ତୁଚ୍ଛାରେ ସର୍ବଶ୍ରେଷ୍ଠ ହାସ୍ଯାସ୍ପଦ

ଶିବ ପ୍ରସାଦ ବାହିନୀପତି   


    ଇଲେକ୍ସନରେ ସିଲେକ୍ସନ ହେବାଟା ବଡ଼ କଥା ନୁହେଁ , ସମସ୍ଯା କଲେକ୍ସନ କରି ସଲ୍ଯୁସନ କରିବା ସବୁଠୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ବାସ୍ତବରେ ନେତାମାନେ ଜଣେ ଜଣେ ସମାଜସେବୀ ; ସେବା କରିବା ତାଙ୍କର ଧର୍ମ । ଯଦି ସମାଜର ସେବା କରିବାର ମନୋବୃତ୍ତି ଥିବ , ତେବେ ନେତା ହେବାର କିଛି ପ୍ରୟୋଜନ ନାହିଁ । ନେତା ହେଲେ ଯେ ସେବା କରିବ , ଏକଥା ଭୁଲ୍‌ । ରାଜା ହେବାକୁ ହେଲେ ପ୍ରଥମେ ପ୍ରଜାଙ୍କର ମନୋବଳ ବଢ଼ାଇବାକୁ ପଡ଼େ । ତାଙ୍କ ସୁଖଦୁଃଖରେ ଛିଡ଼ା ହେବାକୁ ପଡ଼େ । ତା'ପରେ ନେତା ପାଇଁ ଆଗଭର ହେଲେ ଜନତା ଆପେ ସମର୍ଥକ ପାଲଟି ଯିବେ । ଆଉ ମୋହର ମାରିବାକୁ କହିବାକୁ ପଡ଼ିବନି ଦୁଆର ଦୁଆର । କଥାରେ ଅଛି - "ଅକାଳେ ନାହିଁ ସକାଳେ ନାହିଁ , ଗହ୍ମା ପୁନେଇଁରେ ମାଇଁ ମାଇଁ" ; ଜୀବନ ସାରା କେହି ତୁମ ମାନଙ୍କର ମୁହଁ ଦେଖି ନଥିବେ , ନିର୍ବାଚନ ବେଳକୁ ଆସି ବାସି ପଖାଳରେ ମୁହଁ ଲଗେଇ ଦେଇ ନାର୍ଯ୍ଯ ଅଧିକାରକୁ ହାତେଇ ନେବେ । ଥରେ ଭୋଟ୍‌ ପାଇଗଲା ପରେ କାଶିଆ କିଏ ନା କପିଳା କିଏ !! ଅଜଣା ଅଚିହ୍ନାର ବ୍ଯବହାରରେ ଜନତା ଭକୁଆ ବନିଯିବେ । ଟିକେଟ୍‌ ପାଇ ମୁକୁଟ ପିନ୍ଧିଲା ପରେ ଖଳନାୟକର ଅଭିନୟଟା ବେଶ୍‌ ଫୁଟି ଉଟିବ ଅତି ସୁନ୍ଦର ଭାବରେ । 

     ଭୋକରେ ମରୁଥିବେ ଭକୁଆ ଜନତା , ଭୋଟ୍‌ ପାଇଁ କିନ୍ତୁ ଉଡୁଥିବ ଗାନ୍ଧି ନୋଟ୍‌ । ଭୋକିଲା ଭୋଟର ଅନନ୍ଯୋପାୟ ନପାଇ ବାଧ୍ଯ ହୋଇ ଶାଗ ମାଛ ଦରରେ ନିଜକୁ ବିକ୍ରି କରି ଚାଲୁଥିବେ ନେତା ମାନଙ୍କ ପାଖରେ । ସେଇଥିପାଇଁ ତ ନେତାମାନେ ଚାହାନ୍ତି ଭୋଟର ସେମିତି ଗରିବ ହୋଇ ଆମ ହାତ ଟେକା ଧନକୁ ଅନେଇ ଥାଉ , ଆଉ ଆମେ ରାଜଗାଦି ଆରୋହଣ କରି ଖଣିଖାଦାନ , ପାଣି ସବୁ ବିକ୍ରି କରି ଦେଶଟାକୁ ଖୋଳ କରି ଚାଲିଥିବୁ । ଲୋକ ଶିକ୍ଷିତ ହେଲେ ସିନା ସିଆଣିଆ ହୋଇଯିବେ , ମୂର୍ଖ ହେଲେ ତ ନେତାଙ୍କୁ ମସୁଧା । ନିଜ ପ୍ରଶଂସା ନିଜ ତୁଣ୍ଡରେ ଗାଇ ନିଜକୁ ମହାନ କହୁଥିବା ନେତା କହିପାରିବେ କି , ସହରର ଚାକଚକ୍ୟ ଭିତରୁ ବାହାରି କେବେ ଗାଆଁର ଲୋକ ମାନଙ୍କ ପାଖକୁ ଆସିଛନ୍ତି କି ତାଙ୍କର ଭଲମନ୍ଦ ବୁଝିବାକୁ ? 

     ବିଭିନ୍ନ ଦଳର ତାରକା ପ୍ରଚାରକ ମାନେ ଲୋକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭଣ୍ଡେଇବା ପାଇଁ ଆସିବେ ଏଇ ନିର୍ବାଚନ ସମୟରେ । ବେତାରରୁ ଦୂରଦର୍ଶନ ଏମିତିକି ଖବରକାଗଜ ପର୍ଯ୍ଯନ୍ତ ସବୁଠି ଘନଘନ ବାର୍ତ୍ତା - "ଆଜି ଅମୁକ ଦଳର ତାରକା ପ୍ରଚାରକ ଓଡ଼ିଶା ଆସି ରୋଡ୍‌ ଶୋ କରିବେ , ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ଏବଂ ସେଠାରୁ ପୁରୀ ଯିବେ ଆଉ ଜଗନ୍ନାଥ ଦର୍ଶନ କରିବେ ।" ଏହି ବାର୍ତ୍ତାରୁ କ'ଣ ବୁଝିଲେ ? ଭୁବନେଶ୍ବର ଓ ପୁରୀ ଦୁଇଟି ସହର । ସହରରେ ଓହ୍ଲାଇ ସହରକୁ ଯିବେ , ଥରେ ଗାଆଁକୁ ଆସି ଦେଖନ୍ତୁ । ଜାଣି ପାରିବେ ଲୋକମାନେ କେମିତି ଅଛନ୍ତି । ଯୋଉ ଜଗନ୍ନାଥଙ୍କୁ ଦେଖିବାକୁ ଯାଉଛନ୍ତି ସେ ଭୁଲି ଯାଉଛନ୍ତି ଯେ ସେହି ଜଗନ୍ନାଥ କୋଟି ଓଡ଼ିଆଙ୍କର ମଉଡ଼ମଣୀ ; ପ୍ରତି ଓଡ଼ିଆଙ୍କ ମୁରବୀ । ମୁରବୀଙ୍କୁ ଦେଖା କରିବା ପୂର୍ବରୁ ଥରେ ତାଙ୍କ ପରିବାର ସହ ଭେଟିବାକୁ ଚେଷ୍ଟା କରନ୍ତୁ , ତା'ପରେ ପରିବାରର ସୁଖଦୁଃଖର ଖବର ନେଇ ମୁରବୀଙ୍କୁ ଗୁହାରି କରିବାକୁ ଯିବେ ଆଉ ନିଜେ ସୁଖଦୁଃଖର ସାଥୀ ହୋଇ ସମସ୍ତଙ୍କର ସହାୟତା କରିବାକୁ ଚେଷ୍ଟା କରିବେ । ତେବେ ଯାଇ ସର୍ବଶ୍ରେଷ୍ଠ ନେତା ଭାବେ ପରିଗଣିତ ହେବେ । ସହରର ଚାକଚକ୍ୟ ଭିତରେ ନିଜକୁ ହଜେଇ ଦେଇ ଶୀତତାପ ନିୟନ୍ତ୍ରିତ ନିବାସ ଭିତରେ ଜୀବନ ବିତାଇ ରାଜନୀତି ତାରକା ପ୍ରଚାରକ ମାନେ କ'ଣ ଜାଣିବେ ଜନତାଙ୍କ କଥା ? ବିଭିନ୍ନ ଦାୟିତ୍ବ ନିର୍ବାହ କରୁଥିବା ବିଭାଗ ତ ଆଗ ପକେଟ ଫୁଲ୍‌ର ରାସ୍ତା କିମ୍ବା ପ୍ରୀୟାପ୍ରୀତି ତୋଷଣର ରାସ୍ତା ଖୋଜୁଛନ୍ତି , ଜନତାଙ୍କ କଥା ବୁଝୁଛି କିଏ ? ତୁଚ୍ଛାଟାରେ ନିଜକୁ ସର୍ବଶ୍ରେଷ୍ଠ ଘୋଷଣା ହାସ୍ଯାସ୍ପଦ ବୋଲି ମନେ ହେଉନାହିଁ କି ? 

ସମ୍ପାଦକ (ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ସମ୍ପାଦକ - ସୁଦେଷ୍ଣା ଖବରକାଗଜ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା