ମଣିଷ ଭାଗ୍ଯର ଦାସ

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                     ସମ୍ପାଦକ - ସୁଦେଷ୍ଣା ଖବରକାଗଜ 

   ସବୁଦିନ ପରି ସେଦିନ ବି ସେ ପିଲାଟିକୁ ଅଞ୍ଚଳ ବାସିନ୍ଦା ଓ ପଥଯାତ୍ରୀ ସମସ୍ତ ଦେଖିଥିଲେ ପ୍ଲାଷ୍ଟିକ୍‌ ବଟଲ୍‌ ଗୋଟେଇବାର । ଜୀଣ୍ଣଶୀଣ୍ଣ ଶରୀର ; ପଞ୍ଜରା ହାଡ଼ ଗଣି ହୋଇଯାଉଛି । ପେଟଟା ପଶି ଯାଇଛି ଭିତରକୁ ; ମିଶି ଯାଇଛି ପିଠି ସାଥିରେ । ଟାକୁଆ ଗାଲକୁ କହରା କେଶ ; କଳା ମଚମଚ ଶରୀର । ସତେ ଅବା କୋଇଲା ଖଣିରୁ ଶ୍ରମିକ ଜଣେ ବାହାରି ଆସିଛି । ଆଖି ଯୋଡ଼ିକ ପେଜୁଆ ଓ କୋରଡ଼; ସତେ ଅବା ଭରଣେ ଲେଖାଁ ଚ଼ାଉଳ ଧରିବ । ଚ଼ିରା ଫଟା ଡ୍ରେସ୍‌ , ସେ ପୁଣି କୋଉ ଯୁଗରୁ ସଫା ହୋଇନି । ଏଭଳି ଦୟନୀୟ ଅବସ୍ଥା ଦେଖି ଆବାକାବା ହୋଇଯା'ନ୍ତି ଦେଖଣାହାରୀ । ସବୁଦିନ ସକାଳ ଆଠଟା ବାଜିଲେ ସହରର ଗଳିକନ୍ଦିକୁ ବାହାରି ପଡ଼େ ଜରିପାଲ ଅଖାଟି ଧରି ପିଲାଟି । ସହରର ପ୍ରତି କୋଣାନୁକୋଣ ବୁଲି ବୁଲି ପ୍ଲାଷ୍ଟିକ୍‌ ଓ ଜରି ବଟଲ୍‌ ଗୋଟାଇ ମହାଜନୀକୁ ନେଇ ଦିଏ ଏବଂ ତା'ଠାରୁ ସେସବୁର ପ୍ରତିବଦଳରେ କିଛି ଅର୍ଥ ଆଣି ଆସେ । ସେହି ଅର୍ଥରେ ତା'ର ଘର ଚ଼ଳେ । ଦିନଯାକ ବୁଲି ବୁଲି ଖରା-ବର୍ଷା-ଶୀତ-କାକରର କୋପ ସହି ସହି ମହାଜନୀ ପାଖରେ ଯାଇ ସେସବୁ ପହଞ୍ଚାଇବା ପରେ ମାତ୍ର ଶହେ କି ଦେଢ଼ଶହ ଟଙ୍କା ମିଳେ । ସେହି ଅର୍ଥରେ ତା'ର ଘର ଚ଼ଳେ ; କେବେ କେବେ କୋଡ଼ିଏ କି ପଚ଼ାଶ ଟଙ୍କା ବି ହୁଏ । କେହି ତାକୁ ଆଦରି ନିଏନି କି ସହାନୁଭୂତି ବି ଦେଖାଏନି । କିଛି ଲୋକ କେବଳ ବିଷାଦ ପ୍ରାପ୍ତ କରନ୍ତି ଏବଂ ମନେ ମନେ "ଭଗବାନ ଭରସା ହୁଅନ୍ତୁ" ବୋଲି କହି କର୍ମାଭିମୁଖୀ ହୋଇପଡ଼ନ୍ତି । 

     ସେଦିନ ଥିଲା ଶୁକ୍ରବାର ; ସବୁଦିନ ପରି ସେଦିନ ବି ସେ ପିଲାଟି ସକାଳ ଆଠଟା ବାଜୁ ବାଜୁ ବାହାରି ପଡ଼ିଲା ଜରିପାଲ ଅଖା ଧରି ସହରର ସଫେଦ ରାସ୍ତାକୁ ; ଲାଗିପଡ଼ିଲା ତା' କାମରେ । ବୁଲି ବୁଲି ପହଞ୍ଚିଲା ଏକ ମନ୍ଦିର ନିକଟରେ । ମନ୍ଦିର ଚ଼ାରିପାଖରୁ ସାଉଁଟି ଚ଼ାଲିଲା ଜରି ଓ ପ୍ଲାଷ୍ଟିକ୍‌ ବଟଲ୍‌ । ଜଣେ ବଣିକ ବ୍ଯକ୍ତି ଭିକାରୀ ମାନଙ୍କୁ ଦାନ କରି ଚ଼ାଲିଥିଲେ ବିସ୍କୁଟ୍‌ ପ୍ଯାକେଟ୍‌ ଓ କିଛି ଟଙ୍କା । ଏ ଦୃଶ୍ଯଟି ସେଇ ଜରି ଗୋଟାଳି ପିଲାଟି ଆଖିରେ ପଡ଼ିଲା । ନିରବରେ ଛିଡ଼ା ହୋଇ ନିରୀକ୍ଷଣ କରିବା ପରେ କ'ଣ ଭାବିଲା କେଜାଣି , ଚ଼ାଲିଗଲା ସେ ସ୍ଥାନକୁ ; ବସି ପଡ଼ିଲା ଭିକାରୀ ମାନଙ୍କ ପାଖରେ । ପ୍ରତିବାଦର ଉଚ୍ଚ ପ୍ରତିଶବ୍ଦ ପ୍ରକମ୍ପିତ କରୁଥିଲା ଗଗନ ପବନ - "ଇଏ ଭିକାରୀ ନୁହଁ , ଇଏ ଭିକାରୀ ନୁହଁ ।" କିଛି ଭିକାରୀ ମାନେ ତାକୁ ବେଢ଼ିଗଲେ ଏବଂ ତାକୁ ହାତ ଧରି ଉଠାଇ ଠେଲି ଦେଲେ ଦୂରକୁ । ଜଣେ ଭିକାରୀର ରୁକ୍ଷ କଣ୍ଠରୁ ଝରି ପଡ଼ିଲା କଡ଼ା ଶବ୍ଦ ସଲିଳ । "ଜରି ଗୋଟାଇବା ଲୋକ , ବିସ୍କୁଟ୍‌ ଓ ଟଙ୍କା ଲୋଭରେ ଆମ ଗୋଷ୍ଠୀରେ ବସି ପଡ଼ିଲୁ ! ତୋର ତ ଭାରି ସାହସ ! ଯା', ପଳା ଏଠୁ ; ଆମ ଭାଗରେ ଭାଗ ବସାନା କହିଦଉଛୁ ।" କିଛି ଭିକାରୀଙ୍କର ବିଧା - ଗୋଇଠା ମାଡ଼ରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ଜରି ଗୋଟାଳି ପିଲାଟି । ତା' ଆଖିରୁ ଝରିଗଲା ଗଙ୍ଗା - ଯମୁନାର ଦୁଇଧାର ନୀର । 

     ଏ ଦୃଶ୍ଯ ଦେଖି ବଣିକ ବ୍ଯକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ପିଲାଟି ନିକଟକୁ ଆସି ଚ଼ାଲି ଯାଉଥିବା ପିଲାଟିର ହାତଟାକୁ ଧରି ପକାଇ କହିଲେ - "ରହିଯାଆ ବାପା ।" ବଣିକଟିକୁ ଦେଖି ଭୟରେ ଥରି ଯାଉଥିଲା ପିଲାଟି । ଥରିଲା ଓଠରେ କହିଲା - "ମୋର ଭୁଲ୍‌ ହୋଇଯାଇଛି ବାବୁ ; ଆଉ ଏମିତି କେବେ କରିବିନି । କାଲିଠୁ ଖାଇନି ବୋଲି ବହୁତ ଭୋକ ହେଉଥିଲା ; ଭାବିଲି ଏଠି ଆପଣଙ୍କ ପାଖରୁ ବିସ୍କୁଟ୍‌ ପକେଟ୍‌ଟା ମିଳିଲେ ଖାଇବି । ସେଲାଗି ଏଠାକୁ ଚ଼ାଲି ଆସିଲି ବାବୁ । ହେଲେ ଜାଣି ନଥିଲି ଏଠି ବିସ୍କୁଟ୍‌ ବଦଳରେ ବିଧା-ଗୋଇଠା ଖାଇବାକୁ ମିଳିବ ବୋଲି ।" ବଣିକ ବ୍ଯକ୍ତିଟି ପିଲାଟି ମୁହଁରୁ ଏଭଳି ଉତ୍ତର ଶୁଣି ହତବାକ ହୋଇପଡ଼ିଲେ । ତାଙ୍କର ଦୁଇ ଆଖି ବି ଓଦା ହୋଇ ଆସିଲା । ପଚ଼ାରିଲେ - "କାଲିଠୁ କାହିଁକି ଖାଇନୁ ବାବା ?" ପିଲାଟି କହିଲା - "ବାବୁ , ମୁଁ ଜରି ଓ ପ୍ଲାଷ୍ଟିକ୍‌ ବୋତଲ ଗୋଟେଇ ମହାଜନୀକୁ ଦିଏ ; ଆଉ ସେଇ ବଦଳରେ ମତେ ଯାହା କିଛି ଅର୍ଥ ମିଳେ ସେଇ ଅର୍ଥରେ ମୁଁ ଘର ଚ଼ଳାଏ । କାଲି ମତେ ବହୁତ କମ୍‌ ଅର୍ଥ ମିଳିଲା । ମହାଜନୀ ମତେ ମାତ୍ର ପଚ଼ାଶ ଟଙ୍କା ଦେଲା । ବାପାଙ୍କ ପାଇଁ ଔଷଧ ଆଣି ଆସିଲି । ଆଉ ପାଖରେ ପଇସା ନାହିଁ ମୁଁ କିଛି ଖାଇବି ବୋଲି । ବାପା - ପୁଅ ଉପବାସ କାଲିଠୁ ।" ନେତ୍ର କୋଣ ଆହୁରି ସିକ୍ତ ହେବାରେ ଲାଗିଲା ବଣିକ ବ୍ଯକ୍ତି ଜଣକର । ପଚ଼ାରିଲେ - "ତୋ' ବାପା କ'ଣ କରନ୍ତି ?" ଉତ୍ତର ଆସିଲା - "ମୋ' ବାପା କିଛି କରନ୍ତିନି । ସେ ଅନ୍ଧ ଓ କାଲ ; ଜନ୍ମରୁ ପୋଲିଓ ଆକ୍ରାନ୍ତ ।" ବଣିକ ବ୍ଯକ୍ତି ପୁଣି ପ୍ରଶ୍ନ କଲେ - "ଆଉ ମାଆ ?" ପିଲାଟି ଟିକେ ନିରବତା ରକ୍ଷା କରି କହିଲା - "ମୁଁ ଜଣିନି ।" 

    ବଣିକ ବ୍ଯକ୍ତିଟି ଆହୁରି ଆଶ୍ଚର୍ଯ୍ୟାନ୍ବିତ ହୋଇପଡ଼ିଲେ । ଛୋଟିଆ ବିସ୍ମୟ ଭାବ ପ୍ରକଟର ପ୍ରଶ୍ନଟିଏ ବାଢ଼ିଲେ - "ମାନେ !" ପିଲାଟି କିଛି ବି କହି ନପାରି ନିରବରେ ଥିଲା । ପୁଣି ତା' କାନରେ ବାଜିଲା ପ୍ରଶ୍ନଟିଏ - "ତୋର ମାଆ ନାହିଁ ?" ପିଲାଟି କହିଲା - "ମୋ' ମାଆ କିଏ ମୁଁ ଜାଣିନି ବାବୁ । ମୁଁ ଯାହାକୁ ବାପା ଡ଼ାକୁଛି ସେ ମୋର ନିଜ ବାପା ନୁହଁନ୍ତି ବାବୁ । ମୁଁ ତାଙ୍କର ପାଳିତ ପୁଅ । ସେ ବାହା ହୋଇନାହାନ୍ତି ।" ବଣିକ ବ୍ଯକ୍ତିଙ୍କର ବିସ୍ମୟର ସୀମା ନଥିଲା । ସେ ପୁଣି ପ୍ରଶ୍ନ କଲେ - "ବାପା , ମୁଁ ବୁଝି ପାରିଲିନି । ସେ ତ ବାହା ହୋଇନାହାନ୍ତି ; ପୁଣି ସେ ଅନ୍ଧ - କାଲ ଓ ପୋଲିଓ ଆକ୍ରାନ୍ତ । କେମିତି ପାଳିଲେ ତୋତେ ?" ପିଲାଟି କହିଲା - "ସେ କଥା ଶୁଣିବେ ବାବୁ ?" ବଣିକ ବ୍ଯକ୍ତିଟି ମୁଣ୍ଡ ଟୁଙ୍ଗାରି ହଁ କରିବାରୁ ପିଲାଟି ଆରମ୍ଭ କଲା ତା'ର କାହାଣୀ । 

   "ବାବୁ ! ମୁଁ ଜଣିନି ମୋ' ମାଆ କିଏ  । ହେତୁ ପାଇବା ଦିନଠୁ ମାଆକୁ ଦେଖିନି । ପ୍ରଥମେ ଯାହା ପାଖରେ ଥିଲି ସେ କହୁଥିଲା ମତେ କିଏ ଜନ୍ମ କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ଯାଇଥିଲା , ସେ ମତେ ଆଣି ପାଳିଲେ । ତାଙ୍କର ପୁଅଝିଅ କିଛି ନଥିଲେ । ବିବାହର ବହୁବର୍ଷ ପରେ ଡ଼ାକ୍ତରଙ୍କ ପରାମର୍ଶରୁ ଜଣା ପଡ଼ିଲା ଯେ ତାଙ୍କର ପିଲାପିଲି ହେବ । ସେତେବଳକୁ ମତେ ପାଞ୍ଚବର୍ଷ ବୟସ । ମତେ ଛଅ ବର୍ଷ ହେଲା ବେଳକୁ ତାଙ୍କର ପୁଅଟିଏ ହେଲା । ମତେ ଆଉ ଆଗ ପରି ସ୍ନେହ-ଶ୍ରଦ୍ଧା କଲେନି ସେ । ଛେକରା ନେଙ୍କରା କରିବା ଆରମ୍ଭ କରିଦେଲେ । ଅଳ୍ପ କେତେଦିନ ମୁଁ ପଢ଼ିବାକୁ ଯାଇଛି ; ତା'ପରେ ମତେ ପଢ଼ିବାକୁ ବି ମନା କରିଦେଲେ । ମତେ ପେଟପୂରା ଖାଇବାକୁ ବି ଦେଲେନି ; ମାଡ୍‌ପିଟ୍‌ କଲେ । ସହି ସହି ରହିବାକୁ ପଡୁଥିଲା । ଆଠବର୍ଷ ହେଲା ବେଳକୁ ମତେ ଘରୁ ତଡ଼ି ଦେଲେ । କବାଟ କିଳି ଘରେ ରହିଲେ । ଯେତେ କାନ୍ଦିଲି କେହି ଶୁଣିଲେନି । ଚ଼ାଲି ଚ଼ାଲି ବହୁ ଦୂରକୁ ଚ଼ାଲି ଆସିଲି । ଯିଏ ଯାହା ଦେଲା ଖାଇଲି ଆଉ ପୁଣି ଯୋଉଠି ପାରିଲି ଶୋଇଲି ।" ବଣିକ ବ୍ଯକ୍ତିଙ୍କ ତୁଣ୍ଡରୁ ସ୍ବତଃ ନିର୍ଗତ ହେଲା ଭାଷ୍ଯଟିଏ - "ହେ ଭଗବାନ ! ସେମାନେ ମଣିଷ ନା ପଶୁ ସମସ୍ତେ !"

    ପିଲାଟି ପୁଣି କହିଲା - "ଖାଲି ସେତିକି ନୁହେଁ ବାବୁ ; ଠାକୁରେ ମତେ ସଦୟ ହେଲେ । ଦିନେ ଏମିତି ରାସ୍ତାରେ ଆସୁ ଆସୁ ବହୁ ଜୋର୍‌ରେ ଭୋକ ହେଲା । ଜଣଙ୍କ ଘର ଭିତରେ ପଶିଗଲି ; ଦୁଆର ଖୋଲା ଥିଲା । ଦେଖିଲି ଜଣେ ଲୋକ ସଉପ ବିଛାଇ ଶୋଇଛି । ତାକୁ ଡ଼ାକିଲି - "ବାବୁ ! ମତେ ଭୋକ ହେଉଛି ; କିଛି ଖାଇବାକୁ ମିଳିବ ?"ଲୋକଟି ଉଠି ବସିଲା ଓ ମତେ ଚ଼ାହିଁ ପ୍ରଶ୍ନ କଲା - "କିଏ ମାଆ ତୁମେ ?" ମତେ ଦେଖୁଥିଲା ହେଲେ ଦେଖିପାରୁ ନଥିଲା କାରଣ ସେ ଥିଲା ଅନ୍ଧ । ପାଖରେ ଥିବା ବିସ୍କୁଟ୍‌ ପକେଟ୍‌ଟା ବଢ଼େଇ ଦେଲା । ଖାଇ ଖାଇ ବାହାରକୁ ଚ଼ାଲି ଆସିଲି । କିଛି ବାଟ ଆସିବା ପରେ ଶୋଷ ହେଲା । ପାଣି ମନ୍ଦେ ପିଇବାକୁ ଗୋଟେ ଜଳଖିଆ ଦୋକାନରେ ପହଞ୍ଚିଲି । ସେଠୁ ପାଣି ପିଇ ସାରି ବାହାରକୁ ଆସିଲି । ସନ୍ଧ୍ଯା ହୋଇ ସାରିଥାଏ ; ଜଣଙ୍କ ବାରଣ୍ଡାରେ ଶୋଇ ପଡ଼ିଲି । ଶୀତଦିନ ହେତୁ ଶୀତରେ ଥରୁଥାଏ ମୁଁ । ଜଣେ ଭଲଲୋକ ପହଞ୍ଚିଲେ । ମତେ ଦେଖି ଦୟା କଲେ ଓ ସେହି ଘର ଭିତରକୁ ନେଇଗଲେ । ଘର ଭିତରେ ବସିଥା'ନ୍ତି ଜଣେ ଲୋକ , ଯିଏକି ପୋଲିଓ ରୋଗୀ । ସେ ବ୍ଯକ୍ତି ଜଣକ ତାଙ୍କୁ ବଡ଼ ପାଟିରେ କହିଲେ - "ଜେଜେ ! ଏ ପିଲାଟି ବାହାରେ ଶୋଇଥିଲା , ୟା'କୁ ଭିତରେ ଶୁଆଅ ତମେ ।" ସେଇଠୁ ଜାଣିଲି ଏ ଲୋକଟି କାଲା । ସେ କାଲା ଲୋକଟି ଉତ୍ତର ଦେଲା - "କିଏ ଇଏ ? ମୁଁ ତ ଦେଖି ପାରୁନି ।" ଘୁଷୁରି ଘୁଷୁରି ପାଖକୁ ଆସିଲାରୁ ଜାଣିଲି ସେ ଅନ୍ଧ ଓ ପୋଲିଓ ଆକ୍ରାନ୍ତ । ମତେ ନେଇଥିବା ବ୍ଯକ୍ତି ଜଣକ କହିଲେ - "ଅତି ଛୋଟ ପିଲାଟିଏ ।" ସେ ଚ଼ାଲିଗଲେ ତା'ପରେ । 

   ମତେ ଆଶ୍ରୟ ଦେଇଥିବା ଲୋକଟି କହିଲେ - "ଧନ ! ତମେ ପୁଅ ନା ଝିଅ ?" ମୁଁ କହିଲି ବଡ଼ ପାଟିରେ - "ତମେ କ'ଣ ଦେଖି ପାରୁନ ବାବୁ ?" ସେ କହିଲେ - "ଦେଖା ଯାଉଥିଲେ ପଚ଼ାରିଥା'ନ୍ତି କ'ଣ ପାଇଁ ?" ମୁଁ କହିଲି - "ମୁଁ ପୁଅ ।" ସେ କହିଲେ - "ବାହାରେ କାହିଁକି ଶୋଇଥିଲ ବାପା ?" ମୁ ସବୁ ବୃତ୍ତାନ୍ତ କହିବା ପରେ ସେ କାନ୍ଦି ପକାଇଲେ । ମତେ କୋଳକୁ ଟାଣି ନେଇ କହିଲେ - "ଏତେ ନିଷ୍ଠୁର ଏ ଦୈବ ! ଏଡ଼େ ବକଟେ ପିଲାଟିକୁ କେତେ କଷ୍ଟ ଦେଉଛନ୍ତି ?" ମୁଁ ତାଙ୍କ କାନ୍ଧ ଉପରୁ ମୋ' ମୁଣ୍ଡ ଉଠାଇ ନେଇ ତାଙ୍କ ଆଖିରୁ ଲୁହ ପୋଛି ଦେଲି । ସେ ମତେ କହିଲେ - "କିଛି ଖାଇଛୁ ?" ମୁଁ ମନା କଲି । ସେ କହିଲେ - "ଏଇଠି କୋଉଠି ଥୁଆ ହୋଇଛି ଦେଖ୍‌ ତ ରୋଟି । ଗାଁର ଜଣେ ନାତୁଣି ଆଣି ଦେଇଥିଲା ।" ମୁଁ ଦେଖିଲି ଗୋଟେ ପ୍ଲାଷ୍ଟିକ୍‌ ଥାଳିଆରେ ଖଲିପତ୍ରଟେ ଘୋଡ଼ାହୋଇ ରହିଛି । ଖୋଲି ଦେଖିଲି ଦୁଇପଟ ରୋଟି ଓ ଆଳୁ-ବିନ୍‌ସ୍‌ ଭଜା ପୁଞ୍ଜେ । ସେ ପୁଣି ପ୍ରଶ୍ନ କଲେ - "ପାଇଲୁ କି ଧନ ?" ମୁଁ କହିଲି - "ହଁ ବାବୁ , ପାଇଲି । କିନ୍ତୁ ଏଥିରେ ତ ଦୁଇପଟ ରୋଟି ଅଛି ।" ସେ କହିଲେ - "ସେତିକି କ'ଣ ପାଇବନି ତୋତେ ?" ମୁଁ କହିଲି - "ହଁ , କିନ୍ତୁ ତମେ କ'ଣ ଖାଇବ ?" ସେ କହିଲେ - "ଧନ ! ତୁ ଖାଇଲେ ମୋ' ପେଟ ପୂରିଯିବ । ଏ ଗାଁ ଲୋକ ଯାହା ଯିଏ ଦେଲେ ଖାଉଛି , ମୁଁ ତ ଅକର୍ମଣ୍ୟ ।"
    
    ମୁଁ ବହୁତ ଭାବିବା ପରେ କହିଲି - "ନାଇଁ ବାବୁ , ଆମେ ଦୁଇଜଣ ବାଣ୍ଟିକି ଖାଇବା ।" ସେ କହିଲେ - "ତୁ ଭୋକିଲା ଅଛୁ ଆଗ ଖାଆ ।" ମୁଁ କହିଲି - "ମୋର ପଟେ , ଆଉ ତୁମର ପଟେ । ମୁଁ ଖୁଆଇ ଦେବି ।" ସେ କହିଲେ - "ମୁଁ ହାତରେ ଖାଇଦେବି । ଦେ' ମୋ' ହାତକୁ ଦେ' ।" ମୁଁ କହିଲି - "ନା , ମୁଁ ଖୁଆଇ ଦେବି ।" ମୁଁ ତାଙ୍କୁ ପଟେ ରୋଟି ଓ ଭଜା ଖୋଇଦେଲି । ଆରପଟକ ମୁଁ ଖାଇଲି । ପାଖରେ ଥିବା ପାଣି ଲୋଟା ଓ ଗ୍ଲାସ୍‌ ଉଠାଇ ତାଙ୍କୁ ପାଣି ଦେଲି । ସେ ପିଇ ସାରିବା ପରେ ମୁଁ ପିଇଲି । ସେ ମତେ କହିଲେ - "ଶୋଇପଡ଼ ଧନ ।" ମୁଁ କହିଲି - "ବାବୁ ! ଗୋଟେ କଥା କହିବି ?" ସେ କହିଲେ - "କହ , କ'ଣ କହିବୁ ?" ମୁଁ କହିଲି - "ମୁଁ ତୁମ ସହ ସବୁଦିନ ରହିବି , ମତେ ରଖିବ ?"

    ସେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ - "ହେଲେ , ତୁ ମୋ' ପାଖରେ ରହିଲେ ଅସୁବିଧା । ମତେ ଗାଁ ଲୋକ ଯାହା ଦିଅନ୍ତି ମୁଁ ଖାଏ । ତୁ ହଇରାଣ ହେବୁ ।" ମୁଁ କହିଲି - "ଯଦି ମୁଁ ତୁମ ପୁଅ ହୋଇଥା'ନ୍ତି ?" ସେ କହିଲେ - " ହେଲେ ......... ।" ଅଧାରେ ଅଟକି ଗଲେ । ମତେ ଆଣି ଛାଡ଼ି ଥିବା ଲୋକଟି ବାହାରେ ରହି ସବୁ ଶୁଣୁଥିଲା ବୋଲି ମୋର ଧାରଣା ନଥିଲା । ହଠାତ ଭିତରକୁ ଆସି କହିଲା - "ତୁ ଏଇଠି ହିଁ ରହିବୁ । ଆମେ ଦେବୁ , ଖାଇବୁ । ବୁଢ଼ାର କେହି ନାହିଁ  । ତା' ପାଖରେ ରହିଲେ ଭଲ ।" ମୁଁ ଖୁସି ହୋଇଗଲି । ସେ ବି ମୋତେ କୋଳେଇ ନେଇ କହିଲେ - "ଧନ ! ସତରେ ତୁ ମୋର ପୁଅ ।" ମତେ ସେଠି ଜୁଟେଇ ଥିବା ଲୋକଟି ଏକ ମହାଜନୀ ପାଖରେ ପହଞ୍ଚାଇ ଏଇ କାମରେ ନିୟୋଜିତ କଲା । ଜନ୍ମରୁ ଅନ୍ଧ-କାଲା ଓ ଛୋଟା ବୋଲି ସେ ବାହା ହୋଇନାହାନ୍ତି । ସେଇଦିନଠୁ ମୁଁ ତାଙ୍କୁ ବାପା ଡ଼ାକି ଆସୁଛି ଓ ସେଇଠି ଅଛି । ସୁବିଧା ଅସୁବିଧାରେ ଗାଁ ଲୋକ ଆମର ସହାୟତା କରନ୍ତି । ଏଇ ମୋର ଦୁ଼ଃଖ କାହାଣୀ ବାବୁ ।"

    ବଣିକ ବ୍ଯକ୍ତିଙ୍କର ବୁକୁ ବିବରର କୋହ ଗୁଡ଼ାକ ଉତ୍ତାଳ ତରଙ୍ଗ ପରି ବାହାରକୁ ଧସେଇ କୂଳ ଲଂଙ୍ଘି ଚ଼ାଲି ଆସିଲା । କୁଣ୍ଢାଇ ପକାଇ କାନ୍ଦି ଚା଼ଲିଲେ , କହିଲେ - ବାବା ! ତୁ ମୋର ପୁଅ ହେବୁ ?" ପିଲାଟି କହିଲା - "ନାଇଁ ବାବୁ , ମୁଁ ଜଣକର ପୁଅ ହୋଇସାରିଛି । ତାଙ୍କୁ ଛାଡ଼ି କୁଆଡେ ଯିବି ? ଅସମୟରେ ମତେ ଆଶ୍ରୟ ଦେଇଥିବା ଲୋକ ମୋର ଈଶ୍ୱର । ମୁଁ ଅନ୍ୟାୟ କରିବିନି ।" ବଣିକ ବ୍ଯକ୍ତିଟି କହିଲେ - "କିଏ କହିଲା ତୋତେ ଛାଡ଼ିବାକୁ ? ସେ ବି ମୋ' ବାପା ହେବେ । ମୁଁ ବି ତାଙ୍କୁ ବାପା ଡ଼ାକିବି । ମୋ' ପୁଅର ସୁରକ୍ଷା କରିଥିବା ଲୋକ ମୋର ପୂଜ୍ୟ ପିତୃତୁଲ୍ଯ । ତୁ ଆଉ ସେ ଆମ ଘରକୁ ଯିବ । ମୋ' ଘରେ ରହିବ ।" ପିଲାଟି ନିରୁତ୍ତର ଥିଲା । ଭାବୁଥିଲା ତା' ଭାଗ୍ୟ କୁଆଡେ ତାକୁ ଟାଣି ନଉଛି । 

    ବଣିକ ବ୍ଯକ୍ତିଟି ଭିକାରୀ ମାନଙ୍କୁ ବହୁତ ଭର୍ତ୍ସନା କଲେ ଓ ଅବଶିଷ୍ଟ ଦ୍ରବ୍ଯ ତାଙ୍କୁ ଦେଇ ପିଲାଟିକୁ ନେଇ ଏକ ଫାଇଭ୍‌ ଷ୍ଟାର ହୋଟେଲରେ ଖାଇବାକୁ ଦେଲେ । ଆଗରୁ ସେ ଏତେ ଦାମୀ ଓ ସୁଆଦିଆ ଖାଇବା ଖାଇ ନଥିଲା କେବେ ; ପେଟ ପୂରାଇ ଖାଇଲା । ବଣିକ ବ୍ଯକ୍ତି ଜଣକ ପିଲାଟିର ବାପା ପାଇଁ ଖାଇବା ପାର୍ସଲ କରି ପିଲାଟିକୁ ସାଥିରେ ନେଇ ତା' ଘରକୁ ଗଲେ । କେବେ ଗାଡ଼ିରେ ବସି ନଥିବା ପିଲାଟି ଶୀତତାପ ନିୟନ୍ତ୍ରଣ କାର୍‌ରେ ବସି ତା' ଘରକୁ ଗଲା । ଗାଡ଼ିରେ ଯିବା ବେଳେ ବଣିକ ବ୍ଯକ୍ତି ଜଣକ ପଚ଼ାରିଲେ - "ହଁ , ତୋ' ନାଁ ପଚ଼ାରିବାକୁ ଭୁଲି ଯାଇଛି ମୁଁ ।" ପିଲାଟି ସଙ୍ଗେ ସଙ୍ଗେ ଉତ୍ତର ଦେଲା - "ମୋ' ନାଁ ମୁଁ ଜାଣିନି । ପ୍ରଥମେ ଯୋଉଠି ଥିଲି , ସେମାନେ ମୋତେ ବସବ ବୋଲି ଡ଼ାକୁଥିଲେ । ଏଠି ମତେ ବାପା ଧନ ବୋଲି କହନ୍ତି ।" ବଣିକ ବ୍ଯକ୍ତିଟି ପୁଣି ପ୍ରଶ୍ନ କଲେ  - "ତୋ' ବାପାଙ୍କ ନାଁ ?" ସେ କହିଲା - " ଏଇ ବାପାଙ୍କ ନାଁ ?" ବଣିକ ବ୍ଯକ୍ତି କହିଲେ - "ହଁ , ଏଇ ବାପା ।" ସେ କହିଲା - "ଏଠି ସମସ୍ତେ ତାଙ୍କୁ ଦୟା ଜେଜେ ବୋଲି ଡ଼ାକନ୍ତି ।"

     ଏମିତି କଥାବାର୍ତ୍ତା ଭିତରେ ଗାଡ଼ିଟି ପିଲାଟିର ବାସସ୍ଥାନ ପାଖରେ ପହଞ୍ଚି ଗଲା , ଯେତେବେଳେ ପିଲାଟି କହିଲା - "ଏଇଠି ଗାଡ଼ି ରଖ , ଏଇ ଘର ଆମର ।" ପିଲାଟି ଆଶ୍ଚର୍ଯ୍ୟ ଓ ବଣିକ ବ୍ଯକ୍ତିଟି ବି ବିସ୍ମୟାଭିଭୂତ ଘର ସାମ୍ନାରେ ଗାଁ ଯାକ ଲୋକଙ୍କ ଗହଳି ଦେଖି । ପିଲାଟି ଦୌଡ଼ି ଗଲା ଘର ଭିତରକୁ , ନିସ୍ତେଜ ହୋଇ ପଡ଼ି ରହିଛନ୍ତି ଦୟା ଜେଜେ । ପିମ୍ପୂଡ଼ି ବି ବେଢ଼ି ଗଲେଣି । ବୁଝିବାକୁ ଆଉ ବାକି ନଥିଲା ତା'ର ଯେ ତା' ବାପା ଚ଼ିରନିଦ୍ରାଶାୟୀ । କଣ୍ଠ ଫଟାଇ କାନ୍ଦିଲା । ସମସ୍ତ ଲୋକଙ୍କର ସାନ୍ତ୍ବନା ବାଣୀ ଝରି ପଡ଼ୁଥିଲା ପିଲାଟି ଉପରେ । ବହୁ କଷ୍ଟରେ ଆୟତ୍ତ କରେ ତାକୁ ସମସ୍ତେ ।

    ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ ଶ୍ମଶାନରେ ଶବଦାହ ହେଲା । ବଣିକ ବ୍ଯକ୍ତି ଠାରୁ ସବୁକିଛି ଶୁଣି ଗ୍ରାମବାସୀଏ ଆଶ୍ବସ୍ତି ହେଲେ ; ପିଲାଟିକୁ ସାହାରା ମିଳିଗଲା ଜାଣି ଖୁସି ହେଲେ । ପୁରୋହିତଙ୍କ କହିବା ମୁତାବକ ବାବ ଦେଲା ମୁଖାଗ୍ନି ଏବଂ ପାଳିତ ପୁତ୍ର ହିସାବରେ ଶୁଦ୍ଧିକ୍ରିୟା ବି କରିଲା । ସମସ୍ତ ଖର୍ଚ୍ଚ ଏଇ ବଣିକ ବ୍ଯକ୍ତି ଜଣକ କଲେ । ସମସ୍ତ କାର୍ଯ୍ଯ ଶେଷ କରି ବାବକୁ ଧରି ନିଜ ଘରକୁ ଗଲେ ବଣିକ ବ୍ଯକ୍ତି ।

    ଘରେ ପହଞ୍ଚିଲେ ; ବହୁତ ବଡ଼ଘର ଦେଖି ଆଚ଼ମ୍ବିତ ହୋଇ ପଡ଼ିଲା ବାସବ । ଭାବୁଥିଲା - "ଏମାନେ ବି ମତେ ଘରୁ ଛାଡ଼ିଦେବେନି ତ !" ଚ଼ାକର ବାକରଙ୍କର ଅଭାବ ନାହିଁ । ସେ ଅଞ୍ଚଳରେ ବହୁତ ଖାତିର ତାଙ୍କର । ପୁଅଟି ସାପ କାମୁଡ଼ାରେ ମରିଯିବା ପରେ ବହୁତ ଭାଙ୍ଗି ପଡ଼ିଥିଲେ ବଣିକ ବ୍ଯକ୍ତିଙ୍କର ସ୍ତ୍ରୀ । ଏବେ ପୁଅଟିକୁ ପାଇ ବହୁତ ଖୁସି ହୋଇଗଲେ । ଅତି ସ୍ନେହ ଶ୍ରଦ୍ଧାରେ ରହିଲା ସେ । ସେତେବେଳକୁ ତାକୁ ପନ୍ଦର ବର୍ଷ ବୟସ । ପାଠ ବି ପଢ଼ିଲା , ଲେଖା ପଢ଼ା ଜାଣିଲା । ସେଇଦିନ ଠାରୁ ସେ ତାଙ୍କର ପୁଅ ।

    ମେଟ୍ରିକ୍‌ ଫେଲ୍‌ ହେଲେ ବି ତାଙ୍କ ନିଜର ଫାଇଭ୍‌ ଷ୍ଟାର ହୋଟେଲ କଥା ବୁଝେ । ଅଚ଼ଳାଚ଼ଳ ସମ୍ପତ୍ତିର ମାଲିକ ସେ । ବାହା ହୋଇ ପୁଅଟିଏ ହୋଇଗଲାଣି ତା'ର । ପୁଅଟି ବି ପଞ୍ଚମ ଶ୍ରେଣୀର ଛାତ୍ର । ବଣିକ ବ୍ଯକ୍ତି ଓ ତାଙ୍କ ସ୍ତ୍ରୀ ଏବେ ପାଚ଼ିଲା ପତର । କେତେବେଳେ ଝଡ଼ି ପଡ଼ିବେ ସୀମା ନାହିଁ । ମଣିଷର ଭାଗ୍ଯ କେତେବେଳେ କାହାକୁ କୋଉଠି ପହଞ୍ଚାଏ , ତା'ର ହିସାବ ନାହିଁ । ଭାଗ୍ଯ ହାତରେ ବନ୍ଧା ପଡ଼ିଛି ମଣିଷ । କିଏ କହିଲା ଦଇବ ବଡ଼ ନିର୍ଦ୍ଦୟ ବୋଲି ? ମନ ଜାଣି ଫଳ ଦିଏ ; କର୍ମାନୁଯାୟୀ ଫଳପ୍ରାପ୍ତି । ସେବେଳର ଦୁର୍ବଳ ମୁହୁର୍ତ୍ତ ସବୁ ଶିକ୍ଷା ପ୍ରାପ୍ତର ମାର୍ଗ ଥିଲା ; ଏବେ ଶିକ୍ଷାର ପରିସମାପ୍ତି ପରେ କାର୍ଯ୍ୟଭାର ଗ୍ରହଣ । ଶିକ୍ଷା ସରିଗଲା ; ତେଣୁ ସୁଖ ପ୍ରାପ୍ତି ହେଲା । "ମଣିଷ ଭାଗ୍ଯର ଦାସ" - ଏ କଥାଟି ଏଠାରେ ସତ୍ଯ ବୋଲି ପ୍ରତିପାଦିତ ହୁଏ । 

ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)
ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା