ଭୋକ ବିକଳରେ ତାଟିଆ କାମୁଡ଼ି.....

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


       ୨୦୨୪ ସାଧାରଣ ନିର୍ବାଚନ କିଛି କୁଚକ୍ରୀଙ୍କୁ ଠିକ୍‌ ବୁଦ୍ଧି ଶିଖାଇ ଦେଇଛି । ଏବେ ଭୋକ ବିକଳରେ ତାଟିଆ କାମୁଡ଼ିଲେ କି ଲାଭ ? ଜନତାଙ୍କ ତଣ୍ଟି ଚିପି ତଥା ରାଜସ୍ୱ ଖୋଳ କରି ଚାଲିଥିବା କିଛି ରାଜନେତା ଯେତେବେଳେ ଆଉ କିଛି ନପାଇଲେ , ଫଡ଼ଫଡ଼ ହେବା ତ ସ୍ବାଭାବିକ । ସେକଥାକୁ ଶୁଣୁଛି କିଏ ? ସବୁବେଳେ ଯେ ନିଜେ ଖାଉଥିବ , ତାହାର କିଛି ମାନେ ଅଛି ? କାହାକୁ ତ ହେଲେ ଖାଇବାକୁ ଦିଅ । ସବୁବେଳେ ନିଜେ ଭୋଗ କରିବାଟା ତ ଠିକ୍‌ ନୁହେଁ ।  ଶାସନ ଭାର ଥାଉ କି ନଥାଉ , ସେବା ମନୋବୃତ୍ତି ରହିଲେ ସେବା କରିପାରିବ । ଏତେଦିନ ଶାସନରେ ଥିଲା ବିଜେଡ଼ି, ଯାହା କରିଛି ସମସ୍ତେ ଅବଗତ ହିଁ ଅଛନ୍ତି , ଏବେ ନୂଆ ସରକାର ଆସିଲା ; କ'ଣ କରୁଛି ଦେଖିବାକୁ ବାକି ରହିଲା । ସମାଜରେ ସବୁକିଛିର ପରିବର୍ତ୍ତନ ଅଛି , ଏଥିରେ ଉତ୍‌କ୍ଷିପ୍ତ ହେବାରେ କ'ଣ ଅଛି ? ହାରିବା,- ଜିତିବା ଲାଗି ରହିଛି ; ଭଲ ପରେ ମନ୍ଦ ଓ ମନ୍ଦ ପରେ ଭଲ । ସବୁକିଛିକୁ ଆଦରି ନେବାକୁ ହେବ। ସବୁବେଳେ ଆମେ ଓ ମୁଁ ଭିତରେ ରହି ନିଜକୁ ଛୋଟ ବୋଲି ପରୋକ୍ଷରେ ପ୍ରତିପାଦିତ କରିବା ଅନୁଚିତ । 

      ସାମାଜିକ ଗଣମାଧ୍ୟମରେ ଆମେ ଏଇଆ କରୁଥିଲୁ , ସେଇଆ କରି ଚାଲିଥିଲୁ ବୋଲି ଆତ୍ମବଡ଼ିମା ବଖଣାବଖଣି ଜୋର୍‌ସୋର୍‌ରେ ଚାଲିଛି । ପରସ୍ପର ପ୍ରତି ବାକ୍‌ଯୁଦ୍ଧ ସହିତ ସରକାର ଗଢ଼ା ହେବା ପୂର୍ବରୁ କାର୍ଯ୍ୟସୂଚୀର ବରାଦ ; ଏସବୁ ହୀନ ମାନସିକତାର ଲକ୍ଷଣ ନିଶ୍ଚୟ । ଯୋଉ କାର୍ଯ୍ୟସୂଚୀ ବରାଦ କରୁଛ , ତାହା କ'ଣ ପଚିଶି ବର୍ଷର ଶାସନ ଭିତରେ କରିପାରି ନଥିଲ ? ଚାଷୀ ଆତ୍ମହତ୍ଯାରୁ ଆରମ୍ଭ କରି ଗୁଣ୍ଡାରାଜ୍‌ , ହତ୍ୟା , ଲୁଣ୍ଠନ , ଜୋର୍‌ଜୁଲମ୍‌ ସବୁକିଛି ବେଶ୍‌ ଭଲରକମ୍‌ ଚାଲିଥିଲା । ଧର୍ମୀୟ ଭାବନା ତଥା ଓଡ଼ିଆର ଭାବାବେଗ ସହ କି ପ୍ରକାର ଖେଳ ଖେଳି ଚାଲିଥିଲ ତାହା ଟିକିଏ ମନେ ପକାଅ । 

     ମିଛ ପ୍ରତିଶ୍ରୁତି , ଆମ୍ବ ଦେଖାଇ ଆମ୍ବଡ଼ା ଖୁଆଇ ନିଜେ ଏକପ୍ରକାର ଏକଛତ୍ରବାଦ ଶାସନର ନକ୍ସା ତିଆରି କରିଥିଲ । ଫାଇଭ୍‌ ଟି ନାମରେ ଅନେକ ଅର୍ଥ ଆତ୍ମସାତ , ପଥର କହି ଅଣ୍ଡା ଖୋଳପା ତିଆରି କରିଥିଲ ଯାହା ଅତି ସୂକ୍ଷ୍ମ ଆଘାତରେ ଧୂଳିରେ ମିଶି ଯାଇଛି । ସରକାରୀ ଚାକର ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ତଳେ ଟେଣ୍ଟ ବାନ୍ଧୁଥିଲେ ବଡ଼ ବଡ଼ ନେତା ଆଉ ତାଙ୍କୁ ସୁବିଧାରେ ସଭାସ୍ଥଳରେ ପହଞ୍ଚାଇବା ପାଇଁ ଟ୍ରାଫିକ୍‌ ପୋଲିସ୍‌ ସାଜୁଥିଲେ । ଯୋଉଠି ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତି ରହିବା କଥା , ସେଠି ସରକାରୀ ଚାକର ସବୁକିଛି କରୁଥିଲା ଆଉ ନେତା ମାନେ ସାଜିଥିଲେ ସେଇ ସରକାରୀ ଚାକରର ବୋଲକରା । ଏକଥା କ'ଣ ଜାଣି ପାରି ନଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ !!!

       ମଠ ମନ୍ଦିର ଗୁଡ଼ିକୁ ଭାଙ୍ଗି ମାଟିରେ ମିଶେଇ ଦିଆଗଲା , ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚାରି ଦ୍ବାରକୁ ବନ୍ଦ କରିବା ସହ ରଥଯାତ୍ରାକୁ ବି ବନ୍ଦ କରିବାର ପ୍ରୟାସ ରଚାଗଲା । ପରିକ୍ରମା ପ୍ରକଳ୍ପ ନାମରେ ଲୋକଙ୍କୁ ଭୁଆଁ ବୁଲେଇ ଅର୍ଥ ଆତ୍ମସାତ ତଥା ଲୋକଙ୍କୁ ବୋକା ଭାବି ଭୋଟ୍‌ ପାଇବାର ମସୁଧା ତିଆରି ହେଲା । ୨୦୧୫ରୁ ୨୦୨୪ ବିତିଗଲା , ମୁଣ୍ଡି ମାରି ପାରିଲନି । ବର୍ତ୍ତମାନ ଭଗ୍ନ କୋଣାର୍କ ସେ  । ଭଡ଼ାରେ ଆଣି ଲାଇଟ୍‌ ଲଗେଇ ଥିଲ , ହାରିଯିବା ପରେ ତାକୁ କାଢ଼ି ନେଇଗଲ ; ଏମିତି ଅଯଥା ରାଜସ୍ୱ ବିପର୍ଯ୍ୟୟ ଅପେକ୍ଷା ଲାଇଟ୍‌ କିଣି ଲଗାଇ ଥିଲେ ଭଡ଼ା ଦେଇଥିବା କମ୍ପାନୀ ଆଉ କାଢ଼ି ନେଇ ନଥା'ନ୍ତା । ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି  । ମୋ ବସ୍‌ ଖରାପ , ଲକ୍ଷ୍ମୀ ବସ୍‌ରୁ ବିଜେଡ଼ି ଚିହ୍ନ ଗାଏବ । ଏମିତି ହିସାବ କଲେ କେତେ ଦୁର୍ନୀତିର ପେଡ଼ି ଖୋଲିବ , ତା'ର କଳନା ନାହିଁ ।

      ବରଂ ଭଲ ହେବ , ନିରବ ରୁହ । ଯଦି ସେବା ମନୋବୃତ୍ତି ଅଛି , ତେବେ ରାଜ୍ଯ ତଥା ଦେଶ ଉନ୍ନତିରେ ଭାଗୀଦାର ହୁଅ । ସମସ୍ୟା ଗୁଡିକୁ ଆଗାମୀ ସରକାରଙ୍କୁ ସୂଚାଅ  । ତେବେ ତୁମର ଯୋଗ୍ୟ ଓ ବଡ଼ପଣ ପ୍ରଷ୍ଫୁଟିତ ହେବ । ଏମିତି ବାଡ଼େଇଛାଟି ହେଲେ ନିଜର ହିଁ କ୍ଷତି  ।

ସମ୍ପାଦକ (ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ସମ୍ପାଦକ - ସୁଦେଷ୍ଣା ଖବରକାଗଜ 
ଭାଟପଡ଼ା , ନିରାକାରପୁର   କଣାସ , ପୁରୀ
ଫୋ- ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା