ସାହିତ୍ଯରେ ଆତ୍ମପ୍ରଚାର



କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

   ଖୁବ୍‌ ଜୋର୍‌ରେ ଚାଲିଛି ଓଡ଼ିଆ ଭାଷା - ସାହିତ୍ଯର ପ୍ରଚାର ପ୍ରସାର ; ମାଳମାଳ କବି , କବୟିତ୍ରୀ ଓ ସାହିତ୍ଯିକ । ସମସ୍ତେ ଜଣେ ଜଣେ ଲେଖକ , ପାଠକ ଘର ପ୍ରାୟତଃ ଶୂନ୍ଯ । ଅହରହ ଆୟୋଜନ ସାହିତ୍ଯ ସଭା ; ବଚନ ମଧୁର କିନ୍ତୁ ଅନ୍ତରେ ଜହର । ନିଜ ନିଜର ଆତ୍ମବଡ଼ିମାର ପରିପ୍ରକାଶ । ସମସ୍ତେ ସମ୍ବର୍ଦ୍ଧିତ ପ୍ରତିଭା , ଦର୍ଶକ ଓ ଶ୍ରୋତା ପ୍ରାୟ ନାହାନ୍ତି କହିଲେ ଚଳେ । ଛପା କାଗଜ ଖଣ୍ଡେ ପାଇଁ ଛପା ନୋଟ୍‌ ଗୁଡ଼ାକ ପବନର ଗତିରେ ଇତଃସ୍ତତ ଭାବେ ଧାବମାନ । ସଂସ୍ଥା ପରେ ସଂସ୍ଥା ମୁଣ୍ଡ ଟେକି ଛିଡ଼ା ହୁଏ ହାତ ଟେକା ଧନରେ । କ'ଣ ନା ଆମେ ସାହିତ୍ଯ ଚାଷୀ । ସାରସ୍ବତ କ୍ଷେତରେ ଫଳାଉଛୁ ସୁନାର ଫସଲ ।

      ଯାହା ସଂସ୍ଥାକୁ ନେଇ ଯିଏ ଗର୍ବ କରେ । ନୂଆ ସଂସ୍ଥାଟେ ଗଢ଼ି ଉଠିଲେ କୁଦୃଷ୍ଟି ବର୍ଷା ଅଚାନକ ଅଜାଡ଼ି ହୋଇପଡ଼େ । ଅଜବ ଗଜବ ବ୍ଯବହାରରେ ବେଳେବେଳେ ବଳି ପଡ଼ିଯାଏ ସଂସ୍ଥା ତ ବେଳେବେଳେ ଯଥାସାଧ୍ୟ ଚେଷ୍ଟାରେ ବହୁତ ପ୍ରସାରୀ ପାଲଟି ଯାଏ । ଅର୍ଥ ଦେଇ ସ୍ବାର୍ଥ କିଣାକିଣି ବେଶ୍‌ ବଢ଼ିଯାଏ । ନାମକରା ବକ୍ତା ମାନଙ୍କର ବଛାବଛିରେ ସାହିତ୍ଯ ସମୃଦ୍ଧ ହୁଏ । ଏମିତି ବି ଦୃଶ୍ଯ ହୁଏ , ନିଜ ନିଜ ଭିତରେ ସମ୍ବର୍ଦ୍ଧନାର ଆବଣ୍ଟନ ଚାଲେ । "ଧନ ଦିଅ ମାନ ନିଅ"ର ପରୋକ୍ଷ ପ୍ରଚାର ବେଶ୍‌ ଭଲରକମ ହୁଏ । 

     ସମସ୍ତେ ମଞ୍ଚାସୀନ ହେବାର ଆଶା ସଞ୍ଚରିତ ହୁଏ ମନରେ । କ-ବ-ଚ ଗାରେଇ ବିଶିଷ୍ଟ ଲେଖକର ମାନପତ୍ର ପାଇଯା'ନ୍ତି । କଥା ଓ କାମ ଭିତରେ ଅନେକ ତଫାତ ଥାଏ । ସମାଜକୁ ଦିଗଦର୍ଶନ ଦେଉଥିବା ସ୍ରଷ୍ଟା ବା ବକ୍ତା ବାସ୍ତବରେ ସେମିତି ନଥାଏ । କଥା କୁହା କପିଳା ପରି ଆଚରଣ ଓ ଉଚ୍ଚାରଣରେ ଭିନ୍ନତା ସୃଷ୍ଟି କରେ । ଅନ୍ଯକୁ ଯେଉଁ ଉପଦେଶ ଦିଆଯାଏ , ତାକୁ ନିଜେ କାମରେ କରି ଦେଖାଇବା ଦରକାର ବୋଲି ସେମାନେ ସମ୍ପୂର୍ଣ୍ଣ ଅଜ୍ଞ । ସାହିତ୍ଯ ସଭାର ନିୟମକାନୁନ୍‌ ନଜାଣି ମଞ୍ଚାସୀନ ହୋଇ ଖାଲି ନିଜର ବଡ଼ିମା ବାଢ଼ିବାକୁ ଅନେକ ଲୋକ ଅନେଇ ବସିଛନ୍ତି । କାର୍ଯ୍ଯସୂଚୀକୁ ନିଜ ଫାଇଲ୍‌ରେ ପୁରାଇ ମନଇଚ୍ଛା ନିୟମ ବହିର୍ଭୁତ କାର୍ଯ୍ଯ ସାହିତ୍ଯ ସଭାର ଶ୍ରୀହୀନର ଏକ ପ୍ରମୁଖ କାରଣ । ନିଜର ଆତ୍ମପ୍ରଚାରରେ ଆତ୍ମବିଭୋର ହୋଇ ସଙ୍ଗଠନର ପରିବାରକୁ ବି ପଚାରୁ ନାହାନ୍ତି । ସମ୍ପାଦକ , ସହସମ୍ପାଦକ , ସଭ୍ଯ , ଉପଦେଷ୍ଟା , କାର୍ଯ୍ଯକର୍ତ୍ତା , ସଂଯୋଜକ , ସମ୍ବାଦଦାତା ଏମାନଙ୍କୁ କେହି ସଭାରେ ଚିହ୍ନି ପାରନ୍ତିନି କେବଳ ଏଇ ଆତ୍ମପ୍ରଚାରୀ କିଛି ଜଣଙ୍କ ପାଇଁ । ବ୍ଯବସ୍ଥା ଭିତରେ ଅବ୍ଯବସ୍ଥା କେବଳ ହାତଗଣତି କିଛି ଆତ୍ମଘୋଷିତ ସ୍ରଷ୍ଟା ଓ ବକ୍ତା ମାନଙ୍କ ପାଇଁ । ଏହା କି ପ୍ରକାର ସାହିତ୍ଯ ?

      ନିଜେ ସର୍ବେସର୍ବା ମନେକରି ନୂତନ ପିଢ଼ିଙ୍କୁ ଆଗକୁ ଯିବାକୁ ନଦେବା ସାହିତ୍ଯର ଅଗ୍ରଗତି ନା ଅବନତି ଜାଣିବା ଦରକାର । ସମସ୍ତଙ୍କୁ ସୁଯୋଗ ଦେବା ଜଣେ ସାହିତ୍ୟିକର ବାସ୍ତବିକ ଧର୍ମ ହେବା ଦରକାର । ସୋପାନ ପରେ ସୋପାନ ଅତିକ୍ରମ ପୂର୍ବକ କାର୍ଯ୍ଯସୂଚୀକୁ ଲକ୍ଷ୍ଯ କରି କାର୍ଯ୍ୟ କରିବା ସାହିତ୍ଯ ସଭାର ଶ୍ରୀବୃଦ୍ଧି । ଏହାପରେ ଶାଳୀନତା ବା ସଂଯମତା ରକ୍ଷା କରିବା ସାହିତ୍ଯିକର ଧର୍ମ ହେବା ଉଚିତ । କିଏ କ'ଣ ପଢୁଛି , କହୁଛି ଜାଣିବାକୁ ହେବ । ସଭାରେ ବସି ଅସଂଯତତା ଓ ଅଶାଳୀନତା କରିବା ସାହିତ୍ଯିକର ଧର୍ମ ନୁହେଁ । ମଞ୍ଚରେ ବସି ଫୋନ୍‌ ଚଳାଇବା , ଅନ୍ଯମନସ୍କତା , ଅସଂଯତ ଆଚରଣ ସଭାକୁ ଶ୍ରୀହୀନ କରିଥାଏ । 

      ତେଣୁ ସାହିତ୍ଯ କର , ମର୍ଯ୍ଯାଦା ଉଲ୍ଲଂଘନ କରନାହିଁ । ସବୁକିଛି ସୀମା ଭିତରେ ଓ ସଂଯମତା ଭିତରେ ଆବଦ୍ଧ ରଖିଲେ ପ୍ରକୃତ ସାହିତ୍ଯିକର ମାନ୍ଯତା ମିଳିବ ଓ ବଦାନ୍ୟ ବ୍ଯକ୍ତି ବୋଲି ଭୁରିଭୁରି ପ୍ରଶଂସିତ ହେବେ ।

ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ମୁଖ୍ଯ ସମ୍ପାଦକ - ସୁଦେଷ୍ଣା (ଖବରକାଗଜ)
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା