ପାପ ନକରି ବି ପାପିନୀ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
"ହଇଲୋ ହେ' ସବାଖାଇ ! ଏ ଆଣ୍ଠୁକୁଡ଼ୀ ଘରର ପିଲା ! ମରିଗଲୁ ନା ବଞ୍ଚିଛୁ କି'ଲୋ ?" - ତଣ୍ଟି ଫଟେଇ ଗର୍ଜନ କରି ଡାକୁଥିଲେ କୋତରୀ ଦେବୀ । ଭିତରୁ ଇତଃସ୍ତତଃ ଭାବେ କେଶ ମୁକୁଳା କରି ଦୌଡ଼ି ଆସିଲେ ଶ୍ରୀମତୀ ଶୁଭ୍ରା । କୋତରୀ ଦେବୀଙ୍କ ପାଖରେ ପହଞ୍ଚି କହିଲେ - "କ'ଣ ହେଲା ବୋଉ ? କାହିଁକି ମତେ ଡାକୁଥିଲେ ?" କୋତରୀ ଦେବୀ ପ୍ରଚଣ୍ଡ କ୍ରୋଧରେ ଗର୍ଜି ଉଠି କହିଲେ - "ମଲୁ ନାହିଁ ଲୋ ତୁ ପୋଡ଼ାମୁହିଁ ! ତତେ ନାଗ ଦଂଶିଲାନି ? ବାଡ଼ିଖାଇ ? ମୁଁ ତଣ୍ଟି ଫଟେଇ ଡାକୁଛି , ତୁ କୋଉ ଗାତରେ ପଶିଥିଲୁ ? ଓହୋ ! ମହାରାଣୀ ସଜେଇ ହଉଥିଲେ କି ! ସ୍ନୋ , ପାଉଡ଼ର ମାଖି ହୋଇ ନିଜକୁ ରାଣୀ ପରି ସଜେଇ ହଉଥିଲା ।" ଗାଲକୁ ଖୁନ୍ଦାଟେ ପକେଇ ଦେଇ କହିଲେ - "ତୋତେ ଯମ ଡାକୁନି ? ଅଲକ୍ଷଣୀ ! ବୋପା ବାଡ଼ିପଡ଼ାଟି ତୋର ବାହାଘର ବେଳେ ଖଣ୍ଡେ ବି ଜିନିଷ ଦେଇନି , କସ୍ତା ଶାଢ଼ୀଟେ ପିନ୍ଧେଇ ମୋ' ଘରକୁ ପଠେଇ ଦେଇଛି । ଏଠି ଝିଅ ତା'ର ଅଏସ କରୁଛି ମୋ' ପଇସାରେ ! ଆଲୋ ହେ' ! ଏତେ ଯଦି ସଜେଇ ହେବାକୁ ଇଚ୍ଛା , ତୋ' ବୋପାକୁ କହିଲୁନି ସ୍ନୋ , ପାଉଡ଼ର , ଅତର , କିରିମି ଖଞ୍ଜି ଦେଇଥା'ନ୍ତା ତୋ' ପାଇଁ । ମରୁନୁ ତୁ ଯାହା........." ଗାଲକୁ ଦୁଇ ଖୁନ୍ଦା ପକେଇ ଦେଲେ କୋତରୀ ଦେବୀ । ଶ୍ରୀମତୀ ଶୁଭ୍ରା କିନ୍ତୁ ନୀରବରେ ମଳିନ ବଦନରେ ଅଶ୍ରୁପାତ କରି ଚାଲିଛନ୍ତି । "ଆହା ! ସୁନା ଲୁହ ଗୁଡ଼ାକ ବୋହି ଯାଉଛି ଆଉ" କହି ଚୁଟି ଧରି ତଳେ ପକେଇ ଦେଲେ କୋତରୀ ଦେବୀ ।
ବିଚାରୀ ଶୁଭ୍ରା କଷ୍ଟେମଷ୍ଟେ ତଳୁ ଉଠି ଛିଡ଼ା ହେଲେ । କୋତରୀ ଦେବୀ କହିଲେ - "ଆଲୋ ହେ' ! ମତେ ଏତେ ବଡ଼ ବଡ଼ ଆଖି କରି ଚାହିଁଛୁ କ'ଣ ବା.....? ମତେ ଖାଇଯିବୁ ନା କ'ଣ...! ତୋ' ଆଖି ତାଡ଼ିଦେବି , ବୁଝିଲୁ ? ଆଲୋ , ଛିଡ଼ାଟା ହୋଇଛୁ କ'ଣ ବା.....? ଯାଉନୁ , କାଲି ରାତିର ବାସନ ସବୁ ପଡ଼ିଛି ମାଜିବୁ । ଗାଧୁଆ ଘରେ ଲୁଗାପଟା ସବୁ ରଖି ଦେଇଛି , ସଫା କରି ଶୁଖେଇ ଇସ୍ତ୍ରି କରି ସଜେଇକି ରଖିଦବୁ । ବେଗି ବେଗି କାମ ସାରେ , ନୋହିଲେ ମତେ ଚିହ୍ନିବୁ ବାଡ଼ିଖାଇ । ଆଜି ମୋ' ପୁଅ ଆସୁଛି , ଭଲ କରି ରୋଷେଇ କରି ରଖିଥିବୁ । ମୋ' ପୁଅ ସମରକୁ ଖିରୀ ଭଲ , ସୁଆଦିଆ ଖିରୀ କରିବୁ । ନହେଲେ ତୋ' ଭେଜା ହଜେଇ ଦେବି , ବୁଝିଲୁ ? ଆଲୋ ଯାଉନୁ , ଠିଆଟା ହୋଇଛୁ କ'ଣ ?" କୋତରୀ ଦେବୀଙ୍କ ଶକ୍ତ ଧକ୍କାରେ ଘରର ଏରୁଣ୍ଡିବନ୍ଧ ପାଖରେ ଛିଟିକି ପଡ଼ିଲେ ଶୁଭ୍ରା । କୋହ ଆଉ ଲୁହକୁ ଜାବୁଡ଼ି ଧରି ଉଠି ମନ୍ଥର ଗତିରେ ପାଦ ପକାଇ ବାହାରି ଗଲେ । ଶୁଭ୍ରା ଗଲା ପରେ ଶାଶୂ ଛିଗୁଲେଇ ହୋଇ କହିଲେ - "ଗଜଗାମିନୀ ଚାଲିକୁ ତା'ର ଦେଖ ; ଖାଇ ପିଇ ଗଣ୍ଡିଟା ବଡ଼ କାଢ଼ିଛି , କାମ କଲା ବେଳକୁ ଅଣ୍ଟା ହଲୁନି ! ଲାଟସାହେବ ଘର ଝିଅ ତ........।"
ଶୁଭ୍ରା ଲାଗି ପଡ଼ିଲେ ତାଙ୍କ କାମରେ । ସକାଳ ସାତଟାରୁ ଦିନ ଦଶଟା ବାଜିଗଲା । ଘରଦ୍ୱାର ଓଳିଆଓଳିଠୁ ବାସନ ମଜା ଓ ଲୁଗାପଟା ସଫାସଫି କାମ ସାରି ଜଳଖିଆ ପ୍ରସ୍ତୁତ କରି ଶାଶୂଙ୍କୁ ଦେଇ ସାରିଲେଣି ଶୁଭ୍ରା । ଶ୍ବଶୁର ଯାଇଛନ୍ତି ଏୟାରପୋର୍ଟକୁ ପୁଅ ସମରକୁ ଆଣିବାକୁ ; ସକାଳୁ ନଖାଇ ନପିଇ ବାହାରି ଯାଇଛନ୍ତି । ଶୁଭ୍ରା ରାଗି ପଡ଼ିଲେଣି ରୋଷେଇବାସ କାମରେ । ଦିନ ବାରଟା ବେଳକୁ ରୋଷେଇବାସ ଶେଷ କରି ଶାଶୂଙ୍କୁ ଖାଇବାକୁ ଡାକିଲେ । ପୁଅ ସମରର ବାଟ ଚାହିଁ ବସିଥିବା କୋତରୀ ଦେବୀ ସମସ୍ତେ ଆସିଲେ ଖାଇବା ବୋଲି କହିଲେ । ଦିନ ବାରଟା ଟପି ଗୋଟାଏ ବାଜିଲା । କେହି ଏଯାଏଁ ଫେରିଲେନି । କୋତରୀ ଦେବୀ ବ୍ଯସ୍ତ ହୋଇ ପଡୁଥିଲେ ଏବଂ ଶୁଭ୍ରା ବି ବିବ୍ରତ । ସ୍ବାମୀଙ୍କୁ ବାରମ୍ବାର ଫୋନ୍ କରି ଚାଲିଥିଲା ଶୁଭ୍ରା ଏବଂ କୋତରୀ ଦେବୀ ବି ତାଙ୍କ ସ୍ବାମୀଙ୍କୁ ବାରମ୍ବାର କଲ୍ କରି ନିରାଶ , ରିଂ ହେଉଛି ଅଥଚ ଉଠାଉ ନାହାନ୍ତି ।
ସମୟ ଗଡ଼ିବାରେ ଲାଗିଛି , ସୂର୍ଯ୍ଯ ଢ଼ଳିବାକୁ ବସିଲେଣି । ଦିନ ଦୁଇଟା ବାଜିଲା , କାହାର ବି ଦେଖା ନାହିଁ । ମଳିନ ମନରେ ଶାଶୂ-ବୋହୂ ପଡ଼ି ରହିଛନ୍ତି । ସାଢ଼େ ଦୁଇଟା ସମୟରେ ମୁଖ୍ୟ ଦରଜାରେ କାହାର ହାତର ମୃଦୁ ସ୍ପର୍ଶରେ ଠକ୍ ଠକ୍ ଶବ୍ଦର ଆୱାଜ ଶୁଣି କୋତରୀ ଦେବୀ ଧାଇଁ ଯାଇ ଦରଜା ଖିଡ଼ିକି ଖୋଲି ଦେଖନ୍ତେ ତ ଦରଜା ପାଖରେ ମାଟିଆ ପୋଷାକ ପିନ୍ଧା ପୁଲିସ୍ ଦୁଇଜଣ ଓ ଜଣେ କନେଷ୍ଟବଳ । ହତବାକ ହୋଇଗଲେ କୋତରୀ ଦେବୀ । "ହଠାତ୍ ଆମ ଘରେ ପୋଲିସ୍ !" ଆଶ୍ଚର୍ଯ୍ୟର ସୀମା ରହିଲାନି , ଭିତରୁ ଦୌଡ଼ି ଆସି ଭିତର ଦରଜା ପାଖରେ ଛିଡ଼ା ହୋଇ ଶୁଭ୍ରା ବି ଆଶ୍ଚର୍ଯ୍ୟର ସହିତ କ'ଣ ଭାବି ଯାଉଥିଲେ । ପୋଲିସ୍ କାହିଁକି ଆସିଛନ୍ତି ବୋଲି ପ୍ରଶ୍ନ ସ୍ବତଃପ୍ରବୃତ ଭାବରେ ଉଦ୍ରେକ ହେଉଥିଲା ଶୁଭ୍ରାଙ୍କ ମନରେ । ଘଟଣା କ'ଣ ଜାଣିବାକୁ କୌତୁହଳ ସୃଷ୍ଟି ହେଉଥିଲା ଶୁଭ୍ରା ଓ କୋତରୀ ଦେବୀଙ୍କ ମନରେ ।
କୋତରୀ ଦେବୀ ଘର ଭିତରେ ଦରଜା ଏପାଖେ ଆଉ ପୋଲିସ୍ ଘର ବାହାରେ ଦରଜା ସେପାଖେ ଏବଂ ଭିତର ଘରର ଦରଜା ଆରପଟେ ଦୁଆରବନ୍ଧ ପାଖରେ ଶ୍ରୀମତୀ ଶୁଭ୍ରା । କୋତରୀ ଦେବୀ ପୋଲିସ୍ଙ୍କୁ ଏକଲୟରେ ଅନେଇ ରହିଥିଲେ । ସବ୍ଇନ୍ସ୍ପେକ୍ଟର୍ ପ୍ରଶ୍ନ କରେ - "ଭିତରକୁ ଯାଇ ପାରିବୁ ?" କୋତରୀ ଦେବୀ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେବା ପରେ ଭିତରକୁ ପଶିଲେ ସେମାନେ । ଘର ଭିତରର ଚାରି ପାଖକୁ ଭଲ କରି ଆଖି ବୁଲାଇ ଦେଖିବା ଭିତରେ କ'ଣ ଚିନ୍ତା କରୁଥିଲେ ମନରେ ସେମାନେ , କେମିତି କହିବେ ଆଉ କୋଉଠୁ ଆରମ୍ଭ କରିବେ ବୋଲି ଭାବୁଥିଲେ । କୋତରୀ ଦେବୀ କହିଲେ - "କ'ଣ ହେଲା ଆଜ୍ଞା , ଆପଣମାନେ ଆମ ଘରେ ?" ସବ୍ଇନ୍ସ୍ପେକ୍ଟର୍ କହିଲେ - "ମିଷ୍ଟର ସମର ସାମନ୍ତ ଆପଣଙ୍କ ପୁଅ ?" କୋତରୀ ଦେବୀ ମୁଣ୍ଡ ଟୁଙ୍ଗାରି କହିଲେ - "ହଁ , ସେ ମୋ' ପୁଅ । ହେଲେ........ କ'ଣ ହୋଇଛି ? ଆପଣ ତା' ବିଷୟରେ ମୋତେ ପଚାରୁଛନ୍ତି ଯେ ?"
- ସମର ସାମନ୍ତଙ୍କ ଆକ୍ସିଡ଼େଣ୍ଟ୍ ହୋଇଛି । କାର୍ଟା ପୂରା ଜଳି ଯାଇଛି । କାର୍ରେ ଡ୍ରାଇଭରକୁ ମିଶାଇ ତିନି ଜଣ ଥିଲେ । ସମରଙ୍କ ସହ ଆଉ ଜଣେ ବ୍ଯକ୍ତି ଥିଲେ ନିବେଦୟ ସାମନ୍ତ । ବୋଧହୁଏ ସେ ସମରଙ୍କ ବାପା ଆଉ ଆପଣଙ୍କ ସ୍ବାମୀ ହୋଇ ପାରନ୍ତି ।
- ନା , ଆପଣ ମିଛ କହୁଛନ୍ତି । ମୋ' ପୁଅ ଆଉ ସ୍ବାମୀଙ୍କର କିଛି ହୋଇନି ।
ପାଦ ତଳୁ ମାଟି ଖସି ଯାଉଥିଲା କୋତରୀ ଦେବୀ ଆଉ ଶୁଭ୍ରାଙ୍କର । ସତେ ଅବା ସେମାନେ ରସାତଳଗାମୀ ହୋଇଯାଉଥିଲେ ଧିରେ ଧିରେ । ସବୁକିଛି ବଦଳି ଗଲା ପରି ଅନୁଭବ କରୁଥିଲେ ।
- କନେଷ୍ଟବଳ ! ସେ ପର୍ସ୍ଟା ଦେଲ ମୋତେ ।
କନେଷ୍ଟବଳ ପର୍ସ୍ଟେ ପକେଟରୁ କାଢ଼ି ସବ୍ଇନ୍ସ୍ପେକ୍ଟର୍ଙ୍କ ହାତକୁ ବଢ଼ାଇ ଦେଲେ । ସବ୍ଇନ୍ସ୍ପେକ୍ଟର୍ ପର୍ସ୍ରୁ ଏକ କାର୍ଡ଼ କାଢ଼ି କୋତରୀ ଦେବୀଙ୍କୁ ଦେଇ କହିଲେ - "ଦେଖନ୍ତୁ , ଇଏ ସମର ସାମନ୍ତଙ୍କ ଭିଜିଟିଂ କାର୍ଡ଼ । ଏଥିରେ ତାଙ୍କର ନାଁ-ଗାଁ-ଠିକଣା ଉଲ୍ଲେଖ ଅଛି ।" କୋତରୀ ଦେବୀ ତ ପାଠ ପଢ଼ି ନାହାନ୍ତି , ବୁଝିବେ କେମିତି ? ବୋହୂକୁ ପାଖକୁ ଡାକି ଦେଖାଇଲେ । ଶୁଭ୍ରା ଦେଖିସାରି ସ୍ବୀକାର କଲେ ଯେ , କାର୍ଡ଼ଟି ତାଙ୍କ ସ୍ବାମୀ ସମର ସାମନ୍ତଙ୍କର । ସେଥିରେ ପୂରା ପୂରା ଠିକଣା ଓ ଫଟୋ ଲାଗିଛି । ସବ୍ଇନ୍ସ୍ପେକ୍ଟର୍ ପର୍ସ୍ଟିକୁ କୋତରୀ ଦେବୀଙ୍କ ହାତକୁ ବଢ଼ାଇ ଦେଇ କହିଲେ - "ପର୍ସ୍ରେ ସମରଙ୍କ ସହିତ ତାଙ୍କ ବାପା ନିବେଦୟଙ୍କ ଫଟୋ ଅଛି । ଆମେ ଜାଣି ପାରିଲୁ ଇଏ ବାପ-ପୁଅ ।" ଶୁଭ୍ରା ଓ କୋତରୀ ଦେବୀଙ୍କର କୋହ-ଲୁହ ଆଉ ବୋଲ ମାନିଲାନି । ଭୋ' ଭୋ' ହୋଇ ରଡ଼ି ଉଠିଲେ । ଗାଁ ସାରା ଲୋକ ଦୁଆରେ ରୁଣ୍ଡ ହୋଇଗଲେଣି । ଚେତା ହରେଇ ପଡ଼ିଥିବା ଶୁଭ୍ରାଙ୍କୁ ପାଣି ସିଞ୍ଚି ଚେତା ଆଣିବାକୁ ପ୍ରୟାସ କଲେଣି ପଡ଼ିଶା ଘର ରମାଦେବୀ । ସବ୍ଇନ୍ସ୍ପେକ୍ଟର୍ କହିଲେ - ଡେଡ଼୍ବର୍ଡ଼ି ପୋଷ୍ଟମଟମ ହେବାକୁ ଯାଇଛି , ସନ୍ଧ୍ଯାରେ ଆସିଯିବ । ପ୍ଲଟ୍ ଉପରୁ ଆମେ ଏଇ ପର୍ସ୍ଟିକୁ ପାଇଛୁ ।"
ଏତିକି କହି ଚାଲିଗଲେ ସେମାନେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଘର । ବୁଝାସୁଝା କରି ସାହି ପଡ଼ିଶାମାନେ ଯିଏ ଯାହା ଘରକୁ ଗଲେ । ବେଳ ରତରତ ହେଲା ବେଳକୁ ଦୁଆରେ ଲାଗିଲା ଆମ୍ବୁଲାନ୍ସ । ସରକାରୀ କର୍ମଚାରୀମାନେ ଭିତରୁ ଦୁଇଟି ଡେଡ଼୍ବର୍ଡ଼ି କାଢ଼ି ଦାଣ୍ଡ ପିଣ୍ଡା ତଳେ ରଖିଦେଲେ । ଫେରିଗଲେ ଆମ୍ବୁଲାନ୍ସ ସହିତ ସରକାରୀ କର୍ମଚାରୀ । ପୁଣି ଜମିଗଲେ ଦାଣ୍ଡରେ ଦାଣ୍ଡେ ଲୋକ । ସମସ୍ତଙ୍କ ମୁହଁରେ ଗୋଟିଏ କଥା - "ଅଭିଶପ୍ତ ପରିବାର , କୁଳରେ ପାଣି ଦେବାକୁ କେହି ରହିଲେନି ।'' ସାହିଭାଇ ମିଶି ଶବ ସତ୍କାର କାର୍ଯ୍ଯ କରିଦେଲେ । ଶୁଦ୍ଧି କାର୍ଯ୍ୟ ବି ସରିଗଲା । ସମ୍ପର୍କୀୟ ପୁତୁରା ଆସି ଶୁଦ୍ଧି କାର୍ଯ୍ୟର କର୍ତ୍ତା ସାଜିଲେ । ବିତିଗଲା କିଛିଦିନ , ଘରେ ଯାହା ଥିଲା ବିକି ଭାଙ୍ଗି ସବୁକିଛି ଶେଷ ହୋଇଗଲାଣି । ଅଚଳାଚଳ ସମ୍ପତ୍ତି ଭସ୍ମ ପାଲଟି ସାରିଲାଣି ; ଭିକାରୀ ପାଲଟି ଗଲେଣି ।
ଶେଷରେ ଅନ୍ଯ କିଛି ଉପାୟ ନପାଇ ଶୁଭ୍ରାଙ୍କ ବାପଘର ଲୋକେ ତାଙ୍କୁ ପାଖକୁ ନେଇଗଲେ । ଝିଅର ଏଭଳି ଦୟନୀୟ ଅବସ୍ଥା ଦେଖି ନପାରି ନିଜ ପାଖରେ ରଖିବାର ମନସ୍ଥ କଲେ , ଶାଶୂ କୋତରୀଙ୍କର କାକୁତିମିନତି ଶୁଭ୍ରା ବାପଘର ଲୋକଙ୍କ କାନରେ ପଡ଼ି ନଥିଲା । ପେଟର ଭୋକ ଆଉ ମନର ଚିନ୍ତା ସବୁ ଖାଇ ଗୋଡ଼ାଉଥିଲା କୋତରୀ ଦେବୀଙ୍କୁ । ଶୁଭ୍ରାଙ୍କର ବାପଘର ଲୋକ ବି କୋତରୀ ଦେବୀଙ୍କୁ ତାଙ୍କ ଘରେ ରହିବାକୁ କହିଥିଲେ , କିନ୍ତୁ କୋତରୀ ଦେବୀ ରାଜି ହୋଇ ନଥିଲେ । ଆଗରୁ ବୋହୂକୁ ନଥିଲା ଅବସ୍ଥା କରିଛନ୍ତି , ତାଙ୍କ ବପା-ଭାଇଙ୍କୁ ବହୁତ ହଇରାଣ ହରକତ କରିଛନ୍ତି । କୋଉ ମୁହଁ ନେଇ ପୁଣି ତାଙ୍କ ଘରେ ରହିବେ ? ଦୟାର ପାତ୍ରୀ ହେବାକୁ ସେ ଅନିଚ୍ଛୁକତା ପ୍ରକାଶ କଲେ । ତଥାପି ଶୁଭ୍ରା ବାଧ୍ୟ କଲେ , କିନ୍ତୁ କୋତରୀ ଶୁଣିବାକୁ ନାରାଜ । ଗାଁ ବାଲାଙ୍କ ହାତ ଟେକା ଦାନରେ ଯାହା ଯେମିତି ପେଟ ଭରିଲେ । ହଠାତ ଦିନେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ଗାଁ ଭାଇ ନେଇଗଲେ ହସ୍ପିଟାଲ । ଖବର ପାଇ ଶୁଭ୍ରା ଓ ତା' ପରିବାର ଆସିବା ବେଳକୁ କୋତରୀ ଦେବୀଙ୍କ ନିର୍ବାଣ ପ୍ରାପ୍ତି ହୋଇ ସାରିଥିଲା ।
ସମୟର ଚକ୍ର ତା'ର ଗତିପଥ ବଦଳାଇ ସାରିଛି , ନୈରାଶ୍ୟର କଳାବାଦଲ ଉହାଡ଼ରେ ଛପି ଯାଇଛି ସୁଖର ସୂର୍ଯ୍ଯ । ଦିନ ଥାଇ ବି ସନ୍ଧ୍ଯାର ଭ୍ରମ ସୃଷ୍ଟି କରୁଥିଲା ଶୁଭ୍ରାଙ୍କ ସଂସାର ଆକାଶରେ । କୋତରୀ ଦେବୀଙ୍କର ସମସ୍ତ ଗର୍ବ , ଅହଙ୍କାର , ଲୋଭ ଆଜି ଧୂଳିସାତ । ଅନ୍ଯାୟ ଅର୍ଜିତ ଅମାପ ସମ୍ପଦ ଆଜି ମାଟି କାମୁଡ଼ି ପଡ଼ିଛି । ଗାଁ ଭାଇ ଶୁଭ୍ରାଙ୍କ ପରିବାରକୁ ବହୁ ଅନୁରୋଧ ବାଢ଼ିଥିଲେ ସେ ଘରେ ରହିବାକୁ , ଶୁଭ୍ରା କିନ୍ତୁ ମନା କରିଦେଇଥିଲେ । ଶୁଭ୍ରାଙ୍କ ପରିବାର କହିଥିଲେ - "ସେ ପାପାର୍ଜିତ ସମ୍ପତ୍ତି ଆମେ କେବେ ଭୋଗ କରିପାରିବୁ ନାହିଁ ।" ଶୁଭ୍ରା ବୁଦ୍ଧି ଖଟାଇ ସେ ସମସ୍ତ ସମ୍ପତ୍ତିକୁ ଏକ ଅନାଥ ଆଶ୍ରମକୁ ଦାନ କରିଦେଲେ । ବାପଘରେ ଏବେ ବି ସୁଦ୍ଧା ବିତୁଛି ଜୀବନ । କପାଳ ଲିଖନ - କେ' କରିବ ଆନ ? ପାପ ନକରି ବି ପାପୀ ସଙ୍ଗରେ ରହି ପାପ ଫଳ ଭୋଗିବାକୁ ପଡୁଛି ତାଙ୍କୁ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment