ଜଟିଳ ଜୀବନ ଅଙ୍କ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି


    ଯନ୍ତ୍ରଣାର ଜତୁଗୃହେ ଜୀବନ ; ଅସହ୍ୟ ଯନ୍ତ୍ରଣା ଯାହା ମରଣାନ୍ତକ । ଲୁହ-କୋହ ଏକତ୍ରିତ ହୋଇ ଗଳିଆ ଫିଟାଇ ବାହାରି ଆସନ୍ତି ବାହାରକୁ । ଅଜାଗାରେ କ୍ଷତ, ରୂପ ନିଏ ଘା'ର ; ଯାହା ଦେଖି ଦେଖାଇ ହୁଏନି । ସବୁକିଛି ଲୁକ୍କାୟିତ କରି ସକେଇବାକୁ ପଡ଼େ । ସତ-ମିଛ ଆଉ ବିଶ୍ବାସ - ଅବିଶ୍ବାସର ଡ଼ାବରପାଲି ଖେଳରେ ବଳି ପଡ଼ିଯାଏ ବିଚ଼ରା ଜୀବନ । ସ୍ବାର୍ଥ - ହିଂସା ଓ ଦ୍ବେଷର ନିର୍ମମ ପ୍ରହାରରେ କ୍ଷତବିକ୍ଷତ ହୋଇପଡ଼େ । ବିଚ୍ଛେଦର ବିଷାଦରେ ମର୍ମାହତ ହୋଇପଡ଼େ । ଗଣି ହୋଇ ଯାଉଥିବା ପଞ୍ଜରା ହାଡ଼ କେଇଖଣ୍ଡ ସୂଚ଼ନା ପ୍ରଦାନ କରେ ଅପପୁଷ୍ଟି ରୋଗଗ୍ରସ୍ତ । ପ୍ରତ୍ଯହ ମରି ମରି ଜୀଇଁବା ଭୀଷଣ କଷ୍ଟଦାୟକ ହୋଇପଡ଼େ । ନୈରାଶ୍ୟର କଳାବାଦଲ ଆଢ଼ୁଆଳରେ ଅନ୍ଧକାରମୟ ଜୀବନ ଆକାଶ ; ଆଗକୁ ବଢ଼ିବାର ପଥ ଅଦୃଶ୍ୟ । ବିଧାତାର ନିର୍ମମ ପ୍ରହାରରେ ଅତିଷ୍ଠ ଅହରହ ଏ ଜୀବନ । 

    ଅଢ଼େଇ ଦିନକୁ ବଡ଼େଇ କରି ଆତ୍ମବଡ଼ିମା ପ୍ରଦର୍ଶନ କରି ସ୍ଥାନ , କାଳ , ପାତ୍ର ଆଦିକୁ ଠିକ୍‌ ଭାବରେ ନିରୀକ୍ଷଣ ନକରି ସ୍ବାର୍ଥାନ୍ଧ ହୋଇ ଜାଣି ଅପକର୍ମ ଆପଣିବା ଓ କଟାକ୍ଷର କଟାଳ ସୃଷ୍ଟି କରିବା କିଛି କୁଚକ୍ରୀଙ୍କ ପାଇଁ ବଡ଼ କଥା ନୁହେଁ ; କିନ୍ତୁ ଏଥିରେ ବଳି ପଡ଼ିଯାଏ ନିରୀହ ଜୀବନଟି । "ସ୍ବଜାତି ପରମ ହିଂସ୍ରିକଃ" - ଏ ବାକ୍ଯଟି ମିଥ୍ୟା ନୁହେଁ ; ପଦା ଲୋକ 'ଆହା' ବୋଲି ପଦେ କହୁଥିବା ବେଳେ ନିଜ ଲୋକ କିନ୍ତୁ ବିଷାଦର ବହ୍ନିରେ ସର୍ପି ଢ଼ାଳି ତାକୁ ଆହୁରି ହୁତାଶନ କରିଚ଼ାଲେ । ମଲା ସାପକୁ ପିଟି ପିଟି ଛେଚ଼ଡ଼ା କରିବାକୁ ସ୍ବାର୍ଥନ୍ବେଷୀ ମାନଙ୍କର ସଶ୍ରମ ପ୍ରୟାସ ନିନ୍ଦନୀୟ କି ପୂଜନୀୟ ସମାଜ କହିବ । ପ୍ରତି ମୁହୂର୍ତ୍ତରେ ପରାଜୟ ବରଣ କରି ପରମପ୍ରୀତର ଅଭିନୟ କରିବା କେବଳ ଅପପୁଷ୍ଟି ରୋଗଗ୍ରସ୍ତ - ଯନ୍ତ୍ରଣା ଜର୍ଜରିତ ଜୀବନ ହିଁ ଜାଣେ । ଜୀଇଁବା ଗୋଟେ ବାହାନା କେବଳ , ଯନ୍ତ୍ରଣା କିନ୍ତୁ ଅଙ୍ଗଭୂଷଣ । 

    ଜପ , ତପ , ବ୍ରତ , ଉପବାସ ନିତ୍ଯକର୍ମ ହେଲେ ବି ଅକର୍ମର ଅନଧିକାର ପ୍ରବେଶ ବିଚ଼ଳିତ କରିପକାଏ । ଲୋଭ , ମୋହ , ମାୟାରେ ପଡ଼ି ଏମିତି କିଛି କରିପକାଏ ଯେ , ସମାଜରେ ନିନ୍ଦନୀୟ ହୋଇଯାଏ । ତଥାପି ଏସବୁରୁ ଦୂରେଇ ପାରେନି ସେ ଶତଚ଼େଷ୍ଟା କରି ମଧ୍ୟ । ସୁନ୍ଦର କମନୀୟ କାନ୍ତିର ଆକର୍ଷଣରେ ଆକର୍ଷିତ ହୋଇ ହରାଇ ବସେ ହିତାହିତ ଜ୍ଞାନ । ପାଇବାର ଆଶାରେ ଅଜାଣତେ ହଜାଇ ବସେ ସେ ଅନେକ କିଛି । ସବୁକିଛି ମାୟା ବୋଲି ଜାଣି ବି କାୟା ବିସ୍ତାରି ମୋର ମୋର କହି ଆବୋରି ନିଏ । କିନ୍ତୁ ଶେଷରେ ଶୂନ୍ଯ ହୋଇ ଶୂନ୍ଯରେ ମିଳେଇ ଯାଏ । 

     ଇର୍ଷା - ପରଶ୍ରୀକାତରତା ଜ୍ଞାତେ ମରଣର ଆବହ । ତଥାପି ସେ ତା'ର ତେଜ୍ଯ ନୁହେଁ । ରକ୍ଷକର ମୁଖା ତଳେ ଲୁକ୍କାୟିତ ଭକ୍ଷକ ଯେ କେତେ ଭୟାନକ , ତାହା ନଦେଖିଲେ ଅବିଶ୍ବାସନୀୟ । ରାଜା ହେବାର ମଜା ଚ଼ାଖିବାକୁ ଆଶାୟୀ ପ୍ରଥମେ ପ୍ରଜା ହୋଇଥିବା ଦରକାର ; ଏକଥା ବୁଝିବାକୁ ଅସକ୍ଷମ ଅବିକା । ଜଞ୍ଜାଳର ଜାଲରେ ଛନ୍ଦି ହୋଇ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଥିବା ଜୀବନ ଆଉ ଜଞ୍ଜାଳକୁ ଜଗଦୀଶ ବିଚ଼ାରି ଜାଜ୍ଜୁଲ୍ଯମାନ ଜୀବନ ମଧ୍ଯରେ ଜଳଜଳ ପରିଦୃଶ୍ଯ ହୁଏ ପ୍ରାର୍ଥକ୍ଯ । ସମୟାନୁବର୍ତ୍ତିତା ଓ ନିୟମାନୁବର୍ତ୍ତିତା ଥିବା ଜୀବନ ଜାଜ୍ଜୁଲ୍ଯମାନ ବୋଲି ସମାଜରେ ଡ଼େଙ୍ଗୁରା ବାଜି ଉଠିଥାଏ । ବେଳେବେଳେ ବିରଳ ଦୃଶ୍ଯରେ ହତବାକ ହେବାକୁ ପଡ଼େ , "ବିଚିତ୍ର ବିଧାତାର ବିଚ଼ାର" ବୋଲି ହୁରି ପରେ ହୁରି । 

     ବାଧ୍ୟତାମୂଳକ କାର୍ଯ୍ୟରେ ବି ଭଟ୍ଟା ପଡ଼ିଯାଏ ପରିସ୍ଥିତିର ଦୁର୍ବଳତାରେ । ସବୁକିଛି ଧୂଆଁ ଧୂଆଁ , ଆଖି ଥାଇ ବି ଅନିଚ୍ଛାକୃତ ଅନ୍ଧ ; ପାଦ ଥାଇ ବି ଖଞ୍ଜ ଓ ପାଟି ଥାଇ ବି ମୁକ । କାନ ଥାଇ ଶୁଣିବା ଅସମ୍ଭବ ଆଉ ମସ୍ତିଷ୍କ ଥାଇ ବି ବିଚ଼ାରର ଅଭାବ । ସାତଗଣ୍ଠି କରି ବାନ୍ଧିଥିବା ଚ଼ାବିନେନ୍ଥା ଝଣଝଣ ଶବ୍ଦ କରି ଚ଼ାଲିଥାଏ ; ପଣତକାନିର ଗଣ୍ଠି ଖୋଲି ଦେଲେ ଦଶଟଙ୍କିଆ ନୋଟ୍‌ଟେ ନହେଲେ ଟଙ୍କିକିଆ କଏନ୍‌ଟେ । କ୍ଷୁଧାସୁରର ବିନାଶ ପାଇଁ ଅସ୍ତ୍ରାଗାରରୁ ଅସ୍ତ୍ର କ୍ରୟରେ ନିମିଷକେ ଚ଼ାଲିଯାଏ ; ଘରେ ବୟସର ଅପରାହ୍ନରେ ଉପସ୍ଥିତ ଅଭିଆଡ଼ୀ ଝିଅ କି ଭଗ୍ନୀ ଢ଼ାଳି ଚ଼ାଲିଥାଏ ଅଶ୍ରୁ  । ମୁଣ୍ଡ ଉପରେ ମାର୍ତ୍ତଣ୍ଡ ଭୈରବଙ୍କର ଖର ଦୃଷ୍ଟି ଆଉ ରଜନୀର ଘନ କାଳିମାମୟ ଆକାଶରେ ସୋମଙ୍କର ଶୀତଳ ମୃଦୁ ସୋମରସ ବୃଷ୍ଟି ; ବେଳେବେଳେ ଇନ୍ଦର କରନ୍ତି ଅମୃତ ବର୍ଷଣ । 

    ସତରେ ; ଧନହୀନର ନାହିଁ ପ୍ରୟୋଜନ ଏ ସଂସାରେ ; ସେ ସର୍ବଦା ଅବହେଳିତ ଓ କଳୁଷିତ ମଧ୍ୟ । ଯାତନାର ଜୁଈଶଯ୍ଯାରେ ଜୀବନର ଦାହ ପ୍ରତି ମୁହୁର୍ତ୍ତ ଆଉ ପ୍ରତିକ୍ଷଣ । ନିରବ କ୍ରନ୍ଦନ , ସବୁ ସହିଯିବାର କଳା ପରିଲକ୍ଷିତ । କେହି ନାହିଁ ସାନ୍ତ୍ବନାର ବାର୍ତ୍ତାବହ ; ବିନା ସ୍ବାର୍ଥରେ ବନ୍ଧୁତା ଅସମ୍ଭବ ଅତ୍ର । ସତରେ , ଗରିବ ହେବା ଅଭିଶାପ ନା ମହାପାପ ? କେଜାଣି , କିଏ ଦେଇପାରିବ ଏହାର ଉତ୍ତର ; ଜୀବନ ଯୁଦ୍ଧରେ ବଳି ପଡୁଥିବା ଏକ ଜୀବନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ରର ବୋଧହୁଏ ସୃଷ୍ଟି ହୋଇନି ଏଯାବତ୍‌ । ସତରେ ; ବହୁ ଜଟିଳ ଏଇ ଜୀବନ ଅଙ୍କ ; କଷିବାଟା ବହୁ କଷ୍ଟ । 

ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା