ଭକ୍ତି ସୁମନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

ଭଜେ ବାସୁଦେବ ହରି ଭକ୍ତିଭାବ ହୃଦେ ଭରି
ଭରା ସିନ୍ଧୁ ଭବ ବାରି ଭଲେ କି ହୋଇବି ପାରି ,
            ଭୁଲାମନ ଭୁଲି ଯାଉଛି ;
ଭକ୍ତିମାର୍ଗ ଜଣା ନାହିଁ ମତେ ନଦିଅ ମୁରୁଛି ।୧

ଭକତ ବତ୍ସଳ ବୋଲି ଭବେ ସିନା ପଡ଼େ ହୁରି
ଭାସି ଗଲି ଭବଜଳେ ଭଗବତ ନିଅ ତୋଳି ,
          ଭଉଁରୀ ଜାଲ କରେ ଧରି ;
ଭକ୍ଷଣାର୍ଥେ ଛକି ବସିଛି କାଳ ରୂପୀ ଶିକାରୀ ।୨

ଭକ୍ତ ପାଇଁ ଭଗବାନ ଭାରତେ ଏହି ପ୍ରମାଣ 
ଭକ୍ତ ଦୁଃଖ ନାଶି ଭବେ ଭକ୍ତାଗ୍ରାହୀଟି ଆପଣ ,
           ଭଜିଥିଲେ ଗଜ - ମୃଗୁଣୀ ;
ଭାବେ ବିହ୍ୱଳିତ ହୋଇ ତାଙ୍କୁ ନେଲେକ ଆପଣି ।୩

ଭଜିଲା ଦିନେ ପାଞ୍ଚାଳୀ ଭକ୍ତିଭାବ ମନେ ଭରି
ଭକ୍ତର ଅସହାୟତା ଭାବି ଉଭା ହେଲ ହରି ,
           ଭରିଦେଲ କୋଟି ବସନ ;
ଭଗାରିହସା ହୋଇଲେ ଦୁଃଶାସନ-ଦୁର୍ଯ୍ୟୋଧନ ।୪

ଭଗବାନ କୁହ ମୋତେ ଭାଲେ ମୋ' କଷଣ କେତେ
ଭବଦୁଃଖ ହର ମୋର ଭଜେ ବିଷ୍ଣୁ ଭକ୍ତିପୂତେ ,
            ଭଣୁଛି ମୁଁ କାବ୍ଯଭୂଷଣ ;
ଭାବଗ୍ରାହୀ ଘେନ ମୋର ଏଇ ଭକତି ସୁମନ ।୫

ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା