ।
ରାତି ପାହି ସକାଳ ହେଲା । ସେଦିନ ଥିଲା ବୁଲା ସାହୁଙ୍କର ବୋଉ ଶଙ୍ଖା ଦେବୀଙ୍କର ଶ୍ରାଦ୍ଧ ଦିବସ । ଦିନକ ପୂର୍ବରୁ କୁଳପୁରୋହିତ ପ୍ରବୀର ଭାଇନାଙ୍କୁ କହି ଆସିଥିଲେ ବୁଲା ସାହୁ । ସେ ଦଶଟା ସମୟରେ ଆସିବେ କହିଥିଲେ । ତେଣୁ ଚମ୍ପାଦେବୀ ସକାଳୁ ଉଠି ନିତ୍ଯକର୍ମ ସ୍ନାନଶୌଚାଦି ସାରି ନିଜ କର୍ମରେ ଲାଗି ଗଲେଣି । ସମ୍ପୂର୍ଣ୍ଣା ବି ଚୂଲି ଲଗେଇ ରୋଷେଇ କାମରେ ମାଆଙ୍କୁ ସାହାଯ୍ୟ କରିବାରେ ଲାଗି ଗଲାଣି । ବୁଲା ସାହୁ ଉଠି ଚାଲିଗଲେଣି ନିଜ କୁଟୁମ୍ବ ମାନଙ୍କୁ ଶ୍ରାଦ୍ଧ ପରେ ଖାଇବା ପାଇଁ ନିମନ୍ତ୍ରଣ କରିବାକୁ । ସମସ୍ତଙ୍କୁ ଦିନ ଗୋଟାଏରେ ଖାଇବା ପାଇଁ ଡାକିଛନ୍ତି । ପୁଅ ବଜାର ଯାଇଛି । ଯେ' ଯାହା କାମରେ ବ୍ଯସ୍ତ । ଦେଖୁ ଦେଖୁ ସମୟ ଆଗତ ଦିନ ଦଶଟା । ପ୍ରବୀର ଭାଇନା ଆସି ପହଞ୍ଚି ଗଲେ ବୁଲା ସାହୁଙ୍କ ଘରେ ଏବଂ ପୁଅ ବୀରସେନ ବି ବଜାରରୁ ଫେରି ଆସିଲାଣି । ଭାଇନା ଆସିବା ଜାଣି ବୀରସେନ, ବୁଲା ସାହୁ,ଚମ୍ପାଦେବୀ ଓ ସମ୍ପୂର୍ଣ୍ଣା ପ୍ରବୀର ଭାଇନାଙ୍କୁ ପ୍ରଣାମ ଜଣାଇଲେ । ଚମ୍ପାଦେବୀ ପିଢ଼ା ଓ ପାଣିଢ଼ାଳ ଆଣି ପ୍ରବୀର ଭାଇନାଙ୍କ ପାଦ ପଖାଳି ନିଜ ପଣତକାନିରେ ତାଙ୍କ ପାଦ ପୋଛି ପୁଣି ପ୍ରଣାମ ଜଣାଇ ତାଙ୍କ ବସିବା ପାଇଁ ଚୌକିଟେ ଦେଇ କହିଲେ -"ଭାଇନା, ବସନ୍ତୁ।" ପ୍ରବୀର ଭାଇନା ଚୌକି ଉପରେ ବସୁ ବସୁ କହିଲେ - "ସବୁ ଯୋଗାଡ଼ଯନ୍ତ୍ର ସରିଛି ତ ?" ଚମ୍ପାଦେବୀ ମୁଣ୍ଡ ଟୁଙ୍ଗାରି "ହଁ" କହି ଭିତରକୁ ପିଢ଼ା ଓ ପାଣିଢ଼ାଳ ଧରି ଚାଲିଗଲେ । ସମ୍ପୂର୍ଣ୍ଣା ଓ ବୀରସେନ ବି ଭିତରକୁ ଗଲେ । ବୁଲା ସାହୁ ପ୍ରବୀର ଭାଇନାଙ୍କୁ କହିଲେ - "ଭାଇନା ! ମୁଁ ଏବେ ଗାଧୋଇ ଆସୁଛି ।" ପ୍ରବୀର ଭାଇନା 'ହଁ' କହିବାରୁ ବୁଲା ସାହୁ ଦାନ୍ତକାଠି ଓ ପାଣିଢ଼ାଳ ଧରି ବାହାରି ଗଲେ ।
କିଛି ସମୟ ପରେ ଗାଧୋଇ ଢ଼ାଳେ ପାଣି ଧରି ଫେରିଲା ବୁଲା ସାହୁ । ପୁଅ ବୀରସେନ ବି ଗାଧୋଇ ଘରକୁ ଫେରିଲା । ଚମ୍ପାଦେବୀ ପିଣ୍ଡ ଆଟିକା ଧରି ଯାଇ ପୋଖରୀରେ ପିଣ୍ଡ ବୁଡ଼ାଇ ଚାଲି ଆସିଲେଣି । ଧଳା ମୁରୁଜରେ ମଣ୍ଡଳ କାଟ ପ୍ରବୀର ଭାଇନା ଶ୍ରାଦ୍ଧପତ୍ର ପକାଇବାକୁ ପ୍ରସ୍ତୁତ ହୋଇ ସାରିଲେଣି । ପିଣ୍ଡଦାନ କର୍ମ ଶେଷ ହେଲା ବିଧିବିଧାନ ସହକାରେ । ପ୍ରବୀର ଭାଇନା ଭୋଜନ କର୍ମ ଶେଷ କରି ଚାଉଳପତ୍ର ଓ ସଞ୍ଚାପତ୍ର ଗଣ୍ଠିଲି ବାନ୍ଧି ଦକ୍ଷିଣା ନେଇ ଅଣ୍ଟାରେ ଖୋସି ଯିବାକୁ ବାହାରିଲେଣି । ସମସ୍ତେ ପ୍ରଣାମ ଜଣାଇ ଭାଇନାଙ୍କୁ ବିଦାୟ ଦେଲେ । ପ୍ରବୀର ଭାଇନା ସମସ୍ତଙ୍କୁ ଆଶିର୍ବାଦ ପ୍ରଦାନ କରି ବୁଲା ସାହୁଙ୍କ ଘରୁ ବାହାରି ଗଲେ । ଦିନ ଗୋଟାଏ ସମୟ ହେଲା, ନିମନ୍ତ୍ରଣ ରକ୍ଷା କରି ସମସ୍ତେ ଆସିଲେ ଖାଇବାକୁ । ଭଲରେ ଭଲରେ ସବୁ କାମ ଛିଣ୍ଡି ଗଲା । ଧୁଆମଜା କରି ସବୁ କାମ ଶେଷ କଲା ବେଳକୁ ସନ୍ଧ୍ୟା ହୋଇ ସାରିଥାଏ । ନିତ୍ଯକର୍ମ ଶେଷ କରି ସନ୍ଧ୍ୟା ଧୂପ ଦେଇ ହାଲିଆରେ ଲଥ୍କିନା ବସି ପଡ଼ିଲେ ଚମ୍ପାଦେବୀ ମଝିଘର ବାରଣ୍ଡାର ମାଟି ଚଟାଣ ଉପରେ । ସମ୍ପୂର୍ଣ୍ଣା ବି ପ୍ରାର୍ଥନା ସାରି ଚା' କରିବାକୁ ଚୂଲି ପାଖକୁ ଚାଲିଗଲା । ସବୁଦିନ ପରି ସେଦିନ ସନ୍ଧ୍ୟା ସମୟରେ ଚା' ପାନ ସହିତ ପରସ୍ପର ମଧ୍ୟରେ ଗୁଲିଗପ ଏବଂ ଥଟ୍ଟା ତାମସା ଚାଲିଲା । ବୁଲା ସାହୁଙ୍କ ଘରେ ପରସ୍ପର ମଧ୍ୟରେ ଯେଉଁ ସ୍ନେହ ଶ୍ରଦ୍ଧା ଓ ବିଚାର ବିମର୍ଷ ଅଛି, ସେସବୁ ସମସ୍ତଙ୍କ ଘରେ ଦେଖିବାକୁ ମିଳେନା । ସମସ୍ତେ କହନ୍ତି - "ବୁଲା ସାହୁ ଗରିବ ହେଲେ ବି ସେ ସୁଖୀ, ବହୁତ ଶାନ୍ତିରେ ଅଛନ୍ତି ସେ ପରିବାର । ଭଗବାନ ସେ ପରିବାରରେ ଏଭଳି ଶାନ୍ତି ବଜାୟ ରଖନ୍ତୁ ।"
ଆଖି ପିଛୁଳାକେ ଦିନ ସରି ଯାଉଥାଏ । ଚାହୁଁ ଚାହୁଁ ସପ୍ତାହଟେ ବିତିଗଲା । ଶିରିପୁରର ସେ ଭଦ୍ରଲୋକ ଆସି ପହଞ୍ଚିଲା ବୁଲା ସାହୁଙ୍କ ଘରେ । ସେତେବେଳକୁ ସମୟ ପ୍ରାୟ ଦିନ ଆଠଟା ହେବ । ବୁଲା ସାହୁ ଘରେ ନଥିଲେ ; ସକାଳୁ ଘାସ କାଟିବାକୁ ଦାଆଟେ ଧରି ଗହିରକୁ ଚାଲି ଯାଇଛନ୍ତି । ପୁଅ ବୀରସେନ ସକାଳୁ ଗାଆଁ ଦାଣ୍ଡରେ କୁଆଡ଼େ ଟହଲ ମାରୁଛି । ବୁଲା ସାହୁ ନଥିବା ଜାଣି ଫେରିଯାଇଛି ଶିରିପୁରର ଭଦ୍ରଲୋକଟି । ଅଧଘଣ୍ଟା ପରେ ପୁଅ ବୀରସେନ ଫେରିଲା ଘରକୁ । ଚମ୍ପାଦେବୀ କହିଲେ - "ଶିରିପୁରର ସେ ଭଦ୍ରଲୋକଟି ଆସିଥିଲା । ବାପାଙ୍କୁ ଖୋଜୁଥିଲା । ବାପା ନାହାନ୍ତି କହିବାରୁ ଫେରିଗଲା ।" ବୀରସେନ କହିଲା - "କୋଉ ଭଦ୍ରଲୋକ ?" ଚମ୍ପାଦେବୀ କହିଲେ - "ଆମ ଝିଅ ପାଇଁ ଯିଏ ପ୍ରସ୍ତାବ ବୁଝିଥିଲା ।" ବୀରସେନ ଉତ୍ତର ଦେଲା - "ଓହୋ ! ସେ ମଧ୍ୟସ୍ଥି କି?" ଚମ୍ପାଦେବୀ "ହଁ" କହିଲେ । ପୁଅ ବୀରସେନ ଆଉ କିଛି ନ କହି ଜଣେ ସାଙ୍ଗପିଲା ଡ଼ାକରେ ବାହାରକୁ ଚାଲିଗଲା । ଚମ୍ପାଦେବୀ ନିଜ କାମରେ ଲାଗି ପଡ଼ିଲେ ।
ଦିନ ଦଶଟା ସମୟ ; ଘାସଗୋଚ୍ଛା ମୁଣ୍ଡେଇ ଫେରିଲେ ବୁଲା ସାହୁ । ସ୍ତ୍ରୀ ଚ଼ମ୍ପାଦେବୀ ଆସିଥିବା ଲୋକ କଥା କହିଲେ । ବୁଲା ସାହୁ କିଛି ନ କହି ବଳଦଙ୍କ ଆଗରେ ଘାସଗୋଚ୍ଛା ପକେଇ ଦେଇ ପୋଖରୀକୁ ଚାଲିଗଲେ ତରତର ହୋଇ ଗାଧୋଇବାକୁ । ପୁଅ ବୀରସେନ ଗାଧୋଇ ଆସି ଖାଇ ସାରି ଦାଣ୍ଡ ପିଣ୍ଡାରେ ବସି କିଛି ସାଙ୍ଗଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ବୁଲା ସାହୁ ଗାଧୋଇ ସାରି ଘର ଭିତରକୁ ପ୍ରବେଶ କଲେ । ଲୁଗା ବଦଳାଇ ବାଡ଼ିପଟେ ଟଣା ଯାଇଥିବା ଦଉଡ଼ିରେ ଓଦା ଲୁଗା ଶୁଖାଇ ଆସିଲା ବେଳକୁ ଝିଅ ସମ୍ପୂର୍ଣ୍ଣା ଗରମ ଭାତ, ଡ଼ାଲି, ଆଳୁ-ବାଇଗଣ ଭଜା ଓ ଶୁଖୁଆ ପୋଡ଼ା ଖଣ୍ଡେ ବଢ଼ାବଢ଼ି କରି ସାରିଥିଲା । ବୁଲା ସାହୁ ଖାଇସାରି ବାଡ଼ିପଟେ ଦକ୍ଷିଣା ପବନ ଖାଇବାକୁ ଏକ ପଥର ଉପରେ ବସି ପଡ଼ିଲେ । ତହିଁ ଆରଦିନ ପୁଣି ଆସିଲା ଶିରିପୁରର ସେ ଭଦ୍ରଲୋକ ; ସେତେବେଳେ ଖାଇ ପିଇ ବିଶ୍ରାମ ନେଉଥା'ନ୍ତି ବୁଲା ସାହୁ । ବୁଲା ସାହୁଙ୍କ ସହିତ କିଛି ସମୟ ସେଇ ବିଭାଘର ବିଷୟରେ ଗଳ୍ପ ଆଲୋଚନା କରୁ କରୁ ଏକଘଣ୍ଟା ବିତିଗଲା । ସବୁ କଥା ଶୁଣି ସାରି ବୁଲା ସାହୁ ଠାରୁ ତା' ଝିଅ ସମ୍ପୂର୍ଣ୍ଣାର ଫଟୋ ଓ ଟିପଣା ନେଇ ଚାଲିଗଲା । କହିଗଲା -"ମୁଁ ତାଙ୍କଠୁ ବୁଝି ପୁଣି ଆସିବି ଜଣେଇବାକୁ । ଯଦି ହୁଏ ତେବେ ସେଠି ବାହାଘର କରିଦେବା ; ତୁମ ଝିଅ ରାଣୀ ପରି ରହିବ ।"
ଦୁଇଦିନ ଗତ ହେବା ପରେ ଶିରିପୁରର ସେ ଭଦ୍ରଲୋକଟି ସାତପଡ଼ାରେ ପହଞ୍ଚି ସମସ୍ତ ବୃତ୍ତାନ୍ତ କହିଲା । ସବୁ ଶୁଣି ସାରି ସାରି ସେମାନେ ସମ୍ମତି ପ୍ରଦାନ କଲେ । କିନ୍ତୁ ଉଭୟଙ୍କ ରାଶି ମେଳକ ହେଲାନି । ଷଡ଼ାଷ୍ଟକ ଓ ମଧ୍ୟନାଡ଼ି ସାଙ୍ଗକୁ ନର-ରାକ୍ଷସ ପଡ଼ିବାରୁ ବାହାଘର ଅସମ୍ଭବ କହିଲେ । ଭଦ୍ରଲୋକଟି ଯିବାର ବହୁ ଆଗରୁ ଜଣେ ଜ୍ଯୋତିଷ ତାଙ୍କ ଘରେ ବସି କ'ଣ ଆଲୋଚନା କରୁଥିଲେ । ଏହି ଭଦ୍ରଲୋକଟି ପହଞ୍ଚିବା ପରେ ଝିଅର ଜାତକ ଟିପ୍ପଣୀ ନେଇ ପୁଅ ଜାତକ ସହ ମେଳକ କରି ବିବାହ ଅସମ୍ଭବ ବୋଲି ଜଣାଇବାରୁ ଭଦ୍ରଲୋକଟି ନିରାଶରେ ଫେରି ବୁଲା ସାହୁଙ୍କୁ ଫଟୋ ଓ ଟିପ୍ପଣୀ ଫେରାଇ ସବୁ କଥା କହିଲା ଏବଂ ଆଉ କେଉଁଠି ନଜରକୁ ଆସିଲେ କହିବି କହି ଚାଲିଗଲା । ୟା'ଙ୍କ ଭାଗ୍ଯରେ ସେ ଘରେ ବନ୍ଧୁ ବାନ୍ଧିବାର ଯୋଗ ନାହିଁ ଭାବି ବୁଲା ସାହୁ ନିରବ ରହିଲେ ; ତାଙ୍କ ମନରେ ଟିକେ ମଧ୍ୟ ଦୁଃଖ ନାହିଁ । ଚମ୍ପାଦେବୀ ଅବଶ୍ଯ ଟିକେ ମନ ଖରାପ କଲେ, ତଥାପି ଭାଗ୍ଯରେ ନାହିଁ ଭାବି ନିରବି ଗଲେ ।
ଦିନେ ଏମିତି ସନ୍ଧ୍ୟାରେ ଭାଗବତ ଘରେ ଗ୍ରାମସଭା ଚାଲିଥାଏ । ଗାଁର ସ୍ବଚ୍ଛଳତା ଓ ସୁବିଧା ବିଷୟରେ ଆଲୋଚନା ଚାଲିଥାଏ । ଚେମଣ୍ଟ ଗ୍ରାମର ସମିତି ସଭ୍ଯ ଭାବରେ ନିର୍ବାଚିତ ହୋଇଥିବା ଫଲ୍ଗୁ ପୂର୍ବକବାଟ ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ଥାଏ । ଗ୍ରାମବାସୀନ୍ଦା ସକଳ ଗାଁର ସୁବିଧା ପାଇଁ ପ୍ରସ୍ତାବ ସବୁ ଦେଲେ ଫଲ୍ଗୁ ପୂର୍ବକବାଟକୁ । ସେ ସରପଞ୍ଚ ପାଖରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଲା । ରାତ୍ରି ବାରଟା ପରେ ସଭା ଶେଷ କରି ଫେରିଲେ ସମସ୍ତେ । ସକାଳୁ ସମିତି ସଭ୍ଯ ଫଲ୍ଗୁ ପୂର୍ବକବାଟ ଯାଇ ପହଞ୍ଚିଲା ପାଖ ଗାଁର ଜଣେ ଲୋକ ପାଖରେ । ସେ ନାଏବ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛି । ଚେମଣ୍ଟ ଠାରୁ ଖଣ୍ଡେ ଦୂରରେ ଅଞ୍ଜିରା ଗ୍ରାମର ହନୁମନ୍ତ ପଟ୍ଟଯୋଶୀ ଥିଲେ ନାଏବ ସରପଞ୍ଚ । ତାଙ୍କୁ ଅବଗତ କରିବାରୁ ସେ ସରପଞ୍ଚଙ୍କୁ ଜଣାଇବାକୁ ହେବ କହିଲେ । କାଲି ସେ ସରପଞ୍ଚଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଲେ । ବାରମ୍ବାର ସରପଞ୍ଚଙ୍କୁ ଅବଗତ କରାଇବା ପରେ ବି କିଛି ଲାଭ ହେଲାନି । ପ୍ରତିଶ୍ରୁତି ପାଲଟି ଗଲା ପାଣିର ଗାର । ପାଖେଇ ଆସିଲା ନିର୍ବାଚନ ବେଳ । ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ଲୋକଙ୍କ ପାଦ ପଡ଼ିଲା ଗାଁରେ । ଯୋଉ ଗାଁକୁ ଦିନେ ବି କେହି ଆସୁ ନ ଥିଲେ ଏବେ ସେ ଗାଁରେ ମାଳ ମାଳ ପ୍ରାର୍ଥୀ । କିନ୍ତୁ ଗାଁର ସୁବିଧା ଅସୁବିଧା କାଈହା ଆଖିକୁ ଦିଶୁନି । ମିଛ ପ୍ରତିଶ୍ରୁତି ବଣ୍ଟା ଚାଲିଚି । ଗାଁର ଉନ୍ନତିକୁ ଆଖି ଆଗରେ ରଖି ଏଥରକ ସମିତି ସଭ୍ଯ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛିଇ ବୀରସେନ । ଗାଁରେ ବି ତାକୁ ସମସ୍ତେ ସମର୍ଥନ କରି ଭୋଟ୍ ଦେଲେ । ବିପୁଳ ପରିମାଣରେ ମତ ପ୍ରାପ୍ତ କରି ସେ ବିଜୟ ହେଲା । ସେପଟେ ପୂର୍ବ ନାଏବ ସରପଞ୍ଚ ହନୁମନ୍ତ ପଟ୍ଟଯୋଶୀ ପୁନର୍ବାର ନିର୍ବାଚନରେ ବିଜୟଲାଭ କରି ନାଏବ ସରପଞ୍ଚରେ ହିଁ ରହିଲା । କିନ୍ତୁ ସରପଞ୍ଚ ଯିଏ ପୂର୍ବରୁ ଥିଲା ସେ ଏଥରକ ପରାଜୟ ଲଭି ନୂଆ ସରପଞ୍ଚ ଆଉ ଜଣେ ରହିଲା । କିଛିଦିନ ପରେ ଏମ୍. ଏଲ୍. ଏ. ଓ ଏମ. ପି. ନିର୍ବାଚନ ବି ସରିଲା । ବୀରସେନ ଲାଗିପଡ଼ି ଗୋଟିଏ ବର୍ଷ ଭିତରେ ଗାଁକୁ ପାଣିର ବ୍ଯବସ୍ଥା ଓ ଭଲ ରାସ୍ତା ଖଣ୍ଡେ କରିଦେଲା । ଲୋକମାନେ ତ ଟିକେ ଆଶ୍ବସ୍ତି ହେଲେ ନା, ଧନ୍ଯ ଧନ୍ଯ କହିଲେ ଲୋକମାନେ ବୀରସେନକୁ । ଦୁଇ ବର୍ଷ ବିତି ଗଲା ପୁଣି । ତିନି ବର୍ଷ ପରେ ବୀରସେନ ଗ୍ରାମରେ ଥିବା ପୋଖରୀକୁ ଖନନ ଓ ପରିଷ୍କରଣ କରିବା ପାଇଁ ପ୍ରସ୍ତାବଟେ ଉପସ୍ଥାପନ କରି ସଫଳତା ଲାଭ କଲା । ଗ୍ରାମ ପୋଖରୀଟି ଏବେ ବଡ଼ ଆକାରର ଧାରଣ କରିଥିବା ବେଳେ ସମ୍ପୂର୍ଣ୍ଣ ସ୍ବଚ୍ଛ ବି ହୋଇଯାଇଛି । ଯାହା ହେଉ ଏବେ ଗ୍ରାମବାସୀମାନେ ତ ଉପକୃତ ହୋଇ ପାରିଛନ୍ତି ।
ବିତିଗଲା ଚାରିବର୍ଷ । ଆଉ ଗୋଟିଏ ବର୍ଷ ପରେ ପୁଣି ଆସିବ ନିର୍ବାଚନ । ଏଥରକ ଗ୍ରାମବାସୀ ମାନେ ଏବଂ ପାଖ ଅଞ୍ଚଳର କିଛି ଲୋକମାନେ ବୀରସେନର କାର୍ଯ୍ଯକଳାପ ଦେଖି ଏମ. ପି. କି ଏମ୍.ଏଲ.ଏ. ପାଇଁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ପ୍ରଦାନ କରିଛନ୍ତି । ବୀରସେନ କହିଛି - "ମୋ' ପାଖରେ ଏତେ ଟଙ୍କା କାହିଁ ଯେ ମୁଁ ଏମ୍.ଏଲ୍.ଏ କି ଏମ୍. ପି. ହେବି ?" ସେମାନେ ଏଥିଲାଗି ଖର୍ଚ୍ଚ ବ୍ଯବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି । ବୀରସେନ କିନ୍ତୁ ପଛଘୁଞ୍ଚା ଦେଇ ରହିଛି । "ସେ ସମୟ ଆସୁ" କହି କଥା କାଟି ଚାଲି ଆସିଛି ତାଙ୍କ ପାଖରୁ । ଏହାପରେ ଆଉ ଗୋଟିଏ ପ୍ରସ୍ତାବ ଆସିଛି ବୀରସେନ ଭଉଣୀ ସମ୍ପୂର୍ଣ୍ଣା ପାଇଁ । ପାଖ ଗାଁ ଓହ୍ଲାଣର ଜଣେ ବୟୋଜ୍ୟେଷ୍ଠ ବ୍ଯକ୍ତି ରମେଶ ଚନ୍ଦ୍ର ମିଶ୍ର ଏହି ପ୍ରସ୍ତାବଟିକୁ ଦେଇଥିଲେ । ପ୍ରସ୍ତାବଟି ମନ୍ଦ ନୁହେଁ । ଭଲ ପ୍ରସ୍ତାବଟିଏ । ଛେଳିଆ ଗ୍ରାମର ମଧ୍ୟବିତ ପରିବାର ; ଦଶବାଟି ବିଲ । ଧାନ,ମୁଗ,ବିରି, କୋଳଥ,ମାଣ୍ଡିଆ,ଗହମ ଆଦି ଓ ପନିପରିବା ଚାଷ । ଗୋଟିଏ ହିଁ ପୁଅ । ଦୁଇଟି ଝିଅରୁ ଗୋଟିଏ ବିବାହ କରିଛି ଓ ଆଉ ଗୋଟିଏ ଘରେ ଅଛି । ଛାତଘର ସାତ ବଖରା ସାଙ୍ଗକୁ ଦୁହାଁଳି ଗାଇ ଗଣ୍ଡିଏ ଏବଂ ଦୁଇଟି ମଜବୁତିଆ ବଳଦ ଅଛନ୍ତି । ନିଜର ଗୋଟିଏ ଶଗଡ଼ ଏବଂ ଯିବା ଆସିବାର ସୁବିଧା ପାଇଁ ବାଇକ୍ ଗୋଟିଏ ଅଛି । ବାପା,ମାଆ ବି ଅଛନ୍ତି । ପ୍ରସ୍ତାବଟି ଶୁଣି ରାଜି ହୋଇଗଲେ ବୁଲା ସାହୁ, ଚମ୍ପାଦେବୀ ; ପୁଅ ବୀରସେନ ବି ଏ ପ୍ରସ୍ତାବରେ ରାଜି ।
ଦେଖାଚାହାଁ ଚାଲିଲା ; ଜାତକ ବି ରାଜଯୋଟକ । ଦେବା ନେବା ବି ତୁଟିଗଲା । ସେମାନଙ୍କ ଉତ୍ତର ଥିଲା - "ତମେ ଯାହା ଦେବ ତୁମ ଝିଅକୁ । ଆମର ଝିଅ ପସନ୍ଦ ହୋଇଛି ।" ସବୁ ଠିକ୍ଠାକ୍ ହୋଇଗଲା । ଡ଼ିମାଏଟ୍ ବାବଦକୁ ନବେ ହଜାଆର ଓ ବାଟ ଖର୍ଚ୍ଚ ବାବଦକୁ ଦଶ ହଜାର ସହ ଚେନ୍-ମୁଦି ; ନିର୍ବନ୍ଧର ଦିନ ମଧ୍ୟ ଧାର୍ଯ୍ୟ ହୋଇଗଲା । ବୁଲା ସାହୁ ଓ ବୀରସେନ ସବୁକିଛିର ପ୍ରସ୍ତୁତିରେ ଲାଗି ପଡ଼ିଲେ । ବନ୍ଧୁବାନ୍ଧବ ବି କିଛି ସହଯୋଗ କରିବାର ପ୍ରତିଶ୍ରୁତି ଦେଲେ । ସବୁକିଛିକୁ ସମୀକ୍ଷା କରି ଆଗେଇଲେ ବୁଲା ସାହୁ ଓ ବୀରସେନ । ବାହାଘର ଦିନ ଯେତିକି ପାଖେଇ ଆସୁଥାଏ, ସେତିକି ଚିନ୍ତା ସବୁ ମାଡ଼ି ବସୁଥାଏ । କେମିତି ପରଘର ଯିବ ସମ୍ପୂର୍ଣ୍ଣା, ସେଇ ଚିନ୍ତାରେ ମଗ୍ନ ଥିଲେ ବୁଲା ସାହୁର ପରିବାର ।
ବନ୍ଧୁବାନ୍ଧବଙ୍କ ସହଯୋଗର ହାତ ବଢ଼ିଲା । ବିଭିନ୍ନ ପ୍ରକାର ସରଞ୍ଜାମ ଓ କଂସାବାସନ ସବୁ କିଣା ସରିଲା । ସମ୍ପୂର୍ଣ୍ଣାର ମାମୁଁଘର ଚେନ୍ ଦେବା ପାଇଁ କହଲେ । ତେଣୁ ଚେନ୍ ଚିନ୍ତା ବି ରହିଲାନି । ମାଇଁ କହିଲେ ମୁଁ ମୁଦି ଦେବି । ବାସ୍, ସରିଗଲା । ସବୁପ୍ରକାର ଯୋଗାଡ଼ ଏକରକମ ଶେଷ । ବାକି ରହିଲା ଡ଼ିମାଏଟ୍, ବାଟଖର୍ଚ୍ଚ ଓ ଭୋଜିଭାତ । ଦିନ ଠିକ୍ କରିବାକୁ ଲାଗି ପଡ଼ିଲେ ବୁଲା ସାହୁ ଓ ବୀରସେନ । ପୁଅଘର ପଟୁ ଖବର ଆସିଲା ଆସନ୍ତା ଆଶାଢ଼ ମାସ ଦ୍ବିତୀୟା ରଥଯାତ୍ରା ଦିନ ନିର୍ବନ୍ଧ ଏବଂ ବାହୁଡ଼ାରେ ବାହାଘର । ଏମାନେ ସମସ୍ତେ ସମ୍ମତି ପ୍ରଦାନ କଲେ । ନିର୍ବନ୍ଧ ପାଇଁ ଲାଗି ପଡ଼ିଲେ ।
ଚାହୁଁ ଚାହୁଁ ଆସିଗଲା ଦିନ । ନିର୍ବନ୍ଧ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ହୋଇ ସାରିଥିଲେ ବୁଲା ସାହୁ । ବୋହୂ ଦେଖା, ନିର୍ବନ୍ଧ ଏକାଦିନକେ କରାଗଲା । ବରଘର ପଟରୁ ପନ୍ଦର ଜଣ ଆସିଥିଲେ । ଏମାନେ ପ୍ରାୟ କୋଡ଼ିଏ ଜଣ ଯାଇଥିଲେ । ଭୋଜିଭାତ ହେଲା । ପ୍ରବୀର ନନା ପୌରହିତ୍ଯ କଲେ । ନିର୍ବନ୍ଧ ସରି ମୁଦିପିନ୍ଧା ହୋଇଗଲା । ତିନିମାଣ ଜମି ବିକ୍ରି କରି ଝିଇଅ ବାହାଘର କରିବାକୁ ପ୍ରସ୍ତୁତ ପୂରା ବୁଲା ସାହୁ । ଦିନ ଆସି ଉପନୀତ ହେଲା ; ଆସିଗଲା ବାହୁଡ଼ା । ରାତିରେ ହେଲା ବାହାଘର । ହାତଗଣ୍ଠି ବେଳେ ନଗଦ ଏକଲକ୍ଷ ଟଙ୍କା ଗଣିଦେଲେ ବୁଲା ସାହୁ । ବାହାଘର ସରିଲା ଏବଂ ଝିଅ ବିଦା ହୋଇଗଲା । ଭଲରେ ଭଲରେ ବରଯାତ୍ରୀ ଖାଇସାରି ଗଲେ । କନ୍ଯାଦାନର ମହାପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ମିଳିଥିଲା ବୁଲା ସାହୁଙ୍କୁ । ନୂଆ ସମ୍ପର୍କଟେ ଯୋଡ଼ି ହୋଇଗଲା ।
ଚାହୁଁ ଚାହୁଁ ସମୟ ଗଡ଼ିଗଲା । ଆସିଲା ନିର୍ବାଚନ ବେଳ । ପୁନରାୟ ସମିତି ସଭ୍ଯ ଭାବରେ ନିର୍ବାଚନ ଲଢ଼ିଲା ବୀରସେନ । ବିଜୟ ପ୍ରାପ୍ତ କରି ନାଏବ ସରପଞ୍ଚ ବି ପାଲଟିଗଲା । ଗାଁରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବି କରି ଚାଲିଲା । ସମସ୍ତଙ୍କର ରାସନ କାର୍ଡ୍, ଇନ୍ଦିରା ଆବାସ ଯୋଜନା କରି ଉଚ୍ଚ ପ୍ରଶଂସିତ ହେଲା । ଗାଁରେ ସମୂହ କଲ୍ଯାଣ ପାଇଁ କୂଅଟିଏ ଖୋଳିଲା ଏବଂ ଆଉ ଗୋଟିଏ ନଳକୂପ ବସାଇ ଦେଲା । ସମସ୍ତେ ବୀରସେନକୁ ପ୍ରଶଂସା ନ କରି ରହି ପାରିଲେନି । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା ବୀରସେନ ଏ ଗାଁର ମଉଡ଼ମଣି । ବୀରସେନର ଖାତିର ବଢ଼ିଗଲା । ସାରା ଅଞ୍ଚଳଟା ବୀରସେନର ପ୍ରଶଂସା କରୁଥିଲା । ନିଜ ଜନ୍ମମାଟିର ଟେକ ରଖିଲା ବୀରସେନ । ପିମ୍ପୂଡ଼ି ହୋଇ ସ୍ବର୍ଗସୁଖ ସମସ୍ତଙ୍କୁ ଦେଲା । ସମସ୍ତଙ୍କର ଇନ୍ଦିରା ଆବାସ ଯୋଜନା କରିଲା । କିନ୍ତୁ ନିଜ ଘର ଯୋଉ ଚାଳଛପରକୁ ସେଇ ଚାଳଛପର । ପଚାରିବାରୁ କହେ - "ମୁଁ ନିଜ ପାଇଁ କଲେ ମୋତେ ଲୋକେ କ'ଣ କହିବେ ? ସବୁରି ଖୁସିରେ ମୋ' ଖୁସି ।"
ସେପଟେ ଶାଶୁଘରେ ସମ୍ପୂର୍ଣ୍ଣା ଅକଥନୀୟ ଅତ୍ୟାଚାରର ଶିକାର ହେବାରେ ଲାଗିଛି । ଶାଶୁ ଶ୍ବଶୁରଙ୍କ ଗଞ୍ଜଣା ଓ ନଣନ୍ଦର କଣ୍ଟା ପରି ପଶୁ ଥିବା ବଚନ ସମୂହ ସମ୍ପୂର୍ଣ୍ଣାକୁ ଅତିଷ୍ଠ କରି ପକାଉଛି । ତଥାପି ସେ ନିରବରେ ସହି ଯାଉଛି । ପାଟିକୁ ଦୁଇ ଫାଳ କରୁନି, ଭାଗ୍ଯର ବିଡ଼ମ୍ବନା ଭାବି ଯନ୍ତ୍ରଣା ଜର୍ଜରିତ ହୋଇ ପାଷାଣୀ କନ୍ଯା ପରି ପଡ଼ିରହିଛି । ଅଧିକ ଯୌତୁକ ଆଶା କରି ଶାଶୁ ଓ ଶ୍ବଶୁର ତାକୁ ଦେଇ ଚାଲିଛନ୍ତି ଯନ୍ତ୍ରଣା । ସ୍ବାମୀ ବି କମ୍ ନୁହେଁ । ନଣନ୍ଦ ତା' ତହୁଁ ବଳକା । ଆହୁରି ଲକ୍ଷେଟଙ୍କା ଡିମାଏଟ୍ ମାଗୁଛନ୍ତି । ବାପାର ସମ୍ବ୍ଲଳ ନ ଥିବାରୁ ସେ ମୁହଁ ଖୋଲି ବି କହି ପାରୁନି । ଗେଲବସରରେ ବଢ଼ିଥିବା ସମ୍ପୂର୍ଣ୍ଣା ଏବେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛି । ଦିନେ ଝିଅ ଘରକୁ ଗଲେ ବୁଲା ସାହୁ । ତାଙ୍କ ଘରେ ପହଞ୍ଚି ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ବାସ କରି ପାରିଲେନି । ଏକ ମୋଟା ଠେଙ୍ଗାରେ ଶାଶୁ ପିଟୁଛନ୍ତି ସମ୍ପୂର୍ଣ୍ଣାକୁ । ବୁଲା ସାହୁ ହତବକ ପ୍ରାୟ । ପଚାରିଲେ - "ସମୁଦୁଣୀ ! ମୋ' ଝିଅକୁ ପିଟୁଛନ୍ତି କାହିଁକି ? କ'ଣ ଭୂଲ୍ କରିଛି ସେ ?" ସମୁଦୁଣୀଙ୍କର ଉତ୍ତର ଥିଲା - "ମୋର ଗୋଟିଏ ଦାମୀ ଲୁଗା ଆଇରନ କରିବାକୁ ଦେଇଥିଲି ; ତାକୁ ସେ ଆଇରନ କରିବ କ'ଣ ! ପୋଡ଼ି ଦେଇଛି ଲୁଗାଟାକୁ । ପାଞ୍ଚ ହଜାର ଟଙ୍କାର ପାଟଟା, ପୋଡ଼ି ଦେଲା !" ବୁଲା ସାହୁ କହିଲେ - "ୟା' ବୋଲି ଗାଇ-ଗୋରୁ ପରି ପିଟିବ ମୋ' ଝିଅକୁ !"
ଗର୍ଜି ଉଠିଲେ ସମୁଦୁଣୀ - "ତୁମ ବୋପା ଦିହକରେ ଏଭଳି ପାଟ କେବେ ପିନ୍ଧିଛ? ବାହାଘର ବେଳେ ଯାହା ଦେଇଛ ସେ ସମୁଦ୍ରକୁ ଶଙ୍ଖେ ପାଣି ମାତ୍ର । ଏ ଘରକୁ ତୁମ ଯୌତୁକ ଠିକ୍ ହୋଇଛି କି ? ମୋ' ପୁଅର କୋଉଠିକି ସମାନ ହେବ କିଏ ? ଆଉ ଲକ୍ଷେଟଙ୍କା ଦେଲେ ବି ଭରଣା ହେବନି । ଟି.ଭି, ଫ୍ରିଜ୍, ଡ଼ାଇନିଙ୍ଗ୍ ସେଟ୍, ୱାସିଙ୍ଗ୍ମେସିନ୍ ଏସବୁ ଦେଇଛ ? ଯୋଉ ଖଟ ଦେଇଛ, ତାକୁ ଖଟ କହନ୍ତି ? ଯାଅ ; ଚାଲିଣାଅ ଏଠୁ । ଯୋଉଦିନ ଏସବୁ ସହିତ ଆଉ ଏକଲକ୍ଷ ଟଙ୍କା ଆଣିବ, ସେଦିନ ଏ ଘରକୁ ଆସିବ । ହଁ, ଗୋଟେ କାର୍ ବି ଦେବ ମୋ' ପୁଅକୁ ।" ଏସବୁ ଶୁଣିବା ପରେ ବୁଲା ସାହୁ ସ୍ତବ୍ଧ ହୋଇଗଲେ । ମଥାରେ ବଜ୍ର ଚଡ଼କ ପଡ଼ିବା ପରି ମନେ ହେଲା । ବୁଲା ସାହୁ କହିଲେ - "ଏତେ ସବୁ ଦେବା ପାଇଁ ମୋ' ପାଖରେ ସମ୍ବଳ ନାହିଁ ସମୁଦୁଣୀ । ତା'ଛଡ଼ା କାର୍ କିଏ ଆଉ ମୁଁ କିଏ ? ମୁଁ ପାରିବିନି ସମୁଦୁଣୀ ।" ସମୁଦୁଣୀ କହିଲେ - "ତେବେ ଝିଅ ବାହାଘର କରୁଥିଲ ବା କାହିଁକି ? ଜାଣିନ କି ଝିଅ ବାହାଘର କଲେ ଯୌତୈକ ଦେବକୁ ହୁଏ ବୋଲି ?" ବୁଲା ସାହୁ କହିଲେ - "ଦିନ ଧାର୍ଯ୍ୟ ବେଳେ ତ ଏସବୁ କହି ନ ଥିଲ ସମୁଦୁଣୀ । ଏବେ କାହିଁକି ?" ସମୁଦୁଣୀ କହିଲେ - "ଆମେ ଭାବିଥିଲୁ ଆପଣ ଦେବେ । ଆପଣ ଏତେ ଭିକାରୀ ବୋଲି ଆମେ ଜାଣି ନ ଥିଲୁ । ଯଦି ଦେବାର ସମ୍ବଳ ନଥିଲା, ତେବେ ଝିଅ ଜନ୍ମ କରୁଥିଲ କାହିଁକି ? ଏନ୍ତୁଡ଼ି ଶାଳରୁ ତଣ୍ଟି ଚିପି ମାରି ଦେଲନି ।" ବୁଲା ସାହୁ ଗାଲରେ ସତେ ଅବା ଶକ୍ତ ଥାପଡଟେ ବାଜିଲା । ହଠାତ୍ କହି ଉଠିଲେ - "ସମୁଦୁଣୀ ! ନ କହି ନ କହି ବହୁତ ବଡ଼ କଥାଟେ କହିଦେଲ । ଆପଣଙ୍କ ଝିଇ ହୋଇଥିଲେ ଏମିତି କହି ପାରିଥା'ନ୍ତ ?" ସମୁଦୁଣୀ କହିଲେ - "ତୁମ ପରି ମୁଁ ଏତେ ଭିକାରୀ ନୁହେଁ । ମୋ' ଝିଅର କୋଉ ଗୁଣକୁ ତୁମ ଝିଅ ସମାନ ? ଗୋଟେ ଝିଅକୁ କୋଟିଏ ଟଙ୍କା ଡ଼ିମାଏଟ୍ ଦେଇ ବିବାହ ଦେଇଛି । ତମ ପରି ମୁଁ କ'ଣ ଭିକାରୀ ? ଯାଅ, ସବୁ ଅଭାବ ପୂରଣ ନ କରିବା ଯାଏଁ ଏ ଘରକୁ ଆସିବନି ।"
ବୁଲା ସାହୁ ପାଷାଣ ମୂର୍ତ୍ତି ପରି ଭୂମିରେ ପତିତ ହେଲା । ମୁଣ୍ଡଟା ଘୂରେଇ ଦେଉଥାଏ ; ହାତ ଯୋଡ଼ି ଓ ଗୋଡ଼ ଧରି କେତେ ନେହୁରା ହେଲା । କିନ୍ତୁ ସମୁଦୁଣୀ ଜିଦ୍ରେ ଅଟଳ । ଯୌତୁକ ପୂରଣ ନ ହେବା ଯାଏଁ ଏ ଘରକୁ ଆସିବା ବନ୍ଦ । ସମୁଦ୍ଧି ଆସି ପହଞ୍ଚି ଗଲେ । କହିଲେ -"ଏ ଭିକାରୀଟାକୁ ବାହାର କର ।" ସହି ପାରିଲାନି ସମ୍ପୂର୍ଣ୍ଣା ବାପର ଏ ଅପମାନ ; ଥରଥର ଦେହରେ ଉଠି ଛିଡ଼ା ହେଲା । ହାତ ଯୋଡ଼ି ଫେରିଯିବାକୁ କହିଲା । ଜ୍ବଇଁ ଆସି ଧକ୍କା ମାରି ତାଙ୍କୁ ଘରୁ ତଡ଼ି ଦେଲେ । ବୁଲା ସାହୁ ଘରକୁ ଆସି ସବୁ ବୃତ୍ତାନ୍ତ କହିଲେ । ଆଖିରେ ଧାର ଧାର ଅଶ୍ରୁ । ବୀରସେନ ଓ ଚମ୍ପାଦେବୀ ମର୍ମାହତ । ଗ୍ରାମର କିଛି ବ୍ଯକ୍ତି ଏ ବିଷୟରେ ଜାଣିଲେ । ସମସ୍ତେ କିଛି କିଛି ସହାୟତାର ହାତ ବଢ଼େଇଲେ । ଯାହା ହେଉ ; ଗାଁବାଲାଙ୍କ ସହାୟତାରେ କାର୍ଟେ ହୋଇଗଲା । ଜ୍ବଇଁଙ୍କୁ ଦିଆଗଲା କାର୍ । ଚମ୍ପାଦେବୀ ନିଜର କିଛି ଗହଣାଗାଣ୍ଠି ବିକ୍ରି କରି ୱାସିଙ୍ଗ୍ମେସିନ୍, ଟି.ଭି, ଫ୍ରିଜ୍ ଆଦି ଦେଇ ଆସିଲେ । ଦୁଇମାଣ ଜମି ମଧ୍ଯ ବିକ୍ରି କରି ଲକ୍ଷେଟଙ୍କା ଅତିରିକ୍ତ ଦେଇ ଆସିଲେ । ଝିଅ ବାହାଘର କରି ସବୁକିଛି ହରାଇ ନିଃସ୍ବ ପାଲଟି ଗଲେ ବୁଲା ସାହୁ । ଏବେ ପର ଜମି ଚାଷ କରିବା ବ୍ଯତିତ ଉପାୟ କ'ଣ ?
ପର ଜମି ଚାଷ କରି ଚଳିଲେ ବୁଲା ସାହୁ ପରିବାର । ବିଲବାଲାଙ୍କୁ ତାଙ୍କ ଭାଗ ଦେଇ ଅବଶିଷ୍ଟ ଖାଇବା ପାଇଁ ରଖିଲା ବେଳକୁ ବିକ୍ରି କରିବାକୁ ଧାନର ଅଭାବ । ଏମିତି ଦୟନୀୟ ଅବସ୍ଥାର ଶିକାର ହେଉଥିଲେ ବୁଲା ସାହୁ । ଜୀବନ ଯନ୍ତ୍ରଣା କ'ଣ, ବେସ୍ ଭଲ ଭାବରେ ବୁଝି ସାରିଥିଲେ ବୁଲା ସାହୁ । ଥିଲେ କ'ଣ, ହେଲେ କ'ଣ । କ'ଣ ହୋଇଗଲା ଏସବୁ ? ଭାଗ୍ଯଚକ୍ର କୁଆଡ଼େ ବୁଲି ଗଲା ? ସବୁବେଳେ ମନସ୍ତାପରେ ସଢ଼ୁ ଥିଲେ ବୁଲା ସାହୁ ।
ଦିନକର ଘଟଣା, ଯାହା ବଦଳାଇ ଦେଲା ମୋଡ଼ । ପର ଜମି ଚାଷ କରିଥା'ନ୍ତି ବୁଲା ସାହୁ । ଦଶଖଣ୍ଡ ଜମି ଧରିଥା'ନ୍ତି ; ବ୍ଯାଙ୍କ୍ରୁ ଋଣ ଆଣି ଧାନ ଚ଼ାଷ କରିଥିଲେ ବୁଲା ସାହୁ । ସେ ବର୍ଷ ବହୁତ ବଢ଼ିଆ ଫସଲ ହୋଇଛି । ଏଥରକ ସୁନା ଫଳିଛି ବୋଲି କହୁଥିଲେ ଚାଷୀମାନେ । ଯାହା ହେଉ ; ଏତେଦିନ ପରେ ଫସଲ ପରି ଫସଲ ହୋଇଛି । ବୁଲା ସାହୁ ଓ ବୀରସେନର ଅକ୍ଳାନ୍ତ ଶ୍ରମ ପାଇଁ ସବୁଠୁ ଭଲ ଫସଲ ହୋଇଛି ୟା'ଙ୍କର । ସମସ୍ତେ କହୁଥିଲେ - "ଏଥରକ ବୁଲା ସାହୁ ବାଜି ମାରିନେଲା ।" ସନ୍ଧ୍ୟାରେ ବାପ,ପୁଅ ଓ ଚମ୍ପାଦେବୀ ଧାନ କାଟିବା ବିଷୟରେ କଥା ହେଉଥିଲେ । ବୁଲା ସାହୁ ରେଡ଼ିଓଟାକୁ ଅନ୍ କରି ସମ୍ବାଦ ଶୁଣିଲେ । ରେଡ଼ିଓ ସମ୍ବାଦରୁ ଜଣାଗଲା ଏକ ବିରାଟ ଘୂର୍ଣ୍ଣିଝଡ଼ ଆସୁଛି । ଆସନ୍ତା ଚାରିଦିନ ଭିତରେ ସ୍ଥଳଭାଗ ଛୁଇଁବ ସେ । ସବୁଆଡେ ଚିନ୍ତା ପଡ଼ିଗଲା, ସମସ୍ତେ ଧାନ କାଟିବା ପାଇଁ ବ୍ଯଗ୍ର ହୋଇ ଉଠିଲେ । ଏମିତି ସମୟ ହେଲା, ମଜୁରିଆ ମିଳିଲେନି । ଯିଏ ଯାହା ଫସଲ ଅମଳରେ ବ୍ଯସ୍ତ ଥିଲେ । ବାପ-ପୁଅ ମିଶି ଧାନ କାଟି ଖଳାକୁ ଆଣିଲା ବେଳକୁ ଚାରିଦିନ ବିତି ଗଲାଣି । ଖଳାରେ ଗଦିଆ ହୋଇଛି ଧାନ । ପ୍ରାଚୀ ମେସିନ୍ରେ ଧାନ ଅମଳ ପାଇଁ ସମସ୍ତେ ନିର୍ଭରଶୀଳ । ରାତି ପାହିଲେ ଧାନ ଅମଳ ହେବ । ସନ୍ଧ୍ୟା ସାତଟା ବାଜେ ନ ବାଜେ ହୋଇଛି । ଆରମ୍ଭ ହୋଇଗଲା ପବନ ଓ ବର୍ଷା । ଚାହୁଁ ଚାହୁଁ ଅଢ଼େଇଶହ କି.ମି ବେଗରେ ପବନ ।
ଘରଦ୍ୱାର, ଗଛପତ୍ର କିଛି ରଖିଲାନି । ଖଳାରୁ ଉଡ଼ିଗଲା ଧାନବିଡ଼ା ସବୁ । ବୁଲା ସାହୁ ମୁଣ୍ଡରେ ଚଡ଼କ ; ଋଣ ଆଣିଛି ସୁଝିବ କେମିତି ? ବୁଲା ସାହୁ ଘରଟି ବି ଉଡ଼ି ଯାଇଛି । ସକାଳୁ ପବନ ବର୍ଷା କମିବା ପରେ ବିଭତ୍ସ ଦୃଶ୍ଯ ଦେଖି ହତବାକ ଗ୍ରାମବାସୀ । ଚାରିଆଡେ ଗଛ ପଡ଼ି ରାସ୍ତା ଅବରୋଧ । ଖଳାରେ ବିଡ଼ାଟେ ବି ଧାନ ନାହିଁ । ଦଇବର ଦାରୁଣ ପ୍ରହାରରେ ସବୁକିଛି କ୍ଷିନ୍ନଭିନ୍ନ । ସର୍ବସ୍ୱାନ୍ତ କରିଦେଲା ଏ ଝଡ଼ । ଦୁଇ-ଚାରି ଦିନ ଭିତରେ ଗଛ କଟା ହୋଇ ରାସ୍ତା ସଫା ହୋଇଗଲା । ଖରା-ବର୍ଷା-ଶୀତ କାକରରେ ସଢ଼ୁଛନ୍ତି ଗ୍ରାମବାସୀ ଏବଂ ଅଞ୍ଚଳ ସାରାର ଅନେକ ଲୋକ । ସାତଦିନ ବିତି ଗଲାଣି ; କେହି ସରକାରୀ ବାବୁ ମାନଙ୍କର ଦେଖା ନାହିଁ । ଆଠଦିନ ଗତ ହେବା ପରେ ଗାଁକୁ ଆସିଲା ପଲିଥିନ୍ । ପଲିଥିନ୍ ପକାଇ ରହିଲେ ସମସ୍ତେ । ଯାହାର ଛାତଘର ; ସେ ଆରାମରେ ଅଛି । ଚୁଡ଼ା, ଚାଉଳ ଏମିତିକି ରନ୍ଧା ଖାଦ୍ଯ ବି ମିଳିଲା । ଯାହା ହେଉ ସରକାରଙ୍କ ଜରିଆରେ ଇନ୍ଦିରା ଆବାସ ମିଳିଲା । ବୁଲା ସାହୁ ବି ଇନ୍ଦିରା ଆବାସଲେ ଛାତଘରଟିଏ କଲେ । ଋଣ ଛାଡ୍ କରିବାକୁ ସରପଞ୍ଚ, ନେତା। ମନ୍ତ୍ରୀଙ୍କୁ ନେହୁରା ହୋଇଛି । ଯାହା ବି ହେଉ ପୂରା ଋଣ ଛାଡ୍ ଘୋଷଣା କଲେ ସରକାର ।
ଲୋକମାନେ ଅଣ୍ଟା ସଳଖି ଛିଡା ହେବା ବେଳକୁ ପୁଣି ପାଞ୍ଚ ବର୍ଷ ବିତିଗଲା ; ଆସିଗଲା ନିର୍ବାଚନ ସମୟ । ଏଥରକ କିନ୍ତୁ ପଞ୍ଚାୟତର ନିଷ୍ପତ୍ତି ବୀରସେନ ଏମ.ଏଲ୍.ଏ କ୍ଯାଣ୍ଡେଟ୍ ହେଉ । ଲାଗିପଡ଼ି ଦଳୀୟ ଟିକେଟ୍ ଖଣ୍ଡେ ମିଳିଲା । ଏମ୍. ଏଲ. ଏ ପାଇଁ ଲଢ଼ିଲା ବୀରସେନ । ଦ୍ବାର ଦ୍ବାର ବୁଲି ମତଭିକ୍ଷା କଲା । ସମସ୍ତେ ଲାଞ୍ଚଲୁଞ୍ଚା ଦେଲେ ; ହେଲେ ବୀରସେନ କାହାକୁ ଗୋଟେ ଟଙ୍କା ବି ଦେଇନି । ସେ କହିଛି -"ଜନତା ଯାହାକୁ ଉପଯୁକ୍ତ ମଣିବେ, ତାକୁ ନିର୍ବାଚନରେ ନିର୍ବାଚିତ କରିବେ । ଏଇଟା ମୋର ପ୍ରଥମ ଓ ଶେଷ ଭିକ୍ଷା । ମୁଁ ଯଦି ଏ ଅଞ୍ଚଳ ପାଇଁ କିଛି ଭଲ ଓ ଉନ୍ନତି ମୂଳକ କାର୍ଯ୍ୟ କରି ପାରିବି, ତେବେ ପରବର୍ତ୍ତୀ ନିର୍ବାଚନରେ ନିଶ୍ଚିତ ବିଜୟଲାଭ କରିବି । ମୋତେ ଆଉ କାହା ଦ୍ବାର ଉଠିବାକୁ ପଡ଼ିବନି । ବିଜୟ ପରେ ମୁଁ କ'ଣ କରୁଛି ଜନତା ଦେଖିବେ । ଏବେ କିଛି ପ୍ରତିଶ୍ରୁତି ବି ମୁଁ ଦେଇ ପାରିନି ।" ଜନ ସାଧାରଣ ସମସ୍ତଙ୍କ ଠାରୁ ଲାଞ୍ଚ ପ୍ରାପ୍ତ କଲେ । ସମସ୍ତଙ୍କର ପ୍ରଚାରରେ ଲମ୍ବା ଲାଇନ୍ ; କିନ୍ତୁ ବୀରସେନ ପ୍ରଚାରରେ ହାତଗଣତି କେତୋଟି ଲୋକ । ବୀରସେନ କାହାକୁ ବି ଲାଞ୍ଚ ଦେଇନି । ବିରୋଧୀ ଦଳ ପରିହାସ କରୁଥିଲେ । "ଦେଖ ଆମର କେତେ ସପକ୍ଷବାଦୀ, ହାତଗଣତି କେତୋଟି ଲୋକଙ୍କୁ ନେଇ ଇଏ ଲଢ଼ୁଛି ନିର୍ବାଚନ ।" ସବୁ ଶୁଣି ଚୁପ୍ ରହୁଥିଲା ବୀରସେନ । ଭାବୁଥିଲା -ଭାଗ୍ଯଚକ୍ର କେତେବେଳେ କୁଆଡ଼େ ବୁଲିବ କିଏ କହିବ ?
ଏହା ଭିତରେ ବୀରସେନର ବିବାହ ପ୍ରଥମ ନିର୍ବାଚନ ପରେ ସରି ଯାଇଥିରା । ଏବେ ନିର୍ବାଚନ ପୂର୍ବରୁ ପୁଅଟିଏ ହୋଇଛି । ବହୁଦିନ ପରେ ପୁଅଟିଏ ହୋଇଥିବାରୁ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ସାରା ପଞ୍ଚାୟତକୁ ନିମନ୍ତ୍ରଣ ଦେଇଛି ପୁଅର ଏକୋଇଶା ପାଲାକୁ । ଖୁବ୍ ଧୂମ୍ଧାମ୍ରେ ପାଳନ ହେଲା ଏକୋଇଶା । ଭଲପାଇ ବିବାହ କରିଛି ; ଗରିବ ଘରର ଝିଅ ହେଲେ ବି ସର୍ବଗୁଣ ସମ୍ପର୍ଣ୍ଣା । ମନ୍ଦିରରେ ବିବାହ କରି ସେ ଘରକୁ ଆଣିଥିଲା ବୀରୁପାକ୍ଷୀକୁ । ରୂପରେ, ଗୁଣରେ କେହି ସରି ହେବେନି ତା'ର । ପୁଅଟି ବି ଠିକ୍ ବାପ ବୀରସେନର ଚେହେରାଟିକୁ ଅବିକଳ ନକଲ କରିଛି । ପୁଅଟିର ନାମକରଣ କରାଗଲା ବୀରଭଦ୍ର । ଭଲରେ ଭଲରେ ସରିଗଲା ଏକୋଇଶା କର୍ମ । ଖିରି, ପୁରି,ପିଠା, ମିଠା, ସୁମିଷ୍ଟ ବ୍ଯଞ୍ଜନରେ ପ୍ରୀତ ହେଲେ ପଞ୍ଚାୟତବାସୀ । ବୀରଭଦ୍ରକୁ ଦୀର୍ଘାୟୁର ଆଶିର୍ବାଦ ଦେଇ ପ୍ରତ୍ଯାବର୍ତ୍ତନ କଲେ । ପ୍ରବୀର ଭାଇନା ମଧ୍ଯ ନିଜ ପାରିଶ୍ରମିକ ଦକ୍ଷିଣା ନେଇ ବୀରସେନ ଘରୁ ବିଦାୟ ନେଲେ । ଚମ୍ପାଦେବୀ ଓ ବୁଲା ସାହୁ ନାତି ମୋହରେ ଦିନ-ରାତି ଏକ କରିଦେଲେ । ଗାଁ ସାରା କୁହାକୁହି ହେଲେ - "ବୀରସେନର କୁଳୋଜ୍ଜ୍ବଳ ହୋଇଗଲା ।"
କିଛିଦିନାନ୍ତେ ଆଗତିଲା ନିର୍ବାଚନ ସମୟ । ପ୍ରତିପକ୍ଷ ଦଳ ଯେତେକ ସମସ୍ତେ ଦାନ୍ତ ଦେଖେଇ ନିକୁଟଉଥିଲେ ଯେ ଆମର ବିଜୟ ସୁନିଶ୍ଚିତ । ପୂର୍ବଦିନର ରାତ୍ରିରେ ଲୁଚାଛପାରେ ଅନେକ ଅର୍ଥ ପ୍ରାପ୍ତ କଲେ ଜନତା । ବୀରସେନ କିନ୍ତୁ ତା' ଘରେ ନିରବରେ ଥାଏ । ପଞ୍ଚାୟତ ସାରା ଭାବିଲେ ବୀରସେନର ବିରସତାର କାରଣ ସେ ପରାଜୟ ହୋଇଯିବାର ବୋଧହୁଏ । ଜଣ ଜଣ କରି ଆସି ଶାନ୍ତ୍ବନା ଦେବାରେ ଲାଗି ପଡ଼ିଲେ । ବୀରସେନ କିନ୍ତୁ ମନସ୍ତାପ କରି ନଥିଲା । ତା'ର ଉତ୍ତର ଥିଲା ଭିନ୍ନ ପ୍ରକାରର, ଯାହା ସ୍ତବ୍ଧ କରିଦେଇଥିଲା ସାରା ପଞ୍ଚାୟତକୁ । ବୀରସେନ କହୁଥିଲା କି -"ମୋର ଟିକେ ବି ଦୁଃଖ ନାହିଁ ଭାଇମାନେ । ଜିତିବା ଓ ହାରିବା ଉଭୟ ଭାଗ୍ଯ ଓ ଭଗବାନଙ୍କ ହାତରେ । ମୁଁ କେବଳ ମୋର କର୍ମ କରିଛି । ନ୍ଯାୟ ପଥରେ ଚାଲୁଛି, ଅନ୍ଯାୟ ପଥ ଆପଣେଇନି । ଘର ଘର ବୁଲି ଲାଞ୍ଚ ଦେଇ ମତ କ୍ରୟ କରିନି । ମତେ ବି କେହି ମୁଣ୍ଡ ବିକ୍ରି କରିନାହିଁ । ମୁଁ ଜନସମାଜର ଜନୈକ ସେବକ ମାତ୍ର ; ଜନସେବା ମୋର ଧର୍ମ । ଜିତିଲେ ସେବା କରିବି, ହାରିଲେ ବି ସେବା କରିବି । ଏଥିରେ ଦ୍ବିମତ ନାହିଁ ମୋର । ଜିତିବା-ହାରିବା ସଂସାରକୁ ଲାଗିଛି । ଜଣେ ଯଦି ଜିତିବ, ଆଉ ଜଣେ ହାରିବାକୁ ପଡ଼ିବ । ଜିତିଲେ ଖୁସି ହେବିନି କି ହାରିଲେ ଦୁଃଖ କରିବିନି । ଆପଣ ମାନଙ୍କର ସ୍ନେହ-ଶ୍ରଦ୍ଧା ଓ ଭଲପାଇବା ହିଁ ମୋର ବିଜୟ ବୋଲି ଭାବି ନେଇଛି । ଆପଣ ମାନଙ୍କର ମୋ' ଉପରେ ଥିବା ବିଶ୍ବାସକୁ ମୁଁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବଚନବଦ୍ଧ ।"
ସତରେ କେତେ ମହାନ ଏ ବୀରସେନ ! ଏଭଳି ପୁଅଟେ ପାଇ ତା'ର ବାପା-ମାଆ ଯେତିକି ଧନ୍ଯ ନୁହଁନ୍ତି ; ଏ ପଞ୍ଚାୟତ ଓ ଆମ ଅଞ୍ଚଳ ଏଇଭଳି ବ୍ଯକ୍ତିତ୍ବ ପାଇ ଧନ୍ଯ ହୋଇଯାଇଛି । ସମସ୍ତେ କହି ବୁଲିଲେ ବୀରସେନ ଆମ ଅଞ୍ଚଳର ପ୍ରକୃତ ବୀର । ଅଞ୍ଚଳ ସାରା ଚର୍ଚ୍ଚା ଚାଲିଲା ବୀରସେନର ବୀରତ୍ୱ ଗାଥା । କହି ବୁଲିଲେ ସମସ୍ତେ - "ବିରଳ ବ୍ଯକ୍ତିତ୍ବ ବୀରସେନ ।" ଆସି ପହଞ୍ଚି ଗଲା ନିର୍ବାଚନ ଦିବସ । ସକାଳ ସାତଟାରୁ ଚଳଚଞ୍ଚଳ ହୋଇ ଉଠିଲା ସାରା ଅଞ୍ଚଳ । ଯେଉଁଠି ବଡ଼ ବଡ଼ ସରକାରୀ ବାବୁ ମାନଙ୍କର ପାଦ ଦିନେ ହେଲେ ପଡୁ ନଥିଲା, ସେଠି କାର୍, ବାଇକ୍, ସାଇକେଲ୍ ଏବଂ ଦଳ ଦଳ ନେତା-କୁଜିନେତାଙ୍କର ଆତଯାତ । ନିର୍ବାଚନ ପୂର୍ବରୁ ଜାତି-ଅଜାତିର ବାଛ ବିଚାର ନ କରି ସାଙ୍ଗରେ ବସି ଶୁଖୁଆ ପୋଡ଼ା ଆଉ କନିସିରି-କଳମ୍ବ ଶାଗ ସାଙ୍ଗକୁ ପଖାଳ ଖାଇବାର ଦୃଶ୍ଯ ବେସ୍ ନିଆରା ଥିଲା । ପଦବୀ ପ୍ରାପ୍ତ ପରେ ଦୀନଦୁଃଖୀଙ୍କୁ ଦେଖିନାକଟେକା ନେତା ମାନଙ୍କର ଭିତରର ରୂପଟାକୁ ଚିହ୍ନଟ କରି ଦେଉଥିଲା । ସେତେବେଳେ ନିଆରା, ଯେତେବେଳେ ଲୋକେ ଯାହାର ଖାଉଥିଲେ ତା'ର ଗଣଗାନ କରୁଥିଲେ । ଏବେ କିନ୍ତୁ ଯାହାର ଖାଇଲେ ତା' ଟାଙ୍କ ଛେଦିଲେ ।
ଜନତା ଠିକ୍ ଭାବେ ଚିହ୍ନି ସାରିଲେଣି ଏବେକାର ନେତା ମାନଙ୍କୁ । ଆମ ତଣ୍ଟିଚିପା ଧନରେ ବଡ଼ ବଡ଼ ପ୍ରାସାଦର ଶୀତତାପ ନିୟନ୍ତ୍ରଣର ନିବାସ ଛିଡ଼ା କରାଇ ମାଛ-ମାଂସ-ଅଣ୍ଡା ଭୋଜନ କରି ମଠରେ ଖାଇ ଖଟରେ ଶୋଇଛନ୍ତି ନେତାମାନେ । କାହାର ଦୁଃଖ ବୁଝିବାକୁ ତାଙ୍କ ପାଖରେ ବେଳ କାହିଁ ? ବନ୍ଯା-ବାତ୍ୟା-ମରୁଡ଼ି ମେରୁହାଡ ଭାଙ୍ଗି ଦେଲା ପରେ କୁକୁରକୁ ମାଂସ ଖଣ୍ଡେ ଫୋପାଡ଼ିବା ପରି ବିସ୍କୁଟ୍ ପକେଟ୍ଟେ କିମ୍ବା ବହୁଦିନରୁ ସଞ୍ଚିତ ପିତା ଚୁଡ଼ା ପୋଷେ ଫୋପାଡ଼ି ଦେଇ କର୍ତ୍ତବ୍ୟ କରିଛନ୍ତି ବୋଲି ଭାବି ନିଅନ୍ତି ଅଧୁନା ନେତାମାନେ । ଆମରି ଧନରେ ଧନି ହୋଇଥିବା ନେତା ଆମକୁ ଦେଖାନ୍ତି ତୋଡ଼ । ଆମ ଧନ ଆମକୁ ଦେଇ ବାଃ,ବାଃ ନିଅନ୍ତି ନେତା । ଯୋଜନା ପରେ ଯୋଜନା ଖଞ୍ଜି ଦିଆଯାଏ ; ଯୋଜନାର ଅର୍ଥ ତାଙ୍କ ନିଜସ୍ବ ନୁହେଁ । ସେ ସମସ୍ତ ଆମରି ଅର୍ଥ ; ଆମରି ପାଖକୁ ଆସେ । ପ୍ରକୃତ ହିତାଧିକାରୀ କିନ୍ତୁ ଯୋଜନାରେ ଅନ୍ତର୍ଭୁକ୍ତ ନଥାଏ । ଥିଲା ବାଲା ଲାଲେଲାଲ୍ ; ନଥିଲା ବାଲା ମୁଣ୍ଡ ପିଟି ପିଟି ଭଙ୍ଗା କଳଙ୍କି ଟିଣ ପାଲଟି ମାଟିରେ ମିଶିଯାଏ । ଯୋଜନା ଅର୍ଥରୁ ଅର୍ଦ୍ଧେକ ଅସୁରଙ୍କ ପାଟିରେ ଯାଏ ଏବଂ ଆଉ ଅଧାରୁ ଏକ ପ୍ରତିଶତ ଲାଞ୍ଚଲୁଞ୍ଚାରେ ଗଲା ପରେ ଯାହା ବଳେ, ସେ ସମୁଦ୍ରକୁ ଚଳୁଏ ମାତ୍ର । ପାଞ୍ଚ ଟଙ୍କିଆ ଭାତ-ଡ଼ାଲମାର ମୂଲ୍ଯ ବା କ'ଣ ? କୋଉ ଗରିବ ପାଟିରେ ଯାଉଛି କି ? ବଡ଼ ବଡ଼ ବଡ଼ ବାବୁମାନେ ଥାଳି ପତେଇ ଛିଡ଼ା ହୋଇଥା'ନ୍ତି । ଏ ହେଉଛି ଆମ ଗଣତନ୍ତ୍ର ଶାସନ ।
ନିର୍ବାଚନ ସରିଲା ; ଭୋଟ୍ ବାକ୍ସ ଗଲା ଲଦା ହୋଇ । ଲୋକମାନେ ଜଣଙ୍କର ଖାଇଲେ ଓ ଆଉ ଜଣଙ୍କର ଗାଇଲେ । ସବୁ ନେତାଙ୍କ ଠାରୁ ଅର୍ଥ କ୍ଷେପି ବୀରସେନକୁ ଭୋଟ୍ ଦେଲେ । ବିପୁଳ ସଂଖ୍ୟାରେ ମତ ପ୍ରାପ୍ତ କରି ବିଜୟଲାଭ କଲା ବୀରସେନ । ଏବେ ସେ ଆଉ ପୂର୍ବର ସେ ବୀରସେନ ହୋଇନାହିଁ ; ଏବେ ସେ ବୀରସେନ ବାବୁ ବନି ଯାଇଛି । ନିର୍ବାଚିତ ହେବାର କିଛି ଦିନ ପରେ ଜଣ ଜଣ କରି ବୀରସେନ ପାଖକୁ ଆସି ନିଜ ନିଜର ଅଭାବ ଅସୁବିଧା କଥା କହି ଗୁହାରି କଲେ । ବୀରସେନ ସମସ୍ତଙ୍କୁ ସମୟ ମାଗିଲା ; ସବୁ ଅଭାବ ପୂରଣ କରିବାର ପ୍ରତିଶ୍ରୁତି ଦେଲା । ଅନ୍ଧାରରେ ସଢ଼ୁଥିବା ଗାଁରେ ବିଜୁଳି ଆଲୋକର ବ୍ଯବସ୍ଥା, ଘରେ ଘରେ ପାଇଖାନା, ସମସ୍ତ ଦୁଃଖୀରଙ୍କୀଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିଲା । ଅପନ୍ତରା ଅଞ୍ଚଳକୁ ରାସ୍ତାଘାଟର ସୁବିଧା କରିଦେଲା । ରାସ୍ତାଘାଟ ଆଲୋକମାଳାରେ ଝଲସି ଉଠିଲା । କୃଷିଋଣ ଛାଡ଼ କରି ସମସ୍ତଙ୍କର ପ୍ରଶଂସନୀୟ ହେଲା । ବାର୍ଦ୍ଧକ୍ୟ ଭତ୍ତା ପରିବର୍ଦ୍ଧିତ କରି ସେ ଉଚ୍ଚପ୍ରଶଂସିତ ଏବଂ ସବୁରି ଆଶିର୍ବାଦର ପାତ୍ର ପାଲଟି ଗଲା ବୀରସେନ । ଯାହାଠୁ ଶୁଣ ଗୋଟିଏ କଥା - "ଆମ ବୀରସେନ ବାବୁ ବହୁତ ଭଲ । ସେ ମଣିଷ ନୁହଁନ୍ତି, ସେ ଦେବତା । ସେ ଆମର ହର୍ତ୍ତାକର୍ତ୍ତା - ଦୈବ ବିଧାତା ।"
ବୀରସେନର ଖାତିର ବଢ଼ିଗଲା । ନିର୍ବାଚନରେ ହାରି ଯାଇଥିବା ନେତାମାନେ ରାଗ ରଖି କୁଟଚକ୍ରାନ୍ତ ରଖିଲେ । ବିରୋଧି ଦଳ ନେତା ମାନଙ୍କର କୁଟଚକ୍ରାନ୍ତକୁ ଟିକେ ମଧ୍ୟ ଭ୍ରୁକ୍ଷେପ କଲାନି ବୀରସେନ । ବୀରସେନ କହେ - "ଭୟ କାହାକୁ ଡ଼ର କାହାକୁ, ଠାକୁର ଅଛନ୍ତି ଚଉବାହାକୁ । ମୋ' ପାଇଁ ଜନତା ଜନାର୍ଦ୍ଦନ ପ୍ରକୃତ ଇଶ୍ବର ; ଚଳନ୍ତି ଠାକୁର କହିଲେ ଚଳେ । ଏତେ ପରିମାଣରେ ଠାକୁର ଥାଉ ଥାଉ ମୋର କିଏ ବା କ'ଣ କରିବ ? ମୁଁ ତ ଏ ଅଞ୍ଚଳରୂପି ମନ୍ଦିରରେ ଠାକୁର ମାନଙ୍କ ପାଖରେ ହିଁ ଅଛି । ଏ ଭୁତମାନେ ଏଠାକୁ ଆସି ମୋର କି କ୍ଷତି କରିବେ ?" ଏଭଳି ବକ୍ତବ୍ୟ କେବଳ ସତ୍ଯନିଷ୍ଠ,ନ୍ଯାୟବନ୍ତ ମହାନ ବ୍ଯକ୍ତିଙ୍କ ତୁଣ୍ଡରୁ ଶୁଣିବା ପାଇଁ ମିଳେ । ବୀରସେନ କହେ "ଜନସେବା ହିଁ ଦେବସେବା । ମନ୍ଦିର ଯାଇ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ଯେତିକି ପୁଣ୍ଯ ନମିଳେ, ଜନତାଙ୍କ ସେବାରେ ତତୋଽଧିକ ପୁଣ୍ଯ ପ୍ରାପ୍ତ ହୁଏ । ପଥର ମୂର୍ତ୍ତିରେ ମଥା ପିଟି ଲାଭ କ'ଣ ? ଜୀବନ୍ତ ଠାକୁର ତ ଏଇ ଜନତା । ତାଙ୍କ ମୁହଁରେ ହରଷତା ଆଣି ପାରିଲେ ଶତ ଜନ୍ମର ତପ ଫଳ ପରି ପୁଣ୍ଯ ଲାଭ ।" ଏଭଳି ବାକ୍ଯ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।
ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ନେତାମାନେ ବୀରସେନକୁ ରାସ୍ତାରୁ ହଟେଇ ଦେବାର ହନ ଚକ୍ରାନ୍ତ ରଚିଲେ । ଯୋଜନା ପରେ ଯୋଜନା କରି ଚାଲିଲେ ସମସ୍ତେ ; ସବୁଥିରେ ବିଫଳ ହେଲେ । ଗାଦିଚ୍ଯୁତ କରିବାକୁ ଚେଷ୍ଟା କରି ଅନାସ୍ଥା ପ୍ରସ୍ତାବ ଆନୟନର ବ୍ଯବସ୍ଥା କରିବାକୁ ଲାଗିଲେ । ବଡ଼ ବଡ଼ ନେତା ମାନଙ୍କ ସହ ହାତ ମିଶେଇ ଫନ୍ଦିଫିକର କଲେ ; କିନ୍ତୁ କେଉଁଥିରେ ବି ସଫଳତା ପ୍ରାପ୍ତ କଲେ ନାହିଁ । ନୈରାଶ୍ଯର କଳାବାଦଲ ଢ଼ାଙ୍କି ଦେଇଥିଲା ନିର୍ବାଚନରେ ପରାଜିତ ନେତା ମାନଙ୍କ ମୁଖମଣ୍ଡଳରେ । ସଂଙ୍ଘବଦ୍ଧ ଭାବେ ବିଚାର ଚାଲିଥିଲା କିପରି ବୀରସେନକୁ ବିନାଶ କରିବେ । ବୀରସେନର ଅଞ୍ଚଳବାସୀ କିଛି ଜଣ ଏ ଷଡ଼ଯନ୍ତ୍ରକୁ ଅନୁଭବ କରିପାରି ବୀରସେନ ଆଗରେ ବର୍ଣ୍ଣନା କରୁଥିଲେ । ଦିନେ ସନ୍ଧ୍ଯାରେ ବୀରସେନ ଦାଣ୍ଡ ବାରଣ୍ଡାରେ ବସିଥାଏ । ଏଥରର ନୂଆ ସରପଞ୍ଚ ହୋଇଥିବା ପାଖ ଗାଁ ଶିରିଆପଡ଼ାର ବାଲ୍ମିକୀ ପାଟ୍ଟଶାଣୀ ଆସି ପହଞ୍ଚିଲେ ଏବଂ ତାଙ୍କ ସହ ଥିଲେ ନାଏବ ସରପଞ୍ଚ କାଳିଆ ନାୟକ । ବାଲ୍ମିକୀ ପଚାରିଲେ -" ବୀରସେନ ବାବୁ ! ଏଠି ଏକା ଏକା ବସି କ'ଣ ଭାବୁଛନ୍ତି ?" ବୀରସେନର ଉତ୍ତର ଥିଲା - "ନାଇଁ ଏମିତି.....। ଆଉ ଆମ ଆଡ଼େ କୁଆଡ଼େ ଏ ସମୟରେ ମାଡ଼ି ଆସିଲେ କହିଲେ ?" କାଳିଆ ନାୟକ ଉତ୍ତର ଦେଲେ -"ଏମିତି ସାର୍ଙ୍କ ସହ ବୁଲୁଥିଲି । ଭାବିଲୁ ଟିକେ ଆପଣଙ୍କ ଘର ଆଡ଼େ ମାଡ଼ି ଆସିବୁ । ସେଲାଗି ଚାଲି ଆସିଲୁ ।" ବୀରସେନ ତାଙ୍କୁ ଘର ଭିତରକୁ ଡ଼ାକି ନେଇ ଚୌକି ତିନୋଟି ପକାଇ ବସିବାକୁ କହିଲା ଏବଂ ନିଜେ ବି ପାଖରେ ବସିଲା ।
ଭିତରୁ ଡ଼ାକ ଛାଡ଼ିଲେ ବୁଲା ସାହୁ - "କିଏ ଆସିଛନ୍ତି କିରେ ବୀର ?" ବୀରସେନ ଉତ୍ତର ଦେଲା - "ବପା ! ସରପଞ୍ଚ ଓ ନାଏବ ସରପଞ୍ଚ ଆସିଛନ୍ତି ।" ଭିତରୁ ବାହାରି ଆସିଲେ ବୁଲା ସାହୁ । ବଙ୍କୁଲିବାଡ଼ିଟି ଧରି ନଇଁ ନଇଁ ଥରଥର ଦେହରେ ଆସି ପହଞ୍ଚି ଗଲେ ଦାଣ୍ଡଘରେ ବୁଲା ସାହୁ । ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି । ବଳ ବୟସ ବି ଆଉ ନାହିଁ ; ଜରାଜୀର୍ଣ୍ଣ ଅବସ୍ଥାରେ ଉପନୀତ ବୁଲା ସାହୁ । ତଳେ ବସି ପଡ଼ିଲେ ଲଥ୍କିନା ବୁଲା ସାହୁ । କାଳିଆ ନାୟକ ଓ ବାଲ୍ମିକୀ ପାଟ୍ଟଶାଣୀ ଉଠି ଛିଡ଼ା ହେଲେ ଏକସଙ୍ଗେ ଏବଂ ଏକସ୍ୱରରେ କହିଲେ - "ଆଜ୍ଞା, ତଳେ ବସିଲେ ! ଉପରକୁ ଆସନ୍ତୁ। ଚୌକିରେ ବସନ୍ତୁ ।" ବୁଲା ସାହୁ ହାତ ହଲେଇ ବାରଣର ସଙ୍କେତ ଦେଇ କହିଲେ - "ନାଇଁ ବାବୁ, ଆପଣ ବସନ୍ତୁ, ମୁଁ ଏଇଠି ଠିକ୍ ଅଛି । ବଳ ବଅସ ତ ଗଲା, ଏବେ ଖାଲି ଆରପାରି ଯିବା ପାଇଁ ଦିନ ଗଣୁଛି । ଯାହା ଜମିବାଡ଼ି ଥିଲା ଝିଅ ବାହାଘରରେ ବିକିଭାଙ୍ଗି ଶେଷ କରି ଦେଇଛି । ସୁନା ଗହଣା ବି ସରି ଯାଇଛି । ଏ ଘର ଖଣ୍ଡକ ବି ବାଡ଼ିପଡ଼ା ବତାସ ଉଡ଼େଇ ନେଇଗଲା । ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବାରୁ ବୁଢ଼ା କାଳେ ଛାତଘର ଖଣ୍ଡେ ଦେଖିଲି । ବୁଢ଼ୀଟା ବି ଶେଯ ଧରି ଦୁଇ ବର୍ଷ ହେଲାଣି ପଡ଼ିଛି ।"
ବୁଲା ସାହୁଙ୍କ କଥା ଶୁଣି ଆଖିରୁ ଲୁହ ଝରି ଯାଉଥିଲା ସରପଞ୍ଚ ବାଲ୍ମିକୀ ଓ ନାଏବ ସରପଞ୍ଚ କାଳିଆ ନାୟକଙ୍କର । ତଥାପି ଲୁହକୁ ଚାପି ରଖିଥିଲେ ଦିହେଁ । ବୋଧେ କିଛି ଗୋଟେ ଭାବୁଥିଲେ । ବାଲ୍ମିକୀ ପଚାରିଲେ ବୀରସେନକୁ - "ବାପାଙ୍କ ବୟସ କେତେ ହେଲା ?" ବୀରସେନ କିଛି କହିବା ପୂର୍ବରୁ ବୁଲା ସାହୁ ତା' ପାଟିରୁ କଥା ଛଡ଼େଇ ନେଇ କହିଲେ - "ମତେ ନବେ ପାଞ୍ଚ ବର୍ଷ ହେଲା ଆଜ୍ଞା ।" ପଞ୍ଚାନବେ ବର୍ଷର ବୃଦ୍ଧ ବର୍ତ୍ତମାନ ବୁଲା ସାହୁ । କାଳିଆ ନାୟକ ପ୍ରଶ୍ନ କଲେ - "ମାଆଙ୍କର କ'ଣ ହୋଇଛି ?" ବୀରସେନ ଉତ୍ତର ଦେଲା -"ପାରାଲିସିସ୍ ।" ଚୌକିକୁ ପାଖକୁ ଟାଣି ଆଣି ବସି ପଡ଼ିଲେ କାଳିଆ ଓ ବାଲ୍ମିକୀ । ବୁଲା ଥଙ୍ଗଥଙ୍ଗିଆ ପାଟିରେ ଡ଼ାକ ଛାଡ଼ିଲେ -" ଆଲୋ ହେ ବୋହୂ ! ଚା' ବିସ୍କୁଟ୍ ଟିକେ ଆଣେ, ଦୁଇଜଣ ଅତିଥି ଆସିଛନ୍ତି ପରା ।" ବୋହୂ ବୀରୁପାକ୍ଷୀ ଭିତରୁ ଉତ୍ତର ଦେଲା - "ନଉଛି ବାପା, ଚା' ସରିଲାଣି । ନେଇକି ଯାଉଛି ।" ଏମାନେ ଆସିବା ଜାଣି ବୀରୁପାକ୍ଷୀ ଚା' ପ୍ରସ୍ତୁତ କରି ସାରିଥା'ନ୍ତି । ହାତେ ଲମ୍ବର ଓଢ଼ଣା ଟାଣି ପଦ୍ମପାଦ ଚାଲି ପକେଇ ଚା' ଓ ବିସ୍କୁଟ୍ ଧରି ପହଞ୍ଚିଲେ ବୀରୁପାକ୍ଷୀ । ଚା'- ବିସ୍କୁଟ୍ ଧରେଇ ଦେଇ ଭିତରକୁ ଚାଲିଗଲେ ବୀରୁପାକ୍ଷୀ । ସମସ୍ତେ ଚା' ପିଇଲେ ; କେବଳ ବୁଲା ସାହୁଙ୍କୁ ଛାଡ଼ି । କାଳିଆ କହିଲେ - "ବାପା ଚା' ପିଇ ନଥା'ନ୍ତେ ?" ବୁଲା ସାହୁ କହିଲେ - " ନାଇଁ ବାବୁ, ମୁଁ ଏବେ ଭାତ ଖାଇ ଉଠୁଛି ।"
ଭିତରୁ ବୀରୁପାକ୍ଷୀ ଡ଼ାକ ଛାଡ଼ିଲେ -"ବାପା ! ଆସନ୍ତୁ ଔଷଧ ଖାଇବେ ।" ବୁଲା ସାହୁ କହିଲେ - "ହଁ ମା', ଯାଉଛି ।" ଥରଥର ହୋଇ ଉଠି ବଙ୍କୁଲିବାଡ଼ି ଧରି ଭିତରକୁ ଚାଲିଗଲେ ବୁଲା ସାହୁ । ବାଲ୍ମିକୀ କହିଲେ - "ବୀରସେନ ବାବୁ ! ଗୋଟେ କଥା ଜଣେଇ ଦେବାର ଥିଲା ଆପଣଙ୍କୁ ।" ବୀରସେନ ଉତ୍ତର ଦେଲା - "କୁହନ୍ତୁ ; କି କଥା ?" ବାଲ୍ମିକୀ କହିଲେ - "ନିର୍ବାଚନ ପରେ ପ୍ରତିପକ୍ଷ ଦଳମାନେ ତାତିକି ଅଛନ୍ତି । ନିର୍ବାଚନରେ ଅମାନତ ଭାବେ ହାରିବା ପରେ ଘୋର ଅପମାନ ହୋଇଛି ତାଙ୍କୁ । ଯୋଉମାନେ ତୁଙ୍ଗ ନେତା ଥିଲେ, ସେମାନେ ବି ଏ ନିର୍ବାଚନରେ ଧରାଶାୟୀ ହୋଇଗଲେ । ଅପର୍ଯ୍ଯାପ୍ତ ଅର୍ଥ ବ୍ଯୟ କରି ବି ଜିତାପଟ ହେଲାନି ତାଙ୍କର । ଜନତା ଜଣଙ୍କର ଖାଇଲେ ଏବଂ ଅନ୍ଯ କାହାର ଗୁଣଗାନ କଲେ । ତାଙ୍କର ରାଗ ସେଇଠି ରହିଛି ।" ବୀରସେନ ଟିକେ ମୁରୁକିହସା ଦେଇ କହିଲା - "ଲୋକମାନେ ଆଉ ମୁର୍ଖ ନାହାନ୍ତି ସମସ୍ତେ ଜାଣିଲେଣି ଆଜିକାର ନେତା ମାନଙ୍କ କଥା । ଏଠି ନେତା ଯେତେ ସକ୍ରିୟ ନୁହଁନ୍ତି କୁଜିନେତାଙ୍କର ତା'ତହୁଁ ଭାଉ । ମୁଁ ତ କାହାରିକୁ ଟଙ୍କାଟେ ବି ଦେଇନାହିଁ । ତେବେ ସେମାନେ ମୋତେ କାହିଁକି ଭେଟ୍ ଦେଲେ ?"
ଟିକେ ସମୟ ଚୁପ୍ ରହି ବାଲ୍ମିକୀ କହିଲେ - "ଲୋକମାନେ ଏଥର ଉଚିତ୍ ମତଦାନ କରିଛନ୍ତି । ଅସ୍ତ୍ରର ଜବାବ କିପରି ଅସ୍ତ୍ରରେ ଦିଆଯାଏ, ଜନତା ଠିକ୍ ଭାବେ ଦେଖେଇ ଦେଇଛନ୍ତି । ବର୍ତ୍ତମାନ ହିଂସାର ନିଆଁ କୁହୁଳୁଛି । ଶାନ୍ତିର ଶୀତଳ ଜଳ ସ୍ପର୍ଶ ନ କରିବା ଯାଏଁ ସେ କ'ଣ ଲିଭିବ ?" କାଳିଆ କହିଲେ କି - "ଆପଣ ସତର୍କତା ଅବଲମ୍ବନ କରନ୍ତୁ । ଆମେ ଯେତିକି ଖବର ପାଇଛୁ, ସେମାନେ ଆପଣଙ୍କର କିଛି ବି କ୍ଷତି ଘଟାଇ ପାରନ୍ତି । ଅନେକ ଯୋଜନା କରି ତ ଫେଲୋର ହୋଇଛନ୍ତି, ତଥାପି ଚେତି ନାହାନ୍ତି । ଚାଲିଛି ଯୋଜନା ପ୍ରସ୍ତୁତ ; କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରନ୍ତି ।" ବୀରସେନ ଟିକେ ସମୟ ନିରବତା ରକ୍ଷା କରି କହି ଉଠିଲା - "ସମୟ ବଡ଼ ବଳବାନ । ଭାଗବତରେ କ'ଣ ଲେଖାଅଛି ଜାଣିଛନ୍ତି ତ ?" ବାଲ୍ମିକୀ କହିଲେ -ଯେତେହେଲେ ସୁଦ୍ଧା........... ବୀରସେନ ଭାଗବତର ସେ ବାଣୀଟି ଶୁଣାଇ ଦେଲେ -
"ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହେଲେ ବି ମରଇ ।"
କାଳିଆ କହିଲେ - "ଏଇଟା ଅବଶ୍ଯ ସତ ; ଜନ୍ମ ମାତ୍ରେ ମୃତ୍ଯୁ ସତ୍ଯ । ତଥାପି ବି ଆମେ ସତର୍କ ରହିବା କଥା ।" ବୀରସେନ କହିଲା - "ମୋର ମୃତ୍ଯୁର ଭୟ ନାହିଁ ; ଭାଗବତରେ ଅଛି - "କର୍ମ ମୋର ନିଜ ଗୁରୁ - ଉଦ୍ଧବ କେତେ ତୁ ପଚାରୁ । କର୍ମ କରି ଚାଲିଛି, ଫଳ ଦେବେ ପରମେଶ୍ବର ।"
ବାଲ୍ମିକୀ କହିଲେ - "ତଥାପି ଆମେ ଅଛୁ ଆପଣଙ୍କ ସହିତ । ଏ ଅଞ୍ଚଳ ମଧ୍ୟ ଆପଣଙ୍କ ସପକ୍ଷରେ ଅଛି । ତଥାପି ମଧ୍ୟ କିଛି କହି ହେବନି । ଆପଣ ସତର୍କତା ହିଁ ଅବଲମ୍ବନ କରିବାକୁ ପଡ଼ିବ । ଆପଣ ଯେମିତି ତାଙ୍କ ଚକ୍ରବ୍ଯୁହର ଶିକାର ନ ହୁଅନ୍ତି ; ସେ ଦିଗ ପ୍ରତି ସଜାଗ ଥିବେ ।" କାଳିଆ କହିଲେ - "ସେମାନେ ଆପଣଙ୍କୁ ହତ୍ଯା କରିବାର ଷଡ଼ଯନ୍ତ୍ର କରୁଛନ୍ତି । ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସଦାସର୍ବଦା ଚେଷ୍ଟିତ ହୁଅନ୍ତୁ । ସବୁବେଳେ ସମୟ ସମାନ ନଥାଏ ।" ବୀରସେନ ଉତ୍ତର ଦେଲା - "ଚିନ୍ତା କରନି, ସେମାନେ ମୋର କିଛି ବି କ୍ଷତି କରି ପାରିବେନି । ମୁଁ ଖାଲି ଏ ଗାଁର ପୁଅ ନୁହେଁ, ଏ ଅଞ୍ଚଳର ପୁଅ । ମୋ' ଅଞ୍ଚଳ ମୋ' ବାପା-ମାଆ ସବୁକିଛି । ଏ ଅଞ୍ଚଳ ପାଇଁ କିଛି କରିବାକୁ ଯାଇ ଯଦି ଜୀବନ ଚାଲିଗଲା ତେବେ ମୁଁ ସାର୍ଥକ ହୋଇଗଲି ଭାବି ନେବ । ମୁଁ କେବଳ ମୋ' ଅଞ୍ଚଳ କଥା କହିଲି ; ଅନ୍ୟ ଦୃଷ୍ଟିରେ ଦେଖିବାକୁ ଗଲେ ମୋ' ଦେଶ ମୋ' ଜନନୀ । ଏ ଦେଶ ପାଇଁ କେତେ ବୀର ଶହୀଦ ହୋଇ ଆଜି ଇତିହାସର ରୌପ୍ଯ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ଚିର ଅମର ହୋଇ ରହିଛନ୍ତି । ମୁଁ ଯଦି କିଛି କରିବାକୁ ଯାଇ ମରିଯାଏ, ତେବେ ଶୋଚନା ନାହିଁ । ବିବେକାନନ୍ଦଙ୍କର ଅମର ବାଣୀ - ମାନବ ସେବା ହିଁ ମାଧବ ସେବା, କ'ଣ ଭୁଲିଗଲ କି ?"
ଆଉ କେହି କିଛି କହିବାକୁ କାହା ପାଟିରେ ଭାଷା ନାହିଁ । କାଳିଆ କହିଲେ - "ଆପଣଙ୍କ ଦୃଢ଼ତା ପାଖରେ ଆମେ ନତମସ୍ତକ ।" ବାଲ୍ମିକୀ କହିଲେ - "ଏଭଳି ନେତା ଆମ ଅଞ୍ଚଳ ପାଇଁ ବହୁ ଆଗରୁ ଦରକାର ଥିଲା ।" କାଳିଆ ଓ ବାଲ୍ମିକୀ ଉଠି ଛିଡ଼ା ହୋଇ ହାତଯୋଡ଼ି ବିଦାୟ ମାଗିଲେ । ବୁଲେଟ୍ ଗାଡ଼ିଟାକୁ ଷ୍ଟାର୍ଟ୍ କରି ପଛରେ କାଳିଆକୁ ବସାଇ ଆଖି ସାମ୍ନାରୁ ଅନ୍ତର ହୋଇଗଲେ । ଭିତରୁ ପ୍ରବେଶ କଲେ ଦାଣ୍ଡଘରକୁ ସ୍ତ୍ରୀ ବୀରୁପାକ୍ଷୀ । ଅଇଁଣ୍ଠା ବାସନ ଓ ଚା'କପ୍ ତଳୁ ଉଠାଇ ହାତରେ ଧରି ଛିଡ଼ା ହୋଇ ବୀରସେନକୁ ଚାହିଁ କହିଲେ - "ଏ ରାଜନୀତିରୁ ଆମକୁ କ'ଣ ମିଳିବ ଯେ ? ଆମ ଚାଷବାସ ଭଲ ତ ଆମେ ଭଲ । ସେମାନେ ତାତିକି ଅଛନ୍ତି, କ'ଣ ନାଇଁ କ'ଣ କରିବେ । ଏ ରାଜନୀତି ଫାଜନୀତି ସବୁ ଛାଡ଼ । ଆମର ବିଲବାଡ଼ି ଧନ୍ଦା ଦେଖ ।" ବୀରସେନ ଉତ୍ତର ଦେଲା - "ମୁଁ ରାଜନୀତି କରୁନି ବୀରୁପାକ୍ଷୀ, ଜନତାଙ୍କ ସେବା କରୁଛି । କ'ଣ ଥିଲା ଏ ଅଞ୍ଚଳ, ଆଉ ଆଜି କ'ଣ ହେଇଛି ଦେଖୁଛ ତ ? ସେଇ ଖୁସି ହିଁ ମୋ' ପାଇଁ ଆଶିର୍ବାଦ । ଦେଖିବ, ସମୟ ଆସିବ ମୁଁ ଦିନେ ରାଜ୍ଯ ଶାସନର ଭାର ସମ୍ଭାଳିବି ।"
ବୀରୁପାକ୍ଷୀ କହିଲେ - "ଏତେ ଆଉ ଉଚ୍ଚ ଆଶା କରନି । ଏଈଥିରେ ତ ଏତେ ; ଆହୁରି ହେଲେ ଆଉ କେତେ ନ ହେବ । ଆମେ ଯେମିତି ଅଛେ ଠିକ୍ ଅଛେ, ଉଚ୍ଚ ଆଶା କରି ରାଜା ବୋଲାଇବା ମତେ କାହିଁକି ଶୁଭଙ୍କର ଲାଗୁନି ।" ବୀରସେନର ଉତ୍ତର ଥିଲା - "ନା, ମୁଁ ରାଜା ହେବାକୁ ଚାହେଁନା ; ମୁଁ ତ ସେବକ ମାତ୍ର । ପ୍ରକୃତ ରାଜା ଏ ଦେଶର ନାଗରିକ । ଦେଖିବ ରୁହ, ମୁଁ ଦିନେ ଏ ଦେଶରୁ ଅନ୍ଯାୟ ଅତ୍ଯାଚାର, ଧର୍ଷଣ, ଶୋଷଣ ସବୁକିଛିକୁ ଲୋପ କରିଦେବି । କାହାରିକୁ ଜଣକୁ ବି ଭୋକିଲା ରଖିବିନି । ଏ ତ ଟ୍ରେଲର୍, ପୂରା ଫିଲ୍ମ ବାକି ଅଛି । ଟ୍ରେଲର୍ଟାକୁ ଦେଖି ଶୋଷକମାନେ ଛାନିଆ, ଫିଲ୍ମ ଦେଖିଲେ ମରିଯିବେ ସମସ୍ତେ ଆପେ ଆପେ ; ମତେ ବିନାଶ କରିବା କ'ଣ ଦରକାର? ବୀରସେନ ହିଁ କରିବ ଏ ଦେଶରେ ଶାନ୍ତି ପ୍ରତିଷ୍ଠା ।" ବୀରୁପାକ୍ଷୀ କହିଲେ - "ଏତେ ମହାନତା ଦେଖାଅନି । ନିଜ ଘରସଂସାର ଦେଖ । ସେମାନଙ୍କ ସହ ଲାଗି ଆମର ଫାଇଦା କ'ଣ ? ଦେଶ ଭାସୁ ଅବା ରହୁ, ଆମର କିଛି ଯାଏ-ଆସେ ଅଛି କି ?" ବୀରସେନ ଉତ୍ତର ଦେଲା ବୀରୁପାକ୍ଷୀକୁ ଆଖି ତରାଟି - "ଏଇ ଚିନ୍ତାଧାରା ପାଇଁ ହିଁ ବଡ଼ ବଡ଼ ନେତାଙ୍କର ଶୋଷଣ ଓ ଅତ୍ଯାଚାରର ଶିକାର ହେଉଛେ । ଯେତେ ସବୁ ଧର୍ଷଣ, ନାରୀ ନିର୍ଯାତନା ହେଉଛି, ସେଥିରେ ବଡ଼ ବଡ଼ ନେତା - ମନ୍ତ୍ରୀଙ୍କର ହାତ ଅଛି । ସେମାନଙ୍କ ପାଇଁ ଆଇନ୍ କାନୁନ୍ର ଗତି ବିପରୀତ ଦିଗଗାମୀ ; ପୂରା କୋହଳ କହିଲେ ଚଳେ । ଦୋଷୀ ହସି ହସି ରାଜରାସ୍ତାରେ ବୁଲୁଥିବା ବେଳେ ନିର୍ଦ୍ଦୋଷୀ ସଢ଼ୁଛି ଅନ୍ଧାରୁଆ କାଳକକ୍ଷରେ ।" ବୀରୁପାକ୍ଷୀ ଉତ୍ତର ଦେଲେ - "ଯାହା କରୁଛ କର, ମୁଁ ବା କାହିଁକି କହିବି ?" ରାଗ ତମତମରେ ଅଇଁଣ୍ଠା ବାସନ ଓ ଚା'କପ୍ ଧରି ଭିତରକୁ ପଶିଗଲେ ବୀରୁପାକ୍ଷୀ । ବୀରସେନ ଦୀର୍ଘ ନିଃଶ୍ବାସଟେ ପକାଇ ଗାଁ ଭିତର ଆଡ଼େ ଘରୁ ବାହାରି ଚାଲିଗଲା ।
ଦିନକର କଥା ; ହୃଦ୍ରୋଗରେ ସମ୍ପୂର୍ଣ୍ଣାର ଶାଶୁ ଆରପାରିକୁ ଚାଲିଗଲେ । ଫୋନ୍ ଆସିଲା ବୀରସେନ ପାଖକୁ ; ବୀରସେନ ଫୋନ୍ ରିସିଭ୍ କରି ଭୁବନେଶ୍ବରରେ ଅଛି କହିଲା । ସନ୍ଧ୍ଯାରେ ପହଞ୍ଚିବ ବୋଲି ଜଣାଇ ଦେଲା । ସତକୁ ସତ ସନ୍ଧ୍ଯା ପାଞ୍ଚଟାରେ ବୀରସେନ ପହଞ୍ଚି ଗଲା ସମ୍ପୂର୍ଣ୍ଣା ଘରେ । ସେତେବେଳକୁ ସମ୍ପୂର୍ଣ୍ଣାର ପୁଅଟିଏ ଓ ଝିଅଟିଏ ହୋଇ ସାରିଥାଏ । ପୁଅଟିର ନାମ ରଖିଥିଲା ସତ୍ଯପୀର ଏବଂ ଝିଅଟିର ନାମ ରଖିଥିଲା ଯାଜ୍ଞସେନୀ । ପୁଅକୁ ସାତବର୍ଷ ବେଳେ ଝିଅଟିର ବୟସ ଥିଲା ନଅ ବର୍ଷ । ସାଧାରଣ ଲୋକ ପରି ବେଭାର ବାବଦକୁ ଏକ ହଜାର ଏବଂ ପାଣି ଚାଉଳ ବାବଦକୁ ପାଞ୍ଚଶହ ଟଙ୍କା ଦେଇଥିଲା । ପଣା ଖର୍ଚ୍ଚ ବାବଦକୁ ଏକ ହଜାର ; ଏହିପରି ଅଢ଼େଇ ହଜାର ଟଙ୍କା ସମ୍ପୂର୍ଣ୍ଣାର ଶ୍ବଶୁର ହାତକୁ ବଢ଼େଇ ଦେଲା । ସମ୍ପୂର୍ଣ୍ଣାର ଶ୍ବଶୁର ଟଙ୍କା ନେଇ ଗଣିଲେ ; ଦେଖିଲେ ଅଢ଼େଇ ହଜାର ଟଙ୍କା । ପ୍ରଶ୍ନ କଲେ - "ଏତିକି କ'ଣ ? ଆମେ ତୁମଠୁ ଆହୁରି ଅଧିକ ଆଶା କରିଥିଲୁ । ଜଣେ ଏମ୍. ଏଲ୍. ଏ ପୁଣି ଏତିକି ଟଙ୍କା !" ବୀରସେନ ଟିକେ ସମୟ ନିରବତା ରକ୍ଷା କଲା । ତା'ପରେ କହିଲା -"ମୁଁ ଏମ୍. ଏଲ୍. ଏ ସତ, କିନ୍ତୁ ନିଜକୁ ସାଧାରଣ ଚାଷୀଟିଏ ଭାବେ ।" ସମ୍ପୂର୍ଣ୍ଣାର ଶ୍ବଶୁର କହିଲେ - "ୟା' ବୋଲି କ'ଣ ଏତିକି ଟଙ୍କା ! ଇଏ ତ ଆମ ଘରର ଚାକରାଣୀର ଦରମାଠୁ ବି ବହୁତ କମ୍ ।" ବୀରସେନ ମୌକା ଖୋଜୁଥିଲା, ଅତୀତର ଘଟଣାବଳୀ ସମୂହକୁ ସାଉଁଟି ଚାଲିଥିଲା ବୀରସେନ ।
ଅତୀତରେ ସମ୍ପୂର୍ଣ୍ଣାକୁ ଦେଇଥିବା ଯନ୍ତ୍ରଣା ଗୁଡ଼ାକ ଏବେ ବି ତା' ଆଖି ଆଗରୁ ଯାଇନି । ସବୁକିଛି ହରାଇ ସର୍ବସ୍ୱାନ୍ତ ହୋଇ ଯାଇଥିବା ପରିବାର ବୁଲା ସାହୁ । ତେଣୁ ସେ କରିଥିବା ପଣ ପୂରଣ କରିବାକୁ ଯେମିତି ଚେଷ୍ଟିତ ଥିଲାଆ ବୀରସେନ । କୁଣିଆ ଭର୍ତ୍ତି ହୋଇଛନ୍ତି ଘରେ । ସବୁରି ସାମ୍ନାରେ ଟଙ୍କାକୁ ନେଇ ପ୍ରଶ୍ନ କରିଛନ୍ତି ସମ୍ପୂର୍ଣ୍ଣାର ଶ୍ବଶୁର । ତାଙ୍କୁ ସଭିଙ୍କ ସାମ୍ନାରେ ହିଁ ଉତ୍ତର ଦେବାକୁ ହେବ । ସମ୍ପୂର୍ଣ୍ଣାର ଶ୍ବଶୁର ପୁଣି ପ୍ରଶ୍ନ କଲେ - "କିଛି କହିଲେନି ଯେ ?" ବୀରସେନ ଉତ୍ତର ଦେଲା - "ଜଣେ ଭିକାରୀଠୁ ଆପଣ ଆଉ କେତେ ଟଙ୍କା ଆଶା କରୁଥିଲେ ?" ଚମକି ପଡିଲେ ସମ୍ପୂର୍ଣ୍ଣାର ଶ୍ବଶୁର । ପାଖରେ ଛିଡ଼ା ହୋଇଥିଲେ ସମ୍ପୂର୍ଣ୍ଣାର ସ୍ବାମୀ ନିରାନନ୍ଦ । ସାନ ନଣନ୍ଦର ବି ବିବାହ ହୋଇ ସାରିଥାଏ । ତା' ବାହାଘର ବେଳେ ଏମାନଙ୍କୁ ନିମନ୍ତ୍ରଣ ନଥାଏ । ଦୁଇ ନଣନ୍ଦ, ନଣନ୍ଦେଇ ବି ପାଖରେ ଏବଂ ଅନ୍ଯ ବନ୍ଧୁମବିଇ ଉପସ୍ଥିତ ଥାଆନ୍ତି । ସମସ୍ତଙ୍କ ସାମ୍ନାରେ ଏଭଳି ଉତ୍ତର ପ୍ରାପ୍ତ କରି କ୍ରୋଧିତ ହେଲେ ସମ୍ପୂର୍ଣ୍ଣାର ଶ୍ବଶୁର । ରାଗ ଚଢ଼ିଗଲା ପଞ୍ଚମରେ । ଗର୍ଜି ଉଠି କହିଲେ - "କିଏ ତୁମକୁ ଭିକାରୀ କହିଲା? ନିଜକୁ ଏମିତି ଭିକାରୀ କହିବାର ମାନେ କ'ଣ ? ଜଣେ ଏମ୍. ଏଲ୍. ଏ ହୋଇ ସାଧାରଣ ଜ୍ଞାନ ଟିକକର ଏତେ ଅଭାବ ମୁଁ ଜାଣି ନଥିଲି । ଏତେ ଅଭଦ୍ରାମି କ'ଣ ପାଇଁ ?" ବୀରସେନ ଉତ୍ତର ଦେଲା -"ଏକାବେଳକେ ଏତେ ପ୍ରଶ୍ନ ପଚାରିଲେ ମୁଁ ଜଣେ ଲୋକ କେମିତି ଉତ୍ତର ଦେବିଇ ? ଗୋଟିଏ ଗୋଟିଏ ପ୍ରଶ୍ନ ପଚାରିଲେ ସିନା ଉତ୍ତର ସନ୍ତୋଷଜନକ ମିଳିବ । ତଥାପି ପଚାରିଛନ୍ତି ଯେତେବେଳେ, ମତେ ତ ଉତ୍ତର ଦେବାକୁ ପଡ଼ିବ । ତେବେ ଶୁଣନ୍ତୁ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଉଛି ।"
। ଉପସ୍ଥିତ ସମସ୍ତ ଲୋକ ସ୍ତମ୍ଭ ପ୍ରାୟ ଛିଡ଼ା ହୋଇ ଏମାନଙ୍କର ଆଚରଣ ଓ କଥୋପକଥନକୁ ନିରବରେ ଶୁଣୁଥିଲେ । ବାପାଙ୍କ ଅପମାନ ଦେଖି ସମ୍ପୂର୍ଣ୍ଣାର ସ୍ବାମୀ ନିରାନନ୍ଦ ବି ତାତି ସାରିଲେଣି । ତଥାପି ନିରବରେ ଦଣ୍ଡାୟମାନ ହୋଇଥିଲେ ନିରାନନ୍ଦ ଏବଂ ସମ୍ମୁଖରେ ଅନତି ଦୂରରେ ସମ୍ପୂର୍ଣ୍ଣା । ବୀରସେନ ଆରମ୍ଭ କଲା - "ହଁ, କ'ଣ କହୁଥିଲେଏ ? ପ୍ରଶ୍ନର ଉତ୍ତର ଦରକାର ତ ? ଆପଣଙ୍କର ପ୍ରଥମ ପ୍ରଶ୍ନଟି ହେଲା - କିଏ ତୁମକୁ ଭିକାରୀ କହିଲା, ଏଇଆ ତ ? ତେବେ ଶୁଣନ୍ତୁ କିଏ କହିଲା ଭିକାରୀ ।"ସମ୍ପୂର୍ଣ୍ଣାର ଶ୍ବଶୁର କହିଲେ - "କୁହନ୍ତୁ, କିଏ କହିଲା ?" ବୀରସେନ ଉତ୍ତର ଦେଲା - "ଆପଣ ।" ସମ୍ପୂର୍ଣ୍ଣାର ଶ୍ବଶୁର କହିଲେ - "ହ୍ବାଟ୍ ! ଆର୍ ୟୁ ଏ ମ୍ଯାଡ଼୍ ? ମୁଁ କେତେବେଳେ ଭିକାରୀ କହିଲି ? ମୁଁ ତ ଭିକାରୀ ଶବ୍ଦ ବି ୟୁଜ୍ କରିନି, ଏମିତି ମିଥ୍ଯା !" ଚାରିପାଖେ ଘେରିଥିବା ଲୋକମାନେ ଟୁପୁରୁଟାପୁରୁ ହେବାରେ ଲାଗିଲେ - "ସତରେ ଏ ଲୋକଟା ପାଗଳ ନା କ'ଣ ? କିଏ ୟା'କୁ ଏମ୍. ଏଲ୍. ଏ କଲା ? ସମସ୍ତଙ୍କ ଆଖିରେ ଧୂଳିଦେଇ ଖସି ଯିବାକୁ ବସିଛି । ପାଖରେ ଯଦି ପୈସା ନାହିଁ ମନା କରିଦେବ । ଏମିତି ମିଛ କଥା କାହିଁକି କହୁଛ ? ଆରେ ଏ ଲୋକଟା ସାଂଘାତିକ, ସତରେ ପାଗେଳଟାଏ ଆଉ । ମାଡ଼ୁଆଙ୍କର ଗୁରୁ ଇଏ । ଗାଲୁଆଟାଏ ତ ଆଉ ।"
ସୃଷ୍ଟି ହେଲା ଏଭଳି ଗୁଞ୍ଜରଣ ପରିବେଶ । ବୀରସେନ କହିବାକୁ ଆରମ୍ଭ କଲା -"ଖାଲି ଆପଣ ନୁହଁନ୍ତି , ଆପଣଙ୍କ ସ୍ତ୍ରୀ ବି କହିଛନ୍ତି ।" ଉପସ୍ଥିତ ଥିବା କିଛି ଲୋକ ଭିତରେ କୁହାକୁହି ହେଲେ -"ସତରେ ଏଇଟା ପାଗେଳଟାଏ । ରାଞ୍ଚିକୁ ପଠେଇ ଦିଅ, ମେଣ୍ଟାଲ୍ ହସ୍ପିଟାଲ ଯିବା ଦରକାର ।" ସମ୍ପୂର୍ଣ୍ଣାର ଶ୍ବଶୁର କହିଲେ - "ମୋ' ସ୍ତ୍ରୀ ତ ମରି ଆରପାରିରେ । କେତେବେଳେ କହିଲା ଭିକାରୀ ବୋଲି ? କ'ଣ ତା' ଆତ୍ମା ଆସି କହିଲା ?" ଉପସ୍ଥିତ ବନ୍ଧୁବାନ୍ଧବ ହସି ଉଠିଲେ । ବୀରସେନ ନିରବ ଥାଏ ; ସମ୍ପୂର୍ଣ୍ଣାର ସ୍ବାମୀ ନିରାନନ୍ଦ ରାଗି ଉଠି କହିଲେ - "କ'ଣ ଏମିତି କଥା କହୁଛନ୍ତି ?" ବୀରସେନ ଉତ୍ତର ଦେଲା - "ଜଣକ ପ୍ରଶ୍ନର ଉତ୍ତର ଦେଇସାରେ ; ତା'ପରେ ତୁମର ସବୁ ପ୍ରଶ୍ନର ଉତ୍ତର ଦେବି ।" ସମସ୍ତେ ନିରବି ଗଲେ । ବୀରସେନ କହିଲା - "ପନ୍ଦର ବର୍ଷ ପୂର୍ବର କଥା ମନେ ପକାନ୍ତୁ । ସମ୍ପୂର୍ଣ୍ଣାର ବିବାହ ବେଳେ ହାତଗଣ୍ଠି ସମୟରେ ନଗଦ ଏକଲକ୍ଷ ଟଙ୍କା ଏବଂ ସାମର୍ଥ୍ୟ ମୁତାବକ ସମସ୍ତ ଜିନିଷ ଦେଇଥିଲୁ । ସେତେବେଳେ ଆମର ଆର୍ଥିକ ସ୍ବଚ୍ଛଳତା ଏତେ ଉନ୍ନତ ନଥିଲା । ବିବାହ ପୂର୍ବରୁ କହିଥଲେ - ଆପଣ ଯାହା ଦେବେ ଝିଅକୁ, ଆମର କିଛି ଦରକାର ନାହିଁ । ତଥାପି ଆମେ କୋଉଥିରେ ବି ଉଣା କରି ନଥିଲୁ । ଗେଲବସରରେ ବଢ଼ିଥିବା ସମ୍ପୂର୍ଣ୍ଣାକୁ ତୁମ ଘରକୁ ପଠେଇ ଯୋଉ ଭୂଲ୍ କରିଥିଲୁ, ତା'ର ପରିଣାମ ଆଜି ଭୋଗୁଛୁ ।"
ସମସ୍ତେ ସ୍ତମ୍ଭ ପ୍ରାୟ ନିରବରେ ଛିଡ଼ା ହୋଇ ଶୁଣୁଛନ୍ତି । ସମ୍ପୂର୍ଣ୍ଣାର ଶ୍ବଶୁର ବି ମନେ ପକେଇ ସାରିଲେଣି ସେବେଳର ଘଟଣାକୁ । ବୀରସେନ ପ୍ରଶ୍ନ କଲା -"କ'ଣ କିଛି ମନେ ପଡ଼ିଲା ? ବାପା ଆସିଥିଲେ ଝିଅକୁ ଟିକେ ଦେଖିବାକୁ । ଝିଅକୁ ଦେଖିଲେ ଏବଂ ତା' ସାଙ୍ଗରେ ଆଉ ଗୋଟେ ଚାମୁଣ୍ଡାକୁ ବି ଦେଖିଲେ ; ଯିଏକି ଏକ ମୋଟା ଠେଙ୍ଗାରେ ପ୍ରହାର ପରେ ପ୍ରହାର କରି ଚାଲିଥିଲା ସମ୍ପୂର୍ଣ୍ଣାକୁ । ଝିଅର ଏଭଳି ଅବସ୍ଥା ଦେଖି କୋଉ ବାପର ମନ ସମ୍ଭାଳିବ ? ଆପଣଙ୍କର ବି ଦୁଇଟା ଝିଅ ଅଛି । ଆପଣ ସମ୍ଭାଳିବେ ? ବାପା ପଚାରିଲେ - କାହିଁକି ପିଟୁଛ ? କ'ଣ ମୋ ଝିଅର ଭୂଲ୍ ? ଉତ୍ତର ଦେଲେ ଆପଣଙ୍କ ବର୍ତ୍ତମାନର ସ୍ବର୍ଗତଃ ପତ୍ନୀ - ମୋର ପାଞ୍ଚ ହଜାର ଟଙ୍କାର ପାଟଟାକୁ ପୋଡ଼ି ଦେଲା । ଆପଣଙ୍କ ବୋପା ଦିହକରେ ଏଭଳି ପାଟ ଦେଖି ନଥିବେ । ତା'ପରେ ଅତିରିକ୍ତ ଯୌତୁକ ସହିତ କାର୍ଟିଏ ନେବାକୁ ଅଡି ବସିଲେ । ପାଞ୍ଚ ମାଣ ଜମିରୁ ତିନି ମାଣ ଜମି ବିକ୍ରି କରି ଝିଅର ବିବାହ କରିଥିଲେ ବାପା ବୁଲା ସାହୁ । ବାକି ଦୁଇ ମାଣ ଜମି ଓ ବୋଉର ସୁନା ଗହଣା ସହ ଗାଁ କୋଠର କିଛି ସହାୟତାରେ ଆପଣଙ୍କ ଅଭାବ ପୂରଣ କରାଗଲା । ବାପା ଝିଅ ପ୍ରତି ତୁମ ପତ୍ନୀଙ୍କ ଅତ୍ୟାଚାର ଦେଖି ପାଟି ଖୋଲିଲେ । କ'ଣ କହିଥିଲେ ତୁମ ପତ୍ନୀ ମାନେ ସମ୍ପୂର୍ଣ୍ଣାର ଶାଶୁ ଜାଣନ୍ତି ? କହିଲେ ଆପଣ ଭିକାରୀ ବୋଲି ଆମେ ଜାଣି ନଥିଲୁ । ଆପଣ କହିଥିଲେ ମଧ୍ୟ ; ହଠାତ୍ ଘର ଭିତରକୁ ପଶି ଆସି ଉତ୍ତରଦେଲେ - ଏ ଭିକାରୀଟାକୁ ବାହାର କର । ଏବେ ପାଇଗଲେ ଆପଣଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ? ଯାହାକୁ ଭକାରୀ କହିଲେ ସେ ମୋ' ବାପା । ଭିକାରୀର ପୁଅ ଭିକାରୀ ନୁହେଁ ତ ଆଉ କ'ଣ ହୋଇପାରେ ?"
ସମସ୍ତଙ୍କ ସାମ୍ନାରେ ବାସ୍ତବ ଘଟଣାବଳୀର ରୋମନ୍ଥନ ହେବା ପରେ ନିଜକୁ ଅପମାନିତ ବୋଧ କରୁଥିଲେ ସମ୍ପୂର୍ଣ୍ଣାର ଶ୍ବଶୁର । ମୁହଁ ପୂରା ରଙ୍ଗା ପଡ଼ି ଯାଇଥିଲା । କ୍ରୋଧରେ ରକ୍ତତଣ୍ଡୁଳ ଚୋବାଉଥିଲେ ସମ୍ପୂର୍ଣ୍ଣାର ଶ୍ବଶୁର ଏବଂ ସ୍ବାମୀ । ଦୁଇ ନଣନ୍ଦ ବି ମୁହଁ ପୋତି ଛିଡ଼ା ହୋଇଥିଲେ । ବନ୍ଧୁବାନ୍ଧବ ମାନଙ୍କର ଭୁଟୁରୁଭାଟର ଚାଲିଥାଏ । ନାଟକର ରଙ୍ଗମଞ୍ଚ ପାଲଟି ଯାଇଥାଏ ସମ୍ପୂର୍ଣ୍ଣାର ଶାଶୁଘର ଏବଂ ଜଣେ ଜଣେ ଅଭିନେତା - ଅଭିନେତ୍ରୀ ପାଲଟି ନିଚ୍ଛକ ଅଭିନୟ କରି ଚାଲିଥଲେ ସମ୍ପୂର୍ଣ୍ଣା ଶାଶୁଘର ସଦସ୍ୟ ଏବଂ ସମ୍ପୂର୍ଣ୍ଣାର ଭାଇ ବୀରସେନ । ବନ୍ଧୁବାନ୍ଧବ ଏବଂ ଆଗନ୍ତୁକମାନେ ଜଣେ ଜଣେ ଦର୍ଶକ ସାଜି ଉପଭୋଗ କରି ଚାଲିଥିଲେ ନାଟକକୁ । ଅପେକ୍ଷାରେ ଥିଲେ ଏ ଦୃଶ୍ୟର ଶେଷ ଭାଗ କିପରି ଓ କେଉଁ ସ୍ଥିତିରେ ରହୁଛି ।
ବୀରସେନ ପୁଣି କହିଲା -"ଆପଣଙ୍କର ଦ୍ବିତୀୟ ପ୍ରଶ୍ନ ଥିଲା -ନିଜକୁ ଏମିତି ଭିକାରୀ କହିବାର ମାନେ କ'ଣ ? ଆପଣ ଆମକୁ ତ ଭିକାରୀର ଆଖ୍ୟା ଦେଲେ । ଆମେ ନିଜକୁ ନିଜେ ଭିକାରୀ କାହିଁକି କହବୁ? ଆମେ ଜାଣି ନଥିଲୁ ଗରିବ ଲୋକମାନେ ଭିକାରୀ ପଦବାଚ୍ୟ ବୋଲି । ଆପଣତ ଆମକୁ ଜଣେଇ ଦେଲେ ; ଆମେ ଜାଣିଲା ପରେ ନିଜକୁ ଭିକାରୀ ନ କହି କ'ଣ କୋରଡ଼ପତି କହିବୁ ? କିନ୍ତୁ ମୁଁ ଯେତିକି ଜାଣିଛି ଗରିବମାନେ ପ୍ରକୃତ ଭିକାରୀ ନୁହଁନ୍ତି ; ପ୍ରକୃତ ଭିକାରୀ ଆପଣ ମାନଙ୍କ ପରି ଶୀତତାପ ନିୟନ୍ତ୍ରଣ ଫ୍ଲାଟ୍ରେ ରହୁଥିବା ଆଉ ବିଡ଼ା ବିଡ଼ା ଟଙ୍କାରେ ସତରଞ୍ଜିଇ ଓ ତକିଆ ବନେଇ ଶଯ୍ୟା କରି ଚନ୍ଦନ କାଠର କାଶ୍ମିରୀ ଖଟରେ ଶୋଉଥିବା ବଡ଼ବଡ଼ିଆ ବାବୁମାନେ ।" ଗର୍ଜି ଉଠିଲେ ସମ୍ପୂର୍ଣ୍ଣାର ଶ୍ବଶୁର - "ବୀରସେନ !" ବୀରସେନ ମୁଣ୍ଡ ହଲାଇ କହିଲା -"ଊହୁଁ, ବୀରସେନ ବାବୁ । ଏବେ ଆପଣ ମୋତେ ବୀରସେନ ବାବୁ ବୋଲି କହି ପାରିବେ । କାହିଁକି ଜାଣନ୍ତି ? କାହିଁକିନା ମୁଁ ଆଗର ଆଉ ସେ ବୀରସେନ ହୋଇ ନାହିଁ । ସେ ବୀରସେନ ସାହୁ କେବେଠୁ ମରି ସାରିଛି । ଏବେ ଯୋଉ ବୀରସେନ ଆପଣଙ୍କ ସାମ୍ନାରେ ମୁଣ୍ଡ ଉଠାଇ ଛିଇଡ଼ା ହୋଇଛି, ସେ ଏମ୍. ଏଲ୍. ଏ ବୀରସେନ ବାବୁ । ତା'ଛଡ଼ା ଆପଣ ମୋର ଶ୍ବଶୁର ପଦବାଚ୍ୟ ଆଉ ମୁଁ ଆପଣଙ୍କର ଜଣେଏ ଜ୍ବଇଁ ପଦବାଚ୍ୟ । ମୁଁ ଆପଣଙ୍କୁ ଏଯାଏଁ ଚଢ଼ା ଗଳାରେ କଥା କହିନି । ଜ୍ବଇଁଙ୍କୁ କିପରି ସମ୍ମାନ ଦିଆଯାଏ ଆପଣଙ୍କ ପରମ୍ପରାରେ ବୋଧହୁଏ ଅଭିହିତ ନାହିଁ । ଆପଣଙ୍କର ତୃତୀୟ ପ୍ରଶ୍ନ ଥିଲା ମୋ' ପଦବୀକୁ ନେଇ । ଆପଣ କ'ଣ କହିଲେ ? ଜଣେ ଏମ୍. ଏଲ୍. ଏ ହୋଇ ସାଧାରଣ ଜ୍ଞାନ ଟିକକର ଏତେ ଅଭାବ ମୁଁ ଜାଣି ନଥିଲି -ଏଇଆ ତ? ଏବେ ଜାଣିଲେ ତ ? ଆପଣଙ୍କର ସାଧାରଣ ଜ୍ଞାନ କେତେ ମତେ ଭଲ ଭାବରେ ଜଣା ପଡୁଛି । ଆପଣଙ୍କ ଆଭିଜାତ୍ୟ ଓ ପରମ୍ପରାରେ କ'ଣ ଏଈଆ ଅଛି ?"
ସମ୍ପୂର୍ଣ୍ଣାର ଶ୍ବଶୁରଙ୍କର ଏସନେକ କାର୍ଯ୍ୟକଳାପର ବିବରଣୀ ଶୁଣି ଉପସ୍ଥିତ ବନ୍ଧୁବାନ୍ଧବ ମାନଙ୍କ ମଧ୍ୟରେ ଟୁପୁରୁଟାପର ଚାଲିଥିବା ବେଳେ ବୀରସେନ ପୁଣି କହିବା ଆରମ୍ଭ କରିଦେଲା - "ଆପଣଙ୍କର ଚତୁର୍ଥ କଥା କ'ଣ ଥିଲା ? ଏତେ ଅଭଦ୍ରାମି କ'ଣ ପାଇଁ ? କାହାକୁ ଅଭଦ୍ର କହିବା ପୂର୍ବରୁ ନିଜ ଭଦ୍ରତାକୁ ଆଗ ପରଖି ନିଅନ୍ତୁ । ଶ୍ବଶୁର ହୋଇ ଜ୍ବଇଁ ପଦବାଚ୍ୟ ବ୍ଯକ୍ତି ସହ ଉଚ୍ଚ ଗଳରେ କଥା ହେବା କି ପ୍ରକାର ଭଦ୍ରାମି ? ଝିଅଟିଏ ଶାଶୁଘର ଆସେ ବାପଘର ଛାଡ଼ି । ବାପା - ମାଆ -ଭାଇ - ଭଉଣୀଙ୍କୁ ଏବଂ ସାଙ୍ଗସାଥୀଙ୍କୁ ଛାଡ଼ି ଶାଶୁଘରେ ଶାଶୁ-ଶ୍ବଶୁର-ନଣନ୍ଦ-ଦିଅରଙ୍କୁ ଆପଣାର କରି ଚଳେ । କାରଣ ସେ ଦୁହିତା । ସେ କୁଳର ହିତ ସାଧନ କରି ସାରିବା ପରେ ଏ କୁଳର ହିତ ସାଧନ ପାଇଁ ଲାଗିପଡ଼େ । ଭାଇ-ଭଉଣୀ ବଦଳରେ ଯାଆ,ଦେଢ଼ଶୁର ଓ ଦିଅର, ନଣନ୍ଦ ପାଏ । ସାଙ୍ଗସାଥୀ ବଦଳରେ ସ୍ବାମୀଟିଏ ପାଏଏ ; ଯିଏ ଭଲ ବନ୍ଧୁଟିଏ । ତାକୁ ଇହକାଳ ଓ ପରକାଳର ଦେବତା ମାନିନିଏ । ବାପା - ମାଆ ବଦଳରେ ଶାଶୁ-ଶ୍ବଶୁରଙ୍କୁ ପାଇ ପାଦ ପୂଜା କରେ । ଆଶା କରିଥାଏ ବାପା-ମାଆ ପରି ସେମାନେ ବି ତାକୁ ଟିକିଏ ସ୍ନେହ-ଶ୍ରଦ୍ଧା ଓ ଭଲପାଇବା ଦେବେ । ହେଲେ ଫଳ ଓଲଟା ଯାଏ । ଶାଶୁ-ଶ୍ବଶୁର ବି ପଶୁ ଠାରୁ ହିନ ପାଲଟି ଯାଆନ୍ତି ମୁଁ ଆପଣଙ୍କ ଠାରୁ ଶିଖିଲି । ମାଆ ଯେ ଡ଼ାହାଣୀ ଓ ବାପା ଅସୁର ପାଲଟି ଯିବ ସେଦିନ ମୁଁ ଜାଣିଲି, ଯୋଉଦିନ ମୋ' ବାପାଙ୍କ ଆଖି ସାମ୍ନାରେ ଶାଶୁ ଅମାନୁଷିକ ଆକ୍ରମଣ କରି ଚାଲିଥିଲା ତା'ର ବୋହୂକୁ ଏବଂ ମୁଁ ସାବିତ୍ରୀ ଭାର ଆଣି ଆସିବା ଦିନ ବୋହୂ ମଥାରୁ ଶ୍ବଶୁର ସିନ୍ଦୂର ପୋଛୁ ଥିବାର ଦୃଶ୍ୟ ଯୋଉଦିନ ମୋ' ଆଖିରେ ପଡ଼ଲା । ସେଇଦିନ ଜାଣିଲି ଆପଣ କେତେ ଭଦ୍ର । ଆପଣଙ୍କ ପୁଅ ଯୋଉଦିନ ତା' ସ୍ତ୍ରୀ ବାପକୁ ଗଳାଧକ୍କା ମାରି ବିଦାୟ କରିଥିଲା ; ସେଦିନ ଜାଣି ଥିଲି ଆପଣଙ୍କ ପୁଅ କେତେ ଭଦ୍ର । ମତେ ଆପଣ ଭଦ୍ରତା ଶିକ୍ଷା ଦେଉଛନ୍ତି ? ଆପଣ ଭିକାରୀ କହିଥିଲେ ବାପାଙ୍କୁ ନା? ଯାହାକୁ ଭିକାରୀ କହିଥିଲେ, ତା'ରି ହାତ ଟେକା କାର୍ରେ ଆପଣଙ୍କ ପୁଅ ବୁଲୁଛି କେମିତି ? ଜବାବ୍ ଦିଅ , କୁହ କିଏ ଭିକାରୀ ? ଆପଣ ନା ମୁଁ ? କିଏ ଅଭଦ୍ର ? ଆପଣ ନା ମୁଁ ?
ଝପଟି ଆସିଲା ସମ୍ପୂର୍ଣ୍ଣାର ବଡ଼ ନଣନ୍ଦ ସୁଲେଖା । "ଆପଣ ଏ ଦୁଃଖ ସମୟରେ ଶାନ୍ତ୍ବନା ଦେବା ବଦଳରେ ଅପମାନ କରୁଛନ୍ତି ! ଆମେ ଆପଣଙ୍କୁ ବନ୍ଧୁ ଭାବି ଡ଼ାକିଥିଲୁ କ'ଣ ଏଇ ଅପମାନ ପାଇବାକୁ ?"- ସୁଲେଖା କହିଲା । ବୀରସେନ ଉତ୍ତର ଦେଲା - "ଅପମାନ ! ମୁଁ ତ ଆପଣଙ୍କୁ ଅପମାନ କରିନି, ମୁଁ କେବଳ ଅତୀତର ଘଟଣାକୁ ମନେ ପକାଇ ଦେଉଥିଲି । ଅପମାନ ତ ଆପଣମାନେ କରିଛନ୍ତି । ଆପଣଙ୍କ ବୋଉ ମୋ' ବାପାଙ୍କୁ କ'ଣ କହିଥିଲେ ଜାଣନ୍ତି ? କୋଟିଏ ଟଙ୍କା ଡ଼ିମାଏଟ୍ ଦେଇ ବଡ଼ ଝିଅକୁ ବିବାହ କରିଛନ୍ତି । ତମେ କୋଟିଏ ଟଙ୍କା ଡ଼ିମାଏଟ୍ ନେଇଛ ?" ସୁଲେଖା ଉତ୍ତର ଦେଲା - "ହଁ, ମୁଁ ନେଇଛି । କୋଟିଏ ଟଙ୍କା ସହିତ ଆମ୍ବାସଡର କାର୍ । ବୋଉ ତ ସତ କହିଛି ।" ବୀରସେନ କହିଲା - "ତୁମ ବାପା-ଭାଇଙ୍କ ମୁଣ୍ଡରେ ହାତ ରଖି କହି ପାରିବ ତୁମେ କୋଟିଏ ଟଙ୍କା ଡ଼ିମାଏଟ୍ ନେଇଛ ଆଉ ଆମ୍ବାସଡର୍ କାର୍ଟା ତୁମ ବାପା ଯୌତୁକରେ ଦେଇଛନ୍ତି ବୋଲି ? ସମସ୍ତଙ୍କ ସାମ୍ନାରେ ବାପା-ଭାଇ ମୁଣ୍ଡ ଉପରେ ହାତ ରଖି କୁହ ।"
ସମ୍ପୂର୍ଣ୍ଣାର ଶ୍ବଶୁର କହିଲେ - "ଏମିତି ଅପମାନ କାହିଁକି କରୁଛନ୍ତି ? କ'ଣ ତୁମର ଉଦ୍ଦେଶ୍ଯ ?" ବୀରସେନ କହିଲା - "ମୁଁ ଅପମାନ କରୁନି, ଆପଣ ଜାଣି ଜାଣି ଅପମାନିତ ହେଉଛନ୍ତି । ମୁଁ ଆପଣଙ୍କ ଝିଅଙ୍କର ଉତ୍ତର ଚାହୁଁଛି ।" ସୁଲେଖା ଉତ୍ତର ଦେଲା - "କି ଉତ୍ତର ଦେବି ?" ବୀରସେନ କହିଲା - "ଆପଣ ଆପଣଙ୍କ ବାପା ଓ ଭାଇଙ୍କ ମୁଣ୍ଡରେ ହାତ ରଖି କୁହନ୍ତୁ , ଆପଣଙ୍କ ମାଆ କହିଥିବା କଥା ସତ୍ଯ ବୋଲି ।" ସୁଲେଖା କହିଲା - "ହଁ, ମୁଁ କହିବି ।" ଭାଇ ମୁଣ୍ଡରେ ହାତ ରଖି ସୁଲେଖା କହିଲା - "ମୋ' ମାଆ ଯାହା କହିଛି ସତ୍ଯ ।" ସମ୍ପୂର୍ଣ୍ଣାର ସ୍ବାମୀ ନିରାନନ୍ଦ ରାଗରେ ଜଳି ଦାନ୍ତ ରଗଡୁଥାଏ । ନିରାନନ୍ଦ କହିଲେ - "ସୁଲେଖା ! ତୁ ଶେଷରେ ମୋ' ମୁଣ୍ଡ ଛୁଇଁ ପାରିଲୁ ! ବାଃ ! ୟା'କୁ ହିଁ କହନ୍ତି ଭଉଣୀ ।" ହଠାତ କହି ଉଠିଲା ବୀରସେନ - "ସମସ୍ତେ ଚିହ୍ନି ରଖନ୍ତୁ ଏ ମହାଶୟାଙ୍କୁ । ଇଏ ଏ ଘରର ବଡ଼ ଝିଅ ; ଯିଏ ବିବାଆହ ପୂର୍ବରୁ ମାଆ ହୋଇଥିଲା । ଥରେ ନୁହେଁ କି ଦି'ଥର ନୁହେଁ , ତିନି - ତିନି ଥର ଗର୍ଭ ନଷ୍ଟ କରିଥିଲା । ସେ ଯୋଉ କୋଟିଏ ଟଙ୍କା ନେଇ ବିବାହ କରିଥିଲା ସେ ଟଙ୍କା ସେଇ ମାନଙ୍କର ; ଯୋଉମାନେ ସୁଲେଖା ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେଇ ପାପ ଟଙ୍କାରେ ସେ ଦେବତା ପରି ସ୍ବାମୀ ପାଇଛି । ସେ ନେଇଥିବା ଆମ୍ବାସଡର୍ କାର୍ଟି ଜଣେ ଶିଳ୍ପପତିଙ୍କର ; ଯିଏକି ଆଜି ପାଗଳ ସାଜି ରାସ୍ତାରେ ବୁଲୁଛି । ତା'ର ସର୍ବସ୍ୱ ଲୁଟି ତାକୁ ପାଗଳ ସଜେଇ ଦିଆଯାଇଛି । ତାକୁ ପାଗଳ ସଜେଇଥିବା ଲୋକ ଆଉ କେହି ନୁହଁନ୍ତି , ଖୋଦ୍ ସମ୍ପୂର୍ଣ୍ଣାର ଶ୍ବଶୁର । ସୁଲେଖା ଯାହାକୁ ବିବାହ କରିଛି ସେ କିଏ ଜାଣନ୍ତି ? ସେ ଜଣେ ସି. ବି. ଆଇ ଇନ୍ସପେକ୍ଟର । କିନ୍ତୁ ସମସ୍ତେ ଜାଣନ୍ତି ସେ ଗୋଟିଏ କମ୍ପାନୀରେ କାମ କରନ୍ତି । ଏ ପର୍ଯ୍ଯନ୍ତ କେହି ତାଙ୍କୁ ଚିହ୍ନି ପାରିଲେନି । ସେ ସି. ବ. ଆଇ ଭାବରେ ଚାକିରୀ ପାଇବା କଥା ତାଙ୍କ ସ୍ତ୍ରୀ ବି ଜାଣି ନଥିବେ ।"
ସମସ୍ତେ ଦାରୁଭୂତ ମୁରାରୀ ପାଲଟି ଗଲେ । ଚିହିଁକି ଉଠି ଆଖି ତରାଟି ଚାହିଁଥିଲେ ସମ୍ପୂର୍ଣ୍ଣାର ଶ୍ବଶୁର । ସମ୍ପୂର୍ଣ୍ଣାର ସ୍ବାମୀ ନିରାନନ୍ଦ ନିରବ ନିଶ୍ଚଳ ହୋଇ ଛିଡ଼ା ହୋଇଥା'ନ୍ତି । ଆଶ୍ଚର୍ଯ୍ୟ ହେଉଥା'ନ୍ତି କ'ଣ ସବୁ ଘଟୁଛି । ଉପସ୍ଥିତ ଥିବା ବନ୍ଧୁବାନ୍ଧବ ଭିତରେ ଆଲୋଚନା ଚାଲିଲାଣି ସୁଲେଖା ବିଷୟରେ ଶୁଣି । ସମସ୍ତେ ଜାଣିଥିଲେ ସୁଲେଖାର ସ୍ବାମୀ ଏକ କମ୍ପାନୀର ସାଧାରଣ କିରାଣୀ । କେହି ବି ଜାଣି ନଥିଲେ ସେ ସି. ବି. ଆଇ ଇନ୍ସପେକ୍ଟର ବୋଲି । ସୁଲେଖା ପ୍ରଶ୍ନ କଲା - "ନା, ଆପଣ ମିଛ କହୁଛନ୍ତି । ମୁଁ ସେମିତି କିଛି କରିନି । ଆପଣ ମୋତେ ସମସ୍ତଙ୍କ ସାମ୍ନାରେ କଳଙ୍କିନୀ ବୋଲି ମିଛ ପ୍ରମାଣ ବାଢ଼ୁଛନ୍ତି । ଦ୍ବିତୀୟ କଥା, ସେ ସି. ବି. ଆଇ ଇନ୍ସପେକ୍ଟର ନୁହଁନ୍ତି । ମୋ' ସ୍ବାମୀ କ'ଣ ମୁଁ ଜାଣେ । ମୁଁ ତାଙ୍କୁ ବିବାହ କରିଛି, ମୁଁ ଜାଣିନି ସେ କ'ଣ ? ସେ ବ୍ଯୋମକେଶ କନ୍ଷ୍ଟ୍ରକ୍ସନର ଜଣେ କିରାଣୀ । ଆପଣ କିଛି ନଜାଣି ଏମିତି ସମସ୍ତଙ୍କ ସାମ୍ନାରେ କାହାରିକୁ ଅପମାନ କରିବାର ଦୁଃସାହସ କଲେ କେମିତି ?" ବୀରସେନ ହସିଲା, ଠୋ' ଠୋ' ହସିଲା । ସୁଲେଖାର ପ୍ରଶ୍ନ - "ଏମିତି ହସିବାର ମାନେ ?"
ବୀରସେନ କହିଲା - "ହସିବିନି ତ ଆଉ କ'ଣ କାନ୍ଦିବି ? ଆପଣ ତ ହସିଲା ପରି କଥା କହୁଛନ୍ତି । ଆପଣ ଜାଣନ୍ତିନି ଆପଣଙ୍କ ସ୍ବାମୀ କ'ଣ । କହି ପାରିବେ ଆପଣଙ୍କ ସ୍ବାମୀଙ୍କ ନାମ କ'ଣ ?" ସୁଲେଖା ଉତ୍ତର ଦେଲା - "ମୋ' ସ୍ବାମୀଙ୍କ ନାମ ମୁଁ କହି ପାରିବିନି ! ହାଃ... ହାଃ... ହାଃ..." ହସି ଉଠିଲା ସୁଲେଖା । ବୀରସେନ କହିଲା - "କୁହନ୍ତୁ ଦେଖିବା ।" ସୁଲେଖା କହିଲା - "ମୋ' ସ୍ବାମୀଙ୍କ ନାମ ସାରଥୀ ପାଲଟାସିଂହ ।" ବୀରସେନ ହସିବାକୁ ଲାଗିଲା । ସୁଲେଖା କହିଲା - "କ'ଣ ହସିଲେ ଯେ ? ମୁଁ ଠିକ୍ କହିଲି ତ ?" ବୀରସେନ ମୁଣ୍ଡ ଟୁଙ୍ଗାରି ନାସ୍ତି ସୂଚକ ସଙ୍କେତ ଦେଇ କହିଲା - "ନା, ସମ୍ପୂର୍ଣ୍ଣ ଭୂଲ୍ ; ଆପଣ ଆପଣଙ୍କ ସ୍ବାମୀଙ୍କ ନାମ ବି ଜାଣି ନାହାନ୍ତି । କାରଣ ଆପଣ ତାଙ୍କର ସ୍ତ୍ରୀ ନୁହଁନ୍ତି ।" ଚମକି ଉଠିଲା ସୁଲେଖା । "ଆପଣ ପାଗଳ ନା କ'ଣ ?" - କହି ଉଠିଲା ସୁଲେଖା । ବୀରସେନ କହିଲା - "ଭିକାରୀ, ପାଗଳ, ଭଣ୍ଡ , ମିଥ୍ୟାବାଦୀ ; ଯାହା ବି ଆଖ୍ୟା ଦେବା କଥା ଦିଅ । କିନ୍ତୁ ମୋ' କଥା ସତ କି ମିଛ ଆପଣ ପରଖି ନିଅନ୍ତୁ । ପଚାରନ୍ତୁ ଆପଣଙ୍କ ସ୍ବାମୀଙ୍କୁ ।"
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । କ'ଣ ସବୁ ପାଲା ଚାଲିଛି ନିରବରେ ଦେଖଣାହାରୀ ସାଜିଥିଲେ ଉପସ୍ଥିତ ବନ୍ଧୁବାନ୍ଧବ ମାନେ । ନାଟକର ଦୃଶ୍ୟଟି ରୋମାଞ୍ଚକର ହେବାରେ ଲାଗିଛି । କାହା ଆଖିରେ ପଡ଼ୁ ନ ଥାଏ ପଲକ । ସମସ୍ତେ ପ୍ରକୃତ ସତ୍ଯ କ'ଣ ଜାଣିବା ପାଇଁ ଅପେକ୍ଷାରତ । ଚାଲିଛି ବାକ୍ଯୁଦ୍ଧ । ଆଗ୍ରହ ସହକାରେ ନିରବଦ୍ରଷ୍ଟା ପାଲଟିଛନ୍ତି ସମସ୍ତେ ।
ବୀରସେନ ଓ ନିଜର ସ୍ବାମୀ ଉଭୟଙ୍କ ମୁହଁକୁ ଭଲଭାବରେ ନିରୀକ୍ଷଣ କରି ସୁଲେଖା କହିଲା ମୋର - "ମୁଁ ମୋ' ସ୍ବାମୀଙ୍କୁ ଭଲଭାବରେ ଜାଣିଛି ; ତେଣୁ ମୁଁ ପଚାରିବାର ଆବଶ୍ଯକତା ମନେ କରୁନି । ମୁଁ ଜାଣିଛି ମୁଁ ତାଙ୍କ ସ୍ତ୍ରୀ ଓ ସେ ମୋ' ସ୍ବାମୀ । ମୁଁ ତାଙ୍କୁ ବିବାହ କରିଛି ; ବେଦିରେ ବସି ସେ ମୋତେ ନିଜ ହାତରେ ସିନ୍ଦୂର ପିନ୍ଧାଇ ସ୍ତ୍ରୀର ମାନ୍ୟତା ଦେଇଛନ୍ତି ।" ବୀରସେନ କହି ଉଠିଲା - "ବିବାହ ହୋଇଗଲେ ଯେ ଜଣେ ଜଣଙ୍କର ସ୍ବାମୀ ବା ସ୍ତ୍ରୀ ହୋଇଯାଏ, ଏକଥା ଭୂଲ୍ । ମୁଁ ମାନୁଛି ବିବାହ ହୋଇଛି ; ହେଲେ ତୁମ ଦୁହିଁଙ୍କ ଭିତରେ ସ୍ବାମୀ-ସ୍ତ୍ରୀର ସମ୍ପର୍କ ଅଛି ?" ନିରବ ରହିଲା ସୁଲେଖା । ଟିକିଏ ଭାବି କହିଲା - "ହଁ ; ଅଛି ।" ବୀରସେନ କହିଲା - "ତେବେ ବାହାଘରର କେତେ ବର୍ଷ ହେଲା ?" ସୁଲେଖାର ଉତ୍ତର ଥିଲା -"ଆମ ବାହାଘର ଅଠର ବର୍ଷ ହେଲା ।" ବୀରସେନ ପ୍ରଶ୍ନ କଲା -"ତେବେ ମତେ କୁହ, ତୁମ କୋଳଶୂନ୍ଯ କାହିଁକି ? ଅଠର ବର୍ଷ ହେଲା ବିବାହ ହେଲାଣି, ଅଥଚ ମାଆ ହୋଇ ପାରିନାହାନ୍ତି କ'ଣ ପାଇଁ ?" ସୁଲେଖା ଆଉ କିଛି କହିବା ଉପରେ ନଥିଲା । ଥା... ଥା... ମା... ମା...ହୋଇ ସେ ଥଙ୍ଗଥଙ୍ଗ ସ୍ବରରେ କହିଲା - ମା... ନେ...!
ବୀରସେନ ହସି ହସି କହିଲା -" ପାଟି ଖନି ମାରି ଯାଉଛି କାହିଁକି ? ଆପଣ ମାଆ ନ ହେବାର କାରଣ କ'ଣ ହୋଇପାରେ ? ଆପଣଙ୍କ ଦୁର୍ବଳତା ନା ଆପଣଙ୍କ ସ୍ବାମୀଙ୍କର ଦୁର୍ବଳତା ? ଆପଣ ବାହା ହୋଇଛନ୍ତି ପରା ; ତେବେ ସ୍ବାମୀ-ସ୍ତ୍ରୀର ସମ୍ପର୍କ ରଖିବାକୁ ଆପଣଙ୍କ ସ୍ବାମୀ ମନାକଲେ କାହିଁକି ? ଜାଣନ୍ତି ? ଜାଣି ନଥିବେ ; କାରଣ ଆପଣ ତାଙ୍କର ପ୍ରକୃତ ସ୍ତ୍ରୀ ନୁହଁନ୍ତି । ସେ ଆଉ କାହାର ସ୍ବାମୀ ।" ସମସ୍ତେ ଆହୁରି ତାଜୁବ୍ ହୋଇଗଲେ । ଏସବୁ କ'ଣ ଘଟୁଛି କେହି ବି କିଛି ବୁଝି ପାରୁନାହାନ୍ତି । ନିରାନନ୍ଦ ଗର୍ଜି ଉଠି କହିଲେ - "ଆପଣ କ'ଣ କହିବାକୁ ଚାହାନ୍ତି କହିଲେ ; ଏଭଳି ମିଛ କଳଙ୍କ କ'ଣ ପାଇଁ ବୋଳୁଛନ୍ତି ?" ବୀରସେନ କହିଲା - "ନା, ଏହା ମିଛ ନୁହେଁ ; ମୁଁ ଯାହା କହୁଛି ବାସ୍ତବ କଥା କହୁଛି ।" ସମ୍ପୂର୍ଣ୍ଣାର ଶ୍ବଶୁର କହିଲେ - "କ'ଣ ବାସ୍ତବ ? କ'ଣ ଜାଣିଛ ତମେ କୁହ ।" ବୀରସେନ କହିଲା - "ମୁଁ ଯାହା କହୁଛି କହିବି ଶୁଣିଲେ ପାଦ ତଳୁ ମାଟି ଖସିଯିବ ।" ସମସ୍ତେ ଏକଲୟରେ ଚାହିଁ ରହିଥିଲେ ସତ୍ଯତାକୁ ଜାଣିବା ପାଇଁ । ସୁଲେଖା କହିଲା - "ସବୁ ମିଛ ; ମୋ' ସ୍ବାମୀଙ୍କୁ ମୁଁ ଭଲଭାବେ ଜାଣେ । ସେ ମୋ' ସ୍ବାମୀ ଓ ତାଙ୍କ ନାମ ମୁଁ କହି ସାରିଛି । ଯଦି ଭୂଲି ଯାଇଛ ତେବେ ଆଉଥରେ କହୁଛି ; ମୋ' ସ୍ବାମୀଙ୍କ ନାମ ସାରଥୀ ପାଲଟାସିଂହ ।"
ବୀରସେନ କହିଲା -"ନା, ସେ ସାରଥୀ ପାଲଟାସିଂହ ନୁହଁନ୍ତି । ସେ ହେଉଛନ୍ତି ସି. ବି. ଆଇ ଇନ୍ସପେକ୍ଟର ବ୍ଯୋମକେଶ ବୈରୀଗଞ୍ଜନ । ସେ ଆପଣଙ୍କ ସ୍ବାମୀ ନୁହଁନ୍ତି ; ସେ ହେଉଛନ୍ତି ଇନ୍ସପେକ୍ଟର ସୁଜାତା ବୈରୀଗଞ୍ଜନଙ୍କ ସ୍ବାମୀ । ବ୍ଯୋମକେଶ କନ୍ଷ୍ଟ୍ରକ୍ସନ ନାମରେ କୌଣସି କମ୍ପାନୀ ନାହିଁ । ନିଜ ନାଁ ଯୋଡ଼ି ସେ ବ୍ଯୋମକେଶ କନ୍ଷ୍ଟ୍ରକ୍ସନ ନାମ ଦେଇ ପ୍ରକୃତ ଦୋଷୀ ଧରିବା ପାଇଁ ପ୍ରୟାସ କରି ଆସୁଥିଲେ । ଭଦ୍ରମୁଖା ତଳେ ଥିବା କଳଙ୍କିତ ଚେହେରାର ପର୍ଦ୍ଦାଫାସ୍ କରିବାକୁ ସେ ନିଜକୁ ସାରଥୀ ପାଲଟାସିଂହ ନାମରେ ପରିଚିତ କରି ମିଛ ବିବାହ କରିଥିଲେ ।" ସମସ୍ତେ ବିସ୍ମୟାଭିଭୁତ ହୋଇଗଲେ । ଏତେବଡ଼ ଘଟଣା ଏଯାଏଁ ଲୁଚି ରହିଥିଲା କେମିତି ବୋଲି ଭାବୁଥିଲ । ତଥାପି ବି ବଶ୍ବାସ ଜନ୍ମୁ ନଥିଲା । ସତରେ କ'ଣ ଇଏ ସି. ବି. ଆଇ ଇନ୍ସପେକ୍ଟର ? ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କି ମାରୁଥିଲା ସବୁରି ମନରେ । ସମସ୍ତଙ୍କ ଅଜ୍ଞାତରେ ମୁହଁ ତଳକୁ କରି ମୁରୁକି ହସା ଦେଉଥିଲେ ସୁଲେଖାର ସ୍ବାମୀ ।
ତାଳି ମାରି ହସି ଉଠିଲେ ନିରାନନ୍ଦ । କହିଲେ - "ହାଃ! ହାଃ! ସୁନ୍ଦର ପରିକଳ୍ପନା । ମତେ ଲାଗୁଛି ଆପଣ ଏମ୍. ଏଲ. ଏ. ଭାବରେ ସୁନ୍ଦର ବକ୍ତୃତା ଦେଇ ପାରନ୍ତି । ଆପଣ ଯେ ଖାଲି ସୁନ୍ଦର ବକ୍ତା, ସେତିକି ନୁହେଁ ; ଆପଣ ବୋଧହୁଏ ଜଣେ ସୁନ୍ଦର ନାଟ୍ଯକାର । ନଟକର ଦୃଶ୍ୟକୁ ଠିକ୍ ଭାବରେ ନେଇ ଉପସ୍ଥାପନ କରିବାରେ ମାହିର୍ ଆପଣ । ମାନିବାକୁ ପଡ଼ିବ ଆପଣଙ୍କୁ । ମୁଁ ଆପଣଙ୍କ ଏ ଦୃଶ୍ୟର ସଂଳାପରେ ପ୍ରୀତ ହେଲି ।" ବୀରସେନ କହିଲା - "ନାଟକ ! କାହାକୁ ନାଟକ କହୁଛ ? ଆପଣ ଛାତିରେ ହାତ ରଖି କହି ପାରିବେ କି, ଆପଣଙ୍କ ଭଉଣୀ ସତୀ ସାବିତ୍ରୀ ବୋଲି ? ବାକି ରହିଲା ମୁଁ ଉପସ୍ଥାପନ କରିଥିବା କଥା ଉପରେ ; ସୁଲେଖାର ସ୍ବାମୀଙ୍କୁ ପଚାରନ୍ତୁ ସେ କିଏ । ସେ ଯଦି ମୋ' କଥାକୁ ମିଛ କହିବେ, ମୁଁ ଆପଣଙ୍କର ପ୍ରତିଟି ଦଣ୍ଡକୁ ସାଦରେ ସ୍ବୀକାର କରିନେବ । ଏଇଠି, ଏବେ ଆଉ ଏଇ ମୁହୂର୍ତ୍ତରେ ; ସମସ୍ତଙ୍କ ସାମ୍ନାରେ ପଚାରନ୍ତୁ । ପରିଷ୍କାର ହୋଇଯିବ ସବୁକିଛି ।"
ସମ୍ପୂର୍ଣ୍ଣାର ସ୍ବାମୀ ନିରାନନ୍ଦ ଆଗେଇ ଗଲେ ସୁଲେଖାର ସ୍ବାମୀ ପାଖକୁ । ସାମ୍ନାରେ ଛିଡା ହୋଇ ନତମସ୍ତକ ଥିବା ସୁଲେଖାର ସ୍ବାମୀଙ୍କୁ ଭଲଭାବେ ନିରୀକ୍ଷଣ କରିବା ପରେ ମୃଦୁମନ୍ଦ ସ୍ବରରେ କହିଲେ - "ଭାଇ ! ସମ୍ପୂର୍ଣ୍ଣାର ଭାଇ ଯାହା କହିଗଲେ..........କ'ଣ ସତ ?" ବ୍ଯୋମକେଶ ଏଥର ସଳଖି ଛିଡା ହୋଇ ମୁଣ୍ଡ ଉଠାଇ ନିରାନନ୍ଦଙ୍କୁ ଭଲଭାବରେ ନିରୀକ୍ଷଣ କରିବା ପାଇଁ ଲାଗିଲେ । ବ୍ଯୋମକେଶଙ୍କ ନିରବତାକୁ ଲକ୍ଷ୍ଯ କରି ନିରାନନ୍ଦ ପୁନରାୟ ପ୍ରଶ୍ନ କଲେ "କୁହ ଭାଇ, ସମ୍ପୂର୍ଣ୍ଣାର ଭାଇ ଯାହା କହିଲେ......."
ନିରାନନ୍ଦଙ୍କ ପାଟିରୁ କଥା ନ ସରୁଣୁ ବ୍ଯୋମକେଶ ବାବୁ କହିଲେ - "ହଁ, ସତ । ବୀରସେନ ବାବୁଙ୍କ କଥା ସତ୍ଯ ଅଟେ ।" ଚମକି ପଡିଲେ ନିରାନନ୍ଦ ; କିଛି ପାଦ ପଛକୁ ଘୁଞ୍ଚି ଆସିଲେ । ସ୍ତବ୍ଧ ହୋଇଗଲେ ଉପସ୍ଥିତ ବନ୍ଧୁବାନ୍ଧବ । କଳାକାଠ ପଡିଗଲେ ସମ୍ପୂର୍ଣ୍ଣାର ଶ୍ବଶୁର । ଦେହ ଥରିବାକୁ ଲାଗିଲା ସମ୍ପୂର୍ଣ୍ଣାର ଶ୍ବଶୁର ଏବଂ ସମ୍ପୂର୍ଣ୍ଣାର ସ୍ବାମୀ ନିରାନନ୍ଦଙ୍କର । ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା ସୁଲେଖାଙ୍କୁ । ନିଜର କଳାକାରନାମା ପଦାରେ ପଡ଼ିଯିବା ଭୟରେ ସ୍ଥାନ ଛାଡ଼ି ପଳାଇବାକୁ ବସିଥିବା ସୁଲେଖାଙ୍କର ହାତକୁ ଟାଣି ଧରିଲେ ସ୍ବୟଂ ସି. ବି. ଆଇ ଇନ୍ସପେକ୍ଟର ବ୍ଯୋମକେଶ ବୈରୀଗଞ୍ଜନ ।
ହାତକୁ ଭିଡ଼ି ଆଣି ସାମ୍ନାରେ କଚାଡ଼ି ଦେଲେ ଜୋର୍ରେ । ଚକାମାଡ଼ି ପଡ଼ିଗଲା ସୁଲେଖା ସେଠି । ବ୍ଯୋମକେଶ କହିଲେ - "ପ୍ରମାଣ ନଦେଖି ଚାଲିଗଲେ କେମିତି ହେବ ?" ପକେଟ୍ରେ ହାତ ପୂରାଇ ନିଜର ଆଇ.ଡ଼ି କାର୍ଡଟି କାଢ଼ି ଦେଖାଇଦେଲେ । ସେଥିରେ ସ୍ପଷ୍ଟ ବାରି ହେଉଥିଲା ସେ ଜଣେ ସି. ବି. ଆଇ ଇନ୍ସପେକ୍ଟର ଏବଂ ସେଥିରେ ତାଙ୍କ ନାମ ବ୍ଯୋମକେଶ ବୈରୀଗଞ୍ଜନ ବୋଲି ଉଲ୍ଲେଖ ଥିଲା । ସ୍ତବ୍ଧ ହୋଇଗଲା ସେଠାକାର ପରିବେଶ ; ସମସ୍ତେ ଚକିତ ହୋଇ ପଡ଼ିଲେ । ପୁନରାୟ ପଛ ପକେଟ୍ରେ ହାତ ପୂରାଇ କିଛି କାଗଜର ଜେରକ୍ସ କପି ବାହାର କରି ଦେଖାଇ ଦେଲେ । ଯାହାକି ମେଡ଼ିକାଲ ସମ୍ପର୍କିତ କାଗଜ ଥିଲା ; ସୁଲେଖାର ତିନି -ତିନି ଥର ଗର୍ଭ ନଷ୍ଟ କରିବାର ପ୍ରମାଣପତ୍ର । ବ୍ଯୋମକେଶ ହାତରୁ କାଗଜତକ ଝାମ୍ପିନେଇ ଟିକ୍ ଟିକ୍ କରି ଚିରି ପକାଇଲା ସୁଲେଖା । ହସି ହସି କହିଲାକି - "ନା ରହିବ ବାଉଁଶ , ନା ବାଜିବ ବଇଁଶୀ ; ପ୍ରମାଣ ନଷ୍ଟ ।" ହସି ଉଠିଲେ ବ୍ଯୋମକେଶ । ହଠାତ୍ କହି ଉଠିଲେ - " ନିଜକୁ ଅତି ଚାଲାକ୍ ଭାବିବା ବନ୍ଦ କର । ଏସବୁ ଥିଲା ଜେରକ୍ସ କପି ; ଓରିଜିନାଲ୍ ଏବେ ବି ମୋ' ପାଖରେ ସାଇତା ହୋଇ ରହିଛି ।"
ଚମକି ଉଠିଲା ସୁଲେଖା ; ଚାରିଆଡ଼ ଅନ୍ଧାର । ବୁଦ୍ଧିବାଟ ବଣା ହୋଇ ପଡ଼ିଥିଲା ସୁଲେଖା । ନିଦ ହଜି ଯାଇଥିଲା ନିରାନନ୍ଦଙ୍କ ଆଖିରୁ । ଭୟରେ ଥରୁଥିଲେ ସମ୍ପୂର୍ଣ୍ଣାର ସ୍ବାମୀ ଓ ଶ୍ବଶୁର । ବନ୍ଧୁବାନ୍ଧବମାନେ ସମସ୍ତେ ଆଚମ୍ବିତ ହୋଇ ପଡ଼ିଥିଲେ । ଏତିକିବେଳେ ବୀରସେନ କହିଲା - "ଆଉ ଏକ ବିଶେଷ ଘୋଷଣା ; ବ୍ଯୋମକେଶ ବାବୁ ମୋ' ବାପାଙ୍କ ବନ୍ଧୁଙ୍କର ପୁଅ । ଆଜି ଯଦି ମୁଁ ଏମ୍. ଏଲ୍. ଏ ହୋଇଥାଏ ; କେବଳ ବ୍ଯୋମକେଶ ବାବୁଙ୍କ ପାଇଁ ହିଁ ହୋଇଛି । ମୋ' ଭଉଣୀ ପ୍ରତି ଏମିତି ଅମାନୁଷିକ ନିର୍ଯ୍ୟାତନା ହେବା କଥା ଶୁଣି ମୁଂ ଭାଙ୍ଗି ପଡ଼ିଥିଲି । ବାପାଙ୍କ କଥାକୁ ବିଶ୍ବାସଯୋଗ୍ଯ କରିବାକୁ ସେଦିନ ସାବିତ୍ରୀ ଭାର ନେଇ ମୁଁ ଆସିଥିଲି ଭଉଣୀର ଅବସ୍ଥା ଦେଖିବାକୁ । ଯାହା ଦେଖିଲି ନିଜ ଆଖିକୁ ବିଶ୍ବାସ କରି ପାରିଲିନି । ନିଜକୁ ଶେଷ କରିଦେବି ଭାବି ଘରକୁ ନଯାଇ କାଶୀପୁର ରେଳଧାରଣାରେ ଚାଲୁଥିବା ବେଳେ ଲୌହ ଦାନବର ବଳୟ ଭିତରୁ ଭିଡ଼ି ଆଣିଥିଲେ ମୋତେ ଏଇ ବ୍ଯୋମକେଶ ବାବୁ । ସବୁ ବୃତ୍ତାନ୍ତ ଶୁଣିବା ପରେ ଗୁପ୍ତ ଯୋଜନା ପ୍ରସ୍ତୁତ କଲେ । ସବୁକିଛିର ଠୋସ୍ ପ୍ରମାଣ ମିଳି ସାରିଛି ଜାଣିବା ପରେ ସମୟର ପ୍ରତୀକ୍ଷାରେ ଥିଲୁ । ଆଜି ମିଳିଲା ସୁଯୋଗ ।" ସମସ୍ତେ ଇତଃସ୍ତତ ଭାବେ ସମସ୍ତଙ୍କ ମୁହଁକ ଅନିଆଅନି ହେଲେ ଏବଂ ଟୁପ୍ଟାପ୍ ହେବାକୁ ଲାଗିଲେ ।
ବ୍ଯୋମକେଶ ବାବୁ କହିଲେ - "ଆପଣଙ୍କ ନାମରେ ତିନୋଟି ମର୍ଡ଼ର୍ କେଶ୍ର ପ୍ରୁଭ୍ ଅଛି ଏବଂ ଜଣଙ୍କର ସମ୍ପତ୍ତି ହଡ଼ପ କରି ତାକୁ ପାଗଳ କରିବାର ପ୍ରୁଭ୍ ବି ମୁଁ ରଖିଛି । ଏହି କେଶ୍ରେ ମୁଁ ତୁମକୁ ଆରେଷ୍ଟ୍ କରୁଛି ।" ବୀରସେନ ଡ଼ାକ ଛାଡ଼ିଲା -"ଇନ୍ସପେକ୍ଟର ! ଭିତରକୁ ଆସନ୍ତୁ ।" ଘର ଭିତରକୁ ପଶି ଆସିଲେ ଦୁଇଜଣ ପୋଲିସ୍ । ଜଣେ ଇନ୍ସପେକ୍ଟର ସୁଜାତା, ଯିଏକି ବ୍ଯୋମକେଶଙ୍କର ପ୍ରକୃତ ସ୍ତ୍ରୀ ଓ ଆଉ ଜଣେ କନେଷ୍ଟବଳ । ଇନ୍ସପେକ୍ଟର ସୁଜାତା ହ୍ଯାଣ୍ଡକପ୍ଟାକୁ କନେଷ୍ଟବଳଙ୍କ ହାତକୁ ବଢ଼ାଇ ଦେଲେ । ବ୍ଯୋମକେଶ କହିଲେ - "ଆରେଷ୍ଟ୍ ହିମ୍ ।" କନେଷ୍ଟବଳ ସମ୍ପୂର୍ଣ୍ଣା ଶ୍ବଶୁର ହାତରେ ହ୍ଯାଣ୍ଡକପ୍ ପକାଇନେଇଗଲେ ବାହାରେ ଥିବା ପୋଲିସ୍ ଜିପ୍କୁ । ସମ୍ପୂର୍ଣ୍ଣା ସ୍ତମ୍ଭ ପରିଛିଡ଼ା ହୋଇ ଭାବୁଥିଲା - ଭାଇ ଏସବୁ କାମ କରି ପାରିଲା ! ସତରେ ମୋ' ଭାଇ ମହାନ ; ମୋ' ଭାଇ ହିଁ ଏ ଅଞ୍ଚଳର ପ୍ରକୃତ ବୀର । ଦୂରରୁ ସାଲ୍ଯୁଟ୍ ଜଣାଇବାର ଦେଖି ପାରିଥିଲା ବୀରସେନ ; ସମ୍ପୂର୍ଣ୍ଣାକୁ ଚାହିଁ ମୁରୁକି ହସି ଦେଲା ।
ବ୍ଯୋମକେଶ ଲକ୍ଷ୍ୟ କଲେ ନିରାନନ୍ଦଙ୍କୁ ; ନତମସ୍ତକରେ ଦଣ୍ଡାୟମାନ ସେ । ନିରାନନ୍ଦ ପାଖକୁ ଗଲେ ବ୍ଯୋମକେଶ ଏବଂ କୋମଳ ସ୍ବରରେ ଡ଼ାକି କହିଲେ - "ନିରାନନ୍ଦ ବାବୁ !" ନିରାନନ୍ଦ ମୁଣ୍ଡ ଉଠାଇ ଚାହିଁଲେ । ଉପସ୍ଥିତ ଥିବା ସମସ୍ତ ଲୋକ ଚାହିଁ ରହିଥା'ନ୍ତି ପୁଣି କ'ଣ ଘଟିବାକୁ ଯାଉଛି । ସମ୍ପୂର୍ଣ୍ଣା ଭିଡ଼ ଭାଙ୍ଗି ଆଗକୁ ଆସିଲା ; ବ୍ଯୋମକେଶ ବାବୁଙ୍କ ଗୋଡ଼ ଯୋଡ଼ାକ ଧରି ପକାଇ କାନ୍ଦିବାକୁ ଲାଗିଲା । ବ୍ଯୋମକେଶ ବାବୁ ତଳକୁ ନିରେଖି ଚାହିଁ ଦେଖିଲେ ସମ୍ପୂର୍ଣ୍ଣା ଗୋଡ଼ ଧରି କାନ୍ଦୁଛି । ତାକୁ ତଳୁ ତୋଳି ନେଇ ନିଜ ହାତରେ ଝରି ଯାଉଥିବା ଦୁଇ ଆଖିର ଦୁଇ ଧାର ଲୁହକୁ ପୋଛି ପକାଇ କହିଲେ - "କାହିଁକି କାନ୍ଦୁଛ ମାଆ? କ'ଣ ହୋଇଛି ?" ସମ୍ପୂର୍ଣ୍ଣା କ୍ଷୁର୍ଣ୍ଣ କଣ୍ଠରେ କହିଲା - "ଯେତେହେଲେ ବି ସେ ମୋ' ସ୍ବାମୀ ; ତାଙ୍କର ସମସ୍ତ ଅପରାଧ କ୍ଷମା କର । ସେ ବି କିଛି ଭୂଲ୍ କରି ନାହାନ୍ତି । ତାଙ୍କର ଭୂଲ୍ କେବଳ ଶ୍ବଶୁରଙ୍କୁ ଗଳାଧକ୍କା ମାରି ବିଦାୟ କରିବା ଓ ସବୁ ଅନ୍ଯାୟକୁ ଆଖିବୁଜି ସହିନେବା । ସେ ଦିନେ ବି ମୋତେ ଯାତନା କି ଲାଞ୍ଛନା ଦେଇ ନାହାନ୍ତି । ତାଙ୍କର ସେ ଭୂଲ୍ ପାଇଁ ମୁଁ ଆପଣଙ୍କୁ କ୍ଷମା ମାଗୁଛି । ଆପଣ ମୋ' ସ୍ବାମୀଙ୍କୁ ଛାଡ଼ି ଦିଅନ୍ତୁ ।"
ବ୍ଯୋମକେଶ କହିଲେ - "ମାଆ ! ତୁମର ସୌଭାଗ୍ୟ ଯେ ତୁମେ ଦେବତା ପରି ସ୍ବାମୀଟିଏ ପାଇଛ । କେତେ ତପସ୍ଯାର ଫଳ ସ୍ବରୂପ ଏଭଳି ସ୍ବାମୀ ମିଳେ । ତୁମ ସ୍ବାମୀ ତ ମହାନ ; ତୁମର ଗର୍ବ କରିବା ଉଚିତ ।" ସମ୍ପୂର୍ଣ୍ଣା କିଛି ବୁଝିପାରୁ ନଥାଏ । ବୀରସେନ ବି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛି । କେହି କିଛି ମଧ୍ୟ ବୁଝି ପାରୁନାହାନ୍ତି ।ବୀରସେନକୁ ଲକ୍ଷ୍ୟ କରି ବ୍ଯୋମକେଶ କହିଲେ - "ମୋ' କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ବୀରସେନ ବାବୁ ; ଏ ଖେଳ ମୋର ହିଁ ଥିଲା ।" ବୀରସେନ ଆଶ୍ଚର୍ଯ୍ୟ ହୋଇ ପଚାରିଲା -"ଏ ଖେଳ ଆପଣଙ୍କର ! ହେଲେ କେମିତି ?" ବ୍ଯୋମକେଶ ବୁଝାଇ ଦେଲେ ସବୁ ବୃତ୍ତାନ୍ତ । ବ୍ଯୋମକେଶ କହିଲେ - "ପ୍ରଥମେ ନିରାନନ୍ଦଙ୍କ ଅଜ୍ଞାତରେ ସମ୍ପୂର୍ଣ୍ଣାଙ୍କୁ ନିର୍ଯାତନା ଦେଉଥିଲେ ତାଙ୍କ ଶ୍ବଶୁର । ଯେତେବେଳେ ନିରାନନ୍ଦ ଜାଣିଲେ ମତେ ଅବଗତ କରିଲେ । ମୁଁ ତାଙ୍କୁ କହିଥିଲି ଯେ ସେ ବାପା-ବୋଉଙ୍କର ସପକ୍ଷବାଦୀର ନାଟକ କରିବେ । ବାସ୍, ସେଇଆ ହେଲା ।"
ବୀରସେନ ପୁନର୍ବାର ପ୍ରଶ୍ନ ବାଢ଼ିଲେ - "ଆଉ ମୋ' ବାପାଙ୍କୁ ଗଳାଧକ୍କା ଦେଇ ବିଦାୟ କରିବାଟା ?" ବ୍ଯୋମକେଶ କହିଲେ - "ସେ ଏମିତି ଅଭିନୟ କରିବାକୁ କୁହାଯାଇଥିଲା । ମୁଁ ଜାଣିଥିଲି ତୁମ ବାପା ସେଦିନ ଏଠାକୁ ଆସୁଛନ୍ତି । ତୁମ ବାପାଙ୍କ ଖବର ମୋ' ବାପା ମତେ ଦେଉଥିଲେ । ତେଣୁ ମୁଁ ଏ ଅଭିନୟ କରିବାକୁ ନିରାନନ୍ଦଙ୍କୁ କହିଥିଲି । ଯଦି ତୁମ ବାପାଙ୍କୁ ସେଠୁ ବିଦାୟ କରାଯାଇନଥା'ନ୍ତା, ତେବେ ବିରାଟ କନ୍ଦୋଳ ସୃଷ୍ଟି ହୋଇ କିଛି ବି ଘଟି ଯାଇଥା'ନ୍ତା । ଆମେ ଆଜି ଏ ସୁଯୋଗକୁ ହରାଇଥା'ନ୍ତେ ।" ବୀରସେନ ପ୍ରଶ୍ନ କଲେ - "ତେବେ ସୁଲେଖାଙ୍କର ଏ କଳାକାରନାମା ?" ବ୍ଯୋମକେଶ କହିଲେ - "ସମସ୍ତେ ଜାଣିଥିଲେ । କିନ୍ତୁ ସେତେବେଳକୁ ସମ୍ପୂର୍ଣ୍ଣା ଏ ଘରକୁ ଆସି ନଥିଲେ ଯେତେବେଳେ ସୁଲେଖାଙ୍କ ବିବାହ ହୋଇଥିଲା । ସେତେବେଳେ କେହି ଜାଣି ନଥିଲେ ମୁଁ ସି. ବି. ଆଇ ଇନ୍ସପେକ୍ଟର ବୋଲି ।"
ନିରାନନ୍ଦ ହାତ ଯୋଡ଼ି ବୀରସେନକୁ କ୍ଷମା ମାଗି କହିଲେ - "ମତେ କ୍ଷମା ଦେବ ଭାଇ ; ପ୍ରକୃତ ସତ୍ଯକୁ ଉପସ୍ଥାପନ କରିବା ପାଇଁ ମୁଁ ଆପଣଙ୍କର ମନରେ ଯେଉଁ ଯନ୍ତ୍ରଣା ଦେଇଛି, ସେଲାଗି ମୁଁ ଅନୁତପ୍ତ । ମତେ କ୍ଷମା ଦେବ ଭାଇ । ମୋର ଦୋଷ ଧରିବନି । ସମ୍ପୂର୍ଣ୍ଣା ସତରେ ସର୍ବଗୁଣା ସମ୍ପର୍ଣ୍ଣା ; ସମ୍ପୂର୍ଣ୍ଣା ପରି ଜୀବନସାଥୀଟେ ପାଇଁ ମୁଁ ନିଜକୁ ଗର୍ବ ମନେ କରୁଛି ।" ବୀରସେନ କୁଣ୍ଢେଇ ପକାଇଲା ନିରାନନ୍ଦଙ୍କୁ ଏବଂ କହି ଉଠିଲା - "ଆଇ ଆମ୍ ପ୍ରାଉଡ଼୍ ଅଫ୍ ୟୁ ।" ବ୍ଯୋମକେଶ କହିଲେ - "ଆଉ ଗୋଟିଏ କଥା ଜାଣିଛ ?" ବୀରସେନ ଆଶ୍ଚର୍ଯ୍ୟ ହୋଇ କହିଲା - "କ'ଣ ?" ବ୍ଯୋମକେଶ କହିଲେ - "ତୁମ ଜମି ବିକ୍ରି ହୋଇନି ।" ବୀରସେନ କହିଲା - "ମାନେ !" ବ୍ଯୋମକେଶ କହିଲେ - "ତୁମ ଜମି ତୁମ ଜ୍ବଇଁଙ୍କ ପାଖରେ ଅଛି । ସେ ଜମି ସବୁ ମୁଁ ଲୋକ ପଠେଇ କିଣିଥିଲି ।" ବୀରସେନ ଆଶ୍ଚର୍ଯ୍ୟ ହୋଇଗଲା । "ଇଏ କେମିତି ସମ୍ଭବ ?" - ବିସ୍ମୟ ଭାବରେ ପଚାରିଲା ବୀରସେନ । ବ୍ଯୋମକେଶ କହିଲେ - "ସମ୍ଭବ ; ଆଜିର ଦୁନିଆରେ ଅସମ୍ଭବ ବୋଲି ଶବ୍ଦ ନାହିଁ ।" ସମସ୍ତେ ଚାତକ ପ୍ରାୟ ସବୁକିଛି ଦୃଶ୍ୟକୁ ଦେଖି ସ୍ତବ୍ଧ ହୋଇ ଛିଡ଼ା ହୋଇଥିଲେ । ବ୍ଯୋମକେଶ ନିରାନନ୍ଦଙ୍କୁ କହିଲେ - "ଯାଅ, ଜମିର କାଗଜପତ୍ର ଆଣି ଫେରାଇ ଦିଅ ।" ନିରାନନ୍ଦ ଭିତରକୁ ଚାଲିଗଲେ । ବ୍ଯୋମକେଶ କହିଲେ - " ଗାଁ କୋଠଟଙ୍କା ଏବଂ ସମସ୍ତ ଋଣ ବି ସୁଝା ସରିଛି । ନିରାନନ୍ଦ ବାବୁ ସବୁ ନିଜେ ସୁଝି ଦେଇଛନ୍ତି । ତୁମର ଆଉ ଚିନ୍ତା ନାହିଁ ।"
ସମ୍ପୂର୍ଣ୍ଣା ଏଭଳି ସ୍ବାମୀ ଓ ଏଭଳି ଭାଇ ପାଇ ନିଜକୁ ସତରେ ଗର୍ବିତ ମନେ କରୁଥିଲା । ବୀରସେନ ଏସବୁ ଶୁଣି ଆଚମ୍ବିତ ହୋଇ ପଡ଼ୁଥିଲା । ଘର ଭିତରୁ ବାହାରି ଆସିଲେ ନିରାନନ୍ଦ ବାବୁ ହାତରେ ଗୁଡ଼ାଏ ଦଲିଲ୍ ଧରି । ବୀରସେନର ହାତକୁ ବଢ଼େଇ ଦେଇ କହିଲେ -" ନିଅନ୍ତୁ ଭାଇ, ଆପଣଙ୍କ ଜମିର ସମସ୍ତ କଗଜପତ୍ର ।" ବୀରସେନ କାଗଜପତ୍ର ସବୁ ନେଇ ଖୁସିରେ ଗଦଗଦ ହୋଇ ନିରାନନ୍ଦଙ୍କୁ କୋଳେଇ ନେଲା । ଏ ସମସ୍ତ ଦୃଶ୍ଯ ସରିବା ପରେ ଆଗକୁ ମାଡ଼ି ଆସିଥିଲେ ସମ୍ପୂର୍ଣ୍ଣାର ସାନ ନଣନ୍ଦ ଦୁଲ୍ଲଣୀ । ସମ୍ପୂର୍ଣ୍ଣାର ଗୋଡ ଧରି କ୍ଷମା ମାଗିବାରେ ଲାଗିଲେ । ସମ୍ପୂର୍ଣ୍ଣା ତାଙ୍କୁ ତୋଳି ନେଇ କହି ଉଠିଲା - "ସାନ ଭଉଣୀର ଦୋଷ କ'ଣ ବଡ଼ ଭଉଣୀ ଧରେ ?" ଉଭୟେ କୋଳାକୋଳି ହେଲେ । ହଠାତ ନଜର ପଡ଼ିଗଲା ବୀରସେନର ; କହି ଉଠିଲା ସେ - "ସୁଲେଖା ! ସୁଲେଖା କୁଆଡ଼େ ଗଲା ? ବୋଧହୁଏ ସେ ଏଠାରୁ ଖସି ଚାଲି ଯାଇଛି । ଯାଉ, ସେ କଳଙ୍କିନୀଟିଏ ହୋଇପାରେ ; ଅପରାଧ ତ କରିନି । ଯୁଆଡ଼େ ଯାଉଛି ଯାଉ ।" ସନ୍ଧ୍ଯାରୁ ପ୍ରାରମ୍ଭ ଏ ଦୃଶ୍ୟଟିର ପରିସମାପ୍ତି ଘଟିବା ବେଳକୁ ରାତ୍ରି ତିନିଟା ବାଜି ସାରିଲାଣି । ବ୍ଯୋମକେଶ ଓ ବୀରସେନ ଫେରିଯିବାକୁ ଚାହିଁଲେ । କିନ୍ତୁ ନିରାନନ୍ଦ ବାରଣ କରି କହିଲେ - "ରାତି ତିନିଟା ହେଲାଣି ; ଆଉ ଘଡ଼ିକ ପରେ ରାତି ପାହିବ । ରାତି ପାହୁ ଯିବ ।" ସମ୍ମତି ପ୍ରଦାନ କଲେ ଦୁହେଁ ନିରାନନ୍ଦଙ୍କ କଥାରେ । ରାତିଟା କଟେଇବାକୁ ପଡ଼ିଲା ନିରାନନ୍ଦଙ୍କ ଘରେ। ସକାଳୁ ଫେରିଗଲେ ବ୍ଯୋମକେଶ ଏବଂ ପରେ ପରେ ସେ ଘର ଛାଡ଼ିଲା ବୀରସେନ । ଯେନତେନ ପ୍ରକାରେଣ ଶୁଦ୍ଧିକ୍ରିୟା କର୍ମ ସମାପନ କରିବାକୁ ମଗ୍ନ ରହିଲେ ନିରାନନ୍ଦ ଏବଂ ସମ୍ପୂର୍ଣ୍ଣା । ଘରକୁ ଫେରି ସମସ୍ତ ବୃତ୍ତାନ୍ତ କହିଲା ବୁଲା ସାହୁଙ୍କୁ ବୀରସେନ । ବୁଲା ସାହୁ ଖୁସି କହିଲେ ନସରେ ; ସବ ସୁଖ ମିଳି ଯାଇଛି ସତେ ଯେମିତି ତାଙ୍କୁ । ଆକାଶର ଚନ୍ଦ୍ରମା ନିଜ ହାତରେ ଧରିବାର ସୁଖକୁ ଅନୁଭବ କରି ପାରୁଥିଲେ ବୁଲା ସାହୁ । ଝିଅ ସମ୍ପୂର୍ଣ୍ଣାର ଖୁସି ଫେରି ଆସିବା ଏବଂ ନିଜ ଚାଷଜମି ଫେରି ପାଇବା ଖୁସିରେ ଆତ୍ମହରା ହୋଇ ପଡ଼ୁଥିଲେ ବୁଲା ସାହୁ ।
[28/07, 10:39 pm] Monalisa Bhaunee: ଚାହୁଁ ଚାହୁଁ ବିତିଗଲା ବାରଦିନ । ସେପଟେ ବି ସରିଗଲା ଶୁଦ୍ଧିକ୍ରିୟା । ଏପଟେ କିନ୍ତୁ ଆଧାର ଛାଡ଼ି ସାରିଲେଣି ଚମ୍ପାଦେବୀ । ଚମ୍ପାଦେବୀଙ୍କୁ ଦେଖିବା ପାଇଁ ନିରାନନ୍ଦ ଓ ସମ୍ପୂର୍ଣ୍ଣା ଆସି ପହଞ୍ଚି ଗଲେଣି । ମୃଦୁ କନ୍ଦାକଟା କରି ଚାଲିଥିଲା ସମ୍ପୂର୍ଣ୍ଣା । ବୀରସେନର ବୁଝାସୁଝା ପରେ ଟିକେ ତୁନି ପଡ଼ିଲା ସମ୍ପୂର୍ଣ୍ଣା । ହଷ୍ଟେଲ୍ରେ ରହି ପଢ଼ୁଥିଲେ ସମ୍ପୂର୍ଣ୍ଣାର ପୁଅ - ଝିଅ ସତ୍ଯପୀର ଓ ଯାଜ୍ଞସେନୀ ; ଖବର ପାଇ ଅଜା ଆଇଙ୍କୁ ଦେଖିବା ପାଇଁ ଆସିଲେ । ସେଦିନ ଝିଅ - ଜ୍ବଇଁ ଓ ନାତି -ନାତୁଣୀଙ୍କ ଆଗତ ହେତୁ ଘରଟା ପୂରିଲା ପୂରିଲା ଲାଗୁଥିଲା । ସମସ୍ତେ ଦାଣ୍ଡ ଦୁଆରେ ବସିଥିଲେ ; ବୀରସେନ ଥିଲା ଚମ୍ପାଦେବୀଙ୍କ ପାଖରେ । ହଠାତ ଶୁଭିଲା ବୀରସେନର କ୍ରନ୍ଦନ । ଧାଇଁ ଗଲେ ଘର ଭିତରକୁ ସବୁ । ଉଠିଲା କ୍ରନ୍ଦନର ରୋଳ ; ଘେରିଗଲେ ଚେମଣ୍ଟ ଗ୍ରାମର ସମସ୍ତ ବାସିନ୍ଦା । ବୁଝାସୁଝା କଲେ ସମସ୍ତଙ୍କୁ । ନାନା ବିଧିମତେ ଶବ ସତ୍କାର ସରିଲା । ପଞ୍ଚାୟତ ସାରା ଲୋକଙ୍କର ଭିଡ଼ ; ବିଧିବିଧାନରେ ଶୁଦ୍ଧି କର୍ମ ସମାପନ କଲା ବୀରସେନ । ଗାଁ ଗୋଟାକ ସହ ସାରା ପଞ୍ଚାୟତ ଡ଼ାକି ଖାଇବାକୁ ଦେଲା । ଭଲରେ ସରିଗଲା ସବୁ କାମ ; ବନ୍ଧୁବାନ୍ଧବ ବି ଫେରିଗଲେ । ଘରେ ରହିଲେ ବୀରସେନ, ବୀରୁପାକ୍ଷୀ ଏବଂ ତାଙ୍କ ପୁଅ ବୀରଭଦ୍ର ସହିତ ବୁଢ଼ା ବାପ ବୁଲା ସାହୁ । ବୀରଭଦ୍ରକୁ ବର୍ତ୍ତମାନ ପନ୍ଦର ବର୍ଷ । ସେ ମେଟ୍ରିକ୍ ପରୀକ୍ଷା ଦେଇଛି । ଫଳ ବାହାରିନି ।
କିଛିଦିନ ବିତିଗଲା ; ଦଶମ ପରୀକ୍ଷାର ଫଳ ବାହାରିଲା । ବୀରଭଦ୍ର ଭଲ ନମ୍ବର ରଖି ଟପ୍ପର ହେଲା । କଟକ ରେଭେନ୍ସା କଲେଜର ଛାତ୍ରଟିଏ ହେଲା ସେ । ସମସ୍ତେ ଦାଣ୍ଡ କୁହାକୁହି ହେଲେ ବୀରସେନ ସତରେ ବାବୁ ବନିଗଲା । ଗାଁ ଲୋକମାନେ କହିଲେ - "ଆମ ଗାଁର ଗୌରବ ବୀରସେନ ।" ପଞ୍ଚାୟତ ସାରା କହି ଉଠିଲେ - "ଆମ ପଞ୍ଚାୟତର ପଞ୍ଚାମୃତ ବୀରସେନ ।"ବୀରସେନର ପ୍ରଶଂସା ବ୍ଯାପିବାରେ ଲାଗିଥିଲା । ଦିନକର କଥା ; ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀମାନେ ସଂଙ୍ଘବଦ୍ଧ ଭାବେ ଏକ ନିଛାଟିଆ ରାସ୍ତାରେ ବୀରସେନକୁ ଅଟକାଇବାକୁ ଚେଷ୍ଟା କରି ଅସଫଳ ହୋଇଥିଲେ । ପୋଲିସ୍ ଭ୍ଯାନ୍ର ସାଇରନ ତାଙ୍କୁ ସଫଳତାର ଶିଡ଼ି ଚଢ଼ିବାର ସୁଯୋଗ ଦେଇ ନଥିଲା । ତେଣୁ ଅଳ୍ପକେ ବର୍ତ୍ତି ଯାଇଥିଲା ବୀରସେନ । ନିଜକୁ ସତର୍କ ରଖିବାକୁ ଶତ ଚେଷ୍ଟାରେ ଲାଗି ପଡ଼ିଲା ବୀରସେନ ।
ନଗଦ ଅର୍ଥ ବ୍ଯୟରେ ବୀରସେନ ଗୋଟିଏ ବାଇକ୍ କିଣିଲା । ନିଜର ସୁରକ୍ଷା ପାଇଁ କିଛି ବ୍ଯବସ୍ଥା ଲାଗିପଡ଼ି ଖଞ୍ଜି ଦେଲା । ଚାହୁଁ ଚାହୁଁ ବିତିଗଲା କିଛି ବର୍ଷ । ଅଚାନକ ଆଖି ବୁଜିଦେଲେ ବୁଲା ସାହୁ । ମୃତ୍ଯୁ ବେଳକୁ ଶହେ ପାଞ୍ଚ ବର୍ଷ ବୟସ ହୋଇଥିଲା ବୁଲା ସାହୁଙ୍କୁ । ଲୋକେ କହିଲେ "ଆମ ଗାଁର ସବୁଠୁ ଅଧିକ ବୟସ ବଞ୍ଚିଥିଲେ ବୁଲା ସାହୁ । ଭଲ ଲୋକ ଜଣେ ଚାଲିଗଲେ ।" ଧୂମ୍ଧାମରେ କାର୍ଯ୍ୟ ସରିଗଲା । କାହିଁ କେତେ ଲୋକଙ୍କର ପାଦ ଏ ଗାଁରେ ବୁଲା ସାହୁଙ୍କ ଘରେ ପଡ଼ିଥିଲା ତାଙ୍କ କାମରେ । ଲୋକମାନେ କହୁଥିଲେ - "ବୀରସେନ ପାଇଁ ବୁଲା ସାହୁଙ୍କ ଆତ୍ମା ଶାନ୍ତି ପ୍ରାପ୍ତ କଲା ।" ଏସବୁ କାର୍ଯ୍ଯ ସରିବା ପରେ ପରେ ଅଞ୍ଚଳ ବ୍ଯାପି ଗଲା ମହାମାରୀ । ବହୁ ଲୋକ ମଲେ । ବୀରସେନ ଯାଇ ସବୁ ଅଞ୍ଚଳ ବୁଲି ସମସ୍ତଙ୍କୁ ଉଚିତ୍ ବୁଝାସୁଝା କରି ସରକାରୀ ସ୍ତରରୁ ସହାୟତା ଯୋଗାଇ । ବିଭିନ୍ନ ପ୍ରକାରର ପ୍ରତିଶେଧକ ବ୍ଯବସ୍ଥା ଖଞ୍ଜି ଦେଲା ଏବଂ ଅପମୃତ୍ୟୁର କ୍ଷତି ପୂରଣ ବି ଭରଣା କଲା ।
ପୁନରାୟ ଆସିଲା ନିର୍ବାଚନ । ପାଞ୍ଚ ବର୍ଷରେ ବୀରସେନ ଯାହା କରିଛି ; ସବୁରି ପ୍ରଶଂସାର ପାତ୍ର ପାଲଟି ଯାଇଛି । ସମସ୍ତେ ପୁଣି ଏମ୍. ଏଲ୍. ଏ ପାଇଁ ଲଢ଼ିବାକୁ କହିଲେ ବୀରସେନକୁ । ବ୍ଯୋମକେଶ ବୈରୀଗଞ୍ଜନ କହିଲେ - "ଏମ. ଏଲ୍.ଏ ପାଇଁ ଲଢ଼ ଏଥର । ମୁଁ ଯ କୌଣସି ପ୍ରକାରେ ଆପଣଙ୍କର ଟିକେଟ୍ ବ୍ଯବସ୍ଥା କରିଦେବି । ତମେ ପ୍ରସ୍ତୁତ ହୁଅ ନିର୍ବାଚନ ପାଇଁ । ମୋର ଉପରିସ୍ଥ ଲୋକଙ୍କ ସହ ସୁସମ୍ପର୍କ ଅଛି । ମୁଁ କଥା ଦେଉଛି ତୁମେ ଟିକେଟ୍ ।" ବହୁତ ବୁଝେଇବା ପରେ ରାଜି ହେଲା ବୀରସେନ । ନିର୍ବାଚନ ହେଲା ; ବିଜୟଲାଭ କଲା ବୀରସେନ । ଲାଗିପଡ଼ି ଜନସେବା କରି ଚାଲିଲା । କାହାର ବି ଅଭାବ ରଖିଲାନି । ପାଞ୍ଚ ବର୍ଷ ଭିତରେ ସେ ଯାହା କଲା ; ଆଉ କିଏ ଯଦି ହୋଇଥା'ନ୍ତା କମ୍ସେ କମ୍ ପନ୍ଦର ବର୍ଷ ସମୟ ଲାଗିଥାଆନ୍ତା । ତା'ର କାର୍ଯ୍ଯଦକ୍ଷତାରେ ସମସ୍ତେ ବିସ୍ମିତ ହୋଇଯାଉଥିଲେ । କିଏ କହୁଥିଲା ସୁପର୍ ବ୍ରେନ୍ ପାଇଛି ତ ଆଉ କିଏ କହୁଥିଲା କାମିକା ଲୋକଟେ ; ଆଉ କେହି କେହି କହୁଥିଲେ ଈଏ ହିଁ ପ୍ରକୃତ ସମାଜସେବକ ।
ଏବେ ବୀରସେନର ପୁଅ ବୀରଭଦ୍ରର କଲେଜ ପଢ଼ା ସରିଯାଇଛି । ସେ ଡାକ୍ତରଟିଏଏ ହେବା ପାଇଁ ଜିଦି ଧରିବାରୁ ବୀରସେନ ତାକୁ ଡାକ୍ତରୀ ପାଠ ପଢ଼ିବାକୁ ଅନୁମତି ଦେଇଛି ; ସେ ଏବେ ଡାକ୍ତରୀ ପଢ଼ୁଛି । ବୀରସେନର ବୀରତ୍ୱ ଗାଥା ଗାଁରୁ ସହର ସବୁଠି ନାଗରା ବାଜିଲା ପରି ବାଜୁଛି । ସମସ୍ତଙ୍କ ତୁଣ୍ଡରେ ଖାଲି ବୀରସେନର କଥା । ସତରେ ଆମ ମାଟିର ପ୍ରକୃତ ବୀର ହେଲା ବୀରସେନ । ତା' ପରି ହୀରା କୌଣସି ଖଣିରେ ଏଯାବତ ଠାବ ହୋଇ ପାରିନାହିଁ । ଏହିପରି ସବୁ ବୀରସେନ ବିଷୟରେ ଶୁଣିବାକୁ ମିଳୁଥିଲା ।
ଏ ନିର୍ବାଚନର ମିଆଦା ପୂରିବାକୁ ଆଉ କିଛିଦିନ ବାକି ଥାଏ ; ହଠାତ୍ ଘଟିଲା ଏକ ଅଭାବନୀୟ ଘଟଣା । ସମସ୍ତଙ୍କ ଆଖିରେ ଧୂଳିଦେଇ ଖସି ଯାଇଥିବା ସମ୍ପୂର୍ଣ୍ଣାର ବଡ଼ ନଣନ୍ଦ ସୁଲେଖାର ହଠାତ୍ ଆବିର୍ଭାବ ହେଲା ନିରାନନ୍ଦଙ୍କ ଘରେ । ଘରେ ଥିଲେ ନିରାନନ୍ଦ ଓ ସମ୍ପୂର୍ଣ୍ଣା । ଏକାଠି ବସି କଥା ହେଉଥିଲେ । ହଷ୍ଟେଲ୍ ଛୁଟି ଥିବାରୁ ଯାଜ୍ଞସେନୀ ଓ ସତ୍ଯପୀର ଘରକୁ ଆସିଥା'ନ୍ତି । ସତ୍ଯପୀର ଖେଳିବାକୁ ବାହାରକୁ ଚାଲି ଯାଇଥାଏ । ପାଖ ପଡ଼ିଆରେ ସାଙ୍ଗ ମାନଙ୍କ ସହିତ ଖେଳକୁଦରେ ମାତିଥାଏ । ପାଖ ଘରେ ଗପ ବହି ପଢ଼ୁଥାଏ ଯାଜ୍ଞସେନୀ । ସମୟ ଅପରାହ୍ନ ଚାରିଟା ହେବ । ଘର ଭିତରକୁ ପଶି ଆସିଲା ଝଡ ପରି କେହି ଜଣେ ସ୍ତ୍ରୀ ଲୋକ । ତା'ର ବେଶଭୂଷା ଜଣେ ଆତଙ୍କବାଦୀ ପରି ଲାଗୁଥିଲା । ଜିନ୍ସ୍ ପ୍ଯାଣ୍ଟ୍ -ସାର୍ଟ୍ ସାଙ୍ଗକୁ ବୁଟ୍ - ସୁଜ୍ ଏବଂ ମୁଣ୍ଡରେ ଭିଡ଼ି ଥିଲା କଳା ରଙ୍ଗର କପଡ଼ାଟିଏ । ହାତରେ ଥିଲା ରିଭଲ୍ବଲ୍ ; ଆଖି ଯୋଡ଼ିକ ଦାଉ ଦାଉ ହୋଇ ଜଳୁଥିଲା ଯେମିତି । କେହି ଜଣେ ପଶି ଆସିଲା ଭାବି ଦେଖିଲା ବେଳକୁ ସୁଲେଖା । ଚିହିଁକି ଉଠିଲେ ଉଭୟ ନିରାନନ୍ଦ ଓ ସମ୍ପୂର୍ଣ୍ଣା । ନିରାନନ୍ଦଙ୍କ ପାଟିରୁ ବାହାରି ପଡ଼ିଲା -"ସୁଲେଖା! ତୁ!" ସୁଲେଖା ଟିକେ ଚାପା ଗଳାରେ କହିଲା -" ହଁ, ମୁଁ ; ମୁଁ ସୁଲେଖା ।" ନିରାନନ୍ଦ ପଚାରିଲେ - " ତୋର ଏ କି ବେଶ ?" ସୁଲେଖାର ଉତ୍ତର ଥିଲା ଭିନ୍ନ ପ୍ରକାରର । ସେ କହିଲା - "ଏକ ପ୍ରକାରର ଚଣ୍ଡୀ ରୂପ । ମତେ ଭାରି ଶୋଷ, ମୋର ରକ୍ତ ଦରକାର । ସମ୍ପୂର୍ଣ୍ଣାର ରକ୍ତପାନରେ ମୁଁ ତୃଷା ମେଣ୍ଟାଇବାକୁ ଚାହେଁ ।" ନିରାନନ୍ଦ ଚମକି ପଡିଲେ ଓ କହିଲେ -"ଏମିତି କ'ଣ କହୁଛୁ ? ସେ ତୋର କ'ଣ କଲା ? ତାକୁ ମାରି କି ଲାଭ ପାଇବୁ ?"
ସୁଲେଖା କହିଲା - "ତା' ଭାଇର ଦୋଷ, ସମ୍ପୂର୍ଣ୍ଣାର ନୁହେଁ । କିନ୍ତୁ ବୀରସେନ କରିଥିବା ଭୂଲ୍ ପାଇଁ ସମ୍ପୂର୍ଣ୍ଣାକୁ ପ୍ରାୟଶ୍ଚିତ କରିବାକୁ ପଡ଼ିବ ।" ନିରାନନ୍ଦ ଏବଂ ସମ୍ପୂର୍ଣ୍ଣା ଭୟଭୀତ ହୋଇପଡ଼ିଲେ । ପାଟି ଶୁଣି ଭିତରୁ ଦୌଡ଼ି ଆସିଲ ସମ୍ପୂର୍ଣ୍ଣାର ଝିଅ । ଏ ପ୍ରକାର ଦୃଶ୍ୟ ଦେଖି ସେ ଭୟଭୀତ ହୋଇପଡ଼ିଲା । କିଛି ବି ବୁଝି ପାରୁ ନଥିଲା ସେ । ନିରାନନ୍ଦ ପ୍ରଶ୍ନ କଲେ - "ବୀରସେନ କି ଭୂଲ୍ କଲା ?" ସୁଲେଖା କହିଲା- "ସେଦିନ ମୋ' କଳଙ୍କିତ ଇତିହାସର ଫର୍ଦ୍ଦ ଓଲଟାଇ ମତେ ସବୁରି ପାଖରେ ହୀନ ବୋଲି ପ୍ରମାଣିତ କରିଦେଲା । ତା'ଲାଗି ମୋର ସବୁ ସ୍ବପ୍ନ ଧୂଳିସାତ ହୋଇଗଲା । ତେଣୁ ସମ୍ପୂର୍ଣ୍ଣାକୁ ଶେଷ କରିଦେଲେ ତା'ର ବି ସବୁ ସ୍ବପ୍ନ ଧୂଳିସାତ ହୋଇଯିବ । ଭାଙ୍ଗି ପଡ଼ିବ ସେ ; ଆପେ ଆପେ ମରିଯିବ । ମତେ ଆଉ ରିଭର୍ବଲ୍ ଉଠାଇବା ପାଇଁ ପଡ଼ିବନି । ବାସ୍, ସମ୍ପୂର୍ଣ୍ଣା ମରିବ, ଅଲ୍ବତ୍ ମରିବ ।" ଏକଥା ଶୁଣି ସବୁକିଛି ବୁଝିଗଲା ଯାଜ୍ଞସେନୀ ।
ନିରାନନ୍ଦ କହିଲେ - "ତୁ ସେ ଭୂଲ୍ କରନା, ଗଲା କଥା ଗଲାଣି । ଏବେ ସେ ସବୁ ଭୂଲିଯାଆ ।" ସୁଲେଖା ନଛୋଡ଼ବନ୍ଧା ; ତା'ର ଏକା ଜିଦ୍ ସେ ସମ୍ପୂର୍ଣ୍ଣାକୁ ମାରିବ ହିଁ ମାରିବ । ଯାଜ୍ଞସେନୀ କିଛି ଉପାୟ ନ ପାଇ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲା । ହଠାତ୍ ଦେଖିଲା ଗୋଟିଏ କଣରେ ଲୁହା ପାଇପ୍ଟେ ଅଛି । ଉପାୟ ମିଳିଗଲା ତାକୁ । ଧିରେ ଯାଇ ପାଇପ୍କୁ ଉଠାଇ ପଛପଟୁ ସୁଲେଖାର ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଲା । ସୁଲେଖା ଟଳି ପଡ଼ିଲା ସେଇଠି । ତା' ହାତରୁ ଖସି ପଡ଼ିଥିବା ରିଭର୍ବଲ୍ଟାକୁ ଉଠାଇ ଗୁଳି କରିବାକୁ ଯିବା ବେଳେ ଝଡ଼ ପରି ଭିତରକୁ ପଶି ଆସିଲେ ସି. ବି. ଆଇ ଇନ୍ସପେକ୍ଟର ବ୍ଯୋମକେଶ ବୈରୀଗଞ୍ଜନ ଓ କହିଲେ - "ରୁହ, ଆଇନ୍କୁ ହାତକୁ ନିଅନି ।" ଅଟକି ଗଲେ ନିରାନନ୍ଦ ବାବୁ । ଘର ଭିତରକୁ ପଶି ଆସିଲେ ଆଉ ଜଣେ ଇନ୍ସପେକ୍ଟର ସୁଜାତା ବୈରୀଗଞ୍ଜନ । ବ୍ଯୋମକେଶ କହିଲେ - "ମୁଁ ୟା'କୁ ଗୁଳି କରିବି । ଏଭଳି କଳଙ୍କିନୀ ଏ ସମାଜ ପାଇଁ କଳଙ୍କ । ନିଜର କଳାକାରନାମା ଧରା ପଡ଼ିଯିବା ପରେ ଏଠାକୁ ଆସିଥିଲା ଅଘଟଣ ଘଟେଇବାକୁ । ମୁଁ ତାକୁ ଅଧାବାଟରେ ଦେଖି ଠିକ୍ ଚିହ୍ନି ପାରିଥିଲି । ପୋଲିସ୍କୁ ଫୋନ୍ କରି ଏଇଟାର ପିଛା କଲି । ସେ ଏ ଘର ଭିତରକୁ ପଶିବାର ଦେଖିଲି । ଭାବିଲି କିଛି ଗୋଟେ ଘଟି ସାରିଥିବ ନିଶ୍ଚୟ ।"
ନିରାନନ୍ଦ କହିଲେ - "ତା'ର ହଠାତ୍ ସମ୍ପୂର୍ଣ୍ଣା ଉପରେ ରାଗ ?" ବୀରସେନ ପାଇଁ ସମ୍ପୂର୍ଣ୍ଣାକୁ ବଳି ଚଢ଼େଇବାକୁ ଚାହୁଁଥିଲା ବୋଲି ବ୍ଯୋମକେଶ କହିଲେ । ଅଚେତ ଅବସ୍ଥାରେ ପଡ଼ି ରହିଥାଏ ସୁଲେଖା । ବ୍ଯୋମକେଶ କହିଲେ - "କାଲିର ଖବରକାଗଜରେ ପଢ଼ିବେ ଆତଙ୍କବାଦୀ ସୁଲେଖାର ମୃତ୍ଯୁ ପୋଲିସ୍ ଏନ୍କାଉଣ୍ଟର୍ରେ ।" ଚାପା କର୍କଶ ଗଳାରେ ବ୍ଯୋମକେଶ କହିଲେ - "ଇନ୍ସପେକ୍ଟର ! ଫାୟାର୍ ନାଓ ।" ଇନ୍ସପେକ୍ଟର ଦୁଇ ରାଉଣ୍ଡ୍ ଗୁଳି ଚଳାଇ ଦେଲେ । ସଙ୍ଗେ ସଙ୍ଗେ ଲିଭିଗଲା ଜୀବନ ଦୀପ ସୁଲେଖାର । ବ୍ଯୋମକେଶ ବାବୁ ନିଜ କାନ୍ଧରେ ପକାଇ ନେଇଗଲେ ସୁଲେଖାର ଶବକୁ । ସତକୁ ସତ ପରଦିନ ସକାଳେ ଖବରକାଗଜର ପ୍ରଥମ ପୃଷ୍ଠା ମଣ୍ଡନ କଲା ସୁଲେଖାର ସମ୍ବାଦ । ବଡ଼ ବଡ଼ ଅକ୍ଷରରେ ଲେଖା ଥିଲା -"ପୋଲିସ୍ ଏନ୍କାଉଣ୍ଟର୍ରେ ଆତଙ୍କବାଦୀ ସୁଲେଖାର ମୃତ୍ଯୁ ।" ରାଜ୍ଯ ସାରା ଚହଳ ପଡ଼ିଗଲା ; ଗୁଜବ ଉଠିଲା ଯେ ଓଡ଼ିଶାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ।
ଏ ଖବର ପହଞ୍ଚିଲା ବୀରସେନ ପାଖରେ । ବୀରସେନ ଆସି ଦେଖାକଲା ସି. ବି. ଆଇ ଇନ୍ସପେକ୍ଟର ବ୍ଯୋମକେଶ ବୈରୀଗଞ୍ଜନଙ୍କୁ । ତାଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶୁଣିଲା ପରେ ପ୍ରକୃତ ସତ୍ଯଟାକୁ ବାରି ପାରୁଥିଲା ବୀରସେନ । ନିଜର ଉପସ୍ଥିତି ବୁଦ୍ଧି ପାଇଁ ସାବାସୀ ପାଇଲା ଯାଜ୍ଞସେନୀ । ସରକାର ତତ୍ପର ହୋଇ ଉଠିଲେ ଆତଙ୍କବାଦୀ ଅନୁପ୍ରବେଶ କଥା ଶୁଣି ; ଖୋଜି ଚାଲିଲେ ଆତଙ୍କବାଦୀ ମାନଙ୍କୁ । ସତକୁ ସତ କିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ହୋଇଥିଲା ; କେତେ ଗିରଫ ହେଲେ ତ କେତେ ପୋଲିସ୍ ଓ ଯବାନ୍ ଗୁଳିରେ ସଫା ହେଲେ । ଗୋଟିଏ ଗୁଳିରେ ଦୁଇଟି ଶିକାର ହେବା ଭଳି ଲାଗିଲା । ଚାହୁଁ ଚାହୁଁ ସରିଗଲା ପାଞ୍ଚ ବର୍ଷ । ବୀରସେନର ପୁଅ ଡ଼ାକ୍ତରୀ ପାସ୍ କରି ଘରକୁ ଫେରିଛି । ବାପା ବୀରସେନ ସମିତି ସଭ୍ଯ ଥିବା ବେଳେ କରିଥିବା ଡ଼ାକ୍ତରଖାନାରେ ରୋଗୀ ମାନଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଛି । ଜଣେ ଦକ୍ଷ ଡ଼ାକ୍ତର ଭାବରେ ପରିଚିତ ହୋଇଛି ସେ । ସମସ୍ତଙ୍କୁ ମାଗଣା ସେବା ଯୋଗାଇ ଏବଂ ମାଗଣାରେ ରୋଗୀ ମାନଙ୍କର ଚିକିତ୍ସା କରିବା ଆରମ୍ଭ କରି ଦେଇଛି । ବହୁ ବଡ଼ ବଡ଼ ରୋଗୀମାନେ ଏଠାରୁ ଭଲ ହୋଇ ନୂଆ ଜୀବନ ନେଇ ଫେରୁଛନ୍ତି । ଏପଟେ ବୀରସେନକୁ ଦଳୀୟ ଟିକେଟ୍ ମଳି ଯାଇଛି । ତା'ର କାର୍ଯ୍ଯଦକ୍ଷତାରେ ସନ୍ତୋଷତା ପ୍ରାପ୍ତ କରି ଦଳ ଏଥରକ ଯାଚିକି ଟିକେଟ୍ ଦେଇଛି ।
ବୀରସେନର କାର୍ଯ୍ଯଦକ୍ଷତା, ଲକ୍ଷ୍ୟ ହାସଲ , ପ୍ରତିଶ୍ରୁତି ପୂରଣ ଓ ଉତ୍ତମ ବ୍ଯବହାର ସାଙ୍ଗକୁ ତା' ପୁଅର ମାଗଣା ରୋଗୀ ସେବା ଆଦିରେ ସମସ୍ତ ଜନସାଧାରଣ ପ୍ରୀତ ହୋଇ ପଡ଼ିଛନ୍ତି । ଚା'ଦୋକାନୀଠୁ ପାନ ଦୋକାନ ଏବଂ ଆବାଳ - ବୃଦ୍ଧ - ବନିତା ସମସ୍ତେ ବୀରସେନକୁ ଭଲ ଭାବରେ ଚିହ୍ନି ସାରିଲେଣି । ହାଟବଜାର, ଛକ ଜାଗା, ପଲ୍ଲୀରୁ ସହର ସବୁଠି ବୀରସେନର ବାଃ ବାଃ । ସବୁଠି ବୀରସେନର ଚର୍ଚ୍ଚା ; ସତରେ ସେ "ସୁବର୍ଣ୍ଣ ସନ୍ତାନ" ବୋଲି କିଛି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା ।
ନିର୍ବାଚନ ପ୍ରଚାର ଆରମ୍ଭ ହୋଇ ଯାଇଥାଏ । ଦିନେ ଏକ ଅଘଟଣର ସୂତ୍ରପାତ ହେଲା । ସଭା ଶେଷ କରି ଫେରୁଥିବା ବେଳେ ହଠାତ୍ ଲୋକ ଗହଳି ଭିତରେ ଏକ ଠୋ' କରି ଶବ୍ଦ ହେଲା ; ଯାହାକି କାନଫଟା ଶବ୍ଦ କୁହାଯାଏ । ଟଳି ପଡ଼ିଥିଲା ଏମ. ଏଲ. ଏ ପ୍ରାର୍ଥୀ ବୀରସେନ । ପଛପଟରେ ବାମ ହାତ ଖୁଆରେ ବାଜିଲା ଗୁଳି । ସ୍ତବ୍ଧ ହୋଇଗଲେ ଜନତା । ସଙ୍ଗେ ସଙ୍ଗେ ନେଇଗଲେ ମେଏଡ଼ିକାଲ । ପୁଅ ବୀରଭଦ୍ର ହିଁ ଥିଲା ବାପା ବୀରସେନର ଚିକିତ୍ସକ । ଯାହା ବି ହେଉ ବୀରସେନ ତ ରକ୍ଷା ପାଇ ଯାଇଛି । ସେପଟେ ପୋଲିସ୍ କର୍ମଚାରୀ ମାନେ କଳେବଳେ ଠାଆବ କରି ସାରିଲେଣି ପ୍ରକୃତ ଆସାମୀକୁ । ଏପଟେ ବୀରସେନର ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ଆସାମୀକୁ ଗିରଫ କରି କୋର୍ଟ୍ ଚାଲାଣ ପାଇଁ ବନ୍ଦୋବସ୍ତ ଚାଲିଛି । ଆସାମୀ କୋର୍ଟ୍ ଚାଲାଣ ହେବାର ପରଦିନ ମେଡ଼ିକାଲରୁ ବାହାରିଲା ବୀରସେନ । ସେହିଦିନଟି ହିଁ ଥିଲା ନିର୍ବାଚନ ଦିବସ । ଘରକୁ ଫେରିଲା ବୀରସେନ । ଗାଁ ଲୋକେ ସବୁ ଭୋଟ୍ ଦେଇ ଫେରିଲେ । ସନ୍ଧ୍ଯାରେ କଥୋପକଥନ ପାଇଁ ବୀରସେନ ଘରେ ଆସି ପହଞ୍ଚିଲେ । ବୀରସେନର ସ୍ତ୍ରୀ ଚା' ଜଳଖିଆର ବ୍ଯବସ୍ଥା କରିଦେଲା । ଚା' ଜଳଖିଆ ସାଙ୍ଗକୁ ଆଳାପ ବି ବେସ୍ ଜମିଲା । ବାପ ଅମଳରେ ବାତ୍ଯା ବେଳେ ଗୋଟିଏ ବଖରା ଇନ୍ଦିରା ଆବାସ ମିଳିଥିଲା । ଏବେ କିନ୍ତୁ ବୀରସେନର ଦୁଇ ମହଲା ଛାତ । ପଙ୍ଖା, ଟେଲିଭିଜନ ସବୁକିଛି ସୁବିଧା । କିଛି ସମୟ କଥୋପକଥନ ପରେ ଯିଏ ଯାହା ଘରକୁ ଚାଲିଗଲେ । ରାତିରେ ଟିକେ ସମୟ କଥାବାର୍ତ୍ତା ହୋ ବିଶ୍ରାମ ନେଲେ ବୀରସେନର ପରିବାର ।
କିଛିଦିନ ପରେ ଭୋଟ୍ ଗଣତ ହେଲା ; ବିଜୟ ହେଲା ବୀରସେନର । ଏଥରକ ବି ଏମ. ଏଲ. ଏ ଭାବେ ବିଜୟଲାଭ କଲା ବୀରସେନ । ତା'ର କାର୍ଯ୍ଯଦକ୍ଷତା ଓ ବିପୁଳ ସଂଖ୍ୟାରେ ମତ ପ୍ରାପ୍ତ ସହ ଉତ୍ତମ ଲୋକ ସମ୍ପର୍କକୁ ଆଖି ଆଗରେ ରଖି ତାକୁ ମୁଖ୍ଯମନ୍ତ୍ରୀ କରିବାକୁ ପ୍ରସ୍ତାବ ଆସିଲା । ଏବେ ସେ ବନିଗଲା ମୁଖ୍ଯମନ୍ତ୍ରୀ । ସମସ୍ତେ କୁହାକୁହି ହେଉଥିଲେ - " କ'ଣ ଥିଲା, କ'ଣ ହେଲା । ଆମ ଅଞ୍ଚଳର ନାମ ଉଜ୍ଜ୍ୱଳ କରିଦେଲା ବୀରସେନ ।" ମୁଖ୍ଯମନ୍ତ୍ରୀ ପଦ ପାଇବା ପରେ ସେ ଆରମ୍ଭ କଲା ଗୋଟିଏ ପରେ ଗୋଟିଏ ଉନ୍ନତିମୂଳକ କାର୍ଯ୍ଯକ୍ରମ । ଅବକାରୀ ଦ୍ରବ୍ଯ ଉପରେ ଅହେତୁକ ଅତିରିକ୍ତ ମୂଲ୍ଯ ବର୍ଦ୍ଧିତ କରିଦେଲା । ରାଜ୍ଯର ନଥିପତ୍ର ତନଖିବା ପରେ ଦେଖିଲା ରାଜ୍ଯ ଋଣ ଭାରରେ ବୁଡ଼ି ରହିଛି । ପ୍ରଥମ କାମ ଦୁଇ ବର୍ଷ ଭିତରେ ଆଗ ଋଣ ପରିଶୋଧ କରିବାକୁ ହେବ । ଏଥିପାଇଁ ଜନସାଧାରଣଙ୍କୁ ବି ଶ୍ରେୟ ଦେବାକୁ ହେବ । ସେଲାଗି ସେ ଅବକାରୀ ଦ୍ରବ୍ଯରେ ଅଧିକ ମାତ୍ରାରେ ଅତିରିକ୍ତ ମୂଲ୍ଯ ପକାଇ ଦେଲା । ଡ଼ିଜେଲ ଓ ପେଟ୍ରୋଲ୍ ଦର ହାଉ ହାଉ ହୋଇ ବଢ଼ିବାରେ ଲାଗିଲା । ଫଳରେ ପ୍ରତ୍ଯେକ ଦ୍ରବ୍ଯର ମୂଲ୍ଯ ବୃଦ୍ଧି ହେଲା ।
ଦୀର୍ଘ ଦୁଇବର୍ଷ ଯାଏଁ ଲୋକେ ନୟାନ୍ତ ହୋଇଗଲେ । ଆଗରୁ ବୀରସେନ କେତେ ଭଲ ଥିଲା ; ଏବେ ମୁଖ୍ଯମନ୍ତ୍ରୀ ହୋଇଗଲା ବୋଲି ଇନ୍ଦ୍ରଚନ୍ଦ୍ର ମାନିବନି ନା କ'ଣ ? ଏପରି ଅନେକ କଥା ଶୁଣିବାକୁ ମିଳୁଥିଲା । ଲୋକେ ମୁଖ୍ଯମନ୍ତ୍ରୀଙ୍କୁ ଏକଥା ଜଣାଇଲେ । ମୁଖ୍ଯମନ୍ତ୍ରୀ ଏକ ସଭାର ଆୟୋଜନ କଲେ । ନିଜର ଇଚ୍ଛା ଜଣାଇଲେ ଓ ଜନତାଙ୍କର ମତ ସାଉଁଟିଲେ । ବୀରସେନ ମୁଖ୍ଯମନ୍ତ୍ରୀ ହୋଇଛି ସତ ; ହେଲେ ସେ ତୁମ ମାନଙ୍କ ପରି ସାଧାରଣ ଲୋକଟିଏ ବୋଲି ବୀରସେନର ତୁଣ୍ଡରୁ ଶୁଣି କରତାଳିରେ ଫାଟି ପଡ଼ିଲା ସେ ସଭା ସ୍ଥାନ । ବୀରସେନ କହୁଥିଲା - "ଏ ରାଜ୍ଯ ଆମର ଆଉ ଆମେ ଏ ରାଜ୍ଯର । ରାଜ୍ଯ ଋଣ ଭାରରେ ବୁଡ଼ିଛି । ଏ ରାଜ୍ଯକୁ ଋଣମୁକ୍ତ କରିବାକୁଆମ ମାନଙ୍କର ଶ୍ରେୟ ଦରକାର । ତେଣୁ ମୁଁ ଦୁଇ ବର୍ଷ ସମୟ ମାଗୁଛି ; ମତେ ଆପଣ ଦୁଇ ବର୍ଷ ସମୟ ଦେବେ କି? ଦୁଇବର୍ଷ ଭିତରେ ମୁଁ ସମସ୍ତ ଋଣ ପରିଶୋଧ କରିଦେବି । କିନ୍ତୁ ଆପଣ ମାନଙ୍କୁ ଏ ରାଜ୍ଯ ପାଇଁ କିଛି ବ୍ଯୟ କରିବାକୁ ପଡ଼ିବ । ରାଜ୍ଯ ଋଣ ଭାରରେ ବୁଡ଼ି ରହିଲେ ଋଣଦାତା ଏ ରାଜ୍ଯ ଦଖଲକୁ ନେଇ ଆମକୁ ଶୋଷଣ କରିବ । ତେଣୁ ପ୍ରଥମେ ଋଣ ସୁଝିବା ଦରକାର ଏବଂ ମୋର ପରବର୍ତ୍ତୀ କାର୍ଯ୍ଯପନ୍ଥାହେବ, ଏ ରାଜ୍ଯରୁ ମଦ ବେପାରର ଉଚ୍ଛେଦ । କ'ଣ କହୁଛନ୍ତି ଆପଣମାନେ ?"
କେତେଜଣ ସମର୍ଥନ କଲା ବେଳେ ଆଉ କିଛି ଅସମର୍ଥ ଥିଲେ । ବିରୋଧୀ ଦଳ ସମ୍ପୂର୍ଣ୍ଣ ଏ କାର୍ଯ୍ଯକୁ ବିରୋଧ କରୁଥିଲେ । ବୀରସେନ ପୁଣି କହିବାକୁ ଆରମ୍ଭ କଲା - "ଦେଖନ୍ତୁ, ମୁଁ ଜନତାଙ୍କ ସେବକ । ସେବା କରିବା ମୋର ଧର୍ମ ; ଶୋଷଣ କରିବା ନୁହେଁ । ଆପଣ ମାନଙ୍କ ପାଇଁ ମୁଁ, ମୋ' ପାଇଁ ଆପଣମାନେ ନୁହଁନ୍ତି ।
ଋଣମୁକ୍ତ କରିବାକୁ ଏଇ ଗୋଟିଏ ମାତ୍ର ଉପାୟ ଛଡ଼ା ଅନ୍ଯ ପନ୍ଥା ନାହିଁ । ପୂର୍ବରୁ ଗାଦି ଆରୋହଣ କରିଥିବା ମୁଖ୍ଯମନ୍ତ୍ରୀ ମାନେ ଋଣ ପରେ ଋଣ କରି ରାଜ୍ଯଟାକୁ ଋଣ ଭାରରେ ବୁଡ଼େଇ ରଖିଛନ୍ତି ; ଏତେ ମାତ୍ରାରେ ଋଣ ଭାର ବଢ଼ି ଯାଇଛି ଯେ ପନ୍ଦର ବର୍ଷ ଲାଗିଲେ ବି ସୁଝି ହେବନି । ମୁଁ କିନ୍ତୁ ଦୁଇବର୍ଷ ସମୟ ଭିକ୍ଷା କରୁଛି ଆପଣ ମାନଙ୍କ ଠାରୁ ; କିଛି ମାତ୍ରାରେ ତ ଋଣ ସୁଝି ହୋଇଯିବ । ଆପଣ ମାନଙ୍କ ସୁଚିନ୍ତିତ ମତାମତର ପ୍ରତୀକ୍ଷାରେ ମୁଁ ।" ସମସ୍ତେ କିଛି ସମୟ ନିରବତା ରକ୍ଷା ପରେ ମୁଖ୍ଯମନ୍ତ୍ରୀଙ୍କ କଥାକୁ ସମର୍ଥନ ଜଣାଇ ଏକ ସ୍ବରରେ କହି ଉଠିଲେ - "ହଁ, ଆମେ ରାଜି ।" କିନ୍ତୁ କିଛି ବିରୋଧୀ ଦଳ ନିରବରେ ଥିଲେ । ଆଉ କିଛି ପ୍ରତିବାଦ ମଧ୍ଯ କରୁଥିଲେ । ଏତିକି ଅଭିଭାଷଣ ପରେ ସଭା ସରିଲା ।
ଦୀର୍ଘ ଦୁଇବର୍ଷ ଯାଏଁ ଲୋକ ହନ୍ତସନ୍ତ ହୋଇଗଲେ । ଦରଦାମ୍ ନାହିଁ ନଥିବା ; ଦଶ ଟଙ୍କାର ଜିନିଷ ପଚାଶ ଟଙ୍କା । ଯାହା ବି ହେଉ ଦୁଇବର୍ଷ ଭିତରେ ଅଧା ଋଣ ସୁଝା ସରିଗଲା । ତା'ପରେ ଆଉ ଅଧା ପାଇଁ ଉପାୟ ଚିନ୍ତା କରାଗଲା । ମଦ ବେପାରକୁ ହଠାତ୍ ବନ୍ଦ କରି କାହା ସହ ଶତ୍ରୁତା କରିବାକୁ ଠିକ୍ ମନେ କଲାନି ବୀରସେନ । ତେଣୁ ସୁଚିନ୍ତିତ ଉପାୟଟିଏ ପ୍ରୟୋଗ କଲା । ଅବକାରୀରୁ ଅତ୍ଯଧିକ ଲାଭ ହେଉଛି । ଏପଟେ ଡ଼ିଜେଲ୍ - ପେଟ୍ରୋଲ୍ ରେଟ୍କୁ ବହୁଗଣା କମେଇ ଦେଲା ଏବଂ ମଦ ଉପରେ ଅତି ମାତ୍ରାରେ ଟିକସ ଲଦି ଦେଲା । ତେଲ ଦର ହ୍ରାସ ହେଲା, ତେଣୁ ସବୁ ଦର ଆପେ ଆପେ କମିଗଲା । ଅବକାରୀ ଦ୍ରବ୍ଯର ହାଉଜାଉ ଦର ; ବହୁ ମାତ୍ରାରେ ମଦ ବେପାର ହ୍ରାସ ପାଇଲା । ଚୋରା ଅବକାର ବେପାର ପାଇଁ ଚଢ଼ଉ କରିଇବାକୁ ନିର୍ଦ୍ଦେଶ ଦେବା ସହ ଆଇନ୍କାନୁନ୍ର କଡ଼ାକଡ଼ିଇ ବ୍ଯବସ୍ଥା ହେଲା । ବିନା ଲାଇସେନ୍ସରେ କେହି ବି ଜଣେ ସୁଦ୍ଧା ଅବକାରୀ ଦ୍ରବ୍ଯ ବିକ୍ରି କରିପାରିବ ନାହିଁ - ଏ ଆଇନ୍କୁ ଆହୁରି ସୁଦୃଢ କରି ଦିଆଗଲା । ଲାଇସେନ୍ସର ଦେୟକୁ ବଢ଼େଇ ଦିଆଗଲା । ଦୀର୍ଘ ଏକବର୍ଷ ଭିତରେ ଆହୁରି ଅଧା ଋଣ ସୁଝା ସରିଲା । ଚାରିଭାଗରୁ ତିନି ଭାଗ ଋଣ ପରିଶୋଧ ବର୍ତ୍ତମାନ ।
ଶତକଡ଼ା ପଞ୍ଚସ୍ତରି ଭାଗ ଋଣ ସୁଝା ସରିବା ପରେ ଟିକେ ଆଶ୍ବସ୍ତି ଲାଭ କଲା ବୀରସେନ । ଏବେ ସମସ୍ତ ଚାଷୀଙ୍କୁ ଯୋଗେଇ ଦେଲା ମାଗଣାଆ ବିହନ । ସମସ୍ତେ ସବୁ ପ୍ରକାର ଚାଷ କରିବେ । ସାର, ଔଷଧ ଆଦି ମାଗଣାରେ ପାଇଲେ ଚାଷୀ । ସମସ୍ତଙ୍କୁ ଚାଷ କରିବାକୁ ପରାମର୍ଶ ଦିଆଗଲା । ସଭାସମିତି କରି ବାରମ୍ବାର ଚାଷ ଉପରେ ଗୁରୁତ୍ୱ ଦେବାକୁ କହୁଥିଲା ବୀରସେନ । ସମସ୍ତେ ବିଇ ତା' କଥା ମାନି କରି ଚାଷ କାର୍ଯ୍ୟରେ ଲାଗି ପଡ଼ିଲେ । ଦେଶୀୟ ପରିବା'ର ଚାହିଦା ଅଧିକ ରହିଲା । ଏକପ୍ରକାର ଉନ୍ନତି ଆସିଲା ରାଜ୍ଯରେ । ହଠାତ ବନ୍ଦ କରି ଦିଆଗଲା ମଦ ବେପାରକୁ । ଏ ରାଜ୍ଯ ଭିତରକୁ ମଦ ଆସି ପାରିବ ନାହିଁ ବୋଲି ଘୋଷଣା କଲା ବୀରସେନ । ମଦ ବେପାର ହେଉଥିବା ଜାଗା ଓ ଦେଶୀ ମଦଭାଟି ଉପରେ ଚଢ଼ଉ କରାଗଲା । ମଦ ବେପାରୀ ଓ ମଦ ରନ୍ଧାଳୀଙ୍କୁ ଗିରଫ କରାଗଲା । ଧିରେ ଧିରେ ଗଞ୍ଜେଇ, ଚରସ, ଅଫିମ ଆଦି ମାରାତ୍ମକ ନିଶା ବି ରାଜ୍ଯରେ ବନ୍ଦ ହୋଇଗଲା । ନିଶା ବେପାର କରି ଲାଭବାନ ହେଉଥିବା ବେପାରୀ ମାନେ କ୍ଷୁବ୍ଧ ହୋଇ ଉଠିଲେ ମୁଖ୍ଯମନ୍ତ୍ରୀ ବୀରସେନ ଉପରେ ।
କିଛି ଶିକ୍ଷିତ ତଥା ବୁଝିବାସୁଝିବା ଲୋକମାନେ କହୁଥିଲେ - "ଯାହାହେଉ ଏତେଦିନ ପରେ ଏକ ଆଖିଦୃଶିଆ କାମ ହେଲା ; ରାଜ୍ଯରୁ ମଦବଂଶ ଲୋପାତ ହୋଇଗଲା ।" ପ୍ରତ୍ଯହ ମଦ ସେବକମାନେ କହୁଥିଲେ - "ଯାହା ଟୋପେ ଅଧେ ମିଳୁଥିଲା ; ମୂଳରୁ ଗଲା ।" ମଦ ବେପାର ବନ୍ଦ ହେବା ଯୋଗୁଁ କେତେ ଯେ ଧନ ଜୀବନ ରହିଗଲା । ସମସ୍ତେ ବାଃ ବାଃ କରିବାକୁ ଲାଗିଲେ । ବନ୍ଯା-ବାତ୍ୟାଦିରେ ସମସ୍ତଙ୍କୁ ସହାୟତା ଓ ରାଜ୍ଯ ସାରା ଆଲୋକରେ ପୂରି ଉଠିଲା ପଥପ୍ରାନ୍ତ ଓ ପ୍ରତ୍ଯେକଟି ଘର । ପିଇବା ପାଣିର ସୁବିଧା ଯୋଗାଇ ଦେଲା । ଯୌତୁକ ପ୍ରଥାର ଉଚ୍ଛେଦ କରି କେତେ ଦୀନଦୁଃଖୀଙ୍କର ଆଖିରେ ଭରିଦେଲା ଅସୁମାରି ସ୍ବପ୍ନ । ରାତ୍ରି ସାରା ପୋଲିସ୍ ପେଟ୍ରୋଲିଂର ବ୍ଯବସ୍ଥା ସହ କଠୋର ଆଇନ୍ ବ୍ଯବସ୍ଥା ଖଞ୍ଜି ଦେଲା । ରାଜ୍ଯରେ ଜଣ ଜଣ କରି ସମସ୍ତଙ୍କର ପକ୍କା ଘର, ପାଇଖାନା ଓ ସମସ୍ତ ସୁବିଧା । ପ୍ରତି ଗାଁରୁ ସହର ପକ୍କା ସଡ଼କର ବ୍ଯବସ୍ଥା । ପାଞ୍ଚ ବର୍ଷ ଭିତରେ ଏଭଳି ଉନ୍ନତି କରିବାର କାହାର ନଜରକୁ ଆସିନି କୋଉ ନେତାଙ୍କର । ସମସ୍ତଙ୍କର ପ୍ରିୟଭାଜନ ଓ ପ୍ରଶଂସାର ପାତ୍ର ପାଲଟି ଯାଇଥିଲା ବୀରସେନ । ସମସ୍ତଙ୍କ ଠାରେ ଗୋଟିଏ ନାଁ ଶୁଣିବା ପାଇଁ ମିଳେ - ଆମ ମୁଖ୍ଯମନ୍ତ୍ରୀ ବୀରସେନ । ଆମର ପୁଅ ବୀରସେନ । ଆଉ କେହି କେହି କହୁଥିଲେ ଆମର ଚଳନ୍ତି ମହାପ୍ରଭୁ ମୁଖ୍ଯମନ୍ତ୍ରୀ ବୀରସେନ ।
ଚାହୁଁ ଚାହୁଁ ଚାରିବର୍ଷ ବିତିଗଲା । ବୀରସେନର ପୁଅ ବୀରଭଦ୍ରର ବାହାଘର ବି ଧୂମ୍ଧାମ୍ରେ ସରିଲା । ଗାଁ ପଞ୍ଚାୟତ ସହିତ ବାହାରୁ ଆଗତ ବଡ଼ ବଡ଼ ସରକାରୀ ବାବୁମାନେ ଦାମୀ ବ୍ଯଞ୍ଜନରେ ଆପ୍ଯାୟିତ ହୋଇ ଭୋଜନ ସାରି ପ୍ରୀତରେ ପ୍ରତ୍ଯାବର୍ତ୍ତିଲେ । ପୁଅ ବାହାଘରର ତିନି ମାସ ନ ପୂରୁଣୁ ସ୍ତ୍ରୀ ବୀରୁପାକ୍ଷୀ ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଯଥାବିଧି କ୍ରିୟାକର୍ମ ସମାପନ ହେଏଲା । ନିର୍ବାଚନର ପାଞ୍ଚ ବର୍ଷ ଅବଧି ପୂର୍ଣ୍ଣ ହେବାକୁ ଆଉ କେଇଟା ମାସ ବାକି । ବିମାନ ଦୁର୍ଘଟଣାରେ ପ୍ରାଣତ୍ୟାଗ କଲା ବୀରସେନ । ଚାରିଆଡ଼େ ପଡ଼ିଗଲା ଚହଳ ; ମୁଖ୍ଯମନ୍ତ୍ରୀ ଚାଲିଗଲେ । ପିଲାରୁ ବୁଢ଼ା କାହା ଆଖିରୁ ନ ଝରିଛି ଲୁହ ! ଜନ୍ଦା-ପିମ୍ପୂଡ଼ି, ଗଛପତ୍ର ମଧ୍ୟ ବିଳାପ କରି ଉଠିଲେ । ବହୁଥିବା ସମୀର ହଠାତ୍ ରହିଗଲା ; ଦୋହଲିଲାନି ପାଦପର ପତ୍ର କି ଶୁଭିଲାନି ଚଢ଼େଇ ମାନଙ୍କର କିଚିରିମିଚିରି ଶବ୍ଦ । ଶାନ୍ତ ପଡ଼ିଗଲା ଅଶାନ୍ତ ପରିବେଶ ; ଜଡ଼ ପାଲଟି ଗଲେ ସମସ୍ତେ ।
ରାଜ୍ଯ ସାରା ଖେଳିଗଲା ଶୋକର ଛାୟା । ଅଞ୍ଚଳବାସୀ ମଥାରେ ହାତ ରଖି ଢ଼ାଲୁଥିଲେ ଅଶ୍ରୁବାରି । ସେପଟେ କୋହକୁ ଚାପି ରଖି ପାରୁ ନଥିଲେ ନିରାନନ୍ଦ, ବାରମ୍ବାର ମୂର୍ଚ୍ଛା ଯାଉଥିଲା ସମ୍ପୂର୍ଣ୍ଣା । ପଥର ପାଲଟି ଯାଇଥିଲା ବୀରଭଦ୍ର ଏବଂ ଭୂଇଁରେ ଲୋଟି ପଡ଼ୁଥିଲା ବୀରସେନର ବୋହୂ । ବ୍ଯୋମକେଶର କଥା କହିଲେ ନସରେ । ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିକୁ ପାପୁଲି ଭିତରେ ଲୁଚାଇ ତର୍ଜନୀ, ମଧ୍ୟମା, ଅନାମିକା ଓ କନିଷ୍ଠାକୁ ଏକତ୍ରିତ କରି ତୀର୍ଯ୍ୟକ ଭାବରେ ମଥାରେ ବଙ୍କେଇ ରଖି ଭିନ୍ନ ଏକ ମୁଦ୍ରାରେ ଛିଡ଼ା ହୋଇଥିଲେ ଦଳ ଦଳ ହୋଇ ସାରା ରାଜ୍ଯର ପୋଲିସ୍ ଡ଼ିପାର୍ଟ୍ମେଣ୍ଟ୍ ।
ନା ମିଳିଲା ଭସ୍ମ, ନା ମିଳିଲା ଅସ୍ଥି । ପୁଷ୍ପମାଲ୍ୟ ଅର୍ପଣ କରିବାକୁ ବି ଶରୀରର କୌଣସି ଅଙ୍ଗ ନାହିଁ । ମହାକାଶରେ ଲୀନ ହୋଇଗଲେ ସେ ମହାନ ବ୍ଯକ୍ତିତ୍ବ ; ସୁବର୍ଣ୍ଣ ମାଟିର ସୁନା ପୁଅଟି ଶୋଇଗଲା ଚିରନିଦ୍ରାରେ । କାନେ କାନେ କହି ଗଲା - "ରେ ରେ ଶାସକ ଦଳ ! ଏହିପରି ସେବା କର ; ଶୋଷଣ କରନା । ମାନବ ସେବା ହିଁ ମାଧବ ସେବା ; ଏକଥା ଭୂଲି ଯାଅନା ।" ଚାଲିଗଲା ସିନା କାଳ କାଳକୁ ନିଜକୁ ଅମର କରିଦେଇ ଗଲା । ଆଜି ବି ଲୋକେ ମନେ ରଖିଛନ୍ତି ।
ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଗଲା ମୁଖ୍ଯମନ୍ତ୍ରୀ ବୀରସେନର ଜୀବନ କାହାଣୀ । ତା' ବୀରତ୍ବର ଗାଥା ଶ୍ରବଣ ମାତ୍ରକେ ଟାଙ୍କୁରି ଉଠୁଛି ଲୋମ । ମନେ ପଡ଼ିଯାଉଛି ଅତୀତର ସେ ଘଟଣାବଳୀ ଯାହା ଥିଲା ବୀରସେନର କଥା । ଆଆଜି ବି ଯାହାକୁ ପଚାର ସେ କହିବ କେବଳ ଗୋଟିଏ ନାଁ - ବୀରସେନ ସାହୁ । ସାଧାରଣ ଜ୍ଞାନ ପରୀକ୍ଷାରେ ପିଲାଙ୍କୁ ପଚରାଯିବା ପ୍ରଶ୍ନରେ ବି ତା'ର ନାମଟି ଥିବ ; ପ୍ରକୃତ ବୀର - ବୀରସେନ, ପ୍ରକୃତ ଶାସକ - ବୀରସେନ, ସୁବର୍ଣ୍ଣ ମାଟିର ସୁନା ପୁଅ - ବୀରସେନ । ଆଜି ନାତି-ନାତୁଣୀମାନେ ଆଇମା' କି ଜେଜୀମା' ଠାରୁ କାହାଣୀ ଶୁଣନ୍ତି ବୀରସେନର ଆତ୍ମଜୀବନୀ । ପଞ୍ଚାୟତ ଅଫିସ୍ ସାମ୍ନାରେ ଥିବା କଂକ୍ରିଟ୍ ପ୍ର୍ସତୁତ ପ୍ରତିମୂର୍ତ୍ତିଟି ବୀରସେନର ଚେହେରାକୁ ମନେ ପକେଇଦିଏ ; ଆପେ ଆପେ ଝରିପଡ଼େ ଦୁଇ ଧାର ଉଷ୍ଣ ନୀର ନେତ୍ର ଗିରି କନ୍ଦରରୁ । ବୀରସେନ ଥିଲା ବିର୍ଲ ବ୍ଯକ୍ତିତ୍ବ । ସେ ଏଇ ଜାତିକୁ, ଏଇ ରାଜ୍ଯକୁ ଯେଉଁ ଉପହାର ଦେଇଗଲା, ସେ ଉପହାର ସତରେ ମହାନ ; ସତରେ ମହାନ । ସତରେ, ବୀରସେନ ଥିଲା "ସୁବର୍ଣ୍ଣ ମାଟିର ସୁନା ପୁଅ " ।
%%%%%%%%%%%%%%%%%%%%
ସମ୍ପାଦକ - ଉଦୟ ଭାନୁ
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
Comments
Post a Comment