ଆଦ୍ଯାଶକ୍ତି ଦେବୀ ସୁଭଦ୍ରା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀମନ୍ଦିରରେ ପୂଜା ପାଆନ୍ତି ଦୁଇ ଭାଇ ଜଗା-ବଳିଆଙ୍କ ମଝିରେ ସୁଭଦ୍ରା ଯିଏକି ଦେଖିବାକୁ ପୀତ ବର୍ଣ୍ଣ ଏବଂ ଅତି ଅଲିଅଳି ଭଗିନୀ । ଦ୍ବାପର ଯୁଗରେ ବି ସେ ଶ୍ରୀକୃଷ୍ଣ-ବଳରାମଙ୍କ ଭଗ୍ନୀ ଥିଲେ । ସେ ନନ୍ଦଙ୍କ ଔରସରୁ ଯଶୋଦାଙ୍କ ଗର୍ଭରୁ ଜାତ ହୋଇଥିଲେ ଯିଏକି ଥିଲେ ସ୍ବୟଂ ଅଷ୍ଟଭୁଜା ଯୋଗମାୟା । ସେ କାହାଣୀ ସମସ୍ତେ ଅବଗତ ପ୍ରାୟ । ଯୋଗମାୟା କଂସ ହାତରୁ ଖସି ଚେତାବନୀ ଦେଇ ଅନ୍ତର୍ଦ୍ଧାନ ହେବା ପରେ ସେ କାମ୍ପିଲ୍ଯ ଦେଶରେ ଦ୍ରୌପଦୀଙ୍କ ସ୍ବୟମ୍ବର ଯାଏଁ ସେଠାରେ ନିବାସ କରିଥିବାରୁ ସେ "କାମ୍ପିଲ୍ଯବାସିନୀ ନାମ ବହନ କଲେ । ସେ ତୃତୀୟ ପାଣ୍ଡବ ଅର୍ଜୁନଙ୍କର ସ୍ତ୍ରୀ ହୋଇଥିଲେ । ସେ ଶ୍ରୀମନ୍ଦିରରେ ଭୁବନେଶ୍ବରୀ ବା ମା' ସୁଭଦ୍ରା ରୂପେ ଆରାଧ୍ୟା । ସେଥିପାଇଁ ସଂସ୍କୃତ ଶ୍ଳୋକରେ ବିପ୍ରବର ଉଚ୍ଚାରଣ କରନ୍ତି -
"ମଧ୍ୟେ ଦେବୀ ପରାତ୍ପରା ଭଗବତୀ ମାତ୍ରାକୃତି ରୂପିଣୀ
ନିର୍ଲିପ୍ତା ଗୁପ୍ତଦେହା ତ୍ରିଲୋକ ଜନନୀ ସୂକ୍ଷ୍ମରୂପା ବିଚିତ୍ରା
ଦେବୀ ମାନନ୍ଦକନ୍ଦା କନକ ତନୁ ଧରା ସର୍ବସୌଭାଗ୍ଯ ରୂପା
ଦେହିମେ ମୁକ୍ତି ଭକ୍ତି ପ୍ରଦାୟିନୀ ଯୋଗମାୟାଂ ସ୍ମରାମି ।"
ସୁଗୁଣରୁ ନିର୍ଗୁଣ ହେବାକୁ ସ୍ବରାଟକୁ ବିରାଟରେ ମିଶାଇବାକୁ ମାତୃ ଚେତନା ହିଁ ପ୍ରାଥମିକ ଆବଶ୍ଯକତା , ଆଉ ଏ ମାତୃଶକ୍ତି ହେଲେ ମାଆ ସୁଭଦ୍ରା । ସୁଭଦ୍ରା ଶବ୍ଦର ଅର୍ଥ ହେଉଛି - "ଉତ୍ତମ ଭଦ୍ରା" ; ଉତ୍ତମ ହେବାକୁ ଗର୍ବ-ଅହଂକାର ତ୍ଯାଗୀ ହେବା ଉଚିତ । ଦର୍ପ ବା ଅହଂକାର ୧୨ଟି ଖରାପ ଗୁଣକୁ ନେଇ ବଳିଷ୍ଠ ଏବଂ ଏ କୁଗୁଣର ନିରାକରଣାର୍ଥେ "ଭଦ୍ର" ତତ୍ତ୍ବର ପ୍ରତୀକ ସୁଭଦ୍ରା । ବୋଧହୁଏ ସେଲାଗି ତାଙ୍କ ରଥର ନାମ "ଦର୍ପଦଳନ" ଏବଂ ସେଥିରେ ଲାଗିଥିବା ଏହି ୧୨ଟି ଚକ ହିଁ ୧୨ଟି କୁଗୁଣର ଦଳନ । "ବନପର୍ବ" ବର୍ଣ୍ଣନାନୁଯାୟୀ ସୁଭଦ୍ରାଙ୍କ ନାମ "ଏକାନଂଶୀ" ଦେବୀ ଏବଂ କୃଷ୍ଣ-ବଳରାମଙ୍କ ମଝିରେ ଶ୍ରୀମନ୍ଦିରେ ପୂଜିତ ଗ୍ରହଣ କରିବା ଅସମ୍ଭବ । କାରଣ ସେହି ମହାଭାରତ ସମୟ ବେଳକୁ ପୁରୁଷୋତ୍ତମ ଚେତନା ସୃଷ୍ଟି ହୋଇପାରିଥିଲା । ଦେବୀ "ଏକାନଂଶୀ" ହେଲେ ଚାମୁଣ୍ଡା ଏବଂ ସେ ଦର୍ପଦଳନ ରଥର ସୁରକ୍ଷା ଦାୟିତ୍ବ ନେଇ ପାର୍ଶ୍ବଦେବୀ ଭାବେ ସ୍ଥାନିତ । ସ୍କନ୍ଦ ପୁରାଣରେ ସେ ଯୋଗମାୟା । ଅନେକ ଆଲୋଚକ ତାଙ୍କୁ ସ୍ତମ୍ଭ ବା ଖମ୍ବ ମନେକରି ସ୍ତମ୍ଭେଶ୍ବରୀ ବା ଖମ୍ବେଶ୍ବରୀ ବୋଲି ଅଭିହିତ କରିଛନ୍ତି ।
କେହି କେହି ସୁଭଦ୍ରାଙ୍କୁ ବ୍ରହ୍ମ ରୂପ କହନ୍ତି ; ବ୍ରହ୍ମା ଅଭିଶାପ ପାଇ ନାରୀ ରୂପରେ ପୂଜିତ ବୋଲି କିଛି ଶାସ୍ତ୍ରରୁ ଜଣାପଡ଼େ । ବ୍ରହ୍ମା ଯଜ୍ଞ ପାଇଁ ତୀର୍ଥଗୁରୁ ପୁଷ୍କରକୁ ଉପଯୁକ୍ତ ମଣି ସ୍ଥାନ ମନୋନୀତ କରିବା ପୂର୍ବରୁ ନିଜ ସ୍ତ୍ରୀ ସାବିତ୍ରୀଙ୍କ ଜରୁରୀ ଆବଶ୍ଯକତା ମନେ କରି ତାଙ୍କୁ ମାନସ ପୁତ୍ର ନାରଦଙ୍କ ଦ୍ବାରା ଡକାଇ ଥିଲେ । କିନ୍ତୁ ନାରଦ ଓ ସାବିତ୍ରୀ ସେଠାକୁ ଆସିବା ବିଳମ୍ବ ହେତୁ ବ୍ରହ୍ମା ବିବାହ କରିଥିଲେ ଗାୟତ୍ରୀଙ୍କୁ ଏବଂ ଯଜ୍ଞାରମ୍ଭ କରିଥିଲେ । ପରେ ସାବିତ୍ରୀ ସେଠି ପହଞ୍ଚି ଏସବୁ ଦେଖି ବ୍ରହ୍ମାଙ୍କୁ ଅଭିଶାପ ଦେଲେ ଯେ , ସେ ସୃଷ୍ଟିକର୍ତ୍ତା ହେଲେ ବି ଏହି ପୁଷ୍କର ସ୍ଥାନ ଛଡ଼ା ଆଉ କେଉଁଠି ପୂଜିତ ହେବେନି । ରାଜସ୍ଥାନର ଥର ମରୁଭୂମି ନିକଟସ୍ଥ ଏ ତୀର୍ଥ ପୁଷ୍କର ହ୍ରଦ ନିକଟରେ ବ୍ରହ୍ମା ଅଦ୍ଯାବଧି ପୂଜିତ ଏବଂ ଅନ୍ଯ କେଉଁଠି ତାଙ୍କର ମନ୍ଦିର ନାହିଁ । ସେଲାଗି ଶ୍ରୀକ୍ଷେତ୍ରରେ ସୁଭଦ୍ରା ରୂପରେସେ ବିରାଜିତା । ସ୍କନ୍ଦ ପୁରାଣନୁସାରେ ସୁଭଦ୍ରା ବେନିଭୁଜା ଏବଂ ସେ ଏକ କରେ ପଦ୍ମ ଆନ କରେ ଅଭୟ ଦାନ କରନ୍ତି । ସୃଷ୍ଟି ପାଳନ ଓ ସଂହାର ତତ୍ତ୍ବରେ ବିଚାର କଲେ ସୁଭଦ୍ରା ସାବିତ୍ରୀ ରୂପେ ସୃଷ୍ଟିକାରିଣୀ , କାତ୍ଯାୟନୀ ଭାବେ ସଂହାରିଣୀ ଏବଂ ମହାଲକ୍ଷ୍ମୀ ଭାବେ ପାଳନକାରିଣୀ । ବ୍ରହ୍ମା-ବିଷ୍ଣୁ ଓ ଶିବଙ୍କ ଅଙ୍ଗରେ ସେ ଜଡ଼ିତ ଥିବାର ପ୍ରାମାଣିକ ବର୍ଣ୍ଣନା ଅଛି -
"ବକ୍ଷସ୍ଥଳେ ସ୍ଥିତୋ ବିଷ୍ଣୋ ଶମ୍ଭୋ ଅର୍ଦ୍ଧାଙ୍ଗ ଶୋଭିତା
ପଦ୍ମଯୋନି ମୁଖାଦ୍ବାସ୍ଥାମ ତାଂ ନମାମି ହରିପ୍ରିୟାମ ।"
ବିଷ୍ଣୁ ପୁରାଣରେ ସେ ନିଦ୍ରାଦେବୀ ଏବଂ "ବୃହତ ସଂହିତା"ରେ ବରାହମିହିର ଏକାନଂଶୀ ଓ ସୁଭଦ୍ରାଙ୍କ ମଧ୍ଯେ ଅଭେଦ କଳ୍ପନା କରି କହିଛନ୍ତି । ତେଣୁ ଦେବୀ ସୁଭଦ୍ରା "ଶିଳାବ୍ରହ୍ମ" ଓ "ଦାରୁବ୍ରହ୍ମ" ରୂପରେ ଶକ୍ତି ଭାବେ ବିରାଜିତା । ଶ୍ରୀକ୍ଷେତ୍ରରେ ଯେହେତୁ ବଳଭଦ୍ର ସ୍ବୟଂ ରୁଦ୍ର ତେଣୁ ସୁଭଦ୍ରାଙ୍କୁ ଭବାନୀ ବୋଲି ସମ୍ବୋଧନ କରାଯାଇଛି । ପଶ୍ଚିମ ଓଡ଼ିଶାର ଏକ ଡାଲ୍ଖାଇ ଗୀତ ପ୍ରମାଣ ଦିଏ -
"ଆଷାଢ଼ ମାସରେ ଗୁଞ୍ଚା ରଥ
ରଥେ ବିଜେ କଲେ ଜଗତନାଥ ।
ଆଗେ ବଳଭଦ୍ର ପଛେ ଭବାନୀ
ପଛକୁ ଦାଇଲେ ଦୁତିଲୋ ଖାରଙ୍ଗପାନି ।
ଡାଲ୍ଖାଇରେ ଶିରାବନ ମାସେ ରାମଝୁଲନ୍ ,
ବିମାନରେ ରାଧା କୃଷ୍ଣ ମିଲନ
ଦେଖି ପଞ୍ଚୁପ୍ରାନ ହୁଅଇ ଘାରି ,
ଥିଲେ ବନ୍ଧୁ ପାଖେ ଦୁତିଲୋ କରନ୍ତି କେଲି ।"
ସନ୍ଥ ଅଚ୍ଯୁତାନନ୍ଦଙ୍କ ମତେ ଜଗନ୍ନାଥ ବୌଦ୍ଧାବତାର , ଶଙ୍କର ହେଲେ ବିଷ୍ଣୁ ମୂର୍ତ୍ତିଧାରୀ ବଳଭଦ୍ର (ଶିବଙ୍କର ଏକ ମୂର୍ତ୍ତିର ନାମ ବିଷ୍ଣୁ) ଏବଂ ସୁଭଦ୍ରା ଆଦ୍ଯାଶକ୍ତି ଭବାନୀ । ଉଦାହରଣ ପ୍ରାମାଣିକ -
"ଏବେ ଏକା ମନ ହୋଇ ଶୁଣ ହେ ଶଙ୍କର ,
ନୀଳାଦ୍ରିରେ ହେବି ମୁହିଁ ବୌଦ୍ଧ ଅବତାର ।
ବଳଭଦ୍ର ରୂପେ ତୁମ୍ଭେ ବିଷ୍ଣୁ ମୂର୍ତ୍ତି ହୋଇ ,
ସୁଭଦ୍ରା ରୂପରେ ତହିଁ ଆଦ୍ଯା ଥିବେ ରହି ।"
ଅର୍କକ୍ଷେତ୍ର କୋଣାର୍କର ଗୋଟିଏ ଫଳକରେ ଶିବଲିଙ୍ଗ-ଜଗନ୍ନାଥ ଓ ମହିଷାମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି ଅଛନ୍ତି । ତେଣୁ ସେ ଦୁର୍ଗା-ମାଧବ ରୂପେ ପୂଜିତ । "ପ୍ରେମଭକ୍ତି ବ୍ରହ୍ମଗୀତା"ରେ କବି ଯଶୋବନ୍ତ ଦାସ ଲେଖିଛନ୍ତି -
"ଯେ କାଳେ ବ୍ରହ୍ମା ବିଷ୍ଣୁ ହର
ଜାତ ହୋଇଲେ ବ୍ରହ୍ମାଣ୍ଡର ।
ବ୍ରହ୍ମା ରହିଲେ ପୃଥ୍ବୀ ସ୍ଥାପି
ବିଷ୍ଣୁ ରହିଲେ ସର୍ବବ୍ୟାପୀ ।
ରୁଦ୍ର ରହିଲେ ଯୋଗମତେ ,
ୟେମନ୍ତ କେତେ କାଳ ଅନ୍ତେ ।
ଭେଟିଲେ ମାତା ପୁତ୍ରେ ପୁଣ ,
ସେ ରୁଦ୍ର ସଙ୍ଗେ ବିଡ଼ମ୍ବଣ ।
ତା' ଶୁଣି ଆମ୍ଭେ ପୁଣି ଗଲୁ ,
ବ୍ରହ୍ମାର ସହିତେ ମିଳିଲୁ ।
ମାତା କହିଲେ ବିଡ଼ମ୍ବଣ
ପୁତ୍ର ସେ ମାତାଙ୍କ ସଙ୍ଗେଣ ।
ଆମ୍ଭେ ବୋଇଲୁ ଶୁଣ ମାତ ,
ଧର୍ମ ସେ ଲଙ୍ଘିଲେ ଯୁଗତ ।
ବାଳ ସ୍ବଭାବ ରୁଦ୍ର ସେହି ,
ତୁମ୍ଭେ ଯେ ଗର୍ଭଧାରୀ ଥାଇ ।
ତୁମ୍ଭେ କେମନ୍ତେ କଲ ଏହା ,
ତା' ଶୁଣି କୋପେ ଯୋଗମାୟା ।
ଶାପ ଆମ୍ଭଙ୍କୁ କୋପେ ଦେଲେ ,
ଯୋଡ଼ି ତୁ ନିନ୍ଦିଲୁ ବୋଇଲେ ।
ଯୋନିରୁ ବିଷ୍ଣୁ ହୋଇ ଜାତ ,
ଯୁଗ ଯୁଗକୁ ସେ ସମ୍ଭୁତ ।
ଯେ ବ୍ରହ୍ମା ସ୍ତିରୀ ଯୋନି ହେଉ ,
ଅପୂଜା ହୋଇ ଦିନ ଯାଉ ।
×××××
ଯେ ରୁଦ୍ର ବଳଭଦ୍ର ରୂପ ,
ଅଟନ୍ତି ଅନନ୍ତ ସ୍ବରୂପ ।
ଆମ୍ଭେ ଶ୍ରୀଜଗନ୍ନାଥ ଦେହୀ ,
ବ୍ରହ୍ମା ସୁଭଦ୍ରା ହୋଇ ତୁହି ।"
ଜଣାପଡ଼େ ଯେ ଦେବୀ ସୁଭଦ୍ରା ବ୍ରହ୍ମାଙ୍କ ସ୍ଥାନ ଗ୍ରହଣ କରିଛନ୍ତି l ସନ୍ଥକବି ଅଚ୍ଯୁତାନନ୍ଦ ଦେବୀ ସୁଭଦ୍ରାଙ୍କୁ ବ୍ରହ୍ମା ଓ ଆଦ୍ଯାଶକ୍ତି - ରଙ୍ଗେଶ୍ବରୀ ରାଧା କହିଛନ୍ତି । ତାଙ୍କନୁସାରେ -
"ଜଗନ୍ନାଥ ରୂପ ଗୋଟି ସତ ବିଷ୍ଣୁ ସହି ।
ବ୍ରହ୍ମାଟି ସୁଭଦ୍ରା ଦେବୀ ମଧ୍ଯେ ଛନ୍ତି ରହି ।।
ହରି ହଳଧର ମନ ତ୍ରିମାୟା ପୁରୁଷ ।
କିଛି ନଜାଣନ୍ତି ସଦା କାଳରେ ଉଦାସ ।।
ଅନନ୍ତଟି ବଳଦେବ ଶୁଣ ହୋ ସୁଜନ ।
ଆଦିଶକ୍ତି ସୁଭଦ୍ରାଟି ବଜୟ ମଧ୍ଯେଣ ।।
ଅନନ୍ତ ଫଣା ଯେ ମନ ଅନ୍ତ ନାହିଁ ଯହିଁ ।
ସମସ୍ତ ଫଣା ପରେ ବିଜେ ଶେଷଦେବ ସେହି ।।
ସୁଭଦ୍ରାଟି ରଙ୍ଗଦେବୀ ରାଧା ରଙ୍ଗେଶ୍ବରୀ ।
ମଧ୍ଯରେ ବିଜୟ ମାତ ଶୂନ୍ଯ ରୂପ ଧରି ।।"
ଦେବୀ ସୁଭଦ୍ରାଙ୍କ ପ୍ରାଚୀନତା ସମ୍ପର୍କରେ ନିର୍ଦ୍ଧିଷ୍ଟ ଭାବେ କୁହାଯାଇ ନପାରିଲେ ମଧ୍ଯ ଚତୁର୍ଦ୍ଧାମୂର୍ତ୍ତି ପରିକଳ୍ପନା ସମୟରେ ସୁଭଦ୍ରାଙ୍କୁ ଯୋଡ଼ା ଯାଇଛି ।
ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ (ସୁଦେଷ୍ଣା ଖବରକାଗଜ)
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ)
ଫୋ- ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment